ମଦୁରାଇରେ ଆମ ଘର ସାମ୍ନାରେ ଗୋଟିଏ ବତୀଖୁଣ୍ଟ ଅଛି ଯାହା ସହିତ ମୋର ଅନେକ ସ୍ମରଣୀୟ ଆଳାପ ଆଲୋଚନା ରହିଛି । ମୋର ସେହି ରାସ୍ତାକଡ଼ର ଆଲୋକ ସହିତ ଏକ ବିଶେଷ ସମ୍ପର୍କ ରହିଛି । ଅନେକ ବର୍ଷ ଧରି, ମୁଁ ସ୍କୁଲ୍ ପାଠ ପଢ଼ା ଶେଷ କରିବା ପର୍ଯ୍ୟନ୍ତ, ଆମ ଘରେ ବିଦ୍ୟୁତ୍ ନଥିଲା । ୨୦୦୬ରେ ଯେତେବେଳେ ଆମେ ବିଦ୍ୟୁତ୍ ପାଇଲୁ ଏହା ଆମର ୮ x ୮ ଫୁଟ ଘର ପାଇଁ ଥିଲା ଯେଉଁ ଘରେ ଆମେ ସେ ସମୟରେ ରହୁଥିଲୁ । ଗୋଟିଏ ମାତ୍ର କୋଠରୀ, ଯେଉଁଥିରେ ଆମେ ପାଞ୍ଚ ଜଣ ରହୁଥିଲୁ, ଏହା ମୋତେ ସେହି ରାସ୍ତା କଡ଼ର ଆଲୋକ ଆଡ଼କୁ ଅଧିକ ଆକର୍ଷିତ କରିଥିଲା ।
ମୋ ପିଲା ଦିନେ ଆମେ ବାରମ୍ବାର ଘର ବଦଳାଇଥିଲୁ, ଗୋଟିଏ କୁଡ଼ିଆରୁ ମାଟି ଘର, ଗୋଟିଏ ଭଡ଼ା କୋଠରୀ, ତା’ ପରେ ୨୦ x୨୦ ଫୁଟ ଘର ଯେଉଁଠାରେ ଆମେ ଏବେ ରହୁଛୁ । ଯାହାକୁ ମୋ ପିତାମାତା ୧୨ ବର୍ଷ ଧରି ଇଟା ଉପରେ ଇଟା ଯୋଡ଼ି ତିଆରି କରିଛନ୍ତି । ହଁ, ସେମାନେ ଜଣେ ରାଜମିସ୍ତ୍ରୀଙ୍କୁ କାମ କରିବାକୁ ଦେଇଥିଲେ କିନ୍ତୁ ଏଥିରେ ସେମାନଙ୍କର ନିଜର କଠିନ ପରିଶ୍ରମ ନିହିତ ଥିଲା । ଆମେ ସେହି ଘରକୁ ଚାଲି ଯାଇଥିଲୁ ଯେତେବେଳେ ଏହା ତିଆରି ଚାଲିଥିଲା । ଆମର ସବୁ ଘର ସେହି ବତୀଖୁଣ୍ଟ ନିକଟରେ କିମ୍ବା ଏହା ଦେଖାଯାଉଥିବା ସ୍ଥାନରେ ଥିଲା । ମୁଁ ଚେ ଗୁଭେରା, ନେପୋଲିଅନ୍, ସୁଜାତା, ଅନ୍ୟ ବହିଗୁଡ଼ିକ ଏହାର ଆଲୋକର ବଳୟ ମଧ୍ୟରେ ବସି ପଢ଼ିଥିଲି ।
ଏପରିକି ଏବେବି ସେହି ବତୀଖୁଣ୍ଟ ଏହି ଲେଖାର ସାକ୍ଷୀ ।
*****
କରୋନା ଯୋଗୁଁ ମୁଁ ମୋ ମାଆ ସହିତ ଦୀର୍ଘ ଦିନ ପରେ ଅନେକ ଭଲ ଦିନ କଟାଇ ପାରିଥିବାରୁ ଏହାକୁ ଧନ୍ୟବାଦ । ମୁଁ ୨୦୧୩ରେ ମୋର ପ୍ରଥମ କ୍ୟାମେରା କିଣିବାଠାରୁ, ମୁଁ ଘରେ କମ୍ରୁ କମ୍ ସମୟ କଟାଇଛି । ମୋ ସ୍କୁଲ୍ ଦିନମାନଙ୍କରେ ମୋର ମନୋଭାବ ଭିନ୍ନ ଥିଲା ଏବଂ ପୁଣି ମୋ କ୍ୟାମେରା ପାଇବା ପରେ ଆଉ ଏକ ଭିନ୍ନ ମନୋଭାବ ବିକଶିତ ହୋଇଥିଲା। କିନ୍ତୁ ଏହି ମହାମାରୀ ସମୟ ଏବଂ କୋଭିଡ୍ ଲକ୍ଡାଉନ୍ରେ ମୁଁ ମୋ ମାଆ ସହିତ ଘରେ ମାସ ମାସ ସମୟ କଟାଇଲି। ଏହା ପୂର୍ବରୁ ମୁଁ ତା’ ସହିତ ଏତେ ସମୟ କଟାଇବାକୁ ପାଇନଥିଲି ।


ବାମ : ମୋର ମା ଓ ତାଙ୍କ ବନ୍ଧୁ ମଲାର ମଦୁରାଇର ମାଛ ବଜାରକୁ ଯିବାକୁ ବସ୍ ପାଇଁ ଅପେକ୍ଷା କରିଛନ୍ତି । ଡାହାଣ : ବେଳେବେଳେ ମୋର ବାପା ପୋଖରୀରୁ ମାଛ ଧରି ତାଙ୍କ ସାଇକେଲ୍ରେ ମୋ ମା’ବିକ୍ରି କରିବା ପାଇଁ ଆଣି ଦିଅନ୍ତି
ମୋର ମନେ ନାହିଁ ଆମ୍ମା କେବେ ଗୋଟିଏ ସ୍ଥାନରେ ବସି ରହିବା, କେବେବି ନୁହେଁ । ସେ ସବୁବେଳେ କିଛିନା କିଛି କାମ କରୁଥାଏ । କେଇ ବର୍ଷ ହେବ ତା’ର ଗଣ୍ଠିବାତ ଆରମ୍ଭ ହେବା ପରେ, ତା’ର ଚଳପ୍ରଚଳ ସୀମିତ ହୋଇଗଲା । ମୋ ଉପରେ ଏହାର ଏକ ଗଭୀର ପ୍ରଭାବ ଥିଲା । ମୁଁ ମୋ ମାଆକୁ ଏପରି କେବେ ଦେଖିନଥିଲି ।
ଏହା ତା’କୁ ମଧ୍ୟ ବହୁତ ବ୍ୟସ୍ତ କରୁଥିଲା । ଯେତେବେଳେ ସେ କୁହେ: ‘‘ଏ ବୟସରେ ମୋ ଅବସ୍ଥା ଦେଖ୍, ଏବେ ମୋ ପିଲାମାନଙ୍କ କଥା କିଏ ବୁଝିବ? କୁମାର, ମୋ ଗୋଡ଼କୁ ପୁଣି ଠିକ୍ କରିଦେ।’’ ମୁଁ ଦୋଷୀ ଅନୁଭବ କରେ । ମୋତେ ଲାଗେ ମୁଁ ତା’ର ଭଲ ଯତ୍ନ ନେଇନି ।
ମୋ ମାଆ ବିଷୟରେ କହିବାକୁ ଅନେକ କିଛି ଅଛି । ପ୍ରକୃତ କଥା ହେଉଛି ମୁଁ ଜଣେ ଫଟୋଗ୍ରାଫର୍ ହେଲି, ମୁଁ ଯେଉଁ ଲୋକମାନଙ୍କୁ ଭେଟିଲି, ମୁଁ ଯାହା ହାସଲ କଲି – ଏହାର ପ୍ରତିଟି ପଛରେ ମୁଁ ମୋ ବାପାମାଆଙ୍କ ହାଡ଼ଭଙ୍ଗା ପରିଶ୍ରମ ଦେଖେ। ବିଶେଷକରି ମୋ ମାଆର; ତା’ର ଯୋଗଦାନ ଖୁବ୍ ଅଧିକ ।
ଆମ୍ମା ପ୍ରାୟ ସକାଳ ୩ଟା ବେଳକୁ ଉଠିପଡ଼େ ଏବଂ ମାଛ ବିକିବା ପାଇଁ ଘରୁ ବାହାରେ। ସେ ସେହି କଷ୍ଟକର ସମୟରେ ମୋତେ ଉଠାଏ ଏବଂ ପଢ଼ିବାକୁ କୁହେ । ତାହା ତା’ ପାଇଁ ଏକ କଷ୍ଟକର କାମ ଥିଲା । ସେ ଯିବା ପର୍ଯ୍ୟନ୍ତ ମୁଁ ସାଧାରଣତଃ ବତୀଖୁଣ୍ଟ ତଳେ ବସେ ଏବଂ ପଢ଼େ । ଥରେ ସେ ଦୃଷ୍ଟିରୁ ବାହାରକୁ ଚାଲିଗଲେ ମୁଁ ଶୋଇବାକୁ ଫେରିଆସେ । ଅନେକ ସମୟରେ ସେହି ବତୀଖୁଣ୍ଟ ମୋ ଜୀବନର ଘଟଣାଗୁଡ଼ିକର ଗୋଟିଏ ସାକ୍ଷୀ ହୋଇଛି ।


ବାମ : ମୋର ମା’ ମାଛ ବିକ୍ରି କରିବାକୁ ମାଛ ବୋଝ ଧରି ବଜାରରେ ବୁଲୁଛନ୍ତି । ଡାହାଣ: ମୋର ମା’ ରାସ୍ତା କଡ଼ରେ ମାଛ ବିକ୍ରି କରୁଛନ୍ତି । ପ୍ରତ୍ୟେକଥର ସରକାର ରାସ୍ତା ସମ୍ପ୍ରସାରଣ କରିବା ପରେ, ସେ ନିଜ ପାଇଁ ଏକ ନୂଆ ବିକ୍ରି କରିବା ସ୍ଥାନ ଖୋଜି ବାହାର କରିବାକୁ ବାଧ୍ୟ ହୁଅନ୍ତି
ମୋ ମାଆ ତିନି ଥର ତା’ ଜୀବନ ନେବାକୁ ଚେଷ୍ଟା କରିଥିଲା । ଏହା ସାଧାରଣ କଥା ନୁହେଁ ଯେ ସେ ସେହି ତିନି ଥର ଯାକ ବଞ୍ଚି ଯାଇଥିଲା ।
ଗୋଟିଏ ଘଟଣା ଅଛି ମୁଁ ଜଣାଇବାକୁ ଚାହେଁ । ଯେତେବେଳେ ମୁଁ ଅତି ଛୋଟ ଥିଲି, ମୋ ମାଆ ରଶି ଦେବାକୁ ଚେଷ୍ଟା କରିଥିଲା । ଠିକ୍ ସେତିକିବେଳେ ମୁଁ ଭୀଷଣ ଜୋର୍ରେ କାନ୍ଦିଲି । ମୋ କାନ୍ଦ ଶୁଣି ପଡ଼ୋଶୀମାନେ କ’ଣ ହେଲା ଦେଖିବା ପାଇଁ ଦୌଡ଼ି ଆସିଲେ । ସେମାନେ ଦେଖିଲେ ମୋ ମାଆ ରଶି ଦେଇଛି ଏବଂ ତା’କୁ ଉଦ୍ଧାର କଲେ । କେତେ ଜଣ କୁହନ୍ତି ସେମାନେ ତା’କୁ କାଢ଼ିବା ବେଳକୁ ତା’ ଜିଭ ବାହାରକୁ ବାହାରି ଆସିଥିଲା । ସେ ଏବେବି କୁହେ, ‘‘ଯଦି ତୁ କାନ୍ଦି ନଥାଆନ୍ତୁ, କେହି ମୋତେ ବଞ୍ଚେଇବାକୁ ଆସିନଥା’ନ୍ତେ ।
ମୁଁ ମୋ ନିଜ ଭଳି ଅନେକ ମାଆଙ୍କର କାହାଣୀ ଶୁଣିଛି – ଯେଉଁମାନେ ନିଜକୁ ମାରିବାକୁ ଚେଷ୍ଟା କରିଛନ୍ତି । ତଥାପି, କୌଣସି ମତେ ସେମାନେ ସାହସ ସଞ୍ଚୟ କରିଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ବଞ୍ଚିଛନ୍ତି । ଯେତେବେଳେ ମୋ ମାଆ ଏ ବିଷୟରେ କୁହେ, ତା’ ଆଖି ଲୁହରେ ଭରିଯାଏ ।
ଥରେ, ମାଆ ଗୋଟିଏ ପାଖ ଗାଁକୁ ଧାନ ରୋଇବାକୁ ଯାଇଥିଲା । ସେ ପାଖରେ ଥିବା ଗୋଟିଏ ଗଛରେ ଏକ ଥୁଲି (ଛୋଟ ପିଲାଙ୍କ ପାଇଁ କପଡ଼ାର ଏକ ଦୋଳି) ବାନ୍ଧିଥିଲା ଏବଂ ମୋତେ ସେଥିରେ ଶୁଆଇ ଦେଇଥିଲା । ମୋ ବାପା ସେଠାକୁ ଆସିଲେ ମୋ ମାଆକୁ ପିଟିଲେ ଏବଂ ମୋତେ ଦୋଳିରୁ ଫିଙ୍ଗି ଦେଲେ । ମୁଁ କିଛି ଦୂରରେ ସେହି ସବୁଜ କ୍ଷେତର କାଦୁଆ ହିଡ଼ରେ ପଡ଼ିଲି ଏବଂ ମୋର ନିଶ୍ୱାସ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିବା ପରି ମନେହେଲା ।
ମୋ ମାଆ ମୋ ଚେତା ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କଲା କିନ୍ତୁ ପାରିଲାନି । ମୋ ଚିଥି, ମାଆର ସାନ ଭଉଣୀ ମୋତେ ଓଲଟାଇ ଧରିଲେ ଏବଂ ମୋ ପିଠିକୁ ଥାପୁଡ଼ାଇଲେ । ସେମାନେ କୁହନ୍ତି ମୁଁ ସାଙ୍ଗେ ସାଙ୍ଗେ ନିଶ୍ୱାସ ନେବା ଏବଂ କାନ୍ଦିବା ଆରମ୍ଭ କଲି । ଯେତେବେଳେ ଆମ୍ମା ଏହି ଘଟଣା ମନେପକାଏ ତା’ର ଦେହ ଶିତେଇ ଯାଏ । ସେ କୁହେ, ମୁଁ ପ୍ରାୟ ମୃତ୍ୟୁରୁ ଉଠିଛି ।


ବାମ : ମୋର ମା’ ରାତି ଉଜାଗର ରହି ତା’ପର ଦିନ ବିକ୍ରି କରିବା ପାଇଁ ମାଛ କିଣିବାକୁ ବଜାରକୁ ଅଟୋରେ ଯାଆନ୍ତି ଓ ସେଠାରେ ସକାଳ ହେବା ପର୍ଯ୍ୟନ୍ତ ତାଜା ମାଛ ଆସିବାକୁ ଅପେକ୍ଷା କରି ରୁହନ୍ତି । ଡାହାଣ: ସେ ପ୍ରାୟତଃ ହସନ୍ତି ନାହିଁ । ଏହା ହେଉଛି ମୋ ପାଖରେ ଥିବା ମୋ ମା’ଙ୍କ ଏକମାତ୍ର ବିରଳ ଓ ଖୁସି ଦେଖାଯାଉଥିବା ଛବି
*****
ଯେତେବେଳେ ମୁଁ ଦୁଇ ବର୍ଷ ବୟସର ହୋଇଥିଲି ସେତେବେଳେ ମୋ ମାଆ ଜମିରେ କାମ କରିବା ଛାଡ଼ି ମାଛ ବିକିବା ଆରମ୍ଭ କରିଥିଲେ । ଏବଂ ତାହା ତା’ ଆୟର ମୁଖ୍ୟ ସ୍ରୋତ ହୋଇଥିଲା ଏବଂ ଏଯାଏଁ ରହିଛି । ମୁଁ ମୋ ପରିବାରର ଗୋଟିଏ ରୋଜଗାରିଆ ସଦସ୍ୟ ମାତ୍ର ଗୋଟିଏ ବର୍ଷ ତଳେ ହୋଇଛି । ସେ ପର୍ଯ୍ୟନ୍ତ, ମୋ ମାଆ ଆମ ପରିବାର ପାଇଁ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲା । ତା’ର ଗଣ୍ଠିବାତ ହେବା ପରେ ବି ସେ ସାଧାରଣତଃ ଔଷଧ ଖାଉଥିଲା ଏବଂ ମାଛ ବିକିବା ଜାରି ରଖିଥିଲା । ସେ ସବୁବେଳେ ଖୁବ୍ ପରିଶ୍ରମୀ ଥିଲା ।
ମୋ ମାଆର ନାମ ହେଉଛି ଥିରୁମାୟୀ । ଗାଁ ଲୋକମାନେ ତା’କୁ କୁପ୍ପି ଡାକନ୍ତି । ମୋତେ ସାଧାରଣତଃ କୁପ୍ପିର ପୁଅ ବୋଲି କୁହାଯାଏ । ଧାନ ବାଛିବା, ଅମଳ କରିବା, କେନାଲ୍ ଖୋଳିବା: ବର୍ଷ ବର୍ଷ ଧରି ସେ ଏହି କାମ ପାଉଥିଲା । ଯେତେବେଳେ ମୋ ଜେଜେବାପା ଲିଜ୍ରେ ଖଣ୍ଡେ ଜମି ନେଲେ ସେତେବେଳେ ସେ ଏକୁଟିଆ ଏଥିରେ ଖତ ବିଞ୍ଚି ଜମିକୁ ଚାଷ ପାଇଁ ପ୍ରସ୍ତୁତ କରିଥିଲା । ଆଜି ପର୍ଯ୍ୟନ୍ତ, ମୁଁ ମୋ ମାଆ ଭଳି କାହାକୁ ଏତେ କଷ୍ଟକର କାମ କରିବା ଦେଖିନି । ମୋ ଆମ୍ମାୟୀ (ଆଈ) ପ୍ରାୟ କୁହନ୍ତି ଆମ୍ମାର ଅନ୍ୟ ନାମ ହେଉଛି କଠିନ ପରିଶ୍ରମ । ମୁଁ ପ୍ରାୟତଃ ଭାବେ ଜଣେ ଏତେ ହାଡ଼ଭଙ୍ଗା ପରିଶ୍ରମ କେମିତି କରିପାରିବ ।
ମୁଁ ଲକ୍ଷ୍ୟ କରେ ସାଧାରଣତଃ ଦିନ ମଜୁରିଆ ଏବଂ ଶ୍ରମିକମାନେ ଅନେକ କାମ କରନ୍ତି – ବିଶେଷକରି ମହିଳାମାନେ। ମୋ ଆଈଙ୍କର ମୋ ମାଆ ସହିତ ୭ଟି ସନ୍ତାନ ଥିଲେ – ୫ ଝିଅ ଏବଂ ୨ ପୁଅ । ମୋ ମାଆ ସବୁଠାରୁ ବଡ଼। ମୋ ଜେଜେବାପା ମଦୁଆ ଥିଲେ, ସେ ନିଜ ଘର ବିକି ସେହି ଅର୍ଥ ମଦରେ ଖର୍ଚ୍ଚ କରିଥିଲେ । ମୋ ଆଈ ସବୁ କିଛି କରିଥିଲେ: ଘର ଚଳାଇଥିଲେ, ତାଙ୍କ ପିଲାମାନଙ୍କର ବିବାହ କରାଇଥିଲେ ଏବଂ ତାଙ୍କ ନାତିନାତୁଣୀଙ୍କ ଯତ୍ନ ମଧ୍ୟ ବୁଝିଥିଲେ।
ମୁଁ ମୋ ମାଆଠାରେ କାମ ପ୍ରତି ସେହି ନିଷ୍ଠା ଦେଖେ। ଯେତେବେଳେ ମୋ ଚିଥି ସେ ପ୍ରେମ କରୁଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହିଁଲେ, ଆମ୍ମା ସାହସର ସହ ଆଗେଇ ଗଲା ଏବଂ ତାଙ୍କୁ ବିବାହରେ ସାହାଯ୍ୟ କଲା। ଥରେ, ଆମେ ଗୋଟିଏ କୁଡ଼ିଆରେ ରହୁଥିବା ବେଳେ ହଠାତ୍ ନିଆଁ ଲାଗିଗଲା। ମୋ ମାଆ ମୋତେ ମୋ ସାନ ଭାଇ ଓ ଭଉଣୀକୁ ଭିଡ଼ି ଆଣିଲା ଏବଂ ଆମକୁ ରକ୍ଷା କଲା। ସେ ସବୁବେଳେ ନିର୍ଭୟା। କେବଳ ମାଆମାନେ ହିଁ ସେମାନଙ୍କ ସନ୍ତାନ ବିଷୟରେ ପ୍ରଥମେ ଚିନ୍ତା କରିପାରିବେ ଏପରିକି ଯେତେବେଳେ ସେମାନଙ୍କ ନିଜ ଜୀବନ ବି ବିପଦରେ ଥାଏ।


ବାମ: ଆମ୍ମା ମାଛ କ୍ରୟ କରିବାକୁ ମାଛ ବଜାର ବାହାରେ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି । ଡାହାଣ: ମୋର ବାଲ୍ୟକାଳରୁ ଆମେ ସବୁବେଳେ ଗୋଟିଏ କାଠ ଚୁଲିରେ ରାନ୍ଧୁଥିଲୁ । ଏଲ୍ପିଜି କନେକ୍ସନ୍ ଆମକୁ ଗତ ଚାରିବର୍ଷ ହେବ ମିଳିଛି । ଆହୁରିମଧ୍ୟ, ଆମେ ଯେଉଁଠାରେ ରହୁଛୁ, ସେ ପାଖାପାଖି ଅଞ୍ଚଳରୁ ବର୍ତ୍ତମାନ ଜାଳେଣିକାଠ ସଂଗ୍ରହ କରିବାକୁ ବହୁତ କଷ୍ଟ ହେଉଛି
ସେ ସାଧାରଣତଃ ଘର ବାହାରେ ଏକ କାଠ ଚୁଲିରେ ପାନିୟାରମ (ପୁର ଦିଆ ପିଠା ଯାହା ମିଠା କିମ୍ବା ଚଟ୍ପଟା ହୋଇପାରେ) ତିଆରି କରେ । ଲୋକମାନେ ପ୍ରାୟ ଆଖପାଖରେ ଠିଆ ହୁଅନ୍ତି; ପିଲାମାନେ ଖାଇବାକୁ ମାଗନ୍ତି । ସେ ସବୁବେଳେ କୁହେ, ‘‘ପ୍ରଥମେ ସମସ୍ତଙ୍କୁ ଦିଅ,’’ ଏବଂ ମୁଁ ପଡ଼ୋଶୀ ପିଲାମାନଙ୍କୁ ସେହି ସ୍ୱାଦିଷ୍ଟ ଖାଦ୍ୟ ବଢ଼େଇଦିଏ ।
ଅନ୍ୟମାନଙ୍କ ପାଇଁ ତା’ର ଚିନ୍ତା ଅନେକ ଉପାୟରେ ପ୍ରତିଫଳିତ ହୁଏ । ଯେତେ ଥର ମୁଁ ମୋର ମୋଟରସାଇକେଲ୍ ଷ୍ଟାର୍ଟ କରେ, ସେ କୁହେ: ‘‘ଯଦି ତୋତେ ବି ଆଘାତ ଲାଗେ ତା’ହେଲେ ଠିକ୍ ଅଛି କିନ୍ତୁ ଦୟାକରି କେବେବି କାହାକୁ ଧକ୍କା କରିବୁନି...’’
ମୋ ବାପା ଦିନେ ବି ପଚାରିନାହାନ୍ତି ସେ ଖାଇଛି ନା ନାହିଁ। ସେମାନେ କେବେବି ଏକାଠି ସିନେମା ଦେଖିବାକୁ କିମ୍ବା ମନ୍ଦିରକୁ ଯାଇନାହାନ୍ତି । ସେ ସବୁବେଳେ କାମ କରୁଥିଲା ଏବଂ ମୋତେ କହୁଥିଲା, ‘‘ଯଦି ତୁ ନଥାନ୍ତୁ ମୁଁ ଅନେକ ଦିନ ତଳୁ ମରିସାରନ୍ତିଣି।’’
ମୁଁ ଗୋଟିଏ କ୍ୟାମେରା କିଣିବା ପରେ, ଯେତେବେଳେ ମୁଁ କାହାଣୀ ସନ୍ଧାନରେ ଯାଏ ମୁଁ ଭେଟୁଥିବା ମହିଳାମାନେ ସବୁବେଳେ କୁହନ୍ତି, ‘‘ମୁଁ ମୋ ପିଲାମାନଙ୍କ ପାଇଁ ବଞ୍ଚିଛି ।’’ ଏବେ ୩୦ ବର୍ଷ ବୟସରେ ମୁଁ ଜାଣେ ଯେ ତାହା ହିଁ ପ୍ରକୃତରେ ସତ ।
*****
ଯେଉଁ ଘରଗୁଡ଼ିକୁ ମାଆ ପ୍ରାୟତଃ ମାଛ ବିକିବା ପାଇଁ ଯାଏ, ସେଠାରେ ସେମାନଙ୍କ ପିଲାମାନେ ଜିତିଥିବା କପ୍ ଏବଂ ମେଡାଲ୍ ସଜା ହୋଇରହିଥାଏ । ମୋ ମାଆ କହୁଥିଲା, ସେ ଚାହୁଁଥିଲା ତା’ ପିଲାମାନେ ବି ଘରକୁ ଟ୍ରଫି ଆଣିବେ । କିନ୍ତୁ ସେତେବେଳେ ମୋ ପାଖରେ ଇଂରାଜୀ ପରୀକ୍ଷାରେ ଫେଲ୍ ହୋଇଥିବା ନମ୍ବର ଥାଏ ତା’କୁ ଦେଖାଇବାକୁ । ସେ ଦିନ ସେ ଭୟଙ୍କର ଭାବରେ ରାଗିଗଲା ଏବଂ ମୋ ଉପରେ ଚିଡ଼ିଗଲା । ସେ ରାଗିକରି କହିଲା, ‘‘ମୁଁ ଗୋଟିଏ ଘରୋଇ ସ୍କୁଲ୍ ପାଇଁ ପଇସା ଦେଉଛି ଏବଂ ତୁ ଇଂରାଜୀରେ ଫେଲ୍ ହେଉଛୁ ।’’


ବାମ : ମୋର ମା’ ପୋଖରୀ ମାଛ କିଣିବାକୁ ଅପେକ୍ଷା କରିରହିଛନ୍ତି । ଡାହାଣ: ଏକ ବଡ଼ ବ୍ୟାଗ୍ରେ ସେ କିଣିଥିବା ଜିନିଷ ସଂଗ୍ରହ କରୁଛନ୍ତି
ତା’ର କ୍ରୋଧ ମୁଁ କେଉଁଥିରେ ସଫଳ ହେବା ପାଇଁ ମୋର ନିଷ୍ପତ୍ତିର ବୀଜ ଥିଲା । ସେହି ପ୍ରଥମ ସଫଳତା ଆସିଲା ଫୁଟ୍ବଲ୍ରେ । ମୁଁ ଗୋଟିଏ କ୍ରୀଡ଼ାରେ ସ୍କୁଲ୍ ଟିମ୍ରେ ସ୍ଥାନ ପାଇବା ପାଇଁ ଦୁଇ ବର୍ଷ ଅପେକ୍ଷା କଲି ଯାହାକୁ ମୁଁ ପ୍ରକୃତରେ ଭଲ ପାଉଥିଲି । ଏବଂ ମୁଁ ଟିମ୍ରେ ଯୋଗ ଦେବାର ପ୍ରଥମ ଖେଳରେ ଆମେ ଗୋଟିଏ ଟୁର୍ଣ୍ଣାମେଣ୍ଟ୍ରେ କପ୍ ପାଇଲୁ । ସେ ଦିନ ଖୁବ୍ ଗର୍ବରେ ମୁଁ ଘରକୁ ଆସିଲି ଏବଂ ତା’ ହାତରେ କପ୍ଟି ଦେଇଦେଲି ।
ଫୁଟ୍ବଲ୍ ମୋ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରିଥିଲା । ମୁଁ ସ୍ପୋର୍ଟସ କୋଟାରେ ହୋସୁର୍ର ଏକ ଇଞ୍ଜିନିୟରିଂ କଲେଜରେ ଯୋଗ ଦେଲି ଏବଂ ସେଠାରୁ ଡିଗ୍ରୀ ଲାଭ କଲି । ଅବଶ୍ୟ, ମୁଁ ଫଟୋଗ୍ରାଫି ପାଇଁ ଇଞ୍ଜିନିୟରିଂ ଛାଡ଼ି ଦେଲି । କିନ୍ତୁ ସହଜ ଭାବରେ କହିବାକୁ ଗଲେ ମୁଁ ଆଜି ଯାହା ତାହା ମୋ ମାଆ ପାଇଁ ।
ମୁଁ ପିଲାଦିନେ ତା’ ସହ ପ୍ରାୟ ବଜାରକୁ ଯାଏ, ସେ ମୋ ପାଇଁ କିଣିଦେଉଥିବା ପାରୁଥିପାଲ୍ ପନିୟାରମ୍ (କପା ମଞ୍ଜି କ୍ଷୀର ଏବଂ ଗୁଡ଼ରେ ତିଆରି ହୋଇଥିବା ମିଠା ପୁର ଦିଆ ପିଠା) ଖାଇବାର ଇଛାରେ ।
ସେହି ନିଦ୍ରାହୀନ ରାତିଗୁଡ଼ିକ ରାସ୍ତା କଡ଼ ପ୍ଲାଟଫର୍ମରେ ମଶା କାମୁଡ଼ାରେ କଟୁଥିଲା, କାରଣ ଆମେ ବଜାରରେ ତାଜା ମାଛ ଆସି ପହଞ୍ଚିବାକୁ ଅପେକ୍ଷା କରୁଥିଲୁ । ଏବେ ମାଛ କିଣିବା ପାଇଁ ସକାଳୁ ଜଲ୍ଦି ଉଠିବା ଅତି ବଡ଼ କଥା ମନେହୁଏ । କିନ୍ତୁ ସେତେବେଳେ ଏହା ଖୁବ୍ ସ୍ୱାଭାବିକ୍ ଥିଲା । ସାମାନ୍ୟ ଲାଭ ପାଇବା ପାଇଁ ଆମକୁ ଶେଷ ଗ୍ରାମ୍ ମାଛ ପର୍ଯ୍ୟନ୍ତ ବିକିବାକୁ ହେଉଥିଲା ।


ବାମ: ମୋ ବାପା ଓ ମା’ ସେମାନଙ୍କର ଏକ ପୁରୂଣା ବିକ୍ରି ସ୍ଥଳରେ ମାଛ ବିକ୍ରି କରୁଛନ୍ତି, ୨୦୦୮ରେ । ଡାହାଣ : କୋଭିଡ୍ ୧୯ ତାଲାବନ୍ଦ ସମୟରେ ଆମେ ରାସ୍ତାକଡ଼ରେ ମାଛ ବିକ୍ରି କରିପାରିନଥିଲୁ ହେଲେ ବର୍ତ୍ତମାନ ପୁଣି ଆରମ୍ଭ କରିଦେଇଛୁ
ମାଆ ମଦୁରାଇ କାରିମେଦୁ ମାଛ ହାଟରୁ ୫ କେଜି ମାଛ କିଣୁଥିଲେ । ସେଥିରେ ସେଗୁଡ଼ିକ ଚାରିପାଖରେ ଥିବା ବରଫର ଓଜନ ମଧ୍ୟ ଥିଲା । ତେଣୁ ମୁଣ୍ଡରେ ଝୁଡ଼ିରେ ସେଗୁଡ଼ିକୁ ରଖି ଛୋଟ ବିକାଳି ଭାବରେ ମଦୁରାଇ ରାସ୍ତାରେ ବୁଲି ବୁଲି ମାଛ ବିକିବା ବେଳକୁ ବରଫ ତରଳି ଯାଉଥିବାରୁ ୧ କିଲୋ ଚାଲିଯାଉଥିଲା ।
ଯେତେବେଳେ ୨୫ ବର୍ଷ ତଳେ ସେ ଏହି କାମ ଆରମ୍ଭ କରିଥିଲା ସେତେବେଳେ ସେ ଦିନକୁ ୫୦ ଟଙ୍କାରୁ ଅଧିକ ଲାଭ କରିପାରୁନଥିଲା । ପରେ ଏହା ୨୦୦-୩୦୦ ଟଙ୍କା ହୋଇଗଲା । ସେ ସମୟ ବେଳକୁ ସେ ବୁଲା ବିକାଳିରୁ ରାସ୍ତା କଡ଼ରେ ନିଜ ମାଛ ଦୋକାନ କରିସାରିଥିଲା । ବର୍ତ୍ତମାନ, ତା’ର ମାସିକ ଆୟ ପାଖାପାଖି ୧୨,୦୦୦ ଟଙ୍କା – ପ୍ରତି ମାସ ସେ ୩୦ ଦିନ ଯାକ କାମ କରେ ।
ଯେତେବେଳେ ମୁଁ ଟିକେ ବଡ଼ ହୋଇଗଲି, ମୁଁ ବୁଝିପାରିଲି ଯେ ସେ ସପ୍ତାହ ସାରା କାରିମେଦୁରେ ଦୈନିକ ୧,୦୦୦ ଟଙ୍କାର ମାଛ କିଣୁଥିଲା, ସେହି ଅର୍ଥରେ ସେ ଯେତିକି ପାଏ । ସପ୍ତାହନ୍ତଗୁଡ଼ିକରେ ତା’ର ବିକ୍ରି ଅଧିକ ଥିଲା ତେଣୁ ସେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାର ବିପଦ ନେଉଥିଲା । ବର୍ତ୍ତମାନ ସେ ଦୈନିକ ୧,୫୦୦ ଟଙ୍କା ନିବେଶ କରେ ଏବଂ ସପ୍ତାହନ୍ତଗୁଡ଼ିକରେ ୫,୦୦୦ – ୬,୦୦୦ ଟଙ୍କା ନିବେଶ କରେ । କିନ୍ତୁ ଆମ୍ମା ଖୁବ୍ କମ୍ ଲାଭ କରେ କାରଣ ସେ ଖୁବ୍ ଦୟାଳୁ । ସେ କେବେହେଲେ ଓଜନରେ ଠକେନି ଏବଂ ଅନେକ ସମୟରେ ଗ୍ରାହକଙ୍କୁ ଅଧିକ ଦେଇଦିଏ ।
ମୋ ମାଆ କାରିମେଦୁରୁ ମାଛ କିଣିବାରେ ଯେଉଁ ଅର୍ଥ ଖର୍ଚ୍ଚ କରେ ତାହା ଜଣେ ସାହୁକାର ପାଖରୁ ଆସେ ଯାହାଙ୍କୁ ସେ ପରଦିନ ପରିଶୋଧ କରିଦିଏ । ଯଦି ସେ ପ୍ରତି ସପ୍ତାହ ଦିନରେ ୧,୫୦୦ ଟଙ୍କା ଧାର କରେ, ଯାହା ସେ କରିଥାଏ, ତା’କୁ ୨୪ ଘଣ୍ଟା ପରେ ତାଙ୍କୁ ୧,୬୦୦ ଟଙ୍କା ପରିଶୋଧ କରିବାକୁ ପଡ଼େ - ଅର୍ଥାତ୍ ଦୈନିକ ୧୦୦ ଟଙ୍କା ସୁଧ ହାର । ଯେହେତୁ ଅଧିକାଂଶ ନେଣଦେଣ ସେହି ସପ୍ତାହରେ ହୋଇଯାଏ ଏହା ଜଣାପଡ଼େନି ଯେ ବାର୍ଷିକ ଭାବରେ ଦେଖିବାକୁ ଗଲେ ଏହି ଧାର ଉପରେ ସୁଧ ୨,୪୦୦ ପ୍ରତିଶତ ଅତିକ୍ରମ କରିଯାଏ ।


ଏଗୁଡିକ ହେଉଛି ପୂର୍ବର ଫଟୋଗୁଡିକ ଯାହା ମୁଁ ମୋ ମା’ (ବାମ) ଓ ବାପା (ଡାହାଣ)ଙ୍କର ୨୦୦୮ରେ ଉଠାଇଥିଲି, ଯେତେବେଳେ ସେମାନେ ଉଭୟ ଆମର ନୂଆ ଘର ତିଆରି କରିବାକୁ କଠିନ ପରିଶ୍ରମ କରୁଥିଲେ । ଏହି ଦୁଇ ଫଟୋ ମୋ ପାଇଁ ସ୍ୱତନ୍ତ୍ର ଯେହେତୁ ମୋର ଫଟୋଗ୍ରାଫି ଯାତ୍ରା ଏଠାରୁ ଆରମ୍ଭ ହୋଇଥିଲା
ଯଦି ସେ ତାଙ୍କଠାରୁ ସପ୍ତାହନ୍ତ ମାଛ କିଣା ପାଇଁ ୫,୦୦୦ ଟଙ୍କା ଧାର ନିଏ ତା’କୁ ସୋମବାର ଦିନ ୫,୨୦୦ ଟଙ୍କା ଫେରାଇବାକୁ ହୋଇଥାଏ । ସପ୍ତାହ ଦିନ ହେଉ ବା ସପ୍ତାହନ୍ତ ପରିଶୋଧରେ ପ୍ରତି ଅତିରିକ୍ତ ଗୋଟିଏ ଦିନ ଖିଲାପୀ ତା’ର ବୋଝ ଉପରେ ଆଉ ୧୦୦ ଟଙ୍କା ଲଦି ଦିଏ । ଏହି ସପ୍ତାହନ୍ତ ଋଣ ବାର୍ଷିକ ୭୩୦ ପ୍ରତିଶତ ସୁଧ ହାରରେ ହୋଇଥାଏ ।
ମୁଁ ମାଛ ହାଟକୁ ଯିବା ମୋତେ ଅନେକ କାହାଣୀ ଶୁଣିବାର ସୁଯୋଗ ଦେଇଥିଲା । ଅନେକ ମୋତେ ବିସ୍ମିତ କରିଦେଇଥିଲା । ମୁଁ ଫୁଟ୍ବଲ୍ ମ୍ୟାଚ୍ଗୁଡ଼ିକରେ ଯେଉଁ କାହାଣୀ ଶୁଣିଥିଲି, ଜଳସେଚନ କେନାଲ୍ରେ ମାଛ ଧରିବା ପାଇଁ ବାପାଙ୍କ ସହିତ ଯିବା ବେଳେ ମୁଁ ଯେଉଁ କାହାଣୀ ଶୁଣିଥିଲି ଏ ସବୁ ଛୋଟ ପରିଦର୍ଶନ ମୋ ଭିତରେ ସିନେମା ଏବଂ ଦୃଶ୍ୟ ମାଧ୍ୟମ ପ୍ରତି ଏକ ଆଗ୍ରହ ସୃଷ୍ଟି କରିଥିଲା । ମୋ ମାଆ ପ୍ରତି ସପ୍ତାହରେ ମୋତେ ଯେଉଁ ପକେଟ୍ ମନି ଦେଉଥିଲା ସେଥିରେ ମୁଁ ଚେ ଗୁଭେରା, ନେପୋଲିଓନ୍ ଏବଂ ସୁଜାତା ବହିଗୁଡ଼ିକ କିଣିଥିଲି ଯାହା ମୋତେ ସେହି ବତୀଖୁଣ୍ଟ ପାଖକୁ ଅଧିକ ଟାଣି ନେଇଥିଲା ।
*****
କୌଣସି ପର୍ଯ୍ୟାୟରେ ମୋ ବାପା ମଧ୍ୟ ଅନେକ ବଦଳିଯାଇଥିଲେ ଏବଂ କିଛି ଉପାର୍ଜନ କରିବାକୁ ଆରମ୍ଭ କରିଥିଲେ । ବିଭିନ୍ନ ଦିନ ମଜୁରୀ କାମ କରୁଥିଲେ, ସେ ମଧ୍ୟ ଛେଳି ପାଳିଥିଲେ । ପ୍ରଥମେ ସେ ସପ୍ତାହକୁ ୫୦୦ ଟଙ୍କା ଆୟ କରୁଥିଲେ । ଏହା ପରେ ସେ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ କାମ କରିବାକୁ ଗଲେ । ବର୍ତ୍ତମାନ ସେ ଦିନକୁ ପ୍ରାୟ ୨୫୦ ଟଙ୍କା ଉପାର୍ଜନ କରନ୍ତି । ୨୦୦୮ରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବୀମା ଯୋଜନାରେ ମୋ ବାପା ମାଆ ଅର୍ଥ ଉଧାର ଆଣିଲେ ଏବଂ ଏବେ ଆମେ ରହୁଥିବା ଘର ତିଆରି କଲେ । ଏହା ଜବାହାରଲାଲ ପୁରମ୍ରେ ରହିଛି, ଏକଦା ଏହା ତାମିଲନାଡ଼ୁରେ ମଦୁରାଇ ବାହାରେ ଏକ ଗାଁ ଥିଲା । ବର୍ତ୍ତମାନ ପ୍ରସାରିତ ହେଉଥିବା ସହର ଦ୍ୱାରା ଆବୃତ୍ତ ହୋଇଥିବା ଏକ ସହର ତଳି ଅଞ୍ଚଳ ପାଲଟିଛି ।
ଆମ ଘର ତିଆରି କରିବାକୁ ମୋ ବାପାମାଆଙ୍କୁ ୧୨ ବର୍ଷ ସମୟ ଲାଗିଥିଲା, ରାସ୍ତାରେ ଅନେକ ସମସ୍ୟାକୁ ସାମ୍ନା କରିବାକୁ ହୋଇଥିଲା । ମୋ ବାପା ଟିକେ ଟିକେ କରି ସଞ୍ଚୁଥିଲେ, କପଡ଼ା ରଙ୍ଗ କରିବା ଫ୍ୟାକ୍ଟ୍ରି ଏବଂ ହୋଟେଲ୍ରେ କାମ କରି, ଗାଈ ଚରାଇ ଏବଂ ଏହିପରି ଭାବରେ । ସେମାନଙ୍କ ସଞ୍ଚୟ ଦ୍ୱାରା ସେମାନେ ମୋତେ ଏବଂ ମୋର ଦୁଇ ଭାଇ ଭଉଣୀଙ୍କୁ ସ୍କୁଲ୍ରେ ପଢ଼ାଇଲେ ଏବଂ ଏଥିସହିତ ଟିକେ ଟିକେ କରି ଘର ତିଆରି କଲେ । ଆମ ଘର ଯାହା ପାଇଁ ସେମାନେ ଏତେ ତ୍ୟାଗ କରିଥିଲେ ତା’ ହେଉଛି ସେମାନଙ୍କ ଦୃଢ଼ତାର ପ୍ରତୀକ ।


ବାମ : ଯେଉଁ ଘର ମୋର ବାପା ମା’ ଅକ୍ଲାନ୍ତ ପରିଶ୍ରମ କରି ନିର୍ମାଣ କରିଥିଲେ, ତାହା ଆମର ପୁରୁଣା ୮ x ୮ ଘରର ଠିକ୍ ପଛରେ ଥିଲା, ଯେଉଁଠାରେ ୨୦୦୮ପର୍ଯ୍ୟନ୍ତ ଆମେ ପାଞ୍ଚଜଣ ରହୁଥିଲୁ । ଡାହାଣ: ମୋର ମା’ ଓ ଜେଜେମା’(ବାମ) ଓ ପିଉସୀ (ଡାହାଣ) ନୂଆ ଘର ପାଇଁ ଟେରାକୋଟା ଟାଇଲ୍ ପକାଉଛନ୍ତି - ଯାହା ମଧ୍ୟକୁ ଆମେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପ୍ରବେଶ କଲୁ
ଯେତେବେଳେ ମୋ ମାଆର ଗର୍ଭାଶୟରେ କିଛି ସମସ୍ୟା ହେଲା ସେ ସରକାରୀ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇଲା । ଆମେ ଏଥିରେ ପ୍ରାୟ ୩୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲୁ । ସେତେବେଳକୁ ମୋର ସ୍ନାତକ ସରିନଥାଏ ଏବଂ ମୁଁ ତା’କୁ ଆର୍ଥିକ ଭାବରେ କୌଣସି ସାହାଯ୍ୟ କରିପାରିଲି ନାହିଁ । ମାଆ ଦାୟିତ୍ୱରେ ଥିବା ନର୍ସ ତା’ର ଠିକ୍ ଯତ୍ନ ନେଲେ ନାହିଁ । ଯେତେବେଳେ ମୋ ପରିବାର ତା’କୁ ଗୋଟିଏ ଭଲ ଡାକ୍ତରଖାନାରେ ଦାଖଲ କରିବାକୁ ଚିନ୍ତା କଲା ସେତେବେଳେ ମୁଁ ସେମାନଙ୍କୁ ସହଯୋଗ ଦେବା ଅବସ୍ଥାରେ ନଥିଲି । କିନ୍ତୁ ମୁଁ ପରିରେ ଯୋଗ ଦେବା ପରେ ସେହି ପରିସ୍ଥିତି ବଦଳିବାକୁ ଆରମ୍ଭ କଲା ।
ପରି ମୋ ଭାଇର ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଖର୍ଚ୍ଚରେ ମଧ୍ୟ ସାହାଯ୍ୟ କରିଥିଲା । ମୁଁ ଆମ୍ମାକୁ ବେତନ ଭାବରେ ପାଉଥିବା ମାସିକ ଆୟ ଦେଇପାରିଲି । ଯେତେବେଳେ ମୁଁ ବିକତାନ୍ ପୁରସ୍କାର ପରି ଅନେକ ପୁରସ୍କାର ପାଇଲି – ଏହା ମୋ ମାଆ ମନରେ ଆଶା ଦେଲା ଯେ ତା’ ପୁଅ ଶେଷରେ କିଛି ଭଲ କରୁଛି । ମୋ ବାପା ତଥାପି ମୋତେ ଚିଡ଼ାନ୍ତି, କୁହନ୍ତି: ‘‘ତୁ ହୁଏତ ପୁରସ୍କାର ଜିତୁଛୁ କିନ୍ତୁ ଘରକୁ ଭଲ ରୋଜଗାର ଆଣିବାକୁ ସମର୍ଥ ହୋଇଛୁ କି?’’
ସେ ଠିକ୍ କହୁଥିଲେ । ଯଦିଓ ମୁଁ ୨୦୦୮ରୁ ମୋ ଦାଦା ଏବଂ ସାଙ୍ଗମାନଙ୍କଠାରୁ ଧାର ଆଣିଥିବା ମୋବାଇଲ୍ ଫୋନ୍ ବ୍ୟବହାର କରି ଫଟୋ ଉଠାଇବା ଆରମ୍ଭ କରିଥିଲି, ତେବେ ୨୦୧୪ରେ ହିଁ ମୁଁ ମୋ ପରିବାର ଉପରେ ଆର୍ଥିକ ସହଯୋଗ ପାଇଁ ନିର୍ଭର କରିବା ବନ୍ଦ କରିଥିଲି । ସେ ପର୍ଯ୍ୟନ୍ତ ମୁଁ ହୋଟେଲ୍ରେ ବାସନ ମାଜିବା, ବିବାହ ଉତ୍ସବ ଏବଂ ଅନ୍ୟସବୁ କାର୍ଯ୍ୟକ୍ରମରେ ଖାଦ୍ୟ ପରଷିବା ଏବଂ ଏମିତି ଆହୁରି ଅନେକ ଛୋଟମୋଟ କାମ କରୁଥିଲି ।
ମୋ ମାଆକୁ କିଛି ଭଲ ପରିମାଣର ଅର୍ଥ ଦେବା ପାଇଁ ମୋତେ ୧୦ ବର୍ଷ ସମୟ ଲାଗିଗଲା । ଗତ ଦଶକରେ ଆମେ ଅନେକ ସମସ୍ୟାକୁ ସାମ୍ନା କରିଛୁ । ମୋ ଭଉଣୀ ମଧ୍ୟ ଅସୁସ୍ଥ ହୋଇଗଲା । ସେ ଏବଂ ମୋ ମାଆ ଜଣକ ପରେ ଜଣେ ଅସୁସ୍ଥ ହେଲେ, ଡାକ୍ତରଖାନା ଆମର ଦ୍ୱିତୀୟ ଘର ହୋଇଗଲା । ଆମ୍ମା ମଧ୍ୟ ତା’ର ଗର୍ଭାଶୟରେ ଆହୁରି ଅନେକ ସମସ୍ୟାରେ ପୀଡ଼ିତ ହୋଇଥିଲା । କିନ୍ତୁ ଆଜି ପରିସ୍ଥିତି ଅନେକ ଭଲ । ମୁଁ ଏବେ ବିଶ୍ୱାସ କରୁଛି ମୁଁ ମୋ ମାଆ ଓ ବାପାଙ୍କ ପାଇଁ କିଛି କରିପାରିବି । ଜଣେ ଫଟୋ ଜର୍ଣ୍ଣାଲିଷ୍ଟ୍ ଭାବରେ ଶ୍ରମିକ ଶ୍ରେଣୀ ଉପରେ ଯେଉଁ ଡକ୍ୟୁମେଣ୍ଟଗୁଡ଼ିକ କରିଛି ତାହା ସେମାନଙ୍କ ଜୀବନ ଦେଖି ଏବଂ ତାହାକୁ ଜାଣିବା ଦ୍ୱାରା ଅନୁପ୍ରାଣିତ ହୋଇ କରିଛି । ସେମାନଙ୍କର ଦୃଢ଼ତା ହେଉଛି ମୋର ଶିକ୍ଷା । ସେହି ବତୀଖୁଣ୍ଟ ମୋର ଆଲୋକ ହୋଇରହିଛି ।

ମୋର ମା’ ତିନି ତିନି ଥର ନିଜ ଜୀବନ ନେବାକୁ ଚେଷ୍ଟା କରିଥିଲେ । ତିନିଥର ଯାକ ବଞ୍ଜିଯିବା କୌଣସି ସାଧାରଣ କଥା ନୁହେଁ

ଆମ୍ମା କେତେବେଳେ ମଧ୍ୟ ଗୋଟିଏ ସ୍ଥାନରେ ବସିରହୁଥିବା ମୋ ସ୍ମୃତିରେ ନାହିଁ । ସେ ସବୁବେଳେ କିଛି ନା କିଛି କାମ କରୁଥାନ୍ତି । ଏଠାରେ ସେ ତାଙ୍କ କାମ ଶେଷ କରିବା ପରେ ଝରଣାରେ ଏକ ଆଲୁମିନିୟମ ପାତ୍ର ଧୋଉଛନ୍ତି

ମୋର ମା’ ସବୁବେଳେ ଜଣେ ଚାଷୀ ହେବାକୁ ଚାହୁଁଥିଲେ ହେଲେ ତାହା ସମ୍ଭବ ହୋଇପାରିଲାନାହିଁ । ତା’ପରେ ସେ ମାଛ ବିକ୍ରି କରିବା ଆରମ୍ଭ କଲେ ହେଲେ କୃଷି ପ୍ରତି ତାଙ୍କର ଆଗ୍ରହ କେବେ ମଧ୍ୟ ମଳିନ ପଡ଼ିନଥିଲା । ଆମେ ଆମ ଘର ପଛରେ ୧୦ ,ଟି କଦଳୀ ଗଛ ଲଗାଇଛୁ । ସେଥିରୁ କେଉଁ ଗୋଟିଏରେ ଫୁଲ ଆସିଲେ ମଧ୍ୟ ମା’ ଖୁବ୍ ଉତ୍ସାହିତ ହୋଇ ଉଠନ୍ତି । ପ୍ରାର୍ଥନା ଓ ମିଠା ପୋଙ୍ଗଲ ସହିତ ଖୁସି ମନାନ୍ତି

ଗୋଟିଏ ସମୟରେ ମୋର ବାପା ଛେଳି ପାଳନ କାମ ଆରମ୍ଭ କଲେ । ହଁ, ଏହା ଠିକ୍ ଯେ ମୋର ଆମ୍ମା ହିଁ ଛେଳିମାନଙ୍କ କୁଡିଆକୁ ସଫା କରୁଥିଲେ

ମୋର ବାପା ତାଙ୍କ ଚାରିପାଖରେ ପଶୁ ଓ ପକ୍ଷୀ ରହିବାକୁ ଭଲ ପାଆନ୍ତି । ସେ ମାତ୍ର ପାଞ୍ଚ ବର୍ଷରୁ ଜୀବିକାର୍ଜନ ପାଇଁ ଛେଳିମାନଙ୍କୁ ଚରାଇନେବା କାମ ଆରମ୍ଭ କରିଥିଲେ

ଆମ୍ମା ସାଇକେଲ୍ ଓ ମୋଟରବାଇକ୍ ଚଲାଇବାକୁ ଭଲ ପାଆନ୍ତି ହେଲେ, କିପରି ଚଲାଇବେ ଜାଣନ୍ତିନାହିଁ

ସେଇଟା ହେଉଛି ମୁଁ, ଆମ୍ମାକୁ ମାଛ ବିକ୍ରିରେ ସହାଯ୍ୟ କରୁଛି

ମୋର ମା’ଙ୍କ ଆଣ୍ଠୁଗଣ୍ଠି ବାତ ବହୁତ ଯନ୍ତ୍ରଣାଦାୟକ ଓ ସେ ଚାଲିବାବେଳେ ତାଙ୍କୁ ବହୁତ କଷ୍ଟ ହୋଇଥାଏ । ତଥାପି ସେ ରାନ୍ଧିବା ପାଇଁ ଏବେ ମଧ୍ୟ ଜାଳେଣିକାଠ ସଂଗ୍ରହ କରୁଛନ୍ତି । ଏବେ କିନ୍ତୁ ଜାଳେଣିକାଠ ଅଧିକରୁ ଅଧିକ ଦୁର୍ଲଭ ହୋଇଗଲାଣି

ପ୍ରତି ମାସରେ ସେ ତାଙ୍କ ଆଣ୍ଠୁଗଣ୍ଠି ବାତ ପାଇଁ ଟାବ୍ଲେଟ୍ ଆଣିବାକୁ ସରକାରୀ ଡାକ୍ତରଖାନାକୁ ଯାଆନ୍ତି । ସେଗୁଡ଼ିକ ଯୋଗୁ ହିଁ ସେ ସକ୍ରିୟ ରହିବା ସମ୍ଭବ ହୋଇପାରୁଛି । ସେ ଯେତେବେଳେ କୁହନ୍ତି ଯେ: ‘‘ମୋର ଗୋଡ଼ଗୁଡ଼ିକୁ ପୁଣି ପୂର୍ବଭଳି କରିଦେ, କୁମାର” ସେତେବେଳେ ମୁଁ ନିଜକୁ ଦୋଷୀ ମନେକରେ

ମୋର ବାପାଙ୍କର କିଡ୍ନି ଜନିତ ସମସ୍ୟା ଥିଲା, ପ୍ରାୟ ୧୫ ବର୍ଷରୁ ଅଧିକ ସମୟ । ହେଲେ, ତାଙ୍କର ଅପରେସନ୍ କରିବାକୁ ଆମ ପାଖରେ ପଇସା ନଥିଲା । ମୁଁ ପରୀରେ ଚାକିରି ପାଇବା ପରେ ଯାଇ ତାଙ୍କର ଅପରେସନ୍ ପାଇଁ ଆମ ପାଖରେ ପଇସା ହେଲା

ଏହି ଘରେ ଆମେ ବର୍ତ୍ତମାନ ରହୁଛୁ । ଏହାକୁ ନିର୍ମାଣ କରିବାକୁ ୧୨ ବର୍ଷ ଲାଗିଲା, ହେଲେ, ଶେଷରେ ମୋର ମା’ଙ୍କ ସ୍ୱପ୍ନ ସତ୍ୟ ହେଲା

ମୋର ମା’ ସେ ଯେଉଁ ପାତ୍ରରେ ମାଛ ନେଇଥାନ୍ତି, ତାକୁ ଧୋଇ ପରିଷ୍କାର କରିବା ପରେ ଘରକୁ ଫେରିଥାନ୍ତି । ସେ ମତେ ପ୍ରାୟତଃ ଏକ ଆକାଶ ଭଳି ଲାଗନ୍ତି, ତାଙ୍କରି ଭାବନାକୁ ନେଇ ସ୍ୱାଗତ କରୁଛି। ସେ କେବେ ମଧ୍ୟ ନିଜ କଥା ଭାବନ୍ତିନାହିଁ
ଅନୁବାଦ : ଓଡ଼ିଶାଲାଇଭ୍