କାଳିଦାସପୁର ଗ୍ରାମର ଜଣେ ବାସିନ୍ଦା ଅମିନା ବିବି ମେ’ ମାସର ଶେଷ ଭାଗରେ ମୋତେ କହିଥିଲେ, ‘‘ଏବେ ବାତ୍ୟା ଶେଷ ହୋଇଯାଇଥିବାରୁ ଆମକୁ ଚାଲିଯିବାକୁ କୁହାଯାଉଛି । କିନ୍ତୁ ଆମେ କେଉଁଠିକୁ ଯିବୁ ?’’
ଝଡ଼ର ଦିନକ ଆଗରୁ ଘୂର୍ଣ୍ଣିବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଥିବା ଅମୀନାଙ୍କ ଗ୍ରାମର ୧୫୦ କିଲୋମିଟର ଦୂରରେ ସ୍ଥଳଭାଗ ଛୁଇଁଥିଲା । ସ୍ଥାନୀୟ କର୍ତ୍ତୃପକ୍ଷ ଅନେକେ ଗ୍ରାମର ପରିବାରଗୁଡ଼ିକୁ ଖାଲି କରିଥିଲେ ଏବଂ ସେମାନଙ୍କୁ ଆଶ୍ରୟ ଶିବିରରେ ରହିବାକୁ ଦେଇଥିଲେ । ଏହି ବର୍ଷ ମଇ ୧୯ ତାରିଖରେ ଅମୀନା ଏବଂ ତାଙ୍କ ପରିବାର ଏକ ପଡ଼ୋଶୀ ଗ୍ରାମରେ ଥିବା ଏକ ଅସ୍ଥାୟୀ ଘରକୁ ଚାଲିଯାଇଥିଲେ।
ଘୂର୍ଣ୍ଣିବାତ୍ୟା ସୁନ୍ଦରବନରେ ଥିବା ଗୋସବା ବ୍ଲକ୍ରେ ଥିବା ୫,୮୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଥିବା ଅମୀନାଙ୍କ ମାଟିଘରକୁ ଉଡ଼ାଇ ନେଇଥିଲା । ତାଙ୍କର ସମସ୍ତ ଜିନିଷ ମଧ୍ୟ ଚାଲିଯାଇଥିଲା । ଅମୀନା, ୪୮ ତାଙ୍କ ସ୍ୱାମୀ ମହମ୍ମଦ ରମଜାନ ମୋଲ୍ଲା, ୫୬ ଏବଂ ୨ରୁ ୧୬ ବର୍ଷ ବୟସ ମଧ୍ୟରେ ତାଙ୍କର ୬ଜଣ ସନ୍ତାନ ସୁରକ୍ଷିତ ରହିଥିଲେ ।
ମହମ୍ମଦ ମୋଲ୍ଲା ଘୂର୍ଣ୍ଣିବାତ୍ୟା ଆସିବାର ମାତ୍ର ଦୁଇ ସପ୍ତାହ ପୂର୍ବରୁ ଗାଁ’କୁ ଫେରିଥିଲେ । ୫୬ବର୍ଷ ବୟସ୍କ ମୋଲ୍ଲା ମହାରାଷ୍ଟ୍ରର ପୁନେଠାରେ ଏକ ମଲ୍ରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରି ମାସକୁ ଟ. ୧୦,୦୦୦ ରୋଜଗାର କରନ୍ତି । ଏଥର ସେ ଏଠାରେ ରହିଯିବା ପାଇଁ ଏବଂ ନିକଟସ୍ଥ ମୋଲ୍ଲା ଖାଲି ବଜାରରେ ଏକ ଚା’ ଦୋକାନ ଖୋଲିବା ପାଇଁ ଯୋଜନା କରିଥିଲେ ।
ଅମୀନା ମଧ୍ୟ ନିଜ ଘର କାମ ଶେଷ କରିବା ପରେ ନିକଟସ୍ଥ ଗୋମର ନଈରୁ କଙ୍କଡ଼ା ଓ ମାଛ ଧରି ତାଙ୍କ ପରିବାରର ଆୟରେ ମିଶାଉଥିଲେ । ସେ ଧରିଥିବା ତାଙ୍କର ଅଳ୍ପ କିଛି ଜିନିଷକୁ ବଜାରରେ ବିକ୍ରି କରୁଥିଲେ । ସେ ମୋତେ କହିଥିଲେ, ‘‘ମୁଁ ସେଥିରେ ଦିନକୁ ଟ. ୧୦୦ ମଧ୍ୟ ପାଉନଥିଲି’’।
ସେମାନଙ୍କର ବଡ଼ ପୁଅ ରକ୍କବ ଅଲ୍ଲୀ ୨୦୧୮ ମସିହାରେ ୧୪ବର୍ଷ ବୟସରେ ସ୍କୁଲ ଛାଡ଼ିଥିଲା । ସେ କୁହନ୍ତି, ‘‘ଆବ୍ବା ଘରକୁ ପଠାଉଥିବା ଅର୍ଥରେ ଆମେ ଚଳିପାରିବୁ ନାହିଁ । ସେଥିପାଇଁ ମୁଁ କାମ କରିବାକୁ ବାହାରିଲି ।’’ ରକ୍କବ କୋଲକାତାରେ ଏକ ଦର୍ଜି ଦୋକାନରେ ସହାୟକ ଭାବରେ କାର୍ଯ୍ୟକରି ମାସକୁ ଟ. ୫,୦୦୦ ରୋଜଗାର କରୁଥିଲେ । କୋଭିଡ୍ ୧୯ ଲକ୍ଡାଉନ୍ ସମୟରେ ଯେତେବେଳେ ଅମ୍ଫାନ ଆସିଲା ସେ ଘରେ ଥିଲେ ।
ପରିବାରର ଚାଳଛପର ମାଟିଘର ଗୋମର ନଦୀକୂଳରେ ଥିଲା । ପ୍ରତ୍ୟେକ ଥର ବାତ୍ୟା ସମୟରେ – ସିଦ୍ଦର (୨୦୦୭), ଆଇଲା (୨୦୦୯) ଏବଂ ବୁଲବୁଲ (୨୦୧୯)ରେ ନଦୀ ତାଙ୍କ ଘରଆଡ଼କୁ ଘୁଞ୍ଚି ଆସୁଥିଲା ଏବଂ କ୍ରମଶଃ ସେମାନଙ୍କର ଥିବା ସମୁଦାୟ ତିନି ବିଘା (ଏକ ଏକର ଜମି) ବୁଡ଼ାଇ ଦେଇଥିଲା । ଏଥିରେ ସେମାନେ ବର୍ଷକୁ ଥରେ ଧାନଚାଷ କରୁଥିଲେ ଏବଂ କିଛି ପନିପରିବା ମଧ୍ୟ । ଅମ୍ଫନ ଆସିବା ସମୟରେ ସେମାନଙ୍କର କୌଣସି ଜମି ନଥିଲା ।
ଅମୀନା ବିବି ଧ୍ୱସ୍ତ ହୋଇଯାଇଥିବା ତାଙ୍କ ଘର ଆଗରେ ସାତ ବର୍ଷର ଝିଅ ରେଶମା ଖାତୁନଙ୍କ ଧରି ଛିଡ଼ା ହୋଇଛନ୍ତି
ଅମ୍ଫାନ ଆସିବା ପୂର୍ବରୁ ଏ ବର୍ଷ ମେ ୨୦ ତାରିଖରେ ଲୁଣିପାଣିର ଜୁଆର ଗାଁର ଘର ଏବଂ ଜମିକୁ ବୁଡ଼ାଇ ଦେଇଥିଲା । ଅମୀନାଙ୍କ ପରିବାର- ତାଙ୍କ ସହିତ ଅନ୍ୟମାନେ ମଧ୍ୟ – ବିଦ୍ୟାଧାରୀ ଏବଂ ଗୋମର ନଦୀର ଭଙ୍ଗା ବନ୍ଧ ଉପରେ ଛୋଟା ମୋଲ୍ଲା ଖାଲି ଗ୍ରାମରେ ଅସ୍ଥାୟୀ ଭାବରେ ବସବାସ କରୁଥିଲେ । ରାଜ୍ୟ ସରକାର ଏବଂ ସ୍ଥାନୀୟ ଏନ୍ଜିଓଗୁଡ଼ିକ ପରିବାରଗୁଡ଼ିକୁ ରନ୍ଧାଖାଦ୍ୟ ଏବଂ ପାଣି ପାଉଚ୍ ବିତରଣ କରିଥିଲେ । ଅସ୍ଥାୟୀ କୋଠରୀଗୁଡ଼ିକ ଲୋକରେ ଭରପୂର ଥିଲା ଏବଂ କୌଣସି ବିଦ୍ୟୁତ୍ ଯୋଗାଣ ନଥିଲା । କୋଭିଡ୍ ୧୯ ମହାମାରୀ ସମୟରେ ଶାରୀରିକ ଦୂରତା ବଜାୟ ରଖିବା ପାଇଁ କୌଣସି ସ୍ଥାନ ନଥିଲା ।
ଆଶ୍ରୟ ଶିବିରରେ ଖାଦ୍ୟ ବିତରଣ କରୁଥିବା ଏକ ସ୍ଥାନୀୟ ଅନୁଷ୍ଠାନ ସୁନ୍ଦରବନ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦନ ମାଇତି ପଚାରନ୍ତି, ‘‘ସେମାନେ କେତେଦିନ ଏଠାରେ ରହିବେ ? ଗୋଟିଏ ମାସ, ଦୁଇମାସ- ତା’ପରେ [ସେମାନେ କେଉଁଠିକୁ ଯିବେ]?’’ ‘‘ପୁରୁଷମାନେ- ଏପରିକି କମ୍ ବୟସର ଲୋକମାନଙ୍କୁ ଜୀବିକା ସନ୍ଧାନରେ ଯିବାକୁ ହେବ । ଯେଉଁମାନେ କୁଆଡ଼େ ଯାଇପାରିବେ ନାହିଁ, ସେମାନେ ରହିଯିବେ, ମାଛ, କଙ୍କଡ଼ା ଏବଂ ମହୁ ଦ୍ୱାରା ବଞ୍ଚିବେ, [କିମ୍ବା ନିର୍ଭର କରିବେ], କିମ୍ବା ନଦୀ ଏବଂ ଜଙ୍ଗଲ ଦ୍ୱାରା ବଞ୍ଚିବେ ।’’
ଗତ ଦୁଇ ଦଶକ ଧରି, ସୁନ୍ଦରବନ ଅଞ୍ଚଳର ବାସିନ୍ଦାମାନେ କ୍ରମଶଃ ଅଧିକରୁ ଅଧିକ ଚାଷ ଜମି ଉଚ୍ଚ ଜୁଆର ବନ୍ୟା ଏବଂ ବାତ୍ୟା ଦ୍ୱାରା ଆସୁଥିବା ଲୁଣିପାଣିରେ ହରାଉଛନ୍ତି । ୨୦୨୦ ମସିହାରେ ବିଶ୍ୱ ବନ୍ୟଜୀବ ପାଣ୍ଠି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଉଲ୍ଲେଖ କରିଛି ଯେ, ଏହି ଅଞ୍ଚଳର ବାସିନ୍ଦାମାନଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ପ୍ରତିବର୍ଷ ଗୋଟିଏ ଧାନ ଫସଲ ଚାଷ କରନ୍ତି । କିନ୍ତୁ ଲୁଣି ଅଂଶ ମାଟିର ଉର୍ବରତା ନଷ୍ଟ କରୁଛି ଏବଂ ମଧୁର ଜଳ ପୋଖରୀଗୁଡ଼ିକୁ ଶୁଖାଇ ଦେଉଛି । ଯାହା ମଧୁର ଜଳ ମାଛ ପ୍ରଜାତିଗୁଡ଼ିକୁ ହ୍ରାସ କରୁଛି । ଏହା ପରେ ପୁଣି ଥରେ ଚାଷ ପାଇଁ ଉପଯୁକ୍ତ ହେବାକୁ କେଇବର୍ଷ ସମୟ ଲାଗିଯାଉଛି ।ନାମଖାନା ବ୍ଲକ୍ରେ ଥିବା ମୌସୁନୀ ଦୀପର ବାଲିଆରା ଗ୍ରାମର ୫୨ବର୍ଷ ବୟସ୍କ ଅବୁ ଜବାଏର ଅଲ୍ଲୀ ଶାହା କୁହନ୍ତି, ‘‘ଜମି ଉପରେ ୧୦ରୁ ୧୫ଦିନ ପର୍ଯ୍ୟନ୍ତ ପାଣି ଜମି ରହିବ । ଲୁଣ ଯୋଗୁ ଏହି ଜମିରେ କୌଣସି ଫସଲ ହେବ ନାହିଁ ଏବଂ ପୋଖରୀଗୁଡ଼ିକରେ ମଧ୍ୟ ମାଛ ରହିବେ ନାହିଁ ।’’ ଅଲ୍ଲୀ ଶାହା ଜଣେ ଚିଙ୍ଗୁଡ଼ି ବ୍ୟବସାୟୀ । ସେ ନିକଟସ୍ଥ ନଦୀଗୁଡ଼ିକରୁ ଚିଙ୍ଗୁଡ଼ି ଧରୁଥିବା ଗ୍ରାମବାସୀଙ୍କଠାରୁ ସେଗୁଡ଼ିକ କିଣନ୍ତି ଏବଂ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକନ୍ତି ।
ସେ ଏବଂ ତାଙ୍କ ପରିବାର-ପତ୍ନୀ ରୋକେୟା ବିବି, ୪୫ ଜଣେ ଗୃହିଣୀ । ସେ ବେଳେ ବେଳେ ଏମ୍ବ୍ରୋଡୋରି କାମ କରି କିଛି ରୋଜଗାର କରନ୍ତି । ଘରେ ଥିବା ସେମାନଙ୍କର ଦୁଇଜଣ ସନ୍ତାନ ସେମାନଙ୍କ ବଡ଼ପୁଅ ୨୪ବର୍ଷ ବୟସ୍କ ସାହେବ ଅଲ୍ଲୀ ଶାହା ପଠାଉଥିବା ଅର୍ଥ ଉପରେ ଡିପେଣ୍ଡ କରନ୍ତି । ସାହେବ କେରଳରେ ଜଣେ ରାଜମିସ୍ତ୍ରି ଭାବରେ କାର୍ଯ୍ୟ କରନ୍ତି । ଅବ୍ବୁ ଜବାଏର କୁହନ୍ତି, ‘‘ସେ ସେଠାରେ ଅନ୍ୟ ଲୋକଙ୍କ ଘର ତିଆରି କରୁଛି ଏବଂ ଏଠାରେ ତା’ ଘର ଧୋଇଯାଇଛି ।’’
୨୦୧୪ରୁ ୨୦୧୮ ମଧ୍ୟରେ ସୁନ୍ଦରବନ ଅଞ୍ଚଳରୁ କାର୍ଯ୍ୟ ସନ୍ଧାନରେ ଚାଲିଯାଇଥିବା ସମସ୍ତ ମାମଲା ମଧ୍ୟରୁ ୬୪ ପ୍ରତିଶତ ଆର୍ଥିକ ବିପର୍ଯ୍ୟୟ କାରଣରୁ ହୋଇଛି । କାରଣ କୃଷି ଅସ୍ଥାୟୀ ହୋଇଯାଇଛି । ଜାତିସଂଘର ଖାଦ୍ୟ ଏବଂ କୃଷି ଅନୁଷ୍ଠାନ ଦ୍ୱାରା ଚାଲିଥିବା ଏକ ଗବେଷଣା ପ୍ରକଳ୍ପ, ତ୍ରିକୋଣ ଭୂମି ଅସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ : ପ୍ରବାସ ଏବଂ ଗ୍ରହଣ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ସେହିପରି ଭାବରେ ଅଭିଜିତ୍ ମିସ୍ତ୍ରି (ପଶ୍ଚିମବଙ୍ଗର ପୁରୁଲିଆଠାରେ ଥିବା ନିସ୍ତାରିଣୀ ମହିଳା ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର)ଙ୍କ ଦ୍ୱାରା ସୁନ୍ଦରବନର ୨୦୦ ପରିବାର ଉପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସର୍ବେକ୍ଷଣ କରାଯାଇଥିବା ପରିବାରଗୁଡ଼ିକର ପ୍ରାୟ ତିନି ଚତୁର୍ଥାଂଶ ପରିବାରରେ ଅତିକମ୍ରେ ଜଣେ ସଦସ୍ୟ କାର୍ଯ୍ୟ ସନ୍ଧାନରେ ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି ।
ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମୌସୁନି ଦ୍ୱୀପରେ ଥିବା ବାଲିଆର ଗ୍ରାମର ଅବୁ ଜବାଏର ଏବଂ ରୋକେୟା ବିବି ମଧ୍ୟ ସେମାନଙ୍କର ଘର ହରାଇଛନ୍ତି । ଏଠାରେ ସେମାନଙ୍କ ଝିଅ ଅସ୍ମିନା ଖାତୁନ, ୧୪ କେରଳରେ ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ତା’ର ବଡ଼ଭାଇ ସାହେବ ଅଲ୍ଲୀ ଶାହା, ୧୯ଙ୍କ ଦ୍ୱାରା ତିଆରି ହୋଇଥିବା ଏକ କାଗଜ ଘର ସହିତ
ଗୋସବା ବ୍ଲକ୍ର କୁମିରମାରି ଗ୍ରାମର ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପବିତ୍ର ଗାଏନ ଲକ୍ଷ୍ୟ କରନ୍ତି ଯେ, ଏହି ଅଞ୍ଚଳର ଅନେକ ପିଲା ପ୍ରବାସ କାରଣରୁ ସେମାନଙ୍କ ପାଠପଢ଼ା ଛାଡ଼ନ୍ତି । ସେ କୁହନ୍ତି, ‘‘ଯେମିତି ନଈ ଆମର ଘର ଏବଂ ଜମିଗୁଡ଼ିକୁ ଖାଇ ନେଉଛି, ସେମିତି ଶିକ୍ଷାର ପରିସର କ୍ରମଶଃ ଛାତ୍ରଛାତ୍ରୀଙ୍କୁ ହରାଉଛି। ’’
ଘୋରମରା ପଞ୍ଚାୟତର ପ୍ରଧାନ ସଞ୍ଜୀବ ସାଗର କୁହନ୍ତି, ‘‘ଗତ ୩ ରୁ ୪ ବର୍ଷ ହେବ [୨୦୦୯ରେ ଘୂର୍ଣ୍ଣିବାତ୍ୟା ଆଇଲା ପରେ] ପରିସ୍ଥିତି ସାମାନ୍ୟ ଉନ୍ନତ ହୋଇଥିଲା । ଅନେକେ ପ୍ରବାସୀ ଫେରିଥିଲେ [ସୁନ୍ଦରବନ ଅଞ୍ଚଳକୁ] ଏବଂ ଚାଷ, ପୋଖରୀରେ ମାଛ ଚାଷ କିମ୍ବା ଛୋଟ ବ୍ୟବସାୟ ଆରମ୍ଭ କରିବାପାଇଁ । କିନ୍ତୁ ପ୍ରଥମେ ବୁଲବୁଲ ଏବଂ ଏହାପରେ ଅମ୍ଫାନ ସବୁକିଛି ଶେଷ କରିଦେଲା।’’
ସଂଲଗ୍ନ ଉତ୍ତର ୨୪ପ୍ରଗଣା ଜିଲ୍ଲାର ୫୬ବର୍ଷ ବୟସ୍କ ନଜରୁଲ ମୋଲ୍ଲା ଏବଂ ତାଙ୍କ ଛଅଜଣିଆ ପରିବାର ଏହି ମାତ୍ର ଘୂର୍ଣ୍ଣିବାତ୍ୟା ଅମ୍ପାନରୁ ବର୍ତ୍ତିଛନ୍ତି, ଯାହା ସେମାନଙ୍କର ଚାଳଛପର ମାଟିଘର ଧୋଇନେଇଛି । ମୋଲ୍ଲା ମଧ୍ୟ କେରଳରେ ଜଣେ ରାଜମିସ୍ତ୍ରୀ ଭାବରେ ଏବଂ କୋଭିଡ୍ ୧୯ ଲକ୍ଡାଉନ୍ କାରଣରୁ ଅମ୍ଫାନର ପ୍ରାୟ ମାସେ ପୂର୍ବରୁ ମିନାଖାନ ବ୍ଲକ୍ର ଉଚିଲଦହା ଗ୍ରାମରେ ଥିବା ତାଙ୍କ ଘରକୁ ଫେରିଥିଲେ ।
ମେ’ ୨୧ ତାରିଖରେ, ବାତ୍ୟାର ଗୋଟିଏ ଦିନ ପରେ ନଜରୁଲ ଛପର ଭାବରେ ବ୍ୟବହାର କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ବିତରଣ କରୁଥିବା ପ୍ଲାଷ୍ଟିକ ଚାଦର ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ନଜରୁଲଙ୍କ ପାଳି ଆସିବା ବେଳକୁ ଏହି ଚାଦରଗୁଡ଼ିକ ଶେଷ ହୋଇଗଲା । ସେ ମୋତେ କହିଲେ, ‘‘ଆମେ ଏବେ ଭିକାରୀଙ୍କଠାରୁ ହୀନ । ଏହି ଇଦ୍ [ମେ’ ୨୪] ଆକାଶ ତଳେ କଟିଯିବ । ’’
ପଥରପ୍ରତିମା ବ୍ଲକ୍ର ଗୋପାଳନଗର ଉତ୍ତର ଗ୍ରାମର ୪୬ ବର୍ଷ ବୟସ୍କା ଛବି ବୁନିୟା ତାଙ୍କ ବାପା ଶଙ୍କର ସର୍ଦ୍ଦାରଙ୍କର ଏକ ଭଙ୍ଗା ଫଟୋଫ୍ରେମ୍କୁ ଜାବୁଡ଼ି ଧରିଥିଲେ । ୨୦୦୯ରେ ଆଇଲା ବାତ୍ୟା ସମୟରେ ସେମାନଙ୍କର କୁଡ଼ିଆ ଭାଙ୍ଗିଯିବା ସମୟରେ ସେ ମୃତ୍ୟୁବରଣ କରିଥିଲେ । ସେ କୁହନ୍ତି, ‘‘ଏହି ବାତ୍ୟା [ଅମ୍ଫାନ] କେବଳ ଆମ ଘର ନେଇଯାଇନି ଏହା ମୋତେ ମୋ ସ୍ୱାମୀଙ୍କଠାରୁ ମଧ୍ୟ ଅଲଗା କରିଦେଇଛି [ମୋବାଇଲ୍ ନେଟୱର୍କରେ ବାଧା କାରଣରୁ]’’।
ଛବିଙ୍କ ସ୍ୱାମୀ ଶ୍ରୀଦାମ ଭୁନିୟା ଆଇଲା ବାତ୍ୟା ପରେ ପରେ ତାମିଲନାଡୁକୁ ଚାଲିଯାଇଥିଲେ । ସେଠାରେ ସେ ଏକ ରେଷ୍ଟୁରାଣ୍ଟରେ ଓ୍ୱେଟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ହଠାତ୍ ଲକଡାଉନ୍ କାରଣରୁ ଘରକୁ ଫେରିପାରିନଥିଲେ । ମେ’ ମାସରେ ମୁଁ ତାଙ୍କ ସହ କଥା ହେବା ସମୟରେ ଛବି କହିଥିଲେ, ‘‘ଦୁଇଦିନ ତଳେ ଆମେ ଶେଷ ଥର ପାଇଁ କଥା ହୋଇଥିଲୁ । ସେ ମୋତେ କହିଲେ ଯେ, ସେ ଭୀଷଣ ଅସୁବିଧାରେ ଅଛନ୍ତି- ତାଙ୍କ ପାଖରେ ଖାଦ୍ୟ ଏବଂ ଟଙ୍କା ଶେଷ ହୋଇଯାଇଛି । ’’
ଗୋପାଳନଗର ଉତ୍ତର ଗ୍ରାମରେ ମୃଦଙ୍ଗଭଙ୍ଗା [ସ୍ଥାନୀୟ ଭାବରେ ଗୋବଡ଼ିଆ କୁହାଯାଉଥିବା] ନଦୀର ଏକ ବନ୍ଧ ଉପରେ ଛିଡ଼ା ହୋଇ ପ୍ରାୟ ୮୮ ବର୍ଷ ବୟସ୍କ ସନାତନ ସର୍ଦ୍ଦାର କୁହନ୍ତି, ‘‘ବହୁ ବର୍ଷ ପୂର୍ବେ ଦଳ ଦଳ ପ୍ରବାସୀ ପକ୍ଷୀ ଏହି ସ୍ଥାନକୁ [ସୁନ୍ଦରବନ]କୁ ଆସୁଥିଲେ । ସେମାନେ ଆଉ ଆସୁନାହାନ୍ତି । ଏବେ ଆମେ ପ୍ରବାସୀ ହୋଇଯାଇଛୁ ।’’
ପୋଷ୍ଟସ୍କ୍ରିପ୍ଟ: ଯେତେବେଳେ ଏହି ସମ୍ବାଦଦାତା ଅମୀନା ବିବି ଏବଂ ତାଙ୍କ ପରିବାରକୁ ପୁଣି ଥରେ ଜୁଲାଇ ୨୩ରେ ଭେଟିଲେ ସେମାନେ ସେମାନଙ୍କ ଗାଁକୁ ଫେରିଆସିଥିଲେ । ପାଣି ଖସିଯାଇଥିଲା ଏବଂ ସେମାନେ ବାଉଁଶ ଏବଂ ପ୍ଲାଷ୍ଟିକ ଚାଦରେ ଏକ ଅସ୍ଥାୟୀ କୁଡ଼ିଆ ପୁନଃ ନିର୍ମାଣ କରିସାରିଥିଲେ । ରମଜାନ ପର୍ଯ୍ୟନ୍ତ ଘରେ ଥିଲେ ଏବଂ ଲକଡାଉନ୍ କଟକଣା ଯୋଗୁଁ କାମକୁ ଫେରିବାକୁ ଅସମର୍ଥ ହୋଇଥିଲେ । ତାଙ୍କ ପାଖରେ ନିଜର ଚା’ ଦୋକାନ ପାଇଁ ଆଉ ଅର୍ଥ ନାହିଁ ।
ନଜରୁଲ ମୋଲ୍ଲା ଏବଂ ତାଙ୍କ ପରିବାର ଏବଂ ଅନ୍ୟମାନେ ମଧ୍ୟ ସେମାନଙ୍କ ଭଙ୍ଗା ଘରକୁ ପୁଣି ତିଆରି କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ସେମାନେ ଯେତିକି ସମ୍ଭବ ସେତିକିରେ ରହୁଛନ୍ତି ।
ଘୋରମରା ଦ୍ୱୀପର ଚୁନପୁରୀ ଗ୍ରାମରେ ୧୫ବର୍ଷ ବୟସ୍କ ୯ମ ଶ୍ରେଣୀ ଛାତ୍ର ଅଜଗର ଅଲ୍ଲୀ ଶାହା ପଚାରନ୍ତି, ‘‘କେତେଦିନ ତୁମେ ଦେଖିପାରିବ ତୁମର ଜମି ଖାଇଯାଉଛି ଏବଂ ଜୀବିକା ହଜିଯାଉଛି? ’’ ତାଙ୍କର ସମୁଦାୟ ଗାଁ ଏହି ବାତ୍ୟାରେ ବୁଡ଼ିଯାଇଥିଲା।
ଗୋସବା ବ୍ଲକ୍ର ତୁସଖାଲି-ଅମତାଲି ଦ୍ୱୀପର ପୁଇଁଜଲି ଗ୍ରାମ : ଏକର ଏକର ଚାଷ ଯୋଗ୍ୟ ଜମି ମେ’ ୨୦ ତାରିଖରେ ଅମ୍ଫାନ ବାତ୍ୟା ପରେ ଜଳମଗ୍ନ ହୋଇଯାଇଥିଲା ।
ପଥରପ୍ରତିମା ବ୍ଲକ୍ର ଗୋପାଳନଗର ଉତ୍ତର ଗ୍ରାମର ୪୬ ବର୍ଷ ବୟସ୍କା ଛବି ଭୁନିୟା ତାଙ୍କ ପିତା ସୁନ୍ଦର ସର୍ଦ୍ଦାରଙ୍କ ଏକ ଭଙ୍ଗା ଫଟୋ ଫ୍ରେମକୁ ଧରିଛନ୍ତି, ଯିଏ ୨୦୦୯ରେ ଆଇଲା ବାତ୍ୟା ସମୟରେ ସେମାନଙ୍କ ଘର ଭାଙ୍ଗିଯିବାରୁ ମୃତ୍ୟୁବରଣ କରିଥିଲେ
ନଜରୁଲ ମୋଲ୍ଲା କେରଳରେ ଜଣେ ରାଜମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ କୋଭିଡ୍-୧୯ ଲକ୍ଡାଉନ୍ କାରଣରୁ ମିନାଖାନ ବ୍ଲକ୍ରେ ଥିବା ଉଚିଲଦାହା ଗ୍ରାମକୁ ଅମ୍ଫାନର ପ୍ରାୟ ମାସେ ପୂର୍ବରୁ ଫେରିଆସିଥିଲେ ।
ଶୁଭଙ୍କର ଭୁନିୟା, ୧୪ ପୂର୍ବ ମେଦିନିପୁର ଜିଲ୍ଲାରେ ଏକ ଘେରିରେ ରାତି ଜଗୁଆଳୀ ଭାବରେ କାର୍ଯ୍ୟ କରନ୍ତି । ତାଙ୍କ ବାପା ବାବୁ ଭୁନିୟା, ୪୮ କେରଳରେ ଜଣେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।
ଘୋରମରା ଦ୍ୱୀପରେ ଥିବା ଚୁନପୁରୀ ଗ୍ରାମର ତାହୋମିନା ଖାତୁନ, ୨୧ ଆଶ୍ରୟ ଶିବିରରେ ଏକ କନ୍ଥା ତିଆରି କରୁଛନ୍ତି । ସେ ଉଚ୍ଚ ଜୁଆର ସମୟରେ ମୁରିଗଙ୍ଗା ନଈରୁ ଛୋଟ ଚିଙ୍ଗୁଡ଼ି ଧରନ୍ତି, ଯାହାଦ୍ୱାରା ସେ ଦିନକୁ ଟ୧୦୦ରୁ କମ୍ ଆୟ କରନ୍ତି । ତାଙ୍କ ପିତାମାତା ଆନ୍ଧ୍ରପ୍ରଦେଶରେ ଏକ ଘେରିରେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।
ଗୋସବା ବ୍ଲକ୍ର ରଙ୍ଗାବିଲ୍ଲା ଗାଁରେ ଜମୁନା ଜନା ଏବଂ ଅନ୍ୟମାନେ ଅମ୍ଫାନ ବାତ୍ୟା ପରେ ଏକ ସ୍ଥାନୀୟ ଅନୁଷ୍ଠାନ ପକ୍ଷରୁ ରାସନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ଗ୍ରହଣ କରିଥିଲେ।
ବାମ: ଗୋସବା ବ୍ଲକ୍ର ଛୋଟ ମୋଲ୍ଲା ଖାଲି ଦ୍ୱୀପର କାଳିଦାସପୁର ଗ୍ରାମର ମହିଳାମାନେ ଏକ ସ୍ଥାନୀୟ ଅନୁଷ୍ଠାନ ପକ୍ଷରୁ ରିଲିଫ୍ ସାମଗ୍ରୀ ସଂଗ୍ରହ କରି ଫେରୁଛନ୍ତି । ଡାହାଣ: ମୌସୁନି ଦ୍ୱୀପରେ ବାଲିୟାର ଗ୍ରାମରେ ଏକ ଉଚ୍ଚ ଜୁଆର ସମୟରେ ପିଲାମାନେ ଖେଳୁଛନ୍ତି । ସେମାନଙ୍କ ପିତାମାନେ ଉତ୍ତରାଖଣ୍ଡର ଧାନକ୍ଷେତରେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।
ଦକ୍ଷିଣ ୨୪ପ୍ରଗଣାର ପଥରପ୍ରତିମା ବ୍ଲକ୍ର ଗୋପାଳନଗର ଉତ୍ତରରେ ଏକ ଆଇଲା ବନ୍ଧରେ ପିଲାମାନେ ସେମାନଙ୍କ ମାଆମାନଙ୍କ ସହ ଘରକୁ ଫେରୁଛନ୍ତି। ଆଇଲା ବାତ୍ୟା ପରେ ସୁନ୍ଦରବନ ଅଞ୍ଚଳରେ ନଦୀଗୁଡ଼ିକ ଉପରେ ଅନେକ ବନ୍ଧ ନିର୍ମାଣ କରାଯାଇଥିଲା । ସ୍ଥାନୀୟ ଭାବରେ ସେଗୁଡ଼ିକୁ ଆଇଲା ବନ୍ଧ କୁହାଯାଏ ।
ଦକ୍ଷିଣ ୨୪ ପ୍ରଗଣାର କାକଦ୍ୱୀପ ବ୍ଲକ୍ର କାକଦ୍ୱୀପର ପୂର୍ଣ୍ଣିମା ମଣ୍ଡଳ, ୪୬ ପିଲାମାନଙ୍କ ସହ ତାଙ୍କ ଚାଳଘର ଆଗରେ ଛିଡ଼ା ହୋଇଛନ୍ତି । ତାଙ୍କ ସ୍ୱାମୀ ପ୍ରଭାସ ମଣ୍ଡଳ ୫୨ ମହାରାଷ୍ଟ୍ରର ନାସିକରେ ଜଣେ ନିର୍ମାଣ ଶ୍ରମିକ । ସେ ପ୍ରତିଦିନ ନିକଟସ୍ଥ ନଦୀଗୁଡ଼ିକରୁ ମାଛ ଏବଂ କଙ୍କଡ଼ା ଧରନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍