“ମୁଁ କିଛି ପନିପରିବା ବିକ୍ରି କରୁଛି, କିନ୍ତୁ ଏଥିରେ ସେତେ ଲାଭ ହେଉନାହିଁ । ଆମେ ସମସ୍ତେ ପ୍ରାୟତଃ ଘରେ ବେକାର ବସୁଛୁ। ସ୍ଥାନୀୟ ସିମେଣ୍ଟ ଫ୍ୟାକ୍ଟ୍ରି ଚାଲୁଛି, କିନ୍ତୁ ଆମେ କାମକୁ ଯାଉନାହୁଁ,” କରିମ ଜାଟ ମୋତେ ଫୋନରେ କୁହନ୍ତି । କରିମଙ୍କ ଘର କଚ୍ଛ ଜିଲ୍ଲା ଅନ୍ତର୍ଗତ ଲଖପତ ତାଲୁକାର ମୋରି ଗ୍ରାମରେ। କରିମ ଜାଟ ହେଉଛନ୍ତି ଫକିରାନି ଜାଟ ସମୁଦାୟର ଜଣେ ମାଲଧାରୀ । କଚ୍ଛି ଭାଷାରେ ‘ମାଲ’ର ଅର୍ଥ ପଶୁ, ଏବଂ ‘ଧାରୀ’ର ଅର୍ଥ ରକ୍ଷକ ବା ମାଲିକ । ସମଗ୍ର କଚ୍ଛରେ ମାଲଧାରୀମାନେ ଗାଈ, ମଇଁଷି, ଓଟ, ଘୋଡ଼ା, ମେଣ୍ଢା ଓ ଛେଳି ପାଳିଥାନ୍ତି ।
କରିମ ଜାଟ କୁହନ୍ତି, ସେ ସ୍ଥାନୀୟ ବଜାର ଓ ଗାଁମାନଙ୍କରୁ ସଂଗ୍ରହ କରିଥାନ୍ତି, ମାତ୍ର ସେଗୁଡ଼ିକୁ ବିକ୍ରି କଲେ ସେତେ ଭଲ ମୂଲ୍ୟ ମିଳିନଥାଏ । ସହରରେ ଥିବା ସିମେଣ୍ଟ କାରଖାନା ଏଠାରୁ କିଛି କିମି ଦୂରରେ ଅବସ୍ଥିତ, କିନ୍ତୁ ଲକଡାଉନ କାରଣରୁ କରିମ ଏବଂ ତାଙ୍କର ସହଯୋଗୀ ଫକିରାନି ଜାଟମାନେ ବାହାରକୁ ବାହାରିପାରୁନାହାନ୍ତି । ଏହାଛଡ଼ା ଉକ୍ତ କାରଖାନାରେ ପୂର୍ବରୁ ବହୁସଂଖ୍ୟକ ଶ୍ରମିକ ନିୟୋଜିତ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ଓ ଅନ୍ୟସ୍ଥାନର; ଏମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଶ୍ରମିକ ଘରକୁ ଯାଇନପାରି ସେଠାରେ ରହିଯାଇଛନ୍ତି । ପ୍ରବାସୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ କେବେ ବି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିନାହିଁ।
ଲକଡାଉନ କାରଣରୁ, ଭାରତ-ପାକିସ୍ତାନ ସୀମାରେ ଥିବା ସାଭଲା ପୀର ପୀଠ ଏବଂ ସେଠାରେ ଅନୁଷ୍ଠିତ ହେବାକୁ ଥିବା ମେଳାକୁ ସେ ଯାଇପାରିଲେ ନାହିଁ ବୋଲି କରିମ ଜାଟ ମୋତେ କୁହନ୍ତି । “ପବିତ୍ର ରମଜାନ ମାସ ଆରମ୍ଭ ହୋଇସାରିଛି । ଇଦକୁ ଆଉ ଏକ ମାସରୁ କମ ସମୟ ବାକି ଅଛି”, ବୋଲି ସେ ଚିନ୍ତିତ ହୋଇ କୁହନ୍ତି । “ଏଥର ଇଦ ସମ୍ପୂର୍ଣ୍ଣ ଭିନ୍ନ ହେବ”।
ଲଖପତ ତାଲୁକାରୁ କଚ୍ଛର ପ୍ରଥମ କୋଭିଡ-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା, ସଂକ୍ରମିତ ଜଣେ ମହିଳା ଓ ସେ ବିଦେଶରୁ ଫେରିଥିଲେ। ତାଙ୍କୁ ମାର୍ଚ୍ଚରେ ଭୁଜକୁ ନିଆଯାଇଥିଲା ଓ ସେଠାରେ ତାଙ୍କର ନମୁନା ପଜିଟିଭ ବାହାରିଥିଲା। ଲଖପତରେ ଅଧିକ ସଂଖ୍ୟାରେ ଓଟ ପାଳକମାନେ ରହିଥାନ୍ତି ।
ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହେବା ପରେ କଚ୍ଛରେ ଅଧିକାଂଶ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା। ଓଟ ପାଳକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଲେ କାରଣ ସେମାନେ ଅଧିକାଂଶ ସମୟରେ ନିଜର ପାଳିତ ପଶୁଙ୍କୁ ଚରାଇବା ଲାଗି ଘରଠାରୁ ଦୂରରେ ଥାଆନ୍ତି । ଆହୁରି ସେମାନେ ରହୁଥିବା ଅଞ୍ଚଳ ଅନ୍ତର୍ଜାତୀୟ ସୀମାରେ କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥାଏ। ଏଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଏବଂ ଏଠାରେ ଅତ୍ୟଧିକ କଡ଼ା ସୁରକ୍ଷା ନିୟମ ଲାଗୁ ହୋଇଥାଏ। ହଠାତ ଲକଡାଉନ ଘୋଷଣା କରାଯିବା କାରଣରୁ ମାଲଧାରୀମାନଙ୍କୁ ସେମାନଙ୍କ ଗାଁକୁ ଫେରିବା ଲାଗି ସମୟ ମିଳିଲା ନାହିଁ କିମ୍ବା ସେଠାରେ ରହୁଥିବା ସେମାନଙ୍କ ପରିବାର ଲୋକଙ୍କ ପାଇଁ ଯଥେଷ୍ଟ ଖାଦ୍ୟସାମଗ୍ରୀ ଯୋଗାଡ଼ କରିବାର ସୁଯୋଗ ମିଳିଲା ନାହିଁ।
ସେମାନେ କୁହନ୍ତି, ବର୍ତ୍ତମାନ ସେମାନଙ୍କ ପଶୁମାନେ ଠିକ ଅଛନ୍ତି, କାରଣ ସେମାନେ ଘାସ ପଡ଼ିଆରେ ଅଛନ୍ତି । କିନ୍ତୁ ଲକଡାଉନ ଯଦି ଆହୁରି ଅଧିକ ଦିନ ବଢ଼େ, ସେମାନଙ୍କୁ ଖାଇବାକୁ ଦେବା କଷ୍ଟକର ହୋଇପଡ଼ିବ। ତାହାପୁଣି ଖୁବ ଦ୍ରୁତ ବେଗରେ ମାଡ଼ି ଆସୁଥିବା ଗ୍ରୀଷ୍ମ ଉତ୍ତାପରେ ।
ନଖତ୍ରାନା ବ୍ଲକର କିଛି ସ୍ଥାନୀୟ ବାସିନ୍ଦା ମୋତେ ଫୋନରେ କହିଛନ୍ତି, ପୋଲିସ ଚାରଣ ଭୂମି ନିକଟରେ ରହୁଥିବା କିଛି ମାଲଧାରୀଙ୍କ ନିକଟକୁ ଆସିଥିଲା ଏବଂ ସେମାନଙ୍କୁ ଏଣେତେଣେ ନବୁଲିବା ନିମନ୍ତେ ତାଗିଦ କରିଯାଇଥିଲା। ତେଣୁ ଏହି ମାଲଧାରୀମାନେ କେବଳ ନିଜ ଗାଁକୁ ହିଁ ରାସନ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଯିବେ। ତାହା ମଧ୍ୟ ଏବେ କଷ୍ଟକର ହୋଇପଡ଼ିଛି।

ରାବାଡ଼ି, ଜାଟ ଓ ସାମାସ ଭଳି କଚ୍ଛର ବିଭିନ୍ନ ମାଲଧାରୀ ସମୁଦାୟର ଲୋକମାନଙ୍କ ଜୀବନ ଓ ସାଂସ୍କୃତିକ ପରମ୍ପରା ସେମାନଙ୍କ ପଶୁଙ୍କୁ ନେଇ ହିଁ ଆଧାରିତ। ଏପରିକି ସେମାନଙ୍କ ଗୀତରେ ମଧ୍ୟ ସେମାନଙ୍କ ପଶୁପାଳନ ବେଉସାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ନିଜ ତାଲୁକା ଭିତରେ କିଛି ଲୋକ ଋତୁକାଳୀନ ପ୍ରବାସ (ମେ-ଜୁନରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ) କରିଥାନ୍ତି ଆଉ କିଛି ବର୍ଷସାରା ବାହାରେ ବୁଲିଥାନ୍ତି । ଲକଡାଉନ ସେମାନଙ୍କର ଋତୁକାଳୀନ ଢାଞ୍ଚାକୁ ବଦଳାଇ ଦେଇଛି ।
ଲଖପତ ତାଲୁକାର ଅନ୍ୟ ଜଣେ ମାଲଧାରୀ ଗୁଲମାମଦ ଜାଟଙ୍କ ଭଳି ଅନେକ ଲୋକ ପିଡିଏସ କେନ୍ଦ୍ରରୁ ଖାଦ୍ୟଶସ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ ସମସ୍ୟା ଭୋଗୁଛନ୍ତି। “ଆମେ ପରିଚୟପତ୍ର ଭାବେ ଆମର ରାସନକାର୍ଡକୁ ପାଖରେ ରଖିଛୁ’’, “କିନ୍ତୁ ଏହା କେବେବି ଆମ କୋଟାର ଖାଦ୍ୟସାମଗ୍ରୀ ରାସନ କେନ୍ଦ୍ରରୁ ଆଣିବାରେ ଆମକୁ ସହାୟକ ହୋଇନାହିଁ ଏବଂ ଏହା ଅନେକ ପରିବାରଙ୍କ କ୍ଷେତ୍ରରେ ଘଟୁଛି”, ବୋଲି ସେ କୁହନ୍ତି ।
ତାହା ହିଁ ଘଟିବ, କୁହନ୍ତି ଭୁଜସ୍ଥିତ ପଶୁପାଳକ କେନ୍ଦ୍ରର ପ୍ରଜନନ କାର୍ଯ୍ୟକ୍ରମର ପରିଚାଳକ ରମେଶ ଭଟ୍ଟୀ। ସେ କୁହନ୍ତି, ଅଧିକାଂଶ ଓଟ ପାଳକ ଘରଠାରୁ ୧୦-୨୦ କିମି ଦୂର ଜଙ୍ଗଲ କିମ୍ବା ଚାରଣ ଭୂମି ନିକଟରେ କାମ କରିଥାନ୍ତି । “ସେମାନଙ୍କର ଘର କିମ୍ବା ସରକାରଙ୍କ ସହିତ କୌଣସି ସମ୍ପର୍କ ନଥାଏ। ସେମାନଙ୍କ ମଧ୍ୟରୁ ଅନେକ ନିଜ ଗାଁରେ ନିଜ ରାସନ କାର୍ଡ ରଖନ୍ତି ଯେତେବେଳେ ସେମାନେ ଅନ୍ୟ କୌଣସି ସ୍ଥାନରେ ବୁଲୁଛନ୍ତି … ବର୍ତ୍ତମାନ ଓଟ କ୍ଷୀରର କେହି କ୍ରେତା ନାହାନ୍ତି ଏବଂ ମାଲଧାରୀଙ୍କ ଠାରୁ କେହି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କିଣୁନାହାନ୍ତି। ଫଳରେ ସେମାନଙ୍କର ଆୟ ହ୍ରାସ ପାଇଛି ଓ ସେମାନେ ଜରୁରି ସାମଗ୍ରୀ କିଣିପାରୁନାହାନ୍ତି। ସେମାନେ ଫେରିଯିବା ଲାଗି ମଧ୍ୟ ଭୟ କରୁଛନ୍ତି କାରଣ କେତେକ ଗ୍ରାମରେ ସେମାନଙ୍କୁ ପ୍ରବେଶ ଲାଗି ଅନୁମତି ମିଳୁନାହିଁ।’’
ଭଟ୍ଟି ଆହୁରି କୁହନ୍ତି, ପରିବାରର ପୁରୁଷମାନେ ପଶୁ ଚରାଇବା ସମୟରେ ରୁଟି ଓ କ୍ଷୀର ଖାଇ ଚଳିଯାଇଥାନ୍ତି, କିନ୍ତୁ ଘରେ ଥିବା ମହିଳା ଓ ପିଲାମାନଙ୍କୁ ରାସନ ଦରକାର। ଭଗବାନଙ୍କ କୃପାରୁ, ସେ କୁହନ୍ତି, “ଗତ କିଛିଦିନ ହେବ ଯାତାୟାତ ଆରମ୍ଭ ହୋଇଛି, କିନ୍ତୁ ସେମାନେ ବର୍ତ୍ତମାନସୁଦ୍ଧା ବହୁତ କ୍ଷତି ସହି ସାରିଲେଣି”।
ଏଭଳି ସ୍ଥିତିରେ, କ୍ଷୁଧା ଏକ ବାସ୍ତବ ସମସ୍ୟା। ସରକାର ସହଜରେ ଯାହା ପ୍ରଦାନ କରିଛନ୍ତି ତାହା ଯଥେଷ୍ଟ ନୁହେଁ। “ଯଦି ୮ ଜଣିଆ ପରିବାରକୁ ୧୦ କିଗ୍ରା ଗହମ ମିଳେ, ସେମାନେ ସେଥିରେ କେତେ ଦିନ ଚଳିବେ,” ସେ ପ୍ରଶ୍ନ କରନ୍ତି ।
ପଶୁପାଳନ କେନ୍ଦ୍ର ପରିଚାଳନା କରୁଥିବା ଭୁଜସ୍ଥିତ ସାହଜୀବନ ଅନୁଷ୍ଠାନ ମାଲଧାରୀଙ୍କ ଅଧିକାର ପାଇଁ କାମ କରି ଆସୁଛି, ଏ ସଂଗଠନ ପକ୍ଷରୁ ଗତ ଦୁଇ ସପ୍ତାହ ମଧ୍ୟରେ ସଙ୍କଟରେ ଥିବା ପରିବାରକୁ ୭୦ଟି ରାସନ କିଟ ଯୋଗାଇ ଦିଆଯାଇଛି । ଏହି କିଟରେ ଅଟା, କପା ତେଲ, ମୁଗ ଡାଲି, ଚିନି, ପିଆଜ, ଆଳୁ, ଚାଉଳ, ଲୁଣ, ମସଲା, ଧନିଆ ପାଉଡର, ହଳଦୀ ଓ ତେଲ ଅଛି। ଦୁଇ ସପ୍ତାହ ପାଇଁ ଏକ ପରିବାର ଲାଗି ଏତିକି ପରିମାଣ ଯଥେଷ୍ଟ। “ଆମକୁ ଘର ପାଖରେ ରାସନ ଦେଉଥିବାରୁ ସେମାନଙ୍କୁ ଧନ୍ୟବାଦ”, କରିମ ଜାଟ କୁହନ୍ତି। “ଏହାକୁ ଆଧାର କରି ଆମେ ଆଜିଯାଏ ବଞ୍ଚିଛୁ, କିନ୍ତୁ ଲକଡାଉନ ଆହୁରି ବଢ଼ିଲେ, ଆମେ ଅଧିକ ଆହ୍ୱାନର ସମ୍ମୁଖୀନ ହେବୁ।”
କୃଷି ସଂକ୍ରାନ୍ତ କାର୍ଯ୍ୟକଳାପ ସାମାନ୍ୟ କୋହଳ କରିବାକୁ ସରକାରଙ୍କ ଘୋଷଣା ସମ୍ପର୍କରେ କରିମ ଜାଟ କୁହନ୍ତି, “ସେମାନଙ୍କୁ ତାହା କରିବାକୁ ହେବ। ନଚେତ ଦୁନିଆ ଖାଇବ କ’ଣ? ସମସ୍ତେ ଚିନ୍ତିତ ଅଛନ୍ତି ।”
କିଛି ରାସନ ମିଳିଛି, କିନ୍ତୁ କେତେକ ଅନ୍ୟାନ୍ୟ ଅଭାବକୁ ନେଇ ଚିନ୍ତିତ ଅଛନ୍ତି-ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜାଟ ଆୟୁବ ଅମୀନ, ଯାହାଙ୍କୁ ମୁଁ ଓ ମୋର ସଙ୍ଗ ସ୍ନେହରେ ‘ଆୟୁବ କାକା’ ବୋଲି ଡାକିଥାଉ । ସେ ଫକିରାନି ଜାଟ ସମୁଦାୟର ଜଣେ ବରିଷ୍ଠ ଲୋକ । “ହଁ, ମୋ ପାଖରେ ବଞ୍ଚିବା ପାଇଁ ରାସନ ଅଛି,” ସେ ମୋତେ ଫୋନରେ କହିଥିଲେ । “ସେ ଭଲ ଲୋକମାନଙ୍କୁ ଧନ୍ୟବାଦ। କିନ୍ତୁ ଲକଡାଉନର ସବୁଠୁ ଦୁଃଖଦ ଦିଗ କ’ଣ ତୁମେ ଜାଣିଛ? ମୁଁ ମୋ ବିଡ଼ି ପାଇପାରୁନାହିଁ”।

ଫକିରାନି ଜାଟ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତି ଜାଟ ଆୟୁବ ଅମିନ ବର୍ଷତମାମ ଭାଚାଉ ତାଲୁକା ମଧ୍ୟରେ ଖାରାଇ ପ୍ରଜାତିର ଓଟ ଚରାଇଥାନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ପ୍ରାକୃତିକ ପ୍ରାଣୀ ବାସସ୍ଥାନ ନଷ୍ଟ ହେବା କାରଣରୁ ଚାରଣ ଭୂମି ହ୍ରାସ ପାଇବା, ପାଳିତ ପଶୁଙ୍କ ସଂଖ୍ୟା କମିବା ଏବଂ ଅନ୍ୟାନ୍ୟ କାରଣରୁ ତାଙ୍କର ରୋଜଗାର କମିଯାଇଛି । ଲକଡାଉନ କାରଣରୁ ଓଟ କ୍ଷୀର ବିକ୍ରି କରି ସେ କରୁଥିବା ଆୟ ଆହୁରି ୩୦ ପ୍ରତିଶତ ହ୍ରାସ ପାଇବ ବୋଲି ସେ ଆଶଙ୍କା କରୁଛନ୍ତି।

ଗତ କିଛିବର୍ଷ ମଧ୍ୟରେ କଚ୍ଛ ଉପକୂଳରେ ସିମେଣ୍ଟ ଉଦ୍ୟୋଗରେ ବ୍ୟାପକ ବୃଦ୍ଧି ଘଟିଛି । ମୋରି, ତାହେରା ଓ ଅନ୍ୟ ସୀମାବର୍ତ୍ତୀ ଗ୍ରାମର ଫକିରାନି ଜାଟ ଯୁବକମାନେ ବଡ଼ ବଡ଼ ସିମେଣ୍ଟ କାରଖାନାରେ ଦିନ ମଜୁରିଆ ଭାବେ କାମ ପାଇଛନ୍ତି। ବର୍ତ୍ତମାନ ଲକଡାଉନ କାରଣରୁ ସିମେଣ୍ଟ କାରଖାନାଗୁଡ଼ିକ ବନ୍ଦ ହୋଇଯାଇଛି ।

ପରିବାରର ପୁରୁଷମାନେ ଚାରଣ ଭୂମିରେ ରହିବା ସମୟରେ କ୍ଷୀର ଓ ରୁଟିରେ କାମ ଚଳାଇ ଦେଉଥିବା ସମୟରେ ଗାଁରେ ଥିବା ମହିଳା ଓ ଶିଶୁମାନଙ୍କୁ ଖାଇବା ପାଇଁ ରୁଟି ଓ ଡାଲି ଦରକାର। ହଠାତ ଲକଡାଉନ ଜାରି ହେବା ଫଳରେ ସୀମାବର୍ତ୍ତୀ ଗ୍ରାମରେ ଥିବା ଲୋକମାନଙ୍କୁ ସଙ୍କଟରେ ପକାଇ ଦେଇଛି। ଏବଂ କେତେକ ପଶୁପାଳକ ଯେଉଁମାନେ ସେମାନଙ୍କ ଗାଁରେ ରାସନ କାର୍ଡ ଛାଡ଼ି ଦେଇ ଆସିଛନ୍ତି ସେମାନେ ପିଡିଏସ କେନ୍ଦ୍ରରୁ ଖାଦ୍ୟଶସ୍ୟ ପାଇପାରୁନାହାନ୍ତି।

ଲଖପତ ତାଲୁକାର ମୋରି ଗ୍ରାମରେ କରିମ ଜାଟ ରୁହନ୍ତି। ପଶୁପାଳନରୁ ସେତେ ରୋଜଗାର ହେଉନଥିବାରୁ ଆୟ ବଢ଼ାଇବା ଲାଗି ସେ ଗତବର୍ଷ ଏକ ଅଟୋରିକ୍ସା କିଣିଥିଲେ। ଲକଡାଉନ କାରଣରୁ, ସେ କୁହନ୍ତି, “ମୁଁ ମୋ ଅଟୋରିକ୍ସା ବାହାରକୁ ନେଇପାରୁନାହିଁ। ତେଣୁ ପରିବାର ଚଳାଇବା ପାଇଁ ମୁଁ ପରିବା ବିକ୍ରି କରିବା ଲାଗି ଚେଷ୍ଟା କରୁଛି”।

ଅଧିକାଂଶ ଫକିରାନି ଜାଟମାନେ ବିଡ଼ି ଓ ସିଗାରେଟ ଟାଣିବାରେ ଅଭ୍ୟସ୍ତ,କିନ୍ତୁ ଲକଡାଉନ କାରଣରୁ ତମାଖୁ ଆସିବା ବନ୍ଦ ହୋଇଯାଇଛି । ଜାଟ ଆୟୁବ ଅମିନ ଅଭିଯୋଗ କରନ୍ତି ଏହା ‘ଅତ୍ୟନ୍ତ ନିରାଶାଜନକ’।


ବାମ : ପଶୁପାଳକ ପରିବାରର ସଦସ୍ୟମାନେ କଚ୍ଛ ଉଣ୍ଟ ଉଚ୍ଛେରକ ମାଲଧାରୀ ସଂଗଠନ (କଚ୍ଛ ମାଲଧାରୀ ଓଟ ପାଳକ ସଂଘ)ର ସଭାପତି ଭିଖାଭାଇ ବାଘାଭାଇ ରାବାଡ଼ିଙ୍କ ଠାରୁ ରାସନ ବ୍ୟାଗ ଗ୍ରହଣ କରୁଛନ୍ତି। ଡାହାଣ : ମାଲଧାରୀଙ୍କ ଅଧିକାର ପାଇଁ କାମ କରୁଥିବା ଭୁଜସ୍ଥିତ ସଂଗଠନଠାରୁ କେତେକ ଫକିରାନି ଜାଟ ପରିବାର ଏଭଳି ରାସନ କିଟ ପାଇଛନ୍ତି । ଏହି ବ୍ୟାଗରେ ଅଟା, ମସୁର ଡାଲି, କପା ତେଲ, ହଳଦୀ, ମସଲା, ଲୁଣ ଓ ଚାଉଳ ରହିଛି। ଏହା ସେମାନଙ୍କ ଚାପକୁ ବହୁ ପରିମାଣରେ ଦୂର କରିଛି ବୋଲି ଉକ୍ତ ପରିବାର କୁହନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍