ଯେଉଁଦିନ ବଜରଙ୍ଗ ଗାଏକୱାଡ଼ଙ୍କ ଓଜନ ପାଞ୍ଚ କିଲୋଗ୍ରାମ କମିଗଲା, ସେଦିନ ସେ ଜାଣିଗଲେ ଯେ, ଯାହା କ୍ଷତି ହେବା କଥା ତାହା ହୋଇସାରିଲାଣି । ସେ କହନ୍ତି, “ଆଗରୁ ମୁଁ ପ୍ରତିଦିନ ଛଅ ଲିଟର ମଇଁଷି କ୍ଷୀର ପିଉଥିଲି, ୫୦ଟି ବାଦାମ, ୧୨ଟି କଦଳୀ ଏବଂ ଦୁଇଟି ଅଣ୍ଡା ଖାଉଥିଲି ଏବଂ ତା ସାଙ୍ଗକୁ ଦିନେ ଛଡ଼ା ଦିନେ ମାଂସ ବି ଖାଉଥିଲି ।” ଏବେ ସେ ସପ୍ତାହକରେ କିମ୍ବା ବେଳେବେଳେ ଆହୁରି ଅଧିକ ସମୟ ମଧ୍ୟରେ, ଏହି ସବୁ ଖାଦ୍ୟ ଖାଇପାରୁଛନ୍ତି ଏବଂ ତାଙ୍କ ଓଜନ ୬୧ କିଲୋକୁ ଖସି ଆସିଲାଣି ।
କୋଲ୍ହାପୁର ଜିଲ୍ଲା ଅନ୍ତର୍ଗତ ଜୁନେ ପରଗାଓଁ ଗାଁର ୨୫ ବର୍ଷୀୟ ପହିଲମାନ ବଜରଙ୍ଗ କହନ୍ତି “ଜଣେ ପହିଲମାନଙ୍କ ଶରୀରର ଓଜନ କମିବା ଉଚିତ ନୁହେଁ । ଏହା ତୁମକୁ ଦୁର୍ବଳ କରିଦେବ ଏବଂ ଲଢ଼େଇରେ ତୁମର ଦାଉ ସେତେଟା ଭଲ ହେବନି । ଆମ ପାଇଁ ତାଲିମ ଯେତିକି ଗୁରୁତ୍ୱପୂର୍ଣ୍ଣ ଖୁରାକ (ଖୋରାକ) ବି ସେତିକି ।” ଗ୍ରାମୀଣ ପଶ୍ଚିମ ମହାରାଷ୍ଟ୍ରର ଅନ୍ୟ ଅନେକ ପହିଲମାନଙ୍କ ଭଳି ବଜରଙ୍ଗ ମଧ୍ୟ ଦୀର୍ଘ ଦିନ ହେଲା ନିଜର ପରିପୁଷ୍ଟ ଖୋରାକ ପାଇଁ - ଖୋଲା ଆକାଶ ତଳେ ଲାଲ ମାଟିରେ ଆୟୋଜିତ ପ୍ରତିଯୋଗିତାରୁ- ପୁରସ୍କାର ବାବଦରେ ମିଳୁଥିବା ଅର୍ଥ ଉପରେ ନିର୍ଭର କରିଆସୁଥିଲେ ।
କିନ୍ତୁ କୋଲ୍ହାପୁରର ଦୋନୋଲି ଗାଁରେ ଆୟୋଜିତ ମଇଦାନ (ଲଢ଼େଇ) ପରେ ୫୦୦ ଦିନରୁ ଅଧିକ ସମୟ ହେଲା ସେ କୌଣସି ଲଢ଼େଇରେ ଭାଗ ନେଇନାହାନ୍ତି । ସେ କହନ୍ତି, “ମୁଁ ଯେତେ ବେଶୀ ଆହତ ହୋଇଥିଲେ ବି ଏତେ ଲମ୍ବା ସମୟ ପାଇଁ ବିରତି ନେଇ ନଥାଆନ୍ତି । ”


ବାମ : ବଜରଙ୍ଗ ଏବଂ ତାଙ୍କ ମାଆ ପୁଷ୍ପା ଗାଏକୱାଡ଼ ; ୨୦୨୧ ବନ୍ୟାରେ ତାଙ୍କ ଘର ଭାସିଯାଇଥିଲା । ଡାହାଣ : ବର୍ଷାରେ ନଷ୍ଟ ହୋଇଯାଇଥିବା ତାଲିମକୁ ନିରୀକ୍ଷଣ କରୁଛନ୍ତି କୋଚ୍ ମାରୁତି ମାନେ । ଲକ୍ଡାଉନ ଯୋଗୁଁ ବର୍ଷେରୁ ଅଧିକ ସମୟ ଧରି କୁସ୍ତି ପ୍ରତିଯୋଗିତା ବନ୍ଦ ରହିବା ପରେ ଏହି ବନ୍ୟା ଆସିଲା
୨୦୨୦ ମାର୍ଚ୍ଚ ମାସରୁ ହିଁ କୁସ୍ତି ପ୍ରତିଯୋଗିତା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଲକ୍ଡାଉନ୍ ଉଠିବା ପରେ ବି ଏସବୁ କୁସ୍ତି ପ୍ରତିଯୋଗିତାର ଆୟୋଜନସ୍ଥଳୀ ରୂପେ ପରିଗଣିତ ମହାରାଷ୍ଟ୍ରର ବିଭିନ୍ନ ଗାଁରେ ହେଉଥିବା ଯାତ୍ରା (ମେଳା) ଉପରେ ନିଷେଧାଦେଶ ବଳବତ୍ତର ରହିଲା ଏବଂ ଏହା ଏବେ ବି ରହିଛି ।
ସର୍ବବ୍ୟାପୀ ମହାମାରୀ କୋଭିଡ୍-୧୯ର ପ୍ରାଦୁର୍ଭାବ ପୂର୍ବରୁ ପଶ୍ଚିମ ମହାରାଷ୍ଟ୍ର ଏବଂ ଉତ୍ତର କର୍ଣ୍ଣାଟକର ବିଭିନ୍ନ ଗାଁରେ ଆୟୋଜିତ କୁସ୍ତି ପ୍ରତିଯୋଗିତାରୁ ବଜରଙ୍ଗ ମୋଟ ୧୫୦,୦୦୦ ଟଙ୍କା ରୋଜଗାର କରିଥିଲେ । ତାହା ଥିଲା ସେହି ବର୍ଷ ପାଇଁ ତାଙ୍କର ସର୍ବମୋଟ ଆୟ । ସେ କହନ୍ତି, “ଜଣେ ଭଲ ପହିଲମାନ ଗୋଟିଏ ସିଜନ୍ରେ ୧୫୦ଟି ମ୍ୟାଚ୍ରେ ଭାଗ ନେଇପାରନ୍ତି ।” କୁସ୍ତି ପ୍ରତିଯୋଗିତାର ଏହି ସିଜନ୍ ଅକ୍ଟୋ Aବର ଶେଷ ସୁଦ୍ଧା ଆରମ୍ଭ ହୁଏ ଏବଂ ଏପ୍ରିଲ-ମେ ମାସ (ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ) ଶେଷ ହୁଏ । ବଜରଙ୍ଗଙ୍କ ଉସ୍ତାଦ୍ (କୋଚ୍) ୫୧ ବର୍ଷୀୟ ମାରୁତି ମାନେ କହନ୍ତି, “ଗୋଟିଏ ସିଜନ୍ରେ ଜଣେ ସୌଖୀନ ପହିଲମାନ ୫୦,୦୦୦ ଟଙ୍କା ଯାଏ ରୋଜଗାର କରିପାରିବେ ଏବଂ ଜଣେ ପୁରୁଖା ପହିଲମାନ ୨୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।”
ଲକ୍ଡାଉନ୍ ଜାରି ହେବା ପୂର୍ବରୁ ମଧ୍ୟ ୨୦୧୯ ଅଗଷ୍ଟ ମାସରେ ହାତକଣଙ୍ଗଲେ ତାଲୁକା ଅନ୍ତର୍ଗତ ଜୁନେ ପରଗାଓଁ ଗାଁର ପହିଲମାନମାନେ ପଶ୍ଚିମ ମହାରାଷ୍ଟ୍ର ଏବଂ କୋଙ୍କଣର କେତେକ ଭାଗରେ ସଂଘଟିତ ବନ୍ୟା ଭଳି ଆଉ ଏକ ବିପର୍ଯ୍ୟୟର ମୁକାବିଲା କରିସାରିଥିଲେ । ତିନି ଦିନର ଲଗାଣ ବର୍ଷାରେ ୱାରାନା ନଦୀର ଉତ୍ତର କୂଳରେ ଅବସ୍ଥିତ ଜୁନେ (ପୁରୁଣା) ପରଗାଓଁ ଏବଂ ନିକଟବର୍ତ୍ତୀ ପରଗାଓଁ ଗାଁ ବୁଡ଼ି ଯାଇଥିଲା । ଉଭୟ ଗାଁର ମିଳିତ ଲୋକସଂଖ୍ୟା ୧୩୧୩୦ (୨୦୧୧ ଜନଗଣନା) ।


ଲକ୍ଡାଉନ୍ରେ ଜାରି କଟକଣା ବଳରେ ସମଗ୍ର ମହାରାଷ୍ଟ୍ରର ସବୁ ତାଲିମ୍- କିମ୍ବା ଆଖଡ଼ା - ବନ୍ଦ ହୋଇଗଲା । ପହିଲମାନମାନଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଲା ଏବଂ ତାଲିମ ଓ ପ୍ରତିଯୋଗିତା ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ଅନ୍ୟ କାମ ଖୋଜିବାକୁ ବାଧ୍ୟ ହେଲେ
ମାରୁତି ମାନେଙ୍କ ଅନୁମାନ ଅନୁସାରେ ଶହେ ବର୍ଷରୁ ଅଧିକ ପୁରୁଣା ଜୁନେ ପରଗାଓଁର ଜୟ ହନୁମାନ ତାଲିମ ମଧ୍ୟ ବନ୍ୟାରେ ବୁଡ଼ି ଯାଇଥିଲା । ଏଠାକାର ଏବଂ ଆଖପାଖ ବିଭିନ୍ନ ଗାଁର ୫୦ରୁ ଅଧିକ ପହିଲମାନ (ସମସ୍ତେ ପୁରୁଷ) ମିଶି ସେମାନଙ୍କର ୨୩x୨୦ ଫୁଟ୍ର ତାଲିମ ହଲ୍ ଭିତରେ ଥିବା ପାଞ୍ଚ ଫୁଟ ଗଭୀର କୁସ୍ତି ଅଭ୍ୟାସ ସ୍ଥଳକୁ ପୁଣି ଗଢ଼ିବା ଲାଗି ସାଙ୍ଗଲି ଜିଲ୍ଲାରୁ ଗୋଟିଏ ଟ୍ରକ୍ରେ ୨୭,୦୦୦ କିଲୋ ତାମ୍ବଡ଼ି ମାଟି (ନାଲି ମାଟି) ଆଣିବାକୁ ଚାନ୍ଦା ଦେଲେ । ଏଥିପାଇଁ ସେମାନଙ୍କୁ ୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ।
ତଥାପି, ଲକ୍ଡାଉନ୍ରେ ଜାରି କଟକଣା ଯୋଗୁଁ ସମଗ୍ର ମହାରାଷ୍ଟ୍ରର ସବୁ ତାଲିମ୍ - କିମ୍ବା ଆଖଡ଼ା- ବନ୍ଦ ହୋଇଯାଇଥିଲା । ବଜରଙ୍ଗ ଏବଂ ଅନ୍ୟ ପହିଲମାନମାନଙ୍କ ପ୍ରଶିକ୍ଷଣ ଉପରେ ଏହାର କୁପ୍ରଭାବ ପଡ଼ିଲା । ତାଲିମ ଓ ପ୍ରତିଯୋଗିତା ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ଅନ୍ୟ କାମ ଖୋଜିବାକୁ ବାଧ୍ୟ ହେଲେ ।
୨୦୨୧ ଜୁନ୍ ମାସରେ, ବଜରଙ୍ଗ ମଧ୍ୟ ତାଙ୍କ ଘରଠାରୁ ୨୦ କିଲୋମିଟର ଦୂର ଏକ ଅଟୋମୋବାଇଲ ଫ୍ୟାକ୍ଟ୍ରିରିରେ ଶ୍ରମିକ ଭାବରେ କାମ କରିବାରେ ଲାଗିଲେ । ସେ କହନ୍ତି, “ମୁଁ ମାସକୁ ୧୦,୦୦୦ ଟଙ୍କା ପାଏ, କିନ୍ତୁ ମୋର ଖୁରାକ ପାଇଁ ଅତି କମ୍ରେ ୭,୦୦୦ ଟଙ୍କା ଦରକାର ହୁଏ । ତାଙ୍କ ପ୍ରଶିକ୍ଷକ ମାରୁତି ମାନେଙ୍କ କହିବା ଅନୁସାରେ ଶୀର୍ଷ ସ୍ଥାନୀୟ ପହିଲମାନମାନେ କେବଳ ନିଜ ନିଜର ଖୋରାକ ବାବଦରେ ଦିନକୁ ୧,୦୦୦ ଟଙ୍କା ଖର୍ଚ୍ଚ କରନ୍ତି । ସଠିକ୍ ପରିମାଣର ଖୋରାକ ଯୋଗାଡ଼ରେ ଅସମର୍ଥ ବଜରଙ୍ଗ ୨୦୨୦ ଅଗଷ୍ଟ ବେଳକୁ ତାଙ୍କ ଆହାର କମ୍ କରିଦେଲେ -ଏବଂ ତାଙ୍କ ଶରୀରର ଓଜନ ହ୍ରାସ ପାଇବାରେ ଲାଗିଲା ।
କୋଚ୍ ମାନେ କହନ୍ତି, 'ଏମାନଙ୍କ ମଧ୍ୟରୁ କୌଣସି ପହିଲମାନ ଏବେ ଅନ୍ତତଃ ଦୁଇ ମାସ ପାଇଁ ତାଲିମ ନେଇପାରିବେ ନାହିଁ । ପ୍ରଥମେ ମାସକ ପାଇଁ ପୂରା ମାଟି (କାଦୁଅ) ଶୁଖାଇବାକୁ ପଡ଼ିବ'
ତାଙ୍କ ବାପା ଜଣେ କୃଷି ଶ୍ରମିକ ଥିଲେ ଏବଂ ୨୦୧୩ରେ ବାପାଙ୍କ ମୃତ୍ୟୁ ପରେ ବଜରଙ୍ଗ ଭିନ୍ନ ଭିନ୍ନ କାମ କରିବାରେ ଲାଗିଲେ । କିଛି ଦିନ ପାଇଁ ସେ ଦିନକୁ ୧୫୦ ଟଙ୍କା ମଜୁରିରେ ସ୍ଥାନୀୟ ଏକ କ୍ଷୀର ସମବାୟ ସମିତିରେ କ୍ଷୀର ପ୍ୟାକେଟ୍ କରିଥିଲେ । ଏହି କାମରେ ପ୍ୟାକେଟ୍ କରିବାକୁ ଥିବା କ୍ଷୀରର ପରିମାଣ ସ୍ଥିର ନଥାଏ ।
ତାଙ୍କ ମାଆ, ୫୦ ବର୍ଷୀୟା ପୁଷ୍ପା, ଆଖଡ଼ା ପର୍ଯ୍ୟନ୍ତ ତାଙ୍କ ଯାତ୍ରାରେ ସହଯୋଗ କରିଥିଲେ- ୧୨ ବର୍ଷ ବୟସରେ ହିଁ ସେ ସ୍ଥାନୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିଲେ । ତାଙ୍କ ମାଆ କହନ୍ତି, “ଜଣେ କୃଷି ଶ୍ରମିକ ଭାବରେ କାମ କରି (ଛଅ ଘଣ୍ଟାର କାମ ପାଇଁ ୧୦୦ ଟଙ୍କା ରୋଜଗାର କରି) ମୁଁ ତାକୁ ଜଣେ ପହିଲମାନ ରୂପେ ଗଢ଼ିଛି । କିନ୍ତୁ (ଥରକୁ ଥର)ବନ୍ୟା ଯୋଗୁଁ ଆଜିକାଲି କ୍ଷେତରେ କାମ ମିଳୁ ନ ଥିବାରୁ ଏବେ ଏହା କଷ୍ଟକର ହୋଇପଡ଼ିଛି ।”
ଏବେ ତାଙ୍କର ନୂଆ କାମରେ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡୁଛି ଏବଂ ତାହା ବି ପହିଲମାନ ଭାବେ ତାଙ୍କ ପାଇଁ ଅପରିହାର୍ଯ୍ୟ ଦୈନିକ ବ୍ୟାୟାମର ସମୟ ହ୍ରାସ କରିଦେଇଛି । ସେ କହନ୍ତି, “ଏମିତି ଅନେକ ଦିନ ଆସିଛି, ଯେତେବେଳେ କି ତାଲିମ କୁ ଯିବା କଥା ମୁଁ ଭାବି ପାରିନାହିଁ ।” ୨୦୨୦ ମାର୍ଚ୍ଚରୁ ଏହି ସବୁ ହଲ୍ ବନ୍ଦ ରହିଥିଲେ ହେଁ ବେଳେବେଳେ କେତେକ ପହିଲମାନ ଆସି ଭିତରେ ଅଭ୍ୟାସ କରନ୍ତି ।

୨୦୨୦ ମାର୍ଚ୍ଚ ମାସରୁ ଜୁ ନେ ପରଗାଓଁ ଗାଁର ତାଲିମ ବନ୍ଦ ରହିଥିଲେ ହେଁ ବେଳେବେଳେ କେତେକ ପହିଲମାନ ଆସି ଭିତରେ ଅଭ୍ୟାସ କରନ୍ତି । ଲଢ଼େଇ ବେଳେ ଜୋରରେ ଧରିବା ନିମନ୍ତେ ହାତମୁଠାକୁ ସଶକ୍ତ କରିବା ଲାଗି ସେମାନେ ପ୍ରଥମେ ନିଜ ଶରୀରରେ ଲାଲ ମାଟି ବୋଳି ହୁଅନ୍ତି
ବର୍ଷକରୁ ଅଧିକ କାଳ ଧରି କେବେ କେମିତି ବ୍ୟବହାର ହୋଇ ପଡ଼ି ରହିଥିବା ହଲ୍ଗୁଡ଼ିକର ଆଖଡ଼ା ରେ ମାଟି ପକାଇ ସେଗୁଡ଼ିକୁ ପୁଣି ପ୍ରସ୍ତୁତ କରିବାକୁ ୨୦୨୧ ମେ ମାସରେ ପହିଲମାନମାନେ କାମ ଆରମ୍ଭ କଲେ । ଆଖଡ଼ା ର ଲାଲ ମାଟିରେ ୫୨୦ ଲିଟର ମଇଁଷି କ୍ଷୀର, ୩୦୦ କିଲୋ ହଳଦୀ, ୧୫ କିଲୋ କର୍ପୂର, ପ୍ରାୟ ୨,୫୦୦ଟି ଲେମ୍ବୁର ରସ, ୧୫୦ କିଲୋ ଲୁଣ, ୧୮୦ ଲିଟର ଖାଇବା ତେଲ ଏବଂ ୫୦ ଲିଟର ନିମ୍ବରସ ମିଶା ପାଣି ମିଶାଇ ଦିଆଗଲା । ଏହି ମିଶ୍ରଣ ପହିଲମାନମାନଙ୍କୁ ସଂକ୍ରମଣ, କଟା ଘା’ ଏବଂ ଗୁରୁତର କ୍ଷତରୁ ରକ୍ଷା କରେ ବୋଲି ବିଶ୍ୱାସ ରହିଛି । ଏ ବାବଦରେ ଖର୍ଚ୍ଚ ହୋଇଥିବା ୧୦୦,୦୦୦ ଟଙ୍କା ଯୋଗାଡ଼ କରିବା ଲାଗି ପହିଲମାନ ଏବଂ ଏହି କ୍ରୀଡ଼ାର କେତେକ ସ୍ଥାନୀୟ ପୃଷ୍ଠପୋଷକଙ୍କ ପାଖରୁ ଚାନ୍ଦା ନିଆାଇଥିଲା ।
ପାଖାପାଖି ଦୁଇ ମାସ ନ ପୂରୁଣୁ ଜୁଲାଇ ୨୩ ତାରିଖ ଦିନ ସେମାନଙ୍କ ଗାଁରେ ପୁଣି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପାଣି ମାଡ଼ିଗଲା । ବଜରଙ୍ଗ କହନ୍ତି, “୨୦୧୯ରେ ତାଲିମ ଭିତରେ ୧୦ ଫୁଟ ଉଚ୍ଚର ପାଣି ପଶିଯାଇଥିଲା ଏବଂ ୨୦୨୧ରେ ଏହା ୧୪ ଫୁଟକୁ ଟପିଗଲା । ଆମେ (ପୁଣି ଥରେ) ଟଙ୍କା ଯୋଗାଡ଼ କରିପାରିଲୁନି ଏବଂ ପଞ୍ଚାୟତର ଦ୍ୱାରସ୍ଥ ହେଲୁ । ହେଲେ ଆମକୁ ସହଯୋଗ କରିବା ଲାଗି କେହି ବାହାରିଲେନି ।”
କୋଚ୍ ମାନେ କହନ୍ତି, “ଏବେ ଅନ୍ତତଃ ଦୁଇ ମାସ ପାଇଁ କୌଣସି ପହିଲମାନ ତାଲିମ ନେଇପାରିବେନି । ପ୍ରଥମେ ପୂରା ମାଟି (କାଦୁଅ) ଶୁଖିବାକୁ ମାସେ ଲାଗିବ । ତା’ପରେ ସେମାନଙ୍କୁ ନୂଆ ମାଟି କିଣିବାକୁ ପଡ଼ିବ ।”

ଜୁ ନେ ପରଗାଓଁ ଗାଁର ଜଣେ ପହିଲମାନ ରସିରେ ଚଢୁଛନ୍ତି, ଯାହାକି ତାଙ୍କ ବ୍ୟାୟାମର ଏକ ଅଂଶ । ସଚିନ ପାଟିଲ କହନ୍ତି, ' ତୁମେ ଯଦି ଦିନଟିଏ ବି ତାଲିମ ନେବାକୁ ଆସିବନି, ତେବେ ଆଠ ଦିନ ପଛକୁ ଫେରିଯିବ'
ଆଗକୁ ଏହି ସମୟ ବ୍ୟବଧାନର ପ୍ରତ୍ୟକ୍ଷ କୁପ୍ରଭାବ ଅନୁଭୂତ ହେବ । ସମ୍ମାନଜନକ କେଶରୀ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୯ ବର୍ଷୀୟ ସଚିନ ପାଟିଲ କହନ୍ତି, “ତୁମେ ଯଦି ଦିନଟିଏ ବି ତାଲିମ ନେବାକୁ ଆସିବନି ତେବେ ଆଠ ଦିନ ପଛକୁ ଫେରିଯିବ ।” ସାଧାରଣତଃ ନଭେମ୍ବର-ଡିସେମ୍ବର ମାସରେ ମହାରାଷ୍ଟ୍ର ରାଜ୍ୟ କୁସ୍ତି ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି କେଶରୀ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ୨୦୨୦ ଫେବ୍ରୁଆରୀରେ ସେ ହରିଆଣାରେ ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେ କହନ୍ତି, “ଏହା ଏକ ଭଲ ସିଜନ୍ ଥିଲା ଏବଂ ମୁଁ ୨୫,୦୦୦ ଟଙ୍କା ରୋଜଗାର କରିଥିଲି ।”
ଚାରି ବର୍ଷ ହେଲା ସଚିନ ଜଣେ କୃଷି ଶ୍ରମିକ ଭାବେ କାମ କରିଆସୁଛନ୍ତି ଏବଂ ତାଙ୍କୁ ବେଳେବେଳେ ଜମିରେ ରାସାୟନିକ ସାର ଛିଞ୍ଚିବାକୁ ପଡ଼ିଥାଏ । ମାସକୁ ସେ ପ୍ରାୟ ୬,୦୦୦ ଟଙ୍କା ରୋଜଗାର କରନ୍ତି । କିଛି ଦିନ ପାଇଁ ତାଙ୍କୁ କୋଲ୍ହାପୁରର ୱାରାନା ଚିନି ସମବାୟ ସମିତି ପକ୍ଷରୁ କିଛିଟା ସହଯୋଗ ମିଳିଥିଲା- ମାସକୁ ୧,୦୦୦ ଟଙ୍କାର ଷ୍ଟାଇପେଣ୍ଡ, ପ୍ରତିଦିନ ଗୋଟିଏ ଲିଟର କ୍ଷୀର ଏବଂ ରହିବାକୁ ଜାଗାଟିଏ । (ଭଲ ରେକର୍ଡ ଥିବା କୁସ୍ତି ପ୍ରତିଯୋଗୀମାନଙ୍କୁ ଅନେକ ସମୟରେ ରାଜ୍ୟର ବିଭିନ୍ନ ଚିନି ଓ ଦୁଗ୍ଧ ସମବାୟ ସମିତି ପକ୍ଷରୁ ଏହିଭଳି ସହଯୋଗ ପ୍ରଦାନ କରାଯାଇଥାଏ ଏବଂ ବଜରଙ୍ଗଙ୍କୁ ଏହା ୨୦୧୪ରୁ ୨୦୧୭ ମସିହା ଯାଏ ମିଳିଥିଲା ।)
୨୦୨୦ ମାର୍ଚ୍ଚ ପୂର୍ବରୁ ସେ ପ୍ରତିଦିନ ଭୋର ୪.୩୦ରୁ ୯ଟା ଯାଏ ଏବଂ ପୁଣି ଅପରାହ୍ଣ ୫ଟା ୩୦ ପରେ ତାଲିମ ନେଉଥିଲେ । କୋଚ୍ ମାନେ କହନ୍ତି, “କିନ୍ତୁ ଲକ୍ଡାଉନ୍ ସମୟରେ ସେମାନେ ତାଲିମ ନେଇପାରିଲେନି ଏବଂ ତା’ର ପରିଣାମ ଏବେ ଦିଶୁଛି ।” ତାଙ୍କ ମତରେ ଏବେ ପହିଲମାନମାନେ ଅତି କମ୍ରେ ଚାରି ମାସ କଠିନ ପରିଶ୍ରମ କରି ତାଲିମ ନେଲେ ହିଁ ପୁଣି ପୂର୍ବ ଭଳି ପ୍ରତିଯୋଗିତାରେ ଭାଗ ନେଇପାରିବେ । ହେଲେ ଦୁଇ ଦୁଇ ଥର ବନ୍ୟା ଏବଂ କୋଭିଡ୍ ଯୋଗୁଁ ୨୦୧୯ ମଧ୍ୟଭାଗରୁ ଆରମ୍ଭ କରି ମାତ୍ର ଦୁଇ ବର୍ଷ ଭିତରେ ହିଁ କୁସ୍ତିରେ ତାଙ୍କର ସୁଦିନ ସରିଯାଇଛି ବୋଲି ସଚିନ ଭାବନ୍ତି ।

ଏଭଳି ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଏକଦା ଲୋକପ୍ରିୟତାର ଶୀର୍ଷରେ ରହିଥିବା କୁସ୍ତି କ୍ରୀଡ଼ାର ଅଧୋପତନ ଘଟିଛି ଏବଂ ଏହା ଏବେ ଗୁରୁତର ଦୁଃସ୍ଥିତିରେ ରହିଛି
ମାନେ କହନ୍ତି, “୨୫ରୁ ୩୦ ବର୍ଷ ବୟସ ଯାଏ ଆପଣ ସର୍ବୋତ୍ତମ ପ୍ରଦର୍ଶନ କରନ୍ତି ଏବଂ ତା’ପରେ କୁସ୍ତିରେ ନିଜ ପ୍ରଦର୍ଶନ ଅବ୍ୟାହତ ରଖିବା କଷ୍ଟକର ହୋଇପଡ଼େ । ମାନେ ନିଜେ ୨୦ ବର୍ଷରୁ ଅଧିକ ସମୟ ଧରି କୁସ୍ତି ଲଢ଼ିଛନ୍ତି ଏବଂ ଗତ ଦୁଇ ଦଶନ୍ଧି ହେଲା ସ୍ଥାନୀୟ ଏକ ବେସରକାରୀ ହାସପାତାଳରେ ସିକ୍ୟୁରିଟି ଗାର୍ଡ ରୂପେ କାମ କରିଆସୁଛନ୍ତି । ସେ ଆହୁରି କହନ୍ତି, “ଗ୍ରାମୀଣ ପହିଲମାନଙ୍କ ଜୀବନ ବୃତ୍ତାନ୍ତରେ ବହୁ ସଂଘର୍ଷ ଏବଂ ଦୁଃଖକଷ୍ଟ ଭରି ରହିଛି । ଏମିତିକି କେତେକ ଖୁବ୍ ଭଲ ପହିଲମାନ ଏବେ ଶ୍ରମିକ ଭାବେ କାମ କରୁଛନ୍ତି ।”
ଏଭଳି ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଏକଦା ଲୋକପ୍ରିୟତାର ଶୀର୍ଷରେ ରହିଥିବା କୁସ୍ତି କ୍ରୀଡ଼ାର ଅଧୋପତନ ଘଟିଛି ଏବଂ ଏହା ଏବେ ଗୁରୁତର ଦୁଃସ୍ଥିତିରେ ରହିଛି । ରାଜା ତଥା ସମାଜ ସଂସ୍କାରକ ଶାହୁ ମହାରାଜ (୧୮୯୦ ଦଶନ୍ଧିର ଶେଷ ଭାଗରୁ ଆରମ୍ଭ କରି)ଙ୍କ ସମୟରେ ହିଁ ମହାରାଷ୍ଟ୍ରରେ ମୁକ୍ତାକାଶ କୁସ୍ତି ପ୍ରତିଯୋଗିତା ଲୋକପ୍ରିୟ ହୋଇଥିଲା । ଗାଁ ଗାଁରେ ଆଫଗାନିସ୍ତାନ, ଇରାନ, ପାକିସ୍ତାନ, ତୁର୍କୀ ଏବଂ କେତେକ ଆଫ୍ରିକୀୟ ଦେଶର ମଲ୍ଲଯୋଦ୍ଧାମାନଙ୍କର ବେଶ୍ ଭଲ ଚାହିଦା ରହିଥିଲା । ( କୁସ୍ତି : ଧର୍ମନିରପେକ୍ଷ ଓ ସମକାଳୀନ ଦେଖନ୍ତୁ)
ଧାଙ୍ଗର ସଂପ୍ରଦାୟର ମାନେ ପରିବାରରେ ଦ୍ୱିତୀୟ ପିଢ଼ିର ପହିଲମାନ ମାରୁତି କହନ୍ତି, “ଦଶ ବର୍ଷ ତଳେ ଜୁନେ ପରଗାଓଁରେ ଅନ୍ତତଃ ୧୦୦ ପହିଲମାନ ଥିଲେ । ଏବେ ଏହି ସଂଖ୍ୟା ୫୫କୁ ଖସିଆସିଲାଣି । କୁସ୍ତିରେ ପ୍ରଶିକ୍ଷଣ ନେବାକୁ ଲୋକଙ୍କ ପାଖରେ ପଇସା ନାହିଁ ।” ଘୁନାକି, କିନି, ନିଲେୱାଡ଼ି ଏବଂ ପରଗାଓଁ ଓ ଜୁନେ ପରଗାଓଁର ଛାତ୍ରମାନଙ୍କୁ ସେ ତାଲିମ ଦିଅନ୍ତି ଏବଂ କୌଣସି ପାଉଣା ନିଅନ୍ତି ନାହିଁ ।
!['This year [2021], the floods were worse than 2019' says Bajrang, and the water once again caused widespread destruction in Juney Pargaon village](/media/images/08a-IMG_7144-SJ-In_Kolhapur-_wrestlers_die.max-1400x1120.jpg)
!['This year [2021], the floods were worse than 2019' says Bajrang, and the water once again caused widespread destruction in Juney Pargaon village](/media/images/08b-IMG_7246-SJ-In_Kolhapur-_wrestlers_die.max-1400x1120.jpg)
ବଜରଙ୍ଗ କହନ୍ତି, ଏ ବର୍ଷର (୨୦୨୧ର) ବନ୍ୟା ୨୦୧୯ ତୁଳନାରେ ଅଧିକ ହାନିକାରକ ଥିଲା ଏବଂ ଜୁ ନେ ପରଗାଓଁ ଗାଁରେ ପୁଣି ଥରେ ପାଣି ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି
କୁସ୍ତିରେ ସେ ହାସଲ କରିଥିବା ଟ୍ରଫିଗୁଡ଼ିକ ତାଲିମ ର ଏକ ଉଚ୍ଚ ଥାକରେ ଶୋଭା ପାଉଛି ଏବଂ ବନ୍ୟା ପାଣିରୁ ସୁରକ୍ଷିତ ରହିଛି । ପାଣି ମାଡ଼ି ଯିବା ସଂପର୍କରେ ସେ କହନ୍ତି, “ଜୁଲାଇ ୨୩ (୨୦୨୧) ତାରିଖ ଦିନ ଆମେ ରାତି ୨ଟାରେ ଘର ଛାଡ଼ି ପାଖ ପଡ଼ିଆକୁ ଗଲୁ । ପାଣି ଖୁବ୍ ଶୀଘ୍ର ବଢ଼ିବାରେ ଲାଗିଲା ଏବଂ ଦିନକ ଭିତରେ ପୂରା ଗାଁଟି ବୁଡ଼ିଗଲା ।” ମାନେ ପରିବାର ସେମାନଙ୍କର ଛଅଟି ଛେଳି ଓ ଗୋଟିଏ ମଇଁଷିକୁ ଉଦ୍ଧାର କରି ସୁରକ୍ଷିତ ରଖିପାରିଲେ କିନ୍ତୁ ୨୫ଟି କୁକୁଡ଼ା ହରାଇଲେ । ଜୁଲାଇ ୨୮ ତାରିଖରେ ବନ୍ୟା ପାଣି ହ୍ରାସ ପାଇବା ଆରମ୍ଭ ହେବା ମାତ୍ରେ ଅନ୍ୟ ପ୍ରାୟ ୨୦ ଜଣ ପହିଲମାନଙ୍କୁ ସାଙ୍ଗରେ ନେଇ ପ୍ରଥମେ ମାରୁତି ତାଲିମ କୁ ଗଲେ ଏବଂ ସେଠାରେ ସବୁ କିଛି ନଷ୍ଟ ହୋଇଯାଇଥିବାର ଦେଖିଲେ ।
ଏବେ ଆଗାମୀ ଯୁବ ପିଢ଼ିର ପହିଲମାନଙ୍କ ଉପରେ ଏହାର କୁପ୍ରଭାବ ସଂପର୍କରେ ସେ ଚିନ୍ତିତ । ସାଙ୍ଗଲି ଜିଲ୍ଲାରେ ବିଏ ପଢୁଥିବା ଜଣେ ଛାତ୍ର ମୟୂର ବାଗାଡ଼ି ଦୁଇ ବର୍ଷ (୨୦୧୮-୧୯) ଭିତରେ ଭାଗ ନେଇଥିବା ୨୦ଟି ପ୍ରତିଯୋଗିତା ମଧ୍ୟରୁ ୧୦ରୁ ଅଧିକରେ ବିଜୟ ହାସଲ କରିଛନ୍ତି । ସେ କହନ୍ତି, “ମୁଁ ଆଉ ଅଧିକ କିଛି ଶିଖିବା ଏବଂ ଅନ୍ୟାନ୍ୟ ସ୍ଥାନକୁ ଯିବା ପୂର୍ବରୁ ହିଁ ଲକ୍ଡାଉନ୍ ସବୁ କିଛି ଛଡ଼ାଇ ନେଲା ।” ସେବେଠାରୁ ସେ ତାଙ୍କର ଦୁଇଟି ମଇଁଷି ଦୁହିଁବା ସହିତ ଚାଷଜମିରେ କାମ କରି ନିଜ ପରିବାର ସହାୟତା କରିଆସୁଛନ୍ତି ।
ଶେଷ ଥର ପାଇଁ ସେ ୨୦୨୦ ଫେବ୍ରୁଆରୀରେ ଘୁନାକି ଗାଁରେ ଆୟୋଜିତ ପ୍ରତିଯୋଗିତାରେ ଲଢ଼ିଥିଲେ ଏବଂ ୨,୦୦୦ ଟଙ୍କା ଜିତିଥିଲେ । ସଚିନ ପାଟିଲ କହନ୍ତି, “ବିଜୟୀ ପ୍ରତିଯୋଗୀ ପୁରସ୍କାର ଅର୍ଥର ୮୦ ପ୍ରତିଶତ ନିଅନ୍ତି ଏବଂ ଦ୍ୱିତୀୟ ସ୍ଥାନରେ ରହୁଥିବା ପ୍ରତିଯୋଗୀ ୨୦ ପ୍ରତିଶତ ଅର୍ଥ ପାଆନ୍ତି ।” ଏଭଳି ଭାବରେ ପ୍ରତିଟି ଲଢ଼େଇରୁ କିଛି ନା କିଛି ରୋଜଗାର ହୁଏ ।
ନିକଟରେ ହୋଇଥିବା ବନ୍ୟା ପୂର୍ବ ସମୟରେ ମୟୂର ଓ ନିଲେୱାଡ଼ି ଗାଁର ଆଉ ତିନି ଜଣ ପହିଲମାନ ଚାରି କିଲୋମିଟର ଦୂର ଜୁନେ ପରଗାଓଁକୁ ପ୍ରାୟତଃ ଯାଇଥାଆନ୍ତି । ସେ କହନ୍ତି, “ଆମ ଗାଁରେ ତାଲିମ ନାହିଁ ।”


ବାମ : ୨୦୦୫ ଏବଂ ୨୦୧୯ ବନ୍ୟାରେ ପହିଲମାନ ସଚିନ ପାଟିଲଙ୍କ ଘର ନଷ୍ଟ ହୋଇଯାଇଥିଲା। ଡାହାଣ : ନିଲେୱାଡ଼ି ଗାଁର ମୟୂର ବାଗାଡ଼ି ଦୁଇ ବର୍ଷ ଭିତରେ ୧୦ଟିରୁ ଅଧିକ ପ୍ରତିଯୋଗିତା ଜିତିଛନ୍ତି
ଗତ ମାସର ବନ୍ୟାରେ, ସେ କହନ୍ତି, “ଆମେ ପୂରା ଗୋଟିଏ ଦିନ ପାଇଁ ତିନି ଫୁଟ ପାଣିରେ ରହିଲୁ । ଉଦ୍ଧାର କରାଯିବା ପରେ ମୋତେ ଜ୍ୱର ଜ୍ୱର ଲାଗୁଥିଲା ।” ବାଗାଡ଼ି ପରିବାର ପରଗାଓଁ ଗାଁର ଏକ ବେସରକାରୀ ସ୍କୁଲରେ ଗୋଟିଏ ସପ୍ତାହ ରହିଲେ । ମୟୂର ଆହୁରି କହନ୍ତି, “ଆମର ପୂରା ଘର ପାଣିରେ ବୁଡ଼ି ଯାଇଥିଲା, ଏମିତି କି ୧୦ ଗୁଣ୍ଠ (୦.୨୫ ଏକର) ଚାଷଜମି ବି ।” ତାଙ୍କ ପରିବାର ଅମଳ କରିଥିବା ପ୍ରାୟ ୬୦,୦୦୦ ଟଙ୍କା ମୂଲ୍ୟର ୨୦ ଟନ୍ ଆଖୁ ଉପରେ ନିର୍ଭର କରି ଚଳିଥିଲେ । ଘରେ ସାଇତି ରଖିଥିବା ୭୦ କିଲୋ ମକା, ଗହମ ଓ ଚାଉଳକୁ ମଧ୍ୟ ସେମାନେ ହରାଇଥିଲେ । ମୟୂର କହନ୍ତି, “ସବୁ କିଛି ଚାଲିଯାଇଛି ।”
ମୟୂରଙ୍କ ବାପାମାଆ ଉଭୟ ଚାଷୀ ଓ କୃଷି ଶ୍ରମିକ ଏବଂ ବନ୍ୟା ପରେ ଘର ସଫା କରିବାରେ ମୟୂର ସେମାନଙ୍କ ସହାୟତା କଲେ । ସେ କହନ୍ତି, “ଘରୁ ଦୁର୍ଗନ୍ଧ ଯାଇନି, କିନ୍ତୁ ଆମକୁ ତ ଏହିଠାରେ ହିଁ ଶୋଇବାକୁ ଏବଂ ଖାଇବାକୁ ପଡ଼ିବ ।”
ସମୟ ଗଡ଼ିବା ସହିତ ବନ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି । ବଜରଙ୍ଗ କହନ୍ତି, “୨୦୧୯ର ବନ୍ୟା ୨୦୦୫ ବନ୍ୟା ତୁଳନାରେ ଅଧିକ ଭୟଙ୍କର ଥିଲା । ଏବଂ ୨୦୧୯ରେ ଆମକୁ କ୍ଷତିପୂରଣ ବାବଦରେ ଟଙ୍କାଟିଏ ବି ମିଳି ନଥିଲା । ଏ ବର୍ଷର (୨୦୨୧) ବନ୍ୟା ୨୦୧୯ ତୁଳନାରେ ଅଧିକ କ୍ଷତି କରିଛି ।” ସେ କହନ୍ତି, “ସରକାର ଯଦି ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) କ୍ରିକେଟକୁ ସହାୟତା ଦେଇପାରନ୍ତି ଏବଂ ଏମିତି କି ଏହାକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ସଂପର୍କରେ ଚିନ୍ତା କରିପାରନ୍ତି, ତେବେ କୁସ୍ତି ପାଇଁ କାହିଁକି କିଛି କରିପାରିବେନି ?”
କଥା ଯୋଡ଼ି କହନ୍ତି ସଚିନ, “ଯେ କୌଣସି ପରିସ୍ଥିତିରେ ବି ମୁଁ ଯେ କୌଣସି ପହିଲମାନଙ୍କ ସହ ଲଢ଼ିପାରିବି, କିନ୍ତୁ କୋଭିଡ୍ ଓ ଦୁଇ ଦୁଇ ଥର ବନ୍ୟା ସହିତ ନୁହେଁ ।”
ଅନୁବାଦ: ଓଡ଼ିଶାଲାଇଭ୍