କୁଣ୍ଡଲି ଶିଳ୍ପାଞ୍ଚଳରେ ଥିବା ଗୋଟିଏ ଘରକରଣା ସାମଗ୍ରୀ କାରଖାନାରେ ସିକ୍ୟୁରିଟି ସୁପର ଭାଇଜର ଥିବା ୨୨ ବର୍ଷୀୟ ନିଜାମୁଦ୍ଦିନ୍ ଅଲୀ କହନ୍ତି, ‘‘ତେବେ ନିଶ୍ଚିତ ଭାବେ କମ୍ପାନୀରେ କାମ କରୁଥିବା ଲୋକେ ଏଠାରେ ଚାଲୁଥିବା ଆନ୍ଦୋଳନ ଦ୍ୱାରା ବିରକ୍ତ ହେଉଛନ୍ତି । ଏହା ପରିବହନକୁ ଗୁରୁତର ଭାବେ ପ୍ରଭାବିତ କରିଛି ଏବଂ ବ୍ୟବସାୟ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଚାଲୁଛି।’’ ହରିୟାଣା-ଦିଲ୍ଲୀ ସୀମାରେ ସିଂଘୁସ୍ଥିତ ଚାଷୀଙ୍କ ବିକ୍ଷୋଭ ସ୍ଥଳଠାରୁ ପ୍ରାୟ ୬ କିଲୋମିଟର ଦୂରରେ ସେ ରହନ୍ତି। (କୁଣ୍ଡଲି ଏକ ପୁରୁଣା ଗାଁ, ଏବେ ହରିୟାଣା ସୋନିପତ ଜିଲ୍ଲାର ନଗରପାଳିକା ଅନ୍ତର୍ଭୁକ୍ତ)।
ଏହି ବ୍ୟାଘାତ ଯୋଗୁଁ, ନିଜାମୁଦ୍ଦିନଙ୍କୁ ତାଙ୍କ କମ୍ପାନୀଠାରୁ ୨ ମାସରୁ ଅଧିକ ସମୟ ହେଲା ଦରମା ମିଳିନାହିଁ, କିନ୍ତୁ ସେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅଛନ୍ତି । ସେ କହନ୍ତି, ‘‘ଏବେ ମୋ କାରଖାନା ଯେଉଁ ସମସ୍ୟାର ସାମ୍ନା କରୁଛି ମୁଁ ତାକୁ ବୁଝୁଛି, ଏହା ମୋ ଦରମାକୁ ପ୍ରଭାବିତ କରିଛି । ତଥାପି ମୁଁ ଚାଷୀଙ୍କୁ ସମର୍ଥନ କରୁଛି ।’’ କିନ୍ତୁ ତାଙ୍କର ନିଷ୍ଠା ସମାନ ଭାବରେ ଭାଗ ହୋଇନାହିଁ । ‘‘ମୁଁ ଯଦି ମୋ କାରଖାନାକୁ ୨୦ ପ୍ରତିଶତ ସମର୍ଥନ କରୁଛି, ଚାଷୀଙ୍କ ପ୍ରତି ଏହା ୮୦ ପ୍ରତିଶତ ।’’
ବିହାର ସିୱାନ୍ ଜିଲ୍ଲା ସ୍ଥିତ ନିଜ ଗାଁରୁ କିଛି ବର୍ଷ ପୂର୍ବରୁ ନିଜାମୁଦ୍ଦିନ୍ କୁଣ୍ଡଲି ଆସିଥିଲେ । ଗାଁରେ ଥିବା ୬.୫ ବିଘା ଜମି (ବିହାରରେ ପ୍ରାୟ ୪ ଏକର)ରେ ତାଙ୍କ ପରିବାର ଗହମ, ଧାନ, ହରଡ଼ ଡାଲି, ଶୋରିଷ, ମୁଗ ଡାଲି ଓ ତମ୍ବାଖୁ ଚାଷ କରନ୍ତି । ସେ କହନ୍ତି, ‘‘ଚାଷୀମାନେ ହିଁ ନିଜ ଗୁଜରାଣ ମେଣ୍ଟାଇବାକୁ ଏହି ଶସ୍ୟଗୁଡ଼ିକୁ ଉତ୍ପାଦନ କରନ୍ତି, ସରକାର ନୁହେଁ ବା ଅମ୍ବାନି କି ଅଦାନି ନୁହନ୍ତି। ମୁଁ ସାରା ଦେଶର ଚାଷୀଙ୍କର କଷ୍ଟ ଅନୁଭବ କରିପାରୁଛି । ଯଦି ଏହି ନୂଆ ଆଇନଗୁଡ଼ିକ ଲାଗୁ କରାଯାଏ, ତେବେ ଆମେ ଆଉ ରାସନ ପାଇପାରିବୁ ନାହିଁ । ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବ । ’’
‘‘ବିହାରରେ ଆମକୁ କୁହାଯାଇଥିଲା (କିଛି ବର୍ଷ ପୂର୍ବରୁ) ଯେ ଗହମ ମୂଲ୍ୟ କିଲୋ ପିଛା ୨୫ ଟଙ୍କା ହୋଇଯିବ। ବିହାରର ପ୍ରତ୍ୟେକ କୃଷକ ପରିବାର ସେମାନଙ୍କ ଆକାଉଣ୍ଟରେ (ପିଏମ୍ କିଷାନ ଯୋଜନାରେ) ୨,୦୦୦ ଟଙ୍କା ପାଇଲେ । କିନ୍ତୁ ପରେ କିଲୋ ପିଛା ସେହି ୨୫ ଟଙ୍କା ମୂଲ୍ୟ କିଲୋ ପିଛା ୭ ଟଙ୍କାକୁ ଖସିଆସିଲା । ଆମେ ଆଗକୁ ବଢ଼ିବାକୁ ଚାହୁଁ, କିନ୍ତୁ ସ୍ପଷ୍ଟ ଭାବେ ସରକାର ଆମକୁ ପଛକୁ ଠେଲି ଦେଉଛି ।’’


ବାମ: ସିଂଘୁ ଆନ୍ଦୋଳନସ୍ଥଳ ନିକଟରେ ଥିବା ଏକ କାରଖାନାରେ ସିକ୍ୟୁରିଟି ସୁପର ଭାଇଜର ଥିବା ନିଜାମୁଦ୍ଦିନ୍ ଅଲୀ ୨ ମାସ ହେଲା ନିଜ ଦରମା ପାଇନାହାନ୍ତି, ତଥାପି ସେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରୁଛନ୍ତି ।
ଡାହାଣ: ମହାଦେବ ତାରକ, ଯାହାଙ୍କର ଚା’ ଓ ସିଗାରେଟ ବିକ୍ରି କରୁଥିବା ଦୋକାନର ଆୟ ଅଧା ହୋଇସାରିଛି, କହନ୍ତି ‘ଚାଷୀମାନେ ଏଠାରେ ରହିଲେ ଆମର କୌଣସି ସମସ୍ୟା ନାହିଁ । ’
ସିଂଘୁ ବର୍ଡରରେ ଆନ୍ଦୋଳନରତ ଗୋଷ୍ଠୀର ଅଂଶ ନ ଥିବା ନିଜାମୁଦ୍ଦିନ୍ ଅଲୀ ଓ ଅନ୍ୟମାନଙ୍କ ସହ କଥା ହେବା ଦ୍ୱାରା ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଲା । ଯାହା ଆନ୍ଦୋଳନକାରୀଙ୍କ ସହ କ୍ରୋଧିତ ସ୍ଥାନୀୟ ବାସିନ୍ଦାଙ୍କ ସଂଘର୍ଷ ବାବଦରେ କିଛି ଦିନ ହେଲା ଗଣମାଧ୍ୟମରେ ଛାଇ ରହୁଥିବା ଖବରଠାରୁ ଅଲଗା ଥିଲା ।
ବିକ୍ଷୋଭସ୍ଥଳ ନିକଟରେ, ସିଂଘୁ ସୀମାଠାରୁ ପ୍ରାୟ ୩.୬ କିଲୋମିଟର ଦୂର ନୂଆ କୁଣ୍ଡଲିଠାରେ ୪୫ ବର୍ଷୀୟ ମହାଦେବ ତାରକ ଗୋଟିଏ ସିଗାରେଟ୍ ଓ ଚା’ ଦୋକାନ ଚଳାନ୍ତି । ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ତାଙ୍କର ଦୈନିକ ଆୟ କମିଯାଇଛି । ସେ କହନ୍ତି, ‘‘ମୁଁ ଦିନକୁ ୫୦୦ରୁ ୬୦୦ ଟଙ୍କା ଆୟ କରୁଥିଲି, କିନ୍ତୁ ଆଜିକାଲି ତା’ର ଅଧା ରୋଜଗାର ହେଉଛି ।’’ ତାଙ୍କ ଅଞ୍ଚଳରେ, କିଛି ଦିନ ପୂର୍ବରୁ ‘ସ୍ଥାନୀୟ’ ଲୋକେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ସ୍ଲୋଗାନ୍ ଦେଉଥିଲେ ଏବଂ ସେମାନେ ସୀମା ଖାଲି କରାଯିବାକୁ ଦାବି କରୁଥିଲେ ।
ତଥାପି ମହାଦେବ ଚାଷୀଙ୍କୁ ସମର୍ଥନ କରୁଛନ୍ତି ।
ସେ କହନ୍ତି, ‘‘ମୁଁ ନିଶ୍ଚିତ ଯେ ‘ସ୍ଥାନୀୟ ଲୋକେ’ ଯେଉଁମାନେ କିଛି ଦିନ ପୂର୍ବରୁ ଏଠାକୁ ଆସିଥିଲେ ଆଉ ଚାଷୀଙ୍କ ସହ ସଂଘର୍ଷ କରିଥିଲେ ସେମାନେ ଏହି ଅଞ୍ଚଳର ନୁହନ୍ତି । ଚାଷୀମାନେ ଏଠାରେ ରହିଲେ ଆମର କୌଣସି ସମସ୍ୟା ନାହିଁ । ଏହି ଅଞ୍ଚଳରେ ଆପଣ ଦେଖୁଥିବା ସବୁ ଦୋକାନୀ ଚାଷୀଙ୍କୁ ସମର୍ଥନ କରନ୍ତି । ସେମାନଙ୍କର ଆନ୍ଦୋଳନ ମଧ୍ୟମ ବର୍ଗଙ୍କୁ ଲାଭ ଦେଇଛି । କିନ୍ତୁ କେତେଜଣ ଏହି ସରଳ କଥାକୁ ବୁଝିପାରୁନାହାନ୍ତି ।’’
ମହାଦେବଙ୍କ ଦୋକାନ ପାଖରେ ଆଉ ଗୋଟିଏ ଛୋଟ ଦୋକାନ ଚଳାଉଥିବା ଜଣେ ମହିଳା କୌଣସି ମନ୍ତବ୍ୟ ଦେବାକୁ ମନା କଲେ । ସେ କହିଲେ ‘ମୁଁ ଜଣେ ମୁସଲମାନ, ମୁଁ ଆପଣଙ୍କୁ ମୋ ନାଁ କହିବାକୁ ଚାହୁଁନାହିଁ ଏବଂ ଏଠାରେ ଚାଲୁଥିବା ଚାଷୀ ଆନ୍ଦୋଳନ ବାବଦରେ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁନାହିଁ । ସେ ନିଜ ମୁହଁ ଘୋଡ଼େଇ ହୋଇଥିଲେ ଏବଂ ଗୋଟିଏ ସ୍ମିତହାସ୍ୟ ଦେଇ ତାଙ୍କର କୃଷକ ଗ୍ରାହକମାନଙ୍କ ଆଡ଼କୁ ଥଣ୍ଡାପାନୀୟ, ଚିପ୍ସ ଓ ସିଗାରେଟ ବିକ୍ରି କରିବା ପାଇଁ ମୁହଁ ବୁଲାଇଲେ ।


ସିଂଘୁ ବିକ୍ଷୋଭସ୍ଥଳ ନିକଟରେ ଗୋଟିଏ ପେଟ୍ରୋଲ୍ ପମ୍ପ୍ ରେ କାମ କରୁଥିବା ରାମଦାରୀ ଶର୍ମା ଦୃଢ଼ ଯେ ଆନ୍ଦୋଳନରତ ଚାଷୀଙ୍କ ପ୍ରତି ତାଙ୍କର ସମର୍ଥନ ଦେଶର ଉନ୍ନତ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ । ଡାହାଣ : ଦୀପକଙ୍କର ମୋଜା ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି , କିନ୍ତୁ ସେ କହନ୍ତି , ‘ ମୁଁ ଭାବୁନାହିଁ ଯେ ମୁଁ ଚାଷୀଙ୍କୁ ସମର୍ଥନ କରିବି ନାହିଁ । ସେମାନଙ୍କର ସମସ୍ୟା ମୋ ସମସ୍ୟାଠାରୁ ବହୁ ବଡ଼ । ’
ସିଂଘୁ ସୀମା ଆରମ୍ଭ ହେଉଥିବା ସ୍ଥାନଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ପେଟ୍ରୋଲ୍ ପମ୍ପ୍ରେ ୪୬ ବର୍ଷୀୟ ରାମଦାରୀ ଶର୍ମା କାମ କରନ୍ତି । ପୂର୍ବରୁ ବ୍ୟବସାୟ ଦିନକୁ ୬-୭ ଲକ୍ଷ ଟଙ୍କା ହେଉଥିବା ବେଳେ ଏବେ ଏହା ଖସି ଦିନକୁ ୧ ଲକ୍ଷ ଟଙ୍କା ହୋଇଯାଇଛି । ବର୍ଡରଠାରୁ ୪ କିଲୋମିଟର ଦୂରରେ ଥିବା ହରିୟାଣା ସୋନିପତ ଜିଲ୍ଲାସ୍ଥିତ ଜାତିକଲାଣ ଗାଁରୁ ରାମଦାରୀ ପ୍ରତିଦିନ ତାଙ୍କ କର୍ମସ୍ଥଳକୁ ଆସନ୍ତି । ଗାଁରେ ତାଙ୍କ ପରିବାରର ୧୫ ଏକର ଜମି ଅଛି, ଯେଉଁଠାରେ ତାଙ୍କ ଭାଇ ଗହମ, ଧାନ ଓ ଯଅ ଚାଷ କରନ୍ତି ।
ସେ କହନ୍ତି, ‘‘ବଜାରରେ ସବୁ ଜିନିଷର ଗୋଟିଏ ଏମ୍ଆର୍ପି (ସର୍ବାଧିକ ପାଇକାରୀ ମୂଲ୍ୟ ଥାଏ)। କିନ୍ତୁ ଆମର ସେମିତି କିଛି ନ ଥାଏ । ଆମେ ଉତ୍ପାଦନ କରୁଥିବା ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବା ଆମର ଅଧିକାର। ଆମେ ଶସ୍ୟ ଉତ୍ପାଦନ କରୁ, ଏଣୁ ଆମକୁ ଏହି ଉତ୍ପାଦ ବିକ୍ରି କରିବାରୁ କିଏ କାହିଁକି ବିରତ କରିବ ? ଗୋଟିଏ ଲିଟର (ବୋତଲ) ପାନୀୟ ଜଳ ପ୍ରାୟ ୪୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ଛୋଟ ଜମିରେ ଚାଷ କରିବାକୁ ଆମେ ହଜାର ହଜାର ଲିଟର ପାଣି ଆବଶ୍ୟକ କରୁ। ଟଙ୍କା କେଉଁଠାରୁ ଆସିବ ? ବନ୍ୟା ହୁଏ । ବେଳେ ବେଳେ ଆମେ ମରୁଡ଼ିର ସାମ୍ନା କରୁ । ଫସଲ ଉଜୁଡ଼ିଯାଏ। ଆମେ ଭାବୁ ଉପରବାଲା (ଭଗବାନ) ଆମକୁ ରକ୍ଷା କରିବେ। ଏବଂ ସେ ଆମକୁ ରକ୍ଷା କରନ୍ତି, କିନ୍ତୁ ତା’ପରେ କିଏ ଜଣେ ମଝିରେ ଆସେ ଆଉ ସବୁକିଛି ଗଡ଼ବଡ଼ କରିଦିଏ ।’’
ନିଜ ପରିବାରକୁ ଚାଷ ପାଇଁ ସାମ୍ନା କରୁଥିବା କଷ୍ଟକୁ ଦେଖିଥିବାରୁ ରାମଦାରୀ ଦୃଢ଼ ନିଶ୍ଚିତ ଯେ ଆନ୍ଦୋଳନରତ ଚାଷୀଙ୍କ ପାଇଁ ତାଙ୍କର ସମର୍ଥନ କେବଳ ସାମୟିକ ନୁହେଁ ବରଂ ଏହା ଦେଶର ଉନ୍ନତ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ। ସେ କହନ୍ତି, ‘‘ଭାରତରେ ଭଗତ ସିଂ ଫାଶୀରେ ଝୁଲାଯାଇଥିଲେ। ସେତେବେଳେ ନିଜ ଦେଶବାସୀଙ୍କ ବାବଦରେ ଚିନ୍ତା କରିବା ଛଡ଼ା ସେ ମଧ୍ୟ ସ୍ୱାଧୀନ ଭାରତର ଭବିଷ୍ୟତ ବାବଦରେ ଭାବିଥିଲେ। ମୋ ଜୀବନ ବି ସରିଯିବ, କିନ୍ତୁ ମୁଁ ମୋର ଭବିଷ୍ୟତ ପିଢ଼ିର ଜୀବନ ଅଧିକ ସୁରକ୍ଷିତ କରିବାକୁ ଚାହେଁ । ଏଥିପାଇଁ ମୁଁ ଆନ୍ଦୋଳନକୁ ସମର୍ଥନ କରୁଛି।’’


ସିଂଘୁ ସୀମା ନିକଟରେ ରାସ୍ତା ଉପରେ ଆନ୍ଦୋଳନର ବ୍ୟାଜ୍ , ପତାକା ଏବଂ ଷ୍ଟିକର ବିକ୍ରି କରନ୍ତି , ସେ କହନ୍ତି , ଆମେ ଚାଷୀଙ୍କଠାରୁ ଆମର ଖାଦ୍ୟ ପାଉ , ସେମାନଙ୍କୁ ଅଣଦେଖା କରିବା ଅସମ୍ଭବ । ’
କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ୨୦୨୦ ଜୁନ୍ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା ।
ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।
ସିଂଘୁ ବର୍ଡରଠାରୁ ପ୍ରାୟ ୧.୫ କିଲୋମିଟର ଦୂରରେ ରାସ୍ତା ଉପରେ ଚାଷୀ ଆନ୍ଦୋଳନ ସମ୍ପର୍କିତ ବ୍ୟାଜ୍, ପତାକା ଓ ଷ୍ଟିକର ଆଦି ବିକ୍ରି କରୁଥିବା ୫୨ ବର୍ଷୀୟା ରୀତା ଆରୋରା କହନ୍ତି, ‘‘ଏମାନେ ଚାଷୀ, ଏହି ଲୋକମାନେ ଏଠାରେ ପ୍ରବଳ ଥଣ୍ଡାରେ ଦୀର୍ଘ ଦିନ ହେଲା ବସି ରହିଛନ୍ତି । ଯେତେବେଳେ ନିର୍ବାଚନ ପୂର୍ବରୁ ସରକାର ଭୋଟ ମାଗନ୍ତି, ସେମାନେ ବେଶ୍ ଭଲ ଭଲ କଥା ପାଇଁ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ସେମାନେ କ୍ଷମତାକୁ ଆସିଲା ପରେ ? ଦେଖନ୍ତୁ ସରକାର ଆଣିଥିବା ଏହି ୩ଟି ନୂଆ ଆଇନ ଲୋକଙ୍କୁ କେଉଁ ଧରଣର କଷ୍ଟ ଦେଉଛି । ଆମେ ଚାଷୀଙ୍କଠାରୁ ଆମର ଖାଦ୍ୟ ପାଆନ୍ତି । ସେମାନଙ୍କୁ ଅଣଦେଖା କରିବା ଅସମ୍ଭବ।’’
ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ରୀତାଙ୍କର ଗୋଟିଏ ଛୋଟ ଦୋକାନ ଥିଲା, ଯେଉଁଠାରେ ସେ ଥଣ୍ଡା ପାନୀୟ, ଚିପ୍ସ, ସିଗାରେଟ ଓ ଅନ୍ୟ ଜିନିଷ ସବୁ ବିକ୍ରି କରୁଥିଲେ। ମହାମାରୀ ସମୟରେ ତାଙ୍କର ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହେଲା ଏବଂ ତା’ ପରେ ଅତ୍ୟନ୍ତ ଦୟନୀୟ ଆର୍ଥିକ ଦୁଃସ୍ଥିତି ଭିତରେ, ସେ କିଛି ଆୟ କରିବାକୁ ସିଂଘୁ ସୀମାକୁ ଚାଲିଆସିଲେ । ସେ କହନ୍ତି, ‘‘ଆନ୍ଦୋଳନ ଆରମ୍ଭ ଦିନଗୁଡ଼ିକରେ ମୁଁ ଜୋତା ବିକ୍ରି କରୁଥିଲି, ଏବଂ ଆଇନ ବିଷୟରେ କିମ୍ବା କୃଷକମାନେ କାହିଁକି ବିରୋଧ କରୁଥିଲେ ତାହା ଜାଣିନଥିଲି। ତା’ ପରେ ମୁଁ ଲୋକଙ୍କ ସହ କଥା ହେଲି ଓ ଆଇନକୁ ବୁଝିଲି । ମୁଁ ଅନୁଭବ କଲି ଯେ ସରକାର ଯାହା କରୁଛନ୍ତି ତାହା ଭୁଲ ।’’


ଆନ୍ଦୋଳନସ୍ଥଳ ନିକଟରେ ନିଜ ସ୍ୱାମୀ ରାଜେନ୍ଦ୍ର ପ୍ରଜାପତିଙ୍କ ସହ ଗୋଟିଏ ଚା ’ ଦୋକାନ ଚଳାଉଥିବା ଖୁସମିଲା ଦେବୀ କହନ୍ତି , ‘ ଚାଷୀମାନେ ଆମକୁ ଖାଦ୍ୟ ଦିଅନ୍ତି । ସେମାନେ ଆମ ଅସ୍ତିତ୍ୱର ମୂଳ । ’
ସେ ଏବେ ସେତେବେଶୀ ଆୟ କରୁନାହାନ୍ତି, କିନ୍ତୁ ଏଠାରେ ରହି ସେ ଖୁସି । ସେ କହନ୍ତି,‘‘ଏବେ ଦିନକୁ ମୋର ଆୟ ମାତ୍ର ୨୦୦ରୁ ୨୫୦ ଟଙ୍କା । କିନ୍ତୁ ଏଥିପାଇଁ ମୁଁ ଅନୁତାପ କରୁନାହିଁ । ମୁଁ ଖୁସି ଯେ ମୁଁ ଏହି ଆନ୍ଦୋଳନର ଗୋଟିଏ ଅଂଶ । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ତୁରନ୍ତ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ ।’’
ସିଂଘୁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରାସ୍ତା ଉପରେ ଦୀପକ ମୌଜା ବିକ୍ରି କରନ୍ତି । ନିଜର ଉଠା ଦୋକାନ ସ୍ଥାପନ କରିବାକୁ ସେ ପ୍ରତିଦିନ ଅଟୋରିକ୍ସାରେ ସୀମା ନିକଟକୁ ଆସନ୍ତି । କୁଣ୍ଡଲି ନଗରପାଳିକା ଅଧୀନରେ ଥିବା ତାଙ୍କର ଛୋଟ ଜମିରେ ସେ ମଧ୍ୟ ବନ୍ଧାକୋବି ଚାଷ କରନ୍ତି । ୩୫ ବର୍ଷୀୟ ଦୀପକ କହନ୍ତି,‘‘ଏଠାରେ ଆନ୍ଦୋଳନ ଆରମ୍ଭ ହେବାକୁ ୨ ମାସରୁ ଅଧିକ ସମୟ ବିତିଗଲାଣି । ମୋର ଆୟ ବହୁତ କମିଯାଇଛି । ଆନ୍ଦୋଳନ ପୂର୍ବରୁ ମୁଁ ଦିନକୁ ୫୦୦ରୁ ୬୦୦ ଟଙ୍କା ଆୟ କରୁଥିଲି, କିନ୍ତୁ ଏବେ ମୁଁ ଦିନକୁ ଅତି ବେଶୀରେ ୨୦୦-୨୫୦ ଟଙ୍କା ଆୟ କରୁଛି । କିନ୍ତୁ ଭାବନ୍ତୁ ନାହିଁ ଯେ ମୁଁ ଚାଷୀଙ୍କୁ ସମର୍ଥନ କରୁନାହିଁ। ସେମାନଙ୍କର ସମସ୍ୟା ମୋ’ଠାରୁ ଢେର ବଡ଼ ।’’
ସିଂଘୁ ସୀମାଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ୪୦ ବର୍ଷୀୟା ଖୁସମିଲା ଦେବୀ ଓ ତାଙ୍କ ସ୍ୱାମୀ ୪୫ ବର୍ଷୀୟ ରାଜେନ୍ଦ୍ର ପ୍ରଜାପତି ଗୋଟିଏ ଚା’ ଦୋକାନ ଚଳାନ୍ତି । ସେମାନେ ନୂଆ ଦିଲ୍ଲୀର ନରେଲାରୁ ପ୍ରତିଦିନ ପ୍ରାୟ ୬ କିଲୋମିଟର ରାସ୍ତା ଅତିକ୍ରମ କରି ଆସନ୍ତି ଏବଂ ଆନ୍ଦୋଳନ ଜାରି ରହିବା ସହ ସେମାନଙ୍କର ଆୟ ଖୁବ୍ କମିଥିବା ଦେଖୁଛନ୍ତି । ଏହି ଦମ୍ପତି କହନ୍ତି,‘‘ଆମେ ମାସକୁ ୧୦,୦୦୦ ଟଙ୍କା ଆୟ କରୁଥିଲୁ, କିନ୍ତୁ ଏବେ ଏହା ମାସକୁ ୪,୦୦୦-୬,୦୦୦ ଟଙ୍କାକୁ ଖସିଆସିଛି । ଆହୁରି ମଧ୍ୟ ଦିଲ୍ଲୀରୁ ସିଂଘୁ ସୀମା ଯାଏଁ ରାସ୍ତା ଜାନୁଆରୀ ୨୬ଠାରୁ ବ୍ୟାରିକେଡ୍ ଦିଆଯାଇ ବନ୍ଦ କରିଦିଆଯାଇଛି, ଏହା ଆମ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ତଥାପି ଆମେ ଚାଷୀଙ୍କୁ ସମର୍ଥନ କରୁଛୁ ।’’
ଖୁସମିଲା କହନ୍ତି,‘‘ପ୍ରଥମେ ସେମାନେ(ସରକାର) ବିମୁଦ୍ରାୟନ ଆଣିଲେ, ତା’ ପରେ ସେମାନେ ଜିଏସ୍ଟି ଲାଗୁ କଲେ ଏବଂ ତା’ ପରେ ମହାମାରୀ ଆସିଲା ଓ ଲକ୍ଡାଉନ୍ ଲାଗୁ ହେଲା, ଆମେ ବହୁ ମାସ ଧରି କଷ୍ଟ ସହିଲୁ । ଏହାଛଡ଼ା ସବୁ ଜିନିଷର ମୂଲ୍ୟ କମୁଛି । କୃଷକମାନେ ଆମକୁ ଖାଦ୍ୟ ଦେଉଛନ୍ତି । ସେମାନେ ଆମ ଅସ୍ତିତ୍ୱର ମୂଳ । ଆମେ ଯଦି ସେମାନଙ୍କ ସମର୍ଥନ ନ କରିବୁ, ତେବେ କିଏ କରିବ ?’’
ଅନୁବାଦ - ଓଡ଼ିଶାଲାଇଭ୍