ମାରୁତି ଭ୍ୟାନଟି ପୂରଣ ହୋଇସାରିଛି ଏବଂ ଗଡ଼ିବା ଲାଗି ପ୍ରସ୍ତୁତ ଅଛି। ଚାଷୀମାନେ ସବୁ କୋଣରେ ବସିଯାଇଛନ୍ତି, ଏପରିକି କିଛି ଲୋକ ପରସ୍ପରର ଗୋଡ଼ ଉପରେ ଗୋଡ଼ ପକାଇ ଲଗାଲଗି ହୋଇ ବସିଛନ୍ତି। ସେମାନଙ୍କର ବ୍ୟାଗ ଓ ଆଶାବାଡ଼ି ପଛସିଟ ଉପରେ ଥିବା ଏକ ଦସ୍ତାର ଥାକ ଉପରେ ଖୁନ୍ଦା ହୋଇଛି।
କିନ୍ତୁ ମଙ୍ଗଲ ଘଡ଼ଗେଙ୍କ ପାଖରେ ଥିବା ଗୋଟିଏ ସିଟ ସନ୍ଦେହଜନକ ଭାବେ ଖାଲି ରହିଛି। ସେଠାରେ ସେ କାହାକୁ ବସିବାକୁ ଦେଉନାହାନ୍ତି-ଏହା ‘ସଂରକ୍ଷିତ’ ଅଛି। ଏହାପରେ ମୀରାବାଇ ଲାଙ୍ଗେ ଭ୍ୟାନ ନିକଟକୁ ଆସୁଛନ୍ତି ଏବଂ ସେହି ଖାଲି ସ୍ଥାନରେ ବସିପଡ଼ି ନିଜର ଶାଢ଼ିକୁ ସଜାଡ଼ି ନେଉଛନ୍ତି, ତାଙ୍କୁ ଦେଖି ମଙ୍ଗଲ ନିଜ ବାହୁକୁ ତାଙ୍କ କାନ୍ଧ ଉପରେ ରଖୁଛନ୍ତି। ଫାଟକ ବନ୍ଦ ହେଉଛି ଏବଂ ମଙ୍ଗଲ ଡ୍ରାଇଭରଙ୍କୁ କହୁଛନ୍ତି, “ଚଲ୍ ରେ (ଚାଲ ଯିବା)।”
ଉଭୟ ମଙ୍ଗଲ (୫୩) ଏବଂ ମୀରାବାଇ (୬୫)ଙ୍କ ଘର ନାସିକର ଦିଣ୍ଡୋରି ତାଲୁକାର ଶିନ୍ଦୱାଡ ଗ୍ରାମର ନିବାସୀ। ତେବେ, ବହୁ ଦଶନ୍ଧି ଧରି ସେମାନେ ଗୋଟିଏ ଗ୍ରାମରେ ରହି ଆସୁଥିଲେ ସୁଦ୍ଧା ଗତ କିଛି ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କର ବନ୍ଧନ ସୁଦୃଢ଼ ହୋଇଛି। “ଆମେ ଗାଁରେ କାମ ଏବଂ ଘରକୁ ନେଇ ବ୍ୟସ୍ତ ରହିଥାଉ”, ମଙ୍ଗଲ କୁହନ୍ତି। “ଆନ୍ଦୋଳନସ୍ଥଳୀରେ, ଆମେ ଆଲୋଚନା କରିବାକୁ ଅଧିକ ସମୟ ପାଇଥାଉ।”
ମାର୍ଚ୍ଚ ୨୦୧୮ରେ ନାସିକରୁ ମୁମ୍ବାଇ ବାହାରିଥିବା
ଲମ୍ବା କିଷାନ ପଦଯାତ୍ରା
ରେ ଦୁହେଁ ଏକାଠି ସାମିଲ ହୋଇଥିଲେ।
କିଷାନ ମୁକ୍ତି ମୋର୍ଚ୍ଚା
ପାଇଁ ନଭେମ୍ବର ୨୦୧୮ରେ ଉଭୟ ଦିଲ୍ଲୀ ଯାତ୍ରା କରିଥିଲେ। ଏବଂ ବର୍ତ୍ତମାନ, ସେମାନେ ଜଥା, ନାସିକରୁ ଦିଲ୍ଲୀ ବାହାରିଥିବା ଗାଡ଼ି ଶୋଭଯାତ୍ରାରେ ସାମିଲ ହୋଇଛନ୍ତି। ମୁଁ ଯେତେବେଳେ ଏହି ଆନ୍ଦୋଳନରେ କାହିଁକି ଯୋଗଦାନ କରିଛନ୍ତି ବୋଲି ତାଙ୍କୁ ପଚାରିଥିଲି, “ପୋଟା ସାଥି(ଆମର ପେଟ ପାଇଁ)”, ମଙ୍ଗଲ କହିଥିଲେ।
ଦିଲ୍ଲୀରେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ସୀମାକୁ ଲାଗି ରହିଥିବା ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଷାଧିକ କୃଷକ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନରତ ଚାଷୀଙ୍କୁ ସେମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗାଇ ଦେବା ଲାଗି, ଡିସେମ୍ବର ୨୧ ତାରିଖରେ ମହାରାଷ୍ଟ୍ରର ୨୦୦୦ ଚାଷୀ, ଏଠାରୁ ପାଖାପାଖି ୧୪୦୦କିମି ଦୂର ଦିଲ୍ଲୀକୁ ଜଥାରେ ଯିବା ଲାଗି ନାସିକଠାରେ ଏକତ୍ରିତ ହୋଇଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସହ ଅନୁବନ୍ଧିତ ଅଲଇଣ୍ଡିଆ କିଷାନ ସଭା ଅଧୀନରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ମଙ୍ଗଲ ଓ ମୀରାବାଇ ହେଉଛନ୍ତି ଏହି ଉତ୍ସାହୀ ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ ଅନ୍ୟତମ।
ଇସତ୍ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ମଙ୍ଗଲ ମୁଣ୍ଡରେ ଓଢ଼ଣି ପକାଇ ନିଜ ବିଷୟରେ “ସେଠିକୁ ଯାଇଥିଲି, ତାହା କରିଥିଲି” ଏମିତି ବଢ଼େଇ ଚଢ଼େଇ କହୁଥାନ୍ତି। ଡିସେମ୍ବର ୨୧ ତାରିଖରେ ଦୁଇ ଜଣ ନାସିକର ସେହି ମଇଦାନରେ ପହଞ୍ଚିଗଲେ ଯେଉଁଠୁ ସେମାନଙ୍କୁ ଶୋଭାଯାତ୍ରାରେ ଯିବାର ଥିଲା। ଏହାପରେ ମଙ୍ଗଲ ସେହି ଟେମ୍ପୋ ଖୋଜିବା ଆରମ୍ଭ କରିଦେଲେ ଯେଉଁଥିରେ ସେମାନଙ୍କୁ ଆଗାମୀ କିଛି ଦିନ ପାଇଁ ରାସ୍ତାରେ ଯାତ୍ରା କରିବାର ଥିଲା। ସବୁ ଅନୁସନ୍ଧାନ କାର୍ଯ୍ୟ ମୀରାବାଇ ତାଙ୍କ ଉପରେ ଛାଡ଼ିଦେଲେ। “ମୁଁ ଏଥିପାଇଁ ଆଗ୍ରହୀ”, ମଙ୍ଗଲ କହିଥିଲେ। “ଏହା ସମ୍ପୂର୍ଣ୍ଣ ଭାବେ ଏକ କୃଷକ ବିରୋଧୀ ସରକାର। ଚାଷୀମାନଙ୍କର ଆନ୍ଦୋଳନ (ଦିଲ୍ଲୀ ସୀମାରେ)କୁ ଆମେ ପ୍ରଶଂସା କରୁଛୁ ଏବଂ ଆମେ ଏଥିପାଇଁ ଆମର ସମର୍ଥନ ଯୋଗାଇ ଦେବାକୁ ଚାହୁଁଛୁ।”
ମଙ୍ଗଲଙ୍କ ପରିବାର ଲୋକ ସେମାନଙ୍କର ଦୁଇ ଏକର ଚାଷ ଜମିରେ ଧାନ, ଗହମ ଓ ପିଆଜ ଚାଷ କରିଥାନ୍ତି, କିନ୍ତୁ ମଙ୍ଗଲ ମୁଖ୍ୟତଃ କୃଷି ଶ୍ରମିକ ଭାବେ ଦୈନିକ ୨୫୦ ଟଙ୍କା ଆୟ କରିଥାନ୍ତି। ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆନ୍ଦୋଳନରେ ସାମିଲ ହେବା ଲାଗି ସେ ଯେତେବେଳେ ନିଷ୍ପତ୍ତି ନେଲେ ତାଙ୍କୁ ନିଜ ମାସିକ ରୋଜଗାରର ଏକ ଚତୁର୍ଥାଂଶ ହରାଇବାକୁ ପଡ଼ିଲା। “ଆମକୁ ବ୍ୟାପକ ଦୃଷ୍ଟିକୋଣରେ ଦେଖିବାକୁ ପଡ଼ିବ”, ସେ କହିଥିଲେ। “ଏସବୁ ଆନ୍ଦୋଳନ ସମ୍ପୂର୍ଣ୍ଣ କୃଷି ସମୁଦାୟ ପାଇଁ”।
ମଇଦାନରେ ଆମ ସାକ୍ଷାତକୁ ପାଖାପାଖି ୧୦ ମିନିଟ ହୋଇଯାଇଥିଲା, ଗୋଟିଏ ମୁଣ୍ଡରୁ ଆର ମୁଣ୍ଡ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଧାଡ଼ି ହୋଇ ଛିଡ଼ା ହୋଇଥିଲା, ମଙ୍ଗଲଙ୍କୁ ଖୋଜି ଖୋଜି ମୀରାବାଇ ଆସିଲେ। ସେ ତାଙ୍କର ହାତ ହଲାଇଲେ ଏବଂ ବାହାରିବା ଲାଗି ସଙ୍କେତ ଦେଲେ। ମୀରାବାଇ ଚାହୁଁଥିଲେ ମଙ୍ଗଲ ତାଙ୍କ ସହିତ ମଞ୍ଚ ନିକଟକୁ ଚାଲନ୍ତୁ, ଯେଉଁଠି କିଷାନ ସଭା ନେତାମାନେ ଭାଷଣ ଦେଉଛନ୍ତି। କିନ୍ତୁ ମଙ୍ଗଲ ଚାହୁଁଥିଲେ, ମୀରାବାଇ ଆମ ସହିତ ମିଶି ଆଲୋଚନା କରନ୍ତୁ। ମୀରାବାଇ ଟିକିଏ ଲାଜକୁଳୀ କିନ୍ତୁ ଉଭୟ ମହିଳା ଠିକ ଭାବେ ଜାଣିଥିଲେ ଯେ ସେମାନେ ଓ ଅନ୍ୟ ଚାଷୀମାନେ କାହିଁକି ଆନ୍ଦୋଳନ କରୁଛନ୍ତି ଏବଂ କୃଷି ଆଇନର ପରିଣାମ କ’ଣ ହୋଇପାରେ।
“ଆମର ଫସଲ ମୁଖ୍ୟତଃ ଆମ ପରିବାରର ଖାଦ୍ୟ ପାଇଁ ଉପଯୋଗ ହୋଇଥାଏ”, ମଙ୍ଗଲ କହିଥିଲେ। “ଆମେ ପିଆଜ ଓ ଚାଉଳ ବିକ୍ରି କରିବା ସମୟରେ, ସେଗୁଡ଼ିକୁ ଆମେ ବାଣୀସ୍ଥିତ ବଜାରରେ ବିକ୍ରି କରିଥାଉ।” ନାସିକ ଜିଲ୍ଲାର ବାଣୀ ସହର, ସେମାନଙ୍କ ଗାଁ ଠାରୁ ୧୫ କିମି ଦୂର, ଏଠାରେ ଏକ ମଣ୍ଡି ରହିଛି, ଯେଉଁଠି ଘରୋଇ ବ୍ୟବସାୟୀଙ୍କ ଦ୍ୱାରା ନିଲାମ ଜରିଆରେ କୃଷି ଉତ୍ପାଦ ବିକ୍ରି ହୋଇଥାଏ। ଚାଷୀମାନେ ବେଳେ ବେଳେ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପାଇଥାନ୍ତି, ଆଉ କେତେବେଳେ ପାଇନଥାନ୍ତି। “ଆମେ ଏମଏସପି ଏବଂ ଏକ ସୁନିଶ୍ଚିତ ବଜାରର ଗୁରୁତ୍ୱ ଜାଣିଛୁ”, ମଙ୍ଗଲ କୁହନ୍ତି। “ନୂଆ କୃଷି ଆଇନ ଫଳରେ ଯେଉଁମାନେ ଏମଏସପି ପାଇବାର ଥିବେ ହରାଇବେ। ଆମେ ସବୁବେଳେ ଆମର ମୌଳିକ ଅଧିକାର ପାଇଁ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ।”
ମାର୍ଚ୍ଚ ୨୦୧୮ରେ ଲମ୍ବା କିଷାନ ମୋର୍ଚ୍ଚା ସମୟରେ, ଚାଷୀମାନେ-ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସମୁଦାୟର-ସାତ ଦିନ ଧରି ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିମି ଦୂର ପଦଯାତ୍ରା କରିଥିଲେ, ଜମି ଅଧିକାର ହାସଲ କରିବା ସେମାନଙ୍କର ମୁଖ୍ୟ ଦାବି ଥିଲା। “ନାସିକ-ମୁମ୍ବାଇ ପଦଯାତ୍ରା ପରେ ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା”, ମୀରାବାଇ କୁହନ୍ତି, ଯିଏକି ନିଜର ଦେଢ଼ ଏକର ଜମିରେ ମୁଖ୍ୟତଃ ଧାନ ଚାଷ କରିଥାନ୍ତି।
“କିନ୍ତୁ ଏହା ଖୁବ କଷ୍ଟକର ଥିଲା। ମୋର ମନେ ପଡ଼ୁଛି ଯେ ସପ୍ତାହର ଶେଷ ବେଳକୁ ମୋର ଅଣ୍ଟାପିଠି ଯନ୍ତ୍ରଣା ଆରମ୍ଭ ହୋଇଥିଲା। କିନ୍ତୁ ଆମେ ଏଥିରେ ସଫଳ ହେଲୁ। ମଙ୍ଗଲଙ୍କ ତୁଳନାରେ ମୋର ବୟସକୁ ଦେଖି ଏହା ମୋ ପାଇଁ ଟିକିଏ କଷ୍ଟକର ଥିଲା।”
୨୦୧୮ରେ ସେହି ସପ୍ତାହବ୍ୟାପୀ ପଦଯାତ୍ରା ପରେ, ମଙ୍ଗଲ ଓ ମୀରାବାଇ ପରସ୍ପରର ଯତ୍ନ ନେବା ଆରମ୍ଭ କରିଥିଲେ। “ସେ ଥକିଗଲେ ମୁଁ ତାଙ୍କ ପାଇଁ ଅପେକ୍ଷା କରୁଥିଲି, ଏବଂ ମୁଁ ଚାଲିନପାରିଲେ ସେ ମଧ୍ୟ ମୋ ପାଇଁ ଅପେକ୍ଷା କରି ରହୁଥିଲେ”, ମଙ୍ଗଲ କୁହନ୍ତି। “ଏହିପରି ଭାବେ ଆମେ କଷ୍ଟକର ସମୟ ଅତିବାହିତ କରିଥାଉ। ଶେଷରେ ଏହାର ମୂଲ୍ୟ ମିଳିଥାଏ। ଆମ ଭଳି ଲୋକ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଖାଲି ପାଦରେ ଚାଲିବା ପରେ ସରକାରଙ୍କର ନିଦ୍ରା ଭଙ୍ଗ ହୋଇଥାଏ।’’
ଏବଂ ଏବେ, ପୁଣିଥରେ, ସେମାନେ ମୋଦୀ ସରକାରଙ୍କ ‘ନିଦ୍ରା ଭଙ୍ଗ’ ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। “ସରକାର ବିଲ୍ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆମେ ଦିଲ୍ଲୀରେ ରହିବାକୁ ପ୍ରସ୍ତୁତ”, ମଙ୍ଗଲ କୁହନ୍ତି। “ଆମେ ଯଥେଷ୍ଟ ପରିମାଣରେ ଶୀତ ପୋଷାକ ସାଥୀରେ ଆଣିଛୁ। ମୁଁ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିନାହିଁ।”
୧୯୯୦ ମସିହାର ଆଦ୍ୟଭାଗରେ ମଙ୍ଗଲ ପ୍ରଥମ ଥର ପାଇଁ ଦେଶର ରାଜଧାନୀକୁ ଯାଇଥିଲେ। “ସେଥର ନାନାସାହେବ ମାଲୁସାରେଙ୍କ ସହିତ”, ସେ କହିଥିଲେ। ନାସିକ ଓ ମହାରାଷ୍ଟ୍ରର ଜଣେ ପ୍ରମୁଖ କିସାନ ସଭା ନେତା ଥିଲେ ମାଲୁସାରେ। ପାଖାପାଖି ୩୦ ବର୍ଷ ପରେ, ଚାଷୀଙ୍କ ଦାବି ସେହିପରି ରହିଛି। ଉଭୟ ମଙ୍ଗଲ ଏବଂ ମୀରାବାଇ କୋଲି ମହାଦେବ ସମୁଦାୟରୁ ଆସିଥାଆନ୍ତି, ଯାହାକି ଏକ ଅନୁସୂଚିତ ଜନଜାତି ସମ୍ପ୍ରଦାୟ। ସେମାନେ ବହୁ ଦଶନ୍ଧି ଧରି ଯେଉଁ ଜମିରେ ଚାଷ କରି ଆସୁଛନ୍ତି ରେକର୍ଡପତ୍ରରେ ତାହା ଜଙ୍ଗଲ ବିଭାଗ ଅଧୀନରେ ଆସୁଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସେମାନେ ମାଲିକାନା ପାଇଁ ହକଦାର, ଏ ବିଷୟରେ ଉଲ୍ଲେଖ କରି ସେମାନେ କୁହନ୍ତି, “ଆଇନ ଥିଲେ ମଧ୍ୟ ଆମ ପାଖରେ ମାଲିକାନା ନାହିଁ”।
ଅନ୍ୟ ଆନ୍ଦୋଳନକାରୀଙ୍କ ଭଳି ସେମାନେ ମଧ୍ୟ କୃଷି ଆଇନରେ ଥିବା ଚୁକ୍ତିଭିତ୍ତିକ କୃଷିକୁ ନେଇ ଚିନ୍ତିତ। ଅଧିକାଂଶ ଏହାକୁ ସମାଲୋଚନା କରି କହିଥାନ୍ତି, ବଡ଼ କର୍ପୋରେସନଗୁଡ଼ିକ ସହିତ ଚାଷୀ ଚୁକ୍ତିରେ ଅନୁବନ୍ଧିତ ହେଲେ ସେମାନେ ନିଜ ଜମିରେ ଦାଦନ ଶ୍ରମିକ ଭଳି ଖଟିବେ। “ବହୁ ଦଶନ୍ଧି ଧରି ଆମେ ଆମର ଜମି ଅଧିକାର ପାଇଁ ଲଢ଼ିଆସୁଛୁ,” ମଙ୍ଗଲ କୁହନ୍ତି। “ନିଜ ଜମି ଉପରେ ନିୟନ୍ତ୍ରଣ ରହିବାର ଗୁରୁତ୍ୱକୁ ଆମେ ବୁଝିଛୁ। ସାରା ଜୀବନ ଆମେ ଏଥିପାଇଁ ଲଢ଼ୁଛୁ। କିନ୍ତୁ ଆମକୁ ସେତେ ଲାଭ ମିଳିପାରିନାହିଁ। କିନ୍ତୁ ଏହି ପ୍ରକ୍ରିୟାରେ, ସମାନ ସମସ୍ୟାକୁ ନେଇ ଆମେ ବନ୍ଧୁ ବାନ୍ଧିପାରିଛୁ।”
ଏବଂ ସେମାନଙ୍କର ବନ୍ଧୁତା ଏକ ଗଭୀର ସମ୍ପର୍କରେ ପରିଣତ ହୋଇଛି। ମୀରାବାଇ ଏବଂ ମଙ୍ଗଲ ଏବେ ପରସ୍ପରର ଅଭ୍ୟାସକୁ ଭଲ ଭାବେ ଜାଣନ୍ତି। ମୀରାବାଇ ବୟସ୍କା ହୋଇଥିବାରୁ, ମଙ୍ଗଲ ତାଙ୍କର ଅଧିକ ଯତ୍ନ ନେଇଥାନ୍ତି। ତାଙ୍କ ପାଇଁ ସିଟ ରଖିବା, ତାଙ୍କ ସହିତ ଶୌଚାଳୟ ଯିବା, ସେମାନେ ସବୁବେଳେ ଏକାଠି ଥାଆନ୍ତି। ଯେତେବେଳେ ଜଥାର ଆୟୋଜନକାରୀମାନେ କଦଳୀ ବାଣ୍ଟିଥିଲେ ମଙ୍ଗଲ ଗୋଟିଏ ଅଧିକ କଦଳୀ ମୀରାବାଇଙ୍କ ପାଇଁ ରଖିଥିଲେ।
ସାକ୍ଷାତକାର ଶେଷରେ, ମୁଁ ମଙ୍ଗଲଙ୍କୁ ତାଙ୍କର ଫୋନ ନମ୍ବର ମାଗିରଖିଲି। ଏହାପରେ ମୁଁ ମୀରାବାଇଙ୍କୁ ତାଙ୍କର ଫୋନ ନମ୍ବର ମାଗିଲି। “ତୁମର ଏହା ଦରକାର ନାହିଁ”, ମଙ୍ଗଲ ଉତ୍ସାହିତ ହୋଇ କହିଲେ। “ତୁମେ ମୋ ନମ୍ବରରେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିପାରିବ।”
ଉପସଂହାର :
ରିପୋର୍ଟର ମଙ୍ଗଲ ଓ ମୀରାବାଇଙ୍କୁ ଡିସେମ୍ବର ୨୧ ଏବଂ ୨୨ ତାରିଖରେ ସାକ୍ଷାତ କରିଥିଲେ। ଡିସେମ୍ବର ୨୩ ତାରିଖ ସକାଳେ ସେମାନେ ଜଥା ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ମୁଁ ଯେତେବେଳେ ଡିସେମ୍ବର ୨୪ ତାରିଖରେ ସେମାନଙ୍କ ସହିତ ଫୋନରେ କଥା ହେଲି ମଙ୍ଗଲ କହିଲେ, “ଆମେ ମଧ୍ୟପ୍ରଦେଶ ସୀମାରୁ ଘରକୁ ଫେରିଆସିବା ଲାଗି ନିଷ୍ପତ୍ତି ନେଲୁ କାରଣ ଆମେ ଶୀତ ସହିପାରିଲୁ ନାହିଁ”। ଟେମ୍ପୋର ପଛ ଭାଗ ଫାଙ୍କା ଥିବାରୁ ଅତିଶୟ ଶୀତ ଲହରୀରେ ଯାତ୍ରା କରିବା ଅସହ୍ୟ ଥିଲା। ଆଗକୁ ଆହୁରି ଶୀତ ପଡ଼ିବାର ଆଶଙ୍କା ଥିବାରୁ ସେମାନେ ନିଜ ଗ୍ରାମ ଶିନ୍ଦୱାଡ୍ ଫେରିଯିବା ଲାଗି ନିଷ୍ପତ୍ତି ନେଲେ, କାରଣ ସେମାନେ ନିଜ ସ୍ୱାସ୍ଥ୍ୟକୁ ନେଇ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନଥିଲେ। “ମୀରାବାଇ ବିଶେଷ ଥଣ୍ଡା ଅନୁଭବ କରିଥିଲେ। ମୁଁ ମଧ୍ୟ ଶୀତ ଅନୁଭବ କରିପାରୁଥିଲି”, ମଙ୍ଗଲ କହିଥିଲେ। ନାସିକରେ ଏକତ୍ରିତ ହୋଇଥିବା ୨୦୦୦ ଚାଷୀଙ୍କ ମଧ୍ୟରୁ ପାଖାପାଖି ୧୦୦୦ଚାଷୀ ମଧ୍ୟପ୍ରଦେଶ ସୀମା ଠାରୁ ଆଗକୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଜାରି ରଖିଲେ।
ଅନୁବାଦ: ଓଡ଼ିଶାଲାଇଭ୍