ପ୍ଲାଷ୍ଟିକ୍ ସବୁଠାରେ ବିଦ୍ୟମାନ। ଆପଣ ଯେଉଁ ସ୍ଥାନ କଥା ଭାବନ୍ତୁ, ସେଠାରେ ନିଶ୍ଚିତ ଭାବେ କିଛି ପ୍ଲାଷ୍ଟିକ୍ ମହଜୁଦ୍ ଥିବା ଆପଣଙ୍କ ନଜରକୁ ଆସିବ – ରାସ୍ତାରେ ପଡିଥିବା, ପାଣିରେ ଭାସୁଥିବା, ଅଖାରେ ଭର୍ତ୍ତି ହୋଇ ରହିଥିବା, ଡଷ୍ଟବିନ୍ରେ ପକାଯାଇଥିବା, ଛାତ ଉପରେ ଗଦା ହୋଇଥିବା ଆଦି । ଆଉ ଯେତେବେଳେ ଏହି ପ୍ଲାଷ୍ଟିକ୍ ଜିନିଷଗୁଡିକୁ ୧୩ଦଶ କମ୍ପାଉଣ୍ଡରେ ରହିଥିବା କ୍ରିକ୍ରେ ଉଚ୍ଚ ମାନ ଯୁକ୍ତ ଧାତବ ଅଂଶ ନିଷ୍କାସନ କରିବା ପାଇଁ ଜଳାଯାଏ, ସେତେବେଳେ ଏଥିରୁ ନିର୍ଗତ ହେଉଥିବା ତୀବ୍ର ଗନ୍ଧ ଯୁକ୍ତ ଧୂଆଁ ବାୟୁକୁ ବହଳିଆ କରିଦିଏ ।
ଧରାବିର ଏହି ରିସାଇକ୍ଲିଙ୍ଗ୍ ସେକ୍ଟରକୁ ସମଗ୍ର ମୁମ୍ବାଇର ବିଭିନ୍ନ ସ୍ଥାନରୁ ଅହରହ ପ୍ଲାଷ୍ଟିକ୍ ଆଉ ଅନ୍ୟ ବର୍ଜ୍ୟ ବସ୍ତୁଗୁଡ଼ିକ ଆସିଥାଏ । ପ୍ରତିଦିନ ସହରରେ ଉତ୍ପନ୍ନ ହେଉଥିବା ମୋଟ ବର୍ଜ୍ୟର ଏକ ବଡ଼ ଅଂଶ,୧୦,୦୦୦ଟନ୍ରୁ ଅଧିକ ବର୍ଜ୍ୟ, ଏଠାକୁ ହସ୍ତଚାଳିତ ଶଗଡ, ଟ୍ରକ୍ ଆଉ ଟେମ୍ପୋ ମାଧ୍ୟମରେ ଏଠାକୁ ଅଣାଯାଇଥାଏ। ବିଭିନ୍ନ ରାଜ୍ୟରୁ ପ୍ରବାସରେ ଆସି ଏଠାରେ କାମ କରୁଥିବା ଯୁବ କର୍ମଚାରୀମାନେ ଏହି ଜିନିଷଗୁଡ଼ିକୁ ଏହି ସେକ୍ଟର୍ର ଅତ୍ୟନ୍ତ ସଂକୀର୍ଣ୍ଣ ଗଳି ପଥ ଦେଇ ଲୋଡ୍ ତଥା ଅନ୍ଲୋଡ୍ କରିଥାନ୍ତି ।
ଏଠାରେ ଥିବା ଏକାଧିକ ସେଡ୍ରେ, ଯାହା ମଧ୍ୟରୁ କିଛି ଚାରି ଥାକିଆ ମଧ୍ୟ ଅଟେ, ବହୁସ୍ତରୀୟ ରିସାଇକ୍ଲିଙ୍ଗ୍ ପ୍ରକ୍ରିୟା ବାରମ୍ବାର ସଂଗଠିତ ହୋଇଥାଏ । ପ୍ରତ୍ୟେକ ଜିନିଷକୁ ଏକ ଆସେମ୍ୱ୍ଲି ଲାଇନ୍ରେ ସ୍ଥାନିତ କରାଯାଏ, ଯାହା ଏକ ‘ନୂଆ’ କଞ୍ଚା ମାଲ୍ ବା ଅନ୍ୟ କୌଣସି ପ୍ରସ୍ତୁତ ଉତ୍ପାଦରେ ରୂପାନ୍ତରିତ ହେବା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ, ଗୋଟିଏ ପ୍ରକ୍ରିୟାରୁ ଆଉ ଏକ ପ୍ରକ୍ରିୟାକୁ ଗତିକରିଥାଏ ।
ଟେରା କମ୍ପାଉଣ୍ଡର ରିସାଇକ୍ଲିଂ ଇକୋସିଷ୍ଟମର ଏକ ଫାଇନ୍ଲି ଟ୍ୟୁନ୍ଡ ଇଣ୍ଟରନାଲ୍ ଲଜିକ୍ ରହିଛି: କ୍ରୟ ଓ ବିକ୍ରୟ ବ୍ୟବସ୍ଥାର ଏକ ମ୍ୟାଟ୍ରିକ୍ସ ପ୍ରସ୍ତୁତ କରାଯାଇଛି, ଲୋକମାନେ କାର୍ଯ୍ୟ ସମ୍ବନ୍ଧିତ ଶବ୍ଦାବଳି ବ୍ୟବହାର କରନ୍ତି, ପ୍ରକ୍ରିୟାଗୁଡ଼ିକର ଆନୁକ୍ରମିକ ସୋପାନଗୁଡ଼ିକ ସୁବ୍ୟବସ୍ଥିତ ଅଟେ ଆଉ ପ୍ରତ୍ୟେକ ବ୍ୟକ୍ତି ଏକ ବା ଅଧିକ କାମରେ ପାରଦର୍ଶିତା ଲାଭ କରିଛନ୍ତି, ଯେପରିକି ରଦ୍ଦିୱାଲାମାନେ (ସହରର ବିଭିନ୍ନ ସ୍ଥାନରେ ରଦ୍ଦି କାରବାର କରୁଥିବା ବ୍ୟକ୍ତି) ପରିତ୍ୟକ୍ତ ବସ୍ତୁ ସବୁ ସଂଗ୍ରହ କରନ୍ତି, ବର୍ଜ୍ୟ ଗୋଟାଳି ଆଉ ଫେରିୱାଲାମାନେ ( ବୁଲା ବିକାଳି)ମାନେ ସେଡ୍ରେ ଦୈନିକ ସଂଗୃହିତ ଜିନିଷମାନ ଜମା କରନ୍ତି । ଯାନ ଚାଳକ ଆଉ ସହାୟକମାନେ କଣ୍ଟାୱାଲା (ଓଜନ କରୁଥିବା ବ୍ୟକ୍ତି) ନିକଟରେ ସାମଗ୍ରୀଗୁଡ଼ିକ ଅନ୍ଲୋଡ୍ କରିଥାନ୍ତି । ତା’ପରେ, ସେଠ୍ମାନେ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ଗୋଦାମ୍ଘର ରହିଛି, କାମ ଦେଖାଶୁଣା କରିବାକୁ ସୁପର୍ଭାଇଜର୍ମାନେ ଅଛନ୍ତି ଆଉ ଉଭୟ ପୁରୁଷ ଓ ମହିଳା କର୍ମଚାରୀ ହଜାର ପ୍ରକାର କାମରେ ନିୟୋଜିତ ହୋଇଛନ୍ତି ।
ମେସିନ୍ଗୁଡିକ ଠଣ୍ ଠଣ୍ ଆଉ ଝୁଣୁଝୁଣୁ ଶବ୍ଦ ମଧ୍ୟରେ କାରଖାନାଗୁଡ଼ିକ ପାଇଁ ପୁନଃ ବ୍ୟବହାର ଉପଯୋଗୀ ହେବା ଭଳି ସିଟ୍ ତିଆରି କରିବାକୁ ଧାତୁକୁ ପୋଡ଼ାଯାଏ ଆଉ ତରଳାଯାଏ । କର୍ମଚାରୀମାନେ ବ୍ୟବହାର ହୋଇଥିବା କାର୍ଡବୋର୍ଡ ବାକ୍ସଗୁଡ଼ିକର ଖରାପ ହୋଇନଥିବା ଅଂଶଗୁଡ଼ିକୁ କାଟି ବାହାର କରି ବକ୍ସର ପୁନଃ ନିର୍ମାଣ କରନ୍ତି, ପୁରୁଣା ଚପଲ, ଜୋତା ଆଦିର ସୋଲ୍ଗୁଡ଼ିକୁ ଏକ ଚର୍ଣ୍ଣରରେ ପକାନ୍ତି, ଜେରି କ୍ୟାନ୍ଗୁଡ଼ିକୁ ପରିଷ୍କାର କରନ୍ତି ଆଉ ସେଗୁଡ଼ିକୁ ଛାତ ଉପରେ ପର୍ବତାକାରରେ ଗଦା କରନ୍ତି । ୧୩ଦଶ କମ୍ପାଉଣ୍ଡରେ ପୁରୁଣା ଫ୍ରିଜ୍ ଆଉ ୱାସିଂମେସିନ୍ର ବିଭିନ୍ନ ଅଂଶଗୁଡ଼ିକୁ ଅଲଗା କରାଯାଏ ଆଉ ରିସାଇକ୍ଲିଂ ପାଇଁ ପ୍ଲାଷ୍କିକ୍ ଉପାଂଶଗୁଡ଼ିକୁ ଅପସାରଣ କରି ଅଲଗା ରଖାଯାଏ । କମ୍ପ୍ୟୁଟର୍ କୀବୋର୍ଡଗୁଡ଼ିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରାଯାଏ, ପୁରୁଣା ଆସବାବପତ୍ରଗୁଡ଼ିକୁ ଭାଙ୍ଗିଦିଆଯାଏ କିମ୍ବା ମରାମତି କରାଯାଏ, ଖାଲି ତେଲ ଆଉ ପେଣ୍ଟ ବ୍ୟାରେଲ୍ଗୁଡ଼ିକୁ ପରିଷ୍କାର କରାଯାଏ ଓ ଦ୍ୱିତୀୟଥର ବ୍ୟବହାର ଉପଯୋଗୀ କରିବା ପାଇଁ ପ୍ରସ୍ତୁତ କରାଯାଏ, ଯେତେବେଳେକି ସେଗୁଡ଼ିକର ବିଷାକ୍ତ ଅବଶେଷ ମୁକ୍ତ ନାଳରେ ଭାସୁଥାଏ ।
କେତେକ ଗୋଦାମରେ କର୍ମଚାରୀମାନେ ଆକାର, ପ୍ରକାର ମୁତାବକ ପ୍ଲାଷ୍ଟିକ୍ ଜିନିଷଗୁଡ଼ିକୁ ପୃଥକ୍ କରନ୍ତି – ବୋତଲ, ବାଲ୍ଟି, ବାକ୍ସ ଆଉ ଅନ୍ୟାନ୍ୟ ବର୍ଗରେ। ଏଗୁଡ଼ିକୁ ବାଛି ଅଲଗା କରାଯାଏ, ଧୋଇ ପରିଷ୍କାର କରାଯାଏ ଆଉ କେତେକ ୱାର୍କସେଡ୍ରେ ନିମ୍ନ-ମାନର ପ୍ଲାଷ୍ଟିକ୍ ସାମଗ୍ରୀ ତିଆରି କରିବା ପାଇଁ ରିକାଷ୍ଟ ମଧ୍ୟ କରାଯାଏ। ତାପରେ, ରିସାଇକ୍ଲିଂ ଚେନ୍ରେ ପରବର୍ତ୍ତୀ ଯାତ୍ରା ଆରମ୍ଭ କରିବା ପାଇଁ ଭର୍ତ୍ତି ଅଖାଗୁଡ଼ିକୁ ଟେମ୍ପୋ ଆଉ ଟ୍ରକ୍ରେ ଲୋଡ୍ କରାଯାଏ- (କଭର୍ ଫଟୋରେ) ଏକ କାମ ଯାହା ବୋଧେହୁଏ ଏହି କର୍ମଚାରୀ ଆଉ ତାଙ୍କର କ୍ର୍ୟୁ ଏବେ ଏବେ ସମ୍ପନ୍ନ କରିଛନ୍ତି ।
“ଆପଣ ଏପରି ଅନ୍ୟ କୌଣସି ଗାଭ୍ (‘ଗ୍ରାମ’/ସ୍ଥାନ) କେବେ ଦେଖିଛନ୍ତି କି?" ବୋଲି ଥରେ ଏଠାର ଜଣେ କର୍ମଚାରୀ ମୋତେ ପଚାରିଥିଲେ । “ଏହି ସ୍ଥାନ ଆପଣଙ୍କୁ ସବୁକିଛି ଦେବାକୁ ସମର୍ଥ ଅଟେ । ଏଠାକୁ ଯିଏ ଆସିବ ସେ କିଛି ନା କିଛି କାମରେ ନିଜକୁ ନିୟୋଜିତ କରିପାରିବ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ କାହାକୁ ଭୋକିଲା ରହିବାକୁ ପଡେ ନାହିଁ।”
ଏକଥା ସତ ଯେ, ଗତ ଦଶନ୍ଧିରେ କ୍ରମଶଃ ବୃଦ୍ଧି ପାଉଥିବା ବ୍ୟୟ ହାର ଆଉ ପୁନଃବିକାଶ ଜନିତ ଅନିର୍ଦ୍ଦିଷ୍ଟତା କାରଣରୁ ବାଧ୍ୟହୋଇ ଅନେକ ଗୋଦାମ ଧରାବିରୁ ଉତ୍ତର ମୁମ୍ବାଇର ଉତ୍ତର ସୀମାରେ ଥିବା ବିଭିନ୍ନ ରିସାଇକ୍ଲିଂ ହବ୍ ଯେପରିକି ନାଲାସୋପାରା ଆଉ ବସୈକୁ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହୋଇଛନ୍ତି । ଏକ ବର୍ଗ ମାଇଲ୍ ଅଞ୍ଚଳରେ ବ୍ୟାପ୍ତ କେନ୍ଦ୍ର ମୁମ୍ବାଇର ଏକ ଜନବସତି ଧରାବିର ‘ପୁନଃବିକାଶ’ ପାଇଁ ବହୁ ବର୍ଷ ହେବ ଯୋଜନା ଚାଲିଛି । ଯେତେବେଳେ ଏହାର କାର୍ଯ୍ୟାନ୍ୱୟନ ହେବ, ଧିରେ ଧିରେ ଅଧିକରୁ ଅଧିକ ବର୍ଜ୍ୟ-ସେକ୍ଟର ବ୍ୟବସାୟ ଆଉ ଏଠାରେ ଦୀର୍ଘଦିନ ଧରି ମଜୁରି ପାଇ କାମ କରୁଥିବା ହଜାର ହଜାର କର୍ମଚାରୀ ମଧ୍ୟ ଏଠାରୁ ଚାଲିଯିବାକୁ ବାଧ୍ୟ ହେବେ । ସେମାନଙ୍କର ସହରୀ ‘ଗାଭ’ ସ୍ଥାନରେ ସୁଉଚ୍ଚ ଅଟ୍ଟାଳିକାମାନ ଗଢ଼ିଉଠିବ ।
ଅନୁବାଦ: ଓଡ଼ିଶାଲାଇଭ୍