ଏଠାରେ ଲେହ ଜିଲ୍ଲାରେ ସଡ଼କ ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ କାମ କରୁଥିବା ପେମା ରିନଚେନ୍ କହିଲେ, ‘‘ଏହା ମହୋତ୍ସବ ପାଳନ ଲାଗି ଏକ ଉପଯୁକ୍ତ ଦିନ। ଏପରିକି ପାଗ ମଧ୍ୟ ଭଲ ଅଛି।’’
ଲଦାଖର ହାନଲେ (ଆନଲେ ବୋଲି ମଧ୍ୟ କୁହାଯାଏ) ଗାଁର ବାସିନ୍ଦା ୪୨ ବର୍ଷୀୟ ରିନଚେନ୍ ତିବ୍ବତୀୟ କ୍ୟାଲେଣ୍ଡର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମହୋତ୍ସବ ସାଗା ଦାୱା କଥା କହୁଛନ୍ତି। ଏହାକୁ ଲଦାଖ, ସିକ୍କିମ ଏବଂ ଅରୁଣାଚଳପ୍ରଦେଶର ବୌଦ୍ଧମାନେ ପାଳନ କରନ୍ତି। ତିବ୍ଦତୀୟ ଭାଷାରେ ‘ସାଗା’ ହେଉଛି ଚତୁର୍ଥ ସଂଖ୍ୟା ଏବଂ ‘ଦାୱା’ ହେଉଛି ମାସ। ସାଗା ଦାୱା ମାସ ‘ଗୁଣର ମାସ’ ଭାବେ ପରିଚିତ -ଏହି ସମୟରେ କରାଯାଇଥିବା ଭଲ କାମର ଫଳ ବହୁଗୁଣିତ ହୋଇ ମିଳିଥାଏ ବୋଲି କୁହାଯାଏ।
ନାଗା ବସତିର ବାସିନ୍ଦା ୪୪ ବର୍ଷୀୟ ସୋନମ୍ ଦୋରଜେ ଯିଏକି ହାନଲେରେ ଥିବା ଇଣ୍ଡିଆନ୍ ଆଷ୍ଟ୍ରୋନୋମିକାଲ୍ ଅବଜରଭେଟୋରିରେ କାମ କରନ୍ତି କହିଲେ, ‘‘ପୂର୍ବରୁ, ପ୍ରତି ବସ୍ତିର ବାସିନ୍ଦା ନିଜ ନିଜ ଅଞ୍ଚଳରେ ସାଗା ଦାୱା ପାଳନ କରୁଥିଲେ। କିନ୍ତୁ ଚଳିତବର୍ଷ [୨୦୨୨], ୬ଟି ବସ୍ତିର ଲୋକମାନେ ଏହାକୁ ପାଳନ କରିବାକୁ ଏକାଠି ହୋଇଛନ୍ତି।’’ କୋଭିଡ୍-୧୯ ମହାମାରୀ ସମୟରେ ଦୁଇ ବର୍ଷର କଟକଣାଯୁକ୍ତ ସମାରୋହ ପରେ, ପୁଙ୍ଗୁକ୍, ଖଲଦୋ, ନାଗା, ଶାଦୋ, ଭୋକ ଏବଂ ଜିଗସୋମା ବସ୍ତି ଉତ୍ସବ ପାଳନ ଲାଗି ଏକାଠି ହୋଇଛନ୍ତି। କମ୍ ଜନସଂଖ୍ୟାବିଶିଷ୍ଟ ଏହି ବସ୍ତିଗୁଡିକ ହାନଲେ ଗାଁର ଅଂଶବିଶେଷ ଯାହାର ଜନସଂଖ୍ୟା ୧,୮୭୯ଜଣ (୨୦୧୧ର ଜନଗଣନା)।
ବୌଦ୍ଧ ଧର୍ମର ମହାଯାନ ସଂପ୍ରଦାୟ ଦ୍ୱାରା ପାଳିତ ହେଉଥିବା ସାଗା ଦାୱା ଯାହାକୁ ‘ସାକା ଦାୱା’ ବୋଲି ବି କୁହାଯାଏ ତାକୁ ତିବ୍ଦତୀୟ ଚନ୍ଦ୍ର କ୍ୟାଲେଣ୍ଡରର ଚତୁର୍ଥ ମାସର ୧୫ତମ ଦିନରେ ପାଳନ କରାଯାଇଥାଏ; ବର୍ଷ ୨୦୨୨ରେ ଏହା ଜୁନ୍ ମାସରେ ପଡିଥିଲା। ଏହି ମହୋତ୍ସବରେ ବୁଦ୍ଧଙ୍କୁ ସ୍ମରଣ କରାଯାଇଥାଏ ଏବଂ ଏହା ତାଙ୍କର ଜନ୍ମ, ଜ୍ଞାନ ଏବଂ ପରିନିର୍ବାଣ ବା ପୂର୍ଣ୍ଣ ନିର୍ବାଣର ପ୍ରତୀକ

ସପ୍ତଦଶ ଶତାବ୍ଦୀର ହାନଲେ ମଠ ଏକ ପର୍ବତର ଶୀର୍ଷରେ ଅବସ୍ଥିତ । ଏହା ତିଦ୍ଦତୀୟ ବୌଦ୍ଧମାନଙ୍କ ତିବ୍ଦତୀୟ ଦ୍ରୁକପା କାଗ୍ୟୁ ସଂପ୍ରଦାୟ ସହ ଜଡ଼ିତ

ଚାଙ୍ଗଥାଙ୍ଗ ହେଉଛି ତିଦ୍ଦତୀୟ ମାଳଭୂମିର ପଶ୍ଚିମ ଭାଗ। ଏଠାରେ ହାନଲେ ନଦୀ ଉପତ୍ୟକା ହ୍ରଦ, ଆର୍ଦ୍ରଭୂମି ଏବଂ ନଦୀ ଅବବାହିକା ସହ ବିସ୍ତୃତ
ଲଦାଖର ଲେହ ଜିଲ୍ଲାରେ ଜନସଂଖ୍ୟାର ଏକ ବଡ଼ ଅଂଶ- ପ୍ରାୟ ୬୬ ପ୍ରତିଶତ ହେଉଛନ୍ତି ବୌଦ୍ଧ (୨୦୧୧ର ଜନଗଣନା)। ୨୦୧୯ ଅକ୍ଟୋବର ମାସରେ ଲଦାଖ ଏକ କେନ୍ଦ୍ରଶାସିତ ପ୍ରଦେଶ ହୋଇଛି। ପୂର୍ବ ଏବଂ କେନ୍ଦ୍ରୀୟ ଲଦାଖର ଜନସଂଖ୍ୟାର ଅଧିକାଂଶ ହେଉଛନ୍ତି ତିବ୍ଦତୀୟ ବଂଶୋଦ୍ଭବ ଏବଂ ଏହି ଅଞ୍ଚଳରେ ବୌଦ୍ଧ ମଠମାନଙ୍କରେ ଅନେକ ପର୍ବ ପାଳିତ ହୋଇଥାଏ।
ସାଗା ଦାୱା ଦିନ ତିବ୍ଦତୀୟ ବୌଦ୍ଧମାନେ ମଠ ଏବଂ ମନ୍ଦିର ପରିଦର୍ଶନ କରିଥାନ୍ତି, ଗରିବଙ୍କୁ ଦାନ ଦେଇଥାନ୍ତି ଏବଂ ମନ୍ତ୍ର ଜପ କରିଥାନ୍ତି।
ପୂର୍ବ ଲଦାଖରେ ହାନଲେ ନଦୀ ଉପତ୍ୟକାର ଚାଙ୍ଗପାମାନଙ୍କ ପରି ଗ୍ରାମୀଣ ପଶୁଚରାଳୀ ଯାଯାବର ସଂପ୍ରଦାୟ ଯେଉଁମାନେ କି ବୌଦ୍ଧ ସେମାନେ ସାଗା ଦାୱାକୁ ଖୁବ୍ ଗୁରୁତ୍ୱ ଦେଇଥାନ୍ତି। ଏହି ସାମ୍ବାଦିକ ମହୋତ୍ସବକୁ ଦେଖିବାକୁ ୨୦୨୨ର ଖରାଦିନରେ ଲେହର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୭୦ କିମି ଦକ୍ଷିଣ-ପୂର୍ବରେ ଥିବା ହାନଲେ ନଦୀ ଉପତ୍ୟକାକୁ ଯାଇଥିଲେ। ଭାରତ-ଚୀନ୍ ସୀମାରେ ଥିବା ଏକ ସୁନ୍ଦର ଏବଂ ଆବୁଡ଼ାଖାବୁଡ଼ା ଅଞ୍ଚଳ ହାନଲେ ନଦୀ ଉପତ୍ୟକା ବିସ୍ତୀର୍ଣ୍ଣ ଖାଲି ଭୂମି, ସର୍ପିଳ ନଦୀ ଏବଂ ଚାରିପଟେ ମୁଣ୍ଡ ଟେକି ଠିଆହୋଇଥିବା ସୁଉଚ୍ଚ ପାହାଡ଼ ଦ୍ୱାରା ପରିବେଷ୍ଟିତ। ଏହା ଚାଙ୍ଗଥାଙ୍ଗ ବନ୍ୟଜୀବ ଅଭୟାରଣ୍ୟର ଅଂଶବିଶେଷ।
ମହୋତ୍ସବ ଦିନ ସକାଳ ୮ଟା ବାଜିଛି ଏବଂ ହାନଲେ ଗାଁରେ ସ୍ଥାନୀୟ ମଠରେ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଛି। ଶୋଭାଯାତ୍ରା ଆୟୋଜନ କମିଟିର ମୁଖ୍ୟ ଦୋରଜେ ବୁଦ୍ଧଙ୍କ ପ୍ରତିମାକୁ ନେଇ ଯାଉଥିବା ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି। ୮.୩୦ ମିନିଟ୍ ସୁଦ୍ଧା ମଠ ପରିସର ଗାଁ ଓ ମହୋତ୍ସବରେ ଭାଗ ନେଉଥିବା ବସ୍ତିଗୁଡ଼ିକର ଭକ୍ତମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଇଛି। ମହିଳାମାନେ ସୁଲମା ଭାବେ ପରିଚିତ ପାରମ୍ପରିକ ଲମ୍ବା ଗାଉନ୍ ଏବଂ ନେଲେନ୍ କୁହାଯାଉଥିବା ଟୋପି ପିନ୍ଧିଛନ୍ତି।
ସୋନମ୍ ଦୋରଜେ ଏବଂ ତାଙ୍କର ବନ୍ଧୁମାନେ ବୁଦ୍ଧଙ୍କୁ ଗୋମ୍ପା (ମଠ) ବାହାରକୁ ଉଠାଇ ଆଣିଲେ ଏବଂ ପ୍ରତିମୂର୍ତ୍ତିକୁ ଏକ ମାଟାଡୋର ଭ୍ୟାନ୍ ଉପରେ ରଖିଲେ। ଗାଡ଼ିଟି ମହୋତ୍ସବର ପ୍ରାର୍ଥନା ପତାକାରେ ଆବୃତ୍ତ ହୋଇଛି ଏବଂ ଏକ ରଙ୍ଗୀନ ରଥ ଭଳି ଲାଗୁଛି। ପ୍ରାୟ ୫୦ ଜଣ ଲୋକଙ୍କର ପଟୁଆର ହାନଲେ ମଠ ଦିଗରେ କାର୍ ଓ ଭ୍ୟାନ୍ରେ ଅଗ୍ରସର ହେଲେ। ହାନଲେ ମଠ ଏକ ସପ୍ତଦଶ ଶତାବ୍ଦୀର ଉପାସନା ସ୍ଥଳ ଯାହାକି ତିବ୍ବତୀୟ ବୌଦ୍ଧ ଧର୍ମର ଦ୍ରୁକପା କାଗ୍ୟୁ କ୍ରମ ସହ ଜଡିତ।

ସୋନମ ଦୋରଜେ(ବାମ) ଏବଂ ତାଙ୍କ ଗାଁର ଅନ୍ୟ ସହକର୍ମୀମାନେ ମହୋତ୍ସବ ପାଇଁ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଖଲଦୋ ଗାଁର ମେନେ ଖାଙ୍ଗ ମଠରୁ ଆଣିଲେ

ପ୍ରତିମୂର୍ତ୍ତିକୁ ତିବ୍ଦତୀୟ ପ୍ରାର୍ଥନା ପତାକାଗୁଡ଼ିକ ଯାହାକି ଏକ ନିଦ୍ଦିଷ୍ଟ କ୍ରମରେ ସଜାଯାଇଛି ସେଥିରେ ଆବୃତ୍ତ ଏକ ମାଟାଡୋର ଭ୍ୟାନରେ ରଖାଯାଇଛି । ପତାକାର ପ୍ରତ୍ୟେକ ରଙ୍ଗ ଏକ ତତ୍ତ୍ୱକୁ ପ୍ରତିନିଧିତ୍ୱ କରିଥାଏ ଯାହାକି ସନ୍ତୁଳନକୁ ସୂଚାଇବା ଲାଗି ଏକତ୍ରିତ ହୋଇଥାଏ
ହାନଲେ ମଠରେ ବୌଦ୍ଧ ଆଧ୍ୟାତ୍ମିକ ଶିକ୍ଷକ ବା ନାଲି ରଙ୍ଗର ଟୋପି ପିନ୍ଧିଥିବା ଲାମାମାନେ ପଟୁଆରକୁ ସ୍ୱାଗତ କଲେ। ଶ୍ରଦ୍ଧାଳୁମାନେ ପରିସର ମଧ୍ୟକୁ ପ୍ରବେଶ କରିବା ସହିତ ସେମାନଙ୍କର ସ୍ୱର ପରିସର ମଧ୍ୟରେ ଗୁଞ୍ଜରିତ ହେଲା। ହାନଲେର ବାସିନ୍ଦା ପ୍ରାୟ ୪୦ ବର୍ଷୀୟ ପେମା ଡୋଲମା କହନ୍ତି, ‘‘ମହୋତ୍ସବରେ ଅଧିକ ଶ୍ରଦ୍ଧାଳୁ ସାମିଲ ହେବେ ବୋଲି ଆମେ ଆଶା କରୁଛୁ।’’
ମହୋତ୍ସବ ପାଳିତ ହେଉଛି ଏବଂ ଡ୍ରମ ବାଦନ ଓ ତୂରୀ ଫୁଙ୍କିବାର ଶବ୍ଦ ଆମକୁ ଶୋଭାଯାତ୍ରା ବନ୍ଦ ହୋଇଯାଇଥିବାର ସୂଚନା ଦେଉଛି। କିଛି ଜଣ ହାତରେ ଏକ ହଳଦିଆ କପଡ଼ାରେ ଗୁଡ଼ାଯାଇଥିବା ବୌଦ୍ଧ ଗ୍ରନ୍ଥ ଧରିଛନ୍ତି।
ଶୋଭାଯାତ୍ରା ଲାମାମାନଙ୍କ ନେତୃତ୍ୱରେ ଏକ ତୀଖ ଚଟାଣରେ ଓହ୍ଲାଇଲା। ସେମାନେ ମଠ ମଧ୍ୟରେ ଥିବା ଅଭୟାରଣ୍ୟର ପରିକ୍ରମା କଲେ। ଏହାପରେ ଜନତା ଲାମାମାନଙ୍କର ଏକ ଗୋଷ୍ଠୀ ଏବଂ ଭକ୍ତମାନଙ୍କର ଏକ ଗୋଷ୍ଠୀରେ ବିଭକ୍ତ ହୋଇଗଲା ଏବଂ ଦୁଇଟି ମାଟାଡୋର ଭ୍ୟାନରେ ସେମାନେ ସେଠାରୁ ପଳାଇ ଆସିଲେ। ସେମାନେ ଏବେ ଖଲଦୋ, ଶାଦୋ, ପେଙ୍ଗୁକ, ଭୋକ୍ ବସ୍ତିଗୁଡ଼ିକ ଦେଇ ପରିକ୍ରମା କରିବେ ଏବଂ ନାଗାରେ ତାହା ଶେଷ ହେବ।
ଖଲଦୋରେ ଭକ୍ତମାନଙ୍କୁ ବନ୍, ମୃଦୁ ପାନୀୟ ଏବଂ ଲୁଣ ଚା ଦିଆଯାଇ ସ୍ୱାଗତ କରାଗଲା। ପେଙ୍ଗୁକରେ ଲାମା ଓ ଭକ୍ତମାନେ ନିକଟବର୍ତ୍ତୀ ପର୍ବତର ପରିକ୍ରମା କଲେ ଏବଂ ଉଜ୍ୱଳ ନୀଳ ଆକାଶ ତଳେ ଝରଣା ଓ ଘାସ ପଡ଼ିଆ କଡ଼େ କଡ଼େ ଚାଲିଲେ।
ଆମେ ନାଗାରେ ପହଞ୍ଚିବାବେଳକୁ ଲାମା ଜିଗମେତ ଦୋସାଲ ଆମକୁ ସ୍ୱାଗତ କଲେ। ସେ କହିଲେ, ‘‘ଆପଣଙ୍କର ଦିନ କିଭଳି ଗଲା? ଏହା ଭଲ ଥିଲା, ନୁହେଁ କି? ଏହା ମଧ୍ୟ ଗୁଣର ମାସ ଭାବେ ପରିଚିତ। ପବିତ୍ର ଗ୍ରନ୍ଥମାନଙ୍କରେ ଲୁକ୍କାୟିତ ଥିବା ଦର୍ଶନକୁ ବୁଝିବା ଲାଗି ଆମକୁ ଆହୁରି ଅଧ୍ୟୟନ କରିବା ଆବଶ୍ୟକ।’’

୪୪ ବର୍ଷୀୟ ଅନମୋଙ୍ଗ ସିରିଙ୍ଗ ମହୋତ୍ସବ ଲାଗି ପ୍ରସ୍ତୁତ ହେଉଛନ୍ତି । ସେ ଉଲ୍, ବ୍ରୋକେଡ୍, ଭେଲଭେଟ୍ ଏବଂ ସିଲ୍କରେ ପ୍ରସ୍ତୁତ ଏକ ଲମ୍ବା ଗାଉନ ସୁଲମା ପିନ୍ଧିଛନ୍ତି । ଏହା ସହ ସୂତା, ନାଇଲନ୍ କିମ୍ବା ସିଲ୍କରୁ ପ୍ରସ୍ତୁତ ଏକ ବ୍ଲାଉଜ ଟାଇଲିଂ ପିନ୍ଧିଛନ୍ତି

ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହ ଧାର୍ମିକ ଶୋଭାଯାତ୍ରା ହାନଲେ ମଠରେ ପହଞ୍ଚିଲା । ହାନଲେ ଉପତ୍ୟକାରେ ଅବସ୍ଥିତ ଏହା ଏହି ଅଞ୍ଚଳର ମୁଖ୍ୟ ମଠ

ଛଅଟି ଗାଁର ଶ୍ରଦ୍ଧାଳୁମାନଙ୍କର ଶୋଭାଯାତ୍ରା କରିଡର ଦେଇ ମଠକୁ ଗଲା

ହାନଲେ ମଠର ସନ୍ନ୍ୟାସୀମାନେ ସାଗା ଦାୱା ମହୋତ୍ସବ ଲାଗି ‘ଉଟୁକ’ ଭାବେ ପରିଚିତ ଏକ ବଡ଼ ଛତା ପ୍ରସ୍ତୁତ କଲେ

ମଠ ମଧ୍ୟରେ, ଗ୍ରାମବାସୀ ରଙ୍ଗୋଲ(ବାମ) ଏବଂ କେସଙ୍ଗ ଆଞ୍ଜେଲ(ଡାହାଣ) ପ୍ରାର୍ଥନା ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି

ସାଗା ଦାୱା ମହୋତ୍ସବ ଦିନ ହାନଲେ ମଠର ଅନ୍ୟତମ ପ୍ରମୁଖ ସନ୍ନ୍ୟାସୀ ପୂଜାପାଠ କରୁଛନ୍ତି

ହାନଲେ ମଠ ସହ ସଂପୃକ୍ତ ଜଣେ ସନ୍ନ୍ୟାସୀ ଜିଗମେତ ଦୋସାଲ କହିଲେ, ‘ଏହା ମଧ୍ୟ ଗୁଣର ମାସ ଭାବେ ପରିଚିତ । ପବିତ୍ର ଗ୍ରନ୍ଥମାନଙ୍କରେ ଲୁକ୍କାୟିତ ଥିବା ଦର୍ଶନକୁ ବୁଝିବା ଲାଗି ଆମକୁ ଆହୁରି ଅଧ୍ୟୟନ କରିବା ଆବଶ୍ୟକ’

ଜଣେ ଯୁବ ଲାମା ଦୋରଜେ ଟେସିଂ ଏକ ପାରମ୍ପରିକ ବାଦ୍ୟ ଯନ୍ତ୍ର ଆଙ୍ଗ ଧରିଛନ୍ତି

ସାଗା ଦାୱା ମହୋତ୍ସବର ଅନ୍ୟତମ ଆୟୋଜକ ସୋନମ୍ ଦୋରଜେ ହାନଲେ ମଠରୁ ପବିତ୍ର ସ୍କ୍ରଲଗୁଡ଼ିକ ଆଣିଲେ। ଅଞ୍ଚଳର ଗାଁଗୁ ଡ଼ି କ ଦେଇ ବୁଦ୍ଧମୂର୍ତ୍ତି ଯାତ୍ରା କରୁଥିବା ସମୟରେ ସ୍କ୍ରଲଗୁ ଡ଼ି କ ମୂର୍ତ୍ତି ସହ ଯାଇଥାଏ

ହାନଲେ ଉପତ୍ୟକାର ବିଭିନ୍ନ ଗାଁର ମହିଳାମାନେ ପବିତ୍ର ସ୍କ୍ରଲଗୁ ଡ଼ି କ ଧରିଛନ୍ତି

ଏହି ମହୋତ୍ସବ ସମୟରେ ଲାମାମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇଥାନ୍ତି । ଛୋଟ ପବନ-ଯନ୍ତ୍ର(ବାମ)କୁ ଗେଲିଂ କୁହାଯାଏ, ଏବଂ ବଡ଼ଟି (ମଝି) ହେଉଛି ଏକ ତୁଙ୍ଗ

ଶୋଭାଯାତ୍ରା ଚାଲିଥିବା ସମୟରେ ଲାମାମାନେ ହାନଲେ ଉପତ୍ୟକାର ତୀଖ ଚଟାଣରେ ଓହ୍ଲାଇଲେ

ଏହି ଶୋଭାଯାତ୍ରା ଲାଗି ଲାମାମାନଙ୍କର ଯାତ୍ରାପଥରେ ହାନଲେ ନଦୀ କୂଳରେ ଥିବା ହାନଲେ ମଠର ପରିକ୍ରମା କରିବା ସାମିଲ

ଶାଦୋ ଗାଁକୁ ସେମାନଙ୍କର ଯାତ୍ରା ସମୟରେ ଖଲଦୋ ର ଲୋକମାନଙ୍କ ଦ୍ୱା ରା ବ୍ୟବସ୍ଥା କରାଯାଇଥିବା ବନ୍, ମୃଦୁ ପାନୀୟ ଏବଂ ଲୁଣ ଚା’ ଖାଇବା ଲାଗି ଶୋଭାଯାତ୍ରା ଅଟକିଲା । ଶୋଭାଯାତ୍ରାର ସଦସ୍ୟମାନଙ୍କ ଲାଗି ଜଳପାନର ଆୟୋଜନ ଏହି ଉତ୍ସବର ପରମ୍ପରାର ଅଂଶବିଶେଷ

ଶାଦୋ ଗାଁର ବାସିନ୍ଦାମାନେ ପବିତ୍ର ଗ୍ରନ୍ଥ ଆଣିଥିବା ଲାମାମାନଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ସାକ୍ଷାତ କରିବା ଲାଗି ଗୋମ୍ପାରେ ଏକତ୍ରିତ ହେଲେ

ନିଜର ପ୍ରାର୍ଥନା ପରେ ହାନଲେ ମଠର ଲାମାମାନେ ଶାଦୋ ଗାଁରେ ଗୋମ୍ପାରୁ ବାହାରକୁ ଆସିଲେ

ଶାଦୋ ଗାଁ ପରେ, ପଟୁଆର ହାନଲେ ଉପତ୍ୟକାର ଅନ୍ୟ ଏକ ବସ୍ତି ପୁଙ୍ଗୁକରେ ପହଞ୍ଚିଲା । ସେହି ଅପରାହ୍ଣରେ ପଟୁଆରର ଆଗମନକୁ ଗ୍ରାମବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିଲେ

ଶୋଭାଯାତ୍ରା ପୁଙ୍ଗୁକ ଗାଁରେ ସ୍ଥାନୀୟ ଗୋମ୍ପା ଆଡକୁ ଗଲା ଯେଉଁଠାରେ ଗ୍ରାମବାସୀ ସେମାନଙ୍କୁ ଧଳା ସ୍କାର୍ଫ ଦେଇ ସ୍ୱା ଗତ କରିବାକୁ ଅପେକ୍ଷା କରିଛନ୍ତି

ପୁଙ୍ଗୁକ ଗୋମ୍ପାରେ ମହିଳାମାନେ ସେମାନଙ୍କର ପାରମ୍ପରିକ ପୋଷାକ ପିନ୍ଧି ଖଲଦୋ ଗାଁରୁ ସେମାନଙ୍କର ବାନ୍ଧବୀମାନଙ୍କର ଆଗମନକୁ ଅପେକ୍ଷା କରିଛନ୍ତି

ପୁଙ୍ଗୁକ ଗୋମ୍ପାର କମ୍ୟୁନିଟି ହଲରେ ଥାଙ୍ଗଚୋକ ଦୋରଜେ ଏବଂ ତାଙ୍କର ବନ୍ଧୁମାନେ ସେମାନଙ୍କର ମଧ୍ୟାହ୍ନଭୋଜନ ଖାଉଛନ୍ତି ଏବଂ ଲୁଣ ଚା ପିଉଛନ୍ତି

ଏହି ଖାଦ୍ୟଗ୍ରହଣ ପରେ, ଶୋଭାଯାତ୍ରା ପୁଙ୍ଗୁକ ଗାଁ ଚାରିପଟେ ବୁଲିଲା । ଆବୁଡ଼ା ଖାବୁଡ଼ା ଅଞ୍ଚଳ ଏବଂ ପବନର ସ୍ଥିତି ସତ୍ତ୍ୱେ ଗାଁର କୌଣସି ଗୋଟିଏ ଅଂଶକୁ ଛଡ଼ାଗଲା ନାହିଁ

ଶୋଭାଯାତ୍ରାରେ ସାମିଲ ମହିଳାମାନେ ଚାଲିବା ସମୟରେ ପବିତ୍ର ସ୍କ୍ରଲଗୁ ଡ଼ି କୁ ସେମାନଙ୍କର କାନ୍ଧରେ ପକାଇଥିଲେ

ହାନଲେ ମଠର ଲାମାମାନଙ୍କଠାରୁ ଆଶୀର୍ବାଦ ନେବାକୁ ବାସିନ୍ଦାମାନେ ଆସିବାରୁ ନାଗା ବସ୍ତିକୁ ଯାଉଥିବା ଏକ ରାସ୍ତାରେ ଶୋଭାଯାତ୍ରାର ପଟୁଆର ବଗ୍ ଗାଁରେ ଅଟକିଲା । ସେମାନେ ପଟୁଆର ଲାଗି ଜଳପାନର ବ୍ୟବସ୍ଥା କରିଥିଲେ

ବଗ୍ ଗାଁର ଲୋକମାନେ ପବିତ୍ର ସ୍କ୍ରଲଗୁ ଡ଼ି କରୁ ଆଶୀର୍ବାଦ ନେଉଛନ୍ତି

ସେମାନଙ୍କର ଯାତ୍ରାପଥରେ ପଡୁଥିବା ସବୁ ଗାଁ ବୁଲିବା ପରେ ପଟୁଆର ଶେଷରେ ନାଗା ନିକଟରେ ଏକ ସୁନ୍ଦର ଘାସ ପ ଡ଼ି ଆରେ ଅଟକିଲା । ଏହି ଗାଁର ବାସିନ୍ଦାମାନେ ତିବ୍ଦତୀୟ ବଂଶୋଦ୍ଭବ । ଡ୍ରମ ବାଦନ ସହ ଲାମାମାନେ ଯାତ୍ରା ଶେଷ ହେବା ଘୋଷଣା କଲେ
ଅନୁବାଦ : ଓଡ଼ିଶାଲାଇଭ୍