ଏହି କାହାଣୀ ହେଉଛି ପରୀର ପରିବେଶ ପରିବର୍ତ୍ତନ ଉପରେ ସିରିଜ୍ର ଏକ ଅଂଶ, ଯାହାକି ୨୦୧୯ ମସିହା ପାଇଁ ପରିବେଶ ସମ୍ପର୍କିତ ରିପୋର୍ଟିଂ ବର୍ଗରେ ରାମନାଥ ଗୋଏଙ୍କା ପୁରସ୍କାର ଲାଭ କରିଥିଲା।
କିଭଳି ଓ କାହିଁକି, ଅଚାନକ ଭାବେ ଏକ ଏକର ଜମିରେ ଆପଣ ଚାଷ କରିଥିବା ଯଅ ଶସ୍ୟ ସବୁ ଉଭାନ ହୋଇ ଯାଉଛି? “ଦୁଇ ବର୍ଷରେ ପ୍ରଥମଥର ପାଇଁ ମୁଁ ଏହି ଋତୁରେ ମୋ ଗ୍ରାମ ଛାଡି ଏକ ସପ୍ତାହ ପାଇଁ ଅନ୍ୟଆଡେ ଚାଲିଯାଇଥିଲି । ସେହି ସମୟ ମଧ୍ୟରେ ସେମାନେ ସବୁ ଖାଇ ସଫା କରିଦେଇଛନ୍ତି,” ବୋଲି ଆନନ୍ଦ ସାଲ୍ଭି କୁହନ୍ତି । ‘ସେମାନେ’ ଅର୍ଥାତ୍ ଗଉର୍ମାନଙ୍କ ପଲ ( ବୋସ୍ ଗଉରସ୍, ଯାହାକୁ ଭାରତୀୟ ଗୟଳ ବୋଲି ମଧ୍ୟ କୁହାଯାଏ) – ପୃଥିବୀ ପୃଷ୍ଠରେ ବିଦ୍ୟମାନ ଗୋମହିଷାଦି ପ୍ରାଣୀମାନଙ୍କ ମଧ୍ୟରେ ସବୁଠାରୁ ବିଶାଳାକାୟ ପ୍ରାଣୀ। ଏହାର ଅଣ୍ଡିରାଗୁଡିକର ଉଚ୍ଚତା ୬ ଫୁଟ୍ରୁ ଅଧିକ ହୋଇଥାଏ ଓ ଓଜନ ୫୦୦ ଓ ୧୦୦୦ କିଲୋଗ୍ରାମ୍ ମଧ୍ୟରେ ହୋଇଥାଏ ।
ସାଧାରଣତଃ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ରାଧାନଗରୀ ଅଭୟାରଣ୍ୟର ଶାନ୍ତି ପ୍ରିୟ ଏହି ବିଶାଳକାୟ ମଇଁଷିମାନେ ଆଜିକାଲି ରାଜରାସ୍ତା ଉପରକୁ ଆସି ଯାଉଛନ୍ତି ଓ ସେମାନଙ୍କ ଚାରି ପାଖରେ ଦେଖା ଯାଉଥିବା ଚାଷ ଜମି ମଧ୍ୟକୁ ଅତର୍କିତ ଭାବେ ପଶି ଯାଉଛନ୍ତି ।
“ମୋ ଜମି ଜଗିବାକୁ କେହି ମଧ୍ୟ ନାହାନ୍ତି,’’ ବୋଲି ରାକ୍ଷୀ ଗ୍ରାମର ସାଲ୍ଭି ଦୁଃଖରେ କୁହନ୍ତି । “ଭାଗ୍ୟବଶତଃ, ମୁଁ ମୋର ଏକ ଏକର ଆଖୁ ଫସଲକୁ ବଞ୍ଚାଇବାରେ ସଫଳ ହୋଇପାରିଛି (ପାଖାପାଖି ୮୦ ଟନ୍ ଆଖୁ)।’’ ତେବେ ଆପଣ କିଭଳି ଭାବେ ୧୦୦୦ କିଗ୍ରାର ଏକାଧିକ ବିଶାଳକାୟ ପ୍ରାଣୀମାନଙ୍କ ଠାରୁ କୌଣସି ଜିନିଷକୁ ‘ବଞ୍ଚାଇବା’ରେ ସଫଳ ହୋଇପାରିବେ ? ବାଣ ଫୁଟାଇ ।
ଦୁଇ ବର୍ଷ ପୂର୍ବେ, ସାଲ୍ଭି ପ୍ରତି ରାତିରେ ନିଜ ଜମିରେ ଶୋଇବାକୁ ଆରମ୍ଭ କଲେ । “ଆମେ ପ୍ରତିଦିନ ରାତି ୮ଟା ବେଳକୁ ଆସୁ ଓ ଭୋର୍ ୪ଟା ବେଳେ ଏଠାରୁ ଯାଇଥାଉ, ସମସ୍ତ ଗାଭା (ଗଉର୍ ପାଇଁ ବ୍ୟବହୃତ ଆଞ୍ଚଳିକ ଶବ୍ଦ) ଯିବା ପରେ” ବୋଲି ସେ ବର୍ଣ୍ଣନା କରନ୍ତି । “ଓ ରାତିରେ ଆମେ ଜମିରେ ବାଣ ଫୁଟେଇ ଥାଉ ।’’ ଏପରି କରିବା ଦ୍ୱାରା ମଇଁଷିମାନେ ତାଙ୍କର ପାଞ୍ଚ ଏକର ଜମି ମଧ୍ୟକୁ ପ୍ରବେଶ କରିବା ପାଇଁ ଭୟ କରୁଛନ୍ତି ବୋଲି ସେ କୁହନ୍ତି । ତାଙ୍କର ଅନେକ ପଡୋଶୀ ମଧ୍ୟ ଏପରି କରିଥାନ୍ତି । ପାନ୍ହଳା ତାଲୁକା ଅନ୍ତର୍ଗତ ରାକ୍ଷୀ ଗ୍ରାମରେ ପ୍ରାୟ ଦୁଇ ବର୍ଷ ହେବ ଏହି ବନ୍ୟ ମଇଁଷିମାନଙ୍କ ଯୋଗୁଁ ବ୍ୟାପକ ଶସ୍ୟ ହାନି ହେଉଛି ।
“ଏହି ଋତୁରେ ଆମେ ପ୍ରତିଦିନ ପ୍ରାୟ ୫୦ଟଙ୍କା ଖର୍ଚ୍ଚ କରୁ, ବାଣ କିଣିବା ପାଇଁ,’’ ବୋଲି ସାଲ୍ଭିଙ୍କ ସ୍ତ୍ରୀ ସୁନିତା କୁହନ୍ତି । ଯାହାଦ୍ୱାରା ଆମର ଚାଷ ପାଇଁ ହେଉଥିବା ବ୍ୟୟ ସହିତ ଆଉ ଏକ ଅତିରିକ୍ତ ନୂଆ ବ୍ୟୟ ଯୋଡି ହୋଇଯାଏ । “ତଥାପି, ରାତିରେ ଜମିରେ ଶୋଇବା ବିପଦ ମୁକ୍ତ ନୁହେଁ ବୋଲି ସେ କୁହନ୍ତି”। ସେହି ସମୟରେ ଅନ୍ୟ ବନ୍ୟଜନ୍ତୁମାନେ ମଧ୍ୟ ସକ୍ରିୟ ଥାଆନ୍ତି । ଯେପରିକି ସାପ ।
ଲୋକମାନଙ୍କ ବିଶ୍ୱାସ ଯେ ବାଣ ସେମାନଙ୍କ କୌଣସି ହାନି କରିପାରିବ ନାହିଁ ବୋଲି ମଇଁଷିମାନେ ଖୁବ୍ ଶୀଘ୍ର ଜାଣିଯିବେ । ଏଣୁ ରାଧାନଗରୀ ତାଲୁକାର କିଛି କୃଷକ ବିଦ୍ୟୁତ ତାର ବାଡ ବ୍ୟବହାର କରିବାକୁ ଆରମ୍ଭ କଲେଣି । “କିନ୍ତୁ ସେଗୁଡିକୁ କିଭଳି ଭାବେ ପାରି କରିହେବ’’, ତାହା ମଧ୍ୟ ସେମାନେ ଜାଣି ସାରିଲେଣି, ବୋଲି ସମ୍ରାଟ୍ କେର୍କର, ବଣ ମଇଁଷି ପ୍ରାକୃତିକ କ୍ଲବ୍, ରାଧାନଗରୀରେ ଥିବା ଏକ ବନ୍ୟଜନ୍ତୁ ଏନ୍ଜିଓର ସହ-ପ୍ରତିଷ୍ଠାତା କୁହନ୍ତି । “ଗଉର୍ମାନେ ତାର ବାଡ ପାରି ହୋଇ ଭିତରକୁ ଗଲେ ସେମାନଙ୍କୁ ବୈଦ୍ୟୁତିକ ଝଟକା ଲାଗିବ କି ନାହିଁ ତାହା ଜାଣିବା ପାଇଁ ସେମାନେ ପ୍ରଥମେ ନିଜ ଖୂରା ବା ଗୋଡକୁ ପ୍ରଥମେ ବାଡ ଭିତରକୁ ପଶାଇଥାନ୍ତି । ପୂର୍ବେ, ସେମାନେ ମନୁଷ୍ୟମାନଙ୍କୁ ଭୟ କରୁଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଆମକୁ ଦେଖିଲେ ମଧ୍ୟ ଭୟରେ ଦଉଡି ପଳେଇ ଯାଉନାହାନ୍ତି ।’’
“ଆମେ ଏଥିପାଇଁ ଗାଭାକୁ ଦାୟି କରୁନୁ,” ସୁନିତା କୁହନ୍ତି । “ଏହା ହେଉଛି ବନ ବିଭାଗର ଭୁଲ୍ । ଯଦି ଜଙ୍ଗଲର ରକ୍ଷଣାବେକ୍ଷଣ ସଠିକ୍ ଢଙ୍ଗରେ କରାଯିବ ନାହିଁ, ତେବେ ପ୍ରାଣୀମାନେ ନିଶ୍ଚିତ ଭାବେ ବାହାରକୁ ଆସିବେ ।’’
ଏବେ ବହୁଳ ସଂଖ୍ୟାରେ ଗଉର୍ ମଇଁଷିମାନେ ଅଭୟାରଣ୍ୟରୁ ବାହାରୁକ ଆସିବା ଦେଖାଯାଉଛି – ମୁଖ୍ୟତଃ ଖାଦ୍ୟ ଓ ପାଣି ସନ୍ଧାନରେ । ସେମାନେ ଖୋଜୁଥିବା ଅନ୍ୟ ଜିନିଷଗୁଡିକ ମଧ୍ୟରେ ରହିଛି କର୍ଭି ପତ୍ର (ଷ୍ଟ୍ରୋବିଲାନ୍ଥସ୍ କାଲୋସା), ଯାହା ଦିନକୁ ଦିନ ଶୁଖି ଯାଉଥିବା ଜଙ୍ଗଲରେ ଝାଉଁଳି ପଡିଥିବା ମନେ ହେଉଛି । ଓ ଜଳର ଅନ୍ୟ ଉତ୍ସ ସନ୍ଧାନରେ ମଧ୍ୟ – ଅଭୟାରଣ୍ୟରେ ପୋଖରୀଗୁଡିକ ଶୁଖି ଯାଉଥିବା ଯୋଗୁଁ । ଆହୁରିମଧ୍ୟ, ଯେପରି ଜଙ୍ଗଲ ଜଗୁଆଳି ଓ କ୍ଷେତ୍ର ଗବେଷକମାନେ କହିଥାନ୍ତି, ଅଭୟାରଣ୍ୟରେ ହ୍ରାସ ପାଉଥିବା ସବୁଜଘାସ ପଡିଆ ଯୋଗୁଁ ମଧ୍ୟ ସେମାନେ ଏଭଳି କରିଥାନ୍ତି ।
କେନ୍ଦ୍ରୀୟ ଜଳ ବୋର୍ଡର ତଥ୍ୟରୁ ଜଣା ପଡେ ଯେ ୨୦୦୪ ରେ ରାଧାନଗରୀରେ ୩, ୫୧୦ ମିମି ବୃଷ୍ଟିପାତ ହୋଇଥିବା ବେଳେ ୨୦୦୮ ରେ ୩ ,୬୮୪ ଓ ୨୦୧୨ ରେ ୩,୦୭୨ ମିମି ବୃଷ୍ଟିପାତ ହୋଇଥିଲା। ୨୦୧ ୮ ରେ ଏଠାରେ କେବଳ ୨,୧୨୦ ମିମି ବୃଷ୍ଟିପାତ ହୋଇଛି – ବହୁତ ନିମ୍ନକୁ ଖସିଯାଇଛି। ପ୍ରକୃତରେ କହିଲେ, ସମଗ୍ର କୋହ୍ଲାପୁରରେ ପ୍ରାୟ ଗତ ଦଶ ବର୍ଷ କିମ୍ବା ଅଧିକ ସମୟ ହେବ ଆବଶ୍ୟକ ମୁତାବକ ବୃଷ୍ଟିପାତ ହେଉନାହିଁ – ଯେପରି ମହାରାଷ୍ଟ୍ରର ଅନ୍ୟ ଭାଗରେ ମଧ୍ୟ ହେଉଛି ।
ରାଜୁ ପାଟିଲ୍, ଜଣେ ୫୦-ବର୍ଷ-ବୟସ୍କ ମେଷପାଳକ, ଦଶ ବର୍ଷ ତଳେ ପ୍ରଥମେ ଦେଭଗାଦ୍ – ନିପାଣି ରାଜ୍ୟ ରାଜପଥରେ ୧୨ଜଣିଆ ଗଉର୍ମାନଙ୍କ ଏକ ଦଳ ଦେଖିଥିଲେ । ସେ ଗ୍ରାମ ଉପକଣ୍ଠରେ, ରାଧାନଗରୀରେ ଏକ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଥିବା କଥା ଶୁଣିଥିଲେ । କିନ୍ତୁ ସେ ଏହା ପୂର୍ବରୁ କେବେ ମଧ୍ୟ ଗାଭା ଦେଖି ନଥିଲେ ।
“ପ୍ରଥମ ଥର ପାଇଁ, ମୁଁ ଏମାନଙ୍କୁ ଜଙ୍ଗଲ ବାହରକୁ ଆସୁଥିବା, କେବଳ ଗଲା ଦଶକରେ ଦେଖିବାକୁ ପାଇଲି,” ବୋଲି ସେ କୁହନ୍ତି । ତା’ପରେ, ରାଧାନଗରୀ ଗ୍ରାମବାସୀଙ୍କ ପାଇଁ, ଏହି ବିଶାଳକାୟ ତୃଣଭୋଜୀମାନେ ରାସ୍ତା ପାରି ହେଉଥିବା ଦୃଶ୍ୟ ଅତି ସାଧାରଣ ହୋଇଯାଇଛି । ଗ୍ରାମବାସୀମାନେ ସେମାନଙ୍କ ସେଲ୍ଫୋନ୍ରେ ଏହି ପ୍ରାଣୀମାନଙ୍କ ଭିଡିଓ କରିଛନ୍ତି । ଗଉର୍ମାନେ କୋହ୍ଲାପୁର ଜିଲ୍ଲାର ରାଧାନଗରୀ, ସାହୁୱାଡି, କବିର୍ ଓ ପନ୍ହଳା ତାଲୁକା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆଖୁ, ଶାଲୁ (ଯଅ ବା ସୋର୍ଗମ୍), ମକା, ଧାନ ଆଦି ଖାଇବାକୁ ଆସନ୍ତି ।
ଓ ପାଣି ପିଇବା ପାଇଁ – ଜଙ୍ଗଲରେ ସେମାନଙ୍କ ପାଇଁ ଯାହାର ଅଭାବ ଦିନକୁ ଦିନ ବଢିବାରେ ଲାଗିଛି ।
ରାଧାନଗରୀ ତାଲୁକାରେ, ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୧୦-୧୫ ବର୍ଷ ହେବ ଏହି ଗାଭାମାନେ ଜଙ୍ଗଲ ବାହାରକୁ ଆସି ଏହିପରି ଅତର୍କିତ ଭାବେ ପ୍ରବେଶ କରୁଛନ୍ତି । ପାନ୍ହଳା ତାଲୁକାରେ, ବୋଧହୁଏ, ଏପରି ଏବେ ଏବେ ଘଟୁଛି । ରାକ୍ଷୀ ଗ୍ରାମର ଯୁବରାଜ ନିରୁଖେ, ୪୨, ଯାହାର ଜମି ଜଙ୍ଗଲ ନିକଟରେ ଅଛି. ସେ କୁହନ୍ତି, “ଆମେ କେବଳ ଗତ ଦୁଇ ବର୍ଷ ହେବ ଏହି ଗାଭାମାନଙ୍କୁ ଦେଖୁଛୁ । ପୂର୍ବେ ବଣ ଘୁଷୁରୀମାନେ ଆମ ଶସ୍ୟ ନଷ୍ଟ କରୁଥିଲେ ।’’ ତେବେ ଜାନୁଆରୀଠାରୁ, ୧୨ଜଣିଆ ବଣ ମଇଁଷିଙ୍କ ଏକ ଦଳ ତିନି ଥର ତାଙ୍କ ୦.୭୫ଏକର ଭିତରକୁ ପଶି ଆସିଛନ୍ତି । ‘‘ମୋଟ ଚାରି କ୍ୱିଣ୍ଟାଲ୍ ଶାଲୁ କ୍ଷତି ହୋଇଛି ଓ ଚଳିତ ବର୍ଷାଋୁତୁରେ ପୁଣିଥରେ ଚାଷ କରିବାକୁ ମୋତେ ଭୟ ଲାଗୁଛି,’’ ବୋଲି ସେ କୁହନ୍ତି ।
ରାଧାନଗରୀ ତାଲୁକାର ଲୋକମାନେ ସେମାନଙ୍କ ସେଲ୍ଫୋନ୍ରେ ଗଉର୍ମାନେ ଅଭୟାରଣ୍ୟରୁ ବାହାରିବା ଓ ରାସ୍ତା ତଥା ରାଜପଥ ପାରି ହେବା ଦୃଶ୍ୟ ଭିଡିଓ କରିଛନ୍ତି ।
“ପାଣିପାଗ ଚକ୍ର ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯାଇଛି,’’ ବୋଲି ପ୍ରଶାନ୍ତ ତେନ୍ଦୁଲ୍କର, ରାଧାନଗରୀ ବନ ରେଞ୍ଜ ଅଧିକାରୀ କୁହନ୍ତି । “ପୂର୍ବେ, ଏଠାରେ ମାର୍ଚ୍ଚ ଓ ଏପ୍ରିଲ୍ରେ ଥରେ ଦୁଇଥର ନିଶ୍ଚିତ ଭାବେ ବୃଷ୍ଟିପାତ ହେଉଥିଲା, ଯାହା ଫଳରେ ପୋଖରୀଗୁଡିକ ପାଣିରେ ଭର୍ତ୍ତି ହୋଇଯାଉଥିଲା । ଆମେ ଯଦି ପ୍ରକୃତିର ବିରୋଧରେ ଯିବା, ତେବେ ଏଥିପାଇଁ କିଏ ଦାୟୀ ହେବ? ପ୍ରାୟ ୫୦ – ୬୦ ବର୍ଷ ପୂର୍ବେ ସେଠାରେ ଜଙ୍ଗଲ ଥିଲା, ତାପରେ ଚାରଣ ଭୂମି, ଚାଷ ଜମି ଓ ବର୍ତ୍ତମାନ ସେଠାରେ ଗ୍ରାମ ଅଛି । ବର୍ତ୍ତମାନ ଲୋକମାନେ ଏହି ଜମିରେ ବସତି ସ୍ଥାପନ କରିବାକୁ ଆରମ୍ଭ କଲେଣି ଓ ସେମାନେ ଧୀରେ ଧୀରେ ଜଙ୍ଗଲଆଡକୁ ଅଗ୍ରସର ହେବାକୁ ଆରମ୍ଭ କଲେଣି । ଜଙ୍ଗଲ ଓ ଗ୍ରାମ ମଧ୍ୟରେ ଥିବା ଜମିଗୁଡିକ ମଧ୍ୟକୁ ଅନଧିକାର ଭାବେ ପ୍ରବେଶ କରିବାକୁ ଆରମ୍ଭ କଲେଣି ।’’
ବର୍ତ୍ତମାନ ସେଠାରେ ଅଧିକ ବିନାଶକାରୀ ପ୍ରକୃତିର ଜବରଦଖଲ ହେଉଥିବା ମଧ୍ୟ ଦେଖା ଯାଉଛି – ବକ୍ସାଇଟ୍ ମାଇନିଂ । ଏହା ପ୍ରାୟ ଗତ ଦଶ ବର୍ଷରୁ ଅଧିକ ସମୟ ହେବ କେବେକେବେ ସକ୍ରିୟ ରହିବା ଦେଖାଯାଉଛି ।
“ଖୋଲାମୁହଁ ଖଣିରୁ ବକ୍ସାଇଟ୍ ଖନନ କରାଯିବା ଯୋଗୁଁ ରାଧାନଗରୀ ବିଧ୍ୱଂସ୍ତ ହୋଇଯାଇଛି,’’ ବୋଲି ବିଟ୍ଟୁ ସହଗଲ, ସାଙ୍କଚୁରୀ ଏସିଆର ଫାଉଣ୍ଡର ଏଡିଟର୍ କୁହନ୍ତି । “ଏହା ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ କରାଯାଇଛି, କିନ୍ତୁ ଆଇଏନ୍ଡିଏଏଲ୍ (INDAL) [ ଯାହା ପରବର୍ତ୍ତୀ ସମୟରେ ହିଣ୍ଡାଲ୍କୋ ସହିତ ମିଶିଛି], ଏହି କମ୍ପାନିର ପ୍ରାଶାସନିକ କ୍ଷମତା କ୍ଷେତ୍ରରେ ବିରୋଧ ପ୍ରଦର୍ଶନକାରୀଙ୍କ ତୁଳନାରେ ବେଶ ପ୍ରଭାବ ରହିଛି । ଏହି କମ୍ପାନିଗୁଡିକ ସରକାରୀ ଦପ୍ତରରେ ପଲିସି ଲେଖନ୍ତି । ଏହି ଖନନ ଗତିବିଧି ଯୋଗୁଁ ଚାରଣ ଭୂମି, ଜଳ ଉତ୍ସ, ଅନ୍ୟ ସବୁକିଛି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ।’’
ବାସ୍ତବରେ, ଉଭୟ ବମ୍ବେ ଉଚ୍ଚ ନ୍ୟାୟାଳୟ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ୧୯୯୮ ଠାରୁ ଏକାଧିକ ବାର ଏହି ପ୍ରକାର ଗତିବିଧିର କଟୁ ସମାଲୋଚନା କରିଛନ୍ତି । ଅକ୍ଟୋବର ୨୦୧୮ ର ପ୍ରାୟ ଶେଷ ଆଡକୁ, ଏହି ବାବଦରେ ରାଜ୍ୟ କୌଣସି ପ୍ରକାରର ଆଗ୍ରହ ଦେଖାଉ ନଥିବା ମାନ୍ୟବର ଉଚ୍ଚ ନ୍ୟାୟାଳୟ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଟିପ୍ପଣୀ ଦେଇଛନ୍ତି ।
ଶିବାଜୀ ବିଶ୍ୱବିଦ୍ୟାଳୟ, କୋହ୍ଲାପୁରର ଗବେଷକମାନଙ୍କ ଦ୍ୱାରା ୨୦୧୨ ରେ କରାଯାଇଥିବା ଏକ ଅଧ୍ୟୟନରେ, ଜାରି ରହିଥିବା ଖଣି ଖନନର ଦୀର୍ଘ-କାଳୀନ ପ୍ରଭାବ ବିଷୟରେ କୁହାଯାଇଛି । ସେମାନଙ୍କ
ପେପର୍ରେ
, ଷ୍ଟଡିଜ୍ ଅନ୍ ଦ ଇମ୍ପାକ୍ଟ ଅଫ୍ ବକ୍ସାଇଟ୍ ମାଇନିଂ ଆକ୍ଟିଭିଟିଜ୍ ଅନ୍ ଏନ୍ଭାଇରନମେଣ୍ଟ ଇନ୍ କୋହ୍ଲାପୁର୍ ଡିଷ୍ଟ୍ରୀକ୍ଟ,ରେ ଏହା ନୋଟ କରାଯାଇଛି ଯେ ‘‘ଉଭୟ ବୈଧ ଓ ଅବୈଧ ଖଣି ଖନନ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳର ପରିବେଶର ଗମ୍ଭୀର ଅବନତି ଆରମ୍ଭ ହୋଇଛି । ଯଦିଓ ଖଣିକାମ ଯୋଗୁଁ ପ୍ରାରମ୍ଭରେ ସେଠାର କିଛି ସ୍ଥାନୀୟ ନିବାସୀଙ୍କ ପାଇଁ ବୃତ୍ତିର ସୁଯୋଗ ସୃଷ୍ଟି ହୋଇଛି ଓ ସରକାରଙ୍କୁ ରାଜସ୍ୱ ମଧ୍ୟ ମିଳିଛି, ତେବେ ଏହି ପରିସ୍ଥିତି ସ୍ୱଳ୍ପସ୍ଥାୟୀ ଅଟେ । ସେ ଯାହାହେଉ ନା କାହିଁକି. ପରିବର୍ତ୍ତିତ ଭୂମି ବ୍ୟବହାର ଜନିତ ସ୍ଥାନୀୟ ପରିବେଶରେ ହେଉଥିବା କ୍ଷତି ସ୍ଥାୟୀ ଅଟେ ।’’
ରାଧାନଗରୀଠାରୁ ମାତ୍ର ୨୪ କଲୋମିଟର୍ ଦୂରତାରେ ଅନ୍ୟ ଏକ ଅଭୟାରଣ୍ୟ, ଦାଜିପୁର, ଅବସ୍ଥିତ । ଉଭୟ ୧୯୮୦ରେ ପରସ୍ପର ଠାରୁ ଭିନ୍ନ ହେବା ପୂର୍ବରୁ ଗୋଟିଏ ଅଭୟାରଣ୍ୟ ହୋଇ ରହିଥିଲେ । ମିଳିତଭାବେ ଦୁଇ ଅଭୟାରଣ୍ୟ ୩୫୧.୧୬ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପିଥିଲା । ଦାଜିପୁରରେ ମାଙ୍କଡା ପଥର ଥିବା ମାଳଭୂମିର ଏକ ଖଣ୍ଡ ରହିଛି, ଯାହାକୁ ସବରାଇ ସଦା ବୋଲି କୁହାଯାଏ, ସେଥିରେ ଏକ ହ୍ରଦ ଅଛି. ଯାହା ସେହି ଅଞ୍ଚଳରେ ରହୁଥିବା ପଶୁ ଓ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ଏକ ପ୍ରମୁଖ ଉତ୍ସ ଅଟେ । କିନ୍ତୁ ଏହି ହ୍ରଦର ଏକ ବୃହତ୍ ଅଂଶ ଏହି ବର୍ଷର ମଇ ମାସ ବେଳକୁ ସଙ୍କୁଚିତ ହୋଇଯାଇଛି ବା ଶୁଖିଯାଇଛି ।
ଆହୁରି ମଧ୍ୟ, “ଗତ ଦଶନ୍ଧିରେ ଏହି ଅଞ୍ଚଳରେ ସବୁଠାରୁ ବେଶୀ ଜଙ୍ଗଲ କ୍ଷୟ ହୋଇଛି । ଏହା ଦ୍ୱାରା ବିଭିନ୍ନ (ଜଳବାୟୁ) ଚକ୍ର ପ୍ରଭାବିତ ହୋଇଛି,” ବୋଲି ବନ୍ୟପ୍ରାଣୀ ଗବେଷକ ଓ ବନ୍ୟପ୍ରାଣୀ ସୁରକ୍ଷା ଗବେଷଣା ସୋସାଇଟିର ସଭାପତି କହିଛନ୍ତି ।
ସବରାଇ ସଦା ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ବନ ବିଭାଗ ପଶୁପକ୍ଷୀଙ୍କ ପାଇଁ ଏକ କୁତ୍ରିମ ‘ସଲ୍ଟ ଲିକ୍’ ସୃଷ୍ଟି କରିଛି । ସଲ୍ଟ ବା ମିନେରାଲ୍ ଲିକ୍ ହେଉଛି ସେହି ସ୍ଥାନ ଯେଉଁଠାରେ ପ୍ରାଣୀମାନେ ସେମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱଗୁଡିକ ପାଇପାରିବେ । ଲୁଣ ଓ କୋଣ୍ଡା (କୁଣ୍ଡା/ଚୋକଡ) ଆଦି ଦିଜିପୁର୍ ଓ ରାଧାନଗରୀରେ କେତେକ ସ୍ଥାନରେ ଗଚ୍ଛିତ କରି ରଖାଯାଇଛି ।
ସଲ୍ଟ ଲିକ୍ ବ୍ୟତୀତ, ସେଠାରେ ମାନବ ହସ୍ତକ୍ଷେପର ଆଉ ଏକ ସ୍ୱଳ୍ପ ହିତକାରୀ ରୂପ ଦେଖିବାକୁ ମିଳିଥାଏ: ଆଖୁର ବିସ୍ତାର । କୋହ୍ଲାପୁର ଜିଲ୍ଲାର କେତେକ ତାଲୁକାରେ ବହୁଳ ପରିମାଣରେ ବୃଷ୍ଟିପାତ ହେଉଥିବାରୁ, ସେଠାରେ କିଛି ଦଶନ୍ଧି ହେବ ପ୍ରଚୁର ଆଖୁ ଉତ୍ପାଦନ କରାଯାଉଛି । ଏହାର ବୃଦ୍ଧି, ଯଦିଓ କିଛି ପରିମାଣରେ ବିପଦର ସୂଚନା ଦେଉଛି । ରାଜ୍ୟ ଆଖୁ କମିଶନରେଟ୍ ଓ ଗେଜେଟିଅର୍ରୁ ପ୍ରାପ୍ତ ହୋଇଥିବା ଡାଟା ଅନୁସାରେ ୧୯୭୧ -୭୨ରେ କୋହ୍ଲାପୁର ଜିଲ୍ଲାରେ ସମୁଦାୟ ୪୦,୦୦୦ ହେକ୍ଟର ଜମିରେ ଆଖୁ ଚାଷ କରାଯାଇଥିଲା । ଗତବର୍ଷ, ୨୦୧ ୮-୧୯ରେ ୧୫୫,୦୦୦ହେକ୍ଟର୍ ଜମିରେ ଆଖୁ ଚାଷ କରାଯାଇଛି- ପ୍ରାୟ ୨୮୭ ପ୍ରତିଶତ ବୃଦ୍ଧି ହୋଇଛି । (ମହାରାଷ୍ଟ୍ରରେ ଆଖୁ ଚାଷ କରିବା ପାଇଁ ଏକର୍ ପିଛା ୧୮ –୨୦ ଲକ୍ଷ ଲିଟର୍ ପାଣି ଖର୍ଚ୍ଚ ହୋଇଥାଏ ।)
ଏହି ସମସ୍ତ ପ୍ରକ୍ରିୟାର ପ୍ରଭାବ ଜମି, ଜଳ, ଜଙ୍ଗଲ, ପ୍ରାଣୀ ଓ ଉଦ୍ଭିଦ ସମୂହ, ଜଳବାୟୁ ଓ ପାଣିପାଗ ଉପରେ ପଡିବା ସ୍ୱାଭାବିକ ଅଟେ । ଏହି ଅଭୟାରଣ୍ୟରେ ଥିବା ଜଙ୍ଗଲ ହେଉଛି ଦାକ୍ଷିଣ ଅର୍ଦ୍ଧ-ଚିରହରିତ୍, ଦକ୍ଷିଣ ଆଦ୍ର-ମିଶ୍ରିତ ପର୍ଣ୍ଣମୋଚୀ ଓ ଦକ୍ଷିଣ ଚିରହରିତ୍ ଜଙ୍ଗଲ ପ୍ରକାରର । ଏହି ସମସ୍ତ ପରିବର୍ତ୍ତନ ଯୋଗୁଁ ଅଭୟାରଣ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିବା ବେଳେ, ଏଠାରେ ବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ତୀବ୍ର ପରିଣତିର ସାମନା କରିବାକୁ ପଡୁଛି । ମାନବୀୟ ଗତିବିଧି ବଢିବାରେ ଲାଗିଛି କିନ୍ତୁ ଗଉର୍ ପଲ ନୁହେଁ ।
ରାଧାନଗରୀ ଅଭୟାରଣ୍ୟରେ କିଛି ଦଶନ୍ଧି ତଳେ ୧,୦୦୦ରୁ ଅଧିକ ସଂଖ୍ୟକ ଏହି ବିଶାଳାକାୟ ପ୍ରାଣୀ ରହୁଥିବା ବିଶ୍ୱାସ କରାଯାଉଥିବା ବେଳେ, ବର୍ତ୍ତମାନ ଏମାନଙ୍କ ସଂଖ୍ୟା ହ୍ରାସ ପାଇଁ ୫୦୦ରେ ପହଞ୍ଚିଥିବା ମହାରାଷ୍ଟ୍ର ବନ ବିଭାଗ ସୁତ୍ରରୁ ଜଣାପଡିଛି। ବନ ରେଞ୍ଜ ଅଧିକାରୀ ପ୍ରଶାନ୍ତ ତେନ୍ଦୁଲ୍କର୍ଙ୍କ ବ୍ୟକ୍ତିଗତ ଆକଳନ ହେଉଛି ୭୦୦ । ଭାରତରେ,ଗଉର୍କୁ ବନ୍ୟପ୍ରାଣୀ ସଂରକ୍ଷଣ ଆକ୍ଟ, ୧୯୭୨ ଅନ୍ତର୍ଗତ ସିଡ୍ୟୁଲ୍ ୧ ରେ ସ୍ଥାନିତ କରାଯାଇଛି, ଯାହା ଦ୍ୱାରା ତାଲିକାଭୁକ୍ତ ଏହି ପ୍ରଜାତି ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । ଏହି ପ୍ରାଣୀମାନଙ୍କ ବିରୋଧରେ ଯେକୌଣସି ବେଆଇନ୍ କାର୍ଯ୍ୟକଳାପ ପାଇଁ ସର୍ବାଧିକ ଅର୍ଥ ଦଣ୍ଡର ବ୍ୟବସ୍ଥା ରହିଛି । ଗଉର୍ମାନଙ୍କୁ ଇଣ୍ଟର୍ନାସ୍ନାଲ୍ ୟୁନିଅନ୍ ଫର୍ କଞ୍ଜର୍ଭେସନ୍ ଅଫ୍ ନେଚର୍ର ବିପଦରେ ରହିଥିବା ପ୍ରଜାତିମାନଙ୍କ ତାଲିକାରେ ‘ଲାଲ୍ ତାଲିକା’ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଏହାକୁ ‘ଅତି ବିପଦରେ’ ରହିଥିବା ପ୍ରଜାତିମାନଙ୍କ ଶ୍ରେଣୀରେ ସ୍ଥାନିତ କରିଛି ।
ଗଉର୍ମାନେ ଚାଲି ଯାଉଛନ୍ତି, କିନ୍ତୁ “ସେମାନଙ୍କ ପାଖରେ [ ବନ ବିଭାଗ ] ଗଉର୍ମାନଙ୍କ ପ୍ରବାସ ସମ୍ବନ୍ଧୀୟ ତଥ୍ୟର କୌଣସି ରେକର୍ଡ ନାହିଁ, "ବୋଲି ଅମିତ ସୟଦ୍ କୁହନ୍ତି । “ସେମାନେ କେଉଁଠାକୁ ଯାଉଛନ୍ତି? ଏଥିପାଇଁ ସେମାନେ କେଉଁ ପଥ ବ୍ୟବହାର କରୁଛନ୍ତି? କେଉଁ ପ୍ରକାରର ଦଳ? ଗୋଟିଏ ଦଳରେ କେତେ ଜଣ ରହୁଛନ୍ତି? ଯଦି ସେମାନେ ଏହି ଦଳଗୁଡିକୁ ନିରୀକ୍ଷଣ କରୁଥାନ୍ତେ, ତେବେ ଏହିପରି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ । ସେମାନଙ୍କ ଏହି ଯିବାଆସିବା ରାସ୍ତାରେ ଜଳାଶୟର ବ୍ୟବସ୍ଥା କରାଯିବା ଉଚିତ ।’’
ଭାରତୀୟ ପାଣିପାଗ ବିଭାଗରୁ ପ୍ରାପ୍ତ ଡାଟା ଅନୁଯାୟୀ, କୋହ୍ଲାପୁର ଜିଲ୍ଲାରେ ୨୦୧୪ ଜୁନ୍ ମାସରେ ସେହି ମାସର ସାଧାରଣ ହାରାହାରି ବୃଷ୍ଟିପାତ ପରିମାଣ ଠାରୁ ୬୪ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିଲା । ୨୦୧୬ରେ, ୩୯ ପ୍ରତିଶତ କମ୍ । ୨୦୧୮ରେ, ଏହାର ପରିମାଣ ହାରାହାରି ପରିମାଣଠାରୁ ଏକ ପ୍ରତିଶତ ଅଧିକ ହୋଇଥିଲା । ଜୁଲାଇ ୨୦୧୪ରେ, ସେହି ମାସ ପାଇଁ ନିର୍ଦ୍ଧାରିତ ହାରାହାରି ବୃଷ୍ଟିପାତ ଠାରୁ ୫ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିଲା। ପରବର୍ଷ ଜୁଲାଇ ମାସରେ, ୭୬ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିଲା । ଏହି ବର୍ଷ, ଜୁନ୍ ୧ ଠାରୁ ଜୁଲାଇ ୧୦ ମଧ୍ୟରେ, ଏହି ସମୟ ଅବଧି ପାଇଁ ନିର୍ଦ୍ଧାରିତ ହାରାହାରି ବୃଷ୍ଟିପାତ ପରିମାଣ ଠାରୁ ୨୧ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିଲା । କିନ୍ତୁ, ଏଠାରେ ରହୁଥିବା ଅନେକ ଲୋକଙ୍କ କହିବା ମୁତାବକ, ଏହି ଏପ୍ରିଲ୍ ଓ ମଇରେ ପ୍ରାକ୍—ମୌସୁମୀ ବର୍ଷାର କୌଣସି ଚିହ୍ନ ଦେଖିବାକୁ ମିଳିନାହିଁ । “ଗତ ଦଶନ୍ଧି ମଧ୍ୟରେ ଏଠାରେ ହେଉଥିବା ବୃଷ୍ଟିପାତ ବିନ୍ୟାସ ତ୍ରୁଟିପୂର୍ଣ୍ଣ ହୋଇଯାଇଛି,’’ ବୋଲି କେର୍କର୍ କୁହନ୍ତି । ଏଥିଯୋଗୁଁ ଏହି ଜଙ୍ଗଲଗୁଡିକରେ ଥିବା ଅତି କମ୍ ସଂଖ୍ୟକ ଚିରସ୍ରୋତା ଜଳ ଉତ୍ସର ସମସ୍ୟା ଅତ୍ୟଧିକ ବୃଦ୍ଧି ପାଇଛି ।
୨୦୧୭, ଏପ୍ରିଲ୍ ଓ ମଇରେ, ରାଧାନଗରୀ ଓ ଦିଜିପୁର୍ ଜଙ୍ଗଲର କେତେକ ପୋଖରୀରେ ପ୍ରଥମ ଥର ପାଇଁ କୃତ୍ରିମ ଉପାୟ ଅବଲମ୍ବନ କରାଯାଇ ପାଣି ଭର୍ତ୍ତି କରାଗଲା- ଟ୍ୟାଙ୍କର୍ ପାଣି ସହାୟତାରେ । ଏହିପରି ଭାବେ କେର୍କର୍ଙ୍କ ବାଇସନ୍ ନେଚର୍ କ୍ଲବ୍ ପକ୍ଷରୁ ଉଭୟ ଜଙ୍ଗଲରେ ଥିବା ତିନୋଟି ସ୍ଥାନକୁ ପ୍ରାୟ ୨୦,୦୦୦ଲିଟର୍ ପାଣି ଯୋଗା ଯାଇଥିଲା । ୨୦୧୮ ରେ ଏହାର ପରିମାଣ ୨୪,୦୦୦ଲିଟର୍କୁ ବୃଦ୍ଧି ପାଇଲା । (ଜଙ୍ଗଲରେ ଆହୁରି ଅନେକ ପୋଖରୀ ଅଛି ଯାହାର ରକ୍ଷଣାବେକ୍ଷଣ କାମ ବନ ବିଭାଗ ନିଜେ କରିଥାଏ) ।
ତେବେ, “ଚଳିତ ବର୍ଷ, ରାଧାନଗରୀ ରେଞ୍ଜରେ ଥିବା ଗୋଟିଏ ପୋଖରୀକୁ ଜଳ ଯୋଗାଣ କରିବା ପାଇଁ ବନ ବିଭାଗ ଆମକୁ ଅନୁମତି ପ୍ରଦାନ କରିଛନ୍ତି. ଯାହାର କାରଣ ଜଣାନାହିଁ,” ବୋଲି କେର୍କର୍ କୁହନ୍ତି । ଚଳିତ ବର୍ଷ, ଏନ୍ଜିଓଗୁଡିକ ୫୪,୦୦୦ ଲିଟର୍ ଜଳ ଯୋଗାଇଛନ୍ତି । ସେ ଯାହା ବି ହେଉ, “ଜୁନ୍ରେ ଦୁଇଥର ମୌସୁମୀ ବୃଷ୍ଟିପାତ ହେବା ପରେ, ଆମେ ଜଳ ଯୋଗାଣ ବନ୍ଦ କରିଦେଉ ।’’
ଜଙ୍ଗଲ କ୍ଷୟ , ଖଣି ଖନନ, ଫସଲ ବିନ୍ୟାସରେ ବଡଧରଣର ପରିବର୍ତ୍ତନ, ମରୁଡି, ଜଳ ଶୁଖିଯିବା, ଜଳର ଗୁଣବତ୍ତାରେ ଅବନତି, ଭୂତଳ ଜଳ ତଳକୁ ଚାଲିଯିବା, ଏହି ସମସ୍ତ ପ୍ରକ୍ରିୟାର ପ୍ରଭାବ ରାଧାନଗରୀର ଜଙ୍ଗଲ, ଚାଷ ଜମି, ମୃତ୍ତିକା, ଜଳବାୟୁ ଓ ପାଣିପାଗ ଉପରେ ଓ ଏହା ଯେଉଁ ବିରାଟ ଅଞ୍ଚଳର ଅଂଶ ବିଶେଷ, ସେଠାରେ ଅନୁଭୂତ ହୋଇଥାଏ ।
କିନ୍ତୁ ଏହା କେବଳ ପ୍ରାକୃତିକ ଜଳବାୟୁ ନୁହେଁ, ଯେଉଁଥିରେ ଅବନତି ପରିଲକ୍ଷିତ ହୋଇଛି ।
ଗଉର୍ ଓ ମନୁଷ୍ୟମାନଙ୍କ ମଧ୍ୟରେ ସଂଘର୍ଷ ହେବା ଘଟଣା ବଢିବାରେ ଲାଗିଛି । “ଗାଭା, ୨୦ ଗୁଣ୍ଠ ଜମିରେ ମୁଁ ଚାଷ କରିଥିବା ସମସ୍ତ ହାତୀ ଘାସ ଖାଇଦେଲେ [ ଆନୁମାନିକ ଭାବେ ପ୍ରାୟ ଅଧା ଏକର୍ ହେବ]," ବୋଲି ନିଃସହାୟ ମାରୁତି ନିଖମ୍, ୪୦, କୁହନ୍ତି । ପାନ୍ହଳା ତାଲୁକା ର ନିଖମୱାଡି ଗ୍ରାମରେ ତାଙ୍କର ଛଅ ଏକର ଜମି ଅଛି । “ସେମାନେ ଜାନୁଆରୀଠାରୁ ଏପ୍ରିଲ୍ ମାସ ମଧ୍ୟରେ ଅନ୍ୟ ୩୦ଗୁଣ୍ଠ ଜମିରେ ମୁଁ କରିଥିବା ମକା ଫସଲ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ।
ବର୍ଷାଋତୁରେ, ଜଙ୍ଗଲରେ ପ୍ରଚୁର ପରିମାଣର ଜଳ ଉପଲବ୍ଧ ହୋଇଥାଏ, କିନ୍ତୁ ଯଦି ସେମାନେ ଖାଇବା ପାଇଁ ଖାଦ୍ୟ ପାଇବେ ନାହିଁ, ତେବେ ସେମାନେ ପୁଣି ଥରେ ଆମ ଜମି ମୁହାଁ ହେବ ।’’
ପ୍ରଚ୍ଛଦ ଫଟୋ : ସେମାନଙ୍କ ଛବି ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିଥିବାରୁ, ରୋହନ୍ ଭାତେ ଓ ସାଙ୍କଚୁରୀ
ଏସିଆକୁ ସ୍ୱତନ୍ତ୍ର ଧନ୍ୟବାଦ ।
ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।
ଆପଣ କଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି zahra@ruralindiaonline.orgକୁ ଲେଖନ୍ତୁ ଓ namita@ruralindiaonline.orgକୁ acc କରନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍