ଚିଲତମପଲ୍ଲୀ ପରମେଶ୍ୱରୀ ବେଳେ ବେଳେ କେଉଁଆଡ଼େ ଚାଲି ଯିବେ ବୋଲି ଭାବନ୍ତି। ‘‘କିନ୍ତୁ ମୁଁ ମୋ ପିଲାଙ୍କୁ ଛାଡ଼ି ଯାଇପାରିବି ନାହିଁ। ସେମାନଙ୍କ ପାଇଁ କେବଳ ମୁଁ ଅଛି,’’ ଏହି ୩୦ ବର୍ଷୀୟା ମା’ କୁହନ୍ତି।
ପରମେଶ୍ୱରୀଙ୍କ ସ୍ୱାମୀ ଚିତମପଲ୍ଲୀ କମଲ ଚନ୍ଦ୍ର ଜଣେ ଚାଷୀ ଥିଲେ। ତାଙ୍କୁ ମାତ୍ର ୨୦ବର୍ଷରୁ କିଛି ଅଧିକ ବୟସ ହୋଇଥିବା ବେଳେ ନଭେମ୍ବର ୨୦୧୦ରେ ସେ ଆତ୍ମହତ୍ୟା କରିଥିଲେ। ‘‘ସେ କୌଣସି ଚିଠି ଛାଡ଼ି ଯାଇନଥିଲେ। ଏହାର କାରଣ ହେଉଛି କେମିତି ଭଲ ଭାବେ ଚିଠି ଲେଖି ହେବ ସେ ବୋଧହୁଏ ଜାଣିନଥିଲେ,’’ ମୁହଁରେ ଶୁଖିଲା ହସଟିଏ ହସି ସେ କହିଥାନ୍ତି।
ଆଉ ଏପରି ଭାବେ ସେ ନିଜର ଦୁଇ ପିଲା, ଶେଷାଦ୍ରି ଓ ଅନ୍ନପୂର୍ଣ୍ଣାଙ୍କ ଏକାକୀ ଅଭିଭାବକ ପାଲଟିଗଲେ, ଯିଏକି ଏବେ ଏକ ସରକାରୀ ସ୍କୁଲରେ ପଢ଼ୁଛନ୍ତି ଏବଂ ଘରଠାରୁ ୩୦ କିଲୋମିଟର ଦୂର ଏକ ଛାତ୍ରାବାସରେ ରହୁଛନ୍ତି। ‘‘ସେମାନଙ୍କ କଥା ମୋର ବେଶି ମନେ ପଡ଼ିଥାଏ,’’ ଏହି ମା’ ଜଣଙ୍କ କୁହନ୍ତି, ‘‘ମୁଁ ଜାଣିଛି ଯେ ସେମାନଙ୍କୁ ଠିକ୍ ସମୟରେ ଖାଇବା ମିଳୁଛି’’ ବୋଲି କହି ସେ ନିଜକୁ ଶାନ୍ତ୍ୱନା ଦିଅନ୍ତି।
ପ୍ରତି ମାସରେ ଥରେ ସେମାନଙ୍କୁ ଭେଟିବା ଲାଗି ସେ ଉତ୍ସୁକ ରହିଥାନ୍ତି। ‘‘ଯଦି ମୋ ପାଖରେ ଟଙ୍କା ଅଛି, ମୁଁ (ପିଲାମାନଙ୍କୁ) ୫୦୦ (ଟଙ୍କା) ଦିଏ ଏବଂ ଯଦି କମ୍ ଅଛି, ତା’ହେଲେ ସେମାନଙ୍କୁ ୨୦୦ (ଟଙ୍କା) ଦେଇଥାଏ,’’ ସେ କୁହନ୍ତି।
ସେମାନଙ୍କ ପରିବାର ତେଲେଙ୍ଗାନାରେ ଏକ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମାଡ଼ିଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାଏ ଏବଂ ପରମେଶ୍ୱରୀ ଚିଲତମପଲ୍ଲୀ ଗ୍ରାମରେ ଥିବା ଗୋଟିଏ ବଖୁରିକିଆ ଘରେ ରୁହନ୍ତି। ତାଙ୍କ ଘର ଛାତ ତଳକୁ ନଇଁପଡ଼ିଛି ଏବଂ ବାହାରେ ଏକ ଖୋଲା ଛପର ରହିଛି। ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାରେ ଥିବା ଏହି ଘର ତାଙ୍କର ପରଲୋକଗତ ସ୍ୱାମୀ କମଲ ଚନ୍ଦ୍ରଙ୍କ ପରିବାର ନାଁରେ ରହିଛି। ତାଙ୍କୁ ବାହା ହେବା ପରେ ପରମେଶ୍ୱରୀ ଏହି ଘରକୁ ଚାଲି ଆସିଥିଲେ।
ସ୍ୱାମୀଙ୍କ ଆତ୍ମହତ୍ୟା ପରେ, ପରମେଶ୍ୱରୀଙ୍କ ପ୍ରାଥମିକ ଆୟ ଉତ୍ସ ହେଉଛି ଆସାରା ପେନସନ ଯୋଜନା ଅଧୀନରେ ମିଳୁଥିବା ବିଧବା ଭତ୍ତା। ‘‘୨୦୧୯ ପର୍ଯ୍ୟନ୍ତ ମୁଁ ୧,୦୦୦ (ଟଙ୍କା) ପାଉଥିଲି, କିନ୍ତୁ ଏବେ ମୁଁ ମାସିକ ୨,୦୧୬ (ଟଙ୍କା) ପାଉଛି।’’
ଭତ୍ତା ବ୍ୟତୀତ ସେହି ଗ୍ରାମରେ ନିଜ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ମକା କ୍ଷେତରେ କାମ କରି ସେ ମାସିକ ୨,୫୦୦ ଟଙ୍କା ରୋଜଗାର କରିଥାନ୍ତି। ପରମେଶ୍ୱରୀ ମଧ୍ୟ ଅନ୍ୟମାନଙ୍କ ଚାଷ ଜମିରେ ଦିନ ମଜୁରି କାମ କରିଥାନ୍ତି ଯେଉଁଥିପାଇଁ ତାଙ୍କୁ ଦୈନିକ ୧୫୦-୨୦୦ ଟଙ୍କାର ପାରିଶ୍ରମିକ ମିଳିଥାଏ, କିନ୍ତୁ ତାଙ୍କୁ ଏମିତି କାମ ବେଳେବେଳେ ମିଳିଥାଏ।
ତାଙ୍କ ରୋଜଗାର ପରିବାରର ମାସିକ ଚଳିବା ଖର୍ଚ୍ଚରେ ବିନିଯୋଗ ହୋଇଥାଏ। ନିଜ ଶାଢ଼ି କାନି ମୋଡ଼ୁ ମୋଡ଼ୁ ସେ କୁହନ୍ତି, ‘‘ଗୋଟିଏ ଗୋଟିଏ ମାସ, ଏତିକି ଅର୍ଥ ଚଳିବାକୁ ଯଥେଷ୍ଟ ହୁଏ ନାହିଁ।’’
ଅର୍ଥାଭାବ ଦେଖା ଦେବାର କାରଣ ହେଉଛି ତାଙ୍କର ସ୍ୱାମୀ ଆରପାରିକୁ ଚାଲି ଯିବାର ୧୩ ବର୍ଷ ପରେ ମଧ୍ୟ ସେ ଛାଡ଼ି ଯାଇଥିବା ଋଣକୁ ପରମେଶ୍ୱରୀ ଏବେ ପରିଶୋଧ କରିଚାଲିଛନ୍ତି। ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ଘରୋଇ ସାହୁକାର ( ଆପ୍ପୁଲୋରୁ )ଙ୍କ ଠାରୁ ଆଣିଥିବା ଋଣ ସୁଝିବା ଯୋଗୁଁ ସେ ନିରନ୍ତର ମାନସିକ ଚାପର ଶିକାର ହୋଇଥାନ୍ତି। ‘‘ମୋର କେତେ ଟଙ୍କା ଋଣ ଅଛି ତାହା ମୁଁ ଜାଣି ନାହିଁ,’’ ସେ ବିବ୍ରତ ହୋଇ କୁହନ୍ତି
ତାଙ୍କର ପରଲୋକଗତ ସ୍ୱାମୀ କମଲ ଚନ୍ଦ୍ର କିଛି ଏକର ଜମି ଭାଗରେ ନେଇ ଚାଷ କରୁଥିଲେ ଏବଂ ଖର୍ଚ୍ଚ ଉଠାଇବା ପାଇଁ ସେ ବାରମ୍ବାର ଋଣ ନେଇ ଚାଲିଥିଲେ। ମୃତ୍ୟୁବରଣ କରିବା ପୂର୍ବରୁ ତାଙ୍କ ମୁଣ୍ଡ ଉପରେ ୬ ଲକ୍ଷ ଟଙ୍କାର ଋଣବୋଝ ଥିଲା। ଏହାକୁ ସେ ଭିକାରାବାଦ ଜିଲ୍ଲାରେ ଥିବା ପାଞ୍ଚ ଜଣ ଭିନ୍ନ ଭିନ୍ନ ଆପ୍ପୁଲୋରୁ ଙ୍କଠାରୁ ଉଧାର ଆଣିଥିଲେ। ‘‘ମୁଁ କେବଳ ତିନି ଲକ୍ଷ (ଟଙ୍କା) ବିଷୟରେ ଜାଣିଥିଲି। ମୁଁ ଜାଣିନଥିଲି ଯେ ଏତେ ପରିମାଣର ଋଣ ବାକି ରହିଛି,’’ ବିଧବା ପରମେଶ୍ୱରୀ କୁହନ୍ତି।
ସ୍ୱାମୀଙ୍କର ମୃତ୍ୟୁ ପରେ ସାହୁକାରମାନେ ଯେତେବେଳେ ତାଙ୍କ ସହିତ ଯୋଗାଯୋଗ କଲେ ପରମେଶ୍ୱରୀ ଜାଣିବାକୁ ପାଇଥିଲେ ଯେ ଦୁଇ ଜଣ ସାହୁକାରଙ୍କଠାରୁ କମଲ ଚନ୍ଦ୍ର ୧.୫ ଲକ୍ଷ ଟଙ୍କା ଲେଖାଏଁ ଉଧାର ଆଣିଥିଲେ ଏବଂ ଅନ୍ୟ ତିନି ଜଣଙ୍କ ଠାରୁ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ଆଣିଥିଲେ। ଏସବୁ ଋଣର ବାର୍ଷିକ ସୁଧ ହାର ୩୬ ପ୍ରତିଶତ ଥିଲା। କାଗଜପତ୍ରରେ କିଛି ରେକର୍ଡ ନଥିଲା। ତେଣୁ ପରମେଶ୍ୱରୀ ତାଙ୍କ ଋଣର ସଠିକ୍ ହିସାବ ରଖିପାରିନଥିଲେ।
‘‘କେବଳ ଉଧାର ସୁଝିବା ସମୟରେ ସେମାନେ ମୋତେ ସୂଚନା ଦେବେ, ଆଉ ମୁଁ କେବଳ ସେମାନଙ୍କୁ ବିଶ୍ୱାସ କରିବି, ଏତିକି କରିବା ଛଡ଼ା ମୋ ପାଖରେ ଅନ୍ୟ କିଛି ଚାରା ନାହିଁ,’’ ସେ କୁହନ୍ତି। ଆଉ କେତେ ଋଣ ସୁଝିବାକୁ ବାକି ରହିଛି ବୋଲି ଗତ ମାସରେ ସେ ଜଣେ ଆପ୍ପୁଲୋରୁଙ୍କୁ ପଚାରିବାକୁ ସାହସ କରିଥିଲେ କିନ୍ତୁ ସେ ସ୍ପଷ୍ଟ ଭାବେ କିଛି ଉତ୍ତର ଦେଲେ ନାହିଁ, ତେଣୁ ପରମେଶ୍ୱରୀ ପୂର୍ବ ଭଳି ଅନ୍ଧକାରରେ ରହିଥିଲେ।
ପ୍ରତ୍ୟେକ ଆପ୍ପୁଲୋରୁ ଙ୍କୁ ସେ ମାସିକ ୨,୦୦୦ ଟଙ୍କା ଲେଖାଏଁ ପରିଶୋଧ କରିଥାନ୍ତି। ବୋଝ ହ୍ରାସ କରିବା ପାଇଁ ସେ ପାଞ୍ଚ ଜଣଙ୍କୁ ମାସର ଭିନ୍ନ ଭିନ୍ନ ସମୟରେ ଅର୍ଥ ପରିଶୋଧ କରିଥାନ୍ତି। ‘‘ଗୋଟିଏ ମାସରେ ସମସ୍ତ ପାଞ୍ଚ ଜଣଙ୍କୁ ଅର୍ଥ ପରିଶୋଧ କରିବା ଲାଗି ମୋ ପାଖରେ ଟଙ୍କା ନାହିଁ,’’ ସେ କୁହନ୍ତି। ତେଣୁ କିଛି ଋଣଦାତାଙ୍କୁ ସେ ମାସିକ ୫୦୦ ଟଙ୍କା ପରିଶୋଧ କରିବାରେ ସକ୍ଷମ ହୋଇଥାନ୍ତି।
‘‘ଏହା କରିବା (ଆତ୍ମହତ୍ୟା) ପାଇଁ ମୁଁ ମୋର ସ୍ୱାମୀଙ୍କୁ ଦୋଷ ଦେଉନାହିଁ। ମୁଁ ବୁଝିପାରୁଛି,’’ ପରମେଶ୍ୱରୀ କୁହନ୍ତି ଏବଂ ସେ ଆହୁରି କହିଥାନ୍ତି, ‘‘ଏପରିକି, ବେଳେବେଳେ ମୋର ମଧ୍ୟ ସେଭଳି ଇଚ୍ଛା ହୁଏ; ମୁଁ ଏକାକୀ ଲଢ଼େଇ କରୁଛି।’’
ମାନସିକ ଚାପ ବେଳେବେଳେ ଖୁବ୍ ଅଧିକ ହୋଇଯାଏ କିନ୍ତୁ ନିଜ ପିଲାଙ୍କ କଥା ଭାବି ସେ ସବୁକିଛି ଭୁଲିଯାଆନ୍ତି। ‘‘(ଯଦି ମୁଁ ଛାଡ଼ିଦେବି) ଆପ୍ପୁଲୋରୁ ମାନେ ମୋ ପିଲାଙ୍କୁ ଋଣ ସୁଝିବା ପାଇଁ କହିବେ,’’ ସେ ଦୁଃଖର ସହିତ କହିଥାନ୍ତି। ‘‘ସେମାନଙ୍କୁ କାହିଁକି ଋଣ ସୁଝିବାକୁ ହେବ? ମୁଁ ଚାହୁଁଛି ସେମାନେ ପାଠପଢ଼ନ୍ତୁ ଏବଂ ବଡ଼ ସହରରେ ସମ୍ମାନଜନକ ପଦପଦବୀରେ କାମ କରନ୍ତୁ।’’
*****
ପରମେଶ୍ୱରୀଙ୍କ ଦିନ ଭୋର ୫ଟାରୁ ଆରମ୍ଭ ହୋଇଯାଏ। ‘‘ଘରେ ଚାଉଳ ଥିଲେ, ମୁଁ ରାନ୍ଧିବା ଆରମ୍ଭ କରେ। ନଚେତ ମୁଁ ଗାଞ୍ଜି ତିଆରି କରେ,’’ ସେ କୁହନ୍ତି। ଯେଉଁଦିନ ତାଙ୍କୁ କାମକୁ ଯିବାର ଥାଏ, ସେ ନିଜର ମଧ୍ୟାହ୍ନ ଭୋଜନ ସାଙ୍ଗରେ ଧରି ସକାଳ ୮ଟା ସୁଦ୍ଧା ଘର ଛାଡ଼ି ଦିଅନ୍ତି।
ଅନ୍ୟ ଦିନଗୁଡ଼ିକରେ, ସେ ଘର କାମ କରିଥାନ୍ତି ଏବଂ ସୁବିଧା ହେଲେ ଏକ ଛୋଟିଆ ଟିଭି ସେଟ୍ରେ ପୁରୁଣା, କଳା ଓ ଧଳା ତେଲୁଗୁ ଚଳଚ୍ଚିତ୍ର ଓ ଧାରାବାହିକ ଦେଖନ୍ତି। ‘‘ମୁଁ ଫିଲ୍ମ ଦେଖିବାକୁ ଭଲ ପାଏ। କିନ୍ତୁ କେବେକେବେ ଏହାକୁ (କେବୁଲ ସଂଯୋଗର ସବସ୍କ୍ରିପ୍ସନ) ବନ୍ଦ କରିଦେବା ଲାଗି ମୋର ଇଚ୍ଛା ହୁଏ।’’ କିନ୍ତୁ ସେ କୁହନ୍ତି ଯେ କେବୁଲ ସଂଯୋଗ ବାବଦରେ ସେ ୨୫୦ ଟଙ୍କା ଖର୍ଚ୍ଚ କରୁଥିବା କାରଣରୁ ଦୁଃଖରେ ଥିବା ସମୟରେ ତାଙ୍କୁ ସାମାନ୍ୟ ମାନସିକ ଆଶ୍ୱସ୍ତି ମିଳିଥାଏ।
ଅକ୍ଟୋବର ୨୦୨୨ରେ, ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଗ୍ରାମୀଣ ସଙ୍କଟଗ୍ରସ୍ତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେଲ୍ପଲାଇନ କିସାନମିତ୍ରର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ‘‘ଫୋନ୍ରେ ସେହି ଝିଅ ସହିତ କଥା ହୋଇ ମୋତେ ଭଲ ଲାଗିଲା। ସେମାନେ ମୋତେ କହିଲେ ଯେ ସବୁକିଛି ଠିକ୍ ହୋଇଯିବ,’’ ପରମେଶ୍ୱରୀ ସ୍ମରଣ କରି କୁହନ୍ତି। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ରୁରାଲ ଡେଭଲପମେଣ୍ଟ ସର୍ଭିସ ସୋସାଇଟି ଦ୍ୱାରା ଏହି ହେଲ୍ପଲାଇନ ପରିଚଳିତ ହୋଇଥାଏ। କଲ୍ କରିବାର କିଛି ସମୟ ପରେ କିସାନମିତ୍ରର କ୍ଷେତ୍ରୀୟ ସଂଯୋଜକ ଜେ. ନରସିମୁଲୁ ତାଙ୍କ ଘରକୁ ଆସିଥିଲେ। ‘‘ସେ (ନରସିମୁଲୁ) ମୋତେ ମୋ ସ୍ୱାମୀ, ପିଲାମାନେ ଓ ଆର୍ଥିକ ସମସ୍ୟା ବିଷୟରେ ପଚାରିଥିଲେ। ନିଜ ଦୁଃଖ ବିଷୟରେ ଅନ୍ୟକୁ କହିବା ଭଲ ଅନୁଭବ ଦେଇଥାଏ,’’ ପରମେଶ୍ୱରୀ କୁହନ୍ତି।
ରୋଜଗାର ଟିକିଏ ବଢ଼ାଇବା ପାଇଁ, ପରମେଶ୍ୱରୀ ଏକ ଗାଈ କିଣୁଛନ୍ତି। ‘‘ତାହା (ଗାଈ)ତାଙ୍କୁ ନିଃସଙ୍ଗ ଅନୁଭବ କରିବାକୁ ଦେବ ନାହିଁ।’’ ଗାଈ କିଣିବାକୁ ସେ ୧୦,୦୦୦ ଟଙ୍କା ଅଗ୍ରୀମ ଦେଇଛନ୍ତି। ‘‘ଗାଈ ଏବେ ସୁଦ୍ଧା ଘରକୁ ଆସିନାହିଁ, କିନ୍ତୁ ମୁଁ ତା’କୁ ଅପେକ୍ଷା କରି ରହିଛି,’’ ସେ ଆହୁରି କହିଥାନ୍ତି।
ଯଦି ଆପଣଙ୍କ ମନରେ ଆତ୍ମହତ୍ୟା କରିବାର ଚିନ୍ତା ଆସୁଛି କିମ୍ବା ଆପଣ ଏମିତି କୌଣସି ଲୋକକୁ ଜାଣନ୍ତି ଯିଏ ସଙ୍କଟରେ ପଡ଼ିଛନ୍ତି ତା’ହେଲେ ଦୟାକରି ଜାତୀୟ ହେଲ୍ପଲାଇନ ‘କିରଣ’କୁ ୧୮୦୦-୫୯୯-୦୦୧୯ (୨୪/୭ ଟୋଲ ଫ୍ରି) ନମ୍ବରରେ କିମ୍ବା ଏଥିମଧ୍ୟରୁ କୌଣସି ନିକଟସ୍ଥ ହେଲ୍ପଲାଇନ ନମ୍ବରକୁ କଲ୍ କରନ୍ତୁ । ମାନସିକ ସ୍ୱାସ୍ଥ୍ୟ ପେସାଦାରଙ୍କ ସହାୟତା ଓ ସେବା ପାଇଁ ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଦେଖନ୍ତୁ ।
ରଙ୍ଗ ଦେ ଠାରୁ ପ୍ରାପ୍ତ ଅନୁଦାନ ସହାୟତାରେ ଏହି କାହାଣୀ ପ୍ରସ୍ତୁତ ହୋଇଛି।
ଅନୁବାଦ : ଓଡ଼ିଶାଲାଇଭ୍