ଜୀବନ ଆମକୁ ଯାହା କିଛି ଶିକ୍ଷା ଦିଏ, ତା ପଛରେ ଥାଏ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ। ରୀତା ଆକ୍କାଙ୍କ ସଂପର୍କରେ ସବୁକିଛି କେବଳ ଏହାର ହିଁ ପରିପ୍ରକାଶ। ଦିବ୍ୟାଙ୍ଗ (ସେ କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ) ରୀତା ଆକ୍କା ଜଣେ ବିଧବା ସଫେଇ କର୍ମଚାରୀ। ତାଙ୍କର ଜଣେ ୧୭ ବର୍ଷ ବୟସର ଝିଅ ଅଛି, ଯେ କି ନିଜ ଜେଜେମାଙ୍କ ପାଖକୁ ଚାଲିଯାଇଛି। ୪୨ ବର୍ଷୀୟା ଏହି ମହିଳାଙ୍କ ଜୀବନରେ ଏବେ କେବଳ ଶୂନ୍ୟତା ହିଁ ଶୂନ୍ୟତା। କିନ୍ତୁ ଏହା ଆଗରେ ସେ ହାର ମାନିନାହାନ୍ତି।
ଆଖପାଖ ଲୋକେ ତାଙ୍କୁ ରୀତା ଆକ୍କା (ବଡ଼ ଭଉଣୀ) ବୋଲି ଡାକନ୍ତି। ଅବଶ୍ୟ କେତେକ ପଡୋଶୀ ତାଙ୍କୁ ଉମଚୀ (ଜାଡ଼ି) (ଶୁଣିପାରୁନଥିବା ଲୋକଙ୍କୁ ବ୍ୟଙ୍ଗାତ୍ମକ ଭାବେ) ବୋଲି ମଧ୍ୟ ସମ୍ବୋଧନ କରନ୍ତି। ପ୍ରତି ସକାଳେ ସେ ଉଠିବା ପରେ ଚେନ୍ନାଇ କର୍ପୋରେସନ ସହ ଅନୁବନ୍ଧିତ ଥିବା କାରଣରୁ ନିଷ୍ଠାପର ଭାବେ ବିଭିନ୍ନ ଅଞ୍ଚଳରୁ ଅଳିଆ ସଂଗ୍ରହ କାମରେ ଲାଗି ଯାଆନ୍ତି । ଦିନଯାକର କଠିନ ପରିଶ୍ରମ ପରେ ସେ ବେଳେବେଳେ ଶାରୀରିକ କଷ୍ଟ ମଧ୍ୟ ଅନୁଭବ କରନ୍ତି। ଏକ ନିର୍ଦ୍ଦିଷ୍ଟ ଧରଣର ସାଇକେଲ ରିକସା ଟ୍ରଲି ଧରି ଅଳିଆ ବୋହୁଥିବା ବେଳେ କେତେ କଷ୍ଟ ତାଙ୍କୁ କରିବାକୁ ପଡୁଥିବ, ସେକଥା ଆପଣ ଅନୁମାନ କରି ପାରୁଥିବେ। ରୀତା ସେ ଟ୍ରଲି ଦେହରେ ନିଜ ନାଁ ତିନି ତିନି ଥର ଲେଖିଛନ୍ତି ବିଭିନ୍ନ ରଙ୍ଗରେ। ଦିନଯାକର କାମ ସାରି ସେ କୋଟ୍ଟୁପୁରମ ଅଞ୍ଚଳରେ ଥିବା ହାଉସିଂ ବୋର୍ଡ କ୍ୱାର୍ଟର୍ସରେ ନିଜ ଛୋଟ ଓ ଶୂନଶାନ ଘରକୁ ଫେରନ୍ତି ।
ତେବେ ନିଜ ଗନ୍ତବ୍ୟସ୍ଥଳରେ ବୁଲା କୁକୁର ଓ ବିଲେଇମାନଙ୍କୁ ଭେଟିବା ପୂର୍ବରୁ ସେ ଦୁଇଟି ସ୍ଥାନରେ ଅଟକିଥାନ୍ତି। ଗୋଟିଏ ହେଉଛି ଛୋଟ ଦୋକାନ ପାଖରେ ।
ତେବେ ସେ ନିଜ ଜୀବନର ଲକ୍ଷ୍ୟ ନିଜେ ସ୍ଥିର କରୁଛନ୍ତି । ନିଜ ଦୈନନ୍ଦିନ କାମ ଶେଷ ହେବା ପରେ ହେଉ କି ନିଜ ଘରର ଶୂନ୍ୟତା ଭିତରେ ସେ ସବୁବେଳେ ସେହି ବିଲେଇ କୁକୁରମାନଙ୍କ ଗହଣରେ ହିଁ ରହୁଛନ୍ତି । ସେ ଏମାନଙ୍କ ସହ ଅଧିକ ସମୟ କାଟନ୍ତି, ସେମାନଙ୍କୁ ଖୁଆଇବାରେ, ସେମାନଙ୍କ ସହ କଥା ହେବାରେ... ପ୍ରତି ସଂଧ୍ୟାରେ ରୀତା ନିଜ କାମ ସାରି କେତେବେଳେ ଫେରିବେ, ଆଉ ସେମାନଙ୍କ ପାଖକୁ ଆସିବେ, କୋଟ୍ଟୁପୁରମର ଗଳିରେ ଏହାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଥାନ୍ତି କୁକୁରମାନେ।
ପ୍ରକୃତରେ ତାଙ୍କ ଘର ହେଉଛି ତିରୁବନ୍ନାମଲାଇ (୨୦୧୧ ଜନଗଣନା ଅନୁଯାୟୀ, ଏହି ଜିଲ୍ଲାରେ ଗ୍ରାମୀଣ ଜନସଂଖ୍ୟା ହେଉଛି ପ୍ରାୟ ୮୦ ପ୍ରତିଶତ) ଅନ୍ତର୍ଗତ ଏକ ସହରରେ । ଦୁଇ ଦଶକ ପୂର୍ବରୁ କାମ ଧନ୍ଦା ଅନ୍ୱେଷଣରେ ଯେତେବେଳେ ତାଙ୍କ ବାପାମାଆ ଚେନ୍ନାଇ ଚାଲିଗଲେ, ରୀତା ବି ତାଙ୍କ ସହ ଚେନ୍ନାଇ ଆସିଲେ। ତେବେ ନିର୍ଦ୍ଦିଷ୍ଟ ଭାବେ ତାଙ୍କର ତାରିଖ ମନେ ନାହିଁ। ତେବେ ତାଙ୍କର କେବଳ ଏତିକି ମନେ ଅଛି, ଅନେକ ବର୍ଷ ହେବ କେବଳ କିଛି ସାମାନ୍ୟ ଅର୍ଥ ରୋଜଗାର ଲାଗି ସେ ବିଭିନ୍ନ ଲୋକଙ୍କ ଘରେ କାମ କରିଥିଲେ। ୭ ବର୍ଷ ହେବ ସେ ଚେନ୍ନାଇ ପୌର ସଂସ୍ଥା (ବର୍ତ୍ତମାନ ବୃହତ ଚେନ୍ନାଇ କର୍ପୋରେସନ)ରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି । ପୂର୍ବରୁ ସେ ଦିନକୁ ମାତ୍ର ୧୦୦ ଟଙ୍କା ରୋଜଗାର କରୁଥିଲେ, ଏବେ ମାସିକ ରୋଜଗାର କରୁଛନ୍ତି ପ୍ରାୟ ୮୦୦୦ଟଙ୍କା।


ରୀତା ଆକ୍କା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ; ସେ ଠାରରେ ହିଁ କଥାବାର୍ତ୍ତା କରନ୍ତି। ତେବେ କୁକୁରମାନଙ୍କ ସହ ଥିବା ସମୟରେ ତାଙ୍କ ହସ ଥାଏ ସର୍ବାଧିକ ଚମକଦାର।
କୋଟ୍ଟୁରପୁରମର ୬ଟି ବଡ଼ ବଡ଼ ରାସ୍ତାକୁ ଝାଡୁ ମାରି ସଫା କରନ୍ତି ରୀତା। ସେ ସେଠାରେ ବ୍ଲିଚିଂ ପାଉଡର ପକାନ୍ତି । ତାଙ୍କ ହାତରେ ସବୁବେଳେ ଥାଏ ଗୋଟିଏ ଝାଡୁ ଓ ଅଳିଆ ଦାନୀ। କୌଣସି ପ୍ରକାର ଗ୍ଲୋଭସ, ଜୋତା କିମ୍ବା ସୁରକ୍ଷା ଉପକରଣ ନ ପିନ୍ଧି ସେ ଏସବୁ କାମ କରିଥାନ୍ତି। ସେ ଯେଉଁ ଅଳିଆ ଆବର୍ଜନା ସଂଗ୍ରହ କରନ୍ତି, ତାକୁ ରାସ୍ତା କଡ଼ରେ ଥିବା କର୍ପୋରେସନର ଅଳିଆ ବାକ୍ସଗୁଡ଼ିକ ଭିତରେ ହିଁ ସେ ଜମା କରିଥାନ୍ତି ।
ପୁନଃଚକ୍ରୀକରଣ ଲାଗି ସେଠାରୁ ଏଗୁଡ଼ିକୁ ସଂଗ୍ରହ କରିନେଇଥାନ୍ତି କର୍ପୋରେସନର ଭ୍ୟାନ ଓ ଲରିଗୁଡ଼ିକ। ରୀତା ସକାଳ ୮ଟାରେ କାମ ଆରମ୍ଭ କରନ୍ତି ଆଉ ତାଙ୍କ କାମ ଶେଷ ହେଉ ହେଉ ଅପରାହ୍ନ ହୋଇଯାଏ। ସେ କହନ୍ତି, ରାସ୍ତାରେ ଅଳିଆ ସଫା କରୁଥିବା ସମୟରେ ଥରେ ତାଙ୍କର ଗୋଟିଏ ଦୁର୍ଘଟଣା ହୋଇଥିଲା, ଆଉ ଏଥିରେ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଛି । ଖାଲି ଗୋଡ଼ରେ ଚାଲି ଚାଲି ତାଙ୍କ ପାଦରେ ଛାଲି ପଡ଼ିଗଲାଣି। କିନ୍ତୁ ତାଙ୍କ କହିବା ମୁତାବକ ସେ ସୁସ୍ଥ ଅଛନ୍ତି, ତାଙ୍କର କୌଣସି ବିଶେଷ ଅସୁବିଧା ନାହିଁ।
ତାଙ୍କ ରୋଜଗାରର ଏକ ପ୍ରମୁଖ ଅଂଶ କୁକୁର ଓ ବିଲେଇଙ୍କ ପାଇଁ ଖାଦ୍ୟ କିଣିବାରେ ଯାଏ। ପଡ଼ୋଶୀଙ୍କ କହିବା କଥା, ସେ ଦୈନିକ ପ୍ରାୟ ୩୦ ଟଙ୍କା ଏଥିରେ ଖର୍ଚ୍ଚ କରନ୍ତି। କିନ୍ତୁ ଏ ସଂପର୍କରେ ସେ କେବେ କିଛି କହନ୍ତି ନାହିଁ।
ନିଜ ଗନ୍ତବ୍ୟସ୍ଥଳରେ ବୁଲା କୁକୁର ଓ ବିଲେଇମାନଙ୍କୁ ଭେଟିବା ପୂର୍ବରୁ ସେ ଦୁଇଟି ଜାଗାରେ ଅଟକିଥାନ୍ତି। ଗୋଟିଏ ହେଉଛି ଛୋଟ ଦୋକାନ ପାଖରେ । ସେଠାରୁ ସେ କୁକୁରମାନଙ୍କ ପାଇଁ କିଛି ବିସ୍କୁଟ କିଣନ୍ତି । ଆଉ ଏକ ମାଂସ ଦୋକାନ ପାଖରେ ବି ଅଟକନ୍ତି, ଯେଉଁଠୁ ସେ ବଳି ପଡ଼ିଥିବା କିଛି ମାଂସ କିଣନ୍ତି ବିଲେଇମାନଙ୍କ ଲାଗି। ଏହି ବଳକା ମାଂସଗୁଡ଼ିକୁ କୋଝି ସିଲରା କୁହାଯାଏ- ଅର୍ଥାତ ‘ଚିକେନର ବଳକା ଅଂଶ’। ଚିକେନ ବିକ୍ରି କରିବା ବେଳେ, ତାକୁ ସଫା କରିବା ଦ୍ୱାରା ବଳକା ଅଂଶ, ଯାହାକୁ କେହି ନିଅନ୍ତି ନାହିଁ। ଏହାକୁ ସେ ୧୦ ଟଙ୍କାରେ କିଣି ନିଅନ୍ତି।
ରୀତାଙ୍କ ପାଇଁ, ସେ ନିଜ କୁକୁର, ବିଲେଇମାନଙ୍କ ସମାନ ସାଥୀମାନଙ୍କ ସହିତ ରହିବା ଦ୍ୱାରା ପାଇଥିବା ସୁଖ, ତାହା ସେ କରୁଥିବା ଖର୍ଚ୍ଚ ତୁଳନାରେ ଢେର ବେଶୀ।
କିଛି ବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଛି । ବୋଧହୁଏ ରୀତାଙ୍କର କିଛି ମନେ ନାହିଁ, କିମ୍ବା ସେ ଏ ସଂପର୍କରେ କିଛି କହିବାକୁ ଚାହାନ୍ତି ନାହିଁ । ସେବେଠୁ ସେ କେବଳ ନିଜସ୍ୱ ଜୀବନ ବଞ୍ଚୁଛନ୍ତି । ପଡ଼ୋଶୀ କହନ୍ତି, ତାଙ୍କ ସ୍ୱାମୀ ମଦ୍ୟପ ଥିଲେ। ଆଉ ତାଙ୍କ ଝିଅ ବି ମଝିରେ ମଝିରେ ବୁଲିବାକୁ ଆସନ୍ତି, କିନ୍ତୁ ସବୁବେଳେ ନୁହେଁ।
ତଥାପି ରୀତା ସବୁବେଳେ ଆନନ୍ଦରେ ଥାଆନ୍ତି-ତାଙ୍କର ହସରେ ସବୁଠୁ ଅଧିକ ଚମକ ଥାଏ ସେତେବେଳେ, ଯେତେବେଳେ ସେ ନିଜ କୁକୁରମାନଙ୍କ ପାଖରେ ଥାଆନ୍ତି।

ଚେନ୍ନାଇର କୋଟ୍ଟୁରପୁରମ ଅଞ୍ଚଳ, ଯେଉଁଠି ରହନ୍ତି ରୀତା ଆକ୍କା । ହାଉସିଂ ବୋର୍ଡ କ୍ୱାର୍ଟର୍ସରେ ଥିବା ତାଙ୍କର ଛୋଟ ଘର। ଦୁଇ ଦଶକ ପୂର୍ବରୁ ତିରୁଭନ୍ନାମଲାଇରୁ ସେ ଚେନ୍ନାଇକୁ ଚାଲିଆସିଛନ୍ତି

ତାଙ୍କର ଗଣବେଶ ପିନ୍ଧି ସେ ପ୍ରତି ସକାଳେ ଘର ଛାଡ଼ନ୍ତି। ୭ବର୍ଷ ହେବ ସେ ଚେନ୍ନାଇ ପୌର ସଂସ୍ଥା (ବର୍ତ୍ତମାନ ବୃହତ ଚେନ୍ନାଇ କର୍ପୋରେସନ)ରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି

ରୀତା ଆକ୍କା କୋଟ୍ଟୁପୁରମର ଚଉଡ଼ା ଗଳି ଆଡ଼କୁ ଯାଉଛନ୍ତି, ଯେଉଁଠି ସେ ନିଜ କାମ ଆରମ୍ଭ କରନ୍ତି ପ୍ରତିଦିନ ସକାଳ ୮ଟାରୁ

ସେ ସାଥୀରେ ନିଅନ୍ତି ବ୍ଲିଚିଂ ପାଉଡର, ଗୋଟିଏ ଧାତବ ପାତ୍ର ଦ୍ୱାରା ସେ ଗଳିଗୁଡ଼ିକୁ ସଫା କରନ୍ତି

ସଫା କରିବା ଆଗରୁ ଆକ୍କା କୌଣସି ଗ୍ଲୋଭସ ନ ପିନ୍ଧି ବ୍ଲିଚିଂ ପାଉଡର ଛିଞ୍ଚିଥାନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ସାଇକଲ ରିକସା ଟ୍ରଲିରେ ସେ ଅଳିଆଗୁଡ଼ିକୁ ବୋହି ନିଅନ୍ତି, ସେଥିରେ ସେ ନିଜ ନାଁ ତିନି ତିନି ଥର ଲେଖିଛନ୍ତି, ବିଭିନ୍ନ ରଙ୍ଗରେ

ସହର କର୍ପୋରେସନର ଅଳିଆ ରଖା ପାତ୍ରଗୁଡ଼କରେ ରୀତା ଆକ୍କା ଅଳିଆ ଆବର୍ଜନାଗୁଡ଼ିକୁ ଜମା କରନ୍ତି

ଅଳିଆ ବୋହିବା ଲାଗି ସେ ଗଳିରେ ବ୍ୟବହାର କରୁଥିବା ଟ୍ରଲି ହେଉଛି ଗୋଟିଏ ଭଙ୍ଗା ତିନି ଚକିଆ ସାଇକେଲ। ଦିନ ଯାକର କାମ ସାରିବା ପରେ ବେଳେବେଳେ ସେ ଶାରୀରିକ ଯନ୍ତ୍ରଣା ଅନୁଭବ କରୁଥିବା କଥା କହନ୍ତି

ଅନ୍ତତଃ ସହରର ୬ଟି ବଡ଼ ବଡ଼ ମୁଖ୍ୟ ରାସ୍ତାକୁ ସେ ପ୍ରତିଦିନ ଝାଡ଼ୁ କରି ସଫା କରିଥାନ୍ତି। ସେ କାମ କରୁଥିବା ସମୟରେ ତାଙ୍କ ପାଖରେ କୌଣସି ଚପଲ ନାହିଁ, କିମ୍ବା ଅନ୍ୟ କୌଣସି ସୁରକ୍ଷା ଉପକରଣ ବ୍ୟବହାର କରନ୍ତି ନାହିଁ

ଖାଲି ପାଦରେ ଚାଲିବା ଓ କାମ କରିବା ଯୋଗୁଁ ତାଙ୍କ ପାଦରେ ଛାଲ ପଡ଼ିଗଲାଣି। ଗାସ୍ତା ସଫା କରିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ପ୍ରଭାବିତ ହୋଇଛି



ଠାର ମାଧ୍ୟମରେ ଯେକୌଣସି ପ୍ରଶ୍ନର ଉତ୍ତର ଦିଅନ୍ତି ରୀତା ଆକ୍କା, ଆଉ ତାପରେ ସାମାନ୍ୟ ସ୍ମିତ ହାସ୍ୟ ବି ଦିଅନ୍ତି

ରୀତାଙ୍କ ଅନେକ ସାଥୀ କୁକୁରମାନଙ୍କ ମଧ୍ୟରୁ ଗୋଟିଏ କୁକୁର, ଯେ ପ୍ରତିଦିନ କାମ ସାରି ଆସିବା ବେଳକୁ ତାଙ୍କୁ ଅପେକ୍ଷା କରିଥାଏ

ସେ ତାଙ୍କ ସାମାନ୍ୟ ରୋଜଗାରର ଏକ ବଡ଼ ଭାଗ ଏହି ବୁଲା କୁକୁର ବିଲେଇମାନଙ୍କ ଲାଗି ଖାଦ୍ୟ କିଣିବାରେ ଖର୍ଚ୍ଚ କରିଥାନ୍ତି, ଯଦିଓ ସେ ଏ ସଂପର୍କରେ ବିଶେଷ କିଛି କହି ନଥାନ୍ତି

ବୁଲା କୁକୁରମାନଙ୍କ ସହ ଖେଳି ସେ ନିଜର ସମୟ କଟାଇଥାନ୍ତି, ଏମାନେ ତାଙ୍କ ଆଖପାଖରେ ସବୁବେଳେ ଘୂରି ବୁଲନ୍ତି, ଏମାନଙ୍କ ସହ କଥା ହୋଇ ସେ ଢେର ସମୟ କଟାଇଥାନ୍ତି

ଏହି ସାଥୀ ପଶୁମାନଙ୍କ ମଧ୍ୟରେ ସେ ନିଜ ଜୀବନର ଉଦ୍ଦେଶ୍ୟ ଖୋଜି ପାଇଛନ୍ତି। ଏଥିରୁ ସେ ଯେଉଁ ଶାନ୍ତି ପାଆନ୍ତି, ତା ବଦଳରେ ଏମାନଙ୍କ ଲାଗି ସେ କରୁଥିବା ଖର୍ଚ୍ଚ କିଛି ନୁହେଁ


ନିଜ ହାତ ଓ ଠାର ମାଧ୍ୟମରେ, ସେ ଯାହା କହିବାକୁ ଚାହାନ୍ତି ତାହା ଜଣାନ୍ତି


ବାମ-ନିଜ ପଡ଼ୋଶୀଙ୍କ ସହ ରୀତା ଆକ୍କା। ଡାହାଣ- ହାଉସିଂ କ୍ୱାର୍ଟର୍ସରେ ଥିବା ନିଜ ଘରେ

ରୀତା ଆକ୍କାଙ୍କ ଘରେ ଥିବା ଏକ ଛୋଟ ବନ୍ଧେଇ ଫୋଟୋ, ଯେଉଁଥିରେ ରହିଛି ଶୁଭକାମନା

ନିଜ ଘରେ ରୀତା ଆକ୍କା। ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରଠୁ ସେ ସଂପୂର୍ଣ୍ଣ ଏକା, କିନ୍ତୁ ସେ ନିଜ ନିଃସଙ୍ଗତା ଆଗରେ ହାର ମାନିନାହାନ୍ତି

ପ୍ରତି ସଂଧ୍ୟାରେ ନିଜର ନିଃସଙ୍ଗ ଘରକୁ ସେ ଫରନ୍ତି
