ମଇ ୨୬ ତାରିଖ ଦିନ ସାମୁଦ୍ରିକ ଜୁଆରରେ ଜଳମଗ୍ନ ହୋଇଥିବା ସୁନ୍ଦରବନରେ ଥିବା ମୌସୁନି ଦ୍ୱୀପରେ ନିଜ ଘର ହରାଇଥିବା କୃଷକ ଅଯହର ଖାନ୍ କୁହନ୍ତି, "ଆହ୍ଲା ଆମକୁ ବାରମ୍ବାର ମାରିବା ଅପେକ୍ଷା ଏକା ଥରକେ ମାରିଦେଇ ଥାଆନ୍ତେ"।
ଅପରାହ୍ନରେ ଉଚ୍ଚ ଜୁଆର ସହିତ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଝଡବାତ୍ୟା ମୁରିଗଙ୍ଗା ନଦୀରେ ଉଚ୍ଚ ତରଙ୍ଗ ଆଣିଥିଲା ଯାହାକି ସାଧାରଣ ତରଙ୍ଗଠାରୁ ୧-୨ ମିଟର ଅଧିକ ଉଚ୍ଚ ଥିଲା। ବନ୍ୟାଜଳ ନଦୀବନ୍ଧକୁ ଭାଙ୍ଗି ଦ୍ୱୀପର ତଳିଆ ଅଞ୍ଚଳରେ ପଶିଯାଇ ଘର ଓ କ୍ଷେତଗୁଡିକୁ ନଷ୍ଟ କରିଦେଇଥିଲା।
ମୌସୁନିର ଦକ୍ଷିଣ-ପଶ୍ଚିମରେ ୬୫ ନାଟିକାଲ୍ ମାଇଲ୍ ଦୂରରେ ଥିବା ଓଡିଶାର ବାଲେଶ୍ୱରରେ ଯେତେବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା, ସେତେବେଳେ ମଇ ୨୬ ତାରିଖ ମଧ୍ୟାହ୍ନର ଠିକ୍ ପୂର୍ବରୁ ଏହି ୟାସ୍ ବାତ୍ୟା ଦ୍ୱାରା ଝଡ ପ୍ରବାହିତ ହେଲା। ଏହି ଅତି ଭୀଷଣ ଘୂର୍ଣ୍ଣିବାତ୍ୟାର ଘଣ୍ଟା ପ୍ରତି ବେଗ ୧୩୦-୧୪୦ କିଲୋମିଟର ଥିଲା।
ବାଗଦଙ୍ଗା ମୌଜା(ଗାଁ)ର ମଜୁରା ବିବି କୁହନ୍ତି, "ଆମେ ଝଡ ଆସିବାର ଦେଖିଲୁ ଏବଂ ଭାବିଲୁ ଆମର ଆସବାପତ୍ର ସ୍ଥାନାନ୍ତର କରିବାକୁ ଆମ ପଖରେ ସମୟ ଅଛି, କିନ୍ତୁ ଗାଁ ଭିତରକୁ ହଠାତ୍ ପାଣି ପଶିଆସିଲା"। ସେ ମୌସୁନିର ପଶ୍ଚିମରେ ଥିବା ମୁରିଗଙ୍ଗା ନଦୀର ସେତୁବନ୍ଧ ନିକଟରେ ରୁହନ୍ତି। "ଆମେ ଜୀବନ ବିକଳରେ ଦୌଡିଲୁ, କିନ୍ତୁ ଆମେ ଆମ ଜିନିଷପତ୍ରଗୁଡିକୁ ରକ୍ଷା କରିପାରିଲୁ ନାହିଁ। ଆମମାନଙ୍କ ମଧ୍ୟରୁ ଅନେକ ନିଜ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢିଗଲେ।"
ଲଗାଣବର୍ଷା କାରଣରୁ ଏହି ଦ୍ୱୀପର ଚାରୋଟି ଗାଁ ଯଥା-ବଗଦଙ୍ଗା, ବାଲିଆରା, କୁସୁମତାଳ ଏବଂ ମୌସୁନିକୁ ତିନିଦିନ ହେବ ବୋଟ୍ ଓ ଲଞ୍ଚ ସେବା ବନ୍ଦକରି ଦିଆଯାଇଥିଲା। ମଇ ୨୯ ତାରିଖ ଦିନ ସକାଳେ ମୁଁ ଯେତେବେଳେ ମୌସୁନିରେ ପହଁଞ୍ଚିଲି ଏହାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇସାରିଥିଲା।
ଅଭିଳାଷ ସର୍ଦାର ଯାହାକୁ ମୁଁ ବାଗଦଙ୍ଗା ଆଶ୍ରୟସ୍ଥଳରେ ଭେଟିଲି କହିଲେ, "ମୋର ଜମିଟି ଲୁଣି ପାଣି ତଳେ ଅଛି"। ସେ କହିଲେ, "ଆମେ କୃଷକମାନେ ଆମର ଜୀବିକା ହରାଇ ସାରିଛୁ"। “ମୁଁ ମୋ ଚାଷଜମିରେ ଆଗାମୀ ତିନି ବର୍ଷ ଯାଏ ଆଉ ଚାଷ କରିପାରିବି ନାହିଁ। ଏହା ପୁଣିଥରେ ଉର୍ବର ହେବା ପାଇଁ ଆଉ ସାତବର୍ଷ ପର୍ଯ୍ୟନ୍ତ ସମୟ ନେଇପାରେ"।

ବାତ୍ୟା ପ୍ରବାହିତ ହେବା ସମୟରେ ଗାୟେନ ପରିବାର ବାଗଦଙ୍ଗା ଥିବା ତାଙ୍କର ଘରଟିକୁ ହରାଇଲେ। "ଆମ ଘରଟି ଭାଙ୍ଗି ଯାଇଛି, ତୁମେ ଏହାର ଅବସ୍ଥା ଦେଖିପାରିବ। ଆମେ ଭଙ୍ଗା ଘରୁ କିଛି ବି ପୁନରୁଦ୍ଧାର କରିପାରିଲୁ ନାହିଁ।"
ପଶ୍ଚିମବଙ୍ଗର ୨୪ ପ୍ରଗାଣା ଜିଲ୍ଲାର ନାମ୍ଖାନା ବ୍ଲକରେ ସମୁଦ୍ର ଓ ନଦୀମାନଙ୍କ ଦ୍ୱାରା ଘେରିହୋଇ ରହିଥିବା ମୌସୁନି ଦ୍ୱୀପ ଉପରେ ପଡୁଥିବା ଲଗାତାର ବିପତ୍ତିର ସଦ୍ୟତମ ଉଦାହରଣ ହେଉଛି ୟାସ୍ର ତାଣ୍ଡବ।
ଏକ ବର୍ଷ ପୂର୍ବରୁ-୨୦୨୦ ମସିହା ମଇ ୨୦ -ତାରିଖ ଦିନ ଅମ୍ଫନ ବାତ୍ୟା ସୁନ୍ଦରବନକୁ ଧ୍ୱଂସ କରିଦେଇଥିଲା। ପୂର୍ବରୁ ବାତ୍ୟା ବୁଲବୁଲ (୨୦୧୯) ଏବଂ ଆଇଲା(୨୦୦୯)ରେ ଏହି ଦ୍ୱୀପରେ ଧ୍ୱଂସର ତାଣ୍ଡବ ଲୀଳ ରଚିଥିଲା। ଆଇଲା ବାତ୍ୟା ମୌସୁନିର ୩୦-୩୫ ପ୍ରତିଶତ ଚାଷ ଜମିକୁ ନଷ୍ଟ କରିଦେଇଥିଲା, ଏହା ଜମିରେ ଲବଣାଂଶ ବୃଦ୍ଧି କରି ଦକ୍ଷିଣ ଉପକୂଳର ଅଧିକାଂଶ ଅଞ୍ଚଳର ଚାଷଜମିକୁ କୃଷି ଅନୁପଯୋଗୀ କରିଦେଇଥିଲା।
ବିଶେଷଜ୍ଞମାନେ ହୃଦୟଙ୍ଗମ କରିଥିଲେ ଯେ ଭୂପୃଷ୍ଠର ଉତ୍ତାପ ବୃଦ୍ଧି କେବଳ ଗ୍ଲୋବାଲ୍ ୱାର୍ମିଂର ସୂଚକ ନୁହେଁ, ଆହୁରି ମଧ୍ୟ ଉପକୂଳ ଅଞ୍ଚଳର ତାପମାତ୍ରାରେ ବୃଦ୍ଧି ଯାହାକି ବଙ୍ଗୋପସାଗରରେ ବାତ୍ୟାଗୁଡିକୁ ତୀବ୍ରତର ହେବାପାଇଁ ଶକ୍ତି ଯୋଗାଏ। ଭାରତୀୟ ପାଣିପାଗ ବିଭାଗର (ଆଇଏମ୍ଡି) ୨୦୦୬ ମସିହାର ଏକ ଅଧ୍ୟୟନରୁ ଜଣାଯାଏ, ଏହି ତୀବ୍ର କରିବା ପ୍ରକ୍ରିୟାର ହାର ମଇ, ଅକ୍ଟୋବର ଓ ନଭେମ୍ବର ମାସଗୁଡିକରେ ବୃଦ୍ଧିପାଇ ଏହାକୁ ଏକ ଅତି ଭୀଷଣ ଘୂର୍ଣ୍ଣିବାତ୍ୟାରେ ପରିଣତ କରୁଛି।
ଶାରଳା ଦାସ ଯିଏକି ବାଗଦଙ୍ଗାରେ ପାଞ୍ଚ ଏକର ଜମି ମାଲିକ କୁହନ୍ତି, ୟାସ୍ ପୂର୍ବରୁ ଏହି ଦ୍ୱୀପର ୭୦ ପ୍ରତିଶତ ଜମି ଯାହାକି ପ୍ରାୟ ୬୦୦୦ ଏକରରୁ ଅଧିକ ହେବ କୃଷି ଉପଯୋଗୀ ଥିଲା। "ଏବେ ମାତ୍ର ୭୦-୮୦ ଏକର ଜମି ଶୁଖିଲା ଅଛି"।
ଶାରଳା ଦାସ ଯିଏକି ମଧ୍ୟ ବାଗଦଙ୍ଗା ସମବାୟ ସ୍କୁଲରେ କାମ କରନ୍ତି, କୁହନ୍ତି, ଏହି ବାତ୍ୟାରେ ଦ୍ୱୀପର ପ୍ରାୟ ସମସ୍ତ ୨୨,୦୦୦ ଜନସାଧାରଣ (୨୦୧୧ ଜନଗଣନା ଅନୁସାରେ) କ୍ଷତିଗ୍ରସ୍ତ ହୋଇଛନ୍ତି। ସେ କୁହନ୍ତି, "ଏହି ଦ୍ୱୀପର ପାଖାପାଖି ୪୦୦ଟି ଘର ସମୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଛି ଓ ୨୦୦୦ଟି ଘର ଭାଙ୍ଗିଯାଇଛି"। ଏହାର ସମସ୍ତ ପଶୁ ସମ୍ପଦ, କୁକୁଡା ଓ ମତ୍ସ୍ୟ ସଂପଦ ହଜିଯାଇଛନ୍ତି।"

ବାଗଦଙ୍ଗାର ଜଣେ ବ୍ୟକ୍ତି ଜଳମଗ୍ନ ଧାନକ୍ଷେତ ମଧ୍ୟରେ ପାଣି ଭର୍ତ୍ତି ଡ୍ରମ ଟାଣିକରି ନେଉଛନ୍ତି
ଏହି ଝଡ ପରେ ମୌସୁନିରେ ପିଇବା ପାଣିର ମୁଖ୍ୟ ଉତ୍ସଥିବା ନଳକୂପଗୁଡିକର ବ୍ୟବହାର କରିବା କଷ୍ଟକର ଥିଲା। ଜୟନାଲ ସର୍ଦାର କୁହନ୍ତି, "ଅନେକ ନଳକୂପ ପାଣିରେ ବୁଡି ରହିଥିଲା। ଆମେ ନିକଟସ୍ଥ ନଳକୂପ ପାଖରେ ପହଁଚିବା ପାଇଁ ପ୍ରାଯ ପାଞ୍ଚ କିଲୋମିଟର ଅଣ୍ଟାଯାଏଁ ପଙ୍କଥିବା ରାସ୍ତାରେ ଚାଲିକରି ଯାଉ"।
ଜ୍ୟୋତିରିନ୍ଦ୍ରନାରାୟଣ ଲାହିରି ଯିଏକି ଯଣେ ପରିବେଶବିତ୍ ଓ ସୁନ୍ଦରବନ ଓ ଏହାର ଜନସାଧାରଣଙ୍କ ଉପରେ ପ୍ରକାଶିତ ତ୍ରୈମାସିକ ପତ୍ରିକା ସୁଧୁ ସୁନ୍ଦରବନ ଚର୍ଚ୍ଚା ର ସମ୍ପାଦକ, କୁହନ୍ତି, ମୌସୁନିର ଲୋକମାନଙ୍କୁ ଏହି ବିପତ୍ତିମାନଙ୍କ ସହ ବଞ୍ଚିବା ଶିଖିବାକୁ ପଡିବ। "ସେମାନଙ୍କୁ ବଞ୍ଚିବା ପାଇଁ ନୂଆ କୌଶଳଗୁଡିକୁ ଗ୍ରହଣ କରିବାକୁ ପଡ଼ିବ, ଯେପରିକି ବନ୍ୟା ସହ୍ୟ କରିପାରୁଥିବା ଘର ତିଆରି କରିବା।"
ଲାହିରି କୁହନ୍ତି, ମୌସୁନି ପରି ବିପତ୍ତି-ପ୍ରବଣ ଅଞ୍ଚଳରେ ଲୋକମାନେ ସରକାରଙ୍କ ସହାୟତା ଉପରେ ନିର୍ଭର କରନ୍ତି ନାହିଁ। "ସବୁବେଳେ ପ୍ରସ୍ତୁତ ରହିଥିବାରୁ ସେମାନେ ସୁରକ୍ଷିତ ରୁହନ୍ତି।"
ପଶ୍ଚିମବଙ୍ଗ ସରକାର ଆକଳନ କରିଛନ୍ତି ଯେ ସାରା ରାଜ୍ୟରେ ପ୍ରାୟ ୯୬୬୫୦ ହେକ୍ଟର (୨୩୮୮୩୦ ଏକର) ଚାଷ ହୋଇଥିବା ଜମିରେ ପାଣି ମାଡିଯାଇଛି। ମୌସୁନି ଯେଉଁଠିକି କୃଷି ହେଉଛି ଜୀବିକାର ମୁଖ୍ୟ ଉତ୍ସ, ଏବେ ଏଠାରେ ଅବସ୍ଥା ଆହୁରି ଶୋଚନୀୟ ହେବ ଯେହେତୁ ଏହାର ପ୍ରାୟ ଅଧିକାଂଶ ଉର୍ବର ଜମିରେ ଲୁଣିପାଣି ମାଡି ଯାଇଛି।
ଏବଂ ଯେତେବେଳେକି ଏହି ଦ୍ୱୀପବାସୀସମୂହ ୟାଶ୍ର ତାଣ୍ଡବରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି, ଭାରତୀୟ ପାଣିପାଗ ବିଭାଗ ଜୁନ୍ ୧୧ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ବାତ୍ୟାର ପୂର୍ବାନୁମାନ କରିଛନ୍ତି, ଯାହାକି ସୁନ୍ଦରବନରେ ପ୍ରବଳ ବର୍ଷା କରାଇବ।
ଯାହାହେଉ ବାଗଦଙ୍ଗାରେ ବିବିଜାନ ବିବିଙ୍କର ଆଉ ଏକ ଅତି ଜରୁରୀ ଆଶଙ୍କା ରହିଛି। ସେ କୁହନ୍ତି,"ପାଣି କମିଯିବା ମାତ୍ରେ ଗୋଖର ସାପ (ଭାରତୀୟ ଗୋଖର) ଆମ ଘର ମଧ୍ୟକୁ ପ୍ରବେଶ କରିବେ। ଆମେମାନେ ଆତଙ୍କିତ ଅବସ୍ଥାରେ ଅଛୁ।"

ନିରଞ୍ଜନ ମଣ୍ଡଳ ନିଜ ପରିବାର ପାଇଁ ଏକ ନଳକୂପରୁ ପିଇବା ପାଣି ଆଣି କାଦୁଅ ମଧ୍ୟରେ ଚାଲିକରି ଆସୁଛନ୍ତି

ନାମଖାନାର ପ୍ରତିମା ମଣ୍ଡଳ କୁହନ୍ତି, "ମୋ ଝିଅ ମୌସୁନିରେ ରୁହେ। କିଛି ଦିନ ହେବ ମୁଁ ତା ସହ ଫୋ ନ୍ରେ କଥା ହୋଇ ପାରୁନାହିଁ"। ସେ ନିଶ୍ଚିତ ଯେ ତାର ଘର ପାଣିରେ ବୁଡି ଯାଇଛି। “ମୁଁ ସେଠାକୁ ତା ବିଷୟରେ ଜାଣିବାକୁ ଯାଉଛି"

ମୌସୁନି ଦ୍ୱୀପକୁ ପରିବହନର ଏକମାତ୍ର ମାଧ୍ୟମ ହେଉଛି ନୌକା ଓ ବୋ ଟ୍ ଗୁଡିକ। ୟାସ୍ ବାତ୍ୟା ପାଇଁ ନାମଖାନାରୁ ସେବାଗୁଡିକୁ ତିନିଦିନ ହେଲାଣି ବନ୍ଦ କରିଦିଆଯାଇଛି। ମେ ୨୯ ତାରିଖରୁ ନୌକାଗୁଡିକ ଚାଲିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଗଲେ

ମୌସୁନିର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଏକ ପରିବାର ନିଜ ଗୃହପାଳିତ ପଶୁଗୁଡିକୁ ନିରାପଦରେ ବାଗଦଙ୍ଗାକୁ ଆଣିବାକୁ ସଂଘର୍ଷ କରୁଛନ୍ତି

ମୌସୁନିର ତଳିଆ ଅଞ୍ଚଳର ବହୁତ ପରିବାରକୁ ସେମାନଙ୍କ ଆସବାବପତ୍ର ସହିତ ନିଜ ଘରୁ ସ୍ଥାନାନ୍ତରିତ କରାଗଲା

ବାଗଦଙ୍ଗାର ଏହି ସ୍ତ୍ରୀଲୋକ ଜଣକ କହିଲେ, ତାଙ୍କ ଘରେ ଦୃତ ଗତିରେ ପାଣି ପଶିଗଲା। ସେ ନିଜର କୌଣସି ଜିନିଷପତ୍ର ରକ୍ଷା କରିପାରିଲେ ନାହିଁ

ଛୋଟ ଝିଅଟି ନିଜ ଚଢେଇ ବିଷୟରେ କହିଲା, "ମୁଁ ବହୁତ ଖୁସି ମୁଁ ତାକୁ ବଞ୍ଚାଇ ପାରିଲି"। "ସେ ହେଉଛି ମୋର ସବୁଠାରୁ ଭଲ ସାଙ୍ଗ"

ବାଗଦଙ୍ଗା ଆଶ୍ରୟସ୍ଥଳୀରେ ଥିବା ଏହି ଦ୍ୱୀପର କିଛି ସ୍ତ୍ରୀ ଲୋକ ବନ୍ୟା ପାଣି କମିବାକୁ ଅପେକ୍ଷା କରିଛନ୍ତି

ଗାଁର ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା କୋଭିଡ ସେବା କେନ୍ଦ୍ରରେ ମଧ୍ୟ ପାଣି ପଶିଗଲା

ମସୁଦ ଅଲ୍ଲି ଏହି ବନ୍ୟାରେ ନିଜର ବର୍ଷଯାକର ସଂଚୟ ହରାଇବସିଲେ। ସେ କୁହନ୍ତି, "ବନ୍ୟା ଜଳ ତାଙ୍କର ମହଜୁଦ ଥିବା ସମୁଦାୟ ୧୨୦୦ କିଲୋ ଚାଉଳ ନଷ୍ଟ କରିଦେଲା"। “ଲୁଣି ପାଣି ବାଜିବାମାତ୍ରେ ଚାଉଳ ଖାଇବା ଅନୁପଯୋଗୀ ହୋଇଯାଏ। ମୋତେ ଏବେ ଏହି ୪୦ ବସ୍ତା ଚାଉଳକୁ ଫିଙ୍ଗିବାକୁ ପଡିବ"

ଇମ୍ରାନ ଭାଙ୍ଗିଯାଇଥିବା ଇଟାଗୁଡିକୁ ଉପରକୁ ଉଠାଇ ଘୁଞ୍ଚାଇବାକୁ ଚେଷ୍ଟା କରୁଥିଲେ। ମୁରିଗଙ୍ଗା ନଦୀରେ ଥିବା ବନ୍ୟା ନିରୋଧକ ନଦୀ ବନ୍ଧକୁ ସାମୁଦ୍ରିକ ଜୁଆର ଭାଙ୍ଗି ଦେଇଥିଲା ଏବଂ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଥିଲା

ନଦୀ ବନ୍ଧ ନିକଟରେ ଥିବା ମଜୁର ବିବିଙ୍କ ଘର ଜୁଆର ଦ୍ୱାରା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା। "ଯେତେବେଳେ ପାଣି ମାଡିଆସିଲା ଆମେ ଦୌଡିଲୁ। ଏପରିକି ଆମେ ଟଙ୍କାଟିଏ କି କୌଣସି ଦଲିଲ ଆମ ସହ ନେଇପାରିଲୁ ନାହିଁ।" ସେ ଏବେ ଏକ ତମ୍ବୁରେ ରହୁଛନ୍ତି

ରୁକସାନା, ଯିଏକି ମଧ୍ୟ ନଦୀବନ୍ଧ ନିକଟରେ ରୁହନ୍ତି, ନିଜର ସ୍କୁଲ ପାଠ୍ୟ ପୁସ୍ତକଗୁଡିକୁ ଏହି ବନ୍ୟାରେ ହରାଇଲେ

ଏହି ଶିଶୁ ପୁତ୍ରଟି ବନ୍ୟା ଜଳରେ ପ୍ରାୟତଃ ଭାସି ଯାଇଥିଲା। ଶିଶୁ ପୁତ୍ରଟିର ଜେଜେମା ପ୍ରୋମିତା କୁହନ୍ତି,"ମୋ ଜ୍ୱାଇଁ ଏକ ଗଛ ଉପରେ ଚଢି ଏହି ଶିଶୁପୁତ୍ରଟିକୁ ବଞ୍ଚାଇବାକୁ ସମର୍ଥ ହେଲେ"। ସେ ହେଉଛି ମାତ୍ର ଆଠ ମାସର, ବନ୍ୟାରେ ତାର ସବୁ ଲୁଗାପଟା ଭାସିଯିବାରୁ ତା ପାଖରେ କିଛି ପିନ୍ଧିବାକୁ ନାହିଁ"

ପେପର, ବହି ଓ ଫଟୋଗୁଡିକ ଯାହାକୁ ଏହି ପାଣି ନଷ୍ଟ କରିପାରି ନାହିଁ ସେଗୁଡିକୁ ସୁର୍ଯ୍ୟଙ୍କ କିରଣରେ ଶୁଖିବା ପାଇଁ ରଖାଯାଇଛି

ମଇ ୨୬ ତାରିଖ ଦିନ ଅଷ୍ଟମ ଶ୍ରେଣୀର ଛାତ୍ରୀ ଜାହାରାଣା ନିଜର ସମସ୍ତ ବହି ଓ ଦଲିଲ ହରାଇଲେ

ଗଙ୍ଗାର ଉପ ନଦୀ ମୁରିଗଙ୍ଗାର ନଦୀବନ୍ଧ ଭାଙ୍ଗିଯାଇଥିଲା। ନଦୀଟି ବଙ୍ଗୋପସାଗରରେ ମୌସୁନି ଦ୍ୱୀପର ଦକ୍ଷିଣ ପ୍ରାନ୍ତରେ ମିଶିଥିଲା
ଅନୁବାଦ: ଓଡ଼ିଶାଲାଇଭ୍