୮୨ ବର୍ଷ ବୟସ୍କ ବାପୁ ସୂତାରଙ୍କର ୧୯୬୨ ମସିହାର ସେ ଦିନ ବିଷୟରେ ସ୍ପଷ୍ଟ ଭାବେ ମନେ ଅଛି। ସେତେବେଳେ ସେ ନିଜର ଆଉ ଏକ କାଠର ପଦଚାଳିତ ହସ୍ତତନ୍ତ ବିକ୍ରି କରିଥିଲେ। ୭ ଫୁଟ ଲମ୍ବ ଏହି ତନ୍ତକୁ ସେ ନିଜ କର୍ମଶାଳାରେ ହାତରେ ତିଆରି କରିଥିଲେ। କୋହ୍ଲାପୁର କାସାବା ଗାଁର ଜଣେ ବୁଣାକାର ଏହାକୁ ଭଲ ଦାମ୍ରେ ୪୧୫ ଟଙ୍କା ଦେଇ କିଣି ନେଇଥିଲେ।
ଯଦି ଏହା ସେ ତିଆରି କରିଥିବା ଶେଷ ହସ୍ତତନ୍ତ ହୋଇନଥାନ୍ତା ତା’ହେଲେ ଏହା ତାଙ୍କ ପାଇଁ ଏକ ମଧୁର ସ୍ମୃତି ହୋଇଥାନ୍ତା। ଏହାପରେ ତାଙ୍କୁ ଆଉ ଅର୍ଡର ମିଳିଲା ନାହିଁ; ସେ ତିଆରି କରିଥିବା କାଠର ହସ୍ତନିର୍ମିତ ପଦଚାଳିତ ହସ୍ତତନ୍ତ କିଣିବା ଲାଗି ଆଉ କେହି ନଥିଲେ। ‘‘ତ୍ୟା ଭେଲି ସାଗଲା ମୋଡଲା (ସେବେଠାରୁ ସବୁକିଛି ସରିଗଲା),’’ ସେ ମନେ ପକାଇ କହିଥିଲେ।
ଆଜି, ଛଅ ଦଶନ୍ଧି ପରେ, ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ରେଣ୍ଡଲରେ କିଛି ଲୋକ ଜାଣନ୍ତି ଯେ, ବାପୁ ଏ ଗାଁରେ ଶେଷ ପଦଚାଳିତ ତନ୍ତ ନିର୍ମାତା ଭାବେ ବଞ୍ଚିଛନ୍ତି। ଏକଦା ଜଣେ କାରିଗର ଭାବେ ତାଙ୍କୁ ଅନେକ ଲୋକ ଖୋଜୁଥିଲେ। ଗାଁର ସବୁଠୁ ବୟସ୍କ ବୁଣାକାର ବସନ୍ତ ତାମ୍ବେ (୮୫) କୁହନ୍ତି, ‘‘ରେଣ୍ଡଲ ଏବଂ ଆଖପାଖ ଗାଁର ଅନ୍ୟ ସବୁ ହସ୍ତତନ୍ତ ନିର୍ମାତାମାନେ ମୃତ୍ୟୁବରଣ କଲେଣି’’।
ରେଣ୍ଡଲରେ କାଠରେ ହସ୍ତତନ୍ତ ତିଆରି କରିବାର ପରମ୍ପରା ଏବେ ମୃତପ୍ରାୟ। ‘‘ଏପରିକି ସେହି (ଶେଷ) ହସ୍ତତନ୍ତ ମଧ୍ୟ ଏବେ ଆଉ ନାହିଁ,’’ ବାପୁ କହିଥିଲେ। ନିଜ ସାଧାରଣ ଘର ଚାରି ପାଖରେ ଥିବା କର୍ମଶାଳାଗୁଡ଼ିକରେ ବିଦ୍ୟୁତ ଚାଳିତ ହସ୍ତତନ୍ତ ଯନ୍ତ୍ରର ଘଡ଼ ଘଡ଼ ଶବ୍ଦ ଶୁଣି ସେ ବିରକ୍ତ ହୋଇଗଲେଣି।
ବାପୁଙ୍କର ଗୋଟିଏ ବଖୁରିକିଆ ପାରମ୍ପରିକ କର୍ମଶାଳା ତାଙ୍କ ଘର ଭିତରେ ରହିଛି, ଯାହାକି ଗୋଟିଏ ଯୁଗ ବିତିଯିବାର ସାକ୍ଷୀ ରହିଛି। ବାଦାମୀ ରଙ୍ଗର ମିଶ୍ରଣ ଥିବା ସେହି କର୍ମଶାଳାରେ – ଡାର୍କ, ସିପିୟା, ରସେଟ, ସେଡଲ, ସିଏନା, ମାହୋଗାନୀ, ରୁଫସ ଏବଂ ଆହୁରି ଅନେକ କିଛି ରହିଛି – ସବୁ ସମୟ ସହିତ ରଙ୍ଗହୀନ ହୋଇଚାଲିଛି, ସମୟ ବିତିବା ସହିତ ଏସବୁର ଚମକ ଧୀରେ ଧୀରେ ହଜି ଯାଉଛି।


ବାମ: ବାପୁଙ୍କ କର୍ମଶାଳା ତାଙ୍କ ବେଉସାରେ ବ୍ୟବହୃତ ବିଭିନ୍ନ ଉପକରଣ ଯଥା ଟ୍ରାଇ ସ୍କୋୟାର (କାଠରେ ୯୦ ଡିଗ୍ରୀ କୋଣ ମାପିବା ଲାଗି ବ୍ୟବହୃତ), ତାର ଏବଂ ମୋଟର ରିୱାଇଣ୍ଡିଂ ସରଞ୍ଜାମରେ ଭର୍ତ୍ତି ହୋଇ ରହିଛି । ଡାହାଣ: ତାଙ୍କ କର୍ମଶାଳାରେ ପାରମ୍ପରିକ ସରଞ୍ଜାମ ଏବଂ ଦୈନନ୍ଦିନ ଉପକରଣ ସହିତ ତାଙ୍କ ପିଲାଦିନର ଏକ କିରୋସିନୀ ଲଣ୍ଠନ ଅଛି

ଏହି କର୍ମଶାଳା କାଠରେ ହାତତିଆରି ପଦଚାଳିତ ତନ୍ତର ପାରମ୍ପରିକ କାରିଗରୀକୁ ସଂରକ୍ଷିତ ରଖିଥିବା ଏକ ସଂଗ୍ରହାଳୟ ପାଲଟିଛି, ଯେଉଁଥିରେ ରେଣ୍ଡଲ ର ଏକ ଗୌରବଶାଳୀ ଇତିହାସର ସ୍ମୃତି ଉଜ୍ଜୀବିତ ରହିଛି
*****
ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାରେ ଥିବା ବୟନ ଶିଳ୍ପ ସହର ଇଚଲକରଞ୍ଜିଠାରୁ ୧୩ କିଲୋମିଟର ଦୂରରେ ରେଣ୍ଡଲ ଅବସ୍ଥିତ। ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିରେ ଇଚଲକରଞ୍ଜି ସହରକୁ ବହୁ ହସ୍ତତନ୍ତ ଆସିଥିଲା, ଯାହା ପରବର୍ତ୍ତୀ ସମୟରେ ରାଜ୍ୟର ଏବଂ କିଛି ଦିନ ପରେ ଦେଶର ସବୁଠୁ ପ୍ରସିଦ୍ଧ ବୟନ ଶିଳ୍ପ କେନ୍ଦ୍ର ଭାବେ ଉଭା ହୋଇଥିଲା। ଇଚଲକରଞ୍ଜି ପାଖରେ ଅବସ୍ଥିତ ଥିବା କାରଣରୁ ରେଣ୍ଡଲ ମଧ୍ୟ ଏକ ଛୋଟ ପୋଷାକ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଥିଲା।
୧୯୨୮ ମସିହାରେ ବାପୁଙ୍କ ବାପା ସ୍ୱର୍ଗତ କୃଷ୍ଣ ସୂତାର ପ୍ରଥମ ଥର ଲାଗି ୨୦୦ କିଲୋଗ୍ରାମ ଓଜନର ବିଶାଳ ତନ୍ତ ତିଆରି କରିବା ଶିଖିଥିଲେ। ବାପୁ କୁହନ୍ତି, ଇଚଲକରଞ୍ଜିର ଜଣେ ବିଶିଷ୍ଟ କାରିଗର ସ୍ୱର୍ଗତ ଦତେ ଧୁଲପ୍ପା ସୂତାର ଏହି ତନ୍ତ ତିଆରି କଳା କୃଷ୍ଣଙ୍କୁ ଶିଖାଇ ଥିଲେ।
ବାପୁଙ୍କ ସ୍ମରଣ ଶକ୍ତି ନିଖୁଣ ଭାବେ କଟା ହୋଇଥିବା ସୂତା ଭଳି ତୀକ୍ଷ୍ଣ। ପୁରୁଣା ଦିନ କଥା ମନେ ପକାଇ ସେ କୁହନ୍ତି, ‘‘୧୯୩୦ ଦଶକର ପ୍ରାରମ୍ଭିକ ଭାଗରେ ଇଚଲକରଞ୍ଜିର ତିନୋଟି ପରିବାର ହସ୍ତତନ୍ତ ତିଆରି କରୁଥିଲେ। ସେ ସମୟରେ ହସ୍ତତନ୍ତର ବେଶ ପ୍ରଚଳନ ରହିଥିଲା। ତେଣୁ ହସ୍ତତନ୍ତ କିଭଳି ତିଆରି କରାଯାଏ ତାହା ମୋ ବାପା ଶିଖିବା ପାଇଁ ନିଷ୍ପତ୍ତି ନେଲେ।’’ ତାଙ୍କର ଜେଜେ ବାପା ସ୍ୱର୍ଗତ କଲ୍ଲପ୍ପା ସୂତାର ଜଳସେଚନ ପାଇଁ ପାରମ୍ପରିକ ମୋଟ୍ (ପଲି ସିଷ୍ଟମ୍) ଏକତ୍ର କରିବା ବ୍ୟତୀତ ଦାଆ, କୋଦାଳ ଏବଂ କୁଲାଓ (ଏକପ୍ରକାର ଲଙ୍ଗଳ) ଭଳି କୃଷି ଉପକରଣ ତିଆରି କରୁଥିଲେ।
ପିଲାଟିଏ ହିସାବରେ, ବାପୁ ନିଜ ପିତାଙ୍କ କର୍ମଶାଳାରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ। ୧୯୫୪ରେ ୧୫ ବର୍ଷ ବୟସରେ ସେ ନିଜର ପ୍ରଥମ ହସ୍ତତନ୍ତ ତିଆରି କରିଥିଲେ। ‘‘ଆମେ ତିନି ଜଣ ଛଅ ଦିନରେ ୭୨ ଘଣ୍ଟାରୁ ଅଧିକ ସମୟ ଧରି, କାମ କରିବା ପରେ ଏହାକୁ ସମ୍ପୂର୍ଣ୍ଣ କରିପାରିଥିଲୁ’’, ସେ ସ୍ମିତ ହସି କହିଥିଲେ। ‘‘ଆମେ ଏହାକୁ ରେଣ୍ଡଲର ଜଣେ ବୁଣାକାରଙ୍କୁ ଏହାକୁ ୧୧୫ ଟଙ୍କାରେ ବିକ୍ରି କରିଥିଲୁ।’’ ସେ କୁହନ୍ତି, ଏହା ସେତେବେଳେ ଖୁବ ଅଧିକ ଟଙ୍କା ଥିଲା କାରଣ ମାତ୍ର ୫୦ ପଇସାରେ ଗୋଟିଏ କିଲୋଗ୍ରାମ ଚାଉଳ ମିଳୁଥିଲା।
୬୦ ଦଶକ ପ୍ରାରମ୍ଭ ବେଳକୁ ହାତ ତିଆରି ତନ୍ତର ମୂଲ୍ୟ ୪୧୫ ଟଙ୍କାକୁ ବଢ଼ି ଯାଇଥିଲା। ‘‘ଗୋଟିଏ ମାସରେ ଆମେ ଅତିକମ୍ରେ ୪ଟି ହସ୍ତତନ୍ତ ତିଆରି କରୁଥିଲୁ।’’ ଏହା ଗୋଟିଏ ୟୁନିଟ୍ ଭାବେ କେବେବି ବିକ୍ରି ହେଉନଥିଲା। ‘‘ଆମେ ଏହାର ଭିନ୍ନ ଭିନ୍ନ ଭାଗକୁ ଏକ ବଳଦ ଟଣା ଶଗଡ଼ରେ ଟାଣି ନେଉଥିଲୁ ଏବଂ ବୁଣାକାରଙ୍କ କର୍ମଶାଳାରେ ସେସବୁକୁ ଯୋଡ଼ୁଥିଲୁ,’’ ସେ କହିଥିଲେ।
ଖୁବଶୀଘ୍ର, ବାପୁ ଏକ ଡବୀ (ମରାଠୀରେ ଡାବି) ତିଆରି କରିବା ଶିଖି ଯାଇଥିଲେ – ଯାହାକି ତନ୍ତ ଉପରେ ବାହାରୁ ଲାଗିଥାଏ। ପୋଷାକ ବୁଣା ହେବା ସମୟରେ ଜଟିଳ ଡିଜାଇନ ଏବଂ ପାଟର୍ଣ୍ଣ ତିଆରି କରିବାରେ ଏହା ସହାୟକ ହୋଇଥାଏ। ପ୍ରଥମ ଶାଗୁଆନ ଡାବି ତିଆରି କରିବା ଲାଗି ତାଙ୍କୁ ତିନି ଦିନରେ ୩୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ସେ ମନେପକାଇ କହନ୍ତି, “ରେଣ୍ଡଲର ବୁଣାକାର ଲିଙ୍ଗପ୍ପା ମହାଜନଙ୍କୁ ମୁଁ ମାଗଣାରେ ଦେଇଥିଲି, ଗୁଣବତ୍ତା ଭଲ କି ନାହିଁ ଯାଞ୍ଚ କରିବା ପାଇଁ’’।


୧୯୫୦ ଦଶକ ବେଳକୁ, ବାପୁ ଶାଗୁଆନ କାଠରେ ତାଙ୍କର ପ୍ରଥମ ‘ଡାବି’ (ଡବୀ) ତିଆରି କରିଥିଲେ, ଏହା ଏପରି ଏକ ଉପକରଣ ଯାହାକି କପଡ଼ା ବୁଣା ହେବା ସମୟରେ ସେଥିରେ ସୂକ୍ଷ୍ମ ଡିଜାଇନ କରିବା ଲାଗି ବ୍ୟବହୃତ ହୋଇଥାଏ । ଗୋଟିଏ ଦଶନ୍ଧି ମଧ୍ୟରେ ସେ ୮୦୦ ଡବୀ ତିଆରି କରିଥିଲେ

ବାପୁ ଗର୍ବର ସହିତ ନିଜ ଉପକରଣଗୁଡ଼ିକୁ ପ୍ରଦର୍ଶିତ କରିଥାନ୍ତି, ଏଥିମଧ୍ୟରୁ ଅଧିକାଂଶ ସେ ତାଙ୍କ ବାପା, କୃଷ୍ଣ ସୂତାରଙ୍କଠାରୁ ପାଇଥିଲେ
ପାଖାପାଖି ୧ ଫୁଟ ଲମ୍ବ ୧୦ କିଲୋଗ୍ରାମ ଡବୀ ତିଆରି କରିବା ଲାଗି ଦୁଇ ଜଣ କାରିଗରଙ୍କୁ ଦୁଇ ଦିନ କାମ କରିବାକୁ ପଡ଼ିଥିଲା। ଏକ ଦଶନ୍ଧି ମଧ୍ୟରେ ବାପୁ ଏଭଳି ୮୦୦ ଡାବି ତିଆରି କରିଛନ୍ତି। ‘‘୧୯୫୦ ଦଶକରେ ଗୋଟିଏ ଡାବି ୧୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ୬୦ ଦଶକରେ ଏହା ୩୫ ଟଙ୍କାକୁ ବୃଦ୍ଧି ପାଇଥିଲା,’’ ସେ କହିଥିଲେ।
ବୁଣାକାର ବସନ୍ତ କହିଥିଲେ ଯେ ୧୯୫୦ ଦଶକ ଶେଷ ଭାଗରେ ରେଣ୍ଡଲରେ ପାଖାପାଖି ୫,୦୦୦ ହସ୍ତତନ୍ତ ଥିଲା। ‘‘ନୌବରୀ (ନଅ ଗଜ) ଶାଢ଼ି ଏହି ତନ୍ତରେ ବୁଣା ହେଉଥିଲା’’, ସେ କହିଥିଲେ। ସେ ସମୟ କଥା ମନେ ପକାଇ ବସନ୍ତ କହିଥିଲେ ଯେ ଗୋଟିଏ ସପ୍ତାହରେ ସେ ୧୫ରୁ ଅଧିକ ଶାଢ଼ି ବୁଣୁଥିଲେ।
ହସ୍ତତନ୍ତ ମୁଖ୍ୟତଃ ଶାଗୁଆନ କାଠରେ ତିଆରି ହେଉଥିଲା। ଡିଲରମାନେ କର୍ଣ୍ଣାଟକର ଦାନ୍ଦେଲୀ ସହରରୁ କାଠ ଆଣି ଇଚଲକରଞ୍ଜିରେ ବିକ୍ରି କରୁଥିଲେ। ବାପୁ କହିଥିଲେ, ‘‘ମାସକୁ ଦୁଇ ଥର ଆମେ ଶଗଡ଼ ଗାଡ଼ି ନେଇ ଯାଉଥିଲୁ ଏବଂ ଏହାକୁ ଇଚଲକରଞ୍ଜିରୁ (ରେଣ୍ଡଲ ପର୍ଯ୍ୟନ୍ତ) ନେଇ ଆସୁଥିଲୁ। ଯିବା ଆସିବା ପାଇଁ ତାଙ୍କୁ ତିନି ଘଣ୍ଟା ଲେଖାଏଁ ସମୟ ଲାଗୁଥିଲା।
ଗୋଟିଏ ଘନଫୁଟ ଶାଗୁଆନକୁ ବାପୁ ୭ ଟଙ୍କାରେ କିଣୁଥିଲେ। ଏହା ୬୦ ଦଶକରେ ୧୮ ଟଙ୍କା ହୋଇଥିଲା ଏବଂ ବର୍ତ୍ତମାନ ୩ହଜାର ଟଙ୍କାରୁ ଅଧିକରେ ବିକ୍ରି ହେଉଛି। ଏହାଛଡ଼ା, ଶାଲି (ଲୁହା ପଟ୍ଟି), ପଟ୍ଟାୟା (କାଠ ପ୍ଲେଟ), ନଟ ବୋଲ୍ଟ ଏବଂ ସ୍କ୍ରୁ ମଧ୍ୟ ବ୍ୟବହାର କରାଯାଉଥିଲା। ‘‘ପ୍ରତ୍ୟେକ ହସ୍ତତନ୍ତ ପାଇଁ ପ୍ରାୟ ଛଅ କିଲୋ ଲୁହା ଏବଂ ସାତ ଘନଫୁଟ ଶାଗୁଆନ କାଠ ଆବଶ୍ୟକ ହେଉଥିଲା,’’ ସେ କହିଥିଲେ। ୧୯୪୦ ଦଶକରେ ଲୁହା ମୂଲ୍ୟ କିଲୋପ୍ରତି ୭୫ ପଇସା ଥିଲା।
ବାପୁଙ୍କ ପରିବାର କୋହ୍ଲାପୁରର ହଟକନଗଲେ ତାଲୁକାର ବିଭିନ୍ନ ଗ୍ରାମ ଏବଂ ପଡ଼ୋଶୀ କର୍ଣ୍ଣାଟକ ବେଲଗାଭୀ ଜିଲ୍ଲାର ଚିକୋଡ଼ି ତାଲୁକାର କରଡ଼ଗା, କୋଗାନୋଲି, ବୋରଗାଓଁ ଗ୍ରାମରେ ସେମାନଙ୍କର ହସ୍ତତନ୍ତ ବିକ୍ରି କରିଥାନ୍ତି। ଏହି ଶିଳ୍ପ ଏତେ ସୂକ୍ଷ୍ମ ଥିଲା ଯେ, ୧୯୪୦ ଦଶକରେ କେବଳ ତିନି ଜଣ (ଆପୋସ ସମ୍ପର୍କୀୟ) କାରିଗର ରାମୁ ସୂତାର, ବାପୁ ବଲିସୋ ସୂତାର ଏବଂ କୃଷ୍ଣ ସୂତାର ରେଣ୍ଡଲରେ ହସ୍ତତନ୍ତ ତିଆରି କରୁଥିଲେ।
ହସ୍ତତନ୍ତ ତିଆରି କରିବା ଏକ ଜାତି ଆଧାରିତ ବେଉସା ଥିଲା ଯାହାକୁ ମୁଖ୍ୟତଃ ସୂତାର ଜାତିର ଲୋକମାନେ କରୁଥିଲେ, ଏମାନଙ୍କୁ ମହାରାଷ୍ଟ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ସୂଚୀବଦ୍ଧ କରାଯାଇଥିଲା। ବାପୁ କୁହନ୍ତି, ‘‘କେବଳ ପାଞ୍ଚାଳ ସୂତାର (ଉପଜାତି) ହିଁ ଏହାକୁ ତିଆରି କରୁଥିଲେ।’’

ବାପୁ ଓ ତାଙ୍କ ଗୃହିଣୀ ପତ୍ନୀ ଲଳିତା ତାଙ୍କ କର୍ମଶାଳାରେ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥାନ୍ତି । ହସ୍ତତନ୍ତ କାରିଗରୀ ପୁରୁଷ ପ୍ରଧାନ ବେଉସା ଥିଲା ବୋଲି ରେଣ୍ଡଲ ର ମହିଳାମାନେ କହିଥାନ୍ତି

ରେଣ୍ଡଲ ର ସବୁଠୁ ବୟସ୍କ ବୁଣାକାର ବସନ୍ତ ତାମ୍ବେ ଏବଂ ତାଙ୍କ ସମସାମୟିକ ବାପୁ ସୂତାରଙ୍କ ଦ୍ୱାରା ଏକଦା ବ୍ୟବହୃତ ଏକ ତନ୍ତର ଫ୍ରେମ । କୋଭିଡ-୧୯ ଲକଡାଉନ ସମୟରେ, ବସନ୍ତ ନିଜ ଜରୁରି ଖର୍ଚ୍ଚ ଉଠାଇବା ପାଇଁ ଏହି ହସ୍ତତନ୍ତକୁ ବିକ୍ରି କରି ଦେଇଥିଲେ
ଏହା ମଧ୍ୟ ଏକ ପୁରୁଷ ପ୍ରଧାନ ବ୍ୟବସାୟ ଥିଲା। ବାପୁଙ୍କ ମା’, ସ୍ୱର୍ଗୀୟା ସୋନାବାଇ ଜଣେ ଚାଷୀ ଏବଂ ଗୃହିଣୀ ଥିଲେ। ୬୦ ବର୍ଷ ଟପି ସାରିଥିବା ବାପୁଙ୍କ ପତ୍ନୀ, ଲଳିତା ସୂତାର ମଧ୍ୟ ଜଣେ ଗୃହିଣୀ। ‘‘ରେଣ୍ଡଲର ମହିଳାମାନେ ଚରଖାରେ ସୂତା କାଟୁଥିଲେ ଏବଂ ଏହାକୁ ଏକ ବଣ୍ଡଲରେ ଗୁଡ଼ାଇ ରଖୁଥିଲେ। ଏହାପରେ ପୁରୁଷମାନେ ଏହାକୁ ବୁଣୁଥିଲେ,’’ ବସନ୍ତଙ୍କ ପତ୍ନୀ ବିମଳ (୭୭) କହିଥିଲେ। ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା (୨୦୧୯-୨୦)ର ତଥ୍ୟ ଅନୁଯାୟୀ, ଭାରତରେ ହସ୍ତତନ୍ତ କର୍ମଜୀବୀମାନଙ୍କ ମଧ୍ୟରେ ୨,୫୪୬,୨୮୫ ଜଣ ବା ୭୨.୩ ପ୍ରତିଶତ ମହିଳା।
ଆଜିର ଦିନରେ, ୫୦ ଦଶକର କୁଶଳୀ କାରିଗରଙ୍କ କଥା ମନେ ପକାଇ ବାପୁ ବିସ୍ମିତ ହୋଇଥାନ୍ତି। ‘‘କବନୁର ଗ୍ରାମ (କୋହ୍ଲାପୁର ଜିଲ୍ଲା) ର କଲ୍ଲପ୍ପା ସୂତାର ହାଇଦ୍ରାବାଦ ଓ ସୋଲାପୁରରୁ ତନ୍ତ ପାଇଁ ଅର୍ଡର ପାଉଥିଲେ। ତାଙ୍କ ପାଖରେ (ଏପରିକି) ନଅ ଜଣ ଶ୍ରମିକ ଥିଲେ,’’ ସେ କହିଥିଲେ। ସେତେବେଳେ ତନ୍ତ ତିଆରିରେ କେବଳ ପରିବାର ସଦସ୍ୟମାନେ ସହାୟତା କରୁଥିଲେ ଏବଂ ଅନ୍ୟ କାହାର ସହାୟତା ନେବା ସହଜ କଥା ନଥିଲା। ସେ ସମୟରେ କଲ୍ଲପ୍ପା ନଅ ଜଣ ଶ୍ରମିକଙ୍କୁ ନିୟୋଜିତ କରିବା କିଛି ସାଧାରଣ ଉପଲବ୍ଧି ନଥିଲା।
ବାପୁ ନିଜର ୨x୨.୫ ଫୁଟ ଶାଗୁଆନ କାଠ ବାକ୍ସ ଆଡ଼କୁ ଇସାରା କରିଥିଲେ। ଏହି ବାକ୍ସକୁ ସେ ଖୁବ ଭଲପାଆନ୍ତି ଯାହାକି ଏବେ ତାଙ୍କ କର୍ମଶାଳାରେ ତାଲା ବନ୍ଦ ହୋଇ ପଡ଼ିରହିଛି। ‘‘ଏଥିରେ ୩୦ରୁ ଅଧିକ ବିଭିନ୍ନ ପ୍ରକାର ସ୍ପାନର ଏବଂ ଅନ୍ୟାନ୍ୟ ଧାତବ ଉପକରଣ ରହିଛି। ଅନ୍ୟମାନେ ଏହାକୁ ସାଧାରଣ ଉପକରଣ ବୋଲି ଭାବି ପାରନ୍ତି, କିନ୍ତୁ ମୋ ପାଇଁ ଏହା ମୋ କଳା କଥା ମନେ ପକାଇ ଦେଇଥାଏ,’’ ସେ କହିଥିଲେ। ଏହା କହିବା ସମୟରେ ତାଙ୍କ ମନରେ ଥିବା ଦୁଃଖ ବାରି ହୋଇ ପଡ଼ୁଥାଏ। ବାପୁ ଏବଂ ତାଙ୍କର ବଡ଼ ଭାଇ, ସ୍ୱର୍ଗତଃ ବସନ୍ତ ସୂତାରଙ୍କୁ ନିଜ ପିତାଙ୍କଠାରୁ ୯୦ଟି ଲେଖାଏଁ ସ୍ପାନର ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା।
ବାପୁଙ୍କୁ ଯେତିକି ବୟସ, ପ୍ରାୟ ସେତିକି ବର୍ଷ ପୁରୁଣା ଦୁଇଟି କାଠ ବାକ୍ସରେ ଛେଣି ଉପକରଣ, ହାତ ପ୍ଲେନ୍ସ, ହାତରେ କାଠ କଣା କରିବାର ଉପକରଣ, କରତ, ଭାଇସ୍ ଓ କ୍ଲାମ୍ପ, ସରୁ ନିହାଣ, କୋଣ ମାପ ଉପକରଣ ବା ଟ୍ରାଏ ସ୍କୋୟାର, ପାରମ୍ପାରିକ ଧାତବ ଡିଭାଇଡର ଓ କମ୍ପାସ, ମାର୍କିଂ ଗଜ, ମାର୍କିଂ ଛୁରୀ ଏବଂ ଆହୁରି ଅନେକ ଉପକରଣ ରହିଛି। ‘‘ମୁଁ ଏହାକୁ ଉତ୍ତରାଧିକାରୀ ସୂତ୍ରରେ ମୋ ଜେଜେବାପା ଏବଂ ବାପାଙ୍କ ଠାରୁ ପାଇଛି,’’ ସେ ଗର୍ବର ସହ କହିଥିଲେ।
ବାପୁଙ୍କର ମନେ ଅଛି, ତାଙ୍କ କାରିଗରୀର ସ୍ମୃତିକୁ ସାଇତି ରଖିବା ସହାୟତା ପାଇଁ ସେ କିଭଳି କୋହ୍ଲାପୁରରୁ ଫଟୋଗ୍ରାଫରଙ୍କୁ ନିମନ୍ତ୍ରଣ କରି ଆଣୁଥିଲେ, କାରଣ ୧୯୫୦ ଦଶକରେ ରେଣ୍ଡଲରେ ଫଟୋଗ୍ରାଫର ନଥିଲେ। ଛଅଟି ଫଟୋ ଉଠାଇବା ପାଇଁ ଶ୍ୟାମ ପାଟିଲଙ୍କୁ ସେ ୧୦ ଟଙ୍କା ଏବଂ ଯାତ୍ରା ଖର୍ଚ୍ଚ ଦେଉଥିଲେ। ‘‘ଆଜି ରେଣ୍ଡଲରେ ଅନେକ ଫଟୋଗ୍ରାଫର ଅଛନ୍ତି, କିନ୍ତୁ ଫଟୋ ସଂଗ୍ରହ କରିବା ଲାଗି କେହି ପାରମ୍ପରିକ କାରିଗର ନାହାନ୍ତି,’’ ସେ କହିଥିଲେ।


ବାମ: ବାପୁଙ୍କ କର୍ମଶାଳା କାନ୍ଥରେ ଝୁଲୁଥିବା ଏହି ଫଟୋଗୁଡ଼ିକ ୧୯୫୦ ଦଶକର, ସେତେବେଳେ ସୂତାର ପରିବାରର ବେଶ ଭଲ ହସ୍ତତନ୍ତ ତିଆରି ବ୍ୟବସାୟ ଥିଲା । ଉଭୟ ଫଟୋରେ ବାପୁ ନେହରୁ ଟୋପି ପିନ୍ଧିଛନ୍ତି । ଡାହାଣ : ବାପୁ ଓ ତାଙ୍କ ବଡ଼ ଭାଇ, ସ୍ୱର୍ଗତ ବସନ୍ତ ସୂତାର ନିଜ ପିତାଙ୍କ ଠାରୁ ୯୦ଟି ଲେଖାଏଁ ସ୍ପାନର ପାଇଥିଲେ


ବାମ: ବାପୁ ଏବେ ମୋଟର ରିୱାଇଣ୍ଡିଂ କାମ କରି ଅଳ୍ପ ଆୟ କରୁଛନ୍ତି, ଏଥିପାଇଁ ସେ କାଠ ଫ୍ରେମ ବ୍ୟବହାର କରିଥାନ୍ତି । ଡାହାଣ: ଏକ ପାରମ୍ପରିକ କାଠ ସୁଇଚବୋର୍ଡ ଯାହାକି ବାପୁଙ୍କ ବଢ଼େଇ କାମ ଦିନ କଥା ମନେ ପକାଇ ଦେଇଥାଏ
*****
୧୯୬୨ ମସିହାରେ ବାପୁ ତାଙ୍କର ଶେଷ ହସ୍ତତନ୍ତ ବିକ୍ରି କରିଥିଲେ। ଏହା ପରବର୍ତ୍ତୀ ବର୍ଷଗୁଡ଼ିକ ବେଶ ସମସ୍ୟାବହୁଳ ଥିଲା – ଏହା କେବଳ ତାଙ୍କ ପାଇଁ ନଥିଲା।
ସେହି ଦଶନ୍ଧି ସମୟରେ ରେଣ୍ଡଲରେ ଅନେକ ପରିବର୍ତ୍ତନ ଦେଖା ଦେଇଥିଲା। ସୂତା ଶାଢ଼ିର ଚାହିଦା ହଠାତ୍ କମିଗଲା। ବୁଣାକାରମାନେ ବାଧ୍ୟ ହୋଇ କମିଜ କପଡ଼ା ବୁଣିବା ଆରମ୍ଭ କଲେ। ବସନ୍ତ ତାମ୍ବେ କହିଥିଲେ, ‘‘ଆମେ ତିଆରି କରୁଥିବା ଶାଢ଼ି ବେଶ ସରଳ ଥିଲା। ସମୟ ବିତିବା ସହିତ ସେସବୁ ଶାଢ଼ିରେ କୌଣସି ପରିବର୍ତ୍ତନ ଆସିଲା ନାହିଁ ଏବଂ ଘଟଣାକ୍ରମେ, ଚାହିଦା ହ୍ରାସ ପାଇଲା,’’ ବସନ୍ତ ତାମ୍ବେ କହିଥିଲେ।
ଏତିକିରେ ସରିନଥିଲା। ବିଦ୍ୟୁତଚାଳିତ ତନ୍ତ ଆସିଲା। ଏଥିରେ ଶୀଘ୍ର ଉତ୍ପାଦନ, ଅଧିକ ଲାଭ, କମ୍ ଶ୍ରମ ଭଳି ଫାଇଦା ଥିଲା। ଏସବୁ ଖୁବଶୀଘ୍ର ହସ୍ତତନ୍ତର ସ୍ଥାନ ନେଇଗଲା। ରେଣ୍ଡଲରେ ପ୍ରାୟତଃ ସବୁ ହସ୍ତତନ୍ତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଆଜି କେବଳ ଦୁଇ ଜଣ ବୁଣାକାର, ୭୫ ବର୍ଷ ବୟସ୍କ ସିରାଜ ମୋମିନ ଏବଂ ୭୩ ବର୍ଷ ବୟସ୍କ ବାବୁଲାଲ ମୋମିନ ହସ୍ତତନ୍ତ ବ୍ୟବହାର କରୁଛନ୍ତି, ଏମାନେ ମଧ୍ୟ ଖୁବଶୀଘ୍ର ଏହାକୁ ବନ୍ଦ କରିବା ପାଇଁ ଚିନ୍ତା କଲେଣି।
ଆନନ୍ଦର ସହ ପୂର୍ବକଥା ମନେ ପକାଇ ବାପୁ କହିଥିଲେ, ‘‘ମୁଁ ହସ୍ତତନ୍ତ ତିଆରିକୁ ଉପଭୋଗ କରୁଥିଲି।’’ ଗୋଟିଏ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ସେ ୪୦୦ରୁ ଅଧିତ ହସ୍ତତନ୍ତ ଫ୍ରେମ ତିଆରି କରିଛନ୍ତି। ସବୁ ହାତରେ ତିଆରି କରିଛନ୍ତି, କୌଣସି ଲିଖିତ ନିର୍ଦ୍ଦେଶ ଅନୁସରଣ କରିନାହାନ୍ତି। ତାଙ୍କ ବାପା କି ସେ କେବେ ତନ୍ତ ତିଆରି କରିବା ଲାଗି ଡିଜାଇନ କିମ୍ବା ମାପ ଲେଖି ରଖିନାହାନ୍ତି। ‘‘ମାପା ଦୋକ୍ୟାତ ବାସଲେଲି । ତୋଣ୍ଡପତି ଝାଲା ହୋତା (ସବୁ ଡିଜାଇନ ମୋ ମୁଣ୍ଡରେ ରହିଛି। ମୋର ସବୁ ମାପ ମନେ ଅଛି),’’ ସେ କୁହନ୍ତି।
ଏପରିକି ବିଦ୍ୟୁତ ଚାଳିତ ତନ୍ତ ବଜାରକୁ ଅକ୍ତିଆର କରିନେବା ପରେ ମଧ୍ୟ ଏହାକୁ କିଣିବାକୁ ସକ୍ଷମ ହୋଇପାରିନଥିବା କିଛି ବୁଣାକାର ସେକେଣ୍ଡ-ହ୍ୟାଣ୍ଡ ହସ୍ତତନ୍ତ କିଣିବା ଆରମ୍ଭ କରିଥିଲେ। ୭୦ ଦଶକରେ, ବ୍ୟବହୃତ ହସ୍ତତନ୍ତର ମୂଲ୍ୟ ଗୋଟାକୁ ୮୦୦ ଟଙ୍କା ହୋଇଯାଇଥିଲା।

ହାତରେ କିଭଳି ହ୍ୟାଣ୍ଡ ଡ୍ରିଲ ବ୍ୟବହାର କରାଯାଇଥାଏ ତାହା ବାପୁ ଦେଖାଇ ଦେଉଛନ୍ତି; କାଠର ପଦଚାଳିତ ହସ୍ତତନ୍ତ ତିଆରି କରିବା ଏକ କଷ୍ଟକର, ଶ୍ରମସାଧ୍ୟ ପ୍ରକ୍ରିୟା


ବାମ: କର୍ମଶାଳା ଟି ପାରମ୍ପରିକ ସାଧନ ଏବଂ ଉପକରଣଗୁଡ଼ିକର ଏକ ଭଣ୍ଡାର । ରାଣ୍ଡା, ବ୍ଲକ୍ ପ୍ଲେନ (ବାମ) ବିଭିନ୍ନ କାର୍ଯ୍ୟ କରିଥାଏ, କାଠର ଶେଷ ଭାଗକୁ କାଟିବା ଓ ସମାନ କରିବା ଲାଗି ମଧ୍ୟ ଏହା ବ୍ୟବହୃତ ହୁଏ । ଅନ୍ୟପଟେ ଫାୱଡ଼ି ସମାନ୍ତରାଳ ଗାର ଟାଣିବା ଲାଗି ବ୍ୟବହାର କରାଯାଏ । ଡାହାଣ: ଏକ ଡ୍ରିଲ ବିଟ୍ ସହିତ ସାଧାରଣ ହ୍ୟାଣ୍ଡ ଡ୍ରିଲର ଏକ ପୁରୁଣା ମଡେଲ
ବାପୁ କହିଥିଲେ, ‘‘ସେତେବେଳେ ହସ୍ତତନ୍ତ ତିଆରି କରିବା ଲାଗି କେହି କାରିଗର ନଥିଲେ। କଞ୍ଚା ମାଲ୍ ଦର ମଧ୍ୟ ବଢ଼ିଯାଇଥିଲା, ତେଣୁ ଖର୍ଚ୍ଚ (ହସ୍ତତନ୍ତ ତିଆରି କରିବା) ମଧ୍ୟ ବଢ଼ିଥିଲା। ଆହୁରି, କିଛି ବୁଣାକାର ସେମାନଙ୍କର ହସ୍ତତନ୍ତକୁ ସୋଲାପୁର ଜିଲ୍ଲା (ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୟନଶିଳ୍ପ କେନ୍ଦ୍ର) ର ବୁଣାକାରମାନଙ୍କୁ ବିକ୍ରି କରି ଦେଇଥିଲେ।’’ ଇନପୁଟ୍ ଏବଂ ପରିବହନ ଖର୍ଚ୍ଚ ବଢ଼ିବା କାରଣରୁ, ହସ୍ତତନ୍ତଗୁଡ଼ିକ ଆଉ ସାଧନକ୍ଷମ ହେଲା ନାହିଁ।
ଆଜି ହସ୍ତତନ୍ତଟିଏ ତିଆରି କଲେ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଶ୍ନ କରିବାରୁ ବାପୁ ହସିଥିଲେ। ‘‘ଏବେ କାହିଁକି ଜଣେ ହସ୍ତତନ୍ତ ଚାହିଁବ?’’ ହିସାବ କରିବା ପୂର୍ବରୁ ସେ ପ୍ରଶ୍ନ କରିଥିଲେ। ‘‘ଅତି କମ୍ରେ ୫୦,୦୦୦ ଟଙ୍କା।’’
୧୯୬୦ ଦଶକର ଆଦ୍ୟଭାଗରେ ବାପୁ ତନ୍ତ ତିଆରି ଏବଂ ହସ୍ତତନ୍ତ ମରାମତି କରି ନିଜର ରୋଜଗାର ବଢ଼ାଉଥିଲେ। ଥରେ ମରାମତି ପାଇଁ ଯିବାକୁ ସେ ୫ ଟଙ୍କା ନେଉଥିଲେ। ‘‘ଖରାପ ତନ୍ତର ସ୍ଥିତିକୁ ଦେଖି ଆମେ ଦର ବଢ଼ାଉଥିଲୁ,’’ ସେଦିନ କଥା ମନେ ପକାଇ ସେ କହିଥିଲେ। ୧୯୬୦ ଦଶକର ମଧ୍ୟ ଭାଗରେ ନୂଆ ହସ୍ତତନ୍ତ ପାଇଁ ଅର୍ଡର ମିଳିବା ବନ୍ଦ ହୋଇଯିବା ପରେ, ବାପୁ ଏବଂ ତାଙ୍କ ଭାଇ ବସନ୍ତ ଜୀବିକାର୍ଜ୍ଜନ ପାଇଁ ନୂଆ ମାର୍ଗ ସନ୍ଧାନ କରିବା ଆରମ୍ଭ କରିଥିଲେ।
ସେ କହିଥିଲେ, ‘‘ଆମେ କୋହ୍ଲାପୁର ଚାଲିଗଲୁ, ସେଠାରେ ଜଣେ ମେକାନିକ ବନ୍ଧୁ ଆମକୁ ଚାରି ଦିନ ଭିତରେ ମୋଟର ରିୱାଇଣ୍ଡ ଏବଂ ମରାମତି କିଭଳି କରିବାକୁ ହେବ ତାହା ଶିଖାଇଥିଲେ।’’ ସେମାନେ ମଧ୍ୟ ବିଦ୍ୟୁତ ଚାଳିତ ତନ୍ତ ମରାମତି ଶିଖିଲେ। ରିୱାଇଣ୍ଡିଂ ହେଉଛି ଏକ ଆର୍ମେଚର ୱାଇଣ୍ଡିଂ ପ୍ରକ୍ରିୟା ଯାହାକି ମୋଟର ପୋଡ଼ିଗଲା ପରେ ହୋଇଥାଏ। ୧୯୭୦ ଦଶକରେ ବାପୁ କର୍ଣ୍ଣାଟକର ବେଲଗାଭି ଜିଲ୍ଲା ଅନ୍ତର୍ଗତ ମଙ୍ଗୁର, ଜଙ୍ଗମୱାଡ଼ି ଓ ବୋରୋଗାଓଁକୁ ଏବଂ ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାର ରଙ୍ଗୋଲି, ଇଚଲକରଞ୍ଜି ଓ ହୁପାରିକୁ ମୋଟର, ସବମର୍ସିବଲ ପମ୍ପ ଏବଂ ଅନ୍ୟ ମେସିନ ରିୱାଇଣ୍ଡ କରିବା ଲାଗି ଯାଉଥିଲେ। ‘‘ରେଣ୍ଡଲରେ କେବଳ ମୁଁ ଓ ମୋ ଭାଇ ଏ କାମ ଜାଣିଥିଲୁ, ତେଣୁ ଆମକୁ ବହୁତ କାମ ମିଳୁଥିଲା।’’
୬୦ ବର୍ଷ ବୟସ ଅତିକ୍ରମ କରିବା ପରେ କାମ କଷ୍ଟକର ହୋଇପଡ଼ିଲା। ଅପେକ୍ଷାକୃତ ଦୁର୍ବଳ ବାପୁ ସାଇକେଲ ନେଇ ଇଚଲକରଞ୍ଜି ଏବଂ ରଙ୍ଗୋଲି ଗାଁ (ରେଣ୍ଡଲରୁ ୫.୨ କିମି ଦୂର)କୁ ମୋଟର ମରାମତି ପାଇଁ ଯାଉଥିଲେ। ଗୋଟିଏ ମୋଟର ରିୱାଇଣ୍ଡ କରିବା ଲାଗି ସେ ଅତିକମ୍ରେ ଦୁଇ ଦିନ ସମୟ ନେଉଥିଲେ ଏବଂ ଏଥିରୁ ମାସିକ ୫,୦୦୦ ଟଙ୍କା ରୋଜଗାର କରୁଥିଲେ। ହସି ହସି ସେ କୁହନ୍ତି, ‘‘ମୁଁ ଜଣେ ଆଇଟିଆଇ (ଶିଳ୍ପ ତାଲିମ ପ୍ରତିଷ୍ଠାନ ସ୍ନାତକ) ନୁହେଁ, କିନ୍ତୁ ମୁଁ ମୋଟର ରିୱାଇଣ୍ଡ କରିପାରିବି।’’

ଏକଦା ଜଣେ ସମ୍ମାନଜନକ ହସ୍ତତନ୍ତ ନିର୍ମାତା ଥିବା ବାପୁ ଏବେ ମୋଟର ମରାମତି ଏବଂ ରିୱାଇଣ୍ଡିଂ କରି ଜୀବିକା ନିର୍ବାହ କରୁଛନ୍ତି


ବାମ: ରିୱାଇଣ୍ଡିଂ କରିବା ପୂର୍ବରୁ ବାପୁ ଏକ ୱାଇଣ୍ଡିଂ ମେସିନକୁ ସେଟ୍ କରୁଛନ୍ତି । ଡାହାଣ: ୮୨ ବର୍ଷ ବୟସ୍କଙ୍କ ହାତ କାମରେ ଚଳଚଞ୍ଚଳ ରହିଛି, ମୋଟର ରିୱାଇଣ୍ଡିଂ କରିବା ସମୟରେ ଏକ ତାର ଧରିଛନ୍ତି
ନିଜର ୨୨ ଗୁଣ୍ଠ (୦.୫ ଏକର) ଚାଷ ଜମିରେ ସେ ଆଖୁ, ଜୋଣ୍ଢାଲା (ଏକ ପ୍ରକାର ଯଅ), ଏବଂ ଭୂଇମୁଗ (ଚିନାବାଦାମ) ଚାଷ କରି ସେ ଅତିରିକ୍ତ ଅର୍ଥ ରୋଜଗାର କରିଥାନ୍ତି। କିନ୍ତୁ ବୟସର ସାୟାହ୍ନରେ ପହଞ୍ଚି ସାରିଥିବାରୁ ସେ ନିଜ ଚାଷ ଜମିରେ ଆଉ ବେଶି କଷ୍ଟ କରିପାରୁନାହାନ୍ତି। ବାରମ୍ବାର ବନ୍ୟା କାରଣରୁ ତାଙ୍କ ଜମିରୁ ଆଉ ସେତେ ଅମଳ କିମ୍ବା ରୋଜଗାର ହେଉନାହିଁ।
ଗତ ଦୁଇ ବର୍ଷ ବାପୁଙ୍କ ପାଇଁ ବିଶେଷ କଷ୍ଟକର ଥିଲା, କୋଭିଡ-୧୯ ମହାମାରୀ ଏବଂ ଲକଡାଉନ ତାଙ୍କ କାମ ଓ ରୋଜଗାରକୁ ପ୍ରଭାବିତ କରିଥିଲା। ‘‘ଅନେକ ମାସ ପର୍ଯ୍ୟନ୍ତ, ମୋତେ କୌଣସି ଅର୍ଡର ମିଳିନଥିଲା,’’ ସେ କହିଥିଲେ। ଗାଁରେ ଆଇଟିଆଇ ସ୍ନାତକ ଏବଂ ମେକାନିକଙ୍କ ସଂଖ୍ୟା ବଢ଼ିବା କାରଣରୁ ମଧ୍ୟ ସେ ପ୍ରତିଯୋଗିତାର ସମ୍ମୁଖିନ ହେଉଛନ୍ତି। ତା’ଛଡ଼ା, ‘‘ଏବେ ତିଆରି ହେଉଥିବା ମୋଟରଗୁଡ଼ିକ ଉନ୍ନତ ମାନର ହୋଇଥିବା କାରଣରୁ ଅଧିକ ରିୱାଇଣ୍ଡ କରିବା ଦରକାର ହେଉନାହିଁ।’’
ହସ୍ତତନ୍ତ କ୍ଷେତ୍ରରେ ପରିସ୍ଥିତି ଆଉ ସେତେ ଭଲ ନାହିଁ। ୨୦୧୯-୨୦ ଜନଗଣନା ଅନୁଯାୟୀ, ମହାରାଷ୍ଟ୍ରରେ ହସ୍ତତନ୍ତ ଶ୍ରମିକଙ୍କ ସଂଖ୍ୟା ୩,୫୦୯କୁ ହ୍ରାସ ପାଇଛି। ୧୯୮୭-୮୮ରେ ଯେତେବେଳେ ପ୍ରଥମ ହସ୍ତତନ୍ତ ଜନଗଣନା ଅନୁଷ୍ଠିତ ହୋଇଥିଲା, ଭାରତରେ ୬୭.୩୯ ଲକ୍ଷ ହସ୍ତତନ୍ତ ଶ୍ରମିକ ଥିଲେ। ୨୦୧୯-୨୦ରେ ଏହି ସଂଖ୍ୟା ୩୫.୨୨ ଲକ୍ଷ ଶ୍ରମିକଙ୍କୁ ହ୍ରାସ ପାଇଛି। ପ୍ରତିବର୍ଷ ଭାରତ ୧୦୦,୦୦୦ ହସ୍ତତନ୍ତ ଶ୍ରମିକଙ୍କୁ ହରାଉଛି।
ବୁଣାକାରମାନଙ୍କୁ ସବୁବେଳେ କମ୍ ପାରିଶ୍ରମିକ ମିଳିଥାଏ। ଜନଗଣନାରୁ ଜଣାପଡ଼ିଛି ଯେ ଭାରତର ୩୧.୪୪ ଲକ୍ଷ ହସ୍ତତନ୍ତ ଶ୍ରମିକ ପରିବାର ମଧ୍ୟରୁ ୯୪,୨୦୧ ପରିବାର ଋଣ ବୋଝରେ ରହିଛନ୍ତି। ଗୋଟିଏ ବର୍ଷରେ ହସ୍ତତନ୍ତ ଶ୍ରମିକମାନଙ୍କୁ ୨୦୬ଟି କାର୍ଯ୍ୟ ଦିବସ ମିଳିଥାଏ। ବିଦ୍ୟୁତ ଚାଳିତ ତନ୍ତ ସଂଖ୍ୟା ବଢ଼ିବା ଏବଂ ହସ୍ତତନ୍ତ କ୍ଷେତ୍ରକୁ ବାରମ୍ବାର ଅବହେଳା କରିବା କାରଣରୁ ଉଭୟ ହାତବୁଣା ଏବଂ ତନ୍ତ ନିର୍ମାଣ କାରିଗରୀ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ସରକାରୀ ଉଦାସୀନତାକୁ ନେଇ ବାପୁ ଦୁଃଖ ପ୍ରକଟ କରିଥାନ୍ତି।
‘‘କେହି ହାତବୁଣା ଶିଖିବାକୁ ଚାହୁଁନାହାନ୍ତି। ତେଣୁ ଏ ବେଉସା ବଞ୍ଚି ରହିବ କେମିତି?’’ ସେ ପ୍ରଶ୍ନ କରିଥିଲେ। ‘‘କମ୍ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ସରକାର (ହସ୍ତତନ୍ତ) ତାଲିମ କେନ୍ଦ୍ର ଖୋଲିବା ଉଚିତ୍।’’ ଦୁଃଖର କଥା ହେଉଛି ହସ୍ତତନ୍ତ ନିର୍ମାଣ କାମ ବାପୁ (୮୨ ବର୍ଷ)ଙ୍କ ଠାରୁ ରେଣ୍ଡଲରେ କେହି ଶିଖିବା ଲାଗି ଚାହୁଁନାହାନ୍ତି। ଅନ୍ୟପଟେ ଛଅ ଦଶନ୍ଧି ପୂର୍ବରୁ ପ୍ରଚଳିତ ଥିବା ଏହି କାରିଗରୀର ବାପୁ ହେଉଛନ୍ତି ଏକମାତ୍ର ରକ୍ଷକ।
ମୁଁ ତାଙ୍କୁ ପଚାରିଲି, ଦିନେ, ସେ ଆଉ ଏକ ହସ୍ତତନ୍ତ ତିଆରି କରିବେ କି। ‘‘ସେଗୁଡ଼ିକ (ହସ୍ତତନ୍ତ) ଆଜି ନିରବ ହୋଇଯାଇଛନ୍ତି, କିନ୍ତୁ ପାରମ୍ପରିକ କାଠ ଉପକରଣ ଏବଂ ମୋ ହାତରେ ଆଜି ବି ଜୀବନ ଅଛି,’’ ସେ କହିଥିଲେ। ସେ ବାଦାମୀ ରଙ୍ଗର କାଠ ବାକ୍ସ ଆଡ଼କୁ ଚାହିଁଥିଲେ ଏବଂ ଧୀରେ ଧୀରେ ହସିଥିଲେ, ତାଙ୍କର ଆଖି ଏବଂ ତାଙ୍କର ସ୍ମୃତି ବାଦାମୀ ରଙ୍ଗ ଭଳି ଫିକା ପଡ଼ିଯାଉଥିଲା।

ବାପୁଙ୍କ ପାଞ୍ଚ ଦଶନ୍ଧି ପୁରୁଣା କର୍ମଶାଳା କାଠ କାମ ଏବଂ ଧାତବ ଉପକରଣଗୁଡ଼ିକୁ ସଂରକ୍ଷିତ ରଖିଛି, ଏସବୁ ସାମଗ୍ରୀ ସେହି ପୁରୁଣା ଦିନର ସ୍ମୃତି ବହନ କରିଛନ୍ତି ଯେତେବେଳେ ରେଣ୍ଡଲ ନିଜର ହସ୍ତତନ୍ତ ନିର୍ମାତା ଏବଂ ବୁଣାକାରମାନଙ୍କ ପାଇଁ ପ୍ରସିଦ୍ଧ ଥିଲା

ଡିଭାଇଡର ଏବଂ କମ୍ପାସ ଭଳି ଧାତବ ଉପକରଣ ବ୍ୟବହାର କରି ବାପୁ ଏକଦା ନିଜ ଚାହିଦାବହୁଳ ପଦଚାଳିତ ତନ୍ତ ନିର୍ମାଣ କରୁଥିଲେ

ସତର୍କତାପୂର୍ବକ ବନ୍ଦ ହୋଇଥିବା ପ୍ଲାଷ୍ଟିକ୍ ଡବାରେ ରିୱାଇଣ୍ଡିଂ କାମ ପାଇଁ ବ୍ୟବହୃତ ବିଭିନ୍ନ ଉପକରଣକୁ ବାପୁ ସାଇତି ରଖିଥାନ୍ତି

ହସ୍ତତନ୍ତ ବ୍ୟବହାର କରୁଥିବା ରେଣ୍ଡଲ ର ଶେଷ ଦୁଇ ଜଣ ବୁଣାକାରମାନଙ୍କ ମଧ୍ୟରୁ ଅନ୍ୟତମ ବାବାଲାଲ ମୋମିନଙ୍କ ପୁରୁଣା ଡବୀ ଓ ଅନ୍ୟ ହସ୍ତତନ୍ତ ସରଞ୍ଜାମ ଏବେ ତାଙ୍କ ଘରେ ଅଚଳ ହୋଇ ପଡ଼ିରହିଛି

ଛଅ ଦଶନ୍ଧି ପୂର୍ବରୁ ରେଣ୍ଡଲ ରେ ପ୍ରଚଳିତ ଥିବା କାରିଗରୀର ସବୁ ଜ୍ଞାନକୁ ୮୨ ବର୍ଷ ବୟସ୍କ ବାପୁ ଏକାକୀ ସାଇତି ରଖିଛନ୍ତି
ସାଙ୍କେତ ଜୈନଙ୍କ ପ୍ରସ୍ତୁତ ଏ କାହାଣୀ ହେଉଛି ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ସହାୟତାରେ ଗ୍ରାମୀଣ କାରିଗରଙ୍କ ଉପରେ ପ୍ରସ୍ତୁତ ସିରିଜ୍ର ଏକ ଅଂଶବିଶେଷ ।
ଅନୁବାଦ: ଓଡ଼ିଶାଲାଇଭ୍