ପଞ୍ଜାବର ସାଙ୍ଗରୁର ଜିଲ୍ଲାରୁ ଏଠାକୁ ଆସିଥିବା ସୁଖଦେବ ସିଂହ କହିଲେ, ‘‘ଚଳିତବର୍ଷ, କୃଷକ ବିରୋଧୀ ଆଇନ ଥିବା ଦସ୍ତାବିଜର ଦହନ ଏଥର ଆମର ଲୋହରି ପର୍ବରେ ଅଗିରା ପାଲଟିଲା ।’’ ଜୀବନର ଷାଠିଏ ଦଶକର ମଧ୍ୟଭାଗରେ ସୁଖଦେବ ସିଂହ ଆଜୀବନ ଚାଷ କାମ କରି ଆସିଛନ୍ତି । ବର୍ତ୍ତମାନ ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଙ୍ଘୁରେ ଆନ୍ଦୋଳନରତ ହଜାର ହଜାର ଚାଷୀଙ୍କ ମଧ୍ୟରୁ ସେ ଜଣେ ।
ସେ ଆହୁରି କହିଲେ ‘‘ନିଶ୍ଚିତ ଭାବେ ଏଥରର ଲୋହରି ଭିନ୍ନ ।’’ ‘‘ସାଧାରଣତଃ, ଆମେ ଆମ ଘରେ ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହାକୁ ପାଳନ କରୁ-ଏବଂ ଏହା ଏକ ଆନନ୍ଦ ଉତ୍ସବର ସମୟ । ଏଥର ଆମେ ଆମ ଘର ଓ କୃଷିକ୍ଷେତରୁ ଦୂରରେ ଅଛୁ । ତଥାପି ଆମେ ଏକାଠି ଅଛୁ । ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆମେ ଫେରିବୁ ନାହିଁ, ଏମିତିକି ହୋଇପାରେ ଯେ ବର୍ତ୍ତମାନର ସରକାରର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଆମେ ଏଠାରେ ରହିବୁ ।’’
ଲୋକପ୍ରିୟ ଲୋହରି ପର୍ବ ମୂଳତଃ ପଞ୍ଜାବ ଓ ଉତ୍ତର ଭାରତର ଅନ୍ୟ ଭାଗରେ ପାଳନ କରାଯାଏ । ଏହା ମକର ସଂକ୍ରାନ୍ତି (ଦକ୍ଷିଣାୟନ ଶେଷ ହେଉଥିବାବେଳେ ଚନ୍ଦ୍ର ପଞ୍ଜିକାରେ ମାସର ଶେଷ ଦିନ) ପୂର୍ବ ରାତିରେ ପାଳନ କରାଯାଏ ଏବଂ ଏହା ବସନ୍ତ ଋତୁର ଆରମ୍ଭ ଓ ବଡ଼ ଦିନ ଆରମ୍ଭ ହେବାକୁ ଦର୍ଶାଏ । ଲୋକେ ଖୁସି, ସମୃଦ୍ଧି ଏବଂ ଭଲ ଫସଲ ପାଇବା ପାଇଁ ଅଗିରା ଜଳାନ୍ତି ଏବଂ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଗୁଡ଼, ବାଦାମ, ତିଳ ଓ ଅନ୍ୟ ପାରମ୍ପରିକ ଖାଦ୍ୟ ସାମଗ୍ରୀ ଅର୍ପଣ କରନ୍ତି ।
ଚଳିତ ବର୍ଷ ସିଙ୍ଘୁ ସୀମାରେ, ଜାନୁଆରୀ ୧୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଅଗିରା ଜଳାଇ ଲୋହରି ପର୍ବ ପାଳନ କରାଗଲା ଏବଂ ତିନିଟି କୃଷି ଆଇନ ଛପାଥିବା କାଗଜ ଜଳାଗଲା । ଚାଷୀମାନେ ଏକତ୍ୱର ସ୍ଲୋଗାନ୍ ଦେଲେ ଏବଂ ସେମାନଙ୍କ ଟ୍ରାକ୍ଟର କଡ଼ରେ ଜଳୁଥିବା ପବିତ୍ର ଅଗ୍ନିରେ ଏହି ଦସ୍ତାବିଜ ମିଳାଇ ଯାଉଥିବାବେଳେ ସେମାନେ ଏକାଠି ଗୀତ ଗାଇ ନାଚୁଥିଲେ ।
ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

ଗୋଟିଏ ଆନ୍ଦୋଳନ ସମୟରେ ପଞ୍ଜାବର ଚାଷୀମାନେ ଟ୍ରାକ୍ଟରରେ ଗୀତ ଗାଉଛନ୍ତି, ଲୋହରି ପାଳନ ଆରମ୍ଭ କରିବା ପାଇଁ ଗୀତ ଗାଉଛନ୍ତି ।

ପଞ୍ଜାବର ହରପ୍ରୀତ ସିଂ ଏବଂ ହରିୟାଣାର ରୋହିତ, ଉଭୟ କୃଷକ ବିକ୍ଷୋଭ ସ୍ଥଳରେ, ଲୋହରି ଅଗିରା ଜଳାଯିବା ପୂର୍ବରୁ ସନ୍ଧ୍ୟାରେ ବାଜା ବଜାଉଛନ୍ତି ।

ଚଳିତବର୍ଷ ସ୍ୱତନ୍ତ୍ର ଲୋହରି ଉତ୍ସବ ଲଙ୍ଗର ପାଇଁ ରୁଟି ପ୍ରସ୍ତୁତ କରାଯାଉଛି-ଆଇନଗୁଡ଼ିକ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବାର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି

ଲୋହରି ଉତ୍ସବ ମିଲ୍ର ଅଂଶ ଭାବେ ଜିଲାପୀ ତିଆରି କରାଯାଉଛି ।


ବାମ - ଆନ୍ଦୋଳନକାରୀ ଘୋଷଣା କରୁଛନ୍ତି ଯେ ୩ଟି କୃଷି ଆଇନ ସେହିଦିନ ସଂଧ୍ୟା ୭ଟାରେ ଲୋହରି ଅବସରରେ ଜଳାଯିବ । ଡାହାଣ - ଲୋହରି ଅଗିରା ଜଳା ସମୟରେ ଚାଷୀମାନେ ସ୍ଲୋଗାନ୍ ଦେଉଛନ୍ତି ।

ଲୋହରି ଅଗିରା ଜଳା ସମୟରେ ଜଣେ ଚାଷୀ ୩ଟି କୃଷି ଆଇନ ଛପା ହୋଇଥିବା ଦସ୍ତାବିଜ ପୋଡୁଛନ୍ତି ।

ଆଇନ ସମ୍ପର୍କିତ ଅନ୍ୟ ଦସ୍ତାବିଜ ମଧ୍ୟ ପୋଡ଼ାଗଲା ।

ପଞ୍ଜାବର ସାଙ୍ଗରୁର ଜିଲ୍ଲାର ସୁଖଦେବ ସିଂହ କୁହନ୍ତି, ଚଳିତ ବର୍ଷ ଅଗିରାରେ କୃଷକ ବିରୋଧୀ ଆଇନ ବହନ କରୁଥିବା କାଗଜପତ୍ର ପୋଡିଯିବା ଆମର ଲୋହରିକୁ ଦର୍ଶାଉଛି ।

ସଂଧ୍ୟା ବିତିବା ସହ ଚାଷୀମାନେ ସାଙ୍ଗ ହୋଇ ନାଚୁଛନ୍ତି ଓ ଗାଉଛନ୍ତି। ସୁଖଦେବ ସିଂହ କହିଲେ, ‘ଏଥରର ଲୋହରି ନିଶ୍ଚିତ ଭାବେ ଭିନ୍ନ । ସାଧାରଣତଃ, ଆମେ ଆମ ଘରେ ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହାକୁ ପାଳନ କରୁ-ଏବଂ ଏହା ଏକ ଆନନ୍ଦ ଉତ୍ସବର ସମୟ । ଏଥର ଆମେ ଆମ ଘର ଓ କୃଷିକ୍ଷେତରୁ ଦୂରରେ ଅଛୁ । ତଥାପି ଆମେ ଏକାଠି ଅଛୁ । ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆମେ ଫେରିବୁ ନାହିଁ, ଏମିତିକି ଏହା ବି ହୋଇପାରେ ଯେ ବର୍ତ୍ତମାନର ସରକାରର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଆମେ ଏଠାରେ ରହିବୁ ।’’
ଅନୁବାଦ: ଓଡ଼ିଶାଲାଇଭ୍