କମଲ ସିନ୍ଦେଙ୍କ ଦୁଇ ବଖରା ଘରେ ସଂଗୃହୀତ ହୋଇ ରହିଛି ୧୫୦ କିଲୋ ଚାଉଳର ଏକ ବସ୍ତା, ୧୦୦ କିଲୋ ଅଟାର ଏକ ବସ୍ତା, ୩୦ କିଲୋ ଆଳୁ ଏବଂ ୫୦ କିଲୋ ପିଆଜ । ୫୫ ବର୍ଷୀୟ କମଲ କହନ୍ତି, “ଏହି ଖାଦ୍ୟ ସମସ୍ତଙ୍କ ପାଇଁ’’, “ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଦିନକର ଭୋଜନ ସାଙ୍ଗରେ ନେଇ ଯାଉଛନ୍ତି ଏବଂ ବାକି ଦିନଗୁଡ଼ିକରେ ଆମେ ବାଟରେ (ରାସ୍ତା କଡ଼ରେ) ରୋଷେଇ କରିବୁ।”
ଏହି ପ୍ରତିବାଦର ପ୍ରମୁଖ ଆୟୋଜନକାରୀ ସଂସ୍ଥା ଅଖିଳ ଭାରତ କିଷାନ ସଭାର ଡିଣ୍ଡୋରି ତାଲୁକା ସଂଯୋଜକ ଆପ୍ପା ବତାନେ କହନ୍ତି, ତାଙ୍କ ଗାଁର ପ୍ରାୟ ୩୦-୪୦ ଜଣ ଚାଷୀଙ୍କ ଦାନରୁ ଏସବୁ ଖାଦ୍ୟଦ୍ରବ୍ୟ ସଂଗୃହୀତ ହୋଇଛି ଏବଂ ସେମାନେ ଗତକାଲି (ଫେବ୍ରୁଆରୀ ୨୦) ଆରମ୍ଭ କରିଥିବା ପଦଯାତ୍ରା ଅବସରରେ ଏହାକୁ ରାନ୍ଧିଖାଇବେ ।


ବାମ : ପଦଯାତ୍ରା ବେଳେ ସାଙ୍ଗରେ ନେବା ପାଇଁ ବାସନକୁସନ ଧୋଉଛନ୍ତି କମଲ ସିନ୍ଦେ, ଡାହାଣ: ପ୍ରତିବାଦ ଦିନଗୁଡ଼ିକ ପାଇଁ ଚାଷୀମାନେ ଖାଦ୍ୟଶସ୍ୟ ଏକାଠି କରୁଛନ୍ତି ।
ରାନ୍ଧିବା ପାଇଁ ବଡ଼ ବଡ଼ ବାସନକୁସନ, ପାଣି ରଖିବା ପାଇଁ ଡ୍ରମ୍, କାଠ, କେରପାଲ ଖଣ୍ଡ ଏବଂ ଶୋଇବା ପାଇଁ ବିଛଣା ମଧ୍ୟ ଆୟୋଜକ ଏବଂ ପଦଯାତ୍ରୀମାନଙ୍କ ଦ୍ଵାରା ସଂଗ୍ରହ କରାଯାଇଛି। ନାସିକ୍ ଜିଲ୍ଲା ଡିଣ୍ଡୋରି ତାଲୁକାର ପ୍ରାୟ ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ଡିଣ୍ଡୋରି ଗାଁ ଲୋକେ ମାସେ ହେଲା ଏହି ପଦଯାତ୍ରା ପାଇଁ ଏ ସମସ୍ତ ପ୍ରସ୍ତୁତି କରିଆସୁଛନ୍ତି ।
ସେମାନଙ୍କ ମଧ୍ୟରେ ଅଛନ୍ତି ୫୮ ବର୍ଷୀୟା ଲୀଲାବାଇ ୱାଘେ । ଗତକାଲି ଦିନ ପ୍ରାୟ ୧୦ଟା ବେଳେ ସେ ମଧ୍ୟ ୩୦ଟି ରୁଟି ସହିତ ଖୁରାସାନି ଚଟଣିକୁ କପଡ଼ା ଗୁଡ଼ାଇ ପ୍ୟାକ୍ କରିଲେ । ନାସିକ୍ରୁ ମୁମ୍ବାଇ ପଦଯାତ୍ରା ସମୟରେ ଆସନ୍ତା ଦୁଇ ଦିନ ପାଇଁ ଏହା ହିଁ ହେବ ତାଙ୍କର ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀଭୋଜନ ।


ପଦଯାତ୍ରା ପାଇଁ ଲୀଲାବାଇଙ୍କ ରୁଟି ଓ ଚଟଣି
ତାଙ୍କର, ଏବଂ ତାଙ୍କ ଗାଁର ଅନ୍ୟ ଚାଷୀମାନଙ୍କର, ଦାବିଗୁଡ଼ିକ ମଧ୍ୟରେ ରହିଛି, ଜମିଜମା ଅଧିକାର, ବିଭିନ୍ନ ଫସଲ ପାଇଁ ନ୍ୟୂନତମ ସମର୍ଥନ ମୂଲ୍ୟ, ଜଳସେଚନ ସୁବିଧା, କୃଷକମାନଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ଏବଂ ଋଣଛାଡ଼ । ସେହି ସବୁ ଦାବି ନେଇ ସେହି ଦୁଇଟି ସହର ମଧ୍ୟରେ ଗତ ବର୍ଷ ଆୟୋଜିତ କୃଷକମାନଙ୍କର ଦୀର୍ଘ ପଦଯାତ୍ରାରେ ଭାଗ ନେଇଥିଲେ ଲୀଲାବାଇ । ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ଵେ ସେଗୁଡ଼ିକ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ପୂରଣ ହୋଇପାରିନାହିଁ ।
ଡିଣ୍ଡୋରିରେ ତାଙ୍କ ଦୁଇ ବଖରା କୁଡ଼ିଆ ଭିତର ମାଟି ଚୁଲି ପାଖରେ ବସି କପଡ଼ାରେ ରୁଟିଗୁଡ଼ିକୁ ପୁଡ଼ିଆ ବାନ୍ଧିବା ବେଳେ ଲୀଲାବାଇ କହନ୍ତି, “ଆମେ ସେଠାରେ (ମୁମ୍ବାଇରେ) ରହିବାକୁ ଯାଉଛୁ । ସରକାର ଆମ ଦାବିଗୁଡ଼ିକ ପୂରଣ ନ କରିବା ପର୍ଯ୍ୟନ୍ତ ଆମେ ହଲିବୁ ନାହିଁ । ମୁଁ ଗତ ବର୍ଷ ମଧ୍ୟ ଏଥିରେ ଭାଗ ନେଇଥିଲି, କିନ୍ତୁ ସରକାର ଆମ ଦାବିଗୁଡ଼ିକୁ ପୂରଣ କରିନାହାନ୍ତି ।”


ନାସିକ୍ ଅଭିମୁଖେ ଡିଣ୍ଡୋରି ଗାଁର ଚାଷୀମାନେ
ଲୀଲାବାଇ ଅଧିସୂଚିତ ଜନଜାତି ମହାଦେବକୋଲି ସଂପ୍ରଦାୟର।୨୦୧୮ରେ ବନବିଭାଗର ଏକ ଏକର ଜମିରେ ସେ ଚୀନାବାଦାମ ଚାଷ କରିଥିଲେ । ବର୍ଷା ଅଭାବରୁ ପୂରା ଫସଲ ନଷ୍ଟ ହୋଇଗଲା ।
ସେ କହନ୍ତି, “ବର୍ଷ ବର୍ଷ ଧରି ମୁଁ ଏହି ଜମି ଚାଷ କରିଆସୁଛି। ଆମଭଳି ଛୋଟ ଚାଷୀମାନେ ଏହି ଜମିର ସଂପୂର୍ଣ୍ଣ ଅଧିକାର ପାଇବା ଉଚିତ । ଆମେ କେମିତି ବଞ୍ଚିବୁ ? ସରକାର ଆମ ବିଷୟରେ ଚିନ୍ତା କରିବା ଉଚିତ।” ଡିଣ୍ଡୋରି ଗାଁର ଅଧିକାଂଶ ଚାଷୀ ମହାଦେବ କୋଲି ସଂପ୍ରଦାୟର । ଜଙ୍ଗଲ ଜମିରେ ସେମାନେ ଗହମ, ବାଜରା, ପିଆଜ ଓ ଟମାଟୋ ଚାଷ କରନ୍ତି ।୨୦୦୬ର ଜଙ୍ଗଲ ଅଧିକାର ଆଇନ ବଳରେ ଜମି ଅଧିକାର ପାଇଁ ସେମାନେ ଦୀର୍ଘକାଳ ଧରି ଦାବି କରିଥିଲେ ।

ପଦଯାତ୍ରା ସମୟରେ ସେମାନଙ୍କର ଭୋଜନ ହେବ ଡିଣ୍ଡୋରି ଗାଁର କୃଷକମାନଙ୍କ ଦ୍ଵା ରା ସଂଗୃହୀତ ଏସବୁ ଖାଦ୍ୟ ସାମଗ୍ରୀ
ଫେବ୍ରୁଆରୀ ୨୦ ତାରିଖ ଦିପହର ବେଳେ, ଡିଣ୍ଡୋରି ଗାଁର ଚାଷୀମାନେ ଗୋଟିଏ ଟେମ୍ପୋରେ ଶସ୍ୟ ବସ୍ତା, ବାସନକୁସନ ଏବଂ ସେମାନଙ୍କର ଜିନିଷପତ୍ର ବୋଝେଇ କଲେ। ତା’ପରେ ସେଠାରୁ ୧୩ କିଲୋମିଟର ଦୂର ଧାକାମ୍ବେ ଟୋଲ୍ ନାକା ଯିବାକୁ ସେମାନେ ବାହାରିଲେ । ସେମାନଙ୍କ ମଧ୍ୟରୁ କେତେ ଜଣ ସେହି ଟେମ୍ପାରେ ଏବଂ ଅନ୍ୟମାନେ ଭଡ଼ା ଭାଗ କରି ଟ୍ୟାକ୍ସିରେ କିମ୍ବା ରାଜ୍ୟ ପରିବହନ ବିଭାଗ ବସ୍ରେ ଗଲେ । ଅପରାହ୍ଣ ୨ଟାରେ ସେଠାରୁ ୧୫ କିଲୋମିଟର ଦୂର ନାସିକ୍ ଅଭିମୁଖେ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ କରିବା ପୂର୍ବରୁଡିଣ୍ଡୋରି ତାଲୁକାର ଅନେକ ଗାଁରୁ ଆସିଥିବା ଚାଷୀମାନେ ସେହି ନାକାରେ ଏକତ୍ର ହେଲେ ।
ଦୃଢ଼ପ୍ରତିଜ୍ଞ କମଲ କହନ୍ତି, “ସରକାର ଯଦି ଆମକୁ ପଦଯାତ୍ରା କରାଇ ନ ଦିଅନ୍ତି, ଆମେ ସେଠାରେ (ନାସିକ୍ରେ) ବସି ରହିବୁ ଏବଂ ସରକାର ଆମ ଦାବି ପୂରଣ କରିବା ପର୍ଯ୍ୟନ୍ତ ପ୍ରତିବାଦ କରିବୁ।” ୨୦୧୮ର ଦୀର୍ଘ ପଦଯାତ୍ରାରେ ମଧ୍ୟ ସେ ଭାଗ ନେଇଥିଲେ। ତାଙ୍କ ପରିବାର ପାଞ୍ଚ ଏକର ଜଙ୍ଗଲ ଜମି ଚାଷ କରନ୍ତି, ଯେଉଁଥିରୁ କେବଳ ଗୋଟିଏ ଏକର ଜମି ସେମାନଙ୍କ ନାଁରେ କରାଯାଇଛି ।
ମହାରାଷ୍ଟ୍ରର ପାଖାପାଖି ୨୦ଟି ଜିଲ୍ଲାର ଆନୁମାନିକ ୫୦,୦୦୦ କୃଷକଙ୍କ ମଧ୍ୟରେ ଅଛନ୍ତି ଲୀଲାବାଇ ଏବଂ କମଲ । ବାସ୍ତବରେ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ କରିବେ ବୋଲି ଆଶା ନେଇ ସେମାନେ ଏହି ସପ୍ତାହରେ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନକୁ (ଯଦିଚ ପଦଯାତ୍ରା ପାଇଁ ଅନୁମତି ଏବେ ବି ଅନିଶ୍ଚିତ) ଯାତ୍ରା କରିବେ ।

ଡିଣ୍ଡୋରିର ମହିଳା ଚାଷୀମାନେ କହନ୍ତି, “ଶୃଙ୍ଖଳା ହିଁ ଆମର ଶକ୍ତି ଏବଂ ଆମର ପଦଯାତ୍ରା କାହାରିକୁ ଅସୁବିଧାରେ ପକାଇନାହିଁ । ”