ଅରୁଣାଚଳ ପ୍ରଦେଶର ଜିରୋ ଉପତ୍ୟକାରେ ରହୁଥିବା ଆପାତନି, ଏ ଅଞ୍ଚଳର ୨୬ଟି ପ୍ରମୁଖ ଜନଜାତି ମଧ୍ୟରୁ ଅନ୍ୟତମ ଏବଂ ଏକ ଉଲ୍ଲେଖନୀୟ ବିଶିଷ୍ଟ ଗୋଷ୍ଠୀ । ସ୍ଥାପତ୍ୟ, କୃଷି, ଶରୀର ସଜ୍ଜା, ଖାଦ୍ୟ ଏବଂ ବାଚନିକ ଇତିହାସର ପରମ୍ପରା- ସବୁଥିରେ ରହିଛି ସେମାନଙ୍କ ସ୍ୱତନ୍ତ୍ର ଚାରିତ୍ରିକ ବୈଶିଷ୍ଟ୍ୟ ।
ଇଟାନଗରଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ସମୁଦ୍ର ପତ୍ତନରୁ ୧,୫୦୦ ଫୁଟ୍ରୁ ଅଧିକ ଉଚ୍ଚତାରେ ଅବସ୍ଥିତ ଜିରୋ ସହର, ଲୋୟର ସୁବାନ୍ସିରି ଜିଲ୍ଲାର ସଦର ମହକୁମା । ସ୍ଥାନୀୟ ଏକ ବେସରକାରୀ ସଂସ୍ଥା ନୁନୁଜିରୋର ଜଣେ କାର୍ଯ୍ୟକର୍ତ୍ତାଙ୍କ ଆକଳନ ଅନୁସାରେ ଏ ଅଞ୍ଚଳରେ ପ୍ରାୟ ୨୬,୦୦୦ ଆପାତନି ବସବାସ କରନ୍ତି ।
ଜାନୁଆରୀରେ ମୁଁ ଜିରୋର ହୋଙ୍ଗ୍ ବସ୍ତି (ଗାଁ)ର ଏକ ଆପାତନି ପରିବାର ସହ କିଛି ଦିନ ପାଇଁ ରହିଥିଲି ।

କାଠପଟା ଉପରେ ବାଉଁଶରେ ନିର୍ମିତ ହୋଙ୍ଗ୍ର ଏକ ଘର

ନାକ, କପାଳ ଓ ଗାଲରେ ପାରମ୍ପରିକ ଚିତା କୁଟାଇଥିବା ହୋଙ୍ଗ୍ ଗାଁର ପ୍ରାୟ ୯୦ ବର୍ଷ ବୟସ୍କା ଆପାତନି ହିବ୍ୟୁ ଏରା । ଆପାତନି ସଂପ୍ରଦାୟର ମହିଳାମାନେ ନାକରେ ଏକ ସ୍ୱତନ୍ତ୍ର ନାକଗୁଣା ପିନ୍ଧନ୍ତି ଯାହାକୁ ୟାପିଂ ହର୍ଲୋ କୁହାଯାଏ । ଏହା ଯୁବାବସ୍ଥାରେ ପ୍ରବେଶକୁ ସୂଚାଉଥିବା ଏକ ପ୍ରଥାର ପ୍ରତୀକ । ଆପାତନି ସଂପ୍ରଦାୟର ଜଣେ କର୍ମୀ ନାରଙ୍ଗ ୟାମାଙ୍ଗ କହନ୍ତି, ଏହି ପ୍ରଥା ସହିତ ସେମାନଙ୍କ ମୁହଁରେ ଗାଢ଼ ଚିତାକୁଟା ସେତେବେଳେ ଏକ ଅବରୋଧକ ରୂପେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରତିପକ୍ଷ ଆଦିବାସୀ ସଂପ୍ରଦାୟ ଆକ୍ରମଣ କରି ମହିଳାମାନଙ୍କୁ ଅପହରଣ କରିନେଉଥିଲେ ଏବଂ ପରେ ସେହି ମହିଳାମାନଙ୍କର ଆଉ ଦେଖା ମିଳୁ ନଥିଲା। ନାରଙ୍ଗ କହନ୍ତି, ନାକର ନୋଲକ ଏବଂ ଚିତାକୁଟାର ଉଦ୍ଦେଶ୍ୟ ଥିଲା ‘ଆମମାନଙ୍କୁ କମ୍ ଆକର୍ଷକ କରିବା (ଆକ୍ରମଣକାରୀଙ୍କ ପାଇଁ)’ । ଶରୀରରଏହି ପରିବର୍ତ୍ତନ ପ୍ରଥା ବିଲୁପ୍ତପ୍ରାୟ ଏବଂ ୧୯୭୦ରୁ ଏହାର ପ୍ରଚଳନ କମିବାରେ ଲାଗିଛି।

ସମ୍ଭବତଃ ସଂପ୍ରଦାୟର ସବୁଠାରୁ ବୟସ୍କା ମହିଳା (ଆପାତନି ଭାଷାରେ ଆନେ) ୯୦ରୁ ଅଧିକ ବର୍ଷର ହିବ୍ୟୁ ତାଗ୍ ହୋଙ୍ଗର ଏକ ସାଧାରଣ ବାଉଁଶ କୁଡ଼ିଆରେ ରହନ୍ତି । ଏଠାକାର ଅଧିକାଂଶ ଘର ପ୍ରାୟ ଏକାଭଳି, ପାରମ୍ପରିକ ଶୈଳୀରେ ଲମ୍ବ ଭାବରେ ରହିଥିବା କାଠପଟା ଉପରେ ନିର୍ମିତ ।

ଫଟୋ ଉଠାଇବା ପାଇଁ ବିନମ୍ରଭଙ୍ଗୀରେ ରହନ୍ତି ହିବ୍ୟୁ ତାଗ୍ । ଯଦିଓ ସେ ହିନ୍ଦୀ କିମ୍ବା ଇଂଲିଶ କହିପାରନ୍ତି ନାହିଁ, ତଥାପି ମୋ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି । ସେ କହନ୍ତି, ‘ମାର୍ଚ୍ଚ ମାସରେ ଆମର ମ୍ୟୋକୋ ଉତ୍ସବକୁ ଆସନ୍ତୁ । ଆମେ ଆପଣଙ୍କୁ ଆମ ପାରମ୍ପରିକ ଖାଦ୍ୟ ସହ ସ୍ଵାଗତ କରିବୁ’

ଆପାତନି ସଂପ୍ରଦାୟର ପୁରୁଷମାନେ ରଖୁଥିବା ଏକ ପାରମ୍ପରିକ ଖଣ୍ଡା ଦେଖାନ୍ତି ତାଲ୍ଲୋ ତାନି । ପ୍ରତିଟି ପରିବାର ପାଖରେ ଏଭଳି ୮-୧୦ଟି ଖଣ୍ଡା ଥାଏ, ଯାହା ଜ୍ଵାଇଁମାନଙ୍କୁ ଯୌତୁକ ରୂପେ ଦିଆଯାଏ

ବନ୍ଧୁକ ସହ ତାଲ୍ଲୋ, ଜଣେ ଆପାତନି ଶିକାରୀ । ୨୦୧୩ର ଏକ ଅଧ୍ୟୟନ ଅନୁସାରେ, ଶିକାର କରିବା ଏକ ସାଂସ୍କୃତିକ ପ୍ରଥା ଏବଂ ଆପାତନିମାନେ ଜୀବିକା ନିର୍ବାହ, ବିକ୍ରି କରିବା ଏବଂ ଔଷଧ ତିଆରି କରିବା ପାଇଁ ହରିଣ, ବାର୍ହା ଏବଂ ପକ୍ଷୀ ଶିକାର କରନ୍ତି । କିନ୍ତୁ ଏହା ଫଳରେ ବର୍ତ୍ତମାନ ସୁଦ୍ଧା ଏଥିରୁ କେତେକ ପ୍ରଜାତିର ଜୀବନ ବିପନ୍ନ ହେଲାଣି

ନଅ ବର୍ଷ ବୟସର ଆପାତନି ଝିଅ ତାକେଲିମୁ (ନୀଳ ଜ୍ୟାକେଟ୍ ପିନ୍ଧିଥିବା) ହୋଙ୍ଗ୍ ଗାଁରେ ଏକ ଭଙ୍ଗା ଅଟୋରିକ୍ସା ଭିତରେ ଖେଳୁଛି

ଜୁନ୍ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପାରମ୍ପରିକ ପ୍ରକ୍ରିୟାରେ ଧାନ ଚାଷ କରନ୍ତି ହିବ୍ୟୁ ଆୟୁମ୍। ଆପାତନିମାନଙ୍କର ସ୍ଵତନ୍ତ୍ର ମାଛଚାଷ ଏବଂ ଦୀର୍ଘକାଳୀନ କୃଷି ପଦ୍ଧତି ଯୋଗୁଁ ୨୦୧୪ଏପ୍ରିଲ୍ରେ ୟୁନେସ୍କୋର ବିଶ୍ଵ ଐତିହ୍ୟସ୍ଥଳୀ ରୂପେ ଜିରୋ ମନୋନୀତ ହୋଇଥିଲା

ପ୍ରତି ବର୍ଷ ଜୁନ୍ ମାସରୁ ପାରମ୍ପରିକ ଚାଷ ଆରମ୍ଭ ହୁଏ

ନାରଙ୍ଗ ତାମ୍ ଏବଂ ୟାମାଙ୍ଗଙ୍କ ଘରେ ମୁଁ ଦୁଇ ରାତି ରହିଲି ଏବଂ ସେମାନେ ମୋତେ ପାରମ୍ପରିକ ଆପାତନି ଖାଦ୍ୟ ପରଷିଲେ । ଭୋଜନରେ ମୁଖ୍ୟ ସାମଗ୍ରୀ ହେଲା ଭାତ। ସାଧାରଣତଃ ଏହା ସହିତ ଥାଏ ମାଂସ (ଘୁଷୁରି, କୁକୁଡ଼ା, ମୂଷା) ଏବଂ ଅନ୍ୟାନ୍ୟ ବ୍ୟଞ୍ଜନ

ଆପାତନିମାନେ ଘରେ ଚାଉଳରୁ ତିଆରି ହୋଇଥିବା ବିଅର୍ ସହିତ ତାପ୍ୟୋବୋଲି କୁହାଯାଉଥିବା ଦେଶୀୟ ଗଛଲତାର ପାଉଁଶରୁ ତିଆରି ଏକ ବିଶେଷ ଧରଣର ଲୁଣ ଦେଇ ପାରମ୍ପରିକ ଢଙ୍ଗରେ ଅତିଥିମାନଙ୍କୁ ସ୍ଵାଗତ କରନ୍ତି

ଆପାତନିମାନେ ସାଧାରଣତଃ ମୂଷା ଖାଇଥାଆନ୍ତି, ଏବଂ ସ୍ଥାନୀୟ ବଜାରରେ ଏହା କିଲୋ ପ୍ରତି ୨୫୦ଟଙ୍କାରେ ବିକ୍ରି ହୁଏ

ଗଳାରେ ପାରମ୍ପରିକ ମାଳିରେ ଗୁନ୍ଥା ହାର ପିନ୍ଧିଥିବା ସଂପ୍ରଦାୟର ଜଣେ କର୍ମୀ (ଆପାତନି ଭାଷାରେ ଗମ୍ବୁରି) ନାରଙ୍ଗ ୟାମାଙ୍ଗ

ହୋଙ୍ଗର ଧାନକ୍ଷେତ ଚାରିକଡ଼ରେ ଜଙ୍ଗଲ ଅଞ୍ଚଳ
ଅନୁବାଦ: ଓଡ଼ିଶାଲାଇଭ୍