ତାଙ୍କର ଡାହାଣ ହାତରେ ଏକ ଖଣ୍ଡା, ତାଙ୍କର ବାମ ହାତରେ ଘୋଡ଼ାର ଏକ ଲଗାମ, ପ୍ରସିଦ୍ଧ ରାଣୀ ବେଲୁ ନାଚିୟାର ଚେନ୍ନାଇରେ ତାମିଲନାଡୁର ଗଣତନ୍ତ୍ରଦିବସ ପରେଡ୍‌ରେ ସବୁଠାରୁ ଅଧିକ ଫଟୋ ଉଠାଯାଇଥିବା-ଏବଂ ସବୁଠାରୁ ଅଧିକ ଆଲୋଚିତ ଐତିହାସିକ ଚରିତ୍ରଙ୍କ ମଧ୍ୟରୁ ଜଣେ ଥିଲେ। ସେ ଗୋଟିଏ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ ହୋଇଥିଲେ ଯେଉଁଥିରେ ଅନ୍ୟ ତାମିଲ ମହାତ୍ମା ଯେମିତିକି ଭି.ଓ. ଚିଦାମ୍ବରମ ପିଲ୍ଲାଇ, ସୁବ୍ରମଣିଆ ଭାରତୀ ଏବଂ ମାରୁଥୁ ଭ୍ରାତାମାନେ ସ୍ଥାନ ପାଇଥିଲେ ।

‘ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁ’କୁ ପ୍ରତିନିଧିତ୍ୱ କରୁଥିବା ଏହି ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ସରକାରଙ୍କ ‘ବିଶେଷଜ୍ଞ’ କମିଟି ଦ୍ୱାରା ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶନ ପାଇଁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏଥିରେ ହସ୍ତକ୍ଷେପ କରିବାକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କ ନିକଟରେ କରିଥିବା ନିବେଦନ ଉପରେ କୌଣସି ଧ୍ୟାନ ଦିଆଗଲା ନାହିଁ । ପରିଶେଷରେ, ଏହା ଚେନ୍ନାଇରେ ରାଜ୍ୟର ନିଜସ୍ୱ ଗଣତନ୍ତ୍ର ଦିବସ ପରେଡ୍‌ରେ ଏକ ବହୁଳ ଲୋକପ୍ରିୟ ଫ୍ଲୋଟ୍‌ ଭାବେ ଚାଲିଲା ।

କେନ୍ଦ୍ରର ‘ବିଶେଷଜ୍ଞ’ କମିଟି ଅନ୍ୟ କଥାଗୁଡ଼ିକ ଛଡ଼ା କହିଥିଲେ ଯେ କେତେକ ଚେହେରା ‘‘ଜାତୀୟ ଦର୍ଶକଙ୍କ ପାଇଁ ଅଜ୍ଞାତ’’ ଥିଲେ । ଅକ୍ଷୟା କ୍ରିଷ୍ଣମୂର୍ତ୍ତି ହୁଏତ ବହୁତ ଅସହମତ ହୋଇପାରନ୍ତି। ସେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି: ବେଲୁ ନାଚିୟାର, ଯିଏ ବ୍ରିଟିଶମାନଙ୍କ ସହିତ ଲଢ଼ିଥିଲେ ଏବଂ ୧୭୯୬ ମସିହାରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଶିବଗଙ୍ଗାଇ(ଏବେ ତାମିଲନାଡୁର ଏକ ଜିଲ୍ଲା)ରେ ଶାସନ କରୁଥିଲେ ।

ସେ କହନ୍ତି, “ମୋ ଜୀବନର ମୋଡ଼ ବଦଳିଗଲା ଯେତେବେଳେ ମୁଁ ଏକାଦଶ ଶ୍ରେଣୀରେ ପଢ଼ିବା ବେଳେ ମୋ ସ୍କୁଲରେ ନୃତ୍ୟ ନାଟିକାରେ ବେଲୁ ନାଚିୟାରଙ୍କର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲି।’’

ଅକ୍ଷୟା କହନ୍ତି, “କିନ୍ତୁ ଏହା କେବଳ ଅଭିନୟ ଏବଂ ନୃତ୍ୟ ନୁହେଁ। ସେ ଗୀତ ଏବଂ ସଂଗୀତ ମାଧ୍ୟମରେ ‘ବୀରାମଙ୍ଗାଇ’ର ଶକ୍ତି ଏବଂ ସାହସ ଅନୁଭବ କଲେ । ବୀରାମଙ୍ଗଇ ରାଣୀଙ୍କୁ କୁହାଯାଏ । ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅକ୍ଷୟା ମନେ ରଖିଛନ୍ତି ଯେ ସେ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଦିନ ଅସୁସ୍ଥ ଥିଲେ ଏବଂ ସେ ଅଭିନୟ କରିବାକୁ ସମର୍ଥ ହେବେ କି ନାହିଁ ତାହା ନିଶ୍ଚିତ ନ ଥିଲେ । କିନ୍ତୁ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ଯେତେବେଳେ ସେ ମଞ୍ଚରୁ ଓହ୍ଲାଇ ଆସିଲେ, ସେ ବେହୋସ ହୋଇଗଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସାଲାଇନ୍ ଦିଆଯାଇଥିଲା । “ମୋ ହାତରେ ଏକ ଆଇଭି ଲାଇନ୍‌ ଲାଗିଥିବା ବେଳେ ମୁଁ ପୁରସ୍କାର ସଂଗ୍ରହ କରିଥିଲି - ଆମେ ଦ୍ୱିତୀୟ ହୋଇଥିଲୁ।” ସେହି ଘଟଣା ତାଙ୍କୁ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ କରିବାକୁ ଶିଖାଇଲା। ସେ “ଅଧିକ ସାହସୀ ହୋଇଗଲେ,” ବାଇକ୍ ଏବଂ କାର୍ ଚଳାଇବାକୁ ଶିଖିଲେ ।

Tamil Nadu's tableau for the Republic Day parade, with Rani Velu Nachiyar (left), among others. The queen is an inspiration for Akshaya Krishnamoorthi
PHOTO • Shabbir Ahmed
Tamil Nadu's tableau for the Republic Day parade, with Rani Velu Nachiyar (left), among others. The queen is an inspiration for Akshaya Krishnamoorthi
PHOTO • Shabbir Ahmed

ଗଣତନ୍ତ୍ର ଦିବସ ପରେଡ୍‌ରେ ତାମିଲନାଡୁର ପ୍ରଜ୍ଞାପନ ମେଢ଼ରେ ଅନ୍ୟମାନଙ୍କ ମଧ୍ୟରେ ରାଣୀ ବେଲୁ ନାଚିୟାର (ବାମ)। ଅକ୍ଷୟା କ୍ରିଷ୍ଣାମୂର୍ତ୍ତିଙ୍କ ପାଇଁ ରାଣୀ ଜଣେ ପ୍ରେରଣା

ଅକ୍ଷୟା ତାଙ୍କ ପରିବାରରେ ପ୍ରଥମ ସ୍ନାତକ। ସେ ମଧ୍ୟ ଜଣେ ଉଦ୍ୟୋଗୀ, ଉଦ୍ଭାବକ ଏବଂ ପ୍ରେରଣାଦାୟୀ ବକ୍ତା। ଏବଂ ଏ ସବୁ ମାତ୍ର ୨୧ ବର୍ଷ ବୟସରେ।

ଅକ୍ଷୟା ତାଙ୍କର ପିତାମାତା, ସାନଭାଇ, ଖୁଡ଼ୀ, ଗୋଟିଏ କୁକୁର ଏବଂ ଅନେକଗୁଡ଼ିଏ ପକ୍ଷୀ (ବଜେରିଗାର୍‌ସ ବା ସାଧାରଣ ଶୁଆ) ସହ ତାମିଲନାଡୁ ଇରୋଡ଼ ଜିଲ୍ଲା ସତ୍ୟମଙ୍ଗଳମ ନିକଟବର୍ତ୍ତୀ ନିଜର ସହର ଆର୍ୟାପ୍ପାମପଳାୟମରେ ରହନ୍ତି । ରାଜ୍ୟ ମାନଚିତ୍ରରେ ଏହା ଏକ କ୍ଷୁଦ୍ର ବିନ୍ଦୁ ଭଳି ଚିହ୍ନିତ ହୋଇଛି। ଏହି ବ୍ୟାଚେଲର ଅଫ୍‌ ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ (ବିବିଏ) ସ୍ନାତକ ଏହାକୁ ଦିନେ ଜାତୀୟ ମାନଚିତ୍ରରେ ସ୍ଥାନିତ କରିବାକୁ ଆଶା ରଖିଛନ୍ତି ।

କୋଏମ୍ବାଟୁର, କରୁର ଏବଂ ଥିରୁପୁର ସମେତ ତାମିଲନାଡୁର ଏହି ସମଗ୍ର ଅଞ୍ଚଳରେ ନିମ୍ନରୁ ଉଦ୍ୟୋଗର ଏକ ପ୍ରଭାବଶାଳୀ ଇତିହାସ ରହିଛି । ତେଣୁ ଅକ୍ଷୟା - ଯାହାଙ୍କର ପିତାମାତା ଦଶମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଦେଇଥିଲେ ଏବଂ ତାଙ୍କର କିଛି ଜମି ନାହିଁ – ଏକ ପୁରାତନ ପରମ୍ପରାରେ ଜଣେ ଯୁବ ପ୍ରବେଶକାରୀ ।

ଅକ୍ଟୋବର ୨୦୨୧ରେ ଯେତେବେଳେ ପରୀ ପକ୍ଷରୁ ତାଙ୍କୁ ଆମେ ଭେଟିଥିଲୁ ଅକ୍ଷୟା ଦୁଃଖରେ ଭାଙ୍ଗି ପଡ଼ିଥିଲେ, “ମୋର ବୟସ ମୋର ସୁବିଧା ଏବଂ ଅସୁବିଧା ଅଟେ।” ଆମେ ହଳଦୀ ଚାଷୀ ଥିରୁ ମୂର୍ତ୍ତି ଙ୍କର କ୍ଷେତ ବୁଲି ଦେଖିବା ପରେ ତାଙ୍କର ବୈଠକ ଖାନାରେ ବସି ଚା ଏବଂ ବାଜି ଖାଉଥିଲୁ । ଏହି ସାକ୍ଷାତ ସ୍ମରଣୀୟ ଥିଲା । ଅକ୍ଷୟା ଖୁବ୍‌ ପ୍ରଗଳ୍‌ଭ ଭାବେ ତାଙ୍କର ବଡ଼, ସୁନ୍ଦର ସ୍ୱପ୍ନଗୁଡ଼ିକୁ ବର୍ଣ୍ଣନା କଲାବେଳେ, ମୁହଁ ଉପରେ ଲୋଟି ପଡୁଥିବା ଛୋଟ କେଶକୁ ଆଡ଼େଇ ଦେଉଥିଲେ ।

ତା’ଙ୍କର ପ୍ରିୟ ଉଦ୍ଧୃତି ମଧ୍ୟ ଏହି ସମ୍ପର୍କରେ: “ଆଜି ହିଁ କର୍ମ କରି ନିଜର ସ୍ୱପ୍ନକୁ ବଞ୍ଚ।” ସେ ବିଭିନ୍ନ କଲେଜରେ ଦେଉଥିବା ପ୍ରେରଣାଦାୟକ ଭାଷଣରେ ଏହି ଉଦ୍ଧୃତିକୁ ବ୍ୟବହାର କରନ୍ତି। ସେ ଏହାକୁ ନିଜ ଜୀବନରେ, ବ୍ୟବସାୟରେ, ନିଜର ବ୍ରାଣ୍ଡ ନାମ ‘ସୁରୁକୁପାଇ ଫୁଡ୍ସ’ ପ୍ରତିଷ୍ଠା କରିବା ସମୟରେ ବ୍ୟବହାର କରିଥିଲେ। ଥଳି ଟାଣିବାର ତାମିଲ ହେଉଛି ସୁରୁକୁପାଇ – ଏହା ଏକ ବାକ୍ୟାଂଶ ଯାହା ଏକ ସାଙ୍ଗରେ ପୁରୁଣା ସ୍ମୃତି, ମିତବ୍ୟୟିତା ଓ ସ୍ଥିରତାକୁ ଗୋଟିଏ ଥରରେ ପ୍ରକାଶ କରେ ।

ନିଜେ କିଛି କରିବାକୁ ତାଙ୍କର ଉତ୍ସାହ ଅପ୍ରତ୍ୟାଶିତ ନଥିଲା। “ଆମେ କଲେଜରେ ପଢ଼ିବା ବେଳେ ମୁଁ ଏବଂ ମୋର ବନ୍ଧୁମାନେ ଉଲିୟିନ୍ ଉରୁବମ୍ ଟ୍ରଷ୍ଟ ଆରମ୍ଭ କରିଥିଲୁ – ଯାହାର ନାମ ମୂର୍ତ୍ତିକାରଙ୍କର ନିହାଣ ନାମରେ ରଖାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କର ଏକ ସଂଗଠନ ଯାହାକି ଆମ ଭଳି ଛୋଟ ସହରରୁ ଆସିଥିବା ପିଲାମାନଙ୍କୁ ଜୀବନରେ ଆଗକୁ ଦେଖିବା ପାଇଁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ଆମର ଲକ୍ଷ୍ୟ ହେଲା ୨୦୨୫ ସୁଦ୍ଧା ୨,୦୨୫ ଜଣ ନେତା ସୃଷ୍ଟି କରିବା। ଉଚ୍ଚାଭିଳାଷ। କିନ୍ତୁ ଅକ୍ଷୟା ମଧ୍ୟ ସେହିପରି ଉଚ୍ଚାଭିଳାଷୀ।

Akshaya in Thiru Murthy's farm in Sathyamangalam. She repackages and resells the turmeric he grows
PHOTO • M. Palani Kumar

ସତ୍ୟମଙ୍ଗଳମରେ ଥିରୁ ମୂର୍ତ୍ତିଙ୍କର ଫାର୍ମରେ ଅକ୍ଷୟା। ସେ ଉତ୍ପାଦିତ କରୁଥିବା ହଳଦୀକୁ ପୁନଃ ପ୍ୟାକେଜିଂ ଏବଂ ବିକ୍ରି କରନ୍ତି

ସେ ଜାଣିଥିଲେ ଯେ ସେ ଜଣେ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି, ତାଙ୍କର ସ୍ନାତକ ପାସ୍‌ କରିବାର ଠିକ୍‌ ପୂର୍ବରୁ ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ ତାଲାବନ୍ଦ- ତାଙ୍କର ବିକଳ୍ପଗୁଡ଼ିକୁ ଗୁରୁତର ଭାବେ ସୀମିତ କରିଦେଇଥିଲା। ସେତେବେଳେ ହିଁ ସେ ଥିରୁ ମୂର୍ତ୍ତିଙ୍କୁ ଭେଟିଥିଲେ, ଯିଏ ସତ୍ୟମଙ୍ଗଳମ ନିକଟବର୍ତ୍ତୀ ଉପ୍ପୁପାଲ୍ଲମର ଜଣେ ଜୈବିକ କୃଷକ। ସେ ଜଣେ ପୁରୁଣା ବନ୍ଧୁ ଏବଂ ତାଙ୍କ ପିତାମାତାଙ୍କ ଘରୋଇ ଉପକରଣ ଦୋକାନର ଗ୍ରାହକ ଥିଲେ। ଅକ୍ଷୟା ମନେ ପକାନ୍ତି, “ଆପ୍ପା [ବାପା]ଙ୍କର ରେଡିଓ-କ୍ୟାସେଟ୍ ଦୋକାନ ଥିବା ସମୟରୁ ସେମାନେ ପରସ୍ପରକୁ ଜାଣିଥିଲେ’’।

ଥିରୁ, ଯାହାଙ୍କୁ ସେ ‘ଦାଦା’ ବୋଲି ଡାକନ୍ତି, ସେ ଏକ ଲାଭପ୍ରଦ ହଳଦୀ ବ୍ୟବସାୟ ଚଳାନ୍ତି – ଗ୍ରାହକଙ୍କୁ ସିଧାସଳଖ ବିକ୍ରି କରି ତାଙ୍କ ଫସଲରେ ମୂଲ୍ୟଯୁକ୍ତ କରନ୍ତି। ଅକ୍ଷୟା ଭାବିଲେ ସେ ତାଙ୍କର ଉତ୍ପାଦକୁ ପୁନଃ ପ୍ୟାକେଜିଂ ଏବଂ ପୁନଃବିକ୍ରି କରିପାରିବେ। ତାଙ୍କର ପ୍ରତିକ୍ରିୟା ଉତ୍ସାହପ୍ରଦ ଥିଲା ‘‘ଏଡୁଥୁ ପାନ୍ନୁଙ୍ଗା’’(ଏହାକୁ ନିଅ ଏବଂ କର)। ଅକ୍ଷୟା ସ୍ମିତହାସ୍ୟ ଦେଇ କହନ୍ତି, ‘‘ଦାଦା ଖୁବ୍‌ ସକାରାତ୍ମକ ଥିଲେ।’’ ଏବଂ ଏମିତି ସୁରୁକୁପାଇ ଫୁଡ୍‌ସ ଜନ୍ମ ନେଲା।

ତାଙ୍କର ନୂଆ କମ୍ପାନୀ ସହ ସେ ଯାଇଥିବା ପ୍ରଥମ ପ୍ରଦର୍ଶନୀର ଅନୁଭୂତି ଖୁବ୍‌ ଉତ୍ସାହପ୍ରଦ ଥିଲା। ଟାନ୍‌ ଫୁଡ୍‌ ୨୧ ଏକ୍ସପୋ ନାମକ ଏହି ପ୍ରଦର୍ଶନୀ ୨୦୨୧ ଫେବୃୟାରୀରେ ମଦୁରାଇରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମ ଥିଲା। ଦୁଇ ହଜାରରୁ ଅଧିକ ଲୋକ ତାଙ୍କ ଷ୍ଟଲ୍‌କୁ ଆସିଥିଲେ। ସେମାନଙ୍କର ମତାମତ ଏବଂ ପରେ ବଜାର ଅଧ୍ୟୟନରୁ ସେ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂର ଗୁରୁତ୍ୱ ବୁଝିଲେ।

ଅକ୍ଷୟା କହନ୍ତି, ‘‘ଗ୍ରାହକଙ୍କର ଆମର ବ୍ରାଣ୍ଡ ନାମ ସହ ଏକ ବ୍ୟକ୍ତିଗତ ସଂଯୋଗ ଥିଲା, ଏଥିସହ ଏହା ସୃଜନାତ୍ମକ ଥିଲା। ସେତେବେଳଯାଏଁ, ହଳଦୀ କେବଳ ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ରେ ବିକ୍ରି ହେଉଥିଲା। କେହି ତାକୁ କାଗଜ ଖୋଳରେ ଏକ ସୂତା ବନ୍ଧା ଥଳିରେ ଦେଖିନଥିଲେ !’’ ବଡ଼ ବଡ଼ ଏଫ୍‌ଏମ୍‌ସିଜି କିମ୍ବା ଜୈବ ଷ୍ଟୋର ବୁଟିକ୍‌ଗୁଡ଼ିକ ତାଙ୍କର ତାଙ୍କର ଏହି ସାଧାରଣ ଚିନ୍ତାଧାରା ବାବଦରେ ଚିନ୍ତା କରିନଥିଲେ। ତାଙ୍କର ଏକ ବିଜୟ ଥିଲା। ଏବଂ ସେ ଅଧିକ ଚାହୁଁଥିଲେ।

ତାଙ୍କର ବ୍ୟବସାୟ ବୃଦ୍ଧି କରିବାକୁ ସେ ବହୁ ଲୋକ ଏବଂ ସଂଗଠନଠାରୁ ଉପଦେଶ ନେଲେ । ସେମାନଙ୍କ ମଧ୍ୟରେ, ତାଙ୍କର ମାର୍ଗଦର୍ଶକ, ଡକ୍ଟର ଏମ୍‌ ନଚିମୁଥୁ ଏବଂ ପୋଟାନ୍‌ ସୁପର ଫୁଡ୍‌ସର ସାନ୍‌ମୁଗା ସୁନ୍ଦରମ ଅଛନ୍ତି । ଏବଂ ମଦୁରାଇ ଆଗ୍ରୀ ବିଜନେସ୍‌ ଇନ୍‌କ୍ୟୁବେସନ୍‌ ଫୋରମ୍‌(ଏମ୍‌ଏବିଆଇଏଫ୍‌) ତାଙ୍କୁ ଏକ ଟ୍ରେଡ୍‌ମାର୍କ ଏବଂ ଏଫ୍‌ଏସ୍‌ଏସ୍‌ଏଆଇ ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କଲା । ଏବଂ ହଁ, ଅକ୍ଷୟା ଯେତେବେଳେ ସମ୍ଭବ ସେତେବେଳେ ପ୍ରେରଣାଦାୟୀ ପୁସ୍ତକ ପଢ଼ନ୍ତି । ସେ ପଢ଼ିଥିବା ପୂର୍ବ ପୁସ୍ତକ ମଧ୍ୟରୁ ଗୋଟିଏର ଶୀର୍ଷକ ଥିଲା: ଆଟିଚ୍ୟୁଡ୍‌ ଇଜ୍‌ ଏଭ୍ରିଥିଙ୍ଗ।

Akshaya's Surukupai Foods products on display in Akshaya Home Appliances, the store owned by her parents
PHOTO • M. Palani Kumar

ଅକ୍ଷୟାଙ୍କ ସୁରୁକୁପାଇ ଖାଦ୍ୟ ପଦାର୍ଥ ଅକ୍ଷୟା ଘର ଉପକରଣରେ ପ୍ରଦର୍ଶିତ ହୋଇଛି, ଯାହା ତାଙ୍କ ପିତାମାତାଙ୍କର ମାଲିକାନାରେ ଥିବା ଷ୍ଟୋର

ସେ କହନ୍ତି, “ମୋର ବିବିଏ ପାଠ୍ୟକ୍ରମ ମୋତେ ବ୍ୟବସାୟ ଆରମ୍ଭ କରିବା ଏବଂ ଚଳାଇବା ପାଇଁ ଜ୍ଞାନ କିମ୍ବା ଏକ୍ସପୋଜର ଦେଇନାହିଁ ’’। ଶିକ୍ଷା ବ୍ୟବସ୍ଥା ନେଇ ତାଙ୍କ ବଡ଼ ଅଭିଯୋଗ ଅଛି। “କଲେଜରେ କାହିଁକି ମୌଳିକ ବ୍ୟାଙ୍କ କାରବାର କରିବାକୁ ଶିକ୍ଷା ଦିଆଯାଏ ନାହିଁ ? ବିବିଏରେ ବ୍ୟାଙ୍କ ଋଣ ପାଇଁ ଆବେଦନ କରିବା ବିଷୟରେ? ଏମିତିକି ଏଚ୍‌ଓଡି ଏବଂ ଶିକ୍ଷକମାନଙ୍କର କୌଣସି ବାସ୍ତବ ଦୁନିଆର ଅଭିଜ୍ଞତା ନାହିଁ କିପରି?”

ସେ ନିଜେ ସେହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚେଷ୍ଟା କରିବାରେ ବ୍ୟସ୍ତ ଅଛନ୍ତି । “ମୋର ବହୁତ କିଛି ଶିଖିବାକୁ ଅଛି ।”

ତାହା ପ୍ରଭାବଶାଳୀ ଭାବେ କରିବାକୁ, ସେ ପ୍ରତିଦିନ ଏକ ଟୁ-ଡୁ ତାଲିକା ଲେଖନ୍ତି । ଏବଂ ସେ ଯାହା କରନ୍ତି ତାକୁ କାଟି ଦିଅନ୍ତି। “ମୁଁ ଏକ ଛୋଟ ଡାଏରୀରେ ସେକଥାଗୁଡ଼ିକୁ ଲେଖିଦିଏ। କୌଣସି କାମ ଯାହାକୁ ମୁଁ ଦିନ ଶେଷରେ କାଟେ ନାହିଁ, ତାକୁ ପର ଦିନ ପାଇଁ ଚିହ୍ନିତ କରେ।’’ ଏହା ତାଙ୍କୁ ଏକ “ଦୋଷ ଅନୁଭବ” ବୋଧ କରାଏ, ଏବଂ ସେ ଅଧିକ ଚେଷ୍ଟା କରନ୍ତି।

ତାଙ୍କର ପ୍ରୟାସ ସ୍ନାତକୋତ୍ତରର ତିନିଟି ସେମିଷ୍ଟାର ପାଇଁ ଦେୟ ପ୍ରଦାନ କଲା। ଏବଂ ତାଙ୍କର ଏକ ପାଠ୍ୟକ୍ରମର ଚୟନ ଆକର୍ଷଣୀୟ ଅଟେ। “ମୁଁ ଦୂର ଶିକ୍ଷା ମାଧ୍ୟମରେ ସୋସିଆଲ୍‌ ୱାର୍କରେ ମୋର ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛି। ପ୍ରତ୍ୟେକ ସେମିଷ୍ଟାର ପାଇଁ ଫି ୧୦,୦୦୦ ଟଙ୍କା ଏବଂ ପରୀକ୍ଷା ଫି ଆଉ ୫,୦୦୦ । ଆପ୍ପା ଆରମ୍ଭରେ ମୋତେ ୫,୦୦୦ ଦେଇଥିଲେ । ଅବଶିଷ୍ଟ ମୋର ନିଜସ୍ୱ ଅର୍ଥ” ସେ କହନ୍ତି, ତାଙ୍କର ସ୍ୱରରେ ଏକ ବିନୟ ଗର୍ବର ଭାବ ଥିଲା । ‘ବାକି’ ୪୦,୦୦୦ ଟଙ୍କାର ଲାଭରୁ ଆସିଥିଲା ଯାହା ସେ ବ୍ୟବସାୟ ଆରମ୍ଭ କରିବା ପାଇଁ ୧୦,୦୦୦ ଟଙ୍କାର ନିବେଶରେ କରିଥିଲେ ।

ତାଙ୍କ ଗ୍ରାହକମାନେ ତାଙ୍କ ଉତ୍ପାଦକୁ ‘ଅଧିକ ପରିମାଣ’ରେ କିଣନ୍ତି । ଏବଂ ସେ ସେମାନଙ୍କ ପାଇଁ ବିକଳ୍ପ ପ୍ରସ୍ତୁତ ରଖନ୍ତି । ତା’ର ଦ୍ରୁତ ଅଭିବୃଦ୍ଧିଶୀଳ ଉତ୍ପାଦ ଏବେ ଏକ ବିବାହ ନିମନ୍ତ୍ରଣ ଉପହାର ପ୍ୟାକେଟ୍‌ ଆକାରରେ ମଧ୍ୟ ଆସୁଛି ଯାହା ଜୈବିକ ହଳଦୀ ଦ୍ରବ୍ୟରେ ପୂର୍ଣ୍ଣ । ସେ ବିଶ୍ୱାସ କରନ୍ତି ଯେ ସେ ସମ୍ଭବତଃ ପ୍ରଥମ - ଏବଂ କେବଳ ଜଣେ – ଯିଏ ଏହାକୁ ପ୍ରଦାନ କରନ୍ତି। “ମୁଁ ସେଗୁଡ଼ିକର ମୂଲ୍ୟ ୫୦ ରୁ ୧୦୦ ଟଙ୍କା ରଖିଛି । ପ୍ରତ୍ୟେକ ପ୍ୟାକେଟ୍‌ରେ ଏକ ସୂତା ମୁଣି, ହଳଦୀଗୁଣ୍ଡର ଛୋଟ ପ୍ୟାକେଟ୍‌, ୫-ଗ୍ରାମ ପ୍ୟାକେଟ୍‌ର ମଞ୍ଜି (ଦେଶୀ କିସମର ବାଇଗଣ, ବିଲାତି, ଭେଣ୍ଡି, ଲଙ୍କା ଏବଂ ପାଳକର ଦେଶୀ ପ୍ରକାର) ଏବଂ ଏକ ଧନ୍ୟବାଦ କାର୍ଡ ଥାଏ ।

“ଯେତେବେଳେ ଲୋକମାନେ ନିଜ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିବାକୁ ଯାଆନ୍ତି, ସେମାନେ ନିମନ୍ତ୍ରଣ ସହିତ ଏହି ଉପହାର ପ୍ୟାକେଟ୍‌ ଦିଅନ୍ତି। ଏହା ଶୁଭ, ସ୍ୱାସ୍ଥ୍ୟକର ଏବଂ ପୃଥିବୀ ଅନୁକୂଳ,’’ ବୋଲି ଅକ୍ଷୟା କହନ୍ତି। ଯେତେବେଳେ ତାଙ୍କ ଗ୍ରାହକମାନେ ଏକ ଭଲ ଦେଖାଯାଉଥିବା ପ୍ୟାକେଟ୍‌ ଚାହାନ୍ତି, ଏବଂ ସେମାନେ ଏଥିପାଇଁ ଦେୟ ଦେବାକୁ ମଧ୍ୟ ଇଚ୍ଛୁକ, ସେତେବେଳେ ସେ ଅଧିକ ପରିମାଣର ହଳଦୀ ପାଉଡର କାଚ ବୋତଲରେ ପ୍ୟାକ୍‌ କରନ୍ତି। ସେ କେତେକ ବିବାହ ପାଇଁ ଏହି ବଡ଼ ପ୍ୟାକେଟ୍‌ ଯୋଗାଇଛନ୍ତି, ଏବଂ ମୌଖିକ ପ୍ରଚାର ମାଧ୍ୟମରେ, ତାଙ୍କୁ ଅଧିକ ଅର୍ଡର ମିଳେ। ‘‘ଶେଷଟି ଥିଲା ୨୦୦ଟି ପ୍ୟାକେଟ୍‌ ପାଇଁ ପ୍ରତ୍ୟେକକୁ ୪୦୦ ଟଙ୍କା ଲେଖାଏଁ।’’

Left: Akshaya with a surukupai, or drawstring pouch, made of cotton cloth. Right: The Surukupai Foods product range
PHOTO • M. Palani Kumar
Left: Akshaya with a surukupai, or drawstring pouch, made of cotton cloth. Right: The Surukupai Foods product range
PHOTO • M. Palani Kumar

ବାମ: ଏକ ସୂରୁକୁପାଇ ବା ସୂତା ଥଳି ପ୍ୟାକେଟ୍‌ ସହ ଅକ୍ଷୟା । ଡାହାଣ: ସୁରୁକୁପାଇ ଖାଦ୍ୟ ଉତ୍ପାଦ ପରିସର

ସତ୍ୟମଙ୍ଗଳମକୁ ମୁଁ ଯିବାର ବହୁ ମାସ ପରେ, ଅକ୍ଷୟା ଓ ମୁଁ ଫୋନ୍‌ରେ କଥା ହେଲୁ। ଆମ କଲ୍‌ର ଅଧାରେ ସେ ଫୋନ୍‌ ରଖିଦେଲେ: “ବ୍ୟାଙ୍କ୍‌ ମ୍ୟାନେଜର ମୋତେ ଡାକୁଛନ୍ତି ।” ଏକ ଘଣ୍ଟା ପରେ, ସେ କହିଲେ ଯେ ଏହା ଏକ ଯାଞ୍ଚ ପରିଦର୍ଶନ ଥିଲା । ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରୁ ତାଙ୍କୁ ୧୦ ଲକ୍ଷ ଟଙ୍କା ଋଣ ମଞ୍ଜୁର କରାଯାଇଛି । ସେ ନିଜେ ଏହା ପାଇଁ ଆବେଦନ କରିଥିଲେ, ସମସ୍ତ କାଗଜପତ୍ର ନିଜେ ପ୍ରସ୍ତୁତ କରିଥିଲେ, ଏବଂ ବିନା କୌଣସି ବନ୍ଧକରେ ଏହାକୁ ନଅ ପ୍ରତିଶତ ହାର ସୁଧରେ ପାଇଥିଲେ । ସେ ଏହି ବ୍ୟାଙ୍କ ଋଣକୁ ଏକ ମେସିନ୍‌ ଚାଳିତ ହଳଦୀ ୟୁନିଟ୍‌ ପ୍ରତିଷ୍ଠା କରିବାକୁ ବ୍ୟବହାର କରିଛନ୍ତି ଯାହା ହଳଦୀ ପେଷିବା ସହିତ ଗୁଣ୍ଡକୁ ସ୍ୱଚ୍ଛତାର ସହ ପ୍ୟାକିଂ କରିପାରିବ ।

“ମୋର ଏକ ଟନ୍ ହଳଦୀ ଗୁଣ୍ଡ ପାଇଁ ଏକ ଅର୍ଡର ଅଛି । ତେଣୁ ମୁଁ ବ୍ୟବସାୟୀମାନଙ୍କଠାରୁ ବ୍ୟବସାୟିକ ହଳଦୀ କିଣିଛି,’’ ବୋଲି ସେ କୁହନ୍ତି । ଯନ୍ତ୍ରପାତି ପାଇଁ କୌଶଳ ଆବଶ୍ୟକ ହୁଏ । “ମୁଁ କଲେଜରେ ବିଜ୍ଞାପନ କିପରି ତିଆରି କରିବାକୁ ହୁଏ ଶିଖିଥିଲି। ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ମେସିନ୍ ଏବଂ କାଗଜ ଟାଣିବା ଏବଂ ରୋଲ୍ ପ୍ଲେସିଙ୍ଗରେ ସେନ୍ସର ବିଷୟରେ ମୁଁ କିଛି ଜାଣେ ନାହିଁ। ଯଦି ଏହା ସଠିକ୍ ଭାବରେ କରା ନଯାଏ, ତେବେ ବ୍ୟାଚ୍ ନଷ୍ଟ ହୋଇଯିବ।”

ସେ ଅନେକ ଜିନିଷ ତାଲିକାଭୁକ୍ତ କରିଛନ୍ତି ଯାହା ଭୁଲ୍ ହୋଇପାରେ, କିନ୍ତୁ ବିଶ୍ୱାସ କରନ୍ତି ଯେ ଏଥିନେଇ ରିସ୍କ ନେବା ଆବଶ୍ୟକ ।  ସେ ବିଶ୍ୱାସ କରନ୍ତି ଯେ ଏହି ମେସିନ୍‌ ମାଧ୍ୟମରେ – ଯାହାକୁ ଚଲାଇବା ପାଇଁ ସେ ଦୁଇ ଜଣ ପାର୍ଟ ଟାଇମ୍ ହେଲପର୍‌ ନିଯୁକ୍ତ କରନ୍ତି – ନିକଟ ଭବିଷ୍ୟତରେ ତାଙ୍କର ବ୍ୟବସାୟ ମାସିକ ୨ ଲକ୍ଷ ଟଙ୍କା ଯାଏଁ ପହଞ୍ଚିଯିବ । ଏବଂ ଏହିପରି ସେ ନିଜ କଲେଜ ଡିଗ୍ରୀ ମାଧ୍ୟମରେ ଦେଖିଥିବା ଲାଭଠାରୁ ବେଶ୍‌ ଅଧିକ ଆୟ କରିପାରିବେ ।

ତଥାପି, ଅକ୍ଷୟା ଯାହା କରୁଛନ୍ତି ତାହା ବ୍ୟକ୍ତିଗତ ଲାଭଠାରୁ ଅଧିକ । ତାଙ୍କର ପ୍ରୟାସ କୃଷି-ବ୍ୟବସାୟ ଶୃଙ୍ଖଳାରେ କ୍ରମବର୍ଦ୍ଧିଷ୍ଣୁ ସଂରଚନାକୁ ଉନ୍ନତ କରେ – ଯେଉଁଥିରେ ସାଧାରଣତଃ ପୁରୁଷ ନିୟନ୍ତ୍ରିତ ବ୍ୟବସାୟ କିମ୍ବା କର୍ପୋରେଟ୍‌ଙ୍କ ପ୍ରାଧାନ୍ୟ ରହିଛି ।

କୃଷି ଜନନୀ (ଏକ କାଙ୍ଗାୟାମଭିତ୍ତିକ ସାମାଜିକ ଉଦ୍ୟୋଗ ଯାହା ଲାଭପ୍ରଦ ଏବଂ ପୁନଃନିର୍ମାଣକାରୀ ଆଗ୍ରୋଇକୋଲୋଜି କ୍ଷେତ୍ରରେ କାର୍ଯ୍ୟ କରେ)ର ପ୍ରତିଷ୍ଠାତା ତଥା ସିଇଓ ଉଷା ଦେବୀ ଭେଙ୍କଟାଚାଲମ କହନ୍ତି, “ସେହି ହଳଦୀ ପ୍ରକ୍ରିୟାକରଣ ଅତ୍ୟନ୍ତ ଆଞ୍ଚଳିକ ସ୍ତରରେ ହେଉଛି, ଠିକ୍‌ ଯେଉଁଠାରେ ଫସଲ ଉତ୍ପାଦିତ ହେଉଛି, ଯାହାକି କି ଏକ ଖୁବ୍‌ ବଡ଼ ଖବର। ଏଥିସହ କୃଷି ପ୍ରକ୍ରିୟାକରଣ କମ୍ପାନୀଗୁଡ଼ିକର ଶୀର୍ଷ ସ୍ତରରେ ଅଧିକ ଯୁବ ମହିଳା ନାହାନ୍ତି। ଯାନ୍ତ୍ରିକରଣ ଏବଂ କେନ୍ଦ୍ରୀକରଣ ନାମରେ ମହିଳାଙ୍କ ଭୂମିକାକୁ, ଖାସ୍‌ କରି ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣରେ ଧୀରେ ଧୀରେ ସଂକୁଚିତ କରିଦିଆଯାଇଛି।’’

ଖାଦ୍ୟ ଯୋଗାଣ ଶୃଙ୍ଖଳାର ଅନ୍ୟତମ ସମସ୍ୟା ବାବଦରେ, ଉଷା ଆହୁରି କହିଲେ, ‘‘ସେମାନେ ଏତେ କେନ୍ଦ୍ରୀଭୂତ ହୋଇଛନ୍ତି ଏବଂ ଏତେ ଗୁଡ଼ିଏ ଅଜବ ପ୍ରକ୍ରିୟାକରଣ ନିଷ୍ପତ୍ତି ନେଇଛନ୍ତି ଯେ ଆମେରିକାରେ ଉତ୍ପାଦିତ ସେଓ ବ୍ୟବହାର ପାଇଁ ଭାରତ ଆସିବା ପୂର୍ବରୁ ପଲିସିଂ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥାଏ । ମହାମାରୀ ପରବର୍ତ୍ତୀ ଦୁନିଆରେ ଏହା ଅସମ୍ଭବ। ଜଳବାୟୁ ସଙ୍କଟରେ ଏହି ପରିବହନ କେତେ ଯୋଗଦାନ ଦେଉଛି ସେ ବିଷୟରେ ଚିନ୍ତା କଲାବେଳେ ଏହା ଆହୁରି ଗମ୍ଭୀର ଅଟେ।” ଉଦାହରଣ ସ୍ୱରୂପ ଶକ୍ତି ଏବଂ ଇନ୍ଧନ ବ୍ୟବହାରରେ।

The biodegradable sachets in which Akshaya sells turmeric under her Surukupai Foods brand. She says she learnt the importance of branding and packaging early in her entrepreneurial journey
PHOTO • Akshaya Krishnamoorthi
The biodegradable sachets in which Akshaya sells turmeric under her Surukupai Foods brand. She says she learnt the importance of branding and packaging early in her entrepreneurial journey
PHOTO • Akshaya Krishnamoorthi
The biodegradable sachets in which Akshaya sells turmeric under her Surukupai Foods brand. She says she learnt the importance of branding and packaging early in her entrepreneurial journey
PHOTO • Akshaya Krishnamoorthi

ବିଘଟନଯୋଗ୍ୟ ପ୍ୟାକେଟ୍‌ ଯେଉଁଥିରେ ଅକ୍ଷୟା ତାଙ୍କର ସୁରୁକୁପାଇ ଫୁଡ୍‌ ବ୍ରାଣ୍ଡରେ ହଳଦୀ ବିକ୍ରି କରନ୍ତି । ସେ କହନ୍ତି ଉଦ୍ୟୋଗୀ ଭାବେ ତାଙ୍କ ଯାତ୍ରାର ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂର ଗୁରୁତ୍ୱ ଶିଖିଲେ

ଅକ୍ଷୟାଙ୍କର ଦୀର୍ଘମିଆଦି ଯୋଜନାଗୁଡ଼ିକ ସେହି ସବୁର ସମାଧାନ କରିନପାରେ। କିନ୍ତୁ ତାଙ୍କର ଅସାଧାରଣ ଆଇଡିଆ ଯେମିତିକି ହଳଦି ଚକୋଲେଟ୍ ଏବଂ ହଳଦୀ ଚିପ୍ସ ପାରମ୍ପରିକ ବଜାରକୁ ଭଣ୍ଡୁର କରିବା ନିଶ୍ଚିତ। ଅନ୍ତତଃପକ୍ଷେ ସ୍ଥାନୀୟ ଭାବରେ, ଯଦିଓ ସେ ଭାବନ୍ତି ଏହା ଆହୁରି ଆଗକୁ ଯାଇପାରେ।

“ମୁଁ ଭାବୁଛି ଏହାକୁ ନେବା ପାଇଁ ଲୋକେ ପ୍ରସ୍ତୁତ ହେବେ,” ଯେତେବେଳେ ମୁଁ ପଚାରିଲି ଏହା ଏକ ଭଲ ଉତ୍ପାଦ, ଏକ ଗ୍ରହଣୀୟ ସ୍ୱାଦର ହେବ କି ବୋଲି, ସେ କହିଲେ “ଲୋକମାନେ ପେପ୍‌ସି ଏବଂ କୋକ୍‌ ପିଅନ୍ତି। ଲୋକେ ହଳଦିରୁ ତିଆରି ନାନାରି ସରବତ ଏବଂ ପନିର ସୋଡ଼ାକୁ ମଧ୍ୟ ପସନ୍ଦ କରନ୍ତି।’’ ସେ ମୋତେ ଦୃଢ଼ ଭାବରେ କହିଲେ, ‘‘ଏହା ମଧ୍ୟ ଆଦୃତ ହେବ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହେବ।’’

ସେ ଗ୍ରାମାଞ୍ଚଳର ବଜାର ବୃଦ୍ଧିକୁ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ୨୦୨୫ ସୁଦ୍ଧା ଆସିବ ବୋଲି ଆଶା କରାଯାଉଛି। “ଏଥିପାଇଁ ଉତ୍ପାଦଗୁଡ଼ିକ ସୁଲଭ ମୂଲ୍ୟରେ ଏବଂ ଅଳ୍ପପରିମାଣର ହେବା ଆବଶ୍ୟକ । ଅଧିକ ପରିମାଣର ଜୈବିକ ହଳଦୀ ମହଙ୍ଗା ହୋଇଯାଏ - ଏକ ୨୫୦ ଗ୍ରାମର ମୂଲ୍ୟ ୧୬୫ ଟଙ୍କା । ତେଣୁ ମୁଁ ଏହାକୁ ଥରକେ ବ୍ୟବହାର ଭଳି ପ୍ୟାକେଟ୍‌ ଭାବରେ ବିକଶିତ କରିଛି ।”

‘ଏହା’ ହେଉଛି ତାଙ୍କ ପିତାମାତାଙ୍କ ଦୋକାନରେ ଥିବା ସେଲଫରୁ ଏକ ସୁରୁକୁପାଇ ପ୍ୟାକେଟ୍ ଯେଉଁଥିରୁ ସେ ୬-ଗ୍ରାମ ହଳଦୀ ଫେସ୍‌ପ୍ୟାକ୍‌ର ୧୨ଟି କାଗଜ ପ୍ୟାକେଟ୍‌ ବାହାର କରନ୍ତି । “ଗ୍ରାହକମାନେ ଏହି ସେଟ୍‌କୁ ୧୨୦ ଟଙ୍କାରେ କିଣିପାରିବେ - କିମ୍ବା ସେମାନେ ପ୍ରତ୍ୟେକଟି ମାତ୍ର ୧୦ ଟଙ୍କାରେ ନେଇପାରିବେ।” ବଡ଼ ଥଳିଟି ପତଳା ସୂତା କପଡ଼ାରେ ତିଆରି। ପ୍ୟାକେଟଗୁଡ଼ିକ ବିଘଟନଯୋଗ୍ୟ, ଆର୍ଦ୍ରତାସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଷ୍ଟିକର ଅତି ପତଳା ସ୍ତର ସହିତ କାଗଜରେ ନିର୍ମିତ ।

ସୂତ୍ର ଏବଂ ଉତ୍ପାଦନ ଥିରୁ ମୁର୍ତ୍ତୀଙ୍କ ଦ୍ୱାରା । ଧଳା-ଲେବଲିଂ ଅକ୍ଷୟାଙ୍କ ଦ୍ୱାରା । ସେ ଏହାର ଉପକାରିତାଗୁଡ଼ିକ କହନ୍ତି । “ଏହା ଅପଚୟକୁ ହ୍ରାସ କରେ, ଆର୍ଦ୍ରତା ହାନି ହୁଏ ନାହିଁ । ଏବଂ ୧୦ ଟଙ୍କା ଦେଇ ଗ୍ରାହକମାନେ ଏହାକୁ ପରୀକ୍ଷା କରିପାରନ୍ତି।” ସେ ଅବିଶ୍ରାନ୍ତ ଭାବେ କହିଚାଲନ୍ତି । ସେ ହସିକରି କହିଲେ, “ମୋର ସବୁବେଳେ ଶକ୍ତି ଥାଏ’’।

ତାଙ୍କୁ ପିତାମାତାଙ୍କର ସମର୍ଥନ ମଧ୍ୟ ରହିଛି । ସେମାନଙ୍କର ମଧ୍ୟମ ଆକାରର ଘରୋଇ ଉପକରଣ ଷ୍ଟୋରଗୁଡ଼ିକରେ (ସେମାନଙ୍କର ଦୁଇଟି ଦୋକାନ ଅଛି) ତାଙ୍କର ଉତ୍ପାଦକୁ ପ୍ରଥମେ ବିକ୍ରି କରାଯାଇଥିଲା । ଏବଂ ସେମାନେ ତାଙ୍କର ନିଷ୍ପତ୍ତି ଏବଂ କାର୍ଯ୍ୟଧାରାକୁ ସମ୍ମାନ ଦେଲେ । ସେମିତି ଯେମିତି ତାଙ୍କୁ ଦେଇଥିଲେ ଯେତେବେଳେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ ।

“I always have energy,” she says, laughing
PHOTO • M. Palani Kumar

ସେ ହସି ହସି କହନ୍ତି , ' ମୋର ସବୁବେଳେ ଶକ୍ତିଥାଏ'

ଯେତେବେଳେ ସେ ଦୁଇବର୍ଷ ପୂର୍ବେ ନିଜ ପରିବାରର ଦେବତାଙ୍କ ସାମ୍ନାରେ ମୁଣ୍ଡ ନଇଁଥିଲେ, ଅନେକ ଲୋକ ଅସହମତି ସୂଚକ ମନ୍ତବ୍ୟ ଦେଇଥିଲେ । କିନ୍ତୁ ତାଙ୍କ ବାପା ମା’ ତାଙ୍କ ପାଖରେ ଛିଡ଼ା ହୋଇଥିଲେ, ସେମାନେ କହିଥିଲେ ଯେ ସେ ସୁନ୍ଦର ଅଟନ୍ତି ।  “ମୁଁ ଅସୁସ୍ଥ ହେଉଥିବାରୁ ମୁଁ ଏହା କରିଥିଲି। ମୁଁ କର୍କଟ ରୋଗୀଙ୍କୁ ମୋର କେଶ ଦାନ କରିବାକୁ ପସନ୍ଦ କରିଥାଆନ୍ତି, କିନ୍ତୁ ମୁଁ ସେତେବେଳେ କରିପାରିଲି ନାହିଁ । ସେ କହନ୍ତି, ‘‘କେଶ କାଟିଦେବା ମୋତେ ଆତ୍ମବିଶ୍ୱାସ ଦେଲା । ମୁଁ ଅନୁଭବ କଲି ମୋର ପରିଚୟ ମୋ କେଶରେ ବନ୍ଧା ନୁହେଁ । ଏବଂ ମୁଁ ଖୁସି ଯେ ମୋର ପିତାମାତା ମୋତେ ଯେକୌଣସି ପ୍ରକାରେ ଭଲପାଆନ୍ତି।”

ଏବଂ ସେମାନେ ତାଙ୍କ ସ୍ୱପ୍ନ ପଛରେ ଛିଡ଼ା ହୁଅନ୍ତି । ତାଙ୍କ ସ୍ନାତକ ପାଠ୍ୟକ୍ରମର ୬୦ ଜଣ ମହିଳା ସହପାଠୀଙ୍କ ମଧ୍ୟରୁ ଅନେକ ବିବାହ କରିସାରିଲେଣି । “ତାଲାବନ୍ଦ ଯୋଗୁଁ ଝିଅମାନଙ୍କୁ ବିବାହ କରିଦେଲେ । କେତେକ କାମକୁ ଯାଆନ୍ତି । ଆଉ କେହି ବି ବ୍ୟବସାୟ ଆରମ୍ଭ କରିନାହାନ୍ତି।”

ଉଷାଦେବୀ ଭେଙ୍କଟାଚଲମ ବିଶ୍ୱାସ କରନ୍ତି ଯେ ଅକ୍ଷୟାଙ୍କର ସଫଳତା ତାହା ବଦଳାଇପାରେ। ସେ କହିଲେ ଯେ,‘‘ଏହି ଅଞ୍ଚଳରେ ଜନ୍ମିତ ଜଣେ ଯୁବତୀ ଜାତୀୟ ତଥା ବିଶ୍ୱସ୍ତରୀୟ ଅଭିଳାଷ ସହିତ ସ୍ଥାନୀୟଭାବରେ ଏକ ପ୍ରକ୍ରିୟାକରଣ ବ୍ୟବସାୟ ଆରମ୍ଭ କରିବାକୁ ଆଗେଇ ଆସୁଛନ୍ତି ଏହା ହିଁ ପ୍ରେରଣାଦାୟୀ । ଏହା ଅନ୍ୟମାନଙ୍କୁ ବିଶେଷ କରି ତାଙ୍କ ସାଥୀଙ୍କୁ ଆଇଡିଆ ଦେବ।’’

ଅକ୍ଷୟାଙ୍କ ପାଇଁ, ପରବର୍ତ୍ତୀ ପଦକ୍ଷେପ ହେଉଛି ଏମ୍‌ବିଏ । “ଅନେକ ଲୋକ ତାହା କରନ୍ତି ଏବଂ ତା’ପରେ ବ୍ୟବସାୟ ଆରମ୍ଭ କରନ୍ତି । ମୁଁ ଏହାର ବିପରୀତ କାର୍ଯ୍ୟ କରୁଛି।” ଏବଂ ଏହା ଉପଯୋଗୀ ହେବ ବୋଲି ସେ ବିଶ୍ୱାସ କରନ୍ତି। ସେ ସ୍ପଷ୍ଟ ଯେ ସେ ନିଜ ସହରରେ ରହିବାକୁ ଏବଂ ଏଠାରୁ ନିଜ ବ୍ରାଣ୍ଡ ନିର୍ମାଣ କରିବାକୁ ଚାହୁଁଛନ୍ତି। ତାଙ୍କର ଏକ ୱେବସାଇଟ୍ ଅଛି, ସେ ଇନଷ୍ଟାଗ୍ରାମ ଏବଂ ଲିଙ୍କଡ୍‌ ଇନ୍‌ରେ ମଧ୍ୟ ସେ ଅଛନ୍ତି, ସେଠାରେ ସେ ନିଜର ସାମଗ୍ରୀଗୁଡ଼ିକୁ ପୋଷ୍ଟ କରନ୍ତି, ହ୍ୟାସଟ୍ୟାଗ୍‌ ବ୍ୟବହାର କରନ୍ତି (ଅନ୍ୟମାନଙ୍କ ମଧ୍ୟରେ # ଟର୍ମେରିକ୍ଲେଟ୍‌ର ପ୍ରଚାର କରନ୍ତି) ଏବଂ ଏଫ୍‌ପିଓ ଏବଂ ରପ୍ତାନିକାରୀମାନଙ୍କ ସହିତ ଯୋଗାଯୋଗ କରିବାକୁ ଚାହାନ୍ତି । ସେ କହନ୍ତି, “କୃଷକମାନେ ସେମାନଙ୍କର କ୍ଷେତର ଯତ୍ନ ନେଇପାରିବେ ଏବଂ ମୋ ଭଳି ଲୋକମାନେ ବିକ୍ରୟ ସହିତ ଜଡ଼ିତ ହୋଇପାରିବେ। ଏହାଦ୍ୱାରା ଚାଷ, ବଜାର ଏବଂ ଘର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଫାଙ୍କା ସ୍ଥାନକୁ ଫଳପ୍ରଦ ଭାବରେ ପୂରଣ କରାଯାଇପାରିବ।

ସେ ଦୃଢ଼ ଭାବରେ କହନ୍ତି, “ଆଜିକାଲି, ସବୁକିଛି କାହାଣୀ କହିବା ଉପରେ ନିର୍ଭର କରେ’’। ‘‘ଯେତେବେଳେ ଗ୍ରାହକମାନେ ମୋର ପ୍ୟାକେଟ୍‌କୁ ନିଜ ଘରେ ରଖନ୍ତି - କୁହନ୍ତୁ, ଯଦି ସେମାନେ ଟଙ୍କା ସଞ୍ଚୟ କରିବା ପାଇଁ ସୂତା ଥଳି ବ୍ୟବହାର କରନ୍ତି – ସେମାନେ ଆମର ବ୍ରାଣ୍ଡକୁ ମନେ ରଖିବେ ଏବଂ ପୁନର୍ବାର କିଣିବେ।” ଏବଂ ପ୍ରତିବଦଳରେ, ସେ ଅନୁଭବ କରନ୍ତି, ତାମିଲନାଡୁର ହଳଦୀ ବହୁତ ଦୂର ଏବଂ ପ୍ରଶସ୍ତ ପଥ ଯାତ୍ରା କରିବ।

ଏହି ଗବେଷଣାକୁ ଅଜିମ୍‌ ପ୍ରେମଜୀ ବି ଶ୍ୱ ବିଦ୍ୟାଳୟ ପକ୍ଷରୁ ଏହାର ରିସର୍ଚ୍ଚ ଫଣ୍ଡିଙ୍ଗ୍ ପ୍ରୋଗ୍ରାମ୍‌ ୨୦୨୦ର ଅଂଶ ଭାବେ ଫଣ୍ଡିଂ କରାଯାଉଛି ।

କଭର ଫଟୋ : ଏମ୍‌ ପଲାନୀ କୁମାର

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan
aparna.m.karthikeyan@gmail.com

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE