ତାଲୁପୁରୁରେ ଏମ୍. ନାରାୟଣସ୍ୱାମୀ କହିଲେ, “ଆମେ ଭୋକିଲା ରହିପାରୁ, କିନ୍ତୁ ତଥାପି ଆମେ ଆମର ଦଳର ପତାକା ଧରି ଯିବୁ। ଆମେ ନିଶ୍ଚୟ ଯିବୁ, ଆମର କୌଣସି ବିକଳ୍ପ ନାହିଁ।’’ ସେ ଏହି ଗାଁର ରାସନ ଦୋକାନ ଡିଲର। ଏହି ଗାଁ ଅନନ୍ତପୁର ଜିଲ୍ଲାର ରାପତାଡୁ ବିଧାନସଭା କ୍ଷେତ୍ରରେ ଆସୁଛି ଏବଂ ସେ ଏପ୍ରିଲ୍ ୧୧-ଆଜିର ନିର୍ବାଚନ ପ୍ରଚାର ବିଷୟରେ କହୁଛନ୍ତି, ଯେଉଁଦିନ ଆନ୍ଧ୍ରପ୍ରଦେଶରେ ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ସେ ଏଠାର ଲୋକମାନେ କ’ଣ ଚିନ୍ତା କରୁଛନ୍ତି, ସେମାନେ କିପରି ଭୋଟ ଦେଇପାରନ୍ତି, କାହା ପାଇଁ ଭୋଟ୍ ଦେବେ- ଏବଂ କାହିଁକି ସେସବୁ ବିଷୟରେ କହୁଛନ୍ତି।
ଏଠାରେ ଯଥାକ୍ରମେ ହିନ୍ଦୁପୁର ଏବଂ କଡ଼ପା ଲୋକସଭା (ଏଲ୍ଏସ୍) ସଂସଦୀୟ କ୍ଷେତ୍ରରେ ଥିବା ରାପାତାଡୁ ଓ ପୁଲିଭେନ୍ଦୁଲା ବିଧାନସଭା ଆସନ ପାଇଁ ଅଧିକ ନଜର ଏବଂ ଆଲୋଚନା ଚାଲିଛି।
ରାପ୍ତାଡୁରେ କ୍ଷମତାସୀନ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ପରିତାଲା ଶ୍ରୀରାମ ଏବଂ ଓ୍ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ଓ୍ୱାଇଏସ୍ଆର୍ସିପି)ର ଥୋପୁଦୁର୍ଥି ପ୍ରକାଶ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଯୋଗିତା। ୨୦୦୯ ଏବଂ ୨୦୧୪ରେ ରେଡ୍ଡୀ ଶ୍ରୀରାମଙ୍କ ମାଆ ପରିତାଲା ସୁନିତାଲାଠାରୁ ଏହି ଆସନରେ ହାରିଥିଲେ। ପୁଲିଭେନ୍ଦୁଲାରେ ଓ୍ୱାଇଏସ୍ଆର୍ସିପି ନେତା ଜଗନମୋହନ ରେଡ୍ଡୀ ଟିଡିପିର ଏସ୍.ଭି. ସତୀଶ କୁମାର ରେଡ୍ଡୀଙ୍କୁ ସାମ୍ନା କରୁଛନ୍ତି। ଜଗନମୋହନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବାରୁ ତାଙ୍କର ବିଜୟର ସମ୍ଭାବନା ଅଧିକ ରହିଛି ବୋଲି ଅନେକ ମନେକରନ୍ତି।
ହିନ୍ଦୁପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ ଟିଡିପିର ନିମ୍ମଲା କିସ୍ତାପ୍ପା ଏବଂ ଓ୍ୱାଇଏସ୍ଆର୍ସିପିର ଗୋରନ୍ତଲା ମାଧବଙ୍କ ମଧ୍ୟରେ ପ୍ରତିଯୋଗିତା। କଡ଼ାପ୍ପା ଲୋକସଭା ଆସନରେ ବର୍ତ୍ତମାନର ସାଂସଦ (MP) ଓ୍ୱାଇଏସ୍ଆର୍ସିପିର ଓ୍ୱାଇ.ଏସ୍. ଅବିନାଶ ରେଡ୍ଡୀଙ୍କ ବିପକ୍ଷରେ ଟିଡିପିର ଆଦିନାରାୟଣ ରେଡ୍ଡୀ ମୁଖ୍ୟ ବିରୋଧୀ ଭାବରେ ଅଛନ୍ତି।
ତଥାପି ଅନନ୍ତପୁରର ଗାଁଗୁଡ଼ିକର ଲୋକମାନେ ପ୍ରାର୍ଥୀଙ୍କ ଅପେକ୍ଷା ଦଳ ଏବଂ ଗୋଷ୍ଠୀଗତ ଆନୁଗତ୍ୟରେ ଅଧିକ ପ୍ରଭାବିତ। ରାପତାଡୁରେ ଗ୍ରାମବାସୀମାନଙ୍କର କଥାବାର୍ତ୍ତା ହିନ୍ଦୁପୁର ଲୋକସଭା ଆସନ ଅପେକ୍ଷା ବିଧାନସଭା ପ୍ରତିଯୋଗିତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିଲା (ଯଦିଓ ସେମାନେ ଉଭୟ ପାଇଁ ଭୋଟ୍ ଦେବେ)। ପ୍ରକୃତରେ ଏହି ନିର୍ବାଚନ ମଣ୍ଡଳୀର ଭୋଟରମାନେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଅଧିକ ଆଗ୍ରହୀ ଥିବା ମନେ ହେଉଥିଲା।


ବାମ: ଆନ୍ଧ୍ରପ୍ରଦେଶର ରାସନ୍ ଦୋକାନମାନଙ୍କରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଫଟୋ ଥିବା ଏହି ବ୍ୟାଗ୍ଗୁଡ଼ିକ ପ୍ରଦାନ କରାଯାଉଛି। ଡାହାଣ: ଜଣେ କୃଷକ ଯିଏକି ନାଇଡ଼ୁଙ୍କ ଟିଡ଼ିପିକୁ ସମର୍ଥନ କରନ୍ତି, ଅନନ୍ତପୁର ସହରରେ ଜଣେ ଟିଡ଼ିପି ନେତା ପ୍ରଚାର କରୁଥିବା ଦେଖୁଛନ୍ତି
ଅନନ୍ତପୁରରେ ନାରାୟଣସ୍ୱାମୀ ଏବଂ ଅନ୍ୟମାନେ କହିଲେ, ତୁମର ଅନୁବନ୍ଧନ ଉଭୟକୁ ପଛରେ ପକାଇ ଦେଇପାରେ- ନିଜର ବ୍ୟକ୍ତିଗତ ଚିନ୍ତା ଏବଂ ନିଜର ନିର୍ବାଚନ ମଣ୍ଡଳୀର ପ୍ରସଙ୍ଗକୁ। ଏହି ଜିଲ୍ଲାର ଗ୍ରାମମାନଙ୍କରେ ଥିବା କର୍ମୀମାନେ କାମ କରିବା ବନ୍ଦ କରିଛନ୍ତି କିମ୍ବା ଯେଉଁସବୁ ରାଜନୀତିକ ଦଳ କିମ୍ବା ଗୋଷ୍ଠୀ ସହ ସେମାନେ ସଂଯୁକ୍ତ ତାହା ପାଇଁ ଉପାସ ରହୁଛନ୍ତି ଏବଂ ପରିଶ୍ରମ କରୁଛନ୍ତି।
‘‘ନାରାୟଣ ସ୍ୱାମୀ କୁହନ୍ତି, ‘‘ସବୁବେଳେ କିଛି ଅଳ୍ପ ସଂଖ୍ୟକ ଭୋଟର ଅଛନ୍ତି’’, ଯେଉଁମାନେ କାହା ପକ୍ଷର ନୁହଁନ୍ତି କିନ୍ତୁ ଉଭୟ ପକ୍ଷରୁ କିଛି ପାଇବାକୁ ଚେଷ୍ଟା କରନ୍ତି। ‘‘ସେମାନଙ୍କ ପାଇଁ ଆମ ସରକାର ଗୋଟିଏ ଟଙ୍କା ମୂଲ୍ୟର ସୁବିଧା ମଧ୍ୟ ପ୍ରଦାନ କରିନାହାନ୍ତି।’’ ଅନ୍ୟମାନେ ଦଳ, ବିଭାଜିତ ଗୋଷ୍ଠୀ ଏବଂ ଜାତି ଆଧାରରେ ଭୋଟ୍ ଦେଇପାରନ୍ତି। ନାରାୟଣସ୍ୱାମୀ ନିଜେ ଜଣେ ନିଷ୍ଠାପର ଟିଡିପି ଭୋଟର।
ସେମାନଙ୍କର ଅନୁବନ୍ଧନ- ଗୋଷ୍ଠୀଗତ, ରାଜନୈତିକ, ଏପରିକି ଚଳଚ୍ଚିତ୍ର ତାରକାଙ୍କ ପ୍ରତି ଅନୁରକ୍ତି- ଯେଉଁମାନେ ଅନନ୍ତପୁର ସହ ପରିଚିତ ନୁହଁନ୍ତି ସେମାନଙ୍କୁ ଏହା ଦ୍ୱନ୍ଦ୍ୱରେ ପକାଇପାରେ। ଏହି ଗୋଷ୍ଠୀଗତ ମନୋଭାବ ଏହି ଜିଲ୍ଲାକୁ ରାଜନୈତିକ ଦ୍ୱନ୍ଦ୍ୱ ଏବଂ ହିଂସାର ଏକ ଇତିହାସ ପ୍ରଦାନ କରିଛି। ଗତ କେଇବର୍ଷ ମଧ୍ୟରେ ଏହି ଜିଲ୍ଲାର ଏକାଧିକ ଏମ୍ଏଲ୍ଏ (ବିଧାୟକ) ରକ୍ତାକ୍ତ ମୃତ୍ୟୁକୁ ସାମ୍ନା କରିଛନ୍ତି। ଭୋଟରମାନେ ସେମାନଙ୍କ ନିର୍ବାଚନ କ୍ଷେତ୍ର ଏବଂ ଅଞ୍ଚଳର ସମସ୍ୟାଗୁଡ଼ିକ ସମ୍ପର୍କରେ ଅଜଣା କିମ୍ବା ଅସଚେତନ ନୁହଁନ୍ତି। ତଥାପି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହା ଆଧାରରେ ଭୋଟ ଦେଇ ନପାରନ୍ତି। ସେମାନେ ବୋଧହୁଏ ନିଜ ନିଜର ଅନୁରକ୍ତି ଆଧାରରେ ଭୋଟ୍ ଦେବେ।
ଅନନ୍ତପୁରରେ ଆପଣଙ୍କ ଅନୁରକ୍ତି ସହଜରେ ଆପଣଙ୍କ ପ୍ରସଙ୍ଗ ହୋଇଯାଏ।
ଏହା ରାୟଲସୀମା ଅଞ୍ଚଳ (ଅନନ୍ତପୁର ଯାହାର ଏକ ଅଂଶ)ର ଅଧିକାଂଶ ଗ୍ରାମ ପାଇଁ ବାସ୍ତବତା। ବିଶେଷ କରି ଏକ ନିର୍ବାଚନ ବର୍ଷରେ। ଟିଡିପି ଶାସନ ଅମଳରେ ରାଜନୈତିକ ଆନୁଗାତ୍ୟ ସମାଜକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରେ। ଏହା ଅନ୍ୟ ଦଳ ଅମଳରେ ମଧ୍ୟ ହୋଇଥିଲା- କିନ୍ତୁ ଗତ ୫ବର୍ଷରେ ଏହା ଅଧିକ ଭାବରେ ଜଣାପଡିଛି। ତଥାପି ଯେଉଁମାନେ ଟିଡିପିକୁ ସମର୍ଥନ ଦେଇଥିଲେ, କିନ୍ତୁ ଏହାର ଶାସନ ସମୟରେ ଲାଭ ପାଇନାହାନ୍ତି- ସେମାନେ ମଧ୍ୟ ଦଳ ସହ ଯିବେ। ଅନ୍ୟମାନେ ଯେମିତିକି ଜଣେ ଚଳଚ୍ଚିତ୍ର ତାରକାଙ୍କ ଦୃଢ଼ ସମର୍ଥକ ରାଜନୈତିକ ଭାବରେ ନିଜ ବାଟରେ ଯିବେ। ଅନ୍ୟମାନେ ହୁଏତ ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଗୋଷ୍ଠୀକୁ ସମର୍ଥନ କରିବେ।


ଆନ୍ଧ୍ରରେ ଅନୁବନ୍ଧନ ଗୋଷ୍ଠୀଗତ, ରାଜନୈତିକ, ଏପରିକି ଚଳଚ୍ଚିତ୍ର ତାରକାଙ୍କ ପ୍ରତି ଭକ୍ତି ଯୋଗୁ ହୋଇପାରେ ଏବଂ ଏହା ଭୋଟ୍ର ନିଷ୍ପତ୍ତି ନେଇପାରେ। ବାମ: ଜଣେ ଟିଡ଼ିପି ପ୍ରଶଂସକ ଏନ୍.ଟି. ରାମାରାଓଙ୍କ ବାୟୋପିକ୍କୁ ନେଇ ଖୁବ୍ଉଦ୍ବେଳିତ। ବାମ: ବାୟୋପିକ୍ର ଏକ ପୋଷ୍ଟର୍ରେ ପରିତଲା ସୁନିତା ଓ ପରିତଲା ଶ୍ରୀରାମ ଏବଂ ଅନ୍ୟ ଟିଡ଼ିପି ନେତାଙ୍କ ଫଟୋ ରହିଛି
ଏହି ଅନୁରୁକ୍ତି ଶାସକ ଟିଡିପି ଭିତରେ ମଧ୍ୟରେ କାର୍ଯ୍ୟ କରେ। ରାପ୍ତାଡୁ ନିର୍ବାଚନ କ୍ଷେତ୍ରରେ ଟିଡିପିର ଜଣେ କୁଜି ନେତା ହତାଶ କାରଣ ଯେଉଁ ଋଣ ସେ ନିହାତି ଦରକାର କରୁଥିଲେ ତାହା ପାଇବା ପାଇଁ ତାଙ୍କ ଦଳ ଅନୁମୋଦନ ଦେବାରେ ସାହାଯ୍ୟ କରିନଥିଲା।
କର୍ମୀମାନେ ସୂଚନା ଦିଅନ୍ତି, ଦଳ ମଧ୍ୟରେ ଆନୁଗତ୍ୟ କିପରି କ୍ଷମତାର ସରଞ୍ଚନା ସ୍ଥିର କରେ ଏବଂ ସେମାନଙ୍କୁ ସୁବିଧା ପ୍ରଦାନ କରେ। ଯେଉଁମାନେ ଆନୁଗତ୍ୟ ଏବଂ ଜାତି ଆଧାରରେ ନେତାଙ୍କର ନିକଟତମ ସେମାନେ ସବୁଠାରୁ ଅଧିକ ପାଆନ୍ତି। କିନ୍ତୁ ଏହା ସମାନ ଦଳର ଅନ୍ୟମାନଙ୍କ ମୂଲ୍ୟରେ ଘଟିଥାଏ।
ଜଣେ ଟିଡିପି କର୍ମୀ ବୁଝାଇ କହିଥିଲେ, ‘‘ସେ [କୁଜି ନେତା] ଯେଉଁ ଋଣ ଚାହୁଁଥିଲେ ପ୍ରାୟତଃ ତାହା ପାଇବାକୁ ବସିଥିଲେ, କିନ୍ତୁ ଶେଷରେ ଏହା ଅନୁମୋଦନ ହେଲା ନାହିଁ। ତଥାପି ଯଦି ଆମେ ଏସବୁ ଜିନିଷ [ବିଷୟରେ] ଚିନ୍ତା କରିବା ଆରମ୍ଭ କରିବୁ ତେବେ ଏହା ଭଲ ଲାଗିବ ନାହିଁ।’’ ଅଧିକାଂଶ ପରିସ୍ଥିତିରେ ଆବେଦନକାରୀଙ୍କ ଅନୁବନ୍ଧନ ଉପରେ ସରକାରୀ ଋଣ କିମ୍ବା ଯୋଜନାର ଅନୁମୋଦନ ନିର୍ଭର କରେ।
ରାପତାଡୁ କେଇବର୍ଷ ହେବ ଟିଡିପିର ଏକ ଦୁର୍ଗ ପାଲଟିଛି। କିନ୍ତୁ ରାଜ୍ୟ ସ୍ତରରେ ସରକାରରେ ପରିବର୍ତ୍ତନ ମଧ୍ୟ ଗ୍ରାମରେ କ୍ଷମତାର ଗତିଶୀଳତା ବଦଳାଇ ଦେବ। ରାପତାଡୁର ବିଧାୟକ ପରିତଲା ସୁନୀତା, ଯାହାଙ୍କ ସ୍ୱାମୀ ପରିତଲା ରବିନ୍ଦ୍ରଙ୍କୁ ୨୦୦୪ ବିଧାନସଭା ନିର୍ବାଚନରେ ଟିଡିପି ହାରିବାର ଗୋଟିଏ ବର୍ଷ ମଧ୍ୟରେ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା।
ଏହି ହତ୍ୟାକାଣ୍ଡ ପରସ୍ପର ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିବା ଦୁଇଟି ପରିବାରର ଗୋଷ୍ଠୀ ମଧ୍ୟରେ ସାଢ଼େ ୪ଦଶକର ସଂଘର୍ଷର ଅଂଶ ଥିଲା। ଏହି କାହାଣୀ ଦୁଇ ପିଢ଼ୀଙ୍କୁ ବ୍ୟାପୀଥିଲା ଯାହାକି ରାମଗୋପାଳ ବର୍ମାଙ୍କୁ ଗୋଟିଏ ଦୁଇଭାଗ ବିଶିଷ୍ଟ ଚଳଚ୍ଚିତ୍ର ରକ୍ତ ଚରିତ୍ର ( ରକ୍ତାକ୍ତ ଇତିହାସ ) ନିର୍ମାଣ ପାଇଁ ପ୍ରେରିତ କରିଥିଲା। ଏହି ଚଳଚ୍ଚିତ୍ର ବିଧାୟକ ପରିତଲା ରବୀନ୍ଦ୍ରଙ୍କ ଦ୍ୱାରା ପ୍ରେରିତ ଚରିତ୍ରର ହତ୍ୟା ପରେ ଏକ ଶିଶୁର ଜନ୍ମ ସହ ଶେଷ ହୋଇଥିଲା। କାକତାଳୀୟ ଭାବରେ ପରିତଲାଙ୍କ ପୁଅ ଶ୍ରୀରାମ ଟିଡିପି ଟିକେଟ୍ରେ ନିର୍ବାଚନ ଲଢ଼ି ଆନ୍ଧ୍ର ରାଜନୀତିରେ ପ୍ରବେଶ କରିଛନ୍ତି, ତାହା ପୁଣି ସେହି ସମାନ ରାପତାଡୁ ନିର୍ବାଚନ ମଣ୍ଡଳୀରୁ।


ଓ୍ୱାଇଏସ୍ଆର୍ସିପି କର୍ମୀମାନେ ରପତାଡ଼ୁ ସଂସଦୀୟ କ୍ଷେତ୍ରର ଏକ ଗ୍ରାମରେ
ରାୟଲସୀମା ଅଞ୍ଚଳର ସ୍ୱାଧୀନତା ପରବର୍ତ୍ତୀ ରାଜନୈତିକ ହତ୍ୟା ଏବଂ ହିଂସାକାଣ୍ଡର। ବର୍ଷ ପରେ ବର୍ଷ ବହୁସଂଖ୍ୟକ ଲୋକ କେବଳ ସେମାନଙ୍କ ଅନୁବନ୍ଧନ କାରଣରୁ ହତ୍ୟାର ଶୀକାର ହୋଇଛନ୍ତି (କିମ୍ବା ହତ୍ୟା କରିଛନ୍ତି)। ଏହି ଅଞ୍ଚଳର କଡ଼ପା ଜିଲ୍ଲା (୨୦୧୦ରେ ଓ୍ୱାଇଏସ୍ଆର୍ ଜିଲ୍ଲା ଭାବରେ ପୁନଃ ନାମିତ ହୋଇଥିବା) ଓ୍ୱାଇଏସ୍ଆର୍ସିପି ନେତା ଜଗନମୋହନ ରେଡ୍ଡୀଙ୍କର ଘର, ଏହାର ନିଜସ୍ୱ ଗୋଷ୍ଠୀଗତ ଯୁଦ୍ଧ ରହିଛି। ଜଗନମୋହନ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱଗର୍ତଃ ରାଜଶେଖର ରେଡ୍ଡୀ (ଓ୍ୱାଇଏସ୍ଆର୍ ଭାବରେ ଜଣାଶୁଣା)ଙ୍କର ପୁଅ, ଯେ କି ୨୦୦୯ରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏବଂ ତାଙ୍କ ଦଳ ଓ୍ୱାଇଏସ୍ଆର୍ କଂଗ୍ରେସ ପାର୍ଟି ସେ କଂଗ୍ରେସରୁ ବାହାରି ଆସିବା ପରେ ଗଠନ ହୋଇଥିଲା, ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏହା କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ଦାବିଦାର।
ଏପରିକି ସବୁଠାରୁ କ୍ଷମତାଶାଳୀମାନେ ମଧ୍ୟ ଅନୁବନ୍ଧନ ଜନିତ ହତ୍ୟାରୁ ରକ୍ଷା ପାଇ ନାହାଁନ୍ତି। ଓ୍ୱାଇଏସ୍ଆର୍ ‘ବରିଷ୍ଠ’ଙ୍କ ପିତା ଓ୍ୱାଇ.ଏସ୍. ରାଜା ରେଡ୍ଡିଙ୍କୁ ୧୯୯୯ରେ ହତ୍ୟା କରାଯାଇଥିଲା। ୧୯୯୩ ମସିହାରେ ଜଣେ ବିଧାୟକ ପି. ଶିବା ରେଡ୍ଡିଙ୍କୁ ହତ୍ୟା କରାଯାଇଥିଲା। ସେହି ହତ୍ୟାକାଣ୍ଡ ପାଇଁ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଅଭିଯୁକ୍ତ କରାଯାଇଥିଲା ଏବଂ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅବଶ୍ୟ ପରେ ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଓ୍ୱାଇଏସ୍ଆର୍ଙ୍କ ଭାଇ ବିବେକାନନ୍ଦ ରେଡ୍ଡିଙ୍କୁ ପୁଲିଭେନ୍ଦୁଲାରେ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା। ଏହି ନିର୍ବାଚନ ମଣ୍ଡଳୀରୁ ଜଗନମୋହନ ରେଡ୍ଡି ବର୍ତ୍ତମାନ ବିଧାୟକ ଅଛନ୍ତି ଏବଂ ଏଥର ମଧ୍ୟ ଏହି ଠାରୁ ଲଢ଼ୁଛନ୍ତି।
କଡ଼ାପ୍ପାରୁ ଓ୍ୱାଇଏସ୍ଆର୍ସିପିର ବର୍ତ୍ତମାନର ସାଂସଦ ଅବିନାଶ ରେଡ୍ଡୀ ୨୦୧୪ରେ ଟିଡିପିର ଜଣେ ପ୍ରତିପକ୍ଷଙ୍କୁ ପ୍ରାୟ ୨୦୦,୦୦୦ ଭୋଟ୍ ବ୍ୟବଧାନରେ ହରାଇ କଡ଼ପ୍ପା ଲୋକସଭା ଆସନ ଜିତିଥିଲେ। ୨୦୧୧ରେ ଜଗନମୋହନ ରେଡ୍ଡୀ ଜଣେ କଂଗ୍ରେସ ପ୍ରତିପକ୍ଷଙ୍କୁ ରେକର୍ଡ ସଂଖ୍ୟକ ପ୍ରାୟ ୫୫୦,୦୦୦ ଭୋଟ ବ୍ୟବଧାନରେ ହରାଇ ଏହି ଆସନ ଜିତିଥିଲେ। ତଥାପି ଏଥର ଜନସାଧାରଣଙ୍କ ଅଧିକ ଆଗ୍ରହ ପୁଲିଭେନ୍ଦୁଲା (ଯାହାକି କଡ଼ାପ୍ପାରେ ଅଛି) ବିଧାନସଭା ଆସନରେ।


ବାମ: ତାଲୁପୁରୁ ଗ୍ରାମର ପ୍ରବେଶ ପଥରେ। ଡାହାଣ: ଅନନ୍ତପୁର ସହରରେ ଟିଡ଼ିପି/ଓ୍ୱାଇଏସ୍ଆର୍ସିପିର ପ୍ରଚାର ଅଟୋଗୁଡ଼ିକ
ଅନେକ ସମୟରେ ରାୟଲସୀମାରେ ହତ୍ୟାକାଣ୍ଡ ରାଜ୍ୟରେ କ୍ଷମତା ପରିବର୍ତ୍ତନ କାରଣରୁ ହୋଇଥାଏ। ଏହି ପ୍ରକାର ଧାରା କାରଣରୁ ଅନନ୍ତପୁରର ଅନେକ ଟିଡିପି କର୍ମୀଙ୍କ ମଧ୍ୟରେ କ୍ଷମତା ହରାଇବା ପରେ ଉଦ୍ବେଗ ବୃଦ୍ଧି ପାଇଛି। ଯେଉଁ ଅନୁବନ୍ଧନ ସେମାନଙ୍କୁ ଏକଦା ସମୃଦ୍ଧି ଏବଂ କ୍ଷମତା ଦେଇଥିଲା ବର୍ତ୍ତମାନ ତାହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଓ୍ୱାଇଏସ୍ଆର୍ସିପି କର୍ମୀମାନେ ଚଳିତ ନିର୍ବାଚନ ନେଇ ଖୁବ୍ ଦୃଢ଼ ବିଶ୍ୱାସୀ। ମତେ ଜଣେ ଟିଡିପି ସମର୍ଥକ ବୋଲି ଭୁଲ୍ରେ ଭାବି ନେଇଥିବା ଜଣେ ଓ୍ୱାଇଏସ୍ଆର୍ସିପି ସମର୍ଥକ ମୁଁ ଅନୁସନ୍ଧାନ କରୁଥିବା ନେଇ ପୋଲିସ୍ରେ ଅଭିଯୋଗ କରିବାକୁ ଚାହିଁଥିଲେ। ସେ ମୁଁ ରାପତାଡୁ ବିଧାନସଭା କ୍ଷେତ୍ରରେ ଥିବା ତାଙ୍କ ବୋଡିପାଲ୍ଲୀ ଗ୍ରାମର କୃଷକମାନଙ୍କ ସାକ୍ଷାତକାର ନେବା ବନ୍ଦ କରିବା ଦାବି କରିଥିଲେ।
ତଥାପି ଓ୍ୱାଇଏସ୍ଆର୍ସିପିର ଆତ୍ମବିଶ୍ୱାସ ଟିଡିପି ଦ୍ୱାରା କୌଣସି କଲ୍ୟାଣ ଏବଂ ବିକାଶ ସୁବିଧା ପାଇନଥିବା ଭୋଟରମାନଙ୍କଠାରୁ ମିଳିଛି। ଏହି ଭୋଟରମାନଙ୍କର କୌଣସି ଅନୁବନ୍ଧନ ନାହିଁ।
ଏକ ଆଦିବାସୀ ସମୂହରୁ ଆସିଥିବା ଜଣେ ଝୁଡ଼ି ବୁଣାଳି ସେକ୍ ଗଙ୍ଗାନ୍ନାଙ୍କର କୌଣସି ଦଳୀୟ କିମ୍ବା ଗୋଷ୍ଠୀଗତ ସମ୍ପୃକ୍ତି ନାହିଁ। ଏକ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ସେ ନିଜର କୁଡ଼ିଆଘର ହରାଇଲେ। ଏକଦା ଯେଉଁଠାରେ ଗଙ୍ଗାନ୍ନାଙ୍କ କୁଡ଼ିଆ ଛିଡ଼ା ହୋଇଥିଲା ତାହାର ବିପରିତ ଅଞ୍ଚଳରେ ଟିଡିପି ସମର୍ଥକମାନଙ୍କୁ ଜମି ଆବଣ୍ଟିତ ହେଲା। ‘‘ମୁଁ ଯେତେବେଳେ କହିଲି, ‘ଭାଇ ଦୟାକରି ମୋତେ ଜମି ଦିଅ’, ସେମାନେ କହିଲେ, ସେମାନେ ଦେବେନି। ସେମାନେ ସିଧାସଳଖ ମୋତେ କହିଲେ ସେମାନେ ଏହା ମୋତେ ଦେବେନାହିଁ।’’ ଗଙ୍ଗାନ୍ନା ଏଥର ଓ୍ୱାଇଏସ୍ଆର୍ସିପିକୁ ଭୋଟ୍ ଦେବେ।
ସେ ଝୁଡ଼ି ଏବଂ ଅନ୍ୟାନ୍ୟ କାଠ ସାମଗ୍ରୀ ବିକ୍ରି କରିବା ପାଇଁ ଦିନକୁ ପ୍ରାୟ ୫୦ କିଲୋମିଟର ବୁଲନ୍ତି। ଗଙ୍ଗାନ୍ନା କୁହନ୍ତି, ‘‘ଆମର ବୃତ୍ତି ହାତ କାରିଗରି ଆଧାରିତ। ଆମର ଜମି ନାହିଁ, ଭାଇ। ଆମେ ରାଜନୀତିକ ନେତାଙ୍କୁ ଭୟ କରୁନି। ଆମେ ସମସ୍ତଙ୍କୁ ସମାଲୋଚନା କରିବୁ। ଏପରିକି ଓ୍ୱାଇଏସ୍ଆର୍ସିପି ଭୁଲ୍ କଲେ ବି ତାକୁ ସମାଲୋଚନା କରିବୁ’’। ଗଙ୍ଗାନ୍ନାଙ୍କ ପରି ଯେଉଁମାନେ ସରକାରୀ ଯୋଜନାଗୁଡ଼ିକରୁ ବାଦ୍ ପଡିଛନ୍ତି, ସେମାନଙ୍କ ଭୋଟ ଆନ୍ଧ୍ରପ୍ରଦେଶ ସରକାର ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।
ଅନୁବାଦ: ଓଡ଼ିଶାଲାଇଭ୍