“ଏ ଜଗତରେ ଦରିଦ୍ର୍ୟଠାରୁ ବଳି ବଡ ଦୁଃଖ ଆଉ କିଛି ନାହିଁ,” ବୋଲି ମେହେତ୍ର ରାମ୍ ଟଣ୍ଡନ, ୧୬ଶ ଶତାବ୍ଦୀର କବି-ସନ୍ଥ ତୁଳସୀଦାସଙ୍କ କବିତାର ଉଦ୍ଧୃତିର ଅବତାରଣା କରି କୁହନ୍ତି । ଛତିଶଗଡର ରାୟଗଡ ଜିଲ୍ଲାର ଚେରୁଲା ଗ୍ରାମର ମେହେତର୍ ରାମ ହେଉଛନ୍ତି ଜଣେ ରାମନାମୀ, ବାସ୍ତବରେ ଚମାର ଜାତି ଅନ୍ତର୍ଭୁକ୍ତ ଏକ ଦଳ, ଯିଏ ଜାତି ପ୍ରଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ରାମଙ୍କୁ ଅନୁସରଣ କରିବା ପୂର୍ବକ ଭକ୍ତିର ଏକ ମାର୍ଗ ଆପଣେଇଛନ୍ତି ।
“ଆମେ ରାମ ନାମକୁ ଆମର ସାଙ୍ଗିଆରେ ବ୍ୟବହାର କରୁ, କନ୍ତୁ ଆମର ଅନ୍ୟ ସାଙ୍ଗିଆ ମଧ୍ୟ ରହିଛି । ଆପଣ ଆମମାନଙ୍କ ମଧ୍ୟରେ ଶର୍ମା, ବାନେର୍ଜୀ, ସିଂ, ପଟେଲ୍ ଓ ଅନ୍ୟମାନଙ୍କୁ ମଧ୍ୟ ପାଇପାରିବେ,” ବୋଲି ବିଳାସପୁର ଜିଲ୍ଲାର ଚାପୋରା ଗ୍ରାମର ଚନ୍ଦୁ ରାମ କୁହନ୍ତି । “ଆମେମାନେ ଚମାର ହୋଇଥିଲେ ମଧ୍ୟ ଆମ ସହିତ ଶ୍ରେଷ୍ଠୀ, ବୈଶ୍ୟ ଓ ବଣିକ ସମ୍ପ୍ରଦାୟର ଲୋକମାନେ ଅଛନ୍ତି । ଆମେ ସମସ୍ତେ ଏହି ମଧ୍ୟରୁ ଜଣେ ।’’
ଏହି ଧାର୍ମିକ ସମ୍ପ୍ରଦାୟର ଅନୁଗାମୀମାନେ ମୁଖ୍ୟତଃ ରାୟଗଡରେ ମହାନଦୀ ପାର୍ଶ୍ୱରେ ଥିବା ଗ୍ରୀମଗୁଡିକରେ, ଜାଞ୍ଜଗିର୍ – ଚମ୍ପା, ବିଳାସପୁରରେ ବସବାସ କରନ୍ତି ଓ କିଛି ଅନ୍ୟ ଜିଲ୍ଲାରେ ରୁହନ୍ତି ; କିଛି ଓଡିଶା ଓ ମହାରାଷ୍ଟ୍ରର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ମଧ୍ୟ ରୁହନ୍ତି । (ମୁଁ ଏଠାରେ ଏପ୍ରିଲ୍ ୨୦୧୫ ରୁ ଅଗଷ୍ଟ ୨୦୧୭ ମଧ୍ୟରେ ଛତିଶଗଡ ଯାଇଥିବା ବେଳେ ଉଠେଇଥିବା ବିଭିନ୍ନ ଫଟୋଗ୍ରାଫ୍ଗୁଡିକ ଏଠାରେ ପ୍ରଦର୍ଶିତ କରିଛି ।)
ସରକାରୀ ରେକର୍ଡରେ ରାମନାମୀମାନଙ୍କୁ ହିନ୍ଦୁ ତାଲିକାଭୁକ୍ତ କରାଯାଇଛି, ଏଣୁ ଏମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ସଠିକ୍ ଭାବେ ଆକଳନ କରାଯିବା କଷ୍ଟକର ଅଟେ କିନ୍ତୁ ବୟସ୍କମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ରାମନାମୀମାନଙ୍କ ଜନସଂଖ୍ୟା ବର୍ତ୍ତମାନ ୨୦,୦୦୦ରୁ ଅଧିକ ହେବ ନାହିଁ, ଯାହା ସେମାନେ ଡିସେମ୍ବର – ଜାନୁୟାରୀ ମାସରେ ଅନୁଷ୍ଠିତ ହେଉଥିବା ବାର୍ଷିକ ଭଜନ ମେଳାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି, ଉଭୟ ପୁରୁଷ ଓ ମହିଳାଙ୍କ ଆଧାରରେ ସାଧାରଣତଃ କହିଥାନ୍ତି ।
ବାସ୍ତବରେ, ରାମନାମୀମାନେ ହେଉଛନ୍ତି ସେହି ସମ୍ପ୍ରଦାୟର ଲୋକ ଯେଉଁମାନଙ୍କ ସ୍ଥାନ ହିନ୍ଦୁମାନଙ୍କ ମଧ୍ୟରେ ଜାତି ଓ ବୃତ୍ତିର ନିଶୁଣିରେ ସବୁଠାରୁ ତଳେ ସ୍ଥାନିତ କରାଯାଇଛି । ହାୱାଇ ବିଶ୍ୱବିଦ୍ୟାଳୟ, ମାନୋଆଠାରେ ଧର୍ମ ବିଭାଗର ସହାୟକ ପ୍ରଧ୍ୟାପକ ଭାବେ କାର୍ଯ୍ୟରତ ରାମଦାସ ଲାମ୍ବ, ତାଙ୍କ ବହି ରାପ୍ଟ ଇନ୍ ଦ ନେମ୍ : ଦି ରାମନାମୀସ୍, ରାମନାମ ଓ ଅନ୍ଟଚେବଲ୍ ରିଲିଜନ୍ ଇନ୍ ସେଣ୍ଟ୍ରାଲ୍ ଇଣ୍ଡିଆ (୨୦୧୨; ପର୍ଯ୍ୟାୟ ସମ୍ପାଦକ, ୱେଣ୍ଡି ଡୋନିଜର୍)ରେ କହିଛନ୍ତି ଯେ ୧୮୨୦ ରେ ଚମାରମାନଙ୍କ ଏକ ଦଳ (ପରବର୍ତ୍ତୀ ସମୟରେ ଦଳିତ ବର୍ଗ ଅନ୍ତର୍ଭୁକ୍ତ ହୋଇଛନ୍ତି), ଯେଉଁମାନେ ରାମନାମୀ ପାଲଟିଗଲେ, ସେମାନେ ମୃତ ପଶୁଗୁଡିକର ମୃତ ଦେହ ପୋତିବା ଓ ସେମାନଙ୍କ ଚର୍ମ ଓ ଚମଡା ସହିତ କାମ କରିବା ପରି ଜାତିଗତ ବୃତ୍ତି ପ୍ରତ୍ୟାଖାନ କରିଦେଲେ ଓ ଚାଷକାମ, କୁମ୍ଭାର କାମ ଓ ଧାତୁକାମ ଆଦି କରିବାକୁ ଆରମ୍ଭ କଲେ ।
ଯଦିଓ ଏହି ଧାର୍ମିକ ସମ୍ପ୍ରଦାୟ ସୃଷ୍ଟି ହୋଇ ୧୦୦ ବର୍ଷରୁ ଅଧିକ ସମୟ ହୋଇନାହିଁ, ଲାମ୍ବ ଲେଖିଛନ୍ତି ଯେ, ରାମନାମୀ ହେଉଛି ୧୫ଶ ଶତାବ୍ଦୀର ରହସ୍ୟବାଦୀ କବି – ସନ୍ଥ କବୀରଙ୍କ ଭକ୍ତି ପରମ୍ପରାର ଅବିଚ୍ଛିନ୍ନ ଅଂଶ, ଭକ୍ତିର ଏକ ନାମ - କୈନ୍ଦ୍ରୀକ ଧାରଣା ଯହା ସାମାଜିକ ସ୍ତର ଓ ଜାତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଟେ ।
ପରଶୁରାମ, ଜଣେ ଚମାର, ସେ ସର୍ବପ୍ରଥମେ ତାଙ୍କ କପାଳରେ ଚିତା କୁଟେଇ ଏକକ ‘ରାମ’ ନାମ ଲେଖିଥିବା ବିଶ୍ୱାସ କରାଯାଏ । ସେ ୧୮୭୦ ରେ ଛାର୍ପୋରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା କୁହାଯାଏ, ଯଦିଓ ଏହାର କୌଣସି ଲିଖିତ ପ୍ରମାଣ ଉପଲବ୍ଧ ନାହିଁ, ତେବେ ବୟସ୍କ ରାମନାମୀମାନଙ୍କ ବିବରଣରୁ ଏହାର ସୂଚନା ମିଳିପାରିଛି । “ଆମେମାନେ କୌଣସି ଭଗବାନଙ୍କ ବାର୍ତ୍ତା ଗ୍ରହଣ କରିନାହୁଁ, ବରଂ ଜଣେ ସାଧାରଣ ମଣିଷ,’’ ରାୟପୁର ଜିଲ୍ଲାର ଅର୍ଜୁନି ଗ୍ରାମର ସାଧୁ ରାମଙ୍କଠାରୁ ଗ୍ରହଣ କରିଛୁ ବୋଲି ତାଙ୍କର ବିଖ୍ୟାତ ନେତା କୁହନ୍ତି ।
ରାମନାମୀମାନଙ୍କୁ ଯାହା ସେମାନେ ଯେଉଁ ଅନୁସୂଚିତ ଜାତିର ଦଳ ମଧ୍ୟରେ ରୁହନ୍ତି, ସେମାନଙ୍କଠାରୁ ଅଲଗା କରିଥାଏ, ତାହା ହେଉଛି ସେମାନଙ୍କ ବାହ୍ୟରୂପ। ସେମାନଙ୍କ ଶରୀର ସାରା ଚିତା କୁଟାଇ ‘ରାମ’ ଶବ୍ଦ ଲେଖାଯାଇଛି (ଗୋଣ୍ଡି ଭାଷାରେ ଏହି ପ୍ରଥାକୁ ଅଙ୍କିତ କର୍ଣ୍ଣ କୁହାଯାଏ), ସେମାନେ ରାମ ନାମ ମୁଦ୍ରିତ ହୋଇଥିବା ଏକ ସାଲ୍ ପିନ୍ଧିଥାନ୍ତି ଓ ମୟୁର ପରରୁ ତିଆରି ଏକ ପଗଡି ଧାରଣ କରିଥାନ୍ତି । “ଆମ ମସସ୍ତଙ୍କ ଶରୀରରେ ରାମ ନାମ ଚିତା କୁଟାଯାଇଛି” ବୋଲି ରାୟଗଡ ଜିଲ୍ଲା ଅନ୍ତର୍ଗତ ଆଣ୍ଡ୍ରିପାଣି ଗ୍ରାମର ପିତାମ୍ବର ରାମ କୁହନ୍ତି । ‘‘ତେଣୁ ଆପଣ ଦେଖୁଛନ୍ତି, ଆମେ ରାମାୟଣ’’। ଓ ତାଙ୍କ ଶରୀରରେ ଚିତା କୁଟାଯାଇ ଲେଖାଯାଇଥିବା ରାମ ନାମ, ସ୍ୱୟଂ ଭଗବାନ କରିଛନ୍ତି ବୋଲି ସେମାନଙ୍କ ବିଶ୍ୱାସ ।
ମୁଁ ଯେଉଁ ରାମନାମୀଙ୍କ ସହିତ କଥା ହୋଇଥିଲେ, ସେ କୁହନ୍ତି ଯେ ସେମାନେ ଜାତି, ଶ୍ରେଣୀ ଓ ଲିଙ୍ଗଗତ ଅସମାନତା ମୁକ୍ତ ଏକ ସମ୍ପ୍ରଦାୟ ଗଢିବାକୁ ଚେଷ୍ଟା କରିଥିଲେ । ପରଶୁରାମ କାହାକୁ ନିଜର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିନଥିଲେ ଓ ଏହି ଧାର୍ମିକ ସମ୍ପ୍ରଦାୟ ଏକ ନିର୍ବାଚିତ କୋର୍ କମିଟି ଦ୍ୱାରା ପରିଚାଳିତ ହୋଇଥାଏ ଯେଉଁଥିରେ ଉଭୟ ମହିଳା ଓ ପୁରୁଷ ଅଛନ୍ତି ।
ସେମାନେ ଯେଉଁମାନେ ନିଜର ସମଗ୍ର ଶରୀରରେ ଚିତା କୁଟେଇଥାନ୍ତି- ସେମାନଙ୍କୁ ପୂର୍ଣ୍ଣନାକ୍ଷିକ କୁହାଯାଏ – ବର୍ତ୍ତମାନ ସେମାନଙ୍କ ବୟସ ପ୍ରାୟ ୭୦ ବର୍ଷ ଉପରେ ହେଲାଣି । ସେମାନଙ୍କ ସନ୍ତାନମାନେ ୧୯୭୦ର ମଧ୍ୟ ଭାଗରେ ଶିକ୍ଷିତ ହେବା ଆରମ୍ଭ କଲେ ଓ ସହରରେ ଚାକିରି କଲେ । କାଳେ କିଏ ସେମାନଙ୍କୁ ଉପହାସ କରିବ, ସେମାନଙ୍କ ଉପରେ ‘ଦଳିତ‘ ଛାପ ଲାଗିଯିବ ଓ ସେମାନଙ୍କୁ କାମ କରିବାକୁ ଦିଆଯିବ ନାହିଁ, ସେହି ଭୟରେ ସେମାନେ ନିଜ ଶରୀରରେ ଆଉ ଖୋଦେଇ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

ରାୟଗଡ ଜିଲ୍ଲା ଅନ୍ତର୍ଗତ ଚୁରେଲା ଗ୍ରାମର ମେହେତ୍ର ରାମ ଟଣ୍ଡନ, ଜଣେ ତାମ୍ରକାର ଥିଲେ, ଯିଏ ବର୍ତ୍ତମାନ ତାଙ୍କର ଅଧିକାଂଶ ସମୟ ନିଜ ନାତି ସହିତ ବିତାଉଛନ୍ତି । ଏଠାରେ, ସେ ଉଡ୍କାକନ୍ ଗ୍ରାମରେ ଏକ ଭଜନ ଗୃହ ବା ପ୍ରାର୍ଥନା କକ୍ଷ ବାହାରେ ଠିଆ ହୋଇଛନ୍ତି । ଭିତରେ, ତୁଳସୀଦାସ’ଙ୍କ ରାମଚରିତମାନସ ଭଗବାନଙ୍କୁ ରଖାଯିବା ସ୍ଥାନରେ ରଖାଯାଇଛି ।

ଚାପୋରା ଗ୍ରାମର ପ୍ରିୟା ରାମ ହେଉଛନ୍ତି ରାମନାମୀ ସମାଜର କୋର୍ କାଉନ୍ସିଲ୍ର ଜଣେ ସଦସ୍ୟ; ସେମାନେ କରୁଥିବା ବିଭିନ୍ନ କାମ ମଧ୍ୟରେ ରହିଛି ନିଃସ୍ୱମାନଙ୍କ ଯତ୍ନ ନେବା, ସରକାରୀ ସହାୟତା ପାଇଁ ଲବି କରିବା ଓ ବିଦ୍ୟାଳୟ ଖୋଲିବା ଆଦି । ଏଥିପାଇଁ ପାଣ୍ଠି ଦାନ ଓ ସରକାରୀ ଅନୁଦାନରୁ ପ୍ରାପ୍ତ ହୋଇଥାଏ ।

କୋଡବା ଗ୍ରାମର ପଣ୍ଡିତ ରାମ ଦାସ, ୯୦, କେବେ ମଧ୍ୟ ବିଦ୍ୟାଳୟ ଯାଇନାହାନ୍ତି, କିନ୍ତୁ ସେ ଚାରିଟି ଭାଷାରେ ଲେଖିପାରନ୍ତି ବୋଲି କୁହନ୍ତି । ସେ ରାମମଣୀଙ୍କ ପବିତ୍ର ଗ୍ରନ୍ଥ ତୁଳସୀଦାସଙ୍କ ରାମଚରିତମାନସର କିଛି ଅଂଶ, ଯେଉଁଠାରେ ଶ୍ରେଣୀ ଓ ଲିଂଗଗତ ଅସମାନତା ବିଷୟରେ କୁହାଯାଇଛି, ସେସବୁକୁ ପୁଣିଥରେ ଲେଖିଛନ୍ତି ।

ଜାଞ୍ଜଗିର୍ – ଚମ୍ପା ଜିଲ୍ଲାର ଖପରାଡିହ ଗ୍ରାମର ତୀର୍ଥ ରାମ, ମହାବିଦ୍ୟାଳୟରେ ପାଠ ପଢିଛନ୍ତି ଓ ଅନେକ ବର୍ଷ ପର୍ଯ୍ୟନ୍ତ ସମାଜର କାଉନ୍ସିଲ୍ର ନିର୍ଦ୍ଦେଶକ ବା ଡାଇରେକ୍ଟର୍ ପଦରେ ରହିଛନ୍ତି ।

ଡିସେମ୍ବର – ଜାନୁୟାରୀ ମାସରେ ଫସଲ ଅମଳ ସମୟ ଶେଷରେ ରାମନାମୀମାନେ ରାୟପୁର ଜିଲ୍ଲାର ସର୍ସିୱା ଗ୍ରାମରେ ଅନୁଷ୍ଠିତ ହେଉଥିବା ତିନି ଦିନିଆ ଭଜନ ମେଳାରେ ଏକାଠି ହୋଇଥାନ୍ତି । ସେମାନେ ଏକ ଅଜୟସ୍ତମ୍ଭ ସ୍ଥାପନ କରନ୍ତି (ରାମ ନାମ ଖୋଦେଇ ହୋଇଥିବା ଧଳା ରଙ୍ଗର ଏକ ସ୍ତମ୍ଭ), ରାମଚରିତମାନସର ମନ୍ତ୍ରସବୁ ଦିନସାରା ଉଚ୍ଚାରଣ କରିଥାନ୍ତି, ଏବଂ ବହି ପ୍ରତି ସେମାନଙ୍କ ସମ୍ମାନବୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ସେଠାକୁ ଆସନ୍ତି ।

ଅୱଧ ରାମଙ୍କ ଏକମାତ୍ର ପୁତ୍ର ଶିକ୍ଷକ ଭାବେ ନିଯୁକ୍ତି ପାଇବାପରେ, ସେ ରାୟଗଡ ଜିଲ୍ଲାର ଚୁରେଲା ଗ୍ରାମରେ ଥିବା ତାଙ୍କ ଘରକୁ ଏକ ଅନୌପଚାରିକ ବିଦ୍ୟାଳୟରେ ପରିଣତ କରିଦେଲେ ଓ ସେ କମାର ଭାବେ ଯେଉଁ କର୍ମଶାଳାରେ କାମ କରୁଥିଲେ ସେଠାରେ ଯାଇ ରହିଲେ।

ମୁକ୍ତି ରାମ, ଜଣେ ବିଧବା ମହିଳା ଯିଏ ବିଲାଗଡ ନିକଟରେ ଅବସ୍ଥିତ ଏକ ଛୋଟ ଗ୍ରାମ, ନୱାର୍ଣ୍ଣାରେ ରୁହନ୍ତି, ସେ ଜଣେ ଗୃହିଣୀ, ତାଙ୍କର ପୁତ୍ର ହେଉଛନ୍ତି କୃଷକ ।

ରାୟପୁର ଜିଲ୍ଲାର ଅର୍ଜୁନୀ ଗ୍ରାମର ସାଧୁ ରାମ, ଛଅ ବର୍ଷ ବୟସରେ ସମ୍ପୂର୍ଣ୍ଣ ଭାବେ ଅନ୍ଧ ହୋଇଯାଇଥିଲେ। ସେ ହେଉଛନ୍ତି ଜମେ ପୂର୍ଣ୍ଣନାକ୍ଷିକ ବା ରାମନାମୀ, ଯାହାର ସମ୍ପୂର୍ଣ୍ଣ ଶରୀରରେ ଚିତା କୁଟାଯାଇଛି ଓ ସେ କୁହନ୍ତି ଯେ ଏହି ସମାଜ ଜୀବନ ସାରା ତାଙ୍କର ଯତ୍ନ ନେଇଛି ।

ଭାତଗାଁ-ଚମ୍ପା ରାସ୍ତାରେ ଅବସ୍ଥିତ ଗୋର୍ବା ଗ୍ରାମର ପୁନିଆ ବାଇ ରାମ, ୯୦, ହେଉଛନ୍ତି ସବୁଠାରୁ ବୟସ୍କ ପୂର୍ଣ୍ଣନାକ୍ଷିକ । ସେ କୁହନ୍ତି ତାଙ୍କର ସ୍ୱାମୀ, ଯିଏ ୨୦ ବର୍ଷ ପୂର୍ବେ ମରିଯାଇଛନ୍ତି, ସେ ନିଜ ଶରୀରରେ ୧,୦୦୦ଥର ‘ରାମ’ ଶବ୍ଦ ଚିତା କୁଟାଇଥିଲେ ।

ରାମଚରିତମାନସର ଚୌପାଇ (ଚାରି ଧାଡି ଥିବା ପଦ୍ୟାଂଶ) ଗାଇବା ବେଳେ, ମହିଳାମାନେ ପ୍ରଥମେ ବୋଲନ୍ତି ଓ ପୁରୁଷମାନେ ପାଳିଆ ଧରନ୍ତି ।

ଘୁଙ୍ଗୁରୁ ହେଉଛି ହାତ ମୁଠାରେ ଧରି ହେଉଥିବା କିଛି ଘଣ୍ଟି ଯାହାକୁ ରାମନାମୀମାନେ ତାଳରେ ଚୌପାଇ ଗାଇବା ପାଇଁ ବ୍ୟବହାର କରିଥାନ୍ତି (ଚାରି ଧାଡି ଥିବା ପଦ୍ୟାଂଶ)

ରାମନାମୀମାନେ ସେମାନଙ୍କ ପରିଧାନ କାରଣରୁ ଅନ୍ୟମାନଙ୍କଠାରୁ ଅଲଗା ଦେଖା ଯାଆନ୍ତି – ସେମାନେ ମୟୁର-ପଙ୍ଖର ଏକ ମୁକୁଟ (ଟୋପି) ଓ ‘ରାମ’ ନାମ ମୁଦ୍ରିତ ହୋଇଥିବା ଏକ ଓଢଣୀ ପିନ୍ଧିଥାନ୍ତି ।

ବୟସ୍କ ରାମନାମୀମାନେ ସେମାନଙ୍କ ସମ୍ପୂର୍ଣ୍ଣ ଶରରୀରେ ‘ରାମ’ ନାମ ଚିତା କୁଟେଇଥିବା ବେଳେ, ଯୁବକମାନେ ଏହିପରି ଭାବେ ଖୋଦେଇ କରୁନାହାନ୍ତି ।

ଜାଞ୍ଜିର – ଚମ୍ପା ଜିଲ୍ଲାର ଖପ୍ରାଡିହ ଗ୍ରାମରେ, ତୀର୍ଥ ରାମଙ୍କ ଶାଳୀ (ନାମ ଅଜଣା), ଏହି ସମ୍ପ୍ରଦାୟର ଅନ୍ୟ ମହିଳାଙ୍କ ପରି ସ୍ପଷ୍ଟବାଦୀ ଅଟନ୍ତି; ଦଳଗତ ସଂଗୀତରେ ମହିଳାମାନେ ପ୍ରଥମେ ଉଚ୍ଚାରଣ କରନ୍ତି ଓ ଗୋଷ୍ଠୀରେ ସମଅଧିକାର ଲାଭ କରିଥିବା ଜଣାପଡନ୍ତି ।
ଏଠାରେ ଦର୍ଶାଯାଇଥିବା ପ୍ରତିଛବିଗୁଡ଼ିକ ମଧ୍ୟ ଫଟୋଗ୍ରାଫରଙ୍କର
ୱେବସାଇଟରେ
ପ୍ରକାଶିତ ହୋଇଛି।
ଅନୁବାଦ: ଓଡ଼ିଶାଲାଇଭ୍