ଊନବିଂଶ ଶତାବ୍ଦୀରେ ଯେତେବେଳେ ଭାରତରେ ରେଳର ଶୁଭାରମ୍ଭ ହେଲା ସେତେବେଳେ ବିଭିନ୍ନ ଆଞ୍ଚଳିକ ନେଟୱର୍କ ପ୍ରତିଷ୍ଠା ହେଲା । ତତ୍କାଳୀନ ସମୟରେ ଗ୍ୱାଲିଅର ରାଜ୍ୟର ଶାସକ ଥିବା ସିନ୍ଧିଆମାନେ ଗ୍ୱାଲିଅର ଲାଇଟ ରେଲୱେ ଆରମ୍ଭ କଲେ । ଏହାର ରୁଟ୍ ବା ଗତିପଥ ୨୧୦ କିଲୋମିଟର ଦୂରତାକୁ ଅତିକ୍ରମ କରିଥାଏ ଏବଂ ବର୍ତ୍ତମାନ ଏହା ସାରା ବିଶ୍ୱରେ ରହିଯାଇଥିବା ନାରୋ ଗଜ୍ ଲାଇନ୍ ମଧ୍ୟରେ ଦୀର୍ଘତମ ।
ଏହି ଲାଇନ୍ରେ ନଂ ୫୨୧୭୧ ହେଉଛି ଏକମାତ୍ର ଟ୍ରେନ୍ ଯାହାକି ସେଓପୁର କଲାନ ଆଉଟପୋଷ୍ଟକୁ ଗ୍ୱାଲିଅର ସିଟି ସହିତ ସଂଯୋଗ କରୁଛି । ଏହା ହାରାହାରି ଭାବେ ଘଣ୍ଟା ପିଛା ୧୮ କିମି ବେଗରେ ଗତି କରେ । ଅର୍ଥାତ୍ ଯାତ୍ରା ସଂପୂର୍ଣ୍ଣ କରିବା ଲାଗି ଆପଣଙ୍କୁ ସାଢ଼େ ଦଶ ଘଣ୍ଟା ସମୟ ଲାଗିବ ।
ବର୍ତ୍ତମାନ ଭାରତୀୟ ରେଳବିଭାଗର ଅଂଶବିଶେଷ ଥିବା ଏହି ଟ୍ରେନ୍, ସକାଳ ୬.୨୫ ମିନିଟ୍ରେ ଗ୍ୱାଲିଅର ଛାଡ଼ିଥାଏ । ମୁଁ ଅଧଘଣ୍ଟା ପୂର୍ବରୁ ଷ୍ଟେସନ୍ରେ ପହଞ୍ଚିଲି, ୨୯ ଟଙ୍କା ଦେଇ ମୋର ଟିକେଟ୍ କିଣିଲି ଏବଂ ଟ୍ରେନ୍ରେ ବସିଲି । ସେତେବେଳକୁ ଟ୍ରେନ୍ରେ ଯାତ୍ରୀଙ୍କର ଗହଳି ଆରମ୍ଭ ହୋଇଯାଇଥିଲା । “ଗ୍ୱାଲିଅର-ସେଓପୁର ଏନ୍ଜି ପାସେଞ୍ଜର”ରେ ୭ଟି ଛୋଟ ବଗି ରହିଛି ଏବଂ ସେଥିରେ ପ୍ରାୟ ୨୦୦ ଜଣ ଯାତ୍ରା କରିପାରିବେ । କିନ୍ତୁ ଏହା ପ୍ରତିଦିନ ଅତି କମ୍ରେ ତା’ଠାରୁ ଦୁଇଗୁଣ ଯାତ୍ରୀଙ୍କୁ ପରିବହନ କରିଥାଏ । ଲୋକମାନେ ବଗି ମଧ୍ୟକୁ ପଶିଆସନ୍ତି, କଡ଼ରେ ଓହଳି ହୋଇ ରହନ୍ତି ଏବଂ ଛାତ ଉପରକୁ ଚଢ଼ି ଯାଆନ୍ତି ।
ପ୍ରବଳ ଗହଳି ଏବଂ ଠେଲାପେଲା ସତ୍ତ୍ୱେ ମୋର ସହଯାତ୍ରୀମାନେ ମୋତେ ଟ୍ରେନ୍ରେ ଚଢ଼ିବା ଲାଗି ସାହାଯ୍ୟ କଲେ ଏବଂ ମୋତେ ଥଇଥାନ କରିବାକୁ ଉଦ୍ୟମ କଲେ । ଘୋସିପୁରା ଷ୍ଟେସନ୍ରେ ମୁଁ ଇଞ୍ଜିନ୍ ଡ୍ରାଇଭରଙ୍କ କ୍ୟାବିନ୍କୁ ଗଲି । ଡ୍ରାଇଭର ଅନୱର ଖାନ୍ ମୋତେ କିଛି ସମୟ ପାଇଁ ତାଙ୍କ ପାଖରେ ବସି ଯାତ୍ରା କରିବା ଲାଗି ଅନୁମତି ଦେଲେ । ମୁଁ ମଧ୍ୟ ଟ୍ରେନ୍ ଛାତରେ ବସି ଯାତ୍ରା କରିବା ଲାଗି ଖୁବ୍ ଉତ୍ସାହୀ ଥିଲି କିନ୍ତୁ ଜାଣିବାକୁ ପାଇଲି ଯେ ସେଥିରେ ଖୁବ୍ ବିପଦ ଅଛି । ଆପଣ ରାସ୍ତାରେ ପଡୁଥିବା ଟ୍ରସ୍ ପୋଲର କ୍ରସବିମ୍ରେ ବାଡ଼େଇ ହୋଇଯିବାର ଆଶଙ୍କା ରହିଛି । (ଟ୍ରସ ପୋଲଗୁଡ଼ିକ ହେଉଛି ଏପରି ସଂରଚନା ଯାହାକି ତ୍ରିକୋଣୀୟ ୟୁନିଟ୍ ଦ୍ୱାରା ସଂଯୋଗୀକୃତ ଏବଂ ଏହି ରୁଟ୍ର କିଛି ସ୍ଥାନରେ ଖୁବ୍ ଅଳ୍ପ କ୍ଲିଅରାନ୍ସ ମିଳେ) । ଏପରିସ୍ଥଳେ କିଛି ପାସେଞ୍ଜର କ୍ରସବିମ୍ ଦ୍ୱାରା ଆଘାତପ୍ରାପ୍ତ ନ ହେବା ଲାଗି ଟ୍ରେନ୍ର ଯେକୌଣସି ପାଶ୍ୱର୍କୁ କିଛି ସମୟ ପାଇଁ ଓହ୍ଲାଇ ଆସିବା ଭଳି ବିପଜ୍ଜନକ ସିଦ୍ଧାନ୍ତ ନେଇଥାନ୍ତି, ଅନ୍ୟମାନେ ସିଧା ମୁହଁ ଓପରକୁ କରି ଶୋଇପଡ଼ନ୍ତି ।
ଟ୍ରେନ୍ଟି ସୁନ୍ଦର ସୋରିଷ କ୍ଷେତ, ଝରଣା ଏବଂ ଟାଙ୍ଗରା ଭୂମି ଦେଇ ଅତିକ୍ରମ କଲା । ସେଦିନ ବିଷୟରେ ମୁଁ ସବୁଠୁ ଅଧିକ ଯାହା ମନେ ରଖିଛି ତାହା ହେଲା ସାରା ଦିନଟି ଖୁବ୍ ମନୋହର ଥିଲା

ଯାତ୍ରୀମାନେ ଗ୍ୱାଲିଅରରୁ ସେଓପୁର କଲାନ୍ ଯାଏ ୫୨୧୭୧ ନମ୍ବର ପାସେଞ୍ଜର ଟ୍ରେନ୍ ଚଢୁଛନ୍ତି

ଏହି ଭଦ୍ରବ୍ୟକ୍ତି ତାଙ୍କର ପୂରା ପରିବାର ସହିତ ଯାତ୍ରା କରୁଥିଲେ ଏବଂ ନିଜେ ସବୁଠୁ ଉପରେ ଥିବା ବର୍ଥ ଉପରେ କବ୍ଜା କରିବା ଲାଗି ଜୋର୍ ଦେଉଥିଲେ ।

ଏହି ଟ୍ରେନର ପରିବହନ କ୍ଷମତା ପ୍ରାୟ ୨୦୦ ହୋଇଥିବାବେଳେ ଏହା ନିୟମିତ ଭାବେ ତାର ଦୁଇରୁ ୩ ଗୁଣ ଅଧିକ ଯାତ୍ରୀଙ୍କୁ ପରିବହନ କରିଥାଏ ।

ଅନୱର ଖାନ୍ ଗ୍ୱାଲିଅରରୁ ଛଅଘଣ୍ଟା ଧରି ଟ୍ରେନ୍ ଚଳାନ୍ତି । ତା’ ପରେ ଆଉ ଜଣେ ଡ୍ରାଇଭର ଗାଡ଼ି ଚଲାନ୍ତି ।

ଖୁବ୍ କମ୍ ଉଚ୍ଚତାରେ ଝୁଲୁଥିବା ଏକ ଟ୍ରସ ବ୍ରିଜ୍ ଉପରେ କୁନୋ ନଦୀ ଅତିକ୍ରମ: ଏହି ରୁଟ୍ରେ ନିୟମିତ ଭାବେ ଯାତ୍ରା କରୁଥିବା ଯାତ୍ରୀମାନେ କ୍ରସବିମ୍ରେ ସେମାନଙ୍କ ମୁଣ୍ଡକୁ ବାଡ଼େଇ ହେବାରୁ ରକ୍ଷା କରିବା ଲାଗି ମୁହଁ ଉପରକୁ କରି ଶୋଇ ପଡ଼ନ୍ତି

ଟ୍ରେନ୍ଟି ରାସ୍ତା ମଝିରେ କୌଣସି ନିର୍ଦ୍ଧାରିତ ଷ୍ଟପ୍ ନଥାଇ ବି ଅଟକି ଯାଏ । ଏଠାରେ, କେହି ଜଣେ ସୁବିଧା ଅନୁଯାୟୀ ସ୍ଥାନରେ ଓହ୍ଲାଇବା ପାଇଁ ଆପାଦକାଳୀନ ଚେନ୍ର ଅପବ୍ୟବହାର କରିଛନ୍ତି ।

ଟ୍ରେନଟି ଏକ ଜଳସେଚନ କେନାଲ ଦେଇ ଅତିକ୍ରମ କରୁଥିବାବେଳେ ଦୁଇଜଣ ଲୋକ ଯେଉଁମାନେ କି ଟ୍ରେନର କଡ଼ରେ ଓହଳି ହୋଇ ଯାତ୍ରା କରୁଛନ୍ତି ସେମାନେ ଏହାକୁ ଦେଖୁଛନ୍ତି

ଅତିକ୍ରାନ୍ତ ହେଉଥିବା ପୃଥିବୀକୁ ଅବଲୋକନ

ଲୋକମାନେ ବଗି ମଧ୍ୟରେ ଉପଲବ୍ଧ ଥିବା ପ୍ରତି ଇଞ୍ଚ ଜାଗାକୁ ଦଖଲ କରିନେଇଛନ୍ତି

ଟ୍ରେନ୍ଟି ସୁନ୍ଦର ସୋରିଷ କ୍ଷେତ ଦେଇ ଯାଉଛି ଏବଂ ଝରଣା ଓ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଚମ୍ବଲର ବୁଦୁବୁଦୁକିଆ ଜଙ୍ଗଲକୁ ଅତିକ୍ରମ କରୁଛି

ଯାତ୍ରୀମାନେ ଛାତରୁ ଓହ୍ଲାଇ ଗଲେ । ସାଧାରଣତଃ ଟ୍ରେନ୍ଟି ପ୍ରତି ଷ୍ଟେସନ୍ରେ ୩-୫ ମିନିଟ୍ ଧରି ରହିଥାଏ ।

ଜଣେ ନିତିଦିନିଆ ଯାତ୍ରୀ ସମ୍ବଲଗଡ଼ ଷ୍ଟେସନ୍ରେ ଏକ ଗାଈକୁ ସ୍ନେହରେ ଧରିଛନ୍ତି

କୌଣସି ଷ୍ଟେସନ୍ରେ ଟ୍ରେନ୍ ରହିବା ପରେ ଯେଉଁମାନେ ଟ୍ରେନ୍ର ଉପରେ ବସିଥାନ୍ତି ସେମାନେ ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗକୁ ଟିକେ ମେଲା କରି ଦିଅନ୍ତି

ଗ୍ୱାଲିଅରରୁ ସେଓପୁର କଲାନ୍ ପାସେଞ୍ଜର ଟ୍ରେନ୍ ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଲେ । ପ୍ରତିଥର ଫେରିବାବେଳକୁ ଇଞ୍ଜିନ୍ଟି ମରାମତି ପାଇଁ ଗ୍ୱାଲିଅର ରେଳୟାର୍ଡକୁ ଯାଇଥାଏ ।
ଏହି ଫଟୋ ଆଲେଖ୍ୟର କିଛି ଅଂଶ ଫେବୃଆରୀ ୨୨, ୨୦୧୬ରେ ରୋଡସ ଆଣ୍ଡ କିଙ୍ଗଡମ୍ସ ରେ ପ୍ରକାଶିତ ହୋଇଥିଲା ।
ଅନୁବାଦ: ଓଡ଼ିଶାଲାଇଭ୍