ସେ ହେଉଛି ମୟଳ ପକିର, ପିଲାଙ୍କ ତେଲୁଗୁ ପୌରାଣିକ କାହାଣୀର ସଇତାନ ଯାଦୁକର, ଆନ୍ଧ୍ରପ୍ରଦେଶର ଅନନ୍ତପୁରର ରାସ୍ତାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ଅବତାର ଧାରଣ କରିଛନ୍ତି କିଶୋର କୁମାର – ସ୍ୱର୍ଗତ କିମ୍ବଦନ୍ତୀ ଗାୟକ ନୁହନ୍ତି- ବରଂ ଆନ୍ଧ୍ରପ୍ରଦେଶ ପୋଲିସ୍ର ଜଣେ ସଶସ୍ତ୍ର ରିଜର୍ଭ କନେଷ୍ଟବଲ । ତାଙ୍କର ଏହି ଛବି ଏପ୍ରିଲ ୨ତାରିଖରେ ସହରର କେନ୍ଦ୍ରରେ ଥିବା ଘଣ୍ଟା ସ୍ତମ୍ଭ ପାଖରେ ନିଆଯାଇଛି ।
ତେଲୁଗୁ ଭାଷା କୁହାଯାଉଥିବା ରାଜ୍ୟଗୁଡିକରେ ପୋଲିସ୍ ବାହିନୀ ସାଧାରଣତଃ ଜନସାଧାରଣଙ୍କ ପାଖରେ ଏହାର ବାର୍ତ୍ତା ପହଞ୍ଚାଇବା ପାଇଁ ଶାରିରୀକ ଦଣ୍ଡ ପ୍ରୟୋଗ କରୁଥିବା ବେଳେ ବର୍ତ୍ତମାନ କଳା ମାଧ୍ୟମକୁ ଆପଣେଇଥିବା ଦେଖା ଦେଇଛି। (ଅନ୍ୟ ଏକ ଜିଲ୍ଲାରେ ହାତକୁ ସ୍ୱଚ୍ଛ ରଖିବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ପୋଲିସ୍ ମାନେ ଜନପ୍ରିୟ ତେଲୁଗୁ ଗୀତ ରାମୁଲୋ ରାମଲାର ତାଳେ ତାଳେ ନାଚୁଥିବା ଏକ ଭିଡିଓରେ ଦେଖାଯାଇଛି)। ‘ଅନନ୍ତପୁର ପୋଲିସ’ ଶିରୋନାମା ଥିବା ଏକ ଫେସ୍ବୁକ୍ ପେଜ୍ରେ ମୟଳ ପକିର (କିଶୋର କୁମାର ଭାବେ ମଧ୍ୟ ପରିଚିତ) ମୁଣ୍ଡରେ କରୋନାଭୂତାଣୁର ଏକ ଟୋପି ପିନ୍ଧିଥିବା ଫଟୋ ପୋଷ୍ଟ କରାଯାଇଛି । (ହଁ, କରୋନାର ଅର୍ଥ ମଧ୍ୟ ‘ମୁକୁଟ’ ଅଟେ)।
ଏକ ପ୍ରଚାର ଯାନ ଓ ଏହି “ଅଭିନବ ପ୍ରବଞ୍ଚକ” ନିୟମ କୋହଳ ହୋଇଥିବା ସମୟରେ (ଯେତେବେଳେ ଲୋକମାନେ ସେମାନଙ୍କର ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ବାହାରକୁ ଆସନ୍ତି) ଲୋକମାନଙ୍କ ପାଖରେ ସାମାଜିକ ଦୂରତା ରକ୍ଷା ଓ ସ୍ୱଚ୍ଛତାର ମାନ ରକ୍ଷା ସମ୍ବନ୍ଧିୟ ନିୟାମକର ବାର୍ତ୍ତା ପହଞ୍ଚାଇବ ବୋଲି ଅନନ୍ତପୁର ପୋଲିସ କହୁଛି। ଆଉ ଏହି ବାର୍ତ୍ତା “ଜନଗହଳି ପୂର୍ଣ୍ଣ ପରିବା ବଜାର, ସରକାରୀ ଡାକ୍ତରଖାନା, ଖାଦ୍ୟ ପଦାର୍ଥ ମିଳୁଥିବା ଦୋକାନ ଓ ମୂଖ୍ୟ ଛକଗୁଡିକରେ ପ୍ରଦାନ କରାଯିବ ।’’ ହଁ, ନିଶ୍ଚିତ ଭାବେ ପୋଲିସ୍ ବାହିନୀ ପାଇଁ ଏହା ହେଉଛି ଏକ ନୂତନ ଦିଗ ଯାହା ଜନସାଧାରଣଙ୍କୁ ଭୟଭୀତ କରିବା ପାଇଁ କେବ ମଧ୍ୟ କୌଣସି ସହାୟତା ଆବଶ୍ୟକ କରିନଥିଲା ।


ଅନୁବାଦ: ଓଡ଼ିଶାଲାଇଭ୍