ଅବଦୁଲ ମାଜିଦ୍ ୱାନି ଖୁବ୍ ଖୁସି ଯେ ଚଳିତ ଋତୁରେ ଶୀତ ଖୁବ୍ ନିର୍ଦ୍ଦୟ। ସେ ଆଶା କରୁଛନ୍ତି ଯେ, ସେ ତିଆରି କରୁଥିବା କଂଗ୍ରିଗୁଡ଼ିକର ଚାହିଦା ଜାରି ରହିବ। ଯେମିତି ଗତବର୍ଷ ଡିସେମ୍ବର ମାସରେ କାଶ୍ମୀରର କିଛି ଅଂଶରେ ତାପମାତ୍ରା -୧୦ ଡିଗ୍ରୀ ପରି କମ୍ ହୋଇଯାଇଥିଲା।
ବାଣୀ, ୫୫ ବର୍ଷ ବୟସ୍କ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲ୍ଲାରେ ଚରାର-ଇ-ସରିଫ ରେ ରୁହନ୍ତି ଏବଂ କାମ କରନ୍ତି। ଏହି ସହର, ଶ୍ରୀନଗରଠାରୁ ପ୍ରାୟ ୩୨ କିଲୋମିଟର ଦୂର । ଏହା କଂଗ୍ରି ତିଆରି କରୁଥିବା କାରିଗରମାନଙ୍କର ସ୍ଥାନ। କଂଗ୍ରି ହେଉଛି ଏକ ଅଗ୍ନିପାତ୍ର। ଯେଉଁଥିରେ ଗୋଟିଏ ମାଟିପାତ୍ରକୁ କାଠ କୋଇଲା ନିଆଁରେ ଭରି ଦିଆଯାଏ ଏବଂ ଏହା ହାତ ତିଆରି ବେତ ପାତ୍ର ମଧ୍ୟରେ ରଖାଯାଏ। କାଶ୍ମୀରରେ ଥିବା ଅନେକ ଲୋକ ଏହି ପୋଟେବଲ ହିଟରକୁ ଏହାର ହ୍ୟାଣ୍ଡେଲରୁ ଧରି ସେମାନଙ୍କର ଫେରାନ (ଶୀତ ଦିନେ ପିନ୍ଧା ଯାଉଥିବା ଏକ ପାରମ୍ପରିକ ଆଣ୍ଠୁ ପର୍ଯ୍ୟନ୍ତ ପୋଷାକ) ଭିତରେ ରଖି କାଶ୍ମୀରର ଦୀର୍ଘ ଶୀତ ଦିନେ ଉଷୁମ ରହିବାକୁ ଚେଷ୍ଟା କରନ୍ତି ଓ ରୁହନ୍ତି। (କେତେକ ଅଧ୍ୟୟନ କାଶ୍ମୀରରେ ବିଶେଷ କରି ହେଉଥିବା କାଗ୍ରିଂ କ୍ୟାନସର ବିଷୟରେ କହିଥାଏ ଯାହାକି ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳନ୍ତା କୋଇଲାଗୁଡ଼ିକୁ ନିଜ ଶରୀର ପାଖରେ ଧରି ରଖିବା କାରଣରୁ ହୋଇଥାଏ); କିନ୍ତୁ ତାହା ଅନ୍ୟ ଏକ କାହାଣୀ।)
ଚରାର-ଇ-ସରିଫରେ କନିଲ ମୋହଲାର ଜଣେ ବାସିନ୍ଦା ୩୦ବର୍ଷ ବୟସ୍କ ଉମର ହାସନ୍ ଦର କୁହନ୍ତି, ‘‘ଆମ ଅଞ୍ଚଳ ସୁନ୍ଦର କଂଗ୍ରି ପାଇଁ ଜଣାଶୁଣା, ଯାହାକି ଆମେ ସୂକ୍ଷ୍ମ ବେତରେ ତିଆରି କରିଥାଉ’’। କାରିଗର ଏବଂ ଶ୍ରମିକମାନେ ଏଠାରେ କଂଗ୍ରି ତିଆରିରେ ସମ୍ପୃକ୍ତ। ବେତ ଝୁଡ଼ି ପାଇଁ ଉଇଲୋ କାଠ ନିକଟସ୍ଥ ଜଙ୍ଗଲରୁ ସଂଗ୍ରହ କରାଯାଏ। କିମ୍ବା କୃଷକମାନଙ୍କଠାରୁ କିଣାଯାଏ, ଏଗୁଡ଼ିକୁ ନରମ କରିବା ପାଇଁ ଶିଝାଯାଏ ଏକ ଧାରୁଆ ହାତ ତିଆରି ଉପକରଣ (ସ୍ଥାନୀୟ ଭାବରେ ଚାପ୍ପୁନ ଭାବରେ ଜଣାଶୁଣା; ଦୁଇଟି ମୋଟା କାଠବାଡ଼ି, ଛକ ହୋଇ ମାଟିରେ ପୋତାଯାଇଥାଏ)ରେ ରମ୍ପା ଯାଏ, ଚଞ୍ଛାଯାଏ ଏବଂ ଏହା ପରେ ଭିଜେଇବା, ଶୁଖେଇବା ଏବଂ ରଙ୍ଗଦେବା ଆଦି ହୋଇଥାଏ। ଏହା ପରେ ଏହି ପ୍ରସ୍ତୁତ ହୋଇଥିବା ପାତିଆ ମାଟିପାତ୍ର ଚାରିପଟେ ବୁଣାଯାଏ।
ଏହି ପ୍ରକ୍ରିୟା ପ୍ରାୟ ସପ୍ତାହେ ନେଇଥାଏ, ଏହି ସମୟ ମଧ୍ୟରେ ପାତିଆଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଶୁଖିବା ଦରକାର। କଂଗ୍ରିଗୁଡ଼ିକ ସାଧାରଣତଃ ଅଗଷ୍ଟ ମାସରେ ଶୀତ ଆରମ୍ଭ ହେବା ପୂର୍ବରୁ ତିଆରି କରାଯାଏ ଏବଂ ବେଳେ ବେଳେ ଏହାର ଚାହିଦା ଉପରେ ନିର୍ଭର କରି ଶୀତ ଋତୁରେ ମଧ୍ୟ ତିଆରି ହୁଏ। ଯାହାକି ଫେବୃଆରୀମାସ ଶେଷ ସୁଦ୍ଧା ବନ୍ଦ ହୋଇଯାଏ।
ଅତୀତରେ କାଶ୍ମୀରର କଂଗ୍ରିଗୁଡ଼ିକ କେବଳ ଏକ ମାଟିପାତ୍ର ଥିଲା- ସ୍ଥାନୀୟ କୁମ୍ଭାରଙ୍କଠାରୁ କିଣାଯାଉଥିଲା- ଏହା ବାହାରେ ପାତିଆର ଆବରଣ ନଥିଲା। ସମୟକ୍ରମେ କେତେଜଣ କାରିଗର ଏହି ଦେଶୀ ହିଟରକୁ ବିଭିନ୍ନ ପ୍ରକାର ପାତିଆ ଡିଜାଇନରେ ତିଆରି କରିବା ଆରମ୍ଭ କଲେ। ଯାହାକି ପୁରୁଣା କଂଗ୍ରି ତୁଳନାରେ ଅଧିକ ଦାମି ଥିଲା। ଗୋଟିଏ କମ୍ ଦାମର କଂଗ୍ରି ବର୍ତ୍ତମାନ ପ୍ରାୟ ଟ. ୧୫୦ ନିଏ ଏବଂ ତିଆରି କରିବା ପାଇଁ ୩-୪ ଘଣ୍ଟା ସମୟ ଲାଗେ; ଅଧିକ ନିଖୁଣ ଭାବରେ ଡିଜାଇନ କରାଯାଇଥିବା ବହୁରଙ୍ଗୀ କଂଗ୍ରି ବୁଣିବା ପାଇଁ – ୩-୪ ଦିନ ସମୟ ନିଏ- ଏବଂ ଏହାର ଦାମ୍ ପ୍ରାୟ ଟ. ୧୮୦୦ ହୋଇପାରେ। ଦର ମୋତେ କୁହନ୍ତି, ଏହା ସେମାନଙ୍କୁ ଟ. ୧,୦୦୦ରୁ ୧,୨୦୦ ପର୍ଯ୍ୟନ୍ତ ଲାଭ ଦେଇଥାଏ।


ବାମ : ୪୦ବର୍ଷ ବୟସ୍କ ମନଜୁର ଅହମ୍ମଦ, ବଡ଼ଗାମ ଜିଲ୍ଲାର ଚରାର-ଇ-ସରିଫରେ ଗୋଟିଏ କର୍ମଶାଳାରେ ଏକ ରଙ୍ଗୀନ କଂଗ୍ରି ବୁଣୁଛନ୍ତି। ଡାହାଣ : ୮୬ ବର୍ଷ ବୟସ୍କ କାଜିର ମହମ୍ମଦ ମଲିକ ଚରାର-ଇ-ସରିଫର କନିଲ ମୋହଲାରେ ତାଙ୍କ କର୍ମଶାଳାରେ ଏକ ରଙ୍ଗୀ କଂଗ୍ରି ବୁଣୁଛନ୍ତି।
ଯଦିଓ କଂଗ୍ରି ତିଆରି ଏକ ଋତୁକାଳୀନ ବୃତ୍ତି ଏହା କାରିଗରମାନଙ୍କୁ ଏବଂ ଚାଷୀମାନଙ୍କୁ ଯେଉଁମାନେ ବ୍ୟବସାୟୀ ଏବଂ ଠିକାଦାରୀମାନଙ୍କୁ ପାତିଆ ବିକ୍ରି କରନ୍ତି, ସାରାବର୍ଷର ରୋଜଗାର ଦେଇଥାଏ। ଚରାର-ଇ-ସରିଫରେ କଂଗ୍ରି ନିର୍ମାତାମାନେ ମୋତେ କହିଥିଲେ, ପ୍ରତି ଶୀତରେ ସେମାନେ ସେମାନଙ୍କର ଅଗ୍ନିପାତ୍ରରୁ ପ୍ରାୟ ୫୦,୦୦୦ରୁ ୬୦,୦୦୦ ବିକ୍ରୟ କରନ୍ତି, ଯାହାକି ସେମାନଙ୍କୁ ଟ. ୧କୋଟି ଆୟ ଦେଇଥାଏ। ଚାଲିଥିବା ଭୀଷଣ ଶୀତ ଋତୁରେ ବିକ୍ରି ବଢ଼ିବାର ଆଶା ରହିଛି। ଓ୍ୱାନି କୁହନ୍ତି, ‘‘ଏହି ଋତୁରେ ଆମେ ୧ କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଅତିକ୍ରମ କରିବା ନେଇ ଆଶାବାଦୀ। କାରଣ କଂଗ୍ରୀର ଚାହିଦା କେବଳ ବଢ଼ୁଛି’’। ସେ ଜୁନ୍ରୁ ଡିସେମ୍ବର ମାସର ଏହି ୬ମାସ ଋତୁରେ ମାସିକ ଟ.୧୨,୦୦୦-୧୫,୦୦୦ ଆୟ କରୁଛନ୍ତି।
ଯେତେବେଳେ ପୁରୁଷମାନେ କଂଗ୍ରି ତିଆରିରେ ଅନ୍ୟ ସମସ୍ତ ପ୍ରକ୍ରିୟା କରୁଥିବା ବେଳେ ମହିଳାମାନେ ସାଧାରଣତଃ ନଟି ବା ନଇ ରାମ୍ପନ୍ତି। ନିଘାତ ଅଜିଜ୍ (ତାଙ୍କ ଅନୁରୋଧରେ ନାମ ପରିବର୍ତ୍ତିତ ହୋଇଛି)କୁହନ୍ତି, ‘‘ମୁଁ ୧୨ ଶ୍ରେଣୀରେ ଥିବା ବେଳେ ରାମ୍ପିବା ଆରମ୍ଭ କଲି’’, ଗୋଟିଏ ନଇ ଠିକ୍ ଭାବରେ ରାମ୍ପିବା ପାଇଁ ଖୁବ୍ ଦକ୍ଷତା ଆବଶ୍ୟକ। ନଚେତ୍ ଏହା ଭାଙ୍ଗିଯିବ ଓ ନଷ୍ଟ ହୋଇଯିବ।’’ ବର୍ତ୍ତମାନ ସେ ଜଣେ ଗ୍ରାଜୁଏଟ୍। ନିଘାତଙ୍କ ପରି ଗଣ୍ଡେରବାଲ ଜିଲ୍ଲାର ଉମେରହେରେ ଅଞ୍ଚଳର ଅନେକ କମ୍ ବୟସ୍କା ମହିଳା ନଇ ରମ୍ପାଳି ଭାବରେ କାମ କରନ୍ତି। ସେମାନେ ସାଧାରଣତଃ ଗୋଟିଏ ବିଡ଼ା ନଇ ରାମ୍ପିବା ପାଇଁ ଟ. ୪୦ ରୋଜଗାର କରନ୍ତି। ଦିନରେ ୩ରୁ ୪ ଘଣ୍ଟାରେ ୭-୮ ବିଡ଼ା ରାମ୍ପି ପାରିବେ।
କିନ୍ତୁ କିଛି ମହିଳା କୁହନ୍ତି, ସେମାନେ ବର୍ତ୍ତମାନ ଏହି କାମ ବନ୍ଦ କରିବାକୁ ଚାହାଁନ୍ତି। ଉମେରହେରେର ପର୍ବିନା ଅକତର କୁହନ୍ତି, ‘‘ଆମ ଗାଁ’ର ଲୋକମାନେ ଆମକୁ ନଇ ରମ୍ପାଳି ହେବା କାରଣରୁ ଛୋଟ ନଜରରେ ଦେଖନ୍ତି। ସେମାନେ ଭାବନ୍ତି ଏହା ଗରିବ ପରିବାରର କାମ। ମୁଁ ସେମାନଙ୍କ ଥଟ୍ଟାମଜା କାରଣରୁ ଏହି କାମ ଜାରି ରଖିବାକୁ ଚାହୁଁନାହିଁ।’’
ପ୍ରକୃତରେ ମହିଳାମାନେ ମଧ୍ୟ ସେମାନଙ୍କ ପରିବାରର ଅଗ୍ନି-ପାତ୍ର ପାଇଁ ଆଞ୍ଚ ପ୍ରସ୍ତୁତ କରନ୍ତି। ଏହି କୋଇଲା ବଜାରରୁ ଆସିଥାଏ- ଏହା ପୋଡ଼ା ଜାଳେଣି କାଠ, ମୁଖ୍ୟତଃ ଆଫ୍ରିକଟ ଏବଂ ସେଓଗଛରୁ ହୋଇଥାଏ। ୫୦ ବର୍ଷ ବୟସ୍କା ହାଜା ବେଗମ କୁହନ୍ତି, ‘‘ସକାଳେ ଏବଂ ସୂର୍ଯ୍ୟାସ୍ତ ପରେ ମୁଁ ଏହି ପାତ୍ରଗୁଡ଼ିକ ପ୍ରସ୍ତୁତ କରେ। ଶୀତଦିନେ ସାରା କଶ୍ମୀରର ମହିଳା ଏହି କାମ କରନ୍ତି’’। ସେ ଶ୍ରୀନଗରର ସହରତଳିରେ ଅଲିକାଦଲ ଅଞ୍ଚଳରେ ବାସ କରନ୍ତି। ସେ ତାଙ୍କ ସ୍ୱାମୀଙ୍କ ସମେତ ସଂଯୁକ୍ତ ପରିବାର ପାଇଁ ପ୍ରତିଦିନ ପ୍ରାୟ ୧୦ଟି କଂଗ୍ରୀ ପ୍ରସ୍ତୁତ କରନ୍ତି। ତାଙ୍କ ସ୍ୱାମୀ ଜଣେ ପରିବା ବିକ୍ରେତା।
ଯଦିଓ ଉଷ୍ମ ରହିବାର ଅନ୍ୟାନ୍ୟ ସ୍ୱରୂପ ଆସିଲାଣି-ସେଣ୍ଟ୍ରାଲ ହିଟିଂଠାରୁ ଆରମ୍ଭ କରି କେନ୍ଦ୍ର ଏସିଆରୁ ସଦ୍ୟତମ ବୁଖାରି (କାଠ ଷ୍ଟୋଭ୍) ପର୍ଯ୍ୟନ୍ତ- କଂଗ୍ରୀ ଏ ପର୍ଯ୍ୟନ୍ତ ଶୂନ୍ୟରୁ କମ୍ ତାପମାତ୍ରା ବିଶିଷ୍ଟ କାଶ୍ମୀରର ସାଧାରଣ ଲୋକଙ୍କ ଉଷ୍ମତା ଯନ୍ତ୍ର ହୋଇରହିଛି, ବିଶେଷ କରି ଗ୍ରାମୀଣ ଅଞ୍ଚଳରେ। ସେମାନଙ୍କ ପୋଷାକ ତଳେ କୋଇଲା ଆଞ୍ଚ ଦୀର୍ଘ ଶୀତଋତୁରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଆରାମଦାୟକ ଉଷ୍ମତା ଦେଇଥାଏ।

କେନ୍ଦ୍ର କଶ୍ମୀରର ଗଣ୍ଡେରଓ୍ୱାଲ ଜିଲ୍ଲାର ଉମେରହେର୍ ଅଞ୍ଚଳର ଜଣେ ବାସିନ୍ଦା ୩୨ବର୍ଷ ବୟସ୍କ ଫାରୁକ ଅହମଦ ୱାନି, ଜଣେ ଠିକାଦାର ଭାବରେ କାମ କରନ୍ତି; ସେ ଚାଷୀମାନଙ୍କଠାରୁ କଞ୍ଚା ନଟି କିଣନ୍ତି ଏବଂ ଏହାକୁ କଂଗ୍ରି ପ୍ରସ୍ତୁତକାରୀମାନଙ୍କ ଚୂଡ଼ାନ୍ତ ଉତ୍ପାଦ ଭାବରେ ବିକ୍ରି କରିବା ପାଇଁ ପ୍ରସ୍ତୁତ କରନ୍ତି।

ଉମେରହେରେରେ ମହିଳାମାନେ ରାମ୍ପିବା ପକ୍ରିୟା ଆରମ୍ଭ କରିବା ପୂର୍ବରୁ ସେମାନଙ୍କ କାନ୍ଥରେ ନଟି ବିଡ଼ା ନେଇ ଯାଉଛନ୍ତି

ଉମେରହେରେ ରେ ୨୨ବର୍ଷ ବୟସ୍କ ଆସିକ ଅହମଦ ଏବଂ ତାଙ୍କ ବାପା ୫୪ବର୍ଷ ବୟସ୍କ ଗୁଲଜାର ଅହମଦ ଦର୍ ସେମାନଙ୍କ ଘର ନିକଟରେ ଥିବା ତାଙ୍କ କର୍ମଶାଳାରେ ସାରା ରାତି ସିଝାଇଥିବା ନଟିଗୁଡ଼ିକୁ କାଢ଼ୁଛନ୍ତି। ଆସିକ କୁହନ୍ତି, ‘‘ନଟି ଅମଳ ହେବା ପରେ ଏହା ହିଁ ପ୍ରଥମ ପ୍ରକ୍ରିୟା। ନଟିଗୁଡ଼ିକୁ ବତୁରାଇବା ଏହାର ଖଦଡ଼ା ଚମଡ଼ା ରାମ୍ପିବା ସହଜ କରିଥାଏ।

ଉମେରହେରେର ଜଣେ ବାସିନ୍ଦା ୩୨ବର୍ଷ ବୟସ୍କ ଓ୍ୱାସିମ ଅହମଦ ଯେଉଁ ଚୁଲିରେ ସାରା ରାତି ନଟି ସିଝା ହେବ, ସେଥିରେ ଜାଳେଣି କାଠ ଭର୍ତ୍ତି କରୁଛନ୍ତି।

ଚରାର-ଇ-ସରିଫର ଜଣେ ବାସିନ୍ଦା ୮୬ ବର୍ଷ ବୟସ୍କ କାଜିର ମହମ୍ମଦ ମଲିକ ୭୦ ବର୍ଷ ହେବ କଂଗ୍ରି ବ୍ୟବସାୟରେ ଅଛନ୍ତି। ସେ କୁହନ୍ତି, ‘‘ମୁଁ ଏହି କଳା ମୋ ବାପାଙ୍କଠାରୁ ଆଣିଛି’’। “କଶ୍ମୀରର ଲୋକମାନେ ଗୋଟିଏ କଂଗ୍ରି ବିନା ଶୀତରେ ବଞ୍ଚିପାରିବେ ନାହିଁ। ଯେତେବେଳେ ମୁଁ ଦେଖେ ମୋ କଂଗ୍ରି ଲୋକମାନଙ୍କୁ ଉଷୁମ ରଖୁଛି ମୁଁ ଖୁସି ଅନୁଭବ କରେ।’’

କାଜିର ମହମ୍ମଦ ମଲିକ ମନଜୁର ଅହମଦଙ୍କ ସହିତ ଚରାର-ଇ-ସରିଫରେ ଥିବା ତାଙ୍କ କର୍ମଶାଳାରେ କଂଗ୍ରି ବୁଣୁଛନ୍ତି।

ଚରାର-ଇ-ସରିଫର କାନିଲ ମୋହଲାର ଜଣେ ବାସିନ୍ଦା ୪୦ ବର୍ଷ ବୟସ୍କ ମନଜୁର ଅହମ୍ମଦ ୨୫ ବର୍ଷ ହେବ କଂଗ୍ରି ବୁଣୁଛନ୍ତି, ‘‘ମୁଁ ଗୋଟିଏ ଦିନରେ ୩-୪ ସାଧାରଣ କଂଗ୍ରି ବୁଣିପାରିବି ଏବଂ ଭଲମାନର କଂଗ୍ରି ବୁଣିବା ପାଇଁ ମୋତେ ୩-୪ଦିନ ସମୟ ଲାଗେ।’’

ଚରାର-ଇ-ସରିଫର କାନିଲ ମୋହଲାର ଜଣେ ବାସିନ୍ଦା ୬୪ ବର୍ଷ ବୟସ୍କ ଗୁଲାମ ନବୀ ମଲିକ କୁହନ୍ତି, ‘‘ମୁଁ ବୁଣିବା ମୋ ବାପାଙ୍କଠୁ ଶିଖିଛି, ସେ ମୋତେ କହୁଥିଲେ ଯେ, ଯଦି ତୁମେ ଯଥେଷ୍ଟ ଦକ୍ଷ ନୁହେଁ, ତେବେ ଗୋଟିଏ କଂଗ୍ରିର ହ୍ୟାଣ୍ଡେଲ ମଧ୍ୟ ତିଆରି କରିପାରିବ ନାହିଁ। ଗୋଟିଏ ଠିକ୍ କଂଗ୍ରି ବୁଣିବା ଶିଖିବା ପାଇଁ ମୋତେ ୯ବର୍ଷ ସମୟ ଲାଗିଥିଲା।
![Mugli Begum, a 70-year-old homemaker in Charar-i-Sharief, says, “I have seen my husband [Khazir Mohammad Malik] weaving kangris for 50 years and I am happy with his work. Watching him weave a kangri is as good as weaving a kangri'](/media/images/_DSC9817.max-1400x1120.jpg)
ଚରାର-ଇ-ସରିଫର ଜଣେ ଗୃହିଣୀ ୭୦ବର୍ଷ ବୟସ୍କା ମୁଗଲି ବେଗମ କୁହନ୍ତି, ‘‘ମୁଁ ମୋ ସ୍ୱାମୀ [କାଜିର ମହମ୍ମଦ ମଲିକ]କୁ ୫୦ ବର୍ଷ ହେବ କଂଗ୍ରି ବୁଣୁଥିବା ଦେଖୁଛି ଏବଂ ମୁଁ ତାଙ୍କ କାମରେ ଖୁସି। ସେ କଂଗ୍ରି ବୁଣିବା ଦେଖିବା ଗୋଟିଏ କଂଗ୍ରି ବୁଣିବା ସହ ସମାନ’’।

ଶ୍ରୀନଗର ସହରର ନଓ୍ୱାକାଦଲ ଅଞ୍ଚଳରେ ରହୁଥିବା ୫୫ ବର୍ଷ ବୟସ୍କ ଫିର୍ଦ୍ଦୋଶା ଓ୍ୱାନି ଦିନେ ଭୋର୍ରେ ତାଙ୍କ ଘର ବାହାରେ ଚାଳିଆ ତଳେ (ସ୍ଥାନୀୟ ଭାବରେ ଗଞ୍ଜିନ କୁହାଯାଏ) ଗୋଟିଏ କଂଗ୍ରିରେ କୋଇଲା ଭରୁଛନ୍ତି।

ଚରାର-ଇ-ସରିଫରେ ଗୋଟିଏ କଂଗ୍ରି ଦୋକାନ, ଯେଉଁଠାକୁ ପ୍ରତିଦିନ ପ୍ରାୟ ୧୦-୨୦ ଗ୍ରାହକ ଯାଆନ୍ତି

ବରଫ ପଡ଼ୁଥିବା ଗୋଟିଏ ଦିନରେ ଚରାର-ଇ-ସରିଫରେ ତିଆରି ହୋଇଥିବା ଏକ କଂଗ୍ରି ଶ୍ରୀନଗର ସହରତଳିରେ ଗୋଟିଏ ପୁରୁଣା ମାଟି ଘର କାନ୍ଥରେ ଟଙ୍ଗା ଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍