ସେଦିନ ରାତିରେ ପାହାଡ଼ର ସମ୍ପୂର୍ଣ୍ଣ ଗୋଟିଏ ପାର୍ଶ୍ୱ ତଳକୁ ଭୁଶୁଡ଼ି ପଡ଼ିଲା।
ରାତି ପ୍ରାୟ ୧୧ଟା ବାଜିଥିଲା, ସେମାନଙ୍କ ପଡ଼ାରେ ୪-୫ଟି ଘର ପରସ୍ପର ସହ ଲାଗି ରହିଥିଲା। ଏଥିରେ ଯୌଥ ପରିବାର ୧୭ଜଣିଆ ସଦସ୍ୟଙ୍କ ସହିତ ଅନୀତା ବକାଡେ ଶୋଇଥିଲେ। ସେ କୁହନ୍ତି, “ଖୁବ୍ ଜୋରରେ ଘଡ଼ଘଡ଼ ଶବ୍ଦ ଶୁଣି ଆମେ ଉଠିପଡ଼ିଲୁ, ଏବଂ କ’ଣ ଘଟୁଛି ତାହା ତୁରନ୍ତ ଜାଣିପାରିଲୁ। ଆମେ ଅନ୍ଧାରରେ ଦୌଡ଼ିବା ଆରମ୍ଭ କଲୁ। ସେତେବେଳକୁ ଆମ ଘର ପାଖ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।”
ମହାରାଷ୍ଟ୍ରର ସତାରା ଜିଲ୍ଲା ଅନ୍ତର୍ଗତ ପାଟଣ ତାଲୁକାରେ ସହ୍ୟାଦ୍ରୀ ପାର୍ବତ୍ୟ ଶୃଙ୍ଖଳା ମଧ୍ୟରେ ମୀରଗାଓଁ ଅବସ୍ଥିତ। ମୀରଗାଓଁରେ ଯେଉଁଦିନ ଏହି ଭୂସ୍ଖଳନ ଘଟଣା ଘଟିଲା, ଅନୀତାଙ୍କ ଘର କୌଣସି ପ୍ରକାରେ ବର୍ତ୍ତି ଯାଇଥିଲା। କିନ୍ତୁ ଚଳିତ ବର୍ଷ ଜୁଲାଇ ୨୨ତାରିଖରେ ଘଟିଥିବା ଏହି ଘଟଣା କାରଣରୁ ସେ ନିଜ ଯୌଥ ପରିବାରର ୧୧ ଜଣ ସଦସ୍ୟଙ୍କୁ ହରାଇଥିଲେ। ଏମାନଙ୍କ ମଧ୍ୟରେ ସବୁଠୁ ସାନ ଥିଲେ ତାଙ୍କର ୭ ବର୍ଷୀୟ ପୁତୁରା ଯୁବରାଜ ଏବଂ ବଡ଼ ଥିଲେ ତାଙ୍କର ଜଣେ ଦୂର ସମ୍ପର୍କୀୟା ୮୦ ବର୍ଷ ବୟସ୍କା ଯଶୋଦା ବକାଡ଼େ।
ପରଦିନ ସକାଳେ, ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ପହଞ୍ଚିଲା, ଏବଂ ମଧ୍ୟାହ୍ନ ବେଳକୁ ୪୩ ବର୍ଷୀୟା ଅନୀତା ଏବଂ ଗାଁର ଅନ୍ୟମାନଙ୍କୁ କୋୟନାନଗର ଗ୍ରାମରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲା। ଏହି ବିଦ୍ୟାଳୟ ମିରଗାଓଁଠାରୁ ପାଖାପାଖି ୬ କିଲୋମିଟର ଦୂର। ବିଶାଳ କୋୟନା ନଦୀବନ୍ଧ ତଥା ଜଳବିଦ୍ୟୁତ ପ୍ରକଳ୍ପଠାରୁ ପ୍ରାୟ ୫ କିଲୋମିଟର ଦୂରରେ ମିରଗାଓଁ ଗ୍ରାମ ଅବସ୍ଥିତ।


ମୀରଗାଓଁରେ ଥିବା ଅନୀତାଙ୍କ ଘର ଜୁଲାଇ ୨୨ ତାରିଖ ଭୂସ୍ଖଳନରୁ ବର୍ତ୍ତି ଯାଇଥିଲା, କିନ୍ତୁ ସେ ନିଜ ଯୌଥ ପରିବାରର ୧୧ ଜଣ ସଦସ୍ୟଙ୍କୁ ହରାଇଥିଲେ
ଗାଁର ପୁଲିସ ପାଟିଲ (କନେଷ୍ଟବଳ) ସୁନୀଲ ସେଲାର କୁହନ୍ତି, “ଅପରାହ୍ଣ ୪ଟାରେ ଏକ ଛୋଟ ଭୂସ୍ଖଳନ ପରେ ସନ୍ଧ୍ୟା ୭ଟା (ଜୁଲାଇ ୨୨ ତାରିଖ)ରେ ଆମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲୁ ଏବଂ ଆମେ ଭାବିଥିଲୁ ଏବେ ଆଉ କିଛି ହେବ ନାହିଁ। କିନ୍ତୁ ରାତି ୧୧ଟା ପାଖାପାଖି ଏକ ଭୟାନକ ଘଟଣା ଘଟିଲା ଏବଂ ଆଖି ପିଛୁଳାକେ ଆମ ଗାଁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଗଲା।”
୨୦୧୧ ଜନଗଣନା ଅନୁଯାୟୀ, ମୀରଗାଓଁର ଲୋକସଂଖ୍ୟା ୨୮୫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି। ଗାଁ ଲୋକମାନେ ବର୍ଷା ଏବଂ ଛୋଟ ଭୂସ୍ଖଳନ ସହ ଅଭ୍ୟସ୍ତ। କିନ୍ତୁ ଜୁଲାଇ ୨୨ତାରିଖର ଘଟଣା ଅକଳ୍ପନୀୟ ଥିଲା ବୋଲି ସେମାନେ କୁହନ୍ତି। ସେହିଦିନ କୋୟନା କ୍ୟାଚମେଣ୍ଟ ଅଞ୍ଚଳରେ ରେକର୍ଡ ୭୪୬ ମିଲିମିଟର ବର୍ଷା ହୋଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା, ସେହି ସପ୍ତାହରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବଡ଼ ବନ୍ୟା ଆସିଥିଲା।
ଜିଲ୍ଲା ପରିଷଦ ବିଦ୍ୟାଳୟରେ ମୋ ସହିତ କଥା ହୋଇଥିଲେ ୪୫ ବର୍ଷ ବୟସ୍କା ଜୟଶ୍ରୀ ସପକାଲ। ସେ କହିଥିଲେ, “ଜୁଲାଇ ୨୧ ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଆମେ ବ୍ୟସ୍ତ ହୋଇନଥିଲୁ, କାରଣ ବର୍ଷର ଏହି ସମୟରେ ପ୍ରବଳ ବର୍ଷା ହେବା ସାଧାରଣ କଥା। କିନ୍ତୁ ପରଦିନ ରାତି ୧୧ଟାରେ ଖୁବଜୋରରେ ଏକ ଶବ୍ଦ ଶୁଣି ଆମେ ଉଠିପଡ଼ିଲୁ। ମାତ୍ର କିଛି ମିନିଟ୍ ମଧ୍ୟରେ ପାହାଡ଼ ଆମ ଗାଁ ଉପରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ ଆମେ ଦୌଡ଼ିଯାଇ ନିକଟସ୍ଥ ଏକ ମନ୍ଦିରରେ ଆଶ୍ରା ନେଲୁ।”
୨୧ ବର୍ଷୀୟା କୋମଲ ଶେଲାର କୁହନ୍ତି, “ଗାଁର କିଛି ଲୋକ ଆମ ଘର ପାଖକୁ ଦୌଡ଼ି ଆସି ପାହାଡ଼ ଧସିଯାଇଛି ବୋଲି କହିଲେ। ଆମେ ଗୋଟିଏ ସେକେଣ୍ଡ ସୁଦ୍ଧା ଅପେକ୍ଷା ନକରି ଘର ଛାଡ଼ିଦେଲୁ। ଆଲୁଅ ନଥିଲା, ଆମେ କିଛି ଦେଖିପାରୁନଥିଲୁ। କାଦୁଅ ଓ ଅଣ୍ଟାଏ ପାଣିରେ ପଶି ଆମେ ଦୌଡ଼ିଲୁ। କୌଣସି ପ୍ରକାରେ ମନ୍ଦିରରେ ପହଞ୍ଚି ସେଦିନ ରାତି ବିତାଇଲୁ।”


ନୀରା ଏବଂ ଲିଲାବାଇ ସପକାଲ (ଭିତରେ) ବିଦ୍ୟାଳୟରେ ଉପସ୍ଥିତ ଅଛନ୍ତି। ଉତ୍ତମ ଶେଲାର (ଡାହାଣ)। ‘କୋୟନା ଅଞ୍ଚଳରେ ପାହାଡ଼ରେ ଫାଟ ରହିଛି। ଆମ ପ୍ରତି ବିପଦ ସବୁବେଳେ ରହିଛି’
ଘର ଭାଙ୍ଗିବା ଓ ଲୋକମାନଙ୍କର ଜୀବନ ଯିବା ବ୍ୟତୀତ, ପ୍ରବଳ ବର୍ଷା ଏବଂ ଭୂସ୍ଖଳନ କାରଣରୁ ଚାଷ ଜମି ଓ ଫସଲ ମଧ୍ୟ ନଷ୍ଟ ହୋଇଥିଲା।୪୬ ବର୍ଷୀୟ ରବୀନ୍ଦ୍ର ସପକାଲଙ୍କ ଯୌଥ ପରିବାରର ୧୨ଟି ଘର ଏହି ଭୟାବହ ବିପର୍ଯ୍ୟୟରେ ନଷ୍ଟ ହୋଇଯାଇଛି। ସେ କୁହନ୍ତି, “ମୁଁ ଏହି ଘଟଣା ଘଟିବାର କିଛିଦିନ ପୂର୍ବରୁ ଧାନ ରୋଇଥିଲି ଏବଂ ଆଶା କରୁଥିଲି ଯେ ଏହି ଋତୁରେ ଭଲ ଫସଲ ଅମଳ ହେବ। କିନ୍ତୁ ମୋ ସବୁତକ ଚାଷ ଜମି ଧୋଇଗଲା। ସବୁଆଡ଼େ ଏବେ ଖାଲି କାଦୁଅ ମାଡ଼ିଯାଇଛି। ଏବେ କ’ଣ କରିବାକୁ ହେବ ମୁଁ ବୁଝିପାରୁନାହିଁ। ଧାନ ଫସଲ ଅମଳକୁ ନେଇ ମୋ ପରିବାରର ସମସ୍ତେ ଆଶାବାଦୀ ଥିଲେ।”
ମୀରଗାଓଁର ବୟସ୍କ ବାସିନ୍ଦାମାନେ ତୃତୀୟ ଥର ପାଇଁ ସ୍ଥାନାନ୍ତରିତ ହୋଇ ଜିଲ୍ଲା ପରିଷଦ ବିଦ୍ୟାଳୟକୁ ଯାଇଥିଲେ। ପ୍ରଥମେ ୬୦ ଦଶକରେ କୋୟନା ନଦୀବନ୍ଧ ନିର୍ମାଣ ଲାଗି ସେମାନଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଥିଲା। ମୀରଗାଓଁର ମୂଳ ସ୍ଥାନଠାରୁ ସେମାନଙ୍କୁ ଅଧିକ ଉଚ୍ଚସ୍ଥାନକୁ ଯିବାକୁ ପଡ଼ିଥିଲା। ମୂଳ ଗ୍ରାମ ଏବେ ଜଳମଗ୍ନ ହୋଇଯାଇଛି। ଏହାପରେ ଡିସେମ୍ବର ୧୧, ୧୯୬୭ରେ କୋୟନା ନଦୀବନ୍ଧ ପାଖ ଅଞ୍ଚଳରେ ଅଧିକ ତୀବ୍ରତାର ଭୂମିକମ୍ପ ଆସିଥିଲା। ଆଖପାଖ ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ସେହି ଲୋକମାନେ ମଧ୍ୟ ସ୍ଥାନାନ୍ତରିତ ହୋଇଥିଲେ ଯେଉଁମାନେ ‘ନୂଆ ମୀରଗାଓଁ’ରେ ରହୁଥିଲେ। ପରବର୍ତ୍ତୀ ସମୟରେ ମୀରଗାଓଁର ବାସିନ୍ଦାମାନେ ପୁଣିଥରେ ସେହି ସ୍ଥାନକୁ ଚାଲିଆସିଥିଲେ, ଯେଉଁଠି ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ଭୂସ୍ଖଳନ ଘଟଣା ଘଟିଲା।
“୪୨ ବର୍ଷୀୟ ଉତ୍ତମ ଶେଲର କୁହନ୍ତି, “ନଦୀବନ୍ଧ ନିର୍ମାଣ ସମୟରେ, ସରକାର ଚାଷ ପାଇଁ ଜମି ଏବଂ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ୪୦ବର୍ଷରୁ ଅଧିକ ସମୟ ବିତି ସାରିଲାଣି, କିନ୍ତୁ ଆମକୁ କ୍ଷତିପୂରଣ ଆକାରରେ କିଛି ବି ମିଳିନାହିଁ। ଯଦି ଆପଣ କୋୟନା ନଦୀବନ୍ଧ ଆଖପାଖ ଅଞ୍ଚଳ ଦେଇ ଅତିକ୍ରମ କରିବେ, ଆପଣଙ୍କୁ ପାହାଡ଼ରେ ବଡ଼ ବଡ଼ ଫାଟ ଦେଖାଯିବ। ଆଗାମୀ ବର୍ଷାରେ ଏସବୁ ପାହାଡ଼ ମଧ୍ୟ ଧସି ତଳକୁ ଖସି ଆସିବ। ଆମେ ଲଗାତାର ବିପଦ ଆଶଙ୍କା ମଧ୍ୟରେ ବଞ୍ଚିଛୁ।”


ଘରଗୁଡ଼ିକ ଭୁଶୁଡ଼ି ପଡ଼ିବା ଓ ଲୋକମାନଙ୍କର ଜୀବନ ଯିବା ବ୍ୟତୀତ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ କାରଣରୁ ଚାଷଜମି ଓ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଜୁଲାଇ ୨୩ ତାରିଖରେ ରାଜ୍ୟ ସରକାର ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ କାରଣରୁ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି କ୍ଷତିପୂରଣ ଆକାରରେ ଦେବାକୁ ଘୋଷଣା କରିଥିଲେ। ଅନୀତା ବାକଡ଼େଙ୍କ ପରିବାରକୁ ମଧ୍ୟ ଏହି କ୍ଷତିପୂରଣ ରାଶି ମିଳିସାରିଛି। କେନ୍ଦ୍ର ସରକାର ମଧ୍ୟ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ବାକଡ଼େ ପରିବାର ଏହି କ୍ଷତିପୂରଣ ପାଇବାକୁ ଏବେ ସୁଦ୍ଧା ଅପେକ୍ଷା କରି ରହିଛନ୍ତି।
କିନ୍ତୁ, ଭୂସ୍ଖଳନ ଯୋଗୁ ଯେଉଁମାନଙ୍କର ଜମି କିମ୍ବା ଘର ନଷ୍ଟ ହୋଇଯାଇଛି, ବର୍ତ୍ତମାନ ସୁଦ୍ଧା ସେହି ଲୋକମାନଙ୍କ ପାଇଁ କୌଣସି ପ୍ରକାରର ସହାୟତା ପ୍ୟାକେଜ୍ ଘୋଷଣା କରାଯାଇନାହିଁ।
ନିଜର ଚାଷ ଜମିରେ କାଦୁଅ ଏବଂ ଧ୍ୱଂସାବଶେଷ ଆଡ଼କୁ ଇସାରା କରି ୨୫ ବର୍ଷୀୟ ଗଣେଶ ଶେଲାର କୁହନ୍ତି, “ରାଜସ୍ୱ ବିଭାଗ ଆମ ଠାରୁ ଏକ ଫର୍ମ ପୂରଣ (୨ଅଗଷ୍ଟରେ, କ୍ଷତିପୂରଣ ଲାଗି) କରି ନେଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା ହୋଇନାହିଁ।” କୋଭିଡ-19 ମହାମାରୀ କାରଣରୁ ନଭୀ ମୁମ୍ବାଇରେ ମେକାନିକାଲ ଇଞ୍ଜିନିୟରିଂ ଚାକିରି ଛାଡ଼ିବା ପରେ ଗଣେଶ ଧାନ ଚାଷରେ ପରିବାର ଲୋକଙ୍କୁ ସାହାଯ୍ୟ କରିବା ଲାଗି ଗାଁକୁ ଫେରିଆସିଥିଲେ। ସେ ରାସ୍ତାରେ ଟିକିଏ ସମୟ ଅଟକି ଯାଇ ନିଜ ଆଖିର ଲୁହକୁ ଚାପି କୁହନ୍ତି, “ଆମର ୧୦ ଏକର ଚାଷ ଉପଯୋଗୀ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସବୁ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ଆମକୁ କିଛି ସାହାଯ୍ୟ ମିଳିବ ବୋଲି ମୁଁ ଭାବୁନାହିଁ।”
ଇତିମଧ୍ୟରେ, ଭୂସ୍ଖଳନର ବହୁ ସପ୍ତାହ ପରେ ମୀରଗାଓଁରେ ବଞ୍ଚି ଯାଇଥିବା କିଛି ବାସିନ୍ଦା ଏବେସୁଦ୍ଧା ଜିଲ୍ଲା ପରିଷଦ ବିଦ୍ୟାଳୟରେ ରହିଛନ୍ତି ଏବଂ ସରକାର କିମ୍ବା କିଛି ଏନଜିଓଙ୍କ ପକ୍ଷରୁ ମିଳିଥିବା ରାସନ ଓ ଅନ୍ୟ ଜରୁରି ସାମଗ୍ରୀ ସହାୟତାରେ ଜୀବନ ନିର୍ବାହ କରୁଛନ୍ତି। ଉପଯୋଗୀ ଏବଂ ସ୍ଥାୟୀ ଥଇଥାନ ପାଇଁ ସେ ସମସ୍ତଙ୍କ ଆଖିରେ ବ୍ୟଗ୍ରତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ। ପୁଲିସ କନେଷ୍ଟବଳ ସୁନୀଲ ଶେଲାର କୁହନ୍ତି, “ଆମ ଗାଁର ଚିହ୍ନବର୍ଣ୍ଣ ଲିଭିଯାଇଛି। ବିପଦଠାରୁ ଦୂରରେ ସୁରକ୍ଷିତ ସ୍ଥାନରେ ଥଇଥାନ ପାଇଁ ଆମେ ଦାବି କରୁଛୁ।”
!['The revenue department made us fill a form [for compensation] but nothing has been announced yet', says Ganesh Shelar, who is helping out at the school](/media/images/05a-HP.max-1400x1120.jpg)
!['The revenue department made us fill a form [for compensation] but nothing has been announced yet', says Ganesh Shelar, who is helping out at the school](/media/images/05b-HP.max-1400x1120.jpg)
ବିଦ୍ୟାଳୟରେ ଲୋକମାନଙ୍କୁ ଖାଦ୍ୟ ପରିବେଷଣରେ ସହାୟତା କରୁଥିବା ଗଣେଶ ଶେଲାର କୁହନ୍ତି, ' ରାଜସ୍ୱ ବିଭାଗ ଆମ ଠାରୁ ଏକ ଫର୍ମ ପୂରଣ (୨ ଅଗଷ୍ଟରେ, କ୍ଷତିପୂରଣ ଲାଗି) କରି ନେଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା ହୋଇନାହିଁ'
ଏ ସମ୍ପର୍କରେ ଉତ୍ତମ ଶେଲାର କୁହନ୍ତି, “କେହି ଜଣେ ହେଲେ ଘର (ମୀରଗାଓଁରେ ଥିବା)କୁ ଫେରିଯିବା ଲାଗି ଚାହୁଁନାହାନ୍ତି। ଆମେ ଏବେ ଏହି ଅଞ୍ଚଳରେ ରହିବାକୁ ଚାହୁଁନାହୁଁ, ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ଥାନରେ ଆମେ ଥଇଥାନ ଚାହୁଁ।”
ଭୂସ୍ଖଳନରୁ ସୁରକ୍ଷିତ ବର୍ତ୍ତି ଯାଇଥିବା ଅନୀତାଙ୍କ ମାଉସୀ ପୁଅ ଭାଇ ସଞ୍ଜୟ ବାକଡ଼େ କୁହନ୍ତି, “ସରକାରଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବରୁ ଅସ୍ଥାୟୀ ଗୃହ ଯୋଗାଇ ଦେବା ଲାଗି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନସୁଦ୍ଧା ସରକାର ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଆଉ କେତେଦିନ ପର୍ଯ୍ୟନ୍ତ ଆମମାନଙ୍କୁ ଏ ବିଦ୍ୟାଳୟରେ ରହିବାକୁ ପଡ଼ିବ? ବିଦ୍ୟାଳୟରେ ମହିଳାମାନଙ୍କ ପାଇଁ ଶୌଚାଳୟର ବିଶେଷ ବ୍ୟବସ୍ଥା ନାହିଁ। ଆହୁରି ପିଇବା ପାଣି ଯୋଗାଡ଼ କରିବା ମଧ୍ୟ ଏକ ବଡ଼ ସମସ୍ୟା। ଆମେ ସ୍ଥାନାନ୍ତରିତ ହୋଇ ଅନ୍ୟ ଜିଲ୍ଲାକୁ ଚାଲିଯିବା ଲାଗି ପ୍ରସ୍ତୁତ। କିନ୍ତୁ, ଆମର ସମ୍ପୂର୍ଣ୍ଣ ଥଇଥାନ ଆବଶ୍ୟକ।
ମୀରଗାଓଁରେ ଭୂସ୍ଖଳନ ସମୟରେ ପ୍ରାଣ ହରାଇଥିବା ୧୧ ଜଣ ଲୋକଙ୍କ ନାମ ଉଚ୍ଚାରଣ କରିବା ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କିଛି ସମୟ ପାଇଁ ନିରବ ରହିବା ଲାଗି ଅଗଷ୍ଟ ୧୪ ତାରିଖ ଅପରାହ୍ଣ ୪ଟା ସମୟରେ ବିଦ୍ୟାଳୟରେ ରହୁଥିବା ଲୋକମାନେ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ଆଖି ବନ୍ଦ ଥିଲା। କେବଳ ଅନୀତାଙ୍କ ଆଖି ଖୋଲା ଥିଲା। ବୋଧହୁଏ ପରିବାରର ୧୧ ଜଣ ସଦସ୍ୟଙ୍କୁ ହରାଇବାର ଦୁଃଖକୁ ସେ ଆଜି ଯାଏ ଭୁଲି ପାରିନାହାନ୍ତି।
ସେ ମଧ୍ୟ ଅନ୍ୟ ଲୋକମାନଙ୍କ ଭଳି ଏହି ବିଦ୍ୟାଳୟରେ ସ୍ୱାମୀ ଓ ପୁଅ ସହ ଆଶ୍ରୟ ନେଇଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ଚାଷୀ। ବଡ଼ କୋଠରୀର ଗୋଟିଏ କୋଣରେ ନିଜର ସମ୍ପର୍କୀୟମାନଙ୍କ ସହିତ ବସି ସେ କୁହନ୍ତି, “ଆମେ ଆମ ପରିବାରକୁ ହରାଇଛୁ, ଆମ ଆଶ୍ରୟ ଆମ ଠାରୁ ଦଇବ ଛଡ଼ାଇ ନେଇଛି। ଏବେ ସବୁକିଛି ଆମ ହାତରୁ ଚାଲିଯାଇଛି। ଆମେ ଏବେ ଆମ ଗାଁକୁ ଫେରିଯିବୁ ନାହିଁ।” ଏହା କହିବା ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ସେ ଆଉ କିଛି କହିବାକୁ ସମର୍ଥ ହେଲେ ନାହିଁ।
ପ୍ରଚ୍ଛଦ ଫଟୋ: ଗଣେଶ ଶେଲାର
ଅନୁବାଦ: ଓଡ଼ିଶାଲାଇଭ୍