PHOTO • Namita Waikar

ଦଶହରା ଦିନ ଛାତ୍ରଛାତ୍ରୀଗଣ

ଆଜି ଦଶହରା ଏବଂ ସକାଳେ ପୂଜା ଓ ପ୍ରାର୍ଥନା ଗାନ ପାଇଁ ସ୍କୁଲ୍‌ର ମୁଖ୍ୟ କକ୍ଷରେ ଏକତ୍ର ହୋଇଛନ୍ତି ଛାତ୍ରଛାତ୍ରୀମାନେ ।

ତାମିଲନାଡୁର କାଞ୍ଚିପୁରମ୍‌ ଜିଲ୍ଲାରେ ନାଟ୍ୟକଳାର ଏକ ଆବାସିକ ବିଦ୍ୟାଳୟ ହେଉଛି କଟ୍ଟାଇକୁଟ୍ଟୁ ଗୁରୁକୁଳମ୍‌। ଏଠାରେ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସ୍କୁଲ୍‌ ଶିକ୍ଷା ସହିତ ରାଜ୍ୟର ଏକ ପ୍ରଚଳିତ ଗ୍ରାମୀଣ ନାଟ୍ୟକଳା, କଟ୍ଟାଇକୁଟ୍ଟୁରେ ପ୍ରଶିକ୍ଷଣ ଦିଆଯାଏ । ଅଧିକାଂଶ ପିଲା ଦୁଃସ୍ଥ ଏବଂ ଅର୍ଥନୈତିକ ଭାବେ ବଞ୍ଚିତ ପରିବାରରୁ ଆସିଛନ୍ତି ।

ସ୍କୁଲ୍‌ ସମୟ ସକାଳ ୭.୩୦ରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ । ଶ୍ରେଣୀଗୁଡ଼ିକରେ ଗୋଟିଏ ପରେ ଗୋଟିଏ କରି ଆନୁଷ୍ଠାନିକ ଶିକ୍ଷା, କଟ୍ଟାଇକୁଟ୍ଟୁ ତାଲିମ ଏବଂ ସଂଗୀତ ଶିକ୍ଷା ପ୍ରଦାନ କରାଯାଏ । ଚେନ୍ନାଇରୁ ପ୍ରାୟ ୮୫ କିଲୋମିଟର ଏବଂ କାଞ୍ଚିପୁରମ୍‌ ସହରରୁ ଅଟୋରିକ୍ସାରେ ଗଲେ ୩୫ ମିନିଟ୍‌ର ଦୂରତାରେ ଥିବା ପୁଞ୍ଜାରାସାନ୍ତାଙ୍କଲ ଗାଁର ସବୁଜିମା ଘେରରେ ରହିଛି ଏହି ସ୍କୁଲ୍‌। ଅନ୍ୟ ଯେ କୌଣସି ସ୍କୁଲ୍‌ ଭଳି ଏଠାରେ ଛାତ୍ରଛାତ୍ରୀମାନେ ସକାଳ ବେଳା ଶ୍ରେଣୀକୁ ଯାଆନ୍ତି ଏବଂ ଅପରାହ୍ଣରେ ଦଳଗତ ଖେଳ ଖେଳନ୍ତି ।

PHOTO • Namita Waikar

ଶନିବାର ଅପରାହ୍‌ଣରେ ଖୋ-ଖୋ ଖେଳ

ଏହି ସ୍କୁଲ୍‌ ଏଥିପାଇଁ ଭିନ୍ନ ଯେ, ଏଠାରେ କଟ୍ଟାଇକୁଟ୍ଟୁ କଳାକାର ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ । ସେମାନେ ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜାଇବା, ନୃତ୍ୟ, ଅଭିନୟ ଓ ମଞ୍ଚ ଉପରେ କଳା ପ୍ରଦର୍ଶନ ଶିଖନ୍ତି । ସେମାନେ ମଧ୍ୟ ଏଠାରେ ମେକ୍‌ଅପ୍‌ କରିବା ଏବଂ ମହାକାବ୍ୟ ରାମାୟଣ ଓ ମହାଭାରତର କୌଣସି କାହାଣୀ ଉପରେ ଆଧାରିତ ନାଟକର ବିଭିନ୍ନ ଚରିତ୍ର ପାଇଁ ମୁହଁରେ ରଙ୍ଗ ଲଗାଇବା ଶିଖନ୍ତି ।

PHOTO • Namita Waikar

ପି. ଶିବକୁମାର ମୁକବୀଣାଇ ବଜାଉଛନ୍ତି

ପାରମ୍ପରିକ କଟ୍ଟାଇକୁଟ୍ଟୁରେ କେବଳ ପୁରୁଷ ଅଭିନେତା ଅଂଶଗ୍ରହଣ କରୁଥିବା ବେଳେ ଏହି ସ୍କୁଲ୍‌ରେ, ଝିଅମାନଙ୍କୁ ମଧ୍ୟ ଏହି କଳା ପ୍ରଶିକ୍ଷଣ ଦିଆଯାଏ । ଉଭୟ ପୁଅ ଓ ଝିଅମାନେ ସବୁ ଲିଙ୍ଗର ଚରିତ୍ରରେ ଅଭିନୟ କରନ୍ତି ।

ଏହି ସ୍କୁଲ୍‌ରେ ଭାବପ୍ରକାଶ କଳା ଉପରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇଥିବା ମହିଳାମାନଙ୍କର ଏକ ଦଳ ମହାଭାରତର ଏକ ପରିଚ୍ଛେଦ ଉପରେ ଶିକ୍ଷକ ଓ ପିଲାମାନେ ଅଭିନୟ କରୁଥିବା ଦେଖନ୍ତି । ୯ମ ଶ୍ରେଣୀର କେ. ଶିବରଞ୍ଜନୀ ସର୍ବକନିଷ୍ଠ କୌରବ ବିକର୍ଣ୍ଣ ଭୂମିକାରେ ଅଭିନୟ କରନ୍ତି । କେବଳ ବିକର୍ଣ୍ଣ ହିଁ ଦ୍ରୌପଦୀଙ୍କୁ ରକ୍ଷା କରିବାକୁ ନିଜ ଭାଇମାନଙ୍କର ବିରୋଧ କରିଥିଲେ ।

“ଜଣେ ପୁରୁଷ ଭୂମିକାରେ ଅଭିନୟ କରି ସେ କେମିତି ଅନୁଭବ କରୁଥିଲେ ?” ସେ କହନ୍ତି, “ମୁଁ ସାମାନ୍ୟ ଡରି ଯାଇଥିଲି, କାରଣ ଦର୍ଶକମାନଙ୍କ ଆଗରେ ଏହା ମୋର ପ୍ରଥମ ଅଭିନୟ ।”

PHOTO • Namita Waikar

ସର୍ବକନିଷ୍ଠ ଏବଂ ଦ୍ରୌପଦୀଙ୍କ ରକ୍ଷା ପାଇଁ ମୁହଁ ଖୋଲିଥିବା ଏକମାତ୍ର କୌରବ ବିକର୍ଣ୍ଣ ଭୂମିକାରେ କେ.ଶିବରଞ୍ଜନୀ

ଦଶହରା ଦିନ ପୂଜା ଓ ପ୍ରାର୍ଥନା ଗାନ ପରେ ସ୍କୁଲ୍‌ର ପ୍ରମୁଖ ଶିକ୍ଷକ ଏବଂ ସଂସ୍ଥାପକ ପି. ରାଜଗୋପାଳ ଏକ ସଂକ୍ଷିପ୍ତ ଅଭିଭାଷଣ ଦିଅନ୍ତି। ଛାତ୍ରଛାତ୍ରୀମାନେ ମନଧ୍ୟାନ ଦେଇ ଶୁଣନ୍ତି ।

PHOTO • Namita Waikar

ଦଶହରା ଦିନ ଶିକ୍ଷକଙ୍କ ଅଭିଭାଷଣ ଶୁଣୁଛନ୍ତି ଜଣେ ଛାତ୍ର

ମଧ୍ୟାହ୍ନ ଭୋଜନରେ ଆୟୋଜିତ ଏକ ବିଶେଷ ଭୋଜି ପରେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ମହାଭାରତରୁ ଆନୀତ ଦ୍ରୌପଦୀ କୁରାଭାଞ୍ଚି ନାଟକ ପ୍ରଦର୍ଶନର ସମୟ ଏବଂ ଏଥିପାଇଁ କଳାକାରମାନଙ୍କ ମୁହଁରେ ରଙ୍ଗ ମାଖିବା ହେଉଛି ପ୍ରଥମ କାମ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ମେକ୍‌ଅପ୍‌ କଳାକାରମାନେ ଅଭିନୟକାରୀଙ୍କୁ ପ୍ରସ୍ତୁତ କରନ୍ତି । ଘଣ୍ଟାଏ କାଳ ଚାଲୁଥିବା ମେକ୍‌ଅପ୍‌ ସମୟରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ଧୈର୍ଯ୍ୟ ଓ ନିଷ୍ଠାକୁ ସ୍ପଷ୍ଟ ବୁଝିହୁଏ। ପ୍ରଥମେ ସେମାନେ ମୁହଁରେ ଫାଉଣ୍ଡେସନ୍‌ ଲେୟାର ଲଗାନ୍ତି । ଏହି ନାଟକ ପ୍ରଦର୍ଶନ ନିମନ୍ତେ ଏହା ଝିଅମାନଙ୍କ ପାଇଁ ସବୁଜ ଏବଂ ପୁଅମାନଙ୍କ ପାଇଁ ଗୋଲାପି ରଙ୍ଗ । ତା’ପରେ ଆଖି, ଆଖିପତା, ଓଠ, ନିଶ, କପାଳ, ଗାଲ ଓ ହନୁହାଡ଼ର ଧାରରେ ରଙ୍ଗ ମଖାଯାଏ ।

PHOTO • Namita Waikar

କଳାକାରଙ୍କ ମୁହଁରେ ରଙ୍ଗମଖା

PHOTO • Namita Waikar

ଭାରତୀଙ୍କ ମୁହଁରେ ରଙ୍ଗ ମାଖୁଥିବା ଏସ୍‌.ଶ୍ରୀମତୀ

ମେକ୍‌ଅପ୍‌ କଳାର କୌଶଳ ଓ ଜଟିଳତାକୁ ଶିଖିବା ପାଇଁ କେତେକ ଅଳ୍ପବୟସ୍କ ଛାତ୍ରଛାତ୍ରୀ ଏକାଗ୍ର ଚିତ୍ତରେ ଚାହିଁ ରହନ୍ତି ।

PHOTO • Namita Waikar

ମୁହଁରେ ରଙ୍ଗମାଖିବା କଳାର ସୂକ୍ଷ୍ମ ଦିଗ ଶିଖୁଥିବା ଜଣେ କିଶୋର ଛାତ୍ର

ମୁହଁ ଓ ମୁଣ୍ଡ ସଜେଇବା କାମ ସରିବା ପରେ ହଲ୍‌ରୁ ବାହାରି ତାଙ୍କ ପରିଧାନ ପାଇଁ ଯାଆନ୍ତି ଏନ୍‌.କାର୍ତି।

PHOTO • Namita Waikar

ମୁହଁ ଓ ମୁଣ୍ଡ ସଜେଇବା ସରିଲା

କୌରବ ଭ୍ରାତାମାନଙ୍କ ମଧ୍ୟରେ ଦ୍ୱିତୀୟ ଦୁଃଶାସନର ଜ୍ୱଳନ୍ତ ଅଭିନୟ ଭଳି ପରିଧାନ ବି ବେଶ୍‌ ରଙ୍ଗିନ୍‌ ।

PHOTO • Namita Waikar

ଏକ ଜ୍ୱ ଳନ୍ତ ଅଭିନୟ ଏବଂ ପରିଧାନ

PHOTO • Namita Waikar

ଦୁଃଶାସନ ଭୂମିକାରେ ଏନ୍‌.କାର୍ତି

PHOTO • Namita Waikar

କୁରତ୍ତି ନାମ୍ନୀ ଜଣେ କୃଷ୍ଣକାୟ ମହିଳାର ବେଶଧାରଣ କରିଥିବା ଦ୍ରୌପଦୀ ଭୂମିକାରେ ଏ. ଭାରତୀ

ସାରା ରାତି ଚାଲୁଥିବା କଟ୍ଟାଇକୁଟ୍ଟୁ ନାଟକ ଗାଁଗୁଡ଼ିକରେ ମଞ୍ଚସ୍ଥ ହୁଏ । ହାସ୍ୟରସ ବିନା କୌଣସି ପ୍ରଦର୍ଶନ ପୂର୍ଣ୍ଣାଙ୍ଗ ନୁହେଁ । ବିଦୂଷକ ଏହି ନାଟ୍ୟରୂପର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କାରଣ, ସେମାନେ ହାସ୍ୟରସର ଆବରଣରେ ଚମକପ୍ରଦ ଉପାଦାନ ପ୍ରଦାନ କରନ୍ତି । ସେମାନେ ବ୍ୟଙ୍ଗ କରନ୍ତି, ନାଟକରେ ବାର୍ତ୍ତାଳାପଜରିଆରେ ସମୟୋପଯୋଗୀ ପ୍ରସଙ୍ଗ ଉଠାନ୍ତି ଏବଂ କ୍ଷମତାସଂପନ୍ନ ଓ ଗରିବଙ୍କୁ ଏକାଠି ତଉଲିବା ସହିତ ଏକ ଦୁର୍ବଳ ସାମାଜିକ ସ୍ଥିତିରେ ରହିସବଳ ବର୍ଗକୁ ପରିହାସ କରନ୍ତି । ସେମାନେ ବୀରତ୍ୱର ଗାଥା ସହିତ ଗ୍ରାମୀଣ ଦର୍ଶକଙ୍କ ଜୀବନଧାରାକୁ ସଂଯୋଗ କରି କାହାଣୀ ପ୍ରବାହରେ ସେମାନଙ୍କୁ ସାମିଲ କରନ୍ତି । ବିଦୂଷକମାନେ ସାରା ରାତିଚାଲୁଥିବା ନାଟକର କାହାଣୀରେ ଥିବା ଗମ୍ଭୀର ଓ ନିରସ ଉପାଦାନରୁ ଦର୍ଶକମାନଙ୍କୁ ନିଷ୍କୃତି ଦିଅନ୍ତି ।

PHOTO • Namita Waikar

ବିଦୂଷକ ଭୂମିକାରେ ଏ.ଭେଲାନ, ପଛରେ ବସିଛନ୍ତି ପ୍ରମୁଖ ଶିକ୍ଷକ ପି. ରାଜଗୋପାଲ

PHOTO • Namita Waikar

ହାସ୍ୟାଭିନେତା (ଏମ୍‌.ଇନ୍‌ବାରାସନ୍‌)ଙ୍କ ଦରଜ ହାତରେ ଔଷଧ ଲଗାଉଛନ୍ତି କୁରତ୍ତି ରୂପରେ ଥିବା ଦ୍ରୌପଦୀ

ବିଦୂଷକଙ୍କ ଢଙ୍ଗଢ଼ାଙ୍ଗ ବାଦ୍ୟକାରମାନଙ୍କୁ ବି ହସାଇଥାଏ ।

PHOTO • Namita Waikar

ମନଖୋଲି ହସୁଛନ୍ତି ହାର୍‌ମୋନିୟମ୍‌ ବାଦକ ଆର୍‌.ବାଲାଜୀ ଏବଂ ମୁକବୀଣାଇ ବାଦକ ପି.ଶଶିକୁମାର

ଏକସ୍ୱରରେ ଗୀତ ଗାଇବା କଟ୍ଟାଇକୁଟ୍ଟୁର ଏକ ଅଂଶ । ଅନେକ ଛାତ୍ରଛାତ୍ରୀ ଗୀତ ଗାଇବାକୁ ଆସନ୍ତି ଏବଂ ଅନ୍ୟ କେତେକ ହାର୍‌ମୋନିୟମ୍‌, ମୁକବୀଣାଇ ଏବଂ ମୃଦଙ୍ଗମ୍‌ ବଜାନ୍ତି ।

PHOTO • Namita Waikar

ଭାରତୀ ଓ ଶିବରଞ୍ଜନୀ : ନିଖୁଣ ସମ ନ୍ୱ ୟରେ ଗାୟନ

ଅନୁବାଦ: ଓଡ଼ିଶାଲାଇଭ୍‍

Namita Waikar
namita.waikar@gmail.com

Namita Waikar is a writer, translator and Managing Editor at the People's Archive of Rural India. She is the author of the novel 'The Long March', published in 2018.

Other stories by Namita Waikar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE