ମାତ୍ର ୨୨ ବର୍ଷ ବୟସର ଏବଂ ପୂର୍ବରୁ ହିଁ ତିନିରୁ ଚାରି ବର୍ଷ ହେଲା ସ୍ୱାସ୍ଥ୍ୟ ସମସ୍ୟାରେ ଅସ୍ତବ୍ୟସ୍ତ, ମୀନୁ ସର୍ଦ୍ଦାର ଯେତେବେଳେ ୨୦୨୧ ମସିହାର ସେହି ଗ୍ରୀଷ୍ମ ସକାଳରେ ପାଣି ଆଣିବାକୁ ବାହାରିଲେ, ସବୁଠାରୁ ଖରାପ ସ୍ଥିତି ଆସିବାକୁ ଥିଲା ବୋଲି କିଛି ବି ତାଙ୍କୁ ଚେତାବନୀ ଦେଇପାରି ନ ଥାନ୍ତା । ଦୟାପୁର ଗାଁରେ ଥିବା ପୋଖରୀକୁ ଯାଉଥିବା ପାହାଚ କିଛି ସ୍ଥାନରେ ଭାଙ୍ଗି ଯାଇଥିଲା । ମୀନୁଙ୍କ ପାଦ ଖସିଗଲା ଏବଂ ସେ ମୁହଁ ତଳକୁ କରି ତଳ ପାହାଚକୁ ଖସି ପଡ଼ିଲେ ।

ସେ ବଙ୍ଗଳାରେ କହିଲେ, ‘‘ମୋର ଛାତି ଓ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା । ମୋର ଯୋନିରୁ ରକ୍ତ ବୋହିବା ଆରମ୍ଭ କଲା । ଯେତେବେଳେ ମୁଁ ବାଥ୍‌ରୁମ ଗଲି, ସେତେବେଳେ ମୋଠା’ରୁ କିଛି ଖସିଗଲା ଏବଂ ଚଟାଣରେ ଖସିପଡ଼ିଲା । ମୁଁ ଦେଖିଲି ମୋ ଭିତରୁ ମାଂସ ଭଳି ପଦାର୍ଥ ବାହାରୁଛି । ମୁଁ ଏହାକୁ ବାହାର କରିବାକୁ ଚେଷ୍ଟା କଲି, କିନ୍ତୁ ମୁଁ ତାହା ସମ୍ପୂର୍ଣ୍ଣ ବାହାର କରିପାରିଲି ନାହିଁ।’’

ନିକଟସ୍ଥ ଗାଁରେ ଥିବା ଏକ ଘରୋଇ କ୍ଲିନିକ୍‌କୁ ଯିବାରୁ ଗର୍ଭପାତ ସମ୍ପର୍କରେ ନିଶ୍ଚିତ ହେଲି । ଡେଙ୍ଗା, ପତଳା ଓ ନିଜର ତମାମ୍‌ ଦୁଃଶ୍ଚିନ୍ତା ସହ ସ୍ମିତହାସ୍ୟ ଦେଉଥିବା ମୀନୁ ସେବେଠାରୁ ଅନିୟମିତ ମାସିକ ଋତୁଚକ୍ର, ତୀବ୍ର ଶାରିରୀକ ଯନ୍ତ୍ରଣା ଓ ଭାବନାତ୍ମକ ସଂକଟ ସହ ଥିଲେ ।

ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗୋସାବା ବ୍ଲକ୍‌ରେ ଥିବା ତାଙ୍କ ଗାଁର ଜନସଂଖ୍ୟା ପ୍ରାୟ ୫,୦୦୦ । ବିଶାଳ ଧାନ କ୍ଷେତ ଏବଂ ସୁନ୍ଦରବନର ହେନ୍ତାଳ ବଣ ଦ୍ୱା ରା ପରିବେଷ୍ଟିତ ଏହି ଗାଁ ଗୋସାବାର ସେହି କେତୋଟି ଗାଁ ମଧ୍ୟରୁ ଅନ୍ୟତମ ଯେଉଁଠାକୁ ରାସ୍ତା ସଂଯୋଗ ଅଛି ।

ପଡ଼ିଯିବା ପରେ ମୀନୁଙ୍କର ମାସେରୁ ଅଧିକ ସମୟ ଧରି ଅବିରତ ରକ୍ତସ୍ରାବ ହେଲା, ଏବଂ ସେଥିରେ ବି ତାଙ୍କର ଯନ୍ତ୍ରଣା ଶେଷ ହେଲା ନାହିଁ । ସେ କହନ୍ତି, ‘‘ଶାଶୀରିକ ସୋମ୍ପୋର୍କୋ ଏତୋ ବଥା କରେ[ଯୌନ ସମ୍ପର୍କ ଖୁବ୍‌ ଯନ୍ତ୍ରଣାଦାୟକ], ଏମିତି ଲାଗେ ଯେମିତି ମୁଁ ଚିରି ହୋଇଯାଉଛି । ଯେତେବେଳେ ମୁଁ ମଳତ୍ୟାଗ କରେ ଏବଂ ଚାପ ଦିଏ, ବା ଯେତେବେଳେ ଭାରୀ ଜିନିଷ ଉଠାଏ, ମୁଁ ଅନୁଭବ କରିପାରେ ଯେ ମୋର ଗର୍ଭାଶୟ ତଳକୁ ଚାଲିଆସେ।’’

Meenu Sardar was bleeding for over a month after a miscarriage
PHOTO • Ritayan Mukherjee

ଗର୍ଭପାତ ପରେ ମାସେରୁ ଅଧିକ ସମୟ ଧରି ମୀନୁ ସର୍ଦ୍ଦାରଙ୍କର ରକ୍ତସ୍ରାବ ହେଉଥିଲା

ପରିସ୍ଥିତି ଓ ସଂସ୍କାର ତାଙ୍କର ଦୁଃଖ ଆହୁରି ବଢ଼ାଇ ଦେଲା । ପଡ଼ିବା ପରେ ଯୋନିରୁ ରକ୍ତ ବୋହିବାରୁ, ମୀନୁ, ଯିଏ ଦଶମ ଶ୍ରେଣୀରୁ ଆଗକୁ ପଢ଼ିନଥିଲେ, ସେ ଦୟାପୁରରେ ଆଶା କର୍ମୀ(ମାନ୍ୟତା ପ୍ରାପ୍ତ ସାମାଜିକ ସ୍ୱା ସ୍ଥ୍ୟକର୍ମୀ)ଙ୍କ ସହ ପରାମର୍ଶ ନ କରିବାକୁ ନିଷ୍ପତ୍ତି ନେଲେ । ସେ କହନ୍ତି, ‘‘ତାଙ୍କୁ ଏକଥା ଜଣାପଡୁ ବୋଲି ମୁଁ ଚାହୁଁନଥିଲି, କାରଣ ମୋ ଗାଁରେ ଅନ୍ୟ ଲୋକଙ୍କୁ ମୋର ଗର୍ଭପାତ ବାବଦରେ ଜଣାପଡ଼ିଯାଇଥାନ୍ତା । ଏଥିସହ କ’ଣ କରିବାକୁ ହେବ ସେକଥା ତାଙ୍କୁ ଜଣାଥିବ ବୋଲି ମୋତେ ଲାଗୁନାହିଁ । ’’

ସେ ଓ ତାଙ୍କର ସ୍ୱାମୀ, ବାପା ସର୍ଦ୍ଦାର, ପିଲାଟିଏ ପାଇଁ ଯୋଜନା କରୁ ନ ଥିଲେ, କିନ୍ତୁ ମୀନୁ ଏହି ସମୟରେ କୌଣସି ଗର୍ଭନିରୋଧକ ବ୍ୟବହାର କରୁ ନ ଥିଲେ। ‘‘ମୁଁ ବାହାହେବା ବେଳେ କୌଣସି ପରିବାର ନିୟୋଜନ ଉପାୟ ସମ୍ପର୍କରେ ଜାଣିନଥିଲି । ଏ ବାବଦରେ ମୋତେ କେହି କହି ନ ଥିଲେ। ଗର୍ଭପାତ ହେବା ପରେ ଯାଇ ମୁଁ ସେ ବାବଦରେ ଜାଣିଲି।’’

ଦୟାପୁରରୁ ୧୨ କିଲୋମିଟର ଦୂରରେ ଥିବା ଗୋସାବା ଗ୍ରାମୀଣ ହସ୍ପିଟାଲରେ ନିଯୁକ୍ତ ଜଣେ ମାତ୍ର ମହିଳା ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ବାବଦରେ ମୀନୁ ଜାଣିଛନ୍ତି, କିନ୍ତୁ ସେ କେବେ ବି ଉପଲବ୍ଧ ନ ଥିଲେ। ତାଙ୍କ ଗାଁରେ ଦୁଇ ଜଣ ଗ୍ରାମାଞ୍ଚଳ ଡାକ୍ତରୀ ଚିକିତ୍ସକ (ଆର୍‌ଏମ୍‌ପି), ଅଣଲାଇସେନ୍ସପ୍ରାପ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅଛନ୍ତି ।

ଦୟାପୁରର ଆର୍‌ଏମ୍‌ପି ଦୁଇଜଣ ଉଭୟ ପୁରୁଷ ।

ସେ କହନ୍ତି, ‘‘ଜଣେ ପୁରୁଷଙ୍କୁ ମୋର ସମସ୍ୟା କହିବାରେ ମୁଁ ସହଜ ନ ଥିଲି। ଏଥିସହ ସେମାନଙ୍କର ଅଭିଜ୍ଞତା ବି ନାହିଁ। ’’

ମୀନୁ ଏବଂ ବାପ୍ପା ସେହି ଜିଲ୍ଲାର ଅନେକ ଘରୋଇ ଡାକ୍ତର ଏବଂ କୋଲକାତାରେ ଜଣେ ଡାକ୍ତରଙ୍କୁ ମଧ୍ୟ ପରାମର୍ଶ କରିଥିଲେ। ଏ ବାବଦରେ ସେମାନେ ୧୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ କିନ୍ତୁ କିଛି ଲାଭ ହେଲାନି । ଏହି ଦମ୍ପତିଙ୍କର ଆୟର ଏକମାତ୍ର ସୂତ୍ର ହେଲା ବାପ୍ପାଙ୍କର ୫,୦୦୦ ଟଙ୍କାର ଦରମା ଯାହାକୁ ସେ ଏକ ଛୋଟ ତେଜରାତି ଦୋକାନରେ କାମ କରି ଆୟ କରନ୍ତି । ଡାକ୍ତରୀ ପରାମର୍ଶ ପାଇଁ ସେ ବନ୍ଧୁଙ୍କଠାରୁ ଟଙ୍କା ଧାର ଆଣିଲେ ।

A number of women in the Sundarbans have had hysterectomy, travelling to hospitals 4-5 hours away for the surgery
PHOTO • Ritayan Mukherjee
A number of women in the Sundarbans have had hysterectomy, travelling to hospitals 4-5 hours away for the surgery
PHOTO • Ritayan Mukherjee

ସୁନ୍ଦରବନରେ ଅନେକ ମହିଳା ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଇଛନ୍ତି। ଏଥିଲାଗି ସେମାନେ ୪-୫ ଘଣ୍ଟା ଯାତ୍ରା କରି ହସ୍ପିଟାଲକୁ ଯାଇଛନ୍ତି

ଦୟାପୁରର ଜଣେ ହୋମିଓପାଥ୍‌ଙ୍କ ନିକଟରୁ ଆଣିଥିବା ବଟିକାର ଏକ କୋର୍ସ ଅନ୍ତତଃ ତାଙ୍କର ମାସିକ ଋତୁଚକ୍ରକୁ ସ୍ୱାଭାବିକ କରିଦେଲା । ମୀନୁ କହିଲେ ସେ ଏକମାତ୍ର ପୁରୁଷ ଡାକ୍ତର ଥିଲେ ଯାହାଙ୍କ ସହ ସେ ନିଜର ଗର୍ଭପାତ ସଂପର୍କରେ ଆଲୋଚନା କରିବାକୁ ସହଜ ମନେକଲେ । ନିରନ୍ତର ଯୋନିରୁ ହେଉଥିବା ସ୍ରାବ ଓ ତୀବ୍ର ଅସହଜପଣର ନିଦାନ ଲାଗି ସେ ତାଙ୍କ ପେଟର ଅଲ୍‌ଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଲେ । ତେବେ ମୀନୁ ଯଥେଷ୍ଟ ଟଙ୍କା ସଞ୍ଚୟ ନ କରିବା ଯାଏ ଅଲ୍‌ଟ୍ରାସାଉଣ୍ଡ ହୋଇପାରିବ ନାହିଁ ।

ସେ ପର୍ଯ୍ୟନ୍ତ, ସେ ଭାରି ଜିନିଷପତ୍ର ଉଠାଇ ପାରିବେ ନାହିଁ । ଏବଂ ତାଙ୍କୁ ବାରମ୍ବାର ବିଶ୍ରାମ ନେବାକୁ ପଡ଼ିବ ।

ସ୍ୱାସ୍ଥ୍ୟସେବା ପାଇବା ଲାଗି ମୀନୁଙ୍କର ଏଭଳି ବୁଲିବା ଏହି ଅଞ୍ଚଳରେ ଥିବା ଗାଁଗୁଡ଼ିକର ମହିଳାମାନଙ୍କ ମଧ୍ୟରେ ଏକ ସାଧାରଣ କାହାଣୀ । ଭାରତୀୟ ସୁନ୍ଦରବନରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର କାରଣ ସଂପର୍କରେ କରାଯାଇଥିବା ୨୦୧୬ର ଏକ ଗବେଷଣା ଅନୁସାରେ ଏଠାକାର ବାସିନ୍ଦାମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ବିକଳ୍ପ ନାହିଁ । ସରକାରୀ ଅନୁଦାନପ୍ରାପ୍ତ ସୁବିଧାର କିଛି ‘‘ଅସ୍ତିତ୍ୱ ନାହିଁ ବା ସେଗୁଡ଼ିକ କାର୍ଯ୍ୟକ୍ଷମ ନୁହେଁ’’, ଏବଂ ଯେଉଁ ଅଞ୍ଚଳରେ ସୁବିଧା ସବୁ ମିଳିପାରୁଛି ସେହି ସ୍ଥାନରେ ପହଞ୍ଚିବା ଏଠାକାର ଅବସ୍ଥିତି ଯୋଗୁ ହୁଏତ ସମ୍ଭବ ନୁହେଁ । ଆର୍‌ଏମ୍‌ପିମାନଙ୍କର ସାମାଜିକ ନେଟୱର୍କ ସମ୍ପର୍କରେ କରାଯାଇଥିବା ଏହି ଗବେଷଣାରେ ଦର୍ଶାଯାଇଛି, ଏହି ବ୍ୟବଧାନକୁ ଅନୌପଚାରିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ପୂରଣ କରୁଛନ୍ତି, ଯେଉଁମାନେ ‘‘ଜଳବାୟୁ ସଂକଟ ଭିତରେ ସାଧାରଣ ସମୟରେ ଏକମାତ୍ର ସାହାରା।’’

*****

ଏହା ମୀନୁଙ୍କର ପ୍ରଥମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନୁହେଁ । ୨୦୧୮ରେ ତାଙ୍କର ପୁରା ଶରୀର କୁଣ୍ଡେଇ ହେବା ସହ ଫଳିଯାଇଥିଲା । ତାଙ୍କର ବାହୁ, ଗୋଡ଼, ଛାତି ଓ ମୁହଁ ନାଲି ରଙ୍ଗର ଫୋଟକା ଦ୍ୱାରା ଆଚ୍ଛାଦିତ ହୋଇଯାଇଥିଲା। ତାଙ୍କର ବାହୁ ଓ ଗୋଡ଼ ଫୁଲିଥିବା ମୀନୁ ଅନୁଭବ କରିପାରିଥିଲେ। ଖରା ଯୋଗୁ ଆହୁରି କୁଣ୍ଡେଇ ହେଉଥିଲା। ଏହି ପରିବାର ଡାକ୍ତରଙ୍କର ପରାମର୍ଶ ଓ ଔଷଧରେ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କଲେ।

ସେ କହିଲେ, ‘ବର୍ଷକରୁ ଅଧିକ ସମୟ ହେଲା, ଏହା ମୋ’ ଜୀବନ ଥିଲା-କେବଳ ହସ୍ପିଟାଲକୁ ଯିବା ।’ ତେବେ ଆରୋଗ୍ୟ ସେତେ ଶୀଘ୍ର ହୋଇ ନ ଥିଲା, ତେଣୁ ଚର୍ମ ସମସ୍ୟା ପୁଣି ଥରେ ଦେଖା ଦେଇପାରେ ବୋଲି ତାଙ୍କ ମନରେ ନିରନ୍ତର ଭୟ ରହୁଥିଲା ।

The high salinity of water is one of the major causes of gynaecological problems in these low-lying islands in the Bay of Bengal
PHOTO • Ritayan Mukherjee

ବଙ୍ଗୋପସାଗରର ଏହି ସବୁ ତଳିଆ ଦ୍ୱୀପଗୁଡ଼ିକରେ ପାଣିରେ ଅଧିକ ଲବଣ ମାତ୍ରା ରହିବା ଏହି ସବୁ ଗାଁରେ ସ୍ତ୍ରୀ ରୋଗ ସମସ୍ୟାର ମୁଖ୍ୟ କାରଣ ବୋଲି କୁହାଯାଉଛି

ମୀନୁ ଯେଉଁଠାରେ ରହନ୍ତି, ସେଠାରୁ ୧୦ କିଲୋମିଟରରୁ ବି କମ୍‌ ଦୂରତାରେ ରଜତ ଜୁବିଲି ଗାଁରେ ରହୁଥିବା ୫୧ ବର୍ଷୀୟା ଆଲାପି ମଣ୍ଡଳ ଏକ ଏମିତି ହିଁ କାହାଣୀ ବୟାନ କଲେ। ‘‘ତିନି ବା ଚାରି ବର୍ଷ ପୂର୍ବରୁ, ମୋ ଶରୀରର ଚର୍ମ ସାରା ଜୋରରେ କୁଣ୍ଡେଇ ହେଲା, ବେଳେ ବେଳେ ଏତେ ତୀବ୍ର ହେଲା ଯେ ସେଥିରୁ ପୂଜ ବାହାରି ପଡୁଥିଲା। ମୁଁ ଆହୁରି ଅନେକ ମହିଳାଙ୍କୁ ଜାଣିଛି ଯେଉଁମାନେ ଏହି ସମସ୍ୟାର ସାମ୍ନା କରନ୍ତି। ଗୋଟିଏ ସମୟରେ ଆମ ଗାଁ ଓ ଆଖପାଖ ଗାଁରେ ସବୁ ପରିବାରରେ କେହି ନା କେହି ଥିଲେ ଯାହାଙ୍କର ଚର୍ମ ସଂକ୍ରମିତ ଥିଲା। ଡାକ୍ତର ମୋତେ କହିଲେ ଯେ ଏହା ଏକପ୍ରକାର ଭାଇରସ୍‌।’’

ଆଲାପି, ଯିଏ ଜଣେ ଧୀବର, ଏବେ ପ୍ରାୟ ଏକ ବର୍ଷ ହେଲା ଔଷଧ ସେବନ କରୁଥିବାରୁ ଭଲ ଅଛନ୍ତି । ସେ ସୋନାରପୁର ବ୍ଲକ୍‌ରେ ଥିବା ଏକ ଦାତବ୍ୟ ଘରୋଇ କ୍ଲିନିକ୍‌ରେ ପରାମର୍ଶ ପିଛା ମାତ୍ର ୨ ଟଙ୍କା ଦେଇ ଡାକ୍ତରଙ୍କୁ ଦେଖାଇବାରେ ସଫଳ ହୋଇଥିଲେ, କିନ୍ତୁ ଔଷଧ ଖୁବ୍‌ ବ୍ୟୟବହୁଳ ଥିଲା । ତାଙ୍କ ପରିବାର ଚିକିତ୍ସା ଲାଗି ୧୩,୦୦୦ ଟଙ୍କା ଖର୍ଚ୍ଚ କଲେ । କ୍ଲିନିକ୍‌କୁ ଯିବା ପାଇଁ ୪-୫ ଘଣ୍ଟା ଯାତ୍ରା କରିବାକୁ ହୁଏ । ତାଙ୍କ ଗାଁରେ ଗୋଟିଏ ଛୋଟ ସରକାରୀ କ୍ଲିନିକ୍‌ ଅଛି, କିନ୍ତୁ ସେତେବେଳେ ତାହା ଥିଲା ବୋଲି ସେ ଜାଣିନଥିଲେ ।

ସେ କହନ୍ତି, ‘‘ମୋର ଚର୍ମ ସମସ୍ୟା ଗୁରୁତର ହେବା ପରେ, ମୁଁ ମାଛ ଧରିବାକୁ ଯିବା ବନ୍ଦ କରିଦେଲି । ପୂର୍ବରୁ ସେ ନଦୀ ମୁହାଣକୁ ଯାଉଥିଲେ, ଘଣ୍ଟା ଘଣ୍ଟା ଧରି ବେକ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହୁଥିଲେ, ବାଘୁଣା ଚିଙ୍ଗୁଡ଼ି ଧରିବାକୁ ନିଜ ଜାଲ ଟାଣୁଥିଲେ । ସେ ଆଉ କାମରେ ଯୋଗ ଦେଲେନାହିଁ ।

ରଜତ ଜୁବିଲି ଗାଁରେ ଅନେକ ମହିଳା ଚର୍ମ ରୋଗର ଶିକାର ହୋଇଛନ୍ତି, ସେଥିଲାଗି ସେମାନେ ସୁନ୍ଦରବନର ଅତ୍ୟଧିକ ଲୁଣିଆ ପାଣିକୁ ଦାୟୀ କରନ୍ତି ।

PHOTO • Labani Jangi

ଏହା ମୀନୁଙ୍କର ପ୍ରଥମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା । ୨୦୧୮ରେ ତାଙ୍କର ପୁରା ଶରୀର କୁଣ୍ଡେଇ ହେବା ସହ ଫଳିଯାଇଥିଲା । ତାଙ୍କର ବାହୁ, ଗୋଡ଼, ଛାତି ଓ ମୁହଁ ନାଲି ରଙ୍ଗର ଫୋଟକା ଦ୍ୱାରା ଆଚ୍ଛାଦିତ ହୋଇଯାଇଥିଲା । ତାଙ୍କର ବାହୁ ଓ ଗୋଡ଼ ଫୁଲିଥିବା ମୀନୁ ଅନୁଭବ କରିପାରିଥିଲେ

ପଣ୍ଡ ଇକୋସିଷ୍ଟମସ୍ ଅଫ୍‌ ଦି ଇଣ୍ଡିଆନ୍‌ ସୁନ୍ଦରବନ୍‌ସ ଶୀର୍ଷକ ବହିରେ, ସ୍ଥାନୀୟ ଜୀବିକା ଉପରେ ପାଣିର ଗୁଣବତ୍ତାର ପ୍ରଭାବ ସମ୍ପର୍କରେ ଏକ ନିବନ୍ଧରେ, ଲେଖକ ସୌରଭ ଦାସ ଲେଖିଛନ୍ତି ଯେ ମହିଳାମାନେ ରୋଷେଇ, ଗାଧୋଇବା ଓ ସଫା କରିବା ପାଇଁ ଲୁଣିଆ ପୋଖରୀ ପାଣି ବ୍ୟବହାର କରିବା ଯୋଗୁଁ ଚର୍ମ ରୋଗର ଶିକାର ହୋଇଥାଆନ୍ତି । ଚିଙ୍ଗୁଡ଼ି ଚାଷ କରୁଥିବା ଚାଷୀମାନେ ଲୁଣିଆ ନଈ ପାଣିରେ ଦିନକୁ ୪-୬ ଘଣ୍ଟା ଧରି ଛିଡ଼ା ହୋଇଥାଆନ୍ତି । ସେ ଲେଖିଛନ୍ତି, ‘‘ଲୁଣି ପାଣିର ବ୍ୟବହାର ଯୋଗୁଁ ଏମାନେ ମଧ୍ୟ ପ୍ରଜନନ ପଥ ସଂକ୍ରମଣରେ ପୀଡ଼ିତ ହୋଇଥାଆନ୍ତି।’’

ଅଧ୍ୟୟନରେ ଦର୍ଶାଯାଇଛି ସୁନ୍ଦରବନର ପାଣି ଅସ୍ୱାଭାବିକ ଲୁଣିଆ ହେବା ପଛରେ ସମୁଦ୍ର ପତ୍ତନ ବୃଦ୍ଧି, ବାତ୍ୟା ଏବଂ ଝଡ଼ ସୃଷ୍ଟିହେବା ଭଳି - ଜଳବାୟୁ ପରିବର୍ତ୍ତନର ସମସ୍ତ କାରଣ ଦାୟୀ – ଏହାସହ ଚିଙ୍ଗୁଡ଼ି ଚାଷ ଏବଂ ହେନ୍ତାଳ ବନ କମିଯିବା ବି ଦାୟୀ । ପିଇବା ପାଣି ସହ ସବୁ ଜଳ ଉତ୍ସ ଲୁଣିଆ ପାଣିରେ ଦୂଷିତ ହେବା, ଏସିଆରେ ବଡ଼ ନଦୀ ଗୁଡ଼ିକର ତ୍ରିକୋଣଭୂମି ଅଞ୍ଚଳରେ ଏକ ସାଧାରଣ କଥା

କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡକ୍ଟର ଶ୍ୟାମୋଲ ଚକ୍ରବର୍ତ୍ତୀ ଯିଏକି ସୁନ୍ଦରବନ ଅଞ୍ଚଳରେ ଡାକ୍ତରୀ କ୍ୟାମ୍ପ୍‌ କରିଛନ୍ତି, ସେ କହନ୍ତି, ‘‘ସୁନ୍ଦରବନ ଅଞ୍ଚଳରେ ପାଣି ଅତ୍ୟଧିକ ଲୁଣିଆ ହେବା ସ୍ତ୍ରୀ ରୋଗ ସମସ୍ୟାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ, ଖାସ୍‌ କରି ପେଲ୍‌ଭିକ୍‌ ଇନ୍‌ଫ୍ଲାମେଟୋରୀ ରୋଗ ବୃଦ୍ଧି ହେବା ପଛରେ ଏହା ଅନ୍ୟତମ ମୁଖ୍ୟ କାରଣ’’ । ‘‘କିନ୍ତୁ ଲୁଣିଆ ପାଣି ଏକମାତ୍ର କାରଣ ନୁହେଁ । ସାମାଜିକ-ଅର୍ଥନୈତିକ ସ୍ଥିତି, ପରିବେଶ, ପ୍ଲାଷ୍ଟିକ୍‌ର ବ୍ୟବହାର, ସ୍ୱଚ୍ଛତା, ପୋଷଣ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବ୍ୟବସ୍ଥା ଏ ସବୁ ପ୍ରମୁଖ ଭୂମିକା ନିର୍ବାହ କରେ।’’

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସହାୟକ ସଂଗଠନ ଇଣ୍ଟରନ୍ୟୁଜ୍‌ର ବରିଷ୍ଠ ସ୍ୱାସ୍ଥ୍ୟ ମିଡିଆ ପରାମର୍ଶଦାତା ଡକ୍ଟର ଜୟା ଶ୍ରୀଧରଙ୍କ ଅନୁସାରେ, ଏହି ଅଞ୍ଚଳରେ ମହିଳାମାନେ, ବିଶେଷ କରି ଚିଙ୍ଗୁଡ଼ି ଚାଷୀମାନେ ଦିନକୁ ୪-୭ ଘଣ୍ଟା ଲୁଣିଆ ପାଣି ସଂସ୍ପର୍ଶରେ ଆସନ୍ତି । ସେମାନେ ନାଳ ଝାଡ଼ା, ପତଳା ଝାଡ଼ା, ଚର୍ମ ରୋଗ, ହୃଦ୍‌ ରୋଗ, ପେଟ ଯନ୍ତ୍ରଣା ଏବଂ ଗ୍ୟାଷ୍ଟ୍ରିକ୍‌ ଅଲ୍‌ସର ଭଳି ଅନେକ ପ୍ରକାରର ରୋଗ କବଳରେ ପଡ଼ନ୍ତି । ଲୁଣିଆ ପାଣି ମଧ୍ୟ ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ହାଇପରଟେନ୍‌ସନ ଭଳି ସମସ୍ୟା ଆଣିପାରେ ଯାହା ଗର୍ଭାବସ୍ଥାକୁ ପ୍ରଭାବିତ କରେ ଏବଂ ବେଳେବେଳେ ଗର୍ଭପାତର କାରଣ ହୁଏ ।

Saline water in sundarbans
PHOTO • Urvashi Sarkar
Sundarbans
PHOTO • Urvashi Sarkar

ସୁନ୍ଦରବନର ପାଣିରେ ଲୁଣର ଅତ୍ୟଧିକ ମାତ୍ରା ମହିଳାମାନଙ୍କ କ୍ଷେତ୍ରରେ ଚର୍ମ ରୋଗ ହେବାର ଆଶଙ୍କା ବୃଦ୍ଧି କରେ

*****

୨୦୧୦ର ଏକ ଅଧ୍ୟୟନ ଅନୁସାରେ, ସୁନ୍ଦରବନରେ ୧୫-୫୯ ବର୍ଷୀୟ ଲୋକଙ୍କ ମଧ୍ୟରେ, ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅସୁସ୍ଥତା ଅଧିକ ଥାଏ ।

ଦକ୍ଷିଣ ୨୪ ପ୍ରଗଣାର ଏକ ଏନ୍‌ଜିଓ, ସଦର୍ଣ୍ଣ ହେଲ୍‌ଥ ଇମ୍ପ୍ରୁଭମେଣ୍ଟ ସମିତି ଦ୍ୱାରା ସଂଚାଳିତ ଏକ ମୋବାଇଲ୍‌ ଚିକିତ୍ସା ଶାଖା ଯାହାକି ଗ୍ରାମୀଣ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇଥାଏ, ତା’ର ସଂଯୋଜକ ଅନୱରଉଲ୍‌ ଆଲାମ୍‌ କହିଲେ, ସେମାନଙ୍କର ଭ୍ରାମ୍ୟମାଣ ମେଡିକାଲ୍‌ ୟୁନିଟ୍‌ ସୁନ୍ଦରବନରେ ସପ୍ତାହକୁ ୪୦୦-୪୫୦ ରୋଗୀଙ୍କୁ ଦେଖେ। ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ହେଉଛନ୍ତି ମହିଳା, ଏମାନଙ୍କ ମଧ୍ୟରୁ ଅଧିକାଂଶ ଚର୍ମ ରୋଗ, ଲ୍ୟୁକୋରିଆ (ଯୋନିସ୍ରାବ), ରକ୍ତହୀନତା ଏବଂ ଆମେନୋରିଆ (ଋତୁସ୍ରାବ ନ ହେବା ବା ଅନିୟମିତ ଋତୁସ୍ରାବ)ରେ ପୀଡ଼ିତ ।

ଆଲମ୍‌ କହିଲେ ମହିଳା ରୋଗୀମାନେ ଅପପୁଷ୍ଟିର ଶିକାର । ସେ କହିଲେ, ‘‘ଅଧିକାଂଶ ଫଳ ଓ ପନିପରିବା ଦ୍ୱୀପକୁ ନୌକାରେ ଅଣାଯାଏ ଏବଂ ସେଠାରେ ଉତ୍ପାଦିତ ହୁଏ ନାହିଁ । ସମସ୍ତେ ଏହାକୁ କିଣିପାରିବେ ନାହିଁ । ଗ୍ରୀଷ୍ମ ଦିନରେ ବଢୁଥିବା ଗରମ ଓ ସ୍ୱଚ୍ଛ ପାଣିର ଅଭାବ ବି ରୋଗର ଏକ ପ୍ରମୁଖ କାରଣ।’’

ମୀନୁ ଏବଂ ଆଲାପୀ ଅଧିକାଂଶ ଦିନ ଭାତ, ଡାଲି, ଆଳୁ ଏବଂ ମାଛ ଖାଆନ୍ତି । ଯେହେତୁ ସେମାନେ ଉତ୍ପାଦନ କରନ୍ତି ନାହିଁ, ତେଣୁ ସେମାନେ ଅଳ୍ପ କେତେକ ଫଳ ଏବଂ ପନିପରିବା ଖାଆନ୍ତି । ମୀନୁଙ୍କ ପରି ଆଲାପୀଙ୍କର ମଧ୍ୟ ଅନେକ ରୋଗ ଅଛି ।

PHOTO • Labani Jangi

ଅଧ୍ୟୟନରେ ଦର୍ଶାଯାଇଛି ଯେ ସୁନ୍ଦରବନର ପାଣି ଅତ୍ୟଧିକ ଲୁଣିଆ ହେବା ପଛରେ ସମୁଦ୍ର ପତ୍ତନ ବୃଦ୍ଧି, ବାତ୍ୟା ଏବଂ ଝଡ଼ ସୃଷ୍ଟିହେବା ଭଳି - ଜଳବାୟୁ ପରିବର୍ତ୍ତନର ସମସ୍ତ କାରଣ ଦାୟୀ

ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ, ଆଲାପୀଙ୍କର ଅତ୍ୟଧିକ ରକ୍ତସ୍ରାବ ହେଲା । ସେ କହନ୍ତି, ‘‘ସୋନୋଗ୍ରାଫିରେ ଟ୍ୟୁମର ବାବଦରେ ଜଣାପଡ଼ିବା ପରେ ମୋତେ ମୋର ଜରାୟୁ [ଗର୍ଭାଶୟ] ବାହାର କରିବାକୁ ତିନିଥର ଅସ୍ତ୍ରୋପଚାର କରାଇବାକୁ ପଡ଼ିଲା । ମୋ ପରିବାର ୫୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବ।’’ ପ୍ରଥମ ଅସ୍ତ୍ରୋପଚାର ଏକ ଆପେଣ୍ଡିକ୍ସ ବାହାର କରିବାକୁ ଏବଂ ଅନ୍ୟ ଦୁଇଟି ଗର୍ଭାଶୟ ଉଚ୍ଛେଦନ ପାଇଁ ଥିଲା ।

ପଡ଼ୋଶୀ ବାସନ୍ତୀ ବ୍ଲକ୍‌ର ସୋନାଖଲୀ ଗାଁରେ ଥିବା ଘରୋଇ ହସ୍ପିଟାଲ ଯେଉଁଠାରେ ଆଲାପୀଙ୍କର ଗର୍ଭାଶୟ ଉଚ୍ଛେଦନ ଅସ୍ତ୍ରୋପଚାର କରାଯାଇଥିଲା ସେଠାକୁ ଯାତ୍ରା ଖୁବ୍‌ ଦୀର୍ଘ ଥିଲା । ରଜତ ଜୁବଲିରୁ ଗୋସାବାର ଫେରି ଘାଟ ଯାଏଁ ତାଙ୍କୁ ଏକ ନୌକାରେ ଯିବାକୁ ହେଉଥିଲା, ଗଡଖାଲୀ ଗାଁରେ ଥିବା ଫେରୀଘାଟ ଯାଏଁ ଆଉ ଏକ ନୌକାରେ ଏବଂ ସେଠାରୁ ସୋନାଖାଲି ଯାଏଁ ବସ୍‌ ବା ଭଡ଼ା ଭ୍ୟାନ୍‌ରେ ଅନ୍ୟମାନଙ୍କ ସହ ବସି ଯିବାକୁ ହେଉଥିଲା – ଏହି ଯାତ୍ରା ଗୋଟିଏ ପଟେ ୨-୩ ଘଣ୍ଟା ସମୟ ଲାଗୁଥିଲା ।

ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଆଲାପୀ ରଜତ ଜୁବଲି ଗାଁର ଅନ୍ୟ ଚାରି ବା ପାଞ୍ଚ ଜଣ ମହିଳାଙ୍କୁ ଜାଣିଛନ୍ତି ଯେଉଁମାନଙ୍କର ସମ୍ପୂର୍ଣ୍ଣ ଗର୍ଭାଶୟ ଅପସାରଣ ହୋଇଛି ।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାସନ୍ତୀ ମଣ୍ଡଳ, ଜଣେ ୪୦ ବର୍ଷୀୟ ଧୀବର ମହିଳା। ତିନି ପିଲାଙ୍କର ମା’ ବାସନ୍ତୀ କହନ୍ତି, ‘‘ମୋ ଗର୍ଭାଶୟରେ ଏକ ଟ୍ୟୁମର ଥିବା ଡାକ୍ତର ମୋତେ କହିଲେ । ପୂର୍ବରୁ ମାଛ ଧରିବାକୁ ଯିବା ପାଇଁ ମୋର ବହୁତ ଶକ୍ତି ଥିଲା । ମୁଁ କଠିନ ପରିଶ୍ରମ କରିପାରୁଥିଲି । କିନ୍ତୁ ମୋର ଗର୍ଭାଶୟ ଅପସାରଣ କରାଯିବା ପରେ ମୁଁ ଆଉ ପୂର୍ବଭଳି ଶକ୍ତିଶାଳୀ ଅନୁଭବ କରୁନାହିଁ ।’’ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଇବା ପାଇଁ ସେ ୪୦,୦୦୦ ଟଙ୍କା ଦେଲେ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ -୪ (୨୦୧୫-୧୬) ଅନୁସାରେ ପଶ୍ଚିମବଙ୍ଗର ଗ୍ରାମୀଣ ଅଞ୍ଚଳରେ ୧୫ରୁ ୪୯ ବର୍ଷ ମଧ୍ୟରେ ୨.୧ ପ୍ରତିଶତ ମହିଳା ହିଷ୍ଟେରେକ୍ଟୋମିଜ୍ ବା ଜରାୟୁ ଅସ୍ତ୍ରୋପଚାର କରି ଅପସାରଣ କରାଇଥିଲେ – ଏହା ପଶ୍ଚିମବଙ୍ଗର ସହରାଞ୍ଚଳ ହାର ୧.୯ ପ୍ରତିଶତଠାରୁ କିଛି ମାତ୍ରାରେ ଅଧିକ । (ସର୍ବ ଭାରତୀୟ ହାର ଥିଲା ୩.୨ ପ୍ରତିଶତ)

For women in the Sundarbans, their multiple health problems are compounded by the difficulties in accessing healthcare
PHOTO • Urvashi Sarkar

ସୁନ୍ଦରବନର ମହିଳାଙ୍କ ପାଇଁ ସେମାନଙ୍କର ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ସ୍ୱାସ୍ଥ୍ୟସେବା ପାଇବାରେ ସମସ୍ୟା କାରଣରୁ ବହୁଗୁଣିତ ହୋଇଯାଏ

ବଙ୍ଗଳା ଦୈନିକ ସମ୍ବାଦପତ୍ର ଆନନ୍ଦବଜାର ପତ୍ରିକାରେ ଗତ ବର୍ଷ ସେପ୍ଟେମ୍ବରରେ ପ୍ରକାଶିତ ଏକ ଲେଖାରେ ସାମ୍ବାଦିକା ସ୍ୱାତୀ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ଯେ ସୁନ୍ଦରବନରେ ୨୬-୩୬ ବର୍ଷର ମହିଳାମାନେ ମଧ୍ୟ ଯୋନି ସଂକ୍ରମଣ, ଅତ୍ୟଧିକ ବା ଅନିୟମିତ ରକ୍ତସ୍ରାବ, ଯନ୍ତ୍ରଣାଦାୟକ ଯୌନ ସମ୍ପର୍କ ବା ପେଲ୍‌ଭିକ୍‌ ଇନ୍‌ଫ୍ଲାମେସନ୍‌ ଯୋଗୁଁ ସେମାନଙ୍କର ଗର୍ଭାଶୟ ଉଚ୍ଛେଦ କରିବାକୁ ଅସ୍ତ୍ରୋପଚାର କରାଇଛନ୍ତି ।

ଅଣତାଲିମପ୍ରାପ୍ତ ଚିକିତ୍ସକମାନେ ଏହି ମହିଳାଙ୍କୁ ଗର୍ଭାଶୟ ଟ୍ୟୁମର ହୋଇଥିବାର ଭୟ ଦେଖାନ୍ତି ଏବଂ ପରେ ଏକ ଘରୋଇ ହସ୍ପିଟାଲରେ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାନ୍ତି। ଭଟ୍ଟାଚାର୍ଯ୍ୟଙ୍କ ଅନୁସାରେ, ଲାଭଖୋର ଘରୋଇ କ୍ଲିନିକ୍‌ଗୁଡ଼ିକ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ସାଥୀ ବୀମା ଯୋଜନାର ଲାଭ ଉଠାନ୍ତି ଯାହା ହିତାଧିକାରୀଙ୍କ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରେ ।

ମୀନୁ, ଆଲାପୀ, ବାସନ୍ତୀ ଏବଂ ସୁନ୍ଦରବନର ଅନ୍ୟ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ, ଯୌନ ଏବଂ ପ୍ରଜନନ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସ୍ୱାସ୍ଥ୍ୟ ସେବା ପାଇବାରେ ସମସ୍ୟା ଯୋଗୁଁ ବହୁଗୁଣିତ ହୋଇଯାଏ ।

ବାସନ୍ତୀ ତାଙ୍କର ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଇବା ପାଇଁ ଗୋସାବା ବ୍ଲକ୍‌ରେ ଥିବା ତାଙ୍କ ଘରୁ ୫ ଘଣ୍ଟା ଯାତ୍ରା କରିଥିଲେ । ସେ ପଚାରନ୍ତି, ‘‘ସରକାର କାହିଁକି ଅଧିକ ହସ୍ପିଟାଲ ଓ ନର୍ସିଂହୋମ୍‌ ଖୋଲୁନାହାନ୍ତି ? କିମ୍ବା ଅଧିକ ସ୍ତ୍ରୀରୋଗ ବିଶେଷଜ୍ଞଙ୍କୁ ରଖୁନାହାନ୍ତି ? ଯଦିଓ ଆମେ ଗରିବ, ଆମେ ମରିବାକୁ ଚାହୁଁନାହୁଁ ।’’

ସେମାନଙ୍କର ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ମୀନୁ ଏବଂ ବାପ୍ପା ସର୍ଦ୍ଦାରଙ୍କ ନାମ ଏବଂ ଠିକଣାକୁ ବଦଳାଇ ଦିଆଯାଇଛି ।

ଗ୍ରାମାଞ୍ଚଳର କିଶୋରୀ ଏବଂ ଯୁବତୀମାନଙ୍କ ଉପରେ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଲୋକଙ୍କ ସ୍ୱର ଏବଂ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସମର୍ଥିତ ଅଭିଯାନର ଏକ ଅଂଶ ।

ଏହି ଲେଖାକୁ ପୁନଃପ୍ରକାଶିତ କରିବାକୁ ଚାହୁଁଛନ୍ତି ? ଦୟାକରି  zahra@ruralindiaonline.org ଏବଂ namita@ruralindiaonline.orgକୁ  ଲେଖନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Urvashi Sarkar
urvashisarkar@gmail.com

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar
Illustrations : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Photographs : Ritayan Mukherjee

Ritayan Mukherjee is a Kolkata-based photographer and a PARI Senior Fellow. He is working on a long-term project that documents the lives of pastoral and nomadic communities in India.

Other stories by Ritayan Mukherjee
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE