ଅକ୍ଟୋବର ପ୍ରାରମ୍ଭରେ ସେହି ରାତିରେ ସେମାନଙ୍କ କୁଡ଼ିଆରେ ବିଜୁଳି ଚାଲିଯିବା କ୍ଷଣି, ଶୋଭା ଚଭନଙ୍କ ପରିବାର ଅନୁଭବ କଲେ ଯେ କିଛି ଭୁଲ୍ ଅଛି । କିନ୍ତୁ ସେମାନେ ଏ ସମ୍ପର୍କରେ ଯାଞ୍ଚ କରିବା ପୂର୍ବରୁ, ଗୋଟିଏ ଗୋଷ୍ଠୀର ପୁରୁଷମାନେ ବାଡ଼ି ଓ ରଡ୍ ଧରି ତାଙ୍କର ଆଠ ଜଣିଆ ପରିବାରକୁ ନିର୍ଦ୍ଦୟ ଭାବରେ ପିଟିବାକୁ ଭିତରକୁ ପଶିଆସିଲେ । ଏକ ଘଣ୍ଟା ପରେ, ସେମାନେ ସାତ ଜଣ ଥିଲେ - ଏହି ଆକ୍ରମଣରେ ଶୋଭାଙ୍କର ଦୁଇ ବର୍ଷର ନାତିର ମୃତ୍ୟୁ ହୋଇଥିଲା । ପରଦିନ ସେମାନେ ଛଅ ଜଣ ହୋଇଯାଇଥିଲେ, ଯେତେବେଳେ ଶୋଭାଙ୍କ ଆହତ ସ୍ୱାମୀ ଡାକ୍ତରଖାନାରେ ପ୍ରାଣ ହରାଇଲେ ।
ଠିକ୍ ମଧ୍ୟରାତ୍ରି ପୂର୍ବରୁ ଆକ୍ରମଣକାରୀମାନେ ସେମାନଙ୍କ ଘରେ ପ୍ରବେଶ କରି ପରିବାରର ସମସ୍ତ ସଦସ୍ୟ ୬୫ ବର୍ଷୀୟା ଶୋଭା, ତାଙ୍କର ୭୦ ବର୍ଷ ବୟସ୍କ ସ୍ୱାମୀ ମାରୁତି, ସେମାନଙ୍କ ପୁଅ ଓ ବୋହୂ, ନାତି, ନାତୁଣି, ଝିଆରୀ ଏବଂ ଶୋଭାଙ୍କ ନଣନ୍ଦଙ୍କୁ ଲାତ, ମୁଥ ମାରିବା ସହ ପିଟିଥିଲେ । ମହାରାଷ୍ଟ୍ର ବିଡ୍ ଜିଲ୍ଲାରେ ଥିବା ସେମାନଙ୍କ ଗାଁ ସୀମାରେ ଅବସ୍ଥିତ ଏହି ପରିବାରର କୁଡ଼ିଆ ଓ ମେଣ୍ଢାଶାଳ ପୋଡ଼ି ପାଉଁଶ ହୋଇଯାଇଥିଲା । ଶୋଭା ସେହି ରାତିର ଘଟଣାକୁ ପୋଲିସ ନିକଟରେ ଦାଖଲ କରିଥିବା ଏତଲା (FIR) ରେ ବର୍ଣ୍ଣନା କରିଥିଲେ ।
ଶୋଭାଙ୍କ ୩୦ ବର୍ଷୀୟା ବିବାହିତା ଝିଅ ଅନୀତା କହିଲେ, “ସେହି ରାତିରେ ଆମ ତିନିଜଣଙ୍କୁ ବଳାତ୍କାର କରାଯାଇଥିଲା।’’ ସେ କହିଲେ, ଆକ୍ରମଣକାରୀମାନେ ତାଙ୍କୁ, ତାଙ୍କର ୨୩ ବର୍ଷୀୟା ଭାଉଜ ଏବଂ ୧୭ ବର୍ଷର ଝିଆରୀକୁ ବଳାତ୍କାର କରିଥିଲେ।
ହିଂସୁକ ଗଣ୍ଡଗୋଳକାରୀମାନେ ତାଙ୍କ ମା’ଙ୍କଠାରୁ ଘରଠାରୁ ଏକ କିଲୋମିଟର ଦୂରରେ ଥିବା ଅନୀତାଙ୍କ କୁଡ଼ିଆକୁ ଯାଇ ରାତ୍ରିରେ ପରିବାରକୁ ଆତଙ୍କିତ କରିଥିଲେ । ଅନୀତା କୁହନ୍ତି, “ସେମାନେ ରାତି ପ୍ରାୟ ୨ଟା ସମୟରେ ଆମ ଘରେ ପହଞ୍ଚିଲେ। ସେମାନେ ଆମକୁ ଗାଁରୁ ବାହାର କରିଦେବାକୁ ଚାହୁଁଥିଲେ । ଆମର ଥିବା ଗୋଟିଏ ମୋଟରସାଇକେଲକୁ ସେମାନେ ନିଆଁ ଲଗାଇ ଦେଇଥିଲେ ଏବଂ ଆମ ଗୃହପାଳିତ ପଶୁଙ୍କୁ ଚୋରି କରିନେଇଥିଲେ ।” ସେମାନେ ତାଙ୍କ କୁଡ଼ିଆକୁ ମଧ୍ୟ ଜାଳି ଦେଇଥିଲେ ।
ଏତଲାରେ ଶୋଭା ଦର୍ଶାଇଛନ୍ତି, ଯେତେବେଳେ ଅଭିଯୁକ୍ତମାନେ ଚଭନ ପରିବାର ଉପରେ ଆକ୍ରମଣ କରୁଥିଲେ, ସେମାନେ କହୁଥଲେ: “ତୁମେମାନେ ଚୋର । ତୁମେ ପାର୍ଢୀମାନେ ଆମ ଗାଁରେ ରହିବା ଆମେ ଚାହୁଁ ନାହୁଁ ।”
ଚଭନମାନେ ପାର୍ଢୀ ସମ୍ପ୍ରଦାୟର ଅଟନ୍ତି, ଯାହା ମହାରାଷ୍ଟ୍ରର ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ପାର୍ଢୀମାନେ ଏକଦା ଶିକାରୀ ଥିଲେ, କିନ୍ତୁ ଔପନିବେଶିକ ଶାସନ କାଳରେ, ଅପରାଧ ଜନଜାତି ଅଧିନିୟମ ୧୮୭୧(CTA) ଅନୁଯାୟୀ ଏହି ସମ୍ପ୍ରଦାୟ ଏକ 'ଅପରାଧୀ ଜନଜାତି' ଭାବରେ ସୂଚିତ କରାଯାଇଥିଲା । ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଥିଲା, ସେମାନଙ୍କୁ ‘ଆଜନ୍ମ ଅପରାଧୀ’ କୁହାଯାଉଥିଲା ଏବଂ ସେମାନଙ୍କର ଗତିବିଧି ସୀମିତ କରାଯାଇଥିଲା । ଯେତେବେଳେ ଭାରତ ସରକାର CTA ଉଚ୍ଛେଦ କଲେ, ପାର୍ଢୀଙ୍କ ସମେତ ୧୯୮ଟି ‘ଅପରାଧୀ ଜନଜାତି’ଙ୍କୁ ସେଥିରୁ ବାଦ୍ ଦିଆଗଲା। କିନ୍ତୁ CTAକୁ ଉଚ୍ଛେଦ କରି ତା’ ବଦଳରେ ଯେଉଁ – ‘ହାବିଚୁଆଲ୍ ଅଫେଣ୍ଡର୍ସ ଆଇନ ୧୯୫୨’ ଅଣାଗଲା ତାହା ସେହି ସମ୍ପ୍ରଦାୟଗୁଡ଼ିକୁ ‘ଅପରାଧୀ’ ମାନ୍ୟତା ହଟାଇବାରେ ସାହାଯ୍ୟ କରିପାରିଲା ନାହିଁ ।
ଲାଞ୍ଛିତ ଏବଂ ଶିକ୍ଷା ଓ ନିଯୁକ୍ତିରୁ ବଞ୍ଚିତ, ପାର୍ଢୀମାନେ ସୀମାରେଖାରେ ରହିଆସିଛନ୍ତି । ବିଗତ ବର୍ଷଗୁଡିକରେ ପ୍ରାୟ ୫,୬୦୦ (୨୦୧୧ ଜନଗଣନା) ଜନସଂଖ୍ୟା ବିଶିଷ୍ଟ ବିଡ୍ର ପାର୍ଢୀମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି । “ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ପାର୍ଢୀମାନଙ୍କୁ ଅପରାଧୀ ଭାବରେ ବିବେଚନା କରାଯାଉଛି । ଜିଲ୍ଲା କୋର୍ଟରେ ଶୋଭା ଚଭନଙ୍କ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ସିନ୍ଧେ କହନ୍ତି, ‘‘ସେମାନଙ୍କୁ ଗାଁରେ ରଖାଇ ନ ଦେବାକୁ ଚାହୁଁଥିବାରୁ ଏହି ଆକ୍ରମଣ ହୋଇଥିଲା । ’’ ଏବଂ ଯେତେବେଳେ କୋଭିଡ୍-୧୯ ଯୋଗୁଁ ଲୋକେ ଅଧିକ ନ ବୁଲନ୍ତୁ ବୋଲି ଅଧିକାରୀମାନେ ଚାହୁଁଥିଲେ, ସେତେବେଳେ ଏହି ପାର୍ଢୀ ପରିବାରଗୁଡ଼ିକୁ ସେମାନଙ୍କ ଘରୁ ବିତାଡ଼ିତ କରାଯାଉଥିଲା ।
୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ-ସମସ୍ତେ ପ୍ରଭାବଶାଳୀ ମରାଠା ସମ୍ପ୍ରଦାୟର-ଶୋଭା ଏତଲା ଦେବା ପରେ ସେମାନଙ୍କ ମଧ୍ୟରୁ ୮ ଜଣ ସଙ୍ଗେ ସଙ୍ଗେ ଗିରଫ ହେଲେ । ପୋଲିସ ରିମାଣ୍ଡ ନୋଟ୍ ଅନୁସାରେ, ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ‘‘ଗାଁର ଲୋକଙ୍କୁ ସମସ୍ୟାରେ ପକାଉଥିବାରୁ’’ ସେମାନେ ପାର୍ଢୀ ପରିବାରକୁ ନିର୍ଯାତନା ଦେଇଛନ୍ତି । ମାମଲାର ତଦନ୍ତକାରୀ ଅଧିକାରୀ ଏବଂ ଡିଏସ୍ପି ବିଜୟ ଲାଗାରେ, ଏ ସମ୍ପର୍କରେ ଅଧିକ ତଥ୍ୟ ଦେବା ପାଇଁ ଏହି ସାମ୍ବାଦିକଙ୍କର ଫୋନ୍ କଲ୍ ଉଠାଇଲେ ନାହିଁ ।
ଜଣେ ଅଭିଯୁକ୍ତ ଦାବି କରିଛନ୍ତି ଯେ ଶୋଭାଙ୍କ ପୁଅ, କେଦାର ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । କେଦାର ସେପରି କରିଥିବା ସିନ୍ଦେ ସ୍ପଷ୍ଟ କରିଛନ୍ତି, ତେବେ ତାହା ସେମାନଙ୍କ ଉପରେ ହୋଇଥିବା ନିର୍ଯାତନାର ଜବାବରେ ବୋଲି ସେ କହିଲେ । ‘‘ପାର୍ଢୀ ପରିବାର ବର୍ଷ ବର୍ଷ ଧରି ନିର୍ଯାତନାର ଶିକାର ହୋଇଆସିଛନ୍ତି, ଯେଉଁଥିପାଇଁ ଏହି ସଂଘର୍ଷ ହେଲା ।’’ ଓକିଲ କହନ୍ତି, ଆକ୍ରମଣକାରୀମାନେ ପୋଲିସକୁ ଅଭିଯୋଗ କରିପାରିଥାନ୍ତେ । ‘‘ତାହା ନ କରି, ସେମାନେ ପାର୍ଢୀ ପରିବାର ଉପରେ ଆକ୍ରମଣ କଲେ, ଦୁଇ ଜଣଙ୍କୁ ହତ୍ୟା କଲେ ଏବଂ ତିନି ଜଣ ମହିଳାଙ୍କୁ ଦୁଷ୍କର୍ମ କଲେ । ଏ ସବୁ କେବଳ ସେମାନଙ୍କୁ ଗାଁରୁ ବିତାଡ଼ିତ କରିବା ପାଇଁ ।’’
ଶୋଭାଙ୍କ ଆଉ ଜଣେ ପୁଅ କ୍ରିଷ୍ଣା କହିଲେ, ପାର୍ଢୀମାନେ ଜମି ମାଲିକ ହୁଅନ୍ତୁ, ଏକଥା ଗାଁ ଲୋକେ ଚାହାନ୍ତି ନାହିଁ । ସେ କହିଲେ, ‘‘ଘର ଆଗକୁ ଆମର ୨ ଏକର ଚାଷ ଜମି ଅଛି, ଯାହା କି ଠିକ୍ ଗାଁ ସୀମା ବାହାରେ ଅବସ୍ଥିତ । ସେମାନେ ତାହା ପସନ୍ଦ କରନ୍ତି ନାହିଁ । ପ୍ରାୟ ୪-୫ ବର୍ଷ ପୂର୍ବରୁ, ସେମାନେ ମୋ ବାପାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ହାତ ଭାଙ୍ଗି ଦେଇଥିଲେ । ସେମାନେ ଆମ ଉପରେ ଗୃହପାଳିତ ପଶୁଙ୍କୁ ଚୋରି କରିବାର ଅଭିଯୋଗ ଆଣିଥିଲେ ଏବଂ ଗାଁରୁ ବିଦା କରିବା ପାଇଁ ମିଥ୍ୟା ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ । ଆମର ଦୁର୍ନାମ ଯୋଗୁଁ ପୋଲିସ ଅନେକ ସମୟରେ ଆମକୁ ସହଯୋଗ କରନ୍ତି ନାହିଁ ।’’
ଚଭନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗୋଟିଏ ମୁମ୍ବାଇ ଭିତ୍ତିକ ଦୈନିକ ସମ୍ବାଦପତ୍ରକୁ ଦେଇଥିବା ବୟାନରେ ଡିଏସ୍ପି ଲାଗାରେ ପୀଡ଼ିତ ପରିବାରକୁ ‘ପେସାଦାର ଅପରାଧୀ’ ବୋଲି ବର୍ଣ୍ଣନା କରିଥିଲେ । ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ (TISS)ର ଗବେଷକଙ୍କ ଦ୍ୱାରା ମୁମ୍ବାଇ ସହରରେ ଥିବା ପାର୍ଢୀଙ୍କ ଉପରେ କରାଯାଇଥିବା ଏକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ – ‘‘ବହୁ ପୋଲିସ ଅଫିସର ଆମକୁ କହିଛନ୍ତି ଯେ ସେମାନଙ୍କ ତାଲିମ ନିୟମାବଳିରେ ପାର୍ଢୀ ଏବଂ ଅନ୍ୟ କେତେକ ସମ୍ପ୍ରଦାୟକୁ ଅଭ୍ୟାସଗତ ଚୋର ଏବଂ ଖରାପ ଚରିତ୍ରର ବୋଲି ଚିତ୍ରିତ କରାଯାଇ ଆସିଛି ।’’
ପାର୍ଢୀମାନେ ସାଧାରଣତଃ ଗୈରାନ୍ ବୋଲି କୁହାଯାଉଥିବା ଗାଁର ଚାରଣ ଭୂଇଁରେ ରହନ୍ତି । ସେମାନଙ୍କ ମଧ୍ୟରୁ କେତେକ ସରକାରଙ୍କଠାରୁ ଜମି ପଟ୍ଟା ପାଇ ସାରିଛନ୍ତି, କିନ୍ତୁ ଅଧିକାଂଶ ପାଇନାହାନ୍ତି । କ୍ରିଷ୍ଣା କହନ୍ତି, ‘‘ଆମେ ମୁଖ୍ୟତଃ ଶ୍ରମିକ ଭାବେ କାମ କରୁ । ଏବଂ (କୋଭିଡ୍) ଲକ୍ଡାଉନ୍ ପରେ ଆମେ ସଂଘର୍ଷ କରୁଛୁ । ଆଉ ତା’ ଉପରେ ଏମିତି ନିର୍ଯାତନା ସହିବା ଆମ ପକ୍ଷରେ କଷ୍ଟକର ହେଉଛି ।’’
୨୦୨୦ ମାର୍ଚ୍ଚ ମାସରେ ହଠାତ୍ କୋଭିଡ୍-୧୯ ଲକ୍ଡାଉନ୍ ପରେ, ପାର୍ଢୀମାନେ ଅସହ୍ୟ କଷ୍ଟର ସାମ୍ନା କରିଛନ୍ତି । ପଛୁଆ ସମ୍ପ୍ରଦାୟଗୁ଼ଡି଼କ ସହ କରାଯାଉଥିବା ଭେଦଭାବ ମାମଲା ଉପରେ ଗୁରୁତ୍ୱାରୋପ କରୁଥିବା ସିନ୍ଦେ କହନ୍ତି, ‘‘ସ୍ୱାଭାବିକ ସମୟରେ ବି, ଏମାନଙ୍କୁ କାମ ପାଇଁ କେହି ବିଶ୍ୱାସ କରନ୍ତି ନାହିଁ । କୋଭିଡ୍ ପରେ ଯେତେବେଳେ କାମ କମିଯାଇଛି ଏବଂ ଶ୍ରମିକଙ୍କ ସଂଖ୍ୟା ବଢ଼ିଯାଇଛି, ପାର୍ଢୀମାନେ ଅଧିକାଂଶ ସମୟରେ ଶେଷ ବିକଳ୍ପ ହିଁ ହେଉଛନ୍ତି । ସମାଜ ସେମାନଙ୍କୁ ଦିନବେଳା ମୁକ୍ତ ଭାବେ ଚଳପ୍ରଚଳ କରିବାକୁ ଦେଉନାହିଁ ଏବଂ ରାତିରେ ପୋଲିସ ଏମିତି କରିବାକୁ ଦେଉନାହିଁ ।’’
ପାର୍ଢୀମାନେ ଦିନ ମଜୁରିଆ କାମ ଖୋଜନ୍ତି ଏବଂ ଋତୁ ଅନୁସାରେ ଆଖୁ କାଟିବାକୁ ବା ଇଟା ଭାଟିରେ କାମ କରିବାକୁ ବିସ୍ଥାପିତ ହୋଇଥାନ୍ତି । କେତେକ ସ୍ଥାୟୀ ଭାବେ ମୁମ୍ବାଇ ଓ ପୁନେ ଭଳି ବଡ଼ ସହରକୁ ପଳାନ୍ତି । TISS ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆସବାବପତ୍ର ଏବଂ ବୃତ୍ତିଗତ ସ୍ଥାୟୀତ୍ୱ ନ ଥିବାଯୋଗୁଁ ଏବଂ ‘‘ଆଞ୍ଚଳିକ ପଛୁଆପଣ ଏବଂ ପୋଲିସ ଓ ଗ୍ରାମବାସୀଙ୍କ ଦ୍ୱାରା ନିୟମିତ ନିର୍ଯାତନାର ଶିକାର ହେବା ଦ୍ୱାରା ଦାରିଦ୍ର୍ୟର କଷଣ ସହୁଥିବା ପାର୍ଢୀ ପରିବାରମାନେ ମୁଲୁକ(ପୈତୃକ ଗାଁ)ରେ ଥିବା ସେମାନଙ୍କର ଘରୋଇ ସମ୍ପ୍ରଦାୟ ଛାଡ଼ି ସହରକୁ ଯିବାକୁ ବାଧ୍ୟ ହୁଅନ୍ତି।’’
୨୦୨୦ ନଭେମ୍ବର ମାସରେ, ଯେତେବେଳେ ଲକ୍ଡାଉନ୍ ପରେ ବିଡ୍ର ଇଟା ଭାଟିଗୁଡ଼ିକ ପୁଣି ଖୋଲିଲା, ପର୍ଲୀ ତାଲୁକା ଅନ୍ତର୍ଗତ ଛୋଟ ସହର ସିରସାଲାର ବାସିନ୍ଦା ବିଠଲ ପୱାର କାମ ପାଇଲେ । ସେ କହିଲେ, ‘‘ଆମକୁ ଛାଡ଼ି ଇଟା ଭାଟିରେ କାମ କରୁଥିବା ସବୁ ଶ୍ରମିକ ଅଗ୍ରୀମ ପାଇଲେ । ଆମେ ପାର୍ଢୀ ହୋଇଥିବାରୁ ଦିନ ହିସାବରେ (୩୦୦ ଟଙ୍କା) ପାଇଲୁ । ଦୀର୍ଘ ବର୍ଷ ହେଲା ଆମେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଉଦ୍ୟମ କରିଆସୁଥିଲେ ବି ଆମକୁ ଅପରାଧୀ ଭାବେ ବିବେଚନା କରାଯାଉଛି ।’’
କୌଣସି ନିଜସ୍ୱ ଚାଷ ଜମି ନ ଥିବା ୪୫ ବର୍ଷୀୟ ବିଠଲ, କାମ ପାଇଁ କୃଷକ ଓ ଇଟା ଭାଟି ଠିକାଦାରଙ୍କ ଉପରେ ନିର୍ଭର କରନ୍ତି । ସେ କହନ୍ତି, ‘‘କିନ୍ତୁ ଆମକୁ ସର୍ବଦା ସନ୍ଦେହ ଦୃଷ୍ଟିରେ ଦେଖାଯାଏ । ଦୀର୍ଘ ବର୍ଷ ଧରି ଆମେ ଗାଁରେ ଲୋକମାନଙ୍କଠାରୁ ଗ୍ରହଣୀୟତା ପାଇଁ ଉଦ୍ୟମ କରିଆସୁଛୁ ।’’
୨୦୨୦ରେ କୋଭିଡ୍ ଲକ୍ଡାଉନ୍ ସମୟରେ, ପାଞ୍ଚ ସଦସ୍ୟ ବିଶିଷ୍ଟ ବିଠଲଙ୍କ ପରିବାର ସରକାରଙ୍କ ପକ୍ଷରୁ ମିଳୁଥିବା ମାଗଣା ରାସନରେ ଚଳିଯାଉଥିଲେ । କିନ୍ତୁ ତା’ ପରଠାରୁ ବଞ୍ଚିବା କଷ୍ଟକର ହୋଇପଡ଼ିଛି କାରଣ କାମ ଆଉ ସେଭଳି ମିଳୁନାହିଁ । ମହାମାରୀ ପୂର୍ବରୁ ବିଠଲ ସପ୍ତାହକୁ ୪-୫ ଦିନ କାମ ପାଉଥିଲେ, କିନ୍ତୁ ଏବେ ୨-୩ ଦିନ ହିଁ କାମ ମିଳୁଛି । ତାଙ୍କର ସାପ୍ତାହିକ ଆୟ ୧୨୦୦ରୁ ୬୦୦କୁ ଖସିଆସିଛି ।
ଚଳିତ ବର୍ଷ ଜୁନ୍ ମାସରେ ଦିଆଯାଇଥିବା ଉଚ୍ଛେଦ ନୋଟିସ୍ ତାଙ୍କ ସମସ୍ୟା ଆହୁରି ବଢ଼ାଇ ଦେଇଛି । ବିଡ୍-ପାର୍ଲୀ ରାଜପଥ କଡ଼ରେ ଥିବା ଏକ ଜମିରେ ରହୁଥିବା ବିଠଲଙ୍କ ପରିବାରକୁ ମିଶାଇ ୧୦ଟି ପରିବାରକୁ କୁହାଯାଇଛି ଯେ ମହାରାଷ୍ଟ୍ର ଔଦ୍ୟୋଗିକ ବିକାଶ ପରିଷଦ ପ୍ରକଳ୍ପ ପାଇଁ ସେମାନଙ୍କର ଜମି ଚିହ୍ନଟ କରାଯାଇଛି ।
ବିଠଲ କହନ୍ତି, ‘‘ଆମେ କୁଆଡ଼େ ଯିବୁ । ଆମେ ଯେତେବେଳେ ଅଧିକାରୀଙ୍କୁ ପଚାରିଲୁ, ସେମାନେ କହିଲେ, ଯୁଆଡ଼େ ଚାହୁଁଛ ଯାଅ ।’’
ତାଙ୍କର ୬୦ ବର୍ଷୀୟା ମାଉସୀ ଗୁଲାମ ବାଇ, ସିରସାଲାରେ ନିଜ ପରିବାର ସହ ୪୦ ବର୍ଷ ହେଲା ରହୁଛନ୍ତି । କିନ୍ତୁ ଏବେ ବି ଗାଁ ଲୋକେ ସେମାନଙ୍କୁ ସନ୍ଦେହ ଆଖିରେ ଦେଖୁଛନ୍ତି । ସେ କହନ୍ତି, ‘‘ଏଭଳି ବିଶ୍ୱାସର ଅଭାବ ଥିଲେ, ଆମେ କିପରି ଗୋଟିଏ ନୂଆ ସ୍ଥାନରେ ଗ୍ରହଣୀୟ ହେବୁ ବା ସେଠାରେ ରହିବୁ(ଯଦି ଆମେ ଏଠାରୁ ଯାଉ)? ତାହା ପୁଣି ଏବେ କୋଭିଡ୍ ସମୟରେ ? ମୁଁ ଏଠାରେ ୪୦ ବର୍ଷ ଧରି ରହୁଛି । କିନ୍ତୁ ଏବେ ବି ମୁଁ ଜଣେ ‘ଜବରଦଖଲକାରୀ’। ଏ ବୟସରେ ମୁଁ କୁଆଡ଼େ ଯିବି ?’’
ବିଠଲ ଓ ଗୁଲାମଙ୍କର ରାସନ କାର୍ଡ ଓ ଭୋଟର କାର୍ଡ ଅଛି, ଏମିତିକି ସେମାନେ ବିଜୁଳି ବିଲ୍ ବି ଦେଉଛନ୍ତି, କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଚ୍ଛେଦ କରିବା ସହଜ, କାରଣ ସେମାନେ ରହୁଥିବା ଜମି ସେମାନଙ୍କ ନାମରେ ନାହିଁ ।
ସ୍ୱାଧୀନତା ପରେ ବିଭିନ୍ନ ଆଇନ ଏବଂ ଭୂସଂସ୍କାର ପଦକ୍ଷେପ ଅଣାଯାଇଥିଲେ ସୁଦ୍ଧା ପଛୁଆ ସମ୍ପ୍ରଦାୟଙ୍କୁ ଭୂମି ଆବଣ୍ଟନ କ୍ଷେତ୍ରରେ ସରକାର ନିରବ ରହିଛନ୍ତି । ୨୦୧୧ରେ ମହାରାଷ୍ଟ୍ର ସରକାର ଗୈରନ୍ ଜମିର ‘ଜବରଦଖଲ’କୁ ଆଇନସମ୍ମତ କରିବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ । ଡକ୍ଚର ବି ଆର୍ ଆମ୍ବେଦକର ଦଳିତମାନଙ୍କୁ ସରକାରୀ ଜମି ଅଧିକାର କରିବାକୁ ନିର୍ଦ୍ଦେଶ ଦେବା ପରେ, ୧୯୫୦ ପରଠାରୁ ଦଳିତ ଓ ଅନ୍ୟ ଅବହେଳିତ ସମ୍ପ୍ରଦାୟଗୁଡ଼ିକ ଦ୍ୱାରା ଜମି ଅଧିଗ୍ରହଣକୁ ‘ଜବରଦଖଲ’ ବୋଲି କୁହାଯାଉଛି । ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ଦଳିତମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜମି ମାଲିକାନା ନିହାତି ଜରୁରୀ ।
ଗୁଲାମ କହନ୍ତି, ‘‘ଆମେ ଯେତେବେଳେ ଏଠାକୁ ଆସିଲୁ ଏହି ଜମିରେ ଅନେକ ଅନାବନା ବୁଦା ଓ ଗଛ ଥିଲା । କିନ୍ତୁ ଆମେ ଏଠାରେ କାମ କଲୁ, ଏହାକୁ ହଳ କଲୁ, ଏହାକୁ ବାସପଯୋଗୀ ଏବଂ କୃଷି ଯୋଗ୍ୟ କଲୁ । ବର୍ତ୍ତମାନ ଆମକୁ ବିତାଡ଼ିତ କରାଯିବ ଏବଂ କାହାରି କିଛି ପରବାୟ ନାହିଁ ।’’
ଗୁଲାମ ଠିକ୍ କହୁଛନ୍ତି
ଶୋଭା ଚଭନଙ୍କ ପରିବାରର ଜୀବିତ ଥିବା ସଦସ୍ୟମାନେ ଭୟଭୀତ ଅନୁଭବ କରୁଥିବା ନେଇ ଏହି ଗାଁର କିଛି ପରବାୟ ନାହିଁ । ଅକ୍ଟୋବର ମାସରେ ସେମାନଙ୍କ ଘର ଉପରେ ଆକ୍ରମଣ ପରେ ପରିବାର ବିଭିନ୍ନ ସ୍ଥାନକୁ ପଳାଇଛନ୍ତି । ଶୋଭା ୧୫୦ କିଲୋମିଟର ଦୂରରେ ରହୁଥିବା ତାଙ୍କର ଆଉ ଜଣେ ଝିଅ ପାଖରେ ରହୁଛନ୍ତି । କେଦାର କେଉଁଠି ଅଛନ୍ତି ଜଣାନାହିଁ । ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଅଛି ଏବଂ ସେହି କାଳ ରାତି ପରଠାରୁ ତାଙ୍କୁ କେହି ଦେଖିନାହାନ୍ତି । ଆକ୍ରମଣ ପରେ ଅନୀତା ଗାଁରେ ରହୁଥିଲେ, କିନ୍ତୁ ସେ ଯେତେବେଳେ ଗାଁ ଲୋକଙ୍କର କ୍ରୋଧିତ ନଜରର ସାମ୍ନା କଲେ ସେ ମଧ୍ୟ ସେଠାରୁ ପଳାଇଲେ । ସମସ୍ତେ ମାମଲା ଲଢ଼ିବା ଚାହୁଁଛନ୍ତି । ସେମାନଙ୍କୁ ସେଥିପାଇଁ କ’ଣ ମୂଲ୍ୟ ଦେବାକୁ ପଡ଼ିବ ? ସମୟ ଏହାର ଉତ୍ତର ଦେବ ।
ଅକ୍ଟୋବରରେ ନିର୍ଯାତନାର ଶିକାର ହୋଇଥିବା ପରିବାରର ସଦସ୍ୟଙ୍କର ପରିଚୟ ଗୋପନ ରଖିବା ପାଇଁ ସେମାନଙ୍କ ନାମ ପରିବର୍ତ୍ତନ କରାଯାଇଛି ।
ଏହି କାହାଣୀ ସାମ୍ବାଦିକଙ୍କୁ ଏକ ମୁକ୍ତ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ପୁଲିତଜର ସେଣ୍ଟର ଦ୍ୱାରା ସମର୍ଥିତ ଏକ ଶୃଙ୍ଖଳାର ଅଂଶ |
ଅନୁବାଦ : ଓଡ଼ିଶାଲାଇଭ୍