ପ୍ରତି ବୁଧବାର ସକାଳ ୧୦ଟାରୁ, ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ଆମବେଡା ଗାଁର ସାପ୍ତାହିକ ହାଟରେ ଏକତ୍ରିତ ହୁଅନ୍ତି। ଆମବେଡାର ଜଣେ ଗଣ୍ଡ ଆଦିବାସୀ ସମାଜସେବୀ ସୁକୟ କଶ୍ୟପଙ୍କ କହିବା ଅନୁସାରେ ପ୍ରାୟ ୪୫ରୁ ୫୦ ଟି ଗାଁର ଲୋକେ ଏଠାକୁ ଆସନ୍ତି। ଏହି ଅନୁନ୍ନତ ଗାଁ ଗୁଡିକରେ କୌଣସି ତେଜରାତି ଦୋକାନ ନ ଥିବା କାରଣରୁ ସେମାନେ ସପ୍ତାହକ ପାଇଁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ପାଇଁ ଛତିଶଗଡ କାଙ୍କର ଜିଲ୍ଲାର ଅନ୍ତଗଡ ବ୍ଲକ(ଉତ୍ତର ବସ୍ତର)ରେ ଥିବା ଏହି ହାଟକୁ ଆସନ୍ତି।
ପ୍ରାୟ ୩୦ କିଲୋମିଟର ପରିଧି ଅଞ୍ଚଳରୁ, ପଖନଜୁର ତହସିଲରୁ ପନିପରିବା ଓ ମାଛ ବିକାଳି ଏବଂ କେଶକଲ ଓ ଧନୋରା ବ୍ଲକରୁ ବ୍ୟବସାୟୀମାନେ ଆମବେଡାକୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଆସନ୍ତି। ହାଟରେ ବିକ୍ରି ହେଉଥିବା ପନିପରିବା ଭିତରେ ଥାଏ ଆଳୁ, ପିଆଜ, ବିଲାତି, ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ କଞ୍ଚାଲଙ୍କା ଇତ୍ୟାଦି। ଆଦିବାସୀଙ୍କ ଭିତରୁ ଅନେକ ମକା, ଯଅ ଓ ଚାଉଳ ବିକ୍ରି କରିବାକୁ ଆଣନ୍ତି। କେତେକ ମହୁଲ ଫୁଲ, ପହଁରା, ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ବି ଆଣନ୍ତି। କେତେଜଣ ମସଲା, ତେଲ ଓ ସାବୁନ ବି ବିକ୍ରି କରନ୍ତି। କୁମ୍ଭାର ମାନେ ମାଟି ଜିନିଷ ଆଣନ୍ତି, କମାର ଶ୍ରମିକ ଓ କୃଷକଙ୍କ ପାଇଁ ଆବଶ୍ୟକୀୟ ବିଭିନ୍ନ ଉପକରଣ ବିକ୍ରି କରନ୍ତି। ବାହାରର ବ୍ୟବସାୟୀମାନେ ଆସିବା ଫଳରେ କିଛି ବର୍ଷ ହେଲା ହାଟର କଳେବର ବୃଦ୍ଧି ପାଇଛି। ସେମାନେ ଘଣ୍ଟା, ପ୍ଲାଷ୍ଟିକ୍ ବାଲଟି, ମଗ, ହେୟାର କ୍ଲିପ୍ ଓ ଅନ୍ୟାନ୍ୟ ଜିନିଷ ଆଣନ୍ତି। ସେମାନେ ମଧ୍ୟ ବ୍ୟାଟେରୀ ଦ୍ୱାରା ପରିଚାଳିତ ଟ୍ରାନଜିଷ୍ଟର ରେଡିଓ, ଚାର୍ଜର ଓ ବିଭିନ୍ନ ଆକାରର ଟର୍ଚ୍ଚ ବିକ୍ରି କରିବାକୁ ଆଣନ୍ତି, ଯାହାକି ଅନ୍ଧାରିଆ ଜଙ୍ଗଲ ରାସ୍ତାରେ ସଂଧ୍ୟା ବା ରାତିରେ ଲୋକଙ୍କ ଯାତାୟାତ ପାଇଁ ଅତ୍ୟାବଶ୍ୟକୀୟ।
ଯଦିଓ ନିକଟବର୍ତ୍ତୀ ଗାଁ ଗୁଡିକରେ ବି ଏହିପରି ସାପ୍ତାହିକ ବଜାର ଅଛି, କିନ୍ତୁ ଆମବେଡା ହାଟ ସେ ସବୁ ମଧ୍ୟରୁ ପୁରୁଣା। ମୁଁ ଭେଟିଥିବା ଅଧିକାଂଶ ବୃଦ୍ଧ ବୃଦ୍ଧାଙ୍କ କହିବା ଅନୁସାରେ ସେମାନେ ପିଲା ଦିନରୁ ହିଁ ଏହି ହାଟକୁ ଆସୁଛନ୍ତି। କିନ୍ତୁ ପୂର୍ବରୁ ହାଟରେ ଅଦଳ ବଦଳ ବ୍ୟବସ୍ଥା ଚାଲୁଥିଲା। ଉଦାହରଣ ହେଲା, ଲୁଣ ପାଇଁ ଧାନ। ଏବେ ଦିନ ମଜୁରୀ ବା ଅନ୍ୟ କାମରୁ ଲୋକେ ଆୟ କରୁଥିବା ଟଙ୍କା ହିଁ କିଣାବିକାର ମାଧ୍ୟମ ହୋଇଛି।
୫୩ ବର୍ଷୀୟ କେଶବ ସୋରି କହନ୍ତି, “ମୁଁ ଯେତେବେଳେ ପିଲା ଥିଲି(ପ୍ରାୟ ୮ ବର୍ଷ ବୟସର) ମୁଁ ମୋ ମାମୁଁଙ୍କ ସହ ପ୍ରାୟ ହାଟକୁ ଆସୁଥିଲି।” ସୋରି କାଙ୍କର ସ୍ଥିତ ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଛନ୍ତି। ସେ କହନ୍ତି ମୋ ମାମୁଁ ଅଞ୍ଜୁରାମ ସୋରୀ ହାଟକରା ଗାଁର ଜଣେ ବାଉଁଶ ପାଛିଆ ବୁଣାଳି ଥିଲେ, ଏବଂ ସେ ଗୋଟିଏ ସାଇକେଲରେ ସେ ହାଟକୁ ଆସୁଥିଲେ। ପୂର୍ବ ଦିନ ସଂଧ୍ୟାରୁ ଆମେ ଯାତ୍ରା ଆରମ୍ଭ କରୁଥିଲୁ, ରାସ୍ତାରେ ରାତିରେ ରହୁଥିଲୁ, ପରଦିନ ଭୋରରୁ ପୁଣି ଯାତ୍ରା ଆରମ୍ଭ କରୁଥିଲୁ। ସେତେବେଳେ ଅଧିକାଂଶ କିଣାବିକା ଦ୍ରବ୍ୟ ଅଦଳ ବଦଳ ମାଧ୍ୟମରେ ହେଉଥିଲା। ଖୁବ୍ କମ୍ ଲୋକ ଟଙ୍କା ବ୍ୟବହାର କରୁଥିଲେ। ମୋ ମାମୁଁ ମଧ୍ୟ ଚାଉଳ ଓ ଅନ୍ୟାନ୍ୟ ଜିନିଷପତ୍ର ପାଇଁ ତାଙ୍କ ବାଉଁଶ ପାଛିଆ ବିକ୍ରି କରୁଥିଲେ।
କାଙ୍କର ସହରଠାରୁ ୩୫ କିଲୋମିଟର ଦୂରରେ ରହିଛି ଆମବେଡା ହାଟ। ଏହା ଏକ ଜଙ୍ଗଲିଆ ଅଞ୍ଚଳ,ଯେଉଁଠାକୁ ରାସ୍ତା ଓ ଗମନାଗମନ ସୁବିଧା ଅତ୍ୟନ୍ତ ଦୁର୍ବଳ, କୌଣସି ବସ୍ ଯାଏ ନାହିଁ, କେବଳ ବୋଲେରୋ ଟ୍ୟାକ୍ସି ବା ଟେମ୍ପୋ ଚଳାଚଳ କରନ୍ତି। ଏହି ଅଞ୍ଚଳ ନକ୍ସଲ ହିଂସା ଦ୍ୱାରା ପ୍ରଭାବିତ। ପୋଲିସ୍ ନିୟମିତ ଭାବେ ଯାନବାହନ ଯାଂଚ କରନ୍ତି। ସେମାନେ ଆମର ଗାଡିକୁ ବି ଯାଂଚ କରିଥିଲେ, ଆମେ କେଉଁଠାରୁ ଆସିଛୁ, କାହିଁକି ହାଟକୁ ଯାଉଛୁ ସେ ବାବଦରେ ବି ଆମକୁ ପଚାରିଥିଲେ।
ଅପରାହ୍ନ ବେଳକୁ ଆମେ ଆମବେଡାରେ ପହଞ୍ଚି ଯାଇଥିଲୁ, ଯେତେବେଳେ ବିଣାବିକା ଜୋରସୋରରେ ଚାଲିଥିଲା। ଅପରାହ୍ନ ୧ଟାରୁ ୩ଟା ପରେ ଏମିତି ଜୋରସୋରରେ କିଣାବିକା ପରେ ଲୋକେ ହାଟରୁ ନିଜ ନିଜ ଗାଁ ଅଭିମୁଖେ ଫେରିବାକୁ ଆରମ୍ଭ କରନ୍ତି। ଏବଂ ଆମେ ଗୋଟିଏ ଗଞ୍ଜା ଲଢେଇ ଦେଖିବାକୁ ଠିକ୍ ସମୟରେ ପହଞ୍ଚି ଯାଇଥିଲୁ। ଗଞ୍ଜା ଲଢେଇ ଏକ ଲୋକପ୍ରିୟ ଖେଳ ଏବେ ଏହା ଭାରତର ଅଧିକାଂଶ ସ୍ଥାନରେ ଆଦିବାସୀ ହାଟ ଗୁଡିକରେ ଦେଖିବାକୁ ମିଳେ। ମୁଁ ଛତିଶଗଡ, ଓଡିଶା, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡରେ ଏହା ଦେଖିଛି। ଗାଁ ଲୋକଙ୍କ ପାଇଁ ଗୋଟିଏ ଲଢୁଆ ଗଞ୍ଜାର ମାଲିକ ହେବା ଏବଂ ଲଢେଇରେ ଜିତିବା ଗର୍ବର କଥା।
ଗୋଟିଏ ବଡ ଲଢେଇ ପାଇଁ ଆମବେଡାରେ ପ୍ରାୟ ୨୦୦ ପୁରୁଷ (ମହିଳା ନଥାନ୍ତି) ଏକତ୍ରିତ ହୋଇଥାଆନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ନିଜର ଗଞ୍ଜା ନେଇ ଆସିଥାନ୍ତି, ଅନ୍ୟମାନେ ଦର୍ଶକ, ଯେଉଁମାନେ ନିଜ ନିଜ ଭିତରେ ଲଢେଇ କରୁଥିବା ଗଞ୍ଜା ସବୁ ପାଇଁ ବାଜି ମାରନ୍ତି। ୧୦୦ ଟଙ୍କାରୁ ଆରମ୍ଭ କରି ଏମିତିକି ୫,୦୦୦ ଟଙ୍କା (ସେମାନେ ମୋତେ କହିଲେ) ଯାଏଁ ବାଜି ଲଗାଯାଏ। ୫ରୁ ୧୦ ମିନିଟ ସମୟର ପ୍ରାୟ ୨୦ରୁ ୨୫ ଥର ଲଢେଇ ହୁଏ, ଯେତେବେଳ ଯାଏଁ ଗୋଟିଏ ପ୍ରତିଯୋଗୀ ଗୁରୁତର ଭାବେ ଆହତ ବା ମୃତ ନ ହୋଇଛି। ବିଜେତା ମାଲିକ ମୃତ କୁକୁଡାକୁ ହାସଲ କରେ, ଏବଂ ପରେ ନିଜ ଘରେ ଭୋଜି କରେ। ଲଢେଇ ଚାଲିଥିବାବେଳେ ଗୋଟିଏ କୁସ୍ତି ଆଖଡା ଭଳି ଏଠାରେ ବି ଲୋକେମାନେ ପାଟି କରି ଉତ୍ସାହିତ କରନ୍ତି।

ପଖନଜୁର ଗାଁରୁ ଆମବେଡା ହାଟକୁ ଜଣେ ପରିବା ବିକାଳି ବହୁ ପରିମାଣର ତାଜା ବନ୍ଧାକୋବି ନେଇ ଆସିଛି ଏବଂ ଗ୍ରାହକଙ୍କୁ ଅପେକ୍ଷା କରିଛି

ଜଣେ ବ୍ୟବସାୟୀ କୁଟକୀ(ଯଅ) ଭଳି ଶସ୍ୟ କିଣିବାକୁ ଆସିଛି, ଯାହାକୁ ସେ କାଙ୍କର ସହରରେ ବଡ ବ୍ୟବସାୟୀଙ୍କୁ ବିକ୍ରି କରିବ। ଦେଶର ଅଧିକାଂଶ ସ୍ଥାନରେ କୁଟକୀ ଆଉ ଉତ୍ପାଦିତ ହେଉନାହିଁ, କାରଣ ହେଲା ଲୋକଙ୍କର ବଦଳୁଥିବା ଖାଦ୍ୟାଭ୍ୟାସ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲୋକଙ୍କୁ ଚାଉଳ ମିଳିବା

ମହିଳାମାନେ ମହୁଲ ଫୁଲ, ଲାଖ ଆଦି ଜଙ୍ଗଲଜାତ ଜିନିଷ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି। ସେମାନଙ୍କ ପାଇଁ ଏବଂ ଏଠାକୁ ଆସୁଥିବା ଅନ୍ୟ ଆଦିବାସୀଙ୍କ ପାଇଁ ମଧ୍ୟ ହାଟ ହେଉଛି ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ଓ ବିବାହ, ପର୍ବପର୍ବାଣି, ଜନ୍ମ, ମୃତ୍ୟୁ ଆଦି ଖବର ଦେବାର ଏକ ସ୍ଥାନ

ବାଗଝର ଗାଁରୁ ଆସିଥିବା ମାସୁରାମ ପାଡ୍ଡା (ପଛରେ) ଓ ରାମସାଇ କୁରେଟି ସାଇକେଲରେ ଲଦି ସେମାନଙ୍କ ସିଲେଇମେସିନ୍ ଆଣିଛନ୍ତି। ସେମାନେ ହାଟରେ ଚିରା ଲୁଗାପଟା ସିଲେଇ କରିବେ ଏବଂ ଦିନକୁ ପତ୍ୟେକ ପ୍ରାୟ ୨୦୦ରୁ ୩୦୦ ଟଙ୍କା ରୋଜଗାର କରିବେ

ସୁକଲାପାଲ ଗାଁରୁ ଆସିଥିବା ମିବାଇ ଏହି ହାଟକୁ ସେ ପିଲାଦିନୁ ଆସୁଛନ୍ତି। ଆଜି ସେ ବିମ୍ ବିକ୍ରି କରୁଛନ୍ତି ଏବଂ କିଛି ଜିନିଷ କିଣି ମଧ୍ୟ ଘରକୁ ନେବେ

ଜଙ୍ଗଲିବାଇ(ସେ ନିଜର ସମ୍ପୂର୍ଣ୍ଣ ନାଁ କହିଲେ ନାହିଁ) ନିଜର ଛୋଟ ନାତିକୁ ଧରି ପ୍ରଥମ ଥର ପାଇଁ ହାଟକୁ ଆସିଛନ୍ତି। ସେମାନେ ପ୍ରାୟ ୪ କିଲୋମିଟର ଦୂର ଅନ୍ତଗଡ ବ୍ଲକ ସୁକଲାପାଲ ଗାଁରୁ ଆସିଛନ୍ତି

ହାଟରେ ବନ୍ଧୁ ବା ସମ୍ପର୍କୀୟଙ୍କୁ ଭେଟିଲେ ଲୋକେ ସେମାନଙ୍କୁ ଜଙ୍ଗଲରେ ମହୁଲ ଫୁଲରୁ ସଂଗୃହୀତ ମଦ ଦଅନ୍ତି

ନିକଟସ୍ଥ କୋଚୁର ଗାଁର ଇଟାରୁ, ଯିଏ ଜଣେ କୃଷକ ଓ କୃଷି ଶ୍ରମିକ, ଏଠାକୁ ମଦ ତିଆରି ପାଇଁ ମହୁଲ ଫୁଲ ଓ ଅଙ୍ଗୁର କିଣିବାକୁ ଆସିଛନ୍ତି

ଦୁଇ ଜଣ ଗଣ୍ଡ ଆଦିବାସୀ ମହିଳା ସେମାନଙ୍କ ପାତ୍ର ସହ ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି

ଆଜିକାଲି ଦେଶୀ କୁକୁଡା ଅପେକ୍ଷା ଶସ୍ତା ହୋଇଥିବାରୁ ହାଟରେ ବ୍ରଏଲର କୁକୁଡା ଅଧିକ ଲୋକପ୍ରିୟ

ଅନ୍ତଗଡ ଗାଁରୁ ଆସିଥିବା ବ୍ରିଜଲାଲ୍, ଯିଏ ଜଣେ କମାର, କୁକୁଡା ଲଢେଇ ସମୟରେ କୁକୁଡାଙ୍କ ଗୋଡରେ ବନ୍ଧା ଯାଉଥିବା ବ୍ଲେଡ୍ ବିକ୍ରି କରୁଛନ୍ତି। ସେ ଏହାର ମୂଲ୍ୟ ୧୦୦ ଟଙ୍କା ରଖିଛନ୍ତି। “କାରଣ ସେ କହନ୍ତି, ଏହାକୁ ଧାରୁଆ କରିବାକୁ ଖୁବ୍ କଠିନ ପରିଶ୍ରମ ହୁଏ”

ଗୋଟିଏ ବଡ ଲଢେଇ ପାଇଁ ଗଞ୍ଜାକୁ ପ୍ରସ୍ତୁତ କରିବା ପାଇଁ ତାର ଗୋଡରେ ବ୍ଲେଡ୍ ଲଗାଇ ଦିଆଯାଏ

ଆମବେଡା ଗାଁରୁ ଆସିଥିବା ରାମଚାନ୍ଦ ସାମରଥ(ବାମରେ ଧଳା ପୋଷାକ ପିନ୍ଧିଥିବା) ଏବଂ ମଙ୍କଟ ଗାଁରୁ ଆସିଥିବା ବାଇଜୁ ଲଢେଇ ପାଇଁ ସେମାନଙ୍କ ଗଞ୍ଜା ପ୍ରସ୍ତୁତ ହୋଇଯିବାକୁ ଅପେକ୍ଷା କରିଛନ୍ତି

ଆକର୍ଷଣୀୟ ଗଞ୍ଜା ଲଢେଇ ଦେଖିବାକୁ ପ୍ରାୟ ୨୦୦ରୁ ଅଧିକ ଲୋକ ଏକାଠି ହୋଇଛନ୍ତି। ଦିନ ଶେଷରେ କେତେକ ଲୋକ ଚାଲି ଚାଲି ନିଜ ନିଜ ଘରକୁ ଫେରୁଛନ୍ତି, ଆଉ କେତେକ ଟ୍ରକ ପଛରେ ଛିଡା ହୋଇ ଫେରୁଛନ୍ତି
ଅନୁବାଦ: ଓଡ଼ିଶାଲାଇଭ୍