“ଏ ବର୍ଷ ଲୋକେ ଗଣେଶ ମୂର୍ତ୍ତି କିଣିବେ ବୋଲି ଆପଣ ଭାବୁଛନ୍ତି କି?” ଏହା ପଚାରନ୍ତି ବିଶାଖାପାଟଣାର କୁମ୍ମାରୀ ବିଧି (କୁମ୍ଭାର ବସ୍ତି) ବାସିନ୍ଦା ୟୁ. ଗୌରୀ ଶଙ୍କର । ସେ କହନ୍ତି, “ଆମେ ଭଗବାନଙ୍କ ଉପରେ ବିଶ୍ବାସ ରଖି ପ୍ରତି ବର୍ଷ ଏହି ସବୁ ମୂର୍ତ୍ତି ଗଢୁ । ଏବଂ ତାଙ୍କରି କୃପାରୁ ଆମେ ଅତି କମ୍ରେ କିଛି ନା କିଛି ଲାଭ ବି କରୁ’’ । “କିନ୍ତୁ ଏ ବର୍ଷ, ଲାଗୁଛି, ଆଉ ଯେମିତି ଭଗବାନ ନାହାନ୍ତି, ଖାଲି ଲକ୍ଡାଉନ୍ ଓ ଭାଇରସ୍ ।”
ପ୍ରତି ବର୍ଷ ଏପ୍ରିଲ ମାସରେ ଆନ୍ଧ୍ରପ୍ରଦେଶର ଏହି ନଗରୀରେ ଥିବା ତାଙ୍କ ଘରେ ଗଣେଶ ମୂର୍ତ୍ତି ଗଢ଼ିବା ଆରମ୍ଭ କରନ୍ତି ୬୩ ବର୍ଷୀୟ ଶଙ୍କର, ଏବଂ ତାଙ୍କ ସାଙ୍ଗରେ ଥାଆନ୍ତି ୪୨ ବର୍ଷର ପୁଅ ବୀରଭଦ୍ର ଏବଂ ୩୬ ବର୍ଷୀୟା ବୋହୂ ମାଧବୀ । ହେଲେ ବିଶ୍ଵ ମହାମାରୀ କାରଣରୁ ଏ ବର୍ଷ ଜୁନ୍ ମଧ୍ୟଭାଗରୁ ହିଁ ସେମାନେ ମୂର୍ତ୍ତି ଗଢ଼ିବା କାମ ଆରମ୍ଭ କରିପାରିଲେ ।
ସେମାନେ କହନ୍ତି, ସାଧାରଣତଃ ଜୁଲାଇ ଏବଂ ଅକ୍ଟୋବର (କୁମ୍ଭକାରମାନଙ୍କ ପାଇଁ ପାର୍ବଣ ଋତୁ) ଭିତରେ, ବିନାୟକ ଚତୁର୍ଥୀ ଏବଂ ଦୀପାବଳି ସହ ସଂପର୍କିତ ବରାଦମୂର୍ତ୍ତି କାମ କରି, ସେମାନେ ପ୍ରତି ମାସରେ ୨୦,୦୦୦ରୁ ୨୩,୦୦୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏ ବର୍ଷ, ବିନାୟକ (ଗଣେଶ) ଚତୁର୍ଥୀକୁ ଅତି ବେଶୀରେ ଆଉ ୪୮ ଘଣ୍ଟା ବାକି ଥିବା ବେଳେ ଏକ ବଡ ଧରଣର ମୂର୍ତ୍ତି ଗଢ଼ିବା ପାଇଁ ସେମାନେ ଗୋଟିଏ ହେଲେ ବରାଦ ପାଇନାହାନ୍ତି ।
ମାତ୍ର ୧୫ ବର୍ଷ ତଳେ, ନିଜ ଜୀବିକାରେ ମଜିଯାଇଥିବା ୩୦ଟି କୁମ୍ଭାର ପରିବାର ସଦସ୍ୟମାନଙ୍କ କାର୍ଯ୍ୟରେ ଏହି କୁମ୍ଭକାର ବସ୍ତି କର୍ମମୁଖର ହୋଇଉଠୁଥିଲା । ଏବେ ସେଠାରେ ମାତ୍ର ଚାରିଟି ପରିବାର ଅଛନ୍ତି, ଏବଂ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଲକ୍ଡାଉନ୍ ସମୟରେ ସେମାନଙ୍କ ଜୀବନଧାରଣ ବିପନ୍ନ ହୋଇପଡ଼ିଥିବା କଥା ସେମାନେ ଦେଖିଛନ୍ତି ।
ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ବାସିନ୍ଦା ମାଧବୀ କହନ୍ତି, “ମୂର୍ତ୍ତି ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ପାଖରୁ ଆମକୁ ବଡ ଧରଣରେ ବରାଦ ମିଳେ, କିନ୍ତୁ ଏ ବର୍ଷ କୌଣସି ବରାଦ ମିଳିନାହିଁ ।” ସଂପ୍ରତି ବିଜୟନଗରମ୍ ଜିଲ୍ଲାରେ ରହିଥିବା ଏକ ଗାଁରୁ ତାଙ୍କ ସ୍ଵାମୀଙ୍କର ଜେଜେବାପା ଓ ଜେଜେମାଆ ଏଠାକୁ ଆସିଥିଲେ ।

ତାଙ୍କ ବୋହୂ ମାଧବୀଙ୍କ ସମେତ ୟୁ. ଗୌରୀ ଶଙ୍କରଙ୍କ ପରିବାର, ଏଥର ଗଣେଶ ଚତୁର୍ଥୀ ପୂର୍ବରୁ ଗୋଟିଏ ହେଲେ ବଡ ଧରଣର ବରାଦ ପାଇନାହାନ୍ତି
ମୂର୍ତ୍ତି ଆକାର ଉପରେ ନିର୍ଭର କରି, ସେମାନଙ୍କ ଘରେ ରହିଥିବା ଛୋଟ ଗଣେଶ ମୂର୍ତ୍ତିର ଦର ଗୋଟାକୁ ୧୫ ଏବଂ ୩୦ ଟଙ୍କା ଭିତରେ । ଗତ ୪-୫ ବର୍ଷ ଧରି ପାର୍ବଣ ଋତୁରେ କେବଳ ଛୋଟ ଗଣେଶ ମୂର୍ତ୍ତି ବିକ୍ରି କରି ସେମାନଙ୍କ ପରିବାରର ମାସକୁ ୭,୦୦୦ରୁ ୮,୦୦୦ ଟଙ୍କା ଲାଭ କରନ୍ତି ।
ପ୍ରତିଦିନ ଏହି ପରିବାର ୧୦୦ ପର୍ଯ୍ୟନ୍ତ ଏଭଳି ମୂର୍ତ୍ତି ଛାଞ୍ଚରେ ପକାଇ ଗଢ଼ନ୍ତି । ଶଙ୍କର କହନ୍ତି, “ସେଥିରୁ ୬୦ରୁ ୭୦ଟି ମୂର୍ତ୍ତି ସଂପୂର୍ଣ୍ଣ ନିଖୁଣ ଅବସ୍ଥାରେ ବାହାରେ । କେତେକ ମୂର୍ତ୍ତି ରଙ୍ଗ ଦେଲା ବେଳେ ଭାଙ୍ଗିଯାଏ ।” ମାଧବୀ ମୋତେ ଗୋଟିଏ ନୂଆ ମୂର୍ତ୍ତି ଦେଖାଇଲେ ଯେଉଁଥିରେ ହାତ ବାହାରି ଯାଇଥିଲା । ସେ କହନ୍ତି, “ମୂର୍ତ୍ତି ଭାଙ୍ଗିଗଲେ ଆଉ ଯୋଡ଼ି ହେବନି । ସେମାନେ ଆମ ବ୍ୟର୍ଥ ପ୍ରୟାସର ଏକ ପ୍ରତୀକ ।” ସେମାନଙ୍କ ଘର ବାହାରେ ଅଧା ରଙ୍ଗ ଦିଆଯାଇଥିବା ଏବଂ ଭାଙ୍ଗିଯାଇଥିବା ତିନିଟି ବଡ଼ ବଡ଼ ଦୁର୍ଗା ମୂର୍ତ୍ତି ମଧ୍ୟ ରହିଥିଲା ।
ସେମାନେ ମାଟିରେ ମାଠିଆ, ସରାଗାତ, ମାଟି ଜାର୍, କପ୍ ଭଳି ଛୋଟ ଛୋଟ ଜିନିଷ ସମେତ ମାଟିର ଅନ୍ୟାନ୍ୟ କଳାକୃତି ମଧ୍ୟ ତିଆରି କରନ୍ତି । ଏମିତି ବହୁ ପ୍ରକାରର ଜିନିଷ ସେମାନଙ୍କ ଘର ବାହାରେ ଅସଜଡ଼ା ଭାବରେ ଗୋଟିଏ ଉପରେ ଗୋଟିଏ କରି ଥାକମରା ହୋଇ ରହିଥାଏ । ପ୍ରତିଟି ଜିନିଷର ଦର ୧୦ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ସ୍ଥିର ହୋଇଥାଏ । ମାଧବୀ କହନ୍ତି, “ଆଜିକାଲି ଏସବୁ ଜିନିଷକିଣିବା ଲୋକ ବେଶୀ ନାହାନ୍ତି । ସମସ୍ତେ ଷ୍ଟିଲ୍ କିମ୍ବା ତମ୍ବାର ଜିନିଷ କିଣୁଛନ୍ତି ।”
ଶଙ୍କର କହନ୍ତି, “ଏଥିରୁ ମାସକୁ ୭୦୦-୮୦୦ ଟଙ୍କାରୁ ବେଶୀ ରୋଜଗାର ହୁଏ ନାହିଁ । ଗଣେଶ ଚତୁର୍ଥୀ ଏବଂ ଦୀପାବଳି ପର୍ବ ସମୟର ରୋଜଗାରରେ ଆମେ ଚଳିଥାଉ ।” ଯେତେବେଳେ ତାହା ବନ୍ଦ ହୋଇଯାଏ, ସେମାନେ ଘୋର ସମସ୍ୟାରେ ପଡ଼ନ୍ତି ।
ସେ ଆହୁରି କହନ୍ତି, “୭-୮ ବର୍ଷ ତଳେ ଆମେ ପ୍ରତି ଛଅ ମାସରେ ପ୍ରାୟ ୫୦୦ମଟ୍କା (ମାଠିଆ) ତିଆରି କରୁଥିଲୁ । କିନ୍ତୁ ଏବେ ଆମେ ଅତି ବେଶୀରେ ୧୦୦-୧୫୦ମାଠିଆ ତିଆରି କରୁଛୁ ।” ଗତ ବର୍ଷ ତାଙ୍କ ପରିବାର ୫୦୦ ମାଠିଆ, ୨୦୦ ଫୁଲକୁଣ୍ଡ ଏବଂ ଅଳ୍ପ କିଛି ଅନ୍ୟ ଜିନିଷ ବିକ୍ରି କରିଥିଲେ । ଶଙ୍କରଙ୍କ ହିସାବ ଅନୁସାରେ, ୨୦୧୯ରେ ଏ ସବୁଥିରୁ ତାଙ୍କ ପରିବାରର ରୋଜଗାର ୧୧,୦୦୦ରୁ ୧୩,୦୦୦ ଟଙ୍କା ହୋଇଥିଲା । ଏ ବର୍ଷ ସେମାନେ ମାତ୍ର ୨୦୦ଟି ମାଠିଆ ଏବଂ ୧୫୦ଟି ଫୁଲକୁଣ୍ଡ ବିକିଛନ୍ତି - ଏଥିରୁ ଅଧିକାଂଶ ଲକ୍ଡାଉନ୍ ପୂର୍ବରୁ ବିକ୍ରି ହୋଇଥିଲା ।

ଶଙ୍କର କହନ୍ତି, “ଆମେ ଭଗବାନଙ୍କ ଉପରେ ବିଶ୍ଵାସ ରଖି ପ୍ରତି ବର୍ଷ ଏହି ସବୁ ମୂର୍ତ୍ତି ଗଢୁ । କିନ୍ତୁ ଏ ବର୍ଷ, ଲାଗୁଛି, ଆଉ ଯେମିତି ଭଗବାନ ନାହାନ୍ତି, ଖାଲି ଲକ୍ଡାଉନ୍ ଓ ଭାଇରସ୍"
ତାଙ୍କ ଦୁଇ ପିଲାଙ୍କର ପାଠପଢ଼ାକୁ ନେଇ ମାଧବୀ ଚିନ୍ତିତ । ହାତରେ ମାଟି ଚକଟୁଥିବା ବେଳେ ସେ ମୋତେ କହନ୍ତି, “ଯାହା ହେଲେ ବି ମତେ ଲାଗୁଛି ଯେ ଏଇ ଅନ୍ଲାଇନ୍ ପାଠପଢ଼ାରୁ ସେମାନଙ୍କୁ ଯଥେଷ୍ଟ ଜ୍ଞାନ ମିଳିବନି ।” ଯେଉଁ ଇଂରାଜୀ ମାଧ୍ୟମ ଘରୋଇ ସ୍କୁଲରେ ତାଙ୍କ ପିଲାମାନେ ପଢୁଛନ୍ତି, ତାହା ଗତ ଦୁଇ ମାସ ହେଲା ବନ୍ଦ ରହିଥିବା ସତ୍ତ୍ଵେ ମାସିକ ସ୍କୁଲ୍ ଫି’ ଦେଇଦେବା ଲାଗି ସ୍କୁଲ ପକ୍ଷରୁ ବାରମ୍ବାର ଦାବି କରାଯାଇଛି । ମାଧବୀ କହନ୍ତି, “ହେଲେ ଆମେ ଦେଇପାରିଲୁ ନାହିଁ ।”
କେମିତି ବା ସେମାନେ ଦେଇପାରିଥାଆନ୍ତେ ? ଦୁଇ ପୁଅଙ୍କର ବାର୍ଷିକ ସ୍କୁଲ୍ ଫି’ ପ୍ରାୟ ୧.୫ ଲକ୍ଷ ଟଙ୍କା । ସେଥିରେ ରହିଛି, ୭ମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟ ଗୋପୀ ନାରାୟଣର ମାସିକ ଦେୟ ବାବଦ ୮,୦୦୦ ଟଙ୍କା ଏବଂ ୩ୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ଶ୍ରବଣ କୁମାରର ମାସିକ ୪,୫୦୦ ଟଙ୍କା ।
ଶଙ୍କର କହନ୍ତି, “ମୋ ନାତିମାନଙ୍କର ପାଠପଢ଼ା ପାଇଁ ପ୍ରାୟ ସବୁ ବର୍ଷ ଆମେ ପାଖାପାଖି ୭୦,୦୦୦-୮୦,୦୦୦ ଟଙ୍କା ଧାର କରୁ ।” ସୁଧ ଦେବାକୁ ପଡ଼ିବନି ବୋଲି ପ୍ରାୟତଃ ସେମାନେ ସଂପର୍କୀୟ ଓ ବନ୍ଧୁମାନଙ୍କ ପାଖରୁ ଧାର ନିଅନ୍ତି ।
ଶଙ୍କର ଓ ତାଙ୍କ ପରିବାର ମାଟିରେ ମୁଖ୍ୟତଃ ଗଣେଶଙ୍କର ବଡ଼ ବଡ଼ ମୂର୍ତ୍ତି ଗଢ଼ନ୍ତି ଏବଂ ୫-୬ ଫୁଟ ଉଚ୍ଚତାର ଏହି ମୂର୍ତ୍ତି ଗୋଟିକୁ ୧୦,୦୦୦ରୁ ୧୨,୦୦୦ ଟଙ୍କା ଦରରେ ବିକ୍ରି କରନ୍ତି । ଦୁଃଖରେ ଅଳ୍ପ ହସି ସେ କହନ୍ତି, “ହେଲେ, ବଡ଼ ବଡ଼ ମୂର୍ତ୍ତିଗୁଡ଼ିକୁ ଘର ବାହାରେ ନ ରଖିବାକୁ ପୋଲିସ ଆମକୁ କହିଲା । ଏବଂ ତେଣୁ ଆମେ ମୂର୍ତ୍ତି ଗଢ଼ିବା ପାଇଁ କୌଣସି ବରାଦ ମଧ୍ୟ ପାଇଲୁ ନାହିଁ । ବଡ଼ ବଡ଼ ମୂର୍ତ୍ତିରୁ ହିଁ ଆମକୁ ଭଲ ଲାଭ ମିଳିଥାଏ ।”
ଗତ କିଛି ବର୍ଷ ହେଲା, ମୁଖ୍ୟ ରାସ୍ତାଠାରୁ ଦୂରରେ ଅବସ୍ଥିତ ଏହି କୁମ୍ଭକାର ବସ୍ତି ଉପରେ ଲୋକଙ୍କ ନଜର ପଡ଼ିନାହିଁ ଏବଂ ଖୁବ୍ କମ୍ ଲୋକ ବସ୍ତିକୁ ଯାଇଛନ୍ତି ।
କିଛି ଦିନ ତଳେ, ଯେଉଁ ବୃହତ୍ ଅଞ୍ଚଳରେ ଏହି ବସ୍ତି ରହିଛି, ସେହି ଅଞ୍ଚଳକୁ କରୋନାଭାଇରସ୍ କଣ୍ଟେନ୍ମେଣ୍ଟ୍ ଜୋନ୍ ରୂପେ ଘୋଷଣା କରାଯାଇଥିଲା । ତା’ ପରେ ହିଁ ଶଙ୍କରଙ୍କୁ ଦେଖା କରିବାକୁ କେବଳ ପୋଲିସ ଯାହା ଯାଇଥିଲେ ।
କୁମ୍ମାରୀ ବିଧିର କୁମ୍ଭକାରମାନେ ଛୋଟ ବଡ଼ ଗଣେଶ ମୂର୍ତ୍ତି ଓ ଅନ୍ୟାନ୍ୟ ଜିନିଷ ତିଆରି କରନ୍ତି । କିନ୍ତୁ ୧୫ ବର୍ଷ ତଳେ ୩୦ଟି କୁମ୍ଭକାର ପରିବାର ରହୁଥିବା ଏହି ଗଳିରେ ଏବେ ଚାରିଟି କୁମ୍ଭାର ପରିବାର ରହୁଛନ୍ତି ଏବଂ ଲକ୍ଡାଉନ ସମୟରେ ସେମାନଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି
ସେ କହନ୍ତି, “କିଛି ଦିନ ତଳେ ମାଠିଆ ଓ ଅନ୍ୟ ଜିନିଷ ବିକ୍ରି ନ କରିବାକୁ ସେମାନେ ମୋତେ କହିଲେ । ତାହା ହିଁ ବିଚିତ୍ର କଥା, କାରଣ ପ୍ରାୟତଃ ମୋ ପାଖକୁ ଗ୍ରାହକମାନେ ଆସୁନାହାନ୍ତି । ହୁଏତ ସପ୍ତାହକୁ ଜଣେ ଆସୁଛନ୍ତି, କିମ୍ବା କେହି ଆସୁନାହାନ୍ତି ।” ଆକ୍କାୟାପାଲମ ମୁଖ୍ୟ ରାସ୍ତାରେ ଏକ ହାତଟଣା ଗାଡ଼ିରେ ସେ ତାଙ୍କ ‘ଦୋକାନ’ ବସାନ୍ତି ଏବଂ ସେଥିରେ ଅନେକ ଦୀପ ଓ ଅନ୍ୟାନ୍ୟ ଛୋଟ ଛୋଟ ରଙ୍ଗିନ ଓ ସୁସଜ୍ଜିତ ସାମଗ୍ରୀ ସବୁ ରଖନ୍ତି । ଅଧିକାଂଶ ମାଟିରେ ଗଢ଼ା ବଡ଼ ବଡ଼ ସାଜସଜ୍ଜା ସାମଗ୍ରୀ ତାଙ୍କ ଘର ବାହାରେ ଥାକ ମରାଯାଇ ରଖାଯାଇଥାଏ ।
“ଏବେ ଏସବୁ ବି ଘର ଭିତରେ ରଖିବା ପାଇଁ ପୋଲିସ ଆମକୁ କହିଲାଣି । ହେଲେ ସେଗୁଡ଼ିକୁ ମୁଁ କୋଉଠି ରଖିବି ?” ଶଙ୍କର ପଚାରନ୍ତି । ତାଙ୍କ ଘରର ଅଧିକାଂଶ ଭାଗରେ ନୂଆ ଗଣେଶ ମୂର୍ତ୍ତି ଏବଂ ଗତ ବର୍ଷରୁ ବଳକା ଥିବା ମୂର୍ତ୍ତି ଓ ଅନ୍ୟାନ୍ୟ ମାଟି ଜିନିଷ ରହିସାରିଛି ।
ସେ କହନ୍ତି, “ଦେଖନ୍ତୁ, ମାଟିକାମ ହୁଏତ ଆପଣଙ୍କୁ ଶସ୍ତା ବୋଲି ମନେ ହେଉଥିବ । କିନ୍ତୁ ଆମକୁ ଏଥିରେ ବହୁ ଟଙ୍କା ଖଟାଇବାକୁ ପଡ଼େ ।” କଥା ଯୋଡ଼ି ମାଧବୀ କହନ୍ତି, “ଏଥିରେ ବାଜି ଲଗାଇବା କଥା ।”
ପ୍ରତି ବର୍ଷ କୁମ୍ମାରୀ ବିଧିର କୁମ୍ଭକାରମାନେ ୧୫,୦୦୦ ଟଙ୍କାରେ ଗୋଟିଏ ଟ୍ରକ୍ ଭର୍ତ୍ତି ମାଟି (ମୋଟାମୋଟି ୪-୫ ଟନ୍) କିଣନ୍ତି । ଏହି ମାଟି (ଏବଂ ଅନ୍ୟ ସାମଗ୍ରୀ) ନିମନ୍ତେ ଶଙ୍କର ସ୍ଥାନୀୟ ସାହୁକାରମାନଙ୍କ ନିକଟରୁ, ବର୍ଷକୁ ୩୬ ପ୍ରତିଶତ ସୁଧହାରରେ, ଟଙ୍କା ଧାର କରନ୍ତି । ଗଣେଶ ଚତୁର୍ଥୀ ଏବଂ ଦୀପାବଳି ପର୍ବ ଶେଷରେ ମୂର୍ତ୍ତି ଓ ଦୀପ ବିକ୍ରିରୁ ହୋଇଥିବା ରୋଜଗାରରୁ ସେ ଋଣ ପରିଶୋଧ କରିଦିଅନ୍ତି । ଚିନ୍ତିତ ସ୍ଵରରେ ସେ କହନ୍ତି, “ଏ ବର୍ଷ ଏହି ଋତୁରେ ଯଦି ଅଧିକ ବିକ୍ରି କରି ନପାରେ, ତେବେ ମୁଁ ହୁଏତ ଋଣ ଶୁଝିବାରେ ସମର୍ଥ ହେବିନାହିଁ ।”
ସେମାନେ କିଣିଥିବା ମାଟିକୁ ଖରାରେ ୨-୩ ଦିନ ଶୁଖାନ୍ତି ଏବଂ ତା’ ପରେ ଏଥିରେ ପାଣି ମିଶାଇ ଗୋଡ଼ରେ ଚକଟନ୍ତି । ସାଧାରଣତଃ ମାଧବୀ ହିଁ ଗୋଡ଼ରେ ମାଟି ଚକଟନ୍ତି । ଏ ସଂପର୍କରେ ବୁଝାଇବାକୁ ଯାଇ ସେ କହନ୍ତି, “ସେଥିରେ ପ୍ରାୟ ୪-୫ ଘଣ୍ଟା ଲାଗିଯାଏ ।” ଏହା ପରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ର ଛାଞ୍ଚ ବ୍ୟବହାର କରି ମୂର୍ତ୍ତିର ଆକୃତି ପ୍ରସ୍ତୁତ କରାଯାଏ । ଶଙ୍କର କହନ୍ତି, “ପୂର୍ବରୁ ଏହି ଛାଞ୍ଚଗୁଡ଼ିକ ୩-୪ ବର୍ଷ ଯାଏ କାମରେ ଲାଗୁଥିଲା । ହେଲେ ଆଜିକାଲି ସେଗୁଡ଼ିକ ଭଲ ପଡୁନାହିଁ ଏବଂ ପ୍ରତି ବର୍ଷ ବଦଳାଇବାକୁ ପଡୁଛି ।” ପ୍ରତିଟି ଛାଞ୍ଚର ମୂଲ୍ୟ ପ୍ରାୟ ୧,୦୦୦ ଟଙ୍କା ।![S. Srinivasa Rao’s house is filled with unpainted Ganesha idols. 'Pottery is our kula vruthi [caste occupation]...' says his wife S. Satyawati](/media/images/05a-IMG_20200718_183118-AK-Vizag_potters-_.max-1400x1120.jpg)
![S. Srinivasa Rao’s house is filled with unpainted Ganesha idols. 'Pottery is our kula vruthi [caste occupation]...' says his wife S. Satyawati](/media/images/05b-IMG_20200718_183212-AK-Vizag_potters-_.max-1400x1120.jpg)
ଏସ୍. ଶ୍ରୀନିବାସ ରାଓଙ୍କ ଘରେ ଭରି ହୋଇ ରହିଛି ରଙ୍ଗ ହୋଇନଥିବା ଗଣେଶ ମୂର୍ତ୍ତି । ତାଙ୍କ ସ୍ତ୍ରୀ ଏସ୍.ସରସ୍ଵତୀ କହନ୍ତି, “କୁମ୍ଭାର କାମ ଆମର କୁଳ ବୃତ୍ତି (କୌଳିକ ପେସା)”
ଛାଞ୍ଚରୁ ବାହାରିଥିବା ମୂର୍ତ୍ତିଗୁଡ଼ିକୁ ଏକ ସପ୍ତାହରୁ ଅଧିକ ସମୟ ପାଇଁ ଶୁଖାଇ ଦିଆଯାଏ । ଶୁଖିଯିବା ପରେ, ସେଥିରେ ରଙ୍ଗ ଦିଆଯାଏ । ଶଙ୍କର କହନ୍ତି, “ରଙ୍ଗ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ (ପାର୍ବଣ ଋତୁ ପାଇଁ) କିଣିବାରେ ପ୍ରାୟ ୧୩,୦୦୦-୧୫,୦୦୦ ଟଙ୍କା ଲାଗିଥାଏ । ଏ ବର୍ଷ, ଏ ପର୍ଯ୍ୟନ୍ତ ମୁଁ କିଛି ହେଲେ କିଣିନାହିଁ । ମୁଁ ଭାବୁଛି କେହି ହେଲେ କିଣିବେ ନାହିଁ । କିନ୍ତୁ ମୋ ପୁଅ ଅଲଗା ଭାବରେ ଚିନ୍ତା କରେ । ଆମକୁ ବଞ୍ଚିବାକୁ ହେଲେ ଯେ କୌଣସି ମତେ ମୂର୍ତ୍ତି ବିକିବାକୁ ହିଁ ପଡ଼ିବ ।”
ଶଙ୍କର କହନ୍ତି, “ସାଧାରଣତଃ ଜୁନ୍ ମାସରୁ ହିଁ ଲୋକେ ଆମକୁ ମୂର୍ତ୍ତି କିଣିବା ବାବଦରେ ଅଗ୍ରୀମ ପଇସା ଦେବା ଆରମ୍ଭ କରନ୍ତି । କିନ୍ତୁ ଏ ବର୍ଷ ଏପ୍ରିଲରୁ ଆମର କିଛି ହେଲେ ରୋଜଗାର ହୋଇନାହିଁ । ଏମିତିକି ମାଠିଆ ଓ ଅନ୍ୟ ସାମଗ୍ରୀ ବିକି ଆମେ ଯାହା କିଛି ରୋଜଗାର କରୁଥିଲୁ, ତାହା ବି ଶୂନକୁ ଖସିଆସିଛି ।”
ସେଠାରୁ ମାତ୍ର କେଇଟା ଘର ଛାଡ଼ି ଏସ୍. ଶ୍ରୀନିବାସ ରାଓଙ୍କ ତିନି ବଖରା ବିଶିଷ୍ଟ ଘର । ଏବେ ତାଙ୍କ ଘରର ଅଧିକାଂଶ ଭାଗ ରଙ୍ଗ ଦିଆହୋଇ ନଥିବା ଗଣେଶ ମୂର୍ତ୍ତିରେ ଭରି ରହିଛି । କୁମ୍ଭାର କାମ କରିବା ସହିତ, ୪୬ ବର୍ଷୀୟ ଶ୍ରୀନିବାସ ରାଓ,୧୦-୧୨ବର୍ଷ ତଳେ, ନିକଟସ୍ଥ ଏକ ବେସରକାରୀ କଲେଜରେ କିରାଣୀ ଭାବେ ଚାକିରି ଆରମ୍ଭ କରିଥିଲେ ।
ତାଙ୍କର ୩୮ ବର୍ଷୀୟା ସ୍ତ୍ରୀ ଏସ୍.ସତ୍ୟବତୀ କୁମ୍ଭକାର କାମ ଜାରି ରଖିଥିଲେ । ସେ କହନ୍ତି, “କୁମ୍ଭକାର କାମ ଆମର କୁଳ ବୃତ୍ତି (କୌଳିକ ପେସା) ଏବଂ ଏଥିରୁ ଅତି କମ୍ରେ ଆମର କିଛି ତ ରୋଜଗାର ହେଉଛି’’ । “ମୁଁ ପାଠଶାଠ ପଢ଼ିନାହିଁ, କେମିତି ମାଠିଆ, ଦୀପ ଓ ମୂର୍ତ୍ତି କରିବାକୁ ହେବ ମୁଁ କେବଳ ତାହା ହିଁ ଜାଣିଛି । ମୋର ତିନି ଝିଅଙ୍କୁ ମିଶାଇ ଆମର ନଅଜଣିଆ ପରିବାର । ଆମେ କେବଳ ତାଙ୍କ ରୋଜଗାର ଉପରେ ନିର୍ଭର କରିପାରିବୁ ନାହିଁ ।”
ସତ୍ୟବତୀ କେବଳ ଛୋଟ ଛୋଟ ଗଣେଶ ମୂର୍ତ୍ତି କରନ୍ତି ଏବଂ ଗୋଟିକୁ ୩୦ ଟଙ୍କା ଦରରେ ସେଗୁଡ଼ିକୁ ବିକ୍ରି କରନ୍ତି । ଜୁଲାଇ ମଧ୍ୟ ଭାଗରେ ମୁଁ ତାଙ୍କୁ ସାକ୍ଷାତ କରିବା ପୂର୍ବର ୧୦ ଦିନ ଭିତରେ ସେ କରିଥିବା କାମ ସଂପର୍କରେ ସେ କହନ୍ତି, “ଏ ପର୍ଯ୍ୟନ୍ତ ମୁଁ ୪୦ଟି ମୂର୍ତ୍ତି କରିସାରିଛି ।” ସାଧାରଣତଃ, ପାର୍ବଣ ଋତୁରେଏହି ମୂର୍ତ୍ତି ବିକି ସେ ୩,୦୦୦ରୁ ୪,୦୦୦ ଟଙ୍କା ଲାଭ କରନ୍ତି ।

କୁମ୍ଭାର କାମ କରିବା ସହିତ, ୪୬ ବର୍ଷୀୟ ଶ୍ରୀନିବାସ ରାଓ, ୧୦-୧୨ ବର୍ଷ ତଳେ ନିକଟସ୍ଥ ଏକ ବେସରକାରୀ କଲେଜରେ କିରାଣୀ ଚାକିରି ଆରମ୍ଭ କରିଥିଲେ
ମାସକୁ ୮,୦୦୦ ଟଙ୍କା ଦରମା ପାଉଥିବା ଶ୍ରୀନିବାସ ରାଓ ମେ ମାସରୁ ତାଙ୍କ ଦରମା ପାଇନାହାନ୍ତି । କିନ୍ତୁ ଜୁନ୍ରୁ ସେ କଲେଜରେ କାମ କରିବାକୁ ଯାଉଛନ୍ତି । ସେ କହନ୍ତି, “ଏ ମାସରେ ଦରମା ମିଳିବ ବୋଲି ମୁଁ ଆଶା କରୁଛି ।”
ଏବେ ତାଙ୍କ ହାତରେ ଖାଲି ସମୟ ରହିଛି ଏବଂ ସେ ମୂର୍ତ୍ତି ଗଢ଼ିବାରେ ତାଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି । ସେ କହନ୍ତି, “ଯେତେ ଅଧିକ ମୂର୍ତ୍ତି, ସେତେ ଅଧିକ ରୋଜଗାର ।” ବରାଦ ମିଳି ନଥିବା ସତ୍ତ୍ଵେ ଏ ବର୍ଷ ସେମାନଙ୍କ ମୂର୍ତ୍ତିଗୁଡ଼ିକ ବିକ୍ରି କରିପାରିବେ ବୋଲି ଶ୍ରୀନିବାସ ବିଶ୍ଵାସ କରନ୍ତି । ଏହାର କାରଣ ଦର୍ଶାଇ ସେ କହନ୍ତି, “ଏବେ ବେଳା ଖରାପ, ତେଣୁ ଅନେକ ଲୋକ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଏବଂ ପୂଜାର୍ଚ୍ଚନା କରିବାକୁ ଚାହିଁବେ ।”
ତାଙ୍କର ୧୫ ଓ ୧୬ ବର୍ଷର ଦୁଇ ବଡ଼ଝିଅଙ୍କ ପାଇଁ ସତ୍ୟବତୀ ଚିନ୍ତିତ । ସେ କହନ୍ତି, “ସେମାନେ ଦୁହେଁ ୧୦ମ ଶ୍ରେଣୀ ପାସ୍ କରିଛନ୍ତି । ଯଦିଓ ଏବେ ଅନ୍ଲାଇନ୍ କ୍ଲାସ୍ ଚାଲୁଛି, ତଥାପି ଇଣ୍ଟରମିଡିଏଟ୍ ପଢ଼ିବା ପାଇଁ ଅନେକ କଲେଜ ବର୍ଷକୁ ପ୍ରାୟ ୪୫,୦୦୦ ଟଙ୍କା ଫି’ ମାଗୁଛନ୍ତି । ଏ ପର୍ଯ୍ୟନ୍ତ ଆମେ କେଉଁଠି ହେଲେ ସେମାନଙ୍କ ନାଁ ଲେଖାଇ ନାହୁଁ । ଫି’ କମିବ ବୋଲି ଆମେ ଆଶା ରଖିଛୁ ।” ୪ର୍ଥ ଶ୍ରେଣୀରେ ପଢୁଥିବା ତାଙ୍କର ୧୦ ବର୍ଷୀୟା ସାନଝିଅକୁ ଇଂରାଜୀ ମାଧ୍ୟମ ସ୍କୁଲକୁ ପଠାଇବାରେ ବର୍ଷକୁ ୨୫,୦୦୦ ଟଙ୍କା ଖର୍ଚ୍ଚ ଲାଗୁଛି ।
ପୁରୁଣା ଦିନର ସେହି ସମୟ କଥା ସେ ମନେ ପକାନ୍ତି, ବିଶେଷତଃ ଗଣେଶ ଚତୁର୍ଥୀ ଏବଂ ଦୀପାବଳି ପୂର୍ବ ସମୟର କଥା, ଯେତେବେଳେ କୁମ୍ମାରୀ ବିଧିର ଲୋକେ ଖୁବ୍ ଖୁସିରେ ରହୁଥିଲେ । ସେ କହନ୍ତି, “ଅଧା ଓଦା ମାଟିର ବାସ୍ନାରେ ଏବଂ ଆନନ୍ଦରେ ଏହି ବସ୍ତି ଉଛୁଳି ଉଠୁଥିଲା । ହେଲେ ଏବେ କୁମ୍ଭକାର କାମ କରୁଥିବା ମାତ୍ର ଚାରିଟି ପରିବାର ଅଛନ୍ତି ।”
ଏଥର ପାର୍ବଣ ଋତୁରେ ଏଠାରେ ଯେଉଁ ବିସର୍ଜନ ହେବ, ତାହା ଗଣପତିଙ୍କର ନୁହେଁ, ବରଂ ଋଣରେ ଏହି ସବୁ ପରିବାରର ବିସର୍ଜନ।
ଅନୁବାଦ: ଓଡ଼ିଶାଲାଇଭ୍