ନିଜ ପିତାଙ୍କ ସହିତ ହୋଇଥିବା ଶେଷ କଥାବାର୍ତ୍ତା ବ୍ୟତୀତ ଅନ୍ୟ କୌଣସି ବିଷୟକୁ ନେଇ ବିଜୟ ମରୋତ୍ତରଙ୍କ ମନରେ ଅନୁଶୋଚନା ନାହିଁ।
ସେଦିନ ଥିଲା ଗ୍ରୀଷ୍ମ ଋତୁର ଏକ ଉଷ୍ମ ଅପରାହ୍ଣ। ୟବତମାଲ ଜିଲ୍ଲାରେ ଥିବା ସେମାନଙ୍କ ଗାଁ ଧୀରେ ଧୀରେ ଗୋଧୂଳି ବେଳାକୁ ଅତିକ୍ରମ କରି ଯାଉଥିଲା। ଅଳ୍ପ ଆଲୋକିତ ନିଜ କୁଡ଼ିଆରେ ସେ ନିଜ ପିତା ଓ ନିଜ ପାଇଁ ଦୁଇଟି ଥାଳିରେ ରାତ୍ରୀ ଭୋଜନ ବାଢ଼ିଥିଲେ – ସେଥିରେ ଥିଲା ଦୁଇଟି ରୁଟି, ଡାଲି ଆଉ ଗୋଟିଏ ଗିନା ଭାତ।
କିନ୍ତୁ ତାଙ୍କ ପିତା ଘନଶ୍ୟାମ ଥାଳି ଉପରେ ଥରେ ନଜର ବୁଲାଇ ଆଣିଲେ ଏବଂ କ୍ରୋଧିତ ହୋଇ ଉଠିଲେ। କଟା ପିଆଜ କାହିଁକି ନାହିଁ? ତାଙ୍କର ଏଭଳି ପ୍ରତିକ୍ରିୟା ଅସ୍ୱାଭାବିକ ଥିଲା, କିନ୍ତୁ ସେ ସ୍ୱାଭାବିକ ଥିଲା ଭଳି ଜଣାପଡ଼ୁଥିଲେ ବୋଲି ୨୫ ବର୍ଷ ବୟସ୍କ ବିଜୟ କୁହନ୍ତି। ‘‘କିଛି ସମୟ ପାଇଁ ସେ ପାଗଳ ପ୍ରାୟ ହୋଇଯାଇଥିଲେ,’’ ସେ କୁହନ୍ତି। ମହାରାଷ୍ଟ୍ରର ଅକପୁରୀ ଗ୍ରାମରେ ସେମାନଙ୍କର ଗୋଟିଏ ବଖୁରିକିଆ କୁଡ଼ିଆ ବାହାରେ ଥିବା ଖାଲି ସ୍ଥାନରେ ଏକ ପ୍ଲାଷ୍ଟିକ ଚେୟାର ଉପରେ ବସି ବିଜୟ କହିଥାନ୍ତି ଯେ, ‘‘ଛୋଟ ଛୋଟ କଥାରେ ସେ ଅସନ୍ତୁଷ୍ଟ ହୋଇପଡ଼ୁଥିଲେ।’’
ବିଜୟ ରୋଷେଇ ଘରକୁ ଗଲେ ଏବଂ ନିଜ ବାପାଙ୍କ ପାଇଁ ପିଆଜ କାଟି ଆଣିଲେ। କିନ୍ତୁ ବାପ-ପୁଅଙ୍କ ମଧ୍ୟରେ ରାତ୍ରୀଭୋଜନ ପରେ ପ୍ରବଳ ଯୁକ୍ତିତର୍କ ହେଲା। ସେଦିନ ରାତିରେ ମୁହଁରେ ଏକ ତିକ୍ତ ଅନୁଭୂତି ନେଇ ବିଜୟ ଶୋଇବାକୁ ଗଲେ। ପରଦିନ ସକାଳେ ବାପାଙ୍କ ସହିତ ସବୁକିଛି ଠିକ୍ ହୋଇଯିବ ବୋଲି ସେ ଭାବିଥିଲେ।
କିନ୍ତୁ ଘନଶ୍ୟାମଙ୍କ ପାଇଁ ସେଦିନ ସକାଳ ଆସିଲା ନାହିଁ।
ସେହି ରାତିରେ ୫୯ ବର୍ଷ ବୟସ୍କ ଚାଷୀ ଘନଶ୍ୟାମ କୀଟନାଶକ ପିଇ ଦେଇଥିଲେ। ବିଜୟ ଉଠିବା ପୂର୍ବରୁ ସେ ଆରପାରିକୁ ଚାଲି ଯାଇଥିଲେ। ଏହା ଏପ୍ରିଲ ୨୦୨୨ର ଘଟଣା।
ବିଜୟଙ୍କ କହିବା ଅନୁସାରେ, ତାଙ୍କ ପିତାଙ୍କ ମୃତ୍ୟୁର ନଅ ମାସ ପରେ, ସେ ଏବେ ବି ଆଶାବାଦୀ ରହିଛନ୍ତି ଯେ, କାଳେ ଘଣ୍ଟାକଣ୍ଟା ଓଲଟା ଘୂରିଯିବ ଏବଂ ସେ ସେହି ଦୁର୍ଭାଗ୍ୟପୂର୍ଣ୍ଣ ରାତିରେ ପିତାଙ୍କ ସହିତ କରିଥିବା ଅପ୍ରୀତିକର ଯୁକ୍ତିତର୍କକୁ ଫେରାଇ ନେବେ। ଜଣେ ସ୍ନେହୀ ପିତା ଭାବେ ସେ ଘନଶ୍ୟାମଙ୍କ ଛବିକୁ ତୋଳି ଧରିବାକୁ ଚେଷ୍ଟା କରୁଛନ୍ତି। ମୃତ୍ୟୁର କିଛି ବର୍ଷ ପୂର୍ବରୁ ତାଙ୍କ ଭିତରେ ଯେଉଁ ଚିନ୍ତାଗ୍ରସ୍ତ ମଣିଷର ରୂପ ଦେଖିବାକୁ ମିଳିଥିଲା, ସେମିତି ସେ କେବେ ବି ନଥିଲେ। ବିଜୟଙ୍କ ମା’, ଘନଶ୍ୟାମଙ୍କ ପତ୍ନୀ ଦୁଇ ବର୍ଷ ପୂର୍ବରୁ ପ୍ରାଣ ହରାଇଥିଲେ।
ଗାଁରେ ପରିବାରର ପାଞ୍ଚ ଏକର ଚାଷ ଜମି ରହିଛି ଯେଉଁଠି ସେମାନେ ପାରମ୍ପରିକ ଭାବେ କପା ଏବଂ ତୁର (ହରଡ଼) ଚାଷ କରିଥାନ୍ତି। ଏହି ଜମିକୁ ନେଇ ହିଁ ତାଙ୍କ ପିତାଙ୍କର ଚିନ୍ତା ବଢ଼ିଯାଇଥିଲା। ‘‘ଗତ ଆଠରୁ ଦଶବର୍ଷର ସମୟ ବିଶେଷ ଖରାପ ରହି ଆସିଛି,’’ ବିଜୟ କୁହନ୍ତି। ‘‘ପାଣିପାଗ ଦିନକୁ ଦିନ ଅନିଶ୍ଚିତ ହୋଇପଡ଼ୁଛି। ମୌସୁମୀ ବିଳମ୍ବରେ ଆସୁଛି ଏବଂ ଖରାଦିନ ଲମ୍ବା ହୋଇଯାଇଥିବା ଆମେ ସମସ୍ତେ ଦେଖୁଛୁ। ସବୁବେଳେ ଆମେ ବିହନ ବୁଣୁଛୁ, କିନ୍ତୁ ଏହା ଗୋଟି ଚାଳନା ଭଳି ଅନିଶ୍ଚିତ ହୋଇଯାଇଛି।’’
ସେହି ଅନିଶ୍ଚିତତା ୩୦ ବର୍ଷ ଧରି ଚାଷ କାମ କରି ଆସୁଥିବା କୃଷକ ଘନଶ୍ୟାମଙ୍କୁ ନିଜର ସାମର୍ଥ୍ୟକୁ ନେଇ ସନ୍ଦେହୀ କରି ଦେଇଥିଲା। ପୁଣି ଏହି ବେଉସା ଛଡ଼ା ସେ ଅନ୍ୟ କିଛି ଜାଣିନଥିଲେ। ବିଜୟ କୁହନ୍ତି, ‘‘ଚାଷରେ ସମୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପାଣିପାଗର ସ୍ଥିତି ଦିନକୁ ଦିନ ପରିବର୍ତ୍ତନ ହେଉଥିବାରୁ ଆପଣ ଠିକ୍ ସମୟରେ ଏହାକୁ ପରିଚାଳନା କରିପାରିବେ ନାହିଁ। ସେ ଯେତେଥର ଫସଲ ବୁଣୁଥିଲେ, ତା’ପରେ ମରୁଡ଼ି ପଡ଼ିଯାଉଥିଲା। ଆଉ ସେ ଏଥିରେ ବ୍ୟକ୍ତିଗତ ଭାବେ ପ୍ରଭାବିତ ହେଉଥିଲେ। ବୁଣିବା ପରେ ଯେତେବେଳେ ବର୍ଷା ହୁଏ ନାହିଁ, ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ତାହା କରିବେ କି ନାହିଁ ଆପଣ ନିର୍ଣ୍ଣୟ ନେବା ଜରୁରି।’’
ଦ୍ୱିତୀୟ ପର୍ଯ୍ୟାୟରେ ଫସଲ ବୁଣିବା ଫଳରେ ମୂଳ ଉତ୍ପାଦନ ଖର୍ଚ୍ଚ ଦୁଇଗୁଣା ହୋଇଯାଏ। ତଥାପି ଅମଳ ଭଲ ହେବା ନେଇ ଚାଷୀ ଆଶାବାଦୀ ଥାଆନ୍ତି। ଅଧିକାଂଶ ସମୟରେ, ସେପରି ହୁଏ ନାହିଁ। ବିଜୟ କୁହନ୍ତି, ‘‘ଗୋଟିଏ ଖରାପ ଋତୁରେ ଆମେ ପ୍ରାୟ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାର କ୍ଷତି ସହିଥାଉ।’’ ଓଇସିଡିର ୨୦୧୭-୧୮ ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ , ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ଏବଂ ବୃଷ୍ଟିପାତରେ ଅନିଶ୍ଚିତତା ଦେଖା ଦେଇଛି ଏବଂ ଏହା ଜଳସେଚିତ କ୍ଷେତ୍ରରେ ଚାଷୀଙ୍କ ଆୟକୁ ୧୫-୧୮ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଛି। ଏହି ସର୍ବେକ୍ଷଣରେ ଆହୁରି ଦର୍ଶାଯାଇଛି ଯେ, ଅଣ ଜଳସେଚିତ ଅଞ୍ଚଳରେ ଏହି କ୍ଷତିର ପରିମାଣ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ହୋଇପାରେ।
ବିଦର୍ଭ କ୍ଷେତ୍ରର ଅଧିକାଂଶ କ୍ଷୁଦ୍ର ଚାଷୀଙ୍କ ଭଳି ଘନଶ୍ୟାମ, ବ୍ୟୟବହୁଳ ଜଳସେଚନ ପଦ୍ଧତି ପାଇଁ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ ଏବଂ ସେ ଭଲ ମୌସୁମୀ ଅପେକ୍ଷାରେ ଥାଆନ୍ତି ଯାହାକି ଅଧିକାଂଶ ସମୟରେ ଅନିଶ୍ଚିତ ହୋଇଥାଏ। ବିଜୟ କୁହନ୍ତି, ‘‘ଏବେ ଆଉ ଝଡ଼ି ବର୍ଷା ହେଉନାହିଁ’’। ମରୁଡ଼ି ପଡ଼ିଯାଉଛି କିମ୍ବା ବନ୍ୟା ଆସୁଛି। ଜଳବାୟୁରେ ଏଭଳି ଅନିଶ୍ଚିତତା ଆପଣଙ୍କ ନିଷ୍ପତ୍ତି ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିରେ ଚାଷ କାର୍ଯ୍ୟ କରିବା ଅତ୍ୟନ୍ତ ଚିନ୍ତାଜନକ। ଏହା ମାନସିକ ଅସ୍ଥିରତା ବଢ଼ାଇ ଦେଇଥାଏ ଏବଂ କେବଳ ଏହି କାରଣରୁ ମୋ ବାପାଙ୍କ ସ୍ୱଭାବ ଚିଡ଼ାଚିଡ଼ା ହୋଇଯାଇଥିଲା।’’
ପୂର୍ବରୁ ଅତ୍ୟଧିକ କୃଷି ସଙ୍କଟ ଏବଂ ଚାଷୀ ଆତ୍ମହତ୍ୟାର ଉଦବେଗଜନକ ସ୍ଥିତି ପାଇଁ ପରିଚିତ ଏହି କ୍ଷେତ୍ରରେ ଲଗାତାର ଚିନ୍ତା ଏବଂ ଶେଷରେ କ୍ଷତି ଚାଷୀଙ୍କ ମଧ୍ୟରେ ଏକ ମାନସିକ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ୧୧,୦୦୦ ଚାଷୀ ଆତ୍ମହତ୍ୟା କରିଥିଲେ ଏବଂ ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ରର ୧୩ ପ୍ରତିଶତ ଚାଷୀ ଥିଲେ। ଭାରତରେ ଆତ୍ମହତ୍ୟା କରୁଥିବା ଲୋକମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ସର୍ବାଧିକ ଲୋକ ଅଛନ୍ତି।
ସରକାରୀ ତଥ୍ୟରେ ଥିବା ସଂଖ୍ୟାଠାରୁ ଏହି ସଙ୍କଟ ଅଧିକ ଗମ୍ଭୀର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ‘‘ପ୍ରତି ଆତ୍ମହତ୍ୟା ପିଛା, ୨୦ ଜଣ ଲୋକ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି।’’
ଘନଶ୍ୟାମଙ୍କ କ୍ଷେତ୍ରରେ, ଅନିଶ୍ଚିତ ପାଣିପାଗ କାରଣରୁ ପରିବାର ଲଗାତାର କ୍ଷତି ସହିଥିଲା ଫଳରେ ସେମାନଙ୍କର ଋଣ ବୋଝ ବଢ଼ିଚାଲିଥିଲା। ବିଜୟ କୁହନ୍ତି, ‘‘ଆମର ଚାଷ କାମ ଜାରି ରଖିବା ପାଇଁ ମୋ ବାପା ଜଣେ ଘରୋଇ ସାହୁକାରଙ୍କଠାରୁ ଉଧାର ଆଣିଥିଲେ ବୋଲି ମୁଁ ଜାଣିଛି। ସମୟ ସହିତ ସୁଧ ଦର ବଢ଼ୁଥିବା କାରଣରୁ ଋଣ ପରିଶୋଧ କରିବାର ବୋଝ ତାଙ୍କ ଉପରେ ବଢ଼ି ଚାଲିଥିଲା।’’
ଗତ ୫ରୁ ୮ ବର୍ଷ ମଧ୍ୟରେ ଆସିଥିବା କେତେକ କୃଷି ଋଣ ଯୋଜନାର କିଛି ସର୍ତ୍ତ ରହିଥିଲା। ଏଥିମଧ୍ୟରୁ କୌଣସି ଥିରେ ଘରୋଇ ସାହୁକାରଙ୍କୁ ସାମିଲ କରାଯାଇନଥିଲା। ଟଙ୍କା ପରିଶୋଧକୁ ନେଇ ରହିଥିବା ଚାପ ସେମାନଙ୍କ ଗଳାରେ ଫାଶ ଭଳି ଝୁଲି ରହିଥିଲା। ‘‘ଆମ ଉପରେ କେତେ ଋଣ ରହିଛି ମୋ ବାପା ମୋତେ କେବେ ବି କହିନଥିଲେ। ମୃତ୍ୟୁବରଣ କରିବା ପୂର୍ବରୁ କିଛି ବର୍ଷ ଧରି ସେ ପ୍ରବଳ ମଦ୍ୟପାନ କରୁଥିଲେ,’’ ବିଜୟ କୁହନ୍ତି।
ୟୱତମାଲରେ ରହୁଥିବା ମାନସିକ ରୋଗ ବିଶେଷଜ୍ଞ ଓ ସାମାଜିକ କର୍ମୀ ପ୍ରଫୁଲ୍ଲ କାପସେ (୩୭) କୁହନ୍ତି, ଅତ୍ୟଧିକ ମଦ୍ୟପାନ ମାନସିକ ଅବସାଦର ଲକ୍ଷଣ। ‘‘ଅଧିକାଂଶ ଆତ୍ମହତ୍ୟା ପଛରେ ଏକ ଅନ୍ତର୍ନିହିତ ମାନସିକ ସମସ୍ୟା ରହିଥାଏ। ଚାଷୀମାନେ କେଉଁଠୁ ସହାୟତା ପାଇବେ ଜାଣିନଥିବାରୁ ଏହା ଚିହ୍ନଟ ହୋଇପାରିନଥାଏ।’’
ନିଜ ପରିବାରର ଏହି ସଂଘର୍ଷ କାରଣରୁ ଘନଶ୍ୟାମଙ୍କଠାରେ ରକ୍ତଚାପ, ଚିନ୍ତା ଓ ମାନସିକ ଅବସାଦ ଦେଖା ଦେଇଥିଲା ଓ ଶେଷରେ ସେ ଆତ୍ମହତ୍ୟା କରିଥିଲେ। କ’ଣ କରିବାକୁ ହେବ କୌଣସି ପନ୍ଥା ନଥିଲା। ପରିବାରରେ କେବଳ ସେ ଏକାକୀ ମାନସିକ ଚାପ ଏବଂ ଚିନ୍ତାର ଶିକାର ହୋଇନଥିଲେ। ଦୁଇ ବର୍ଷ ପୂର୍ବରୁ ମେ ୨୦୨୦ରେ ତାଙ୍କର ୪୫ ବର୍ଷ ବୟସ୍କ ପତ୍ନୀ କଳ୍ପନା କୌଣସି ପୂର୍ବ ସ୍ୱାସ୍ଥ୍ୟ ସମସ୍ୟା ନଥାଇ, ହଠାତ୍ ହୃଦଘାତରେ ପ୍ରାଣ ହରାଇଥିଲେ।
‘‘ମା’ଙ୍କୁ ଚାଷ ଜମି ଏବଂ ଘରକରଣା କାମ କରିବାକୁ ପଡ଼ିଥିଲା। ଆହୁରି କ୍ଷତି କାରଣରୁ ପରିବାର ପାଇଁ ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇଯାଇଥିଲା। ଆମର ଆର୍ଥିକ ସ୍ଥିତିକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ,’’ ବିଜୟ କୁହନ୍ତି। ‘‘ଏହାଛଡ଼ା ମୁଁ ଅନ୍ୟ କୌଣସି କାରଣ ବିଷୟରେ ଭାବି ପାରୁନାହିଁ।’’
କଳ୍ପନାଙ୍କ ଅନୁପସ୍ଥିତି ଘନଶ୍ୟାମଙ୍କ ପାଇଁ ଅସହ୍ୟ ଥିଲା। ‘‘ମା’ ପ୍ରାଣ ହରେଇବା ପରେ ମୋ ବାପା ଏକାକୀ ହୋଇଯାଇଥିଲେ ଏବଂ ସମ୍ପୂର୍ଣ୍ଣ ନିରବୀ ଯାଇଥିଲେ,’’ ବିଜୟ କୁହନ୍ତି। ‘‘ମୁଁ ତାଙ୍କ ସହିତ କଥା ହେବାକୁ ଚେଷ୍ଟା କରୁଥିଲି, କିନ୍ତୁ ସେ କେବେ ବି ନିଜର ଅନୁଭୂତି ବାଣ୍ଟୁନଥିଲେ। ମୁଁ ଭାବୁଛି ସେ କେବଳ ମୋତେ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଥିଲେ।’’
କାପସେ ତର୍କ ଦେଇଥାନ୍ତି ଯେ ଚରମ ପାଣିପାଗ ଘଟଣା ଏବଂ ଅପ୍ରତ୍ୟାଶିତ ଜଳବାୟୁରେ ପୀଡ଼ିତ ଗ୍ରାମୀଣ କ୍ଷେତ୍ରରେ ପୋଷ୍ଟ-ଟ୍ରମାଟିକ ଷ୍ଟ୍ରେସ ଡିଜଅର୍ଡର (ପିଟିଏସଡି), ଭୟ ଓ ଅବସାଦ ବିଶେଷ ଭାବେ ଦେଖିବାକୁ ମିଳୁଛି। ‘‘ଚାଷୀମାନଙ୍କର ଅନ୍ୟ କୌଣସି ଆୟ ଉତ୍ସ ନାହିଁ,’’ ସେ କୁହନ୍ତି। କାପସେ ଆହୁରି କୁହନ୍ତି, ‘‘ମାନସିକ ଚାପର ଚିକିତ୍ସା କରାନଗଲେ ତାହା ଗମ୍ଭୀର ସଙ୍କଟରେ ପରିଣତ ହୋଇଥାଏ, ଶେଷରେ ଏହା ଅବସାଦରେ ପରିଣତ ହୋଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରାମର୍ଶ ଜରିଆରେ ମାନସିକ ଚାପର ଚିକିତ୍ସା କରାଯାଇପାରିବ। କିନ୍ତୁ ଆତ୍ମହତ୍ୟା ପ୍ରବଣତା ବଢ଼ାଇ ଦେଉଥିବା ଗମ୍ଭୀର ସ୍ଥିତିରେ ଏଥିପାଇଁ ଔଷଧୀୟ ଚିକିତ୍ସାର ଆବଶ୍ୟକତା ରହିଛି।’’
ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ର ତଥ୍ୟ ଅନୁଯାୟୀ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମାମଲାରେ ସଂକଟ ସମାଧାନ ହସ୍ତକ୍ଷେପ ହାର ୭୦ରୁ ୮୬ ପ୍ରତିଶତ ପଛରେ ରହିଛି। ଏପରିକି ମାନସିକ ସ୍ୱାସ୍ଥ୍ୟସେବା ଆଇନ, ୨୦୧୭ ପାରିତ ହେବା ପରେ ଏବଂ ମେ ୨୦୧୮ରେ ଏହା କାର୍ଯ୍ୟକାରୀ ହେବା ପରେ ମଧ୍ୟ କୌଣସି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼ୁଥିବା ଲୋକମାନଙ୍କୁ ଆବଶ୍ୟକ ସେବାର ଉପଲବ୍ଧତା ଏବଂ ବ୍ୟବସ୍ଥା କରିବା ଏକ ଆହ୍ୱାନ ହୋଇ ରହିଛି।
ୟୱତମାଲ ତାଲୁକାର ଭଡ଼ଗାଓଁ ଗ୍ରାମର ଜଣେ ଚାଷୀ ସୀମା ବାଣୀ (୪୨) ମାନସିକ ସ୍ୱାସ୍ଥ୍ୟ ସେବା ଆଇନ କିମ୍ବା ଏହା ଅଧୀନରେ ଉପଲବ୍ଧ ସମ୍ଭାବ୍ୟ ସେବା ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ ଅନଭିଜ୍ଞ ଥିଲେ। ଜୁଲାଇ ୨୦୧୫ରେ ତାଙ୍କ ସ୍ୱାମୀ ୪୦ ବର୍ଷ ବୟସ୍କ ସୁଧାକର କୀଟନାଶକ ପିଇ ଆତ୍ମହତ୍ୟା କରିବା ପରଠାରୁ ସେ ନିଜେ ସେମାନଙ୍କର ୧୫ ଏକର ଚାଷ ଜମିରେ କୃଷିକାର୍ଯ୍ୟ ସମ୍ଭାଳୁଛନ୍ତି।
ସେ କୁହନ୍ତି, ‘‘ମୁଁ ଦୀର୍ଘ ସମୟ ଧରି ଶାନ୍ତିରେ ଶୋଇ ପାରିନାହିଁ। ମୁଁ ତାନ୍ନ (ମାନସିକ ଚାପ)ରେ ବଞ୍ଚୁଛି। ମୋ ହୃତସ୍ପନ୍ଦନ ଅଧିକାଂଶ ସମୟରେ ବଢ଼ିଯାଇଥାଏ। ପୋଟାତ ଗୋଲା ୟେତୋ। କୃଷି ଋତୁରେ ଭୟ ଓ ଅଧୀରତା କାରଣରୁ ମୋ ପେଟ ଭାରୀ ହୋଇପଡ଼ିଛି।’’
ସୀମା ଜୁନ ୨୦୨୨ର ଶେଷ ଭାଗରେ ଖରିଫ ଋତୁ ଆରମ୍ଭ ହେବା ସମୟରେ କପା ଲଗାଇଥିଲେ। ସେ ଭଲ ଅମଳ ପାଇବା ଲାଗି ବିହନ, କୀଟନାଶକ, ସାରରେ ୧ ଲକ୍ଷ ଟଙ୍କା ନିବେଶ କରିବା ସହିତ ଦିନରାତି ପରିଶ୍ରମ କରିଥିଲେ। ସେ ଆଗ୍ରହର ସହିତ ଏକ ଲକ୍ଷରୁ ଅଧିକ ଲାଭ ପାଇବାକୁ ଆଶାବାଦୀ ଥିଲେ। କିନ୍ତୁ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥିବା ଦୁଇ ଦିନର ଅତିପ୍ରବଳ ବାଦଲଫଟା ବର୍ଷା ତାଙ୍କର ତିନି ମାସର କଠିନ ପରିଶ୍ରମକୁ ସମ୍ପୂର୍ଣ୍ଣ ଧୋଇ ନେଇଥିଲା।
‘‘ମୁଁ ମାତ୍ର ୧୦,୦୦୦ ଟଙ୍କାର ଫସଲ ବଞ୍ଚାଇବାରେ ସକ୍ଷମ ହେଲି,’’ ସେ କୁହନ୍ତି। ‘‘ଚାଷରୁ ଲାଭ ହେବା ତ’ ଦୂରର କଥା, ମୁଁ ଖାଇବା ଯୋଗାଡ଼ କରିବାରେ ମଧ୍ୟ ସଂଘର୍ଷ କରୁଛି। ମାସ ମାସ ଧରି ହାଡ଼ଭଙ୍ଗା ପରିଶ୍ରମ କରି ଆପଣ ଫସଲ ଅମଳ କରିଥିବେ, କିନ୍ତୁ ସେସବୁ ମାତ୍ର ଦୁଇ ଦିନର ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ମୁଁ ଏହାକୁ କିଭଳି ବର୍ଣ୍ଣନା କରିବି? ଠିକ୍ ଏହି କାରଣରୁ ମୋ ସ୍ୱାମୀ ପ୍ରାଣ ହରାଇଥିଲେ।’’ ସୁଧାକରଙ୍କ ମୃତ୍ୟୁ ପରେ, ସୀମାଙ୍କ ଉପରକୁ ଚାଷ ଜମିର ଦାୟିତ୍ୱ ଏବଂ ତା’ସହ ଜଡ଼ିତ ଚାପ ଚାଲି ଆସିଥିଲା।
‘‘ଗତ କୃଷି ଋତୁରେ ମରୁଡ଼ି କାରଣରୁ ଆମେ ଆର୍ଥିକ କ୍ଷତି ସହିଥିଲୁ,’’ ସୁଧାକରଙ୍କ ମୃତ୍ୟୁ ପୂର୍ବର ସମୟ ବିଷୟରେ ସୀମା କହିଥାନ୍ତି। ‘‘ତେଣୁ, ଜୁଲାଇ ୨୦୧୫ରେ ଯେତେବେଳେ ସେ କପା ବିହନ କିଣିଲେ ତାହା ନକଲି ପଡ଼ିଲା, ଏହା ହିଁ ତାଙ୍କ ପାଇଁ ଶେଷ ସୁଯୋଗ ଥିଲା। ଆମେ ମଧ୍ୟ ସେହି ସମୟରେ ଆମର ଝିଅ ବାହାଘର କରାଇଥିଲୁ। ଏହିସବୁ ଚାପକୁ ସେ ବରଦାସ୍ତ କରିପାରିଲେ ନାହିଁ – ଫଳରେ ସେ ଦୁଶ୍ଚିନ୍ତା ମଧ୍ୟକୁ ଚାଲିଯାଇଥିଲେ।
ଦିନକୁ ଦିନ ତାଙ୍କ ସ୍ୱାମୀ ନୀରବ ହୋଇଯାଉଥିବା ସୀମା ଦେଖିବାକୁ ପାଇଥିଲେ। ସବୁ କଥାକୁ ସେ ନିଜ ଭିତରେ ଚାପି ରଖୁଥିଲେ, କିନ୍ତୁ ସେ ଏତେବଡ଼ ଚରମ ନିଷ୍ପତ୍ତି ନେବେ ବୋଲି ସୀମା କେବେ ବି କଳ୍ପନା କରିପାରିନଥିଲେ ବୋଲି ସେ କୁହନ୍ତି। ‘‘ଗାଁ ସ୍ତରରେ ଆମକୁ କ’ଣ କିଛି ସାହାଯ୍ୟ ମିଳିପାରିନଥାନ୍ତା?’’ ସେ ପ୍ରଶ୍ନ କରନ୍ତି।
ମାନସିକ ସ୍ୱାସ୍ଥ୍ୟସେବା ଆଇନ ୨୦୧୭ ଭଲ ଭାବେ କାର୍ଯ୍ୟକାରୀ ହୋଇଥିଲେ ସୀମାଙ୍କ ପରିବାରକୁ ସହଜରେ ଉନ୍ନତ ମାନ ତଥା ପରିମାଣର ପରାମର୍ଶ ଓ ଚିକିତ୍ସା ସେବା, ପୁନର୍ବାସ କେନ୍ଦ୍ରରେ ରହଣି ସହିତ ଆଶ୍ରୟ ଏବଂ ସହାୟତା ମିଳିପାରିଥାନ୍ତା।
ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଡିଏମଏଚପି) ୧୯୯୬ ମସିହାରେ କାର୍ଯ୍ୟକାରୀ ହୋଇଥିଲା, ଏଥିରେ ଥିବା ବାଧ୍ୟତାମୂଳକ ନିୟମ ହେଉଛି ଗୋଷ୍ଠୀ ସ୍ତରରେ, ପ୍ରତ୍ୟେକ ଜିଲ୍ଲାରେ ଜଣେ ମାନସିକ ରୋଗ ବିଶେଷଜ୍ଞ, ଜଣେ କ୍ଲିନିକାଲ ମାନସିକ ଚିକିତ୍ସକ, ଜଣେ ମାନସିକ ରୋଗ ନର୍ସ ଏବଂ ଜଣେ ମାନସିକ ରୋଗ ସାମାଜିକ କର୍ମୀ ରହିବା ଜରୁରି। ଏହାଛଡ଼ା, ତାଲୁକ ସ୍ତରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପୂର୍ଣ୍ଣକାଳୀନ କ୍ଲିନିକାଲ ମାନସିକ ରୋଗ ବିଶେଷଜ୍ଞ କିମ୍ବା ଜଣେ ମାନସିକ ରୋଗ ସାମାଜିକ କର୍ମୀ ରହିବା ଆବଶ୍ୟକ।
କିନ୍ତୁ ୟୱତମାଲରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ରହୁଥିବା ଏମବିବିଏସ ଡାକ୍ତରମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ଲୋକମାନଙ୍କୁ ଚିହ୍ନଟ କରିଥାନ୍ତି। ୟୱତମାଲ ଜିଲ୍ଲା ପାଇଁ ଡିଏମଏଚପି ସଂଯୋଜକ ଡାକ୍ତର ବିନୋଦ ଯାଦବ ପିଏଚସି ଗୁଡ଼ିକରେ ଯୋଗ୍ୟ କର୍ମଚାରୀଙ୍କ ଅଭାବ କଥାକୁ ସ୍ୱୀକାର କରିଥାନ୍ତି। ‘‘ଯଦି ମାମଲାଟି ସେମାନଙ୍କ (ଏମବିବିଏସ ଡାକ୍ତର) ସ୍ତରରେ ସମାଧାନ ହୋଇପାରିନଥାଏ ତା’ହେଲେ ଜିଲ୍ଲା ଡାକ୍ତରଖାନାକୁ ସୁପାରିସ କରାଯାଇଥାଏ,’’ ସେ କୁହନ୍ତି।
ଯଦି ଜିଲ୍ଲା ଡାକ୍ତରଖାନାରେ ମିଳୁଥିବା ପରାମର୍ଶ ସେବା ବିଷୟରେ ସୀମା ଜାଣିଥାନ୍ତେ ତା’ହେଲେ ତାଙ୍କୁ ନିଜ ଗ୍ରାମଠାରୁ ପ୍ରାୟ ୬୦ କିଲୋମିଟର ଦୂର ଯାତ୍ରା କରିବାକୁ ପଡ଼ିଥାନ୍ତା। ଏଥିପାଇଁ ତାଙ୍କୁ ଯିବା ଆସିବାରେ ଦୁଇ ଘଣ୍ଟା ସମୟ ବିତାଇବା ଓ ଆର୍ଥିକ ଭାବେ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଆନ୍ତା।
କାପସେ କୁହନ୍ତି, ‘‘ଯଦି ସହାୟତା ପାଇବାକୁ ଏକ ଘଣ୍ଟା ବସ ଯାତ୍ରା କରିବାକୁ ପଡ଼ୁଛି, ତା’ହେଲେ ବାରମ୍ବାର ଯିବା ଆସିବା କରିବାର ଆବଶ୍ୟକତା ଥିବା କାରଣରୁ ଲୋକମାନେ ଏହି ସେବା ପାଇବାକୁ ନିରୁତ୍ସାହିତ ହୋଇପଡ଼ୁଛନ୍ତି। ଲୋକମାନେ ଯେ ସହାୟତା ଆବଶ୍ୟକ କରନ୍ତି, ଏହି କଥାକୁ ସ୍ୱୀକାର କରିବା ଏକ ସମସ୍ୟା ହୋଇଥିବା ବେଳେ ତା’ସାଙ୍ଗକୁ ଯାତାୟାତ ଜନିତ ସମସ୍ୟା ସେମାନଙ୍କ ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥାଏ।
ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ୟୱତମାଲର ୧୬ଟି ତାଲୁକ ରେ ଡିଏମଏଚପି ଅଧୀନରେ ତାଙ୍କ ଦଳ ଜନସମ୍ପର୍କ ଶିବିର ଆୟୋଜନ କରିଥାଏ ବୋଲି ଯାଦବ କୁହନ୍ତି। ସେ କୁହନ୍ତି, ‘‘ଆମ ପାଖକୁ ଆସିବା ଲାଗି ଲୋକମାନଙ୍କୁ କହିବା ଅପେକ୍ଷା ସେମାନେ ଯେଉଁଠି ଅଛନ୍ତି ସେଠାରେ ପହଞ୍ଚିବା ଭଲ ହେବ। ଆମ ପାଖରେ ଯଥେଷ୍ଟ ଗାଡ଼ି କିମ୍ବା ପାଣ୍ଠି ନାହିଁ, କିନ୍ତୁ ଆମେ ଯେତିକି କରିପାରିବୁ ସେତିକି କରିଥାଉ।’’
ରାଜ୍ୟ ଡିଏମଏଚପି ପାଇଁ ଉଭୟ ସରକାରଙ୍କ ଦ୍ୱାରା ଗତ ତିନି ବର୍ଷ ମଧ୍ୟରେ ମୋଟ ପ୍ରାୟ ୧୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ମହାରାଷ୍ଟ୍ର ସରକାର ଏହି ବଜେଟର ମାତ୍ର ୫.୫ ପ୍ରତିଶତ ଅର୍ଥାତ ପ୍ରାୟ ୮.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ମହାରାଷ୍ଟ୍ରର ଡିଏମଏଚପି ବଜେଟ୍ ସଂକୁଚିତ ହୋଇ ଚାଲିଥିବା କାରଣରୁ ବିଜୟ ଓ ସୀମା ଭଳି ଲୋକଙ୍କର ଏଭଳି ଶିବିରକୁ ଆସିବାର ସମ୍ଭାବନା କମ୍ ହୋଇଯାଇଛି।
ନିଃସଙ୍ଗତା, ଆର୍ଥିକ କଳହ ଏବଂ ମାନସିକ ଦୁର୍ବଳତାକୁ ଗମ୍ଭୀର କରି ଦେଇଥିବା ଏକ ଭୟଙ୍କର ମହାମାରୀ ସତ୍ତ୍ୱେ ଗତ କିଛି ବର୍ଷ ହେବ ଶିବିରଗୁଡ଼ିକର ସଂଖ୍ୟା ହ୍ରାସ ପାଇଛି। ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ମାନସିକ ସ୍ୱାସ୍ଥ୍ୟ ସହାୟତା ପାଇବାକୁ ଚାହୁଁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ୟୱତମାଲର ଜଣେ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ପ୍ରଶାନ୍ତ ଚକ୍କରୱାର କୁହନ୍ତି, ‘‘ଶିବିରରୁ କେବଳ ଗୋଟିଏ ବର୍ଗର ଲୋକ ଲାଭ ପାଇଥାନ୍ତି କାରଣ ପୁନର୍ବାର ଶିବିରକୁ ଆସିବାର ସୁଯୋଗ ରୋଗୀଙ୍କୁ ବର୍ଷକୁ କେବଳ ଗୋଟିଏ ଥର ମିଳିଥାଏ। ପ୍ରତ୍ୟେକ ଆତ୍ମହତ୍ୟା ପାଇଁ ବ୍ୟବସ୍ଥାଗତ ବିଫଳତା ଦାୟୀ। ଲୋକମାନେ ରାତାରାତି ଏଭଳି ଗୋଟିଏ ଚରମ ନିଷ୍ପତ୍ତି ନିଅନ୍ତି ନାହିଁ। ଏକାଧିକ ପ୍ରତିକୂଳ ଘଟଣାର ଏକ ପ୍ରକ୍ରିୟା ଏଥିପାଇଁ ଦାୟୀ।’’
ଚାଷୀଙ୍କ ଜୀବନରେ ପ୍ରତିକୂଳ ଘଟଣାଗୁଡ଼ିକ ବଢ଼ିଚାଲିଛି।
ପିତା ଘନଶ୍ୟାମ ମୃତ୍ୟୁବରଣ କରିବାର ପାଞ୍ଚ ମାସ ପରେ ବିଜୟ ମାରୋତ୍ତର ନିଜକୁ ତାଙ୍କର ଚାଷ ଜମିରେ ଆଣ୍ଠୁଏ ଉଚ୍ଚା ପାଣିରେ ଛିଡ଼ା ହୋଇଥିବା ଅବସ୍ଥାରେ ପାଇଥିଲେ। ସେପ୍ଟେମ୍ବର ୨୦୨୨ରେ ହୋଇଥିବା ଅତ୍ୟଧିକ ବୃଷ୍ଟିପାତ ତାଙ୍କର ଅଧିକାଂଶ କପା ଫସଲକୁ ଧୋଇ ନେଇଥିଲା। ଏହା ତାଙ୍କ ଜୀବନର ପ୍ରଥମ ଫସଲ ଋତୁ ଥିଲା, ଯେଉଁ ସମୟରେ ତାଙ୍କର ମାର୍ଗଦର୍ଶନ କିମ୍ବା ସହାୟତା ପାଇଁ ମାତା ପିତା କେହି ନଥିଲେ। ସେ ସବୁକିଛି ନିଜେ କରୁଥିଲେ।
ସେ ଯେତେବେଳେ ପ୍ରଥମ ଥର ପାଇଁ ଚାଷ ଜମିକୁ ପାଣିରେ ବୁଡ଼ିଯାଇଥିବା ଦେଖିଲେ, ତା’କୁ ବଞ୍ଚାଇବା ପାଇଁ ସକ୍ରିୟତା ଦେଖାଇନଥିଲେ। କେବଳ ସେଠାରେ ଛିଡ଼ା ହୋଇ ଶୂନ୍ୟତାର ସହ ଚାହିଁ ରହିଲେ। ତାଙ୍କର ଧଳା ଊଜ୍ଜ୍ୱଳ କପା ପାଣି ଓ ମାଟି ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ବିଜୟ କୁହନ୍ତି, ‘‘ମୁଁ ଫସଲରେ ପ୍ରାୟ ୧ ଲକ୍ଷ ୨୫ ହଜାର (ଟଙ୍କା) ନିବେଶ କରିଥିଲି। କିନ୍ତୁ ମୁଁ ଅଧିକାଂଶ ଫସଲ ହରେଇଲି। ତଥାପି ମୋତେ ମୁଣ୍ଡ ଉଠାଇବାକୁ ପଡ଼ିବ। ଭାଙ୍ଗିପଡ଼ିବା ମୋ ପକ୍ଷେ ସମ୍ଭବ ନୁହେଁ।’’
ଠାକୁର ଫେମିଲୀ ଫାଉଣ୍ଡେସନଠାରୁ ମିଳୁଥିବା ନିରପେକ୍ଷ ସାମ୍ବାଦିକତା ଅନୁଦାନ ସହାୟତାରେ ପାର୍ଥ ଏମ.ଏନ. ଜନସ୍ୱାସ୍ଥ୍ୟ ଓ ନାଗରିକ ସ୍ୱାଧୀନତା ଉପରେ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି । ଏହି ରିପୋର୍ଟେଜର ବିଷୟବସ୍ତୁ ଉପରେ ଠାକୁର ଫେମିଲୀ ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ ।
ଯଦି ଆପଣଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଉଛି କିମ୍ବା ଏପରି ସଂକଟରେ ଥିବା କାହାକୁ ଜାଣିଛନ୍ତି ତା’ହେଲେ ଦୟାକରି ଜାତୀୟ ହେଲ୍ପଲାଇନ କିରନକୁ ୧୮୦୦-୫୯୯-୦୦୧୯ (୨୪ ଘଣ୍ଟିଆ ନିଃଶୁଳ୍କ)ରେ କଲ୍ କରନ୍ତୁ, କିମ୍ବା ଆପଣଙ୍କ ପାଖରେ ଥିବା ଏଥିମଧ୍ୟରୁ କୌଣସି ହେଲ୍ପଲାଇନର ସହାୟତା ନିଅନ୍ତୁ । ମାନସିକ ସ୍ୱାସ୍ଥ୍ୟ ପେସାଦାର ଓ ସେବା ଉପରେ ସୂଚନା ପାଇବା ଏବଂ ଯୋଗାଯୋଗ କରିବା ଲାଗି ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ଡିରେକ୍ଟୋରୀ ଦେଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍