ମହଲ ଉପରେ ରାଜକୀୟ ପତାକା ନୂଆ ସୁଲତାନଙ୍କ ହୃଦୟର ସ୍ପନ୍ଦନ ଭଳି ଫଡ଼ଫଡ଼ ହୋଇ ଉଡ଼ୁଥିଲା, ଯିଏକି ସେଦିନ ଦ୍ୱିପ୍ରହରରେ ନିଜର ବିଳାସପୂର୍ଣ୍ଣ ଶଯ୍ୟାରେ ବିଶ୍ରାମ କରିବା ଲାଗି ଶୋଇ ରହିଥିଲେ। କ୍ଷମତାକୁ ଆସିବା ପରେ ସେ ସବୁ ବିଦ୍ରୋହକୁ ଗୋଟିଏ ପରେ ଗୋଟିଏ ଦଳିମକଚି ଦେଇଥିଲେ, ଓ ଏହିପରି ଏକ ରାଜବଂଶର ନିରଙ୍କୁଶ ଶାସନକୁ ସମାପ୍ତ କରି ଦେଇଥିଲେ। ନିଜର ବୀରତ୍ୱ ଉପରେ ତାଙ୍କର ଯଥେଷ୍ଟ ଭରସା ଥିଲା, ସେଥିପାଇଁ ଯୁଦ୍ଧଭୂମିକୁ ସେ ବିନା କବଚରେ ଯାଉଥିଲେ, ନିଜର ଖୋଲା ଛାତିକୁ ପିଟି, ଶିକାରୀ ପଶୁମାନଙ୍କ ସମ୍ପୂର୍ଣ୍ଣ ସେନାକୁ ସେ ଏକାକୀ ମୃତ୍ୟୁମୁଖରେ ପହଞ୍ଚାଇ ଦେଇଥିଲେ। ସେ ଭାବିଥିଲେ ଯେ ଏଗୁଡ଼ିକ ତ’ ସାମାନ୍ୟ କୀଟପତଙ୍ଗ, କିନ୍ତୁ ତାଙ୍କ ଚିନ୍ତାଧାରା ଠାରୁ ବିପରୀତ ଏଗୁଡ଼ିକୁ କାବୁ କରିବା ଅତ୍ୟନ୍ତ କଷ୍ଟକର ଥିଲା। ବାସ୍ତବରେ ସେ ଅତ୍ୟନ୍ତ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଥିଲେ, ଯାହା ପ୍ରତି ଥର ତାଙ୍କୁ ବିପଦକୁ ଅବଦମିତ କରିବାରେ ସହାୟକ ହେଉଥିଲା। କିନ୍ତୁ ଡିସେମ୍ବରର ହାୱା କ୍ରୁର ଥିଲା।

ବର୍ତ୍ତମାନ ଯେଉଁ ଜିନିଷର ଆବଶ୍ୟକତା ଥିଲା, ତାହା ଥିଲା ମେଟାରିଜିୟମ ଏନିସୋପଲିର ବିଶାଳ ଭଣ୍ଡାର। ଏହି ପରଜୀବୀ କବକ ସାରା ବିଶ୍ୱର ମାଟିରେ ସ୍ୱାଭାବିକ ଭାବେ ଉଠିଥାଏ ଏବଂ କୀଟଗୁଡ଼ିକୁ ନଷ୍ଟ କରିଦେଇଥାଏ। ଶୀର୍ଷ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ସମିତି ଘୋଷଣା କରି ଦେଇଥିଲା ଯେ ଏହି କୀଟଗୁଡ଼ିକୁ ମାରିବା ଲାଗି, ସେମାନଙ୍କୁ ଭିତରୁ ଖାଉଥିବା, ଏହି ପରଜୀବୀ କବକ ଶସ୍ତା, ଅଧିକ ପ୍ରଭାବୀ ଏବଂ ଦୀର୍ଘସ୍ଥାୟୀ ହୋଇପାରିବ। ପୂର୍ବରୁ ଧନୀ ସହଯୋଗୀମାନଙ୍କ ଦ୍ୱାରା ଭଣ୍ଡାରଣ ବ୍ୟବସ୍ଥା କରି ଦିଆଯାଇଛି। ଏବେ କେବଳ ଗୋଟିଏ ଆହ୍ୱାନ ଅଛି ଯେ ଯୁବକମାନଙ୍କର ଏକ ଗୋଷ୍ଠୀର ସନ୍ଧାନ କରାଯାଉ ଏବଂ ଏହି ଜୈବିକ କୀଟନାଶକଗୁଡ଼ିକ ଜରିଆରେ ସେହି କୀଟଗୁଡ଼ିକ ଉପରେ ଜୋରଦାର ପ୍ରହାର କରାଯାଉ।

ସନ୍ଧ୍ୟା ହୋଇସାରିଥିଲା, ଏବଂ ସେ ଥକିଯାଇଥିଲେ। ସେ ଚାହୁଁଥିଲେ ଯେ ତାଙ୍କର ମସ୍ତିଷ୍କ ଏବେ ବିଶ୍ରାମ ନେଉ, ଦୌଡ଼ିବା ବନ୍ଦ କରୁ। ଏହା କେବଳ ବିରୋଧ ପ୍ରଦର୍ଶନ କରୁଥିବା କୀଟମାନଙ୍କର ଲଗାତାର କୋଳାହଳ ନଥିଲା ଯାହା ପବନ ଉପରେ ଆକ୍ରମଣ କରି କବଜା କରିବା ଏବଂ ସବୁକିଛିକୁ ଏତେ ଅସହନୀୟ କରିବା ଲାଗି ଆସିଥିଲା। ଆହୁରି କିଛି ମଧ୍ୟ ଥିଲା, ଯାହା ତାଙ୍କୁ ଭିତରୁ ଯନ୍ତ୍ରଣା ଦେଉଥିଲା। ଏହା କ’ଣ ତାଙ୍କର ଅହଂକାର ଥିଲା? ସେ କ’ଣ ବାସ୍ତବରେ ଡରିଯାଇଥିଲେ? ନା ରାତିରେ କିଛି ହୋଇଯିବ ବୋଲି ଭାବି ସେ ଚିନ୍ତିତ ଥିଲେ? ତାଙ୍କୁ କ’ଣ ଏହି ଆଭାସ ମିଳିସାରିଥିଲା ଯେ ତାଙ୍କର ଶକ୍ତି ଦୁର୍ବଳ ହେବାକୁ ଯାଉଛି? ନିଜକୁ ଏହି ପ୍ରଶ୍ନ ପଚାରିବା ପୀଡ଼ାଦାୟକ ଥିଲା। ନିଜ ମସ୍ତିଷ୍କକୁ ଏଥିରୁ ମୁକ୍ତ କରିବା ଲାଗି ସେ ବେପରୁଆ ଭାବେ ଝରକା ବାହାରକୁ ଦେଖିଲେ। କଳା ଦିଗନ୍ତରେ ଅସ୍ତଗାମୀ ସୂର୍ଯ୍ୟ ଅଶୁଭ ପ୍ରତୀତ ହେଉଥିଲା।

ସୁଧନ୍ୱା ଦେଶପାଣ୍ଡେଙ୍କ କବିତା ଆବୃତି ଶୁଣନ୍ତୁ

llustration: Labani Jangi, originally from a small town of West Bengal's Nadia district, is working towards a PhD degree on Bengali labour migration at the Centre for Studies in Social Sciences, Kolkata. She is a self-taught painter and loves to travel.
PHOTO • Labani Jangi

ଚିତ୍ରଣ : ଲାବଣୀ ଜାଙ୍ଗୀ ମୂଳତଃ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାସ୍ଥିତ ଏକ ଛୋଟ ସହର ବାସିନ୍ଦା, ବର୍ତ୍ତମାନ ସେ କୋଲକାତାର ସେଣ୍ଟର ଫର ଷ୍ଟଡିଜ୍ ଇନ ସୋଶାଲ ସାଇନ୍ସେସରୁ ବଙ୍ଗୀୟ ଶ୍ରମିକମାନଙ୍କ ପ୍ରବାସ ଉପରେ ପିଏଚଡି କରୁଛନ୍ତି। ସେ ଆପେ ଆପେ ଶିଖିଥିବା ଜଣେ ଚିତ୍ରକର ଅଟନ୍ତି ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି।

ପଙ୍ଗପାଳଙ୍କ ଦଳ

ୟେ କେମିତି ପଙ୍ଗପାଳଗୁଡ଼ିକ?
କେତେବଡ଼ ଏମାନଙ୍କ ଦଳ
ଆକାଶକୁ ଗହମ ଭଳି ସ୍ୱର୍ଣ୍ଣିମ କରିଛନ୍ତି,
ସାମ୍ରାଜ୍ୟ ଉପରେ,
ଆଶାର ଲମ୍ବା ସଡ଼କରେ ଶୋଭାଯାତ୍ରା କରୁଛନ୍ତି!
ଯେଉଁମାନେ ଉଡ଼ୁଛନ୍ତି
କଣ୍ଟାଯୁକ୍ତ ତାରର ଜାଲ ଅତିକ୍ରମ କରି
ଯେଉଁମାନଙ୍କର ଛୋଟ ଛୋଟ ଶୁଣ୍ଢ
ବ୍ୟାରିକେଡ୍‌କୁ ଭାଙ୍ଗି ଦେଉଛି
ଯେଉଁମାନେ ସେହି ଖାଲଗୁଡ଼ିକୁ ଡେଇଁ ଯାଉଛନ୍ତି
ଯାହାକୁ ଫସାଇବା ଓ ପୋତିଦେବା ପାଇଁ ଖୋଳାଯାଇଛି।

ସେମାନଙ୍କର ଦୁର୍ବଳ ଛାତି
ସାମ୍ନା କରୁଅଛି
ପ୍ରଖର ପାଣି ମାଡ଼କୁ
ସେମାନେ ପ୍ରତୀକ୍ଷା କରି ରହିଛନ୍ତି
ଶୀତ ଲହରୀରେ
କୁହୁଡ଼ିଆ ଶୀତୁଆ ସନ୍ଧ୍ୟାରେ
ଖଟା ହୋଇସାରିଥିବା କାକର ବୁନ୍ଦାର ସେହି ଗନ୍ଧ
ସେମାନେ ପ୍ରତୀକ୍ଷା କରିଅଛନ୍ତି
ସକାଳର ଆଲୋକକୁ
ବିପ୍ଳବର ଅଙ୍ଗାର
ଚମକୁଛି ସେମାନଙ୍କ ଆଖିରେ।

ନା ଢୋଲର ଶବ୍ଦ
ନା ବାଣର
ନା ନିମ୍ବ ପତ୍ରର ଧୂଆଁ
କରିପାରେ ଭୟଭୀତ କିମ୍ବା ବିଚଳିତ
ପଙ୍ଗପାଳଙ୍କର ଏହି ଭାରୀ ଭିଡ଼କୁ
ଲମ୍ବା ରାତିରେ
ବଢ଼ିଚାଲିଛି ବିରୋଧର ଗୀତ
ସେମାନଙ୍କ ଡେଣା ତଳେ
ପବନକୁ ଉତ୍ତେଜିତ କରି
ତିଆରି କରୁଛନ୍ତି ଛୋଟ ଛିଦ୍ର
ତାରପଲିନର ଚଦରରେ
ଯାହା ସଡ଼କରେ ବିଛା ହୋଇଛି
ଏବଂ ମହଲର ଛାତ ଉପରେ
ପଙ୍ଗପାଳଙ୍କ ଦଳ ଦ୍ୱାରା
ସାମ୍ରାଜ୍ୟ ଉପରେ ଆକ୍ରମଣ କରିବା ପୂର୍ବରୁ।


ଅଡ଼ିଓ : ସୁଧନ୍ୱା ଦେଶପାଣ୍ଡେ ଜନ ନାଟ୍ୟ ମଞ୍ଚର ଜଣେ ଅଭିନେତା ଓ ନିର୍ଦ୍ଦେଶକ ତଥା ଲେଫ୍ଟୱର୍ଡ ବୁକ୍ସର ସମ୍ପାଦକ ଅଟନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a poet and a translator who works across Gujarati and English. She also writes and translates for PARI.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE