ଗୁଲାମ ମୋହି-ଉଦ୍-ଦିନ ମୀରଙ୍କ ୧୩-ଏକର ବିଶିଷ୍ଟ ଫଳ ବଗିଚାରେ ୩୦୦ – ୪୦୦ ସେଓ ଗଛ ଅଛି, ଯେଉଁଥିରୁ ପ୍ରତିବର୍ଷ ସେମାନେ ୩୬୦୦ ବକ୍ସ ଫଳ ପାଇଥାନ୍ତି, ପ୍ରତ୍ୟେକ ବକ୍ସରେ ୨୦କିଲୋ ଫଳ ରହିଥାଏ । “ଆମେ ଗୋଟିଏ ବକ୍ସକୁ ସାଧାରଣତଃ ୧୦୦୦ଟଙ୍କାରେ ବିକ୍ରି କରିଥାଉ । କିନ୍ତୁ ବର୍ତ୍ତମାନ ଗୋଟିଏ ବକ୍ସ ପିଛା ଆମକୁ କେବଳ ୫୦୦ ରୁ ୭୦୦ଟଙ୍କା ମିଳୁଛି,” ବୋଲି ସେ କୁହନ୍ତି ।
ବଦ୍ଗାମ୍ ଜିଲ୍ଲାର କ୍ରେମ୍ସୋରା ଗ୍ରାମ ନିବାସୀ ୬୫-ବର୍ଷ ବୟସ୍କ ମୀର୍ଙ୍କ ପରି କଶ୍ମୀରର ଅନେକ ଚାଷୀ ବର୍ତ୍ତମାନ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ଆୟ ବହୁ ପରିମାଣରେ ହ୍ରାସ ପାଇଛି । ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଓ ଏହି ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିବା ପରେ ଏଠାରେ ଥିବା ସମଗ୍ର ସେଓ ଶିଳ୍ପକୁ ଘୋର ସଙ୍କଟ ମଧ୍ୟରେ ଗତି କରିବାକୁ ପଡ଼ୁଛି ।
ସ୍ଥାନୀୟ ଅର୍ଥନୀତିରେ ଫଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଜମ୍ମୁ ଓ କଶ୍ମୀରର ପ୍ରାୟ ୧୬୪, ୭୪୨ ହେକ୍ଟର ଜମିରେ ସେଓ ଚାଷ କରାଯାଏ, ଯେଉଁଥିରେ ୨୦୧୮-୧୯ରେ ପ୍ରାୟ ୧.୮ ମିଲିୟନ (୧୮, ୮୨, ୩୧୯) ମେଟ୍ରିକ ଟନ୍ ଫଳ ଉତ୍ପାଦନ ହୋଇଥିଲା (ଡାଇରେକ୍ଟୋରେଟ୍ ଅଫ୍ ହର୍ଟିକଲ୍ଚର୍, କଶ୍ମୀରର ଡାଟା )। ଜମ୍ମୁ ଓ କଶ୍ମୀର ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଦ୍ୱାରା କରାଯାଇଥିବା ଏକ ଏଷ୍ଟିମେଟ ମୁତାବକ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୩. ୩ ମିଲିୟନ ଲୋକଙ୍କ ପାଇଁ ହର୍ଟିକଲ୍ଚର୍ ହେଉଛି ଜୀବିକା ନିର୍ବାହ କରିବାର ପନ୍ଥା ଓ ଏହି ଉଦ୍ୟୋଗର ବାର୍ଷିକ ଆୟ ୮, ୦୦୦ ରୁ ୧୦,୦୦୦ କୋଟି ବୋଲି ହର୍ଟିକଲ୍ଚର୍ ନିର୍ଦ୍ଦେଶକ ଅଜିଜ୍ ଅମମ୍ମଦ୍ ଭଟ୍ କହିଛନ୍ତି ।
ଅଧିକନ୍ତୁ, କଶ୍ମୀର ଉପତ୍ୟକାରେ ଥିବା ଫଳବଗିଚାଗୁଡ଼ିକରେ କର୍ମନିଯୁକ୍ତି ପାଇବା ପାଇଁ ରାଜ୍ୟ (ବର୍ତ୍ତମାନ ୟୁଟି) ବାହାରରୁ ଶ୍ରମିକମାନ ଆସିଥାନ୍ତି । କିନ୍ତୁ ଏହି ପ୍ରକାରର ରାଜନୈତିକ ଅସ୍ଥିରତା ଲାଗି ରହିବାରୁ ସେମାନ ମଧ୍ୟ ଅଗଷ୍ଟ ପ୍ରଥମ ଭାଗରେ ଏଠାରୁ ଚାଲିଗଲେ । ଅକ୍ଟୋବର ମାସରେ ଅନ୍ୟ ସ୍ଥାନରୁ ଆସିଥିବା ୧୧ଜଣଙ୍କୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଟ୍ରକ୍ ଡ୍ରାଇଭର୍ ଓ ଶ୍ରମିକ । ଏହା ଦ୍ୱାରା ସମଗ୍ର ଦେଶରେ ବିଭିନ୍ନ ବଜାରକୁ କାଶ୍ମୀରର ସେଓ ପହଞ୍ଚାଇବା ନେଇ ସମସ୍ୟା ସୃଷ୍ଟି ହୋଇଛି ।
ଏବେ ମଧ୍ୟ କଶ୍ମୀରରେ ସାଧାରଣ ପରିବହନ ବ୍ୟବସ୍ଥା, ବସ୍ ଚଳାଚଳ ଓ ସେୟାର୍ଡ ଟ୍ୟାକ୍ସି ବ୍ୟବସ୍ଥା ଅଚଳ ଅବସ୍ଥାରେ ରହିଥିବାରୁ ଏଠାରେ ବାସ କରୁଥିବା ସ୍ଥାନୀୟ ଲୋକ ମଧ୍ୟ ସାଧାରଣ କଶ୍ମୀରର ବିଭିନ୍ନ ଜିଲ୍ଲା ମଧ୍ୟରେ ଓ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଯାତାୟତ କରିବାରେ ସମାନ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
ଫଳ ବଗିଚା ମାଲିକଙ୍କଠାରୁ ଫଳ କିଣୁଥିବା କିଛି ବ୍ୟବସାୟୀ ସେଗୁଡ଼ିକୁ ସିଧାସଳଖ ଦିଲ୍ଲୀର ବିଭିନ୍ନ ବଜାରକୁ ପଠାଇ ଦିଅନ୍ତି, ଯେଉଁଠି ସେମାନେ ଗୋଟିଏ ବକ୍ସ ସେଓ ୧୪୦୦- ୧୫୦୦ ଟଙ୍କାରେ ବିକ୍ରି କରିଥାନ୍ତି । ଅନ୍ୟ ବ୍ୟବସାୟୀମାନେ, ଯେଉଁମାନେ ସରକାରଙ୍କ ଜରିଆରେ ବିକ୍ରି କରିଥାନ୍ତି, ସେମାନେ ଏବେ ମଧ୍ୟ କିଣାବିକା ପ୍ରକ୍ରିୟା ଆଗେଇବାକୁ ଅପେକ୍ଷା କରି ରହିଛନ୍ତି । ଇତିମଧ୍ୟରେ, ସେମାନଙ୍କ ମଧ୍ୟରୁ କେତେଜଣ ରାତ୍ରି ସମୟରେ ଲଗାଯାଇଥିବା ପୋଷ୍ଟରରେ (କିଏ ଲଗେଇଛି ତାହା ଏବେ ମଧ୍ୟ ଅସ୍ପଷ୍ଟ ହୋଇ ରହିଛି) ସେମାନେ ସରକାରଙ୍କୁ ସେମାନଙ୍କ ସେଓ ବିକ୍ରି କରିବା ମନା କରାଯାଇଥିବା ବିଷୟରେ କହୁଛନ୍ତି ।
ଚଳିତବର୍ଷ ବଦ୍ଗାମ୍ର କ୍ରେମ୍ସୋରା ଗ୍ରାମର ଏକ ଫଳବଗିଚା ମାଲିକ ଗୁଲାମ ମୋହି-ଉଦ୍-ଦିନ ମୀର, ମଧ୍ୟ ତାଙ୍କ ବାର୍ଷିକ ଆୟର ଅଧା କେବଳ ସେଓରୁ ପାଇଛନ୍ତି । ରାଜ୍ୟରେ ଉଦ୍ୟାନକୃଷିରୁ 8,000ରୁ 10,000 କୋଟି ଟଙ୍କା ଆୟ ହେଉଥିବା ବେଳେ କାଶ୍ମୀର ଭିତରେ ଏବଂ ବାହାରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବଞ୍ଚିବାର ଅବଲମ୍ବନ ପାଲଟିଛି ।
କେନ୍ଦ୍ରୀୟ କଶ୍ମୀରର ବୁଦ୍ଗାମ ଜିଲ୍ଲାରେ ଅବସ୍ଥିତ ମୁନିପାପୀ ଗ୍ରାମ, ଯେଉଁଠାକୁ ମୁଁ ଅକ୍ଟୋବରର ମଧ୍ୟବର୍ତ୍ତୀ ସମୟରେ ପରିଦର୍ଶନରେ ଯାଇଥିଲି, ସେଠାର ନିବାସୀମାନେ ସେଓ ବଗିଚାରେ ପ୍ରାୟ ୨୦୦ରୁ ଅଧିକ ପରିବାର ନିୟୋଜିତ ଥିବା ଆକଳନ କରିଛନ୍ତି । ବ୍ୟବସାୟୀମାନେ ଜୁଲାଇଠାରୁ ନଭେମ୍ବର ମଧ୍ୟରେ ଟ୍ରକ୍ରେ ସେଓ ଓ ନାସ୍ପାତି ସହିତ ଅନ୍ୟ ଫଳଗୁଡ଼ିକ ଭର୍ତ୍ତି କରି କଶ୍ମୀରରୁ ଦିଲ୍ଲୀ ବଜାରକୁ ପଠାଇଥାନ୍ତି ।
ଅନୌପଚାରିକ ଭାବେ ମୌଖିକ ଚୁକ୍ତି ଆଧାରରେ ସେଓ ବ୍ୟବସାୟ ଚାଲିଥାଏ । ମାର୍ଚ୍ଚ-ଏପ୍ରିଲରେ ବ୍ୟବସାୟୀମାନେ ଗଛରେ କେତେ ପରିମାଣର ଫୁଲ ଆସିଛି ତାହା ଆକଳନ କରିବାକୁ ଆସନ୍ତି ଓ ଏହା ଆଧାରରେ ସମ୍ଭାବ୍ୟ ଉତ୍ପାଦନ ଆକଳନ କରି ଫଳବଗିଚାର ମାଲିକମାନଙ୍କୁ ଅଗ୍ରୀମ ଟଙ୍କା ପ୍ରଦାନ କରିଥାନ୍ତି । ଯେତେବେଳେ ଫଳ ଅମଳ କରିବା ସମୟ ଆସେ, ସେତେବେଳେ ବ୍ୟବସାୟୀମାନେ ଫେରନ୍ତି । ବର୍ତ୍ତମାନ ଚାଲିଥିବା ହଟ୍ଟଗୋଳ ଯୋଗୁଁ ସମ୍ପୂର୍ଣ୍ଣ ବ୍ୟବସାୟ ବିପଦଶଙ୍କୁଳ ଅବସ୍ଥାରେ ରହିଛି ।
ଜଣେ ୩୨ବର୍ଷ ବୟସ୍କ ବ୍ୟବସାୟୀ , ଯିଏ ମୋତେ ତାଙ୍କ ପରିଚୟ ଗୁପ୍ତ ରଖିବାକୁ କହିଥିଲେ, ମୋତେ କହିଲେ ଯେ, “ମୁଁ ମୋର ସବୁ କାମ ମୋବାଇଲ୍ ମାଧ୍ୟମରେ କରିଥାଏ- ଶ୍ରମିକମାନଙ୍କୁ ଫଳ ବଗିଚାରେ କାମ କରିବା ପାଇଁ ଡାକିବାଠାରୁ ଆରମ୍ଭ କରି ଫଳ ବାଛିବା ଓ ସେଗୁଡ଼ିକୁ ପ୍ୟାକ୍ କରାଯାଉଥିବା କେନ୍ଦ୍ରରେ କାମ କରୁଥିବା ଲୋକମାନଙ୍କ ସହିତ କଥାବର୍ତ୍ତା ହେବା, ଦିଲ୍ଲୀରେ ଥିବା ମୋର ବ୍ୟବସାୟୀମାନଙ୍କ ସହିତ ଯୋଗାଯୋଗ କରିବା, ଉତ୍ପାଦ ପଠାଇ ସାରିବା ପରେ ଟ୍ରକ୍ ଚାଳକ ଓ ପରିବହନ ସଂସ୍ଥା ସହିତ କଥାହେବା ଆଦି ସମସ୍ତ କାମ । ସରକାର ଆମ ଫୋନକୁ ନେଟ୍ୱାର୍କ ସଂଯୋଗ ବ୍ଲକ୍ କରିଦେବା ଫଳରେ ଆମର ଦୈନନ୍ଦିନ କାର୍ଯ୍ୟ ଗମ୍ଭୀର ଭାବେ ବାଧାପ୍ରାପ୍ତ ହେଲା।’’
ତାହିର ଅହମ୍ମଦ ବାବା, ଜଣେ ଶ୍ରମିକ, କୁହନ୍ତି ଯେ ସାମୟିକ ଭାବେ କାମ କରିବା ପାଇଁ ସେ ପୂର୍ବ ବର୍ଷ ଭାରତର ଅନ୍ୟ ସହରଗୁଡ଼ିକୁ ଯାତ୍ରା କରିଥିଲେ, କିନ୍ତୁ ବର୍ତ୍ତମାନ ସେ କଶ୍ମୀର ବାହାରକୁ ଯିବା ପାଇଁ ଅସୁରକ୍ଷିତ ଅନୁଭବ କରୁଛନ୍ତି
ସେଓ ଗୋଟାଳି ଓ ଏହାକୁ ପ୍ୟାକେଟ୍ରେ ଭର୍ତ୍ତି କରୁଥିବା ଲୋକମାନେ କୁହନ୍ତି ଯେ ଏହି ସଙ୍କଟ ଯୋଗୁଁ ଆମର ମଜୁରି ୪୦-୫୦ ପ୍ରତିଶତ ହ୍ରାସ ପାଇଛି- ଯାହା ଦିନକୁ ୫୦୦- ୬୦୦ ରୁ ହ୍ରାସ ପାଇ ୨୫୦- ୩ ୦୦ରେ ପହଞ୍ଚିଯାଇଛି ।
ବଦ୍ଗାମର ଏକ ଘରୋଇ ବିଦ୍ୟାଳୟର ବସ୍ ଚାଳକ ଭାବେ କାମ କରୁଥିବା ଅବ୍ଦୁଲ ରସିଦ ଅଗଷ୍ଟରେ ଯେତେବେଳେ ବିଦ୍ୟାଳୟ ବନ୍ଦ ହୋଇଗଲା ସେହି ସମୟରୁ ନିଜର ମାସିକ ବେତନ ପାଇନାହାନ୍ତି । “ମୋ ଭଳି କର୍ମଜୀବୀ ଶ୍ରେଣୀର ଲୋକମାନେ କିଭଳି ବଞ୍ଚିବେ? ସେ ପ୍ରଶ୍ନ କରନ୍ତି । “ସେଥିପାଇଁ ଆମେ ଏଠାକୁ ଆସିଲୁ, କିଛି ଉପାର୍ଜନ କରିବା ଉଦ୍ଦେଶ୍ୟରେ ।’’
ବସିର ଅହମଦ, ବଡ୍ଗାମ୍ରେ ଅବସ୍ଥିତ ହୁରୋ ଗ୍ରାମରେ ଥିବା ଅନ୍ୟ ଏକ ବିଦ୍ୟାଳୟରେ ଗାଡ଼ି ଚାଳକ ଭାବେ କାମ କରନ୍ତି, ଯିଏ ଅଗଷ୍ଟ ମାସରୁ ତାଙ୍କର ମାସିକ ବେତନ ପାଇନାହାନ୍ତି । ଏଥିପାଇଁ ସେ ମଧ୍ୟ କିଛି ଅର୍ଥ ଉପାର୍ଜନ କରିବା ଆଶାରେ ଫଳବଗିଚାକୁ ଆସିଛନ୍ତି । “ଏହିପରି ଏକ ବୃତ୍ତି ପାଇଁ ମୁଁ ପ୍ରଶିକ୍ଷିତ ହୋଇନାହିଁ- ଆମ ଦୃଷ୍ଟିରେ ଏହା ଭିକ ମାଗି ଚଳିବା ସହିତ ସମାନ,’’ ବୋଲି ସେ କୁହନ୍ତି । “ଏହି ସବୁ ଗଛଗୁଡ଼ିକ ଉପରେ ଚଢିବା ବିପଦସଙ୍କୁଳ ଅଟେ, କିନ୍ତୁ ଆମେମାନେ ଏପରି କରିବାକୁ ବାଧ୍ୟ ହେଉଛି, କାରଣ ଏହି ପରିସ୍ଥିତିରେ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ ।’’
ବସିତ୍ ଅହମଦ୍ ଭଟ ଜୁନ୍ ମାସରେ ଡେରାଡୁନର ଏକ ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓ ଏହି ଅନିର୍ଦ୍ଦିଷ୍ଟତା ମଧ୍ୟରେ ସେ ନିଜ ପାଇଁ ଗୋଟିଏ ଚାକିରୀ ଖୋଜି ପାରୁନାହାନ୍ତି – ବା ପାଇ ପାରୁନାହାନ୍ତି ବୋଲି କୁହନ୍ତି । ସେ ନିଜ ବାପାଙ୍କ ଫଳବଗିଚାକୁ ଫେରି ଆସିଛନ୍ତି ଓ ତାଙ୍କ ସହିତ ମୋର ସାକ୍ଷାତ ହେବା ବେଳକୁ ସେ ଶ୍ରମିକମାନଙ୍କୁ ସେଓ ଗୋଟେଇବାରେ ସାହାଯ୍ୟ କରୁଥିଲେ ।
ଦିଲ୍ଲୀ ବଜାରରେ ସେଓଗୁଡ଼ିକୁ ଅତି ନ୍ୟୁନ ମୂଲ୍ୟରେ ବିକ୍ରି କରିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଉଥିବା କଥା ଅନେକ କଶ୍ମୀରି ବ୍ୟବସାୟୀ ମୋତେ ଜଣେଇଛନ୍ତି, ଯାହା ଫଳରେ ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି । ସରକାରୀ ଯୋଜନା ଅନ୍ତର୍ଗତ ଉତ୍ପାଦଗୁଡ଼ିକ କ୍ରୟ କରାଯାଉଥିବା କଥା ପ୍ରାଧିକାରୀମାନେ ଦାବି କରୁଥିବା ବେଳେ ସମସ୍ତ ମଣ୍ଡିଗୁଡ଼ିକ, ଶ୍ରୀନଗରର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏହି ମଣ୍ଡି ସହିତ, ସବୁ ବନ୍ଦ ଅଛି । ଏହାର କାରଣ ବିରୋଧ ପ୍ରଦର୍ଶନ କରିବା (ଆନ୍ଦୋଳନ ବା ‘ସିଭିଲ୍ କର୍ଫ୍ୟୁ’) ହେବା ସହିତ ଉତ୍ପାଦକୁ ସରକାର ଚିହ୍ନଟ କରିଥିବା ସ୍ଥାନ ବା ମଣ୍ଡିକୁ ଯଦି ନିଆଯାଏ ତେବେ ଆତଙ୍କବାଦୀ ବା ଅଜଣା ବନ୍ଧୁକଧାରୀଙ୍କ ଆକ୍ରମଣର ଶିକାର ହେବା ଭୟ ହୋଇପାରେ ।
ଅନୁବାଦ: ଓଡ଼ିଶାଲାଇଭ୍