ସେ ତରବର ହୋଇ ନିଜ ବ୍ୟାଗରୁ ଏକ ରାପିଡ୍ ମ୍ୟାଲେରିଆ ପରୀକ୍ଷା କିଟ୍ ଅଣ୍ଡାଳୁଛନ୍ତି। ବ୍ୟାଗରେ ଔଷଧ, ସାଲାଇନ ବୋତଲ, ଆଇରନ୍ ସପ୍ଲିମେଣ୍ଟ, ଇଞ୍ଜେକ୍ସନ, ରକ୍ତଚାପ ମାପିବା ମେସିନ ଓ ଆହୁରି ଅନେକ ସାମଗ୍ରୀ ଭର୍ତ୍ତି ରହିଛି । ଦୁଇ ଦିନ ଧରି ବିଛଣାରେ ନିଶ୍ଚଳ ହୋଇ ପଡ଼ି ରହିଥିବା ଜଣେ ମହିଳାଙ୍କ ପରିଜନ ତାଙ୍କୁ ଯୋଗାଯୋଗ କରିବା ପରେ ସେ ଏଠାକୁ ଆସିଛନ୍ତି । ସେ ମହିଳାଙ୍କ ଶରୀର ତାପମାତ୍ରା ଖୁବ୍ ଅଧିକ ବଢ଼ିଯାଇଛି । ଏଥର ପରୀକ୍ଷା ରିପୋର୍ଟ ବି ପଜିଟିଭ ଆସିଛି ।
ପୁଣିଥରେ ସେ ତାଙ୍କର ବ୍ୟାଗ ଖୋଜିଲେ, ଏଥର ତାଙ୍କ ହାତରେ ଇଣ୍ଟ୍ରାଭେନସ (ଆଇଭି) ସଲ୍ୟୁସନ-୫୦୦ ମି.ଲି. ଡେକ୍ସଟ୍ରୋଜ୍ ସାଲାଇନ୍ ବୋତଲ ଥିଲା। ମହିଳାଙ୍କ ଶେଯ ଉପରେ ଚଢ଼ି, ସେ ଛାତରେ ଥିବା ଏକ ବିମ୍ ଚାରି ପାଖରେ ଏକ ପ୍ଲାଷ୍ଟିକ୍ ରଶି ବାନ୍ଧି ଦେଲେ ଏବଂ ଖୁବ ଦକ୍ଷତାର ସହ ସେଥିରେ ଆଇଭି ବୋତଲକୁ ଝୁଲାଇ ଦେଲେ।
ସେ ହେଉଛନ୍ତି ୩୫ ବର୍ଷ ବୟସ୍କା ଜ୍ୟୋତିପ୍ରଭା କିସପୋଟ୍ଟା ଯିଏକି ଗତ ୧୦ ବର୍ଷ ଧରି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ବିଭିନ୍ନ ଗ୍ରାମରେ ଡାକ୍ତରୀ ସେବା ଯୋଗାଇ ଆସୁଛନ୍ତି । ଯୋଗ୍ୟତାରେ ସେ ଡାକ୍ତର କିମ୍ବା ନର୍ସ ନୁହନ୍ତି । ସେ କୌଣସି ସରକାରୀ ଡାକ୍ତରଖାନା କିମ୍ବା ସ୍ଵାସ୍ଥ୍ୟ ସେବା କେନ୍ଦ୍ର ସହ ଜଡ଼ିତ ନାହାନ୍ତି । କିନ୍ତୁ ଓରାଓଁ ଜନଜାତିର ଏହି ଯୁବତୀ ଜଣଙ୍କ ପଶ୍ଚିମ ସିଂହଭୂମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗାଁର ଲୋକମାନଙ୍କ ପାଇଁ ପ୍ରଥମ ସାହାରା ଓ ଶେଷ ଆଶା। ଏହି ପଶ୍ଚିମ ସିଂହଭୂମ ର ଆଦିବାସୀ ଗ୍ରାମର ଲୋକମାନେ ସାର୍ବଜନୀନ ସ୍ଵାସ୍ଥ୍ୟ ସେବାଠାରୁ ବଞ୍ଚିତ ରହି ଦୟନୀୟ ଜୀବନଯାପନ କରୁଛନ୍ତି ।
କ୍ଷେତ୍ରୀୟ ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁଯାୟୀ, ଜ୍ୟୋତିପ୍ରଭା ସେହି ସଂଖ୍ୟାଧିକ ‘ଆରଏମପି’ମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଗ୍ରାମୀଣ ଭାରତରେ ୭୦ ପ୍ରତିଶତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି। ଅନେକ ଭାବିପାରନ୍ତି ଯେ, ଆରଏମପି ମାନେ ହେଉଛନ୍ତି – ପଞ୍ଜିକୃତ ଚିକିତ୍ସା ସେବା ପ୍ରଦାନକାରୀ (ରୁରାଲ ମେଡ଼ିକାଲ ପ୍ରାକ୍ଟିସନର), ମାତ୍ର ଏହା ଏକ ଭ୍ରମାତ୍ମକ ସଂକ୍ଷିପ୍ତ ନାମ। ଏମାନଙ୍କୁ ସମସ୍ତେ ଝୋଲାଚ୍ଛାପ (କ୍ଵାକ) ଡାକ୍ତରଙ୍କ ରୂପରେ ଜାଣନ୍ତି। ଗ୍ରାମୀଣ ଭାରତରେ ଏକ ସମାନ୍ତରାଳ ଘରୋଇ ସ୍ଵାସ୍ଥ୍ୟ ସେବା ଚଳାଉଥିବା, ଏହି ଅଯୋଗ୍ୟ ଚିକିତ୍ସକମାନଙ୍କୁ ଡାକ୍ତରୀ ପାଠ ଭାଷାରେ ‘କ୍ଵାକ’ କୁହାଯାଏ। ତେବେ ଏମାନେ ସରକାରୀ ସ୍ଵାସ୍ଥ୍ୟ ସେବାର ଦ୍ଵୈତ ଚିତ୍ରକୁ ଉଜାଗର କରିଥାନ୍ତି ।
ଆରଏମପିମାନେ ସାଧାରଣତ ଭାରତର କୌଣସି ମାନ୍ୟତାପ୍ରାପ୍ତ ଚିକିତ୍ସା ପରିଷଦରେ ପଞ୍ଜିକୃତ ହୋଇନଥାନ୍ତି । ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେଜଣ ହୋମିଓପାଥି କିମ୍ବା ୟୁନାନୀ ଡାକ୍ତର ଭାବେ ପଞ୍ଜିକୃତ ହୋଇଥାନ୍ତି, କିନ୍ତୁ ଏଲୋପାଥୀ ଚିକିତ୍ସା ଏବଂ ଔଷଧ ବିତରଣ କରିଥାନ୍ତି।
ଜ୍ୟୋତିଙ୍କ ପାଖରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏଲୋପାଥିକ୍ ଚିକିତ୍ସାରେ ଆରଏମପି ପ୍ରମାଣପତ୍ର ରହିଛି, ଏହାକୁ ବେକାର ଗ୍ରାମୀଣ ଚିକିତ୍ସା ଡାକ୍ତରମାନଙ୍କ ପରିଷଦ ବୋଲି କୁହାଯାଇଥାଏ। ଏହି ଶିକ୍ଷାନୁଷ୍ଠାନ ବିହାର ସରକାରଙ୍କ ଦ୍ଵାରା ପଞ୍ଜିକୃତ ହୋଇଥିବା ଦାବି କରିଥାଏ। ସେଠାରେ ଜ୍ୟୋତି ୧୦,୦୦୦ ଟଙ୍କା ଦେଇ ଛଅ ମାସିଆ କୋର୍ସ କରିଛନ୍ତି। ହେଲେ ଏହି ଶିକ୍ଷାନୁଷ୍ଠାନ ଏବେ ଆଉ ନାହିଁ।
*****
ଜ୍ୟୋତି ଆଇଭି ବୋତଲ ଖାଲି ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ ଏବଂ ଏହାପରେ ଆବଶ୍ୟକ ପରାମର୍ଶ ସହିତ ରୋଗୀଙ୍କ ବନ୍ଧୁଙ୍କୁ କିଛି ଔଷଧ ବଢ଼ାଇଦେଲେ। ଏହାପରେ ସେ ତାଙ୍କ ବାଇକ୍ ଆଡ଼କୁ ଚାଲି ଚାଲି ଗଲେ, ଯାହାକୁ ଖରାପ ରାସ୍ତା କାରଣରୁ ସେ ପ୍ରାୟ ୨୦ ମିନିଟ୍ ଦୂରରେ ରଖିଦେଇ ଆସିଥିଲେ।
ପଶ୍ଚିମ ସିଂହଭୂମ ଜିଲ୍ଲା ଖଣିଜ ସମ୍ପଦରେ ସମୃଦ୍ଧ, କିନ୍ତୁ ଏଠାରେ ମୌଳିକ ଭିତ୍ତିଭୂମିର ଅଭାବ ରହିଛି। ଡାକ୍ତରଖାନା, ବିଶୁଦ୍ଧ ପାନୀୟ ଜଳ, ଶିକ୍ଷାନୁଷ୍ଠାନ ଏବଂ ନିଯୁକ୍ତି ଭଳି ମୌଳିକ ସୁବିଧା ଏଠାରେ ଅପହଞ୍ଚ। ବଣ, ପାହାଡ଼ ଘେରା ଏହି ଅଞ୍ଚଳ ଜ୍ୟୋତିଙ୍କ ଜନ୍ମସ୍ଥାନ ଏବଂ ଏଠାରେ ସର୍ବଦା ସରକାର-ମାଓବାଦୀଙ୍କ ସଂଘର୍ଷ ଦେଖିବାକୁ ମିଳିଥାଏ। ଏଠାରେ ଥିବା କେତେକ ରାସ୍ତା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି । ମୋବାଇଲ ଓ ଇଣ୍ଟରନେଟ ସେବା ଏଠାରେ ଅତି ଦୁର୍ବଳ କିମ୍ବା ଆଦୌ ନାହିଁ ବୋଲି କହିଲେ ହେବ। ଅଧିକାଂଶ ସମୟରେ ସେ ଗୋଟିଏରୁ ଅନ୍ୟ ଗାଁକୁ କେବଳ ଚାଲି ଚାଲି ହିଁ ଯାଇଥାନ୍ତି। ଜରୁରିକାଳୀନ ସ୍ଥିତିରେ, ତାଙ୍କୁ ଡାକି ଆଣିବା ପାଇଁ ଗାଁ ଲୋକମାନେ ସାଇକେଲରେ କାହାକୁ ପଠାଇଥାନ୍ତି ।
ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ବ୍ଲକର ବୋରୋଟିକା ଗ୍ରାମରେ ଏକ ସଙ୍କୀର୍ଣ୍ଣ ରାସ୍ତା କଡ଼ରେ ଥିବା ଏକ ମାଟି ଘରେ ଜ୍ୟୋତି ରୁହନ୍ତି। ଏ ଚିରାଚରିତ ଆଦିବାସୀ ବାସଗୃହ ମଝିରେ ଏକ କୋଠରୀ ଏବଂ ଚାରିପଟୁ ବାରଣ୍ଡା ଘେରି ରହିଛି। ବାରଣ୍ଡାର ଗୋଟିଏ ଭାଗରେ ରୋଷେଇ ଘର ତିଆରି ହୋଇଛି। ଗାଁରେ ଅନିୟମିତ ବିଦ୍ୟୁତ ସେବା କାରଣରୁ ଅଧିକାଂଶ ସମୟରେ ଘର ଅନ୍ଧାରରେ ରହିଥାଏ।
ଏହି ଗାଁରେ ଥିବା ଆଦିବାସୀ ବାସଗୃହରେ ବେଶୀ ଝରକା ନଥାଏ। ତେଣୁ ଲୋକମାନେ ଦିନରେ ସୁଦ୍ଧା ଘର କୋଣରେ ଛୋଟିଆ ଟର୍ଚ୍ଚ କିମ୍ବା ଲଣ୍ଠନଟିଏ ଜାଳି ରଖିଥାନ୍ତି। ଜ୍ୟୋତି ଏହି ଘରେ ତାଙ୍କ ସ୍ୱାମୀ ସନ୍ଦୀପ ଧନୱର (୩୮), ୭୧ ବର୍ଷ ବୟସ୍କା ମା’ ଜୁଲିୟାନି କିସପୋଟ୍ଟା ଏବଂ ତାଙ୍କ ଭାଇଙ୍କ ଆଠ ବର୍ଷର ପୁଅ ଜନସନ୍ କିସପୋଟ୍ଟା ରହିଥାନ୍ତି । ଜ୍ୟୋତିଙ୍କ ସ୍ୱାମୀ ମଧ୍ୟ ଜଣେ ଆରଏମପି।
ଜ୍ୟୋତିଙ୍କୁ ଖୋଜି ଖୋଜି ଜଣେ ସାଇକେଲ ଆରୋହୀ ଆସି ଘର ପାଖରେ ପହଞ୍ଚିଲେ । ତାଙ୍କ ଅନୁରୋଧକୁ ରକ୍ଷା କରି ସେ ତାଙ୍କର ଖାଇବା ଛାଡ଼ି ତରବର ହୋଇ ବ୍ୟାଗ୍ ଧରି ବାହାରିଗଲେ। ଝିଅ ଘରୁ ବାହାରି ଯାଉଥିବା ଦେଖି ସାଦ୍ରୀ ଭାଷାରେ ଜୁଲିୟାନି ବଡ଼ ପାଟିରେ କହିଲେ, ‘‘ ଭାତଖାୟକେ ତୋ ଜାତେ ’’ (ଅତିକମ୍ରେ ତୁମର ମଧ୍ୟାହ୍ନ ଭୋଜନ ଶେଷ କର)। ‘‘ମୁଁ ଶୀଘ୍ର ଯାଏ ବୋଲି ସେମାନେ ଚାହାନ୍ତି’’, ଜ୍ୟୋତି କହିଲେ। ‘‘ଅନ୍ୟ କେଉଁଠି ମୁଁ ଖାଇପାରିବି, କିନ୍ତୁ ରୋଗୀଙ୍କ ପାଖରେ ପହଞ୍ଚିବା ଜରୁରି।’’ ଘର ଏରୁଣ୍ଡି ବନ୍ଧରୁ ବାହାରକୁ ପାଦ ପକାଉ ପକାଉ ସେ ତାଙ୍କ ମା’ଙ୍କୁ କହିଲେ। ତାଙ୍କ ଘରେ ପ୍ରାୟତଃ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥାଏ।
ହେର୍ତା ପଞ୍ଚାୟତର ୧୬ଟି ଗ୍ରାମରେ ଜ୍ୟୋତି କାମ କରିଥାନ୍ତି। ଏଥିରେ ବୋରୋଟିକା, ହୁତୁତୁଆ, ରଙ୍ଗମାଟି, ରୋମା, କାଣ୍ଡି, ଓସାଙ୍ଗି ଆଦି ଗାଁ ରହିଛି । ଏସବୁ ଗାଁ ୧୨ କିଲୋମିଟର ପରିଧି ମଧ୍ୟରେ ରହିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ, ତାଙ୍କୁ କିଛି ଦୂର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବାକୁ ହୋଇଥାଏ। ଏହାଛଡ଼ା, ବେଳେବେଳେ ରୁନ୍ଧିକୋଚା ଏବଂ ରୋବକେରା ଭଳି ଅନ୍ୟ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମହିଳାମାନେ ତାଙ୍କୁ ଡାକିଥାନ୍ତି।
*****
ବୋରୋଟିକା ଗାଁରେ ରହୁଥିବା ଗ୍ରେସି ଏକ୍କାଙ୍କୁ ଆମେ ତାଙ୍କ ଘରେ ଭେଟିଥିଲୁ। ସଙ୍କଟ ସମୟରେ ଜ୍ୟୋତି ତାଙ୍କୁ କିଭଳି ସହାୟତା କରିଥିଲେ, ସେ ସମ୍ପର୍କରେ ଆମକୁ ସେ କହିଥିଲେ। ‘‘୨୦୦୯ର କଥା, ଗର୍ଭରେ ମୋର ପ୍ରଥମ ପିଲା ଥିଲା। ରାତି ଅଧରେ ପିଲାଟି ଜନ୍ମ ନେଲା। ମୋର ବୟସ୍କା ଶାଶୂଙ୍କ ବ୍ୟତୀତ କେବଳ ଜ୍ୟୋତି ହିଁ ଏକମାତ୍ର ମହିଳା ଭାବେ ମୋ ପାଖରେ ଥିଲେ। ପିଲା ଜନ୍ମ ହେବା ପରେ ଡାଇରିଆ ହେଲା ଓ ମୁଁ ଖୁବ୍ ଦୁର୍ବଳ ହୋଇପଡ଼ିଲି। ମୋର ଚେତା ବୁଡ଼ିଯାଇଥିଲା। ଏ ସମୟରେ କେବଳ ଜ୍ୟୋତି ହିଁ ମୋର ଯତ୍ନ ନେଇଥିଲେ।’’
ସେଦିନର କଥା ମନେ ପକାଇ ଗ୍ରେସି କୁହନ୍ତି, ସେତେବେଳେ ଗାଁକୁ କୌଣସି ପରିବହନ ସୁବିଧା କିମ୍ବା ଭଲ ରାସ୍ତା ନଥିଲା। ପ୍ରଥମେ ଜ୍ୟୋତି ସ୍ଥାନୀୟ ଚେରମୂଳି ଉପରେ ନିର୍ଭର କରିଥିଲେ। ଏହାପରେ ସେ ସରକାରୀ ନର୍ସ ଜରନାତି ହେମ୍ବ୍ରମଙ୍କ ସହିତ ଯୋଗାଯୋଗ କରି ଗାଁ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ଚାଇବାସାକୁ ଗ୍ରେସିଙ୍କୁ ନେଇ ଯାଇଥିଲେ। ପ୍ରଥମ ଥର ପାଇଁ ମା’ ହୋଇଥିବା ଗ୍ରେସିଙ୍କୁ ସୁସ୍ଥ ହେବା ପାଇଁ ପାଖାପାଖି ବର୍ଷେ ଲାଗିଥିଲା। ସେ କୁହନ୍ତି, ‘‘ଜ୍ୟୋତି ହିଁ ମୋର ନବଜାତ ସନ୍ତାନକୁ ସ୍ତନ୍ୟପାନ କରାଇବା ଲାଗି ଗାଁର ଅନ୍ୟ ମହିଳାମାନଙ୍କ ପାଖକୁ ନେଇଯାଉଥିଲେ। ତାଙ୍କ ବିନା ମୋ ପିଲା ବଞ୍ଚି ପାରିନଥାନ୍ତା।’’
ଗ୍ରେସୀଙ୍କ ସ୍ୱାମୀ ୩୮ ବର୍ଷ ବୟସ୍କ ସନ୍ତୋଷ କଚଚ୍ଛାପ କୁହନ୍ତି, ଦୁଇ ବର୍ଷ ତଳେ ଗାଁରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିଲା। ସେଠାରେ ସପ୍ତାହକୁ ଥରେ ଜଣେ ନର୍ସ ବସୁଥିଲେ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଜ୍ୟୋତିଙ୍କ ଘରଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ରହିଛି । ଏବେ ଏଠାରେ କୌଣସି ସୁବିଧା ମିଳିପାରୁନାହିଁ। ସେ କୁହନ୍ତି, ‘‘ଏଠାରେ ନିଯୁକ୍ତ ନର୍ସ ଗାଁରେ ରୁହନ୍ତି ନାହିଁ। ସେ ଆସନ୍ତି ଏବଂ ସାଧାରଣ ଜ୍ୱର ଭଳି ରୋଗରେ ପୀଡ଼ିତ ଲୋକମାନଙ୍କୁ ଯାଞ୍ଚ କରି ଚାଲି ଯାଆନ୍ତି। ନର୍ସଙ୍କୁ ନିୟମିତ ରିପୋର୍ଟ ପଠାଇବାକୁ ହୋଇଥାଏ, କିନ୍ତୁ ଗାଁରେ ଇଣ୍ଟରନେଟ୍ ସୁବିଧା ନାହିଁ । ତେଣୁ ସେ ଏଠାରେ ରହିବେ ନାହିଁ । ଜ୍ୟୋତି ଗାଁରେ ରୁହନ୍ତି, ତେଣୁ ସେ ସମସ୍ତଙ୍କୁ ସହାୟକ ହୋଇଥାନ୍ତି।’’ ଗର୍ଭବତୀ ମହିଳାମାନେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି ନାହିଁ । ଘରେ ପ୍ରସବ କରାଇବା ଲାଗି ସେମାନେ ଜ୍ୟୋତିଙ୍କ ସହାୟତା ନେଇଥାନ୍ତି ।
ଏବେ ସୁଦ୍ଧା ଜିଲ୍ଲାସାରା ବିଭିନ୍ନ ଗାଁରେ ଥିବା କୌଣସି ଗୋଟିଏ ହେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ନାହିଁ । ଗୋଇଲକେରା ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ବୋରୋଟିକାଠାରୁ ୨୫ କିଲୋମିଟର ଦୂର। ନିକଟରେ ଆନନ୍ଦପୁର ବ୍ଲକରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗାଁରୁ ପ୍ରାୟ ୧୮ କିଲୋମିଟର ଦୂରରେ ରହିଛି। ସେରେଙ୍ଗଡ଼ା ଗାଁ ଦେଇ ବୋରୋଟିକାରୁ ୧୨ କିଲୋମିଟର ଲମ୍ବ ଏକ ସଙ୍କୀର୍ଣ୍ଣ ସଡ଼କ ଯାଇଛି । ଏହି ରାସ୍ତାରେ ଯାତାୟାତ ପାଇଁ କୋଏଲ ନଦୀ ବାଧକ ସାଜିଥାଏ। ଖରା ଦିନେ, ପାଣି କମ୍ ଥିବାରୁ ଲୋକମାନେ କୋଏଲ ନଦୀରେ ପଶି ଆନନ୍ଦପୁରରେ ପହଞ୍ଚିଥାନ୍ତି। କିନ୍ତୁ ମୌସୁମୀ ସମୟରେ ନଦୀରେ ବନ୍ୟା ଆସିଲେ, ଏହି ମାର୍ଗ ଅବରୋଧ ହୋଇଯାଏ। ଫଳରେ ହର୍ତା ପଞ୍ଚାୟତର ଗ୍ରାମବାସୀମାନେ ଆନନ୍ଦପୁରରେ ପହଞ୍ଚିବା ଲାଗି ଏକ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି । ନଦୀ ରାସ୍ତା ପରିବର୍ତ୍ତେ ସେମାନେ ଏକ ପଥୁରିଆ ସଙ୍କୀର୍ଣ୍ଣ, ଆବଡ଼ାଖାବଡ଼ା ମାଟି ରାସ୍ତାରେ ଦୀର୍ଘ ୧୦ କିଲୋମିଟର ଦୂର ଅତିକ୍ରମ କରି ଆନନ୍ଦପୁରରେ ପହଞ୍ଚିଥାନ୍ତି।
ପୂର୍ବରୁ ଏଠାରୁ ଏକ ବସ୍ ଚାଲୁଥିଲା ଯାହାକି ଲୋକମାନଙ୍କୁ ଚକ୍ରଧରପୁର ସହରରେ ନେଇ ପହଞ୍ଚାଉଥିଲା, କିନ୍ତୁ ଏକ ଦୁର୍ଘଟଣା ପରେ ଏହି ବସ୍ ସେବା ବନ୍ଦ ହୋଇଯାଇଛି । ଲୋକମାନେ ସାଇକେଲ, ମୋଟରସାଇକେଲ, କିମ୍ବା ଚାଲି ଚାଲି ଯିବାଆସିବା କରିଥାନ୍ତି। ଗର୍ଭବତୀ ମହିଳାମାନଙ୍କ ପାଇଁ ଏପରି ଯାତାୟାତ କରିବା ପ୍ରାୟତଃ ଅସମ୍ଭବ। ଅନ୍ୟପଟେ ଆନନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ସାଧାରଣ ପ୍ରସବ ସୁବିଧା ରହିଛି । ଗର୍ଭାବସ୍ଥାରେ ଜଟିଳତା ଦେଖାଦେଲେ ଏବଂ ଅପରେସନ ଆବଶ୍ୟକତା କ୍ଷେତ୍ରରେ ମହିଳାମାନଙ୍କୁ ଆନନ୍ଦପୁରଠାରୁ ୧୫ କିଲୋମିଟର ଦୂରରେ ଥିବା ମନୋହରପୁରକୁ ଯିବାକୁ ପଡ଼ିଥାଏ କିମ୍ବା ରାଜ୍ୟ ସୀମା ପାର୍ ହୋଇ ଓଡ଼ିଶାର ରାଉରକେଲାରେ ପହଞ୍ଚିବାକୁ ହୋଇଥାଏ, ଯାହାକି ପ୍ରାୟ ୬୦ କିଲୋମିଟର ଦୂର।
ଜ୍ୟୋତି କୁହନ୍ତି, ‘‘ପିଲା ଦିନରୁ ମୁଁ ଦେଖି ଆସିଛି ଯେ ମହିଳାମାନେ ଅସୁସ୍ଥ ହେଲେ ସବୁଠୁ ଅସହାୟ ହୋଇପଡ଼ିଥାନ୍ତି। ପୁରୁଷମାନେ ବଡ଼ ସହର ଓ ନଗରକୁ ରୋଜଗାର କରିବାକୁ ଚାଲି ଯାଇଥାନ୍ତି । ସହର ଓ ଡାକ୍ତରଖାନା ଗାଁଠାରୁ ଅନେକ ଦୂରରେ ଅବସ୍ଥିତ। ଅଧିକାଂଶ ସୟୟରେ ସ୍ୱାମୀମାନଙ୍କ ଫେରିବାକୁ ଅପେକ୍ଷା କରି ମହିଳାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଏ। ଯଦିଓ କିଛି ମହିଳାଙ୍କ ସ୍ୱାମୀ ଗାଁରେ ରୁହନ୍ତି, ତଥାପି ସେମାନେ କିଛି କାମରେ ଆସନ୍ତି ନାହିଁ। କାରଣ ସେମାନେ ଅଧିକାଂଶ ସମୟରେ ମଦ୍ୟପାନ କରି ଗର୍ଭବତୀ ସ୍ତ୍ରୀଙ୍କୁ ମାଡ଼ ମାରିଥାନ୍ତି।’’
‘‘ପୂର୍ବରୁ ଏ ଅଞ୍ଚଳରେ ଜଣେ ଧାଈ ମା’ ଥିଲେ। ପ୍ରସବ ସମୟରେ କେବଳ ସେହିମାନେ ହିଁ ମହିଳାମାନଙ୍କର ଏକମାତ୍ର ସାହାରା ଥିଲେ। କିନ୍ତୁ କୌଣସି ଶତ୍ରୁତା କାରଣରୁ ଗାଁ ମେଳରେ କେହି ତାଙ୍କର ହତ୍ୟା କରିଥିଲେ। ଏହାପରେ, ଗାଁରେ ତାଙ୍କ ଭଳି ଦକ୍ଷତା ଥିବା କେହି ମହିଳା ନାହାନ୍ତି,’’ ଜ୍ୟୋତି କୁହନ୍ତି।
ପ୍ରତ୍ୟେକ ଗାଁରେ ଜଣେ ଅଙ୍ଗନୱାଡ଼ି ସେବିକା ଏବଂ ସହିୟା (ସହାୟିକା) ଥାଆନ୍ତି। ସେବିକା ଗାଁର ପିଲାମାନଙ୍କର ରେକର୍ଡ ରଖିଥାନ୍ତି ଏବଂ ଗଭର୍ବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଓ ସେମାନଙ୍କ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥାନ୍ତି। ସହାୟିକା ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ନେଇଯିବାରେ ସହାୟତା କରିଥାନ୍ତି, କିନ୍ତୁ ରୋଗୀମାନଙ୍କୁ ନିଜ ଖାଦ୍ୟ, ପରିବହନ ଓ ରହଣି ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ଲୋକମାନେ ସହାୟିକାଙ୍କ ପରିବର୍ତ୍ତେ ଜ୍ୟୋତିଙ୍କ ସହ ଯୋଗାଯୋଗ କରିବା ଲାଗି ପସନ୍ଦ କରିଥାନ୍ତି କାରଣ ଜ୍ୟୋତି କେବେ ବି ଘରକୁ ଯିବା ଲାଗି ଅଲଗା କିଛି ଟଙ୍କା ନେଇନଥାନ୍ତି। ସେ କେବଳ ଔଷଧ ବାବଦରେ ଟଙ୍କା ନେଇଥାନ୍ତି।
ଏହିସବୁ ଗାଁର ପରିବାରମାନେ ସେତିକି ସୁଦ୍ଧା ଖର୍ଚ୍ଚ କରିପାରିନଥାନ୍ତି କାରଣ ସେମାନେ ଜୀବନଜୀବିକା ପାଇଁ ବର୍ଷାଜଳ ଆଧାରିତ କୃଷି ଏବଂ ଦିନ ମଜୁରି କାମ ଉପରେ ନିର୍ଭରଶୀଳ। ୨୦୧୧ ଜନଗଣନା ଅନୁଯାୟୀ, ପଶ୍ଚିମ ସିଂହଭୂମ ଜିଲ୍ଲାର ୮୦ ପ୍ରତିଶତ ଗ୍ରାମୀଣ ଜନସଂଖ୍ୟା ଅନୌପଚାରିକ କିମ୍ବା କୃଷି ଶ୍ରମିକ ବୃତ୍ତିରେ ନିୟୋଜିତ ଅଛନ୍ତି। ଅଧିକାଂଶ ପରିବାରର ପୁରୁଷମାନେ କାମ ପାଇଁ ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଚାଲି ଯାଇଥାନ୍ତି।
*****
ନୀତି ଆୟୋଗର ଜାତୀୟ ବହୁମୁଖି ଦାରିଦ୍ର୍ୟ ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ଗ୍ରାମୀଣ ପଶ୍ଚିମ ସିଂହଭୂମ ଜିଲ୍ଲାର ୬୪ ପ୍ରତିଶତ ଲୋକ ‘ବହୁମୁଖି ଭାବେ ଦରିଦ୍ର’- ଦାରିଦ୍ର୍ୟର ଅଣ-ମୌଦ୍ରିକ ସୂଚକାଙ୍କ ଉପରେ ଆଧାରିତ। ଗୋଟିଏ ପଟେ ସରକାରୀ ସୁବିଧା ପାଇବାକୁ ହେଲେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ - ଅନ୍ୟପଟେ ଜ୍ୟୋତିଙ୍କ ଭଳି ଆରଏମପିମାନେ ଅଧିକ ଦାମ୍ରେ ଔଷଧ ବିକ୍ରି କରୁଥିଲେ ମଧ୍ୟ ଧୀରେ ଧୀରେ ଅଳ୍ପ କିସ୍ତିରେ ଟଙ୍କା ନେଇଥାନ୍ତି। ଏହି ଦୁଇଟି ବିକଳ୍ପ ମଧ୍ୟରୁ ଏଠାକାର ଲୋକମାନଙ୍କୁ ଚିକିତ୍ସା ପାଇଁ ଗୋଟିଏ ବିକଳ୍ପ ବାଛିବାକୁ ପଡ଼ିଥାଏ।
ବିଳମ୍ବ ଦୂର କରିବା ଲାଗି, ମାଗଣା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ଜିଲ୍ଲା ଡାକ୍ତରଖାନାରେ କଲ୍ ସେଣ୍ଟର ସହିତ – ମମତା ବାହନ ଏବଂ ସହିୟା – ସୁବିଧାର ନେଟୱର୍କ ପ୍ରତିଷ୍ଠା କରିଛନ୍ତି। ଜ୍ୟୋତି କୁହନ୍ତି, ‘‘ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାକୁ ନେଇ ଯିବା ଲାଗି ଲୋକମାନେ ଗାଡ଼ି ପାଇଁ ମମତା ବାହନ ଫୋନ ନମ୍ବରକୁ କଲ୍ କରିପାରିବେ। କିନ୍ତୁ ବେଳେବେଳେ ଗର୍ଭବତୀ ମହିଳା ବଞ୍ଚିବାର ସମ୍ଭାବନା କମ୍ ଥିବାର ସନ୍ଦେହ କଲେ ଗାଡ଼ି ଡ୍ରାଇଭର ଆସିବାକୁ ମନା କରିଥାନ୍ତି। ଏହାର କାରଣ ହେଉଛି ଗାଡ଼ିରେ ମହିଳା ଜଣଙ୍କ ମୃତ୍ୟୁବରଣ କଲେ ଡ୍ରାଇଭରଙ୍କୁ ଲୋକମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ।’’
ଅନ୍ୟପକ୍ଷରେ, ଜ୍ୟୋତି ଘରେ ମହିଳାଙ୍କ ପ୍ରସବ କରାଇବାରେ ସହାୟତା କରିବା ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି। ସେ ସାଲାଇନ ବୋତଲ ଲଗାଇବା ପାଇଁ ୭୦୦-୮୦୦ ଟଙ୍କା ନେଇଥାନ୍ତି, ଯାହାକି ବଜାରରେ ୩୦ଟଙ୍କାରେ ବିକ୍ରି ହୋଇଥାଏ। ଗୋଟିଏ ଡ୍ରିପ୍ ବିନା ମ୍ୟାଲେରିଆ ଚିକିତ୍ସା ପାଇଁ ୨୫୦ ଟଙ୍କା ଆବଶ୍ୟକ ହୋଇଥାଏ, ନିମୋନିଆ ଚିକିତ୍ସା ପାଇଁ ୫୦୦-୬୦୦ ଟଙ୍କା ଖର୍ଚ୍ଚ ପଡ଼ିଥାଏ ଏବଂ ଜଣ୍ଡିସ୍ କିମ୍ବା ଟାଇଫଏଡ୍ ଚିକିତ୍ସା ପାଇଁ ୨,୦୦୦-୩,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଗୋଟିଏ ମାସରେ ଜ୍ୟୋତି ପ୍ରାୟ ୨୦,୦୦୦ ଟଙ୍କା ରୋଜଗାର କରିଥାନ୍ତି, ଏହାର ଅଧା ଭାଗ ଔଷଧ କିଣିବାରେ ଯାଏ ବୋଲି ସେ କୁହନ୍ତି।
ଗ୍ରାମୀଣ ଭାରତରେ ଘରୋଇ ଚିକିତ୍ସକ ଏବଂ ଔଷଧ କମ୍ପାନୀ ମଧ୍ୟରେ ରହିଥିବା ଚିନ୍ତାଜନକ ଗୁପ୍ତ ସମ୍ପର୍କ ବିଷୟରେ ୨୦୦୫ରେ ପ୍ରତିଟି (ଇଣ୍ଡିଆ) ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥାଏ। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ‘‘ଯେତେବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ ସେବା ୟୁନିଟ୍ରେ ଔଷଧର ଉତ୍କଟ ଅଭାବ ଦେଖାଦେଇଥାଏ, ଏହି ବିଶାଳ ଘରୋଇ ବ୍ୟବସାୟଗୁଡ଼ିକ ପ୍ରାୟତଃ ଡାକ୍ତରଙ୍କ ଦ୍ୱାରା ଅନୈତିକ କାର୍ଯ୍ୟକୁ ବ୍ୟବହାର ତଥା ପ୍ରୋତ୍ସାହିତ କରି ସାଧାରଣ ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି। ଏମାନଙ୍କ ପାଇଁ କୌଣସି ନିୟାମକ ବ୍ୟବସ୍ଥା ନଥିବାରୁ ଏଭଳି ହୋଇଥାଏ।’’
ଝାଡ଼ଖଣ୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧତାର ଦୟନୀୟ ଚିତ୍ର ୨୦୨୦ରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକ ସ୍ୱାସ୍ଥ୍ୟ ସମୀକ୍ଷାରୁ ଜଣାପଡ଼ିଥାଏ। ୨୦୧୧ ଜନଗଣନା ଆଧାରରେ ଭାରତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ମାପଦଣ୍ଡ ଅନୁଯାୟୀ, ରାଜ୍ୟରେ ୩,୧୩୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର, ୭୬୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୮୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭାବ ରହିଛି। ରାଜ୍ୟରେ ପ୍ରତି ୧ ଲକ୍ଷ ଜନସଂଖ୍ୟାଙ୍କ ପାଇଁ ମାତ୍ର ୬ ଜଣ ଡାକ୍ତର, ୩ ଜଣ ନର୍ସ, ୨୭ଟି ଶଯ୍ୟା, ଜଣେ ଲାବ୍ ଟେକ୍ନିସିଆନ ରହିଛନ୍ତି। ଆହୁରି ରାଜ୍ୟରେ ୮୫ ପ୍ରତିଶତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି ।
ଲାଗୁଛି ଯେମିତି ଏକ ଦଶନ୍ଧି ହେବ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଝାଡ଼ଖଣ୍ଡର ଆର୍ଥିକ ସର୍ବେକ୍ଷଣ ୨୦୧୩-୧୪ରୁ ଜଣାପଡ଼ିଥାଏ ଯେ, ରାଜ୍ୟରେ ୬୫ପ୍ରତିଶତରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୩୫ ପ୍ରତିଶତରୁ ଅଧିକ ଉପ କେନ୍ଦ୍ର ଏବଂ ୨୨ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଭାବ ରହିଛି । ବିଶେଷଜ୍ଞ ଚିକିତ୍ସା ଅଧିକାରୀମାନଙ୍କର ଅଭାବ ଆହୁରି ବିପଜ୍ଜନକ ଚିତ୍ର ଉଜାଗର କରିଥାଏ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ତ୍ରୀ ରୋଗ, ପ୍ରସୂତୀ ଏବଂ ଶିଶୁରୋଗ ବିଶେଷଜ୍ଞମାନଙ୍କର ଅଭାବ ରହିଥିବା ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
ଏପରିକି ଆଜି ମଧ୍ୟ, ରାଜ୍ୟର ଏକ ଚତୁର୍ଥାଂଶ ଜନସଂଖ୍ୟା ଡାକ୍ତରଖାନାରେ ସନ୍ତାନ ପ୍ରସବ ସୁବିଧାରୁ ବଞ୍ଚିତ ରହିଛନ୍ତି । ରାଜ୍ୟରେ ୫,୨୫୮ ଜଣ ଡାକ୍ତରଙ୍କର ଅଭାବ ରହିଛି। ୨୦୧୧ ଜନଗଣନା ଅନୁଯାୟୀ, ଏହି ରାଜ୍ୟର ୩.୨୯ କୋଟି ଲୋକଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାତ୍ର ୨,୩୦୬ ଜଣ ଡାକ୍ତର ରହିଛନ୍ତି ।
ସ୍ୱାସ୍ଥ୍ୟସେବା ଉପଲବ୍ଧତା ପ୍ରଣାଳୀରେ ଏକ ଅସମାନତା ପରିପ୍ରେକ୍ଷୀରେ ଆରଏମପିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଜ୍ୟୋତି ଘରେ ପ୍ରସବ ଏବଂ ସନ୍ତାନ ଜନ୍ମ ପରବର୍ତ୍ତୀ ଚିକିତ୍ସା ଯୋଗାଇ ଦେଇଥାନ୍ତି ଏବଂ ଗର୍ଭବତୀ ମହିଳାମାନଙ୍କୁ ଆଇରନ୍ ଓ ଭିଟାମିନ୍ ବଟିକା ଦେଇଥାନ୍ତି । ସେ ଛୋଟ ଓ ବଡ଼ ସଂକ୍ରମଣ ଏବଂ ଛୋଟ ଆଘାତର ଶିକାର ହୋଇଥିବା ରୋଗୀଙ୍କର ଚିକିତ୍ସା କରିଥାନ୍ତି । ସେ ମଧ୍ୟ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ଓ ଗମ୍ଭୀର ଚିକିତ୍ସା ଯୋଗାଇ ଦିଅନ୍ତି । ଜଟିଳ ସ୍ଥିତିରେ ଥିବା ରୋଗୀଙ୍କୁ ସରକାରୀ ଡାକ୍ତରଖାନାକୁ ଯିବା ଲାଗି ପରାମର୍ଶ ଦେଇଥାନ୍ତି। ଏପରିକି ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରାଇ ଦେବା ସହିତ ସରକାରୀ ନର୍ସଙ୍କ ସହ ଯୋଗାଯୋଗ କରାଇ ଦେଇଥାନ୍ତି।
*****
ଝାଡ଼ଖଣ୍ଡ ଗ୍ରାମୀଣ ଚିକିତ୍ସକ ସଂଘର ଜଣେ ସଦସ୍ୟ ବୀରେନ୍ଦ୍ର ସିଂଙ୍କ ଆକଳନ ଅନୁଯାୟୀ, କେବଳ ପଶ୍ଚିମ ସିଂହଭୂମ ଜିଲ୍ଲାରେ ୧୦,୦୦୦ରୁ ଅଧିକ ଆରଏମପି ଚିକିତ୍ସା ଯୋଗାଇ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ୭୦୦ ଜଣ ମହିଳା। ସେ କୁହନ୍ତି, ‘‘ଆନନ୍ଦପୁର ଭଳି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି। ଏଠାରେ ସବୁ କାମ ନର୍ସ ଚଳାଇଥାନ୍ତି। ଜ୍ୟୋତିଙ୍କ ଭଳି ଆରଏମପିମାନେ ଗାଁରେ ସବୁପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାନ୍ତି କିନ୍ତୁ ସରକାରଙ୍କଠାରୁ ଏମାନଙ୍କୁ କିଛି ସହଯୋଗ ମିଳେ ନାହିଁ। କିନ୍ତୁ ସେମାନେ ସ୍ଥାନୀୟ ଲୋକମାନଙ୍କୁ ଭଲ ଭାବେ ବୁଝିଛନ୍ତି କାରଣ ସେମାନେ ତାଙ୍କ ସହିତ ରହୁଛନ୍ତି। ସେମାନେ ଲୋକମାନଙ୍କ ସହ ଅଧିକ ନିକଟତର ହୋଇ ରହିଛନ୍ତି। ଆପଣ ସେମାନଙ୍କ କାର୍ଯ୍ୟକୁ କିଭଳି ଅଣଦେଖା କରିପାରିବେ?’’ ସେ ପ୍ରଶ୍ନ କରିଥାନ୍ତି।
ହର୍ତା ଗ୍ରାମର ସୁସାରୀ ଟପ୍ପୋ (୩୦) କୁହନ୍ତି ଯେ, ୨୦୧୩ରେ ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ପେଟରେ ଥିଲା, ପିଲାଟି ପେଟରେ ବୁଲିବା ବନ୍ଦ କରି ଦେଇଥିଲା। ‘‘ମୋ ପେଟରେ ଗମ୍ଭୀର ଯନ୍ତ୍ରଣା ସହିତ ରକ୍ତସ୍ରାବ ହେଉଥିଲା। ଆମେ ତୁରନ୍ତ ଜ୍ୟୋତିଙ୍କୁ ଡାକିଲୁ। ସେ ସାରା ରାତି ଏବଂ ତା’ ପର ଦିନ ମଧ୍ୟ ଆମ ପାଖରେ ରହିଥିଲେ। ସେତେବେଳେ ସେ ଦିନକୁ ତିନୋଟି ଲେଖାଏଁ କରି ଛଅଟି ସାଲାଇନ ବୋତଲ ଲଗାଇଥିଲେ। ଶେଷରେ, ମୋର ସାଧାରଣ ପ୍ରସବ ହୋଇଥିଲା।’’ ପିଲାର ଓଜନ ୩.୫ କି.ଗ୍ରା. ଥିଲା। ଜ୍ୟୋତିଙ୍କୁ ୫,୫୦୦ ଟଙ୍କା ଦିଆଯିବାର ଥିଲା କିନ୍ତୁ ସେତେବେଳେ ପରିବାର ଲୋକଙ୍କ ପାଖରେ ୩,୦୦୦ ଟଙ୍କା ଥିଲା। ସେ ଅବଶିଷ୍ଟ ଟଙ୍କା ପରେ ନେବା ପାଇଁ ରାଜି ହୋଇଥିବା ସୁସାରୀ କହିଥିଲେ।
ହର୍ତା ଗାଁର ୩୦ ବର୍ଷ ବୟସ୍କା ଏଲିସାବା ଟପ୍ପୋ ତିନି ବର୍ଷ ତଳର ନିଜ ଅନୁଭୂତି ସମ୍ପର୍କରେ ସ୍ମରଣ କରି କୁହନ୍ତି, ‘‘ସେତେବେଳେ ମୋ ଗର୍ଭରେ ଜାଆଁଳା ପିଲା ଥିଲେ। ମୋ ସ୍ୱାମୀ ସବୁ ସମୟ ଭଳି ସେତେବେଳେ ମଦ ନିଶାରେ ଥିଲେ। ରାସ୍ତା ଖରାପ ଥିବାରୁ ମୁଁ ଡାକ୍ତରଖାନାକୁ ଯିବା ପାଇଁ ଚାହୁଁନଥିଲି।’’ ସେ ଆହୁରି କହିଥିଲେ ଯେ, ମୁଖ୍ୟ ରାସ୍ତାକୁ ପହଞ୍ଚିବାକୁ ହେଲେ ସୁଦ୍ଧା ଘରଠାରୁ ଚାରି କିଲୋମିଟର ବିଲ ରାସ୍ତା ଓ ଖୋଲା ନାଳରେ ପଶି ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାନ୍ତା।
ରାତିରେ ନିକଟସ୍ଥ ଜମିକୁ ଶୌଚ ହେବାକୁ ଯାଇଥିବା ସମୟରେ ଏଲିସାବାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଅଧ ଘଣ୍ଟା ପରେ ସେ ଯେତେବେଳେ ଘରକୁ ଫେରିଲେ, ତାଙ୍କ ଶାଶୂ ତାଙ୍କୁ ଆଉଁଷି ଦେଇଥିଲେ, କିନ୍ତୁ ଯନ୍ତ୍ରଣା କମିଲା ନାହିଁ। ‘‘ଏହାପରେ ଆମେ ଜ୍ୟୋତିଙ୍କୁ ଡାକିଲୁ। ସେ ଆସିଲେ ଓ ମୋତେ ଔଷଧ ଦେଲେ। କେବଳ ତାଙ୍କ ପାଇଁ ହିଁ ମୁଁ ଘରେ ଜାଆଁଳା ପିଲାଙ୍କୁ ସ୍ୱାଭାବିକ ଭାବେ ପ୍ରସବ କରିପାରିଥିଲି । ଆମକୁ ସାହାଯ୍ୟ କରିବା ପାଇଁ ରାତି ଅଧରେ ସୁଦ୍ଧା ସେ ଦୂରସୁଦୂରବର୍ତ୍ତୀ ଅଞ୍ଚଳରେ ପହଞ୍ଚି ଯାଇଥାନ୍ତି।’’
ଆରଏମପିମାନେ ବିନା ଦ୍ଵିଧାରେ ସମସ୍ତଙ୍କୁ ଇଣ୍ଟ୍ରାଭେନସ ଫ୍ଲୁଇଡ୍ ଲଗାଇ ଥାନ୍ତି। ପ୍ରତିଚି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଇଭି ସଲ୍ୟୁସନ ବା ‘ସାଲାଇନ’ ନାଁରେ ବିଶେଷ ଭାବେ ପରିଚିତ ଏହି ତରଳକୁ ଝାଡ଼ଖଣ୍ଡ ଓ ବିହାରରେ ପ୍ରାୟତଃ ସବୁପ୍ରକାର ଅସୁସ୍ଥତା ପାଇଁ ଲଗାଇ ଦିଆଯାଇଥାଏ। ଏହା କେବଳ ଅନାବଶ୍ୟକ ଏବଂ ବ୍ୟୟବହୁଳ ନୁହେଁ ବରଂ କେତେକ କ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥାଏ। ‘‘ସାକ୍ଷାତକାର ଦେଇଥିବା ସମସ୍ତ ‘ଚିକିତ୍ସକ’ମାନେ ଦୃଢ଼ ଭାବେ କହିଥାନ୍ତି ଯେ ବିନା ସାଲାଇନରେ କୌଣସି ପ୍ରକାର ଚିକିତ୍ସା କରାଯାଇପାରିବ ନାହିଁ, କାରଣ ସାଲାଇନ ଶରୀରରେ ରକ୍ତ ପରିମାଣ ବଢ଼ାଇ ଦେଇଥାଏ, ପୋଷଣ ଏବଂ ଶୀଘ୍ର ଆରାମ ପ୍ରଦାନ କରିଥାଏ’’, ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏଠାରେ ଏକ ବିପଜ୍ଜନକ କାମ ଥିଲା, କିନ୍ତୁ ଜ୍ୟୋତି ସୌଭାଗ୍ୟଶାଳୀ ଥିଲେ। ୧୫ ବର୍ଷ ଧରି ଚିକିତ୍ସା କରୁଥିବା ସମୟରେ ସେ କେବେ ବି ବିଫଳ ହୋଇନାହାନ୍ତି। ‘‘ରୋଗୀଙ୍କୁ ଚିକିତ୍ସା କରିବା କ୍ଷେତ୍ରରେ ମୋ ମନରେ କୌଣସି ସନ୍ଦେହ ଉତ୍ପନ୍ନ ହେଲେ ମୁଁ ସବୁବେଳେ ସେମାନଙ୍କୁ ମନୋହରପୁର ବ୍ଲକ୍ ଡାକ୍ତରଖାନାକୁ ପଠାଇ ଦେଇଥାଏ। ନଚେତ୍ ମମତାବାହନକୁ କଲ୍ କରିଥାଏ କିମ୍ବା ସରକାରୀ ନର୍ସଙ୍କ ସହ ସେମାନଙ୍କୁ ଯୋଗାଯୋଗ କରି ଦେଇଥାଏ’’, ସେ କୁହନ୍ତି।
ଦୃଢ଼ ପ୍ରତିବଦ୍ଧତା କାରଣରୁ ଜ୍ୟୋତି ତାଙ୍କ କାର୍ଯ୍ୟରେ ଦକ୍ଷ ହୋଇପାରିଛନ୍ତି। ସେରେଙ୍ଗଡାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କର ପିତା ଆରପାରିକୁ ଚାଲିଯାଇଥିଲେ। ସେତେବେଳେ ମୋର ପାଠପଢ଼ା ବନ୍ଦ ହୋଇଗଲା। ‘‘ସେତେବେଳେ ସହରରୁ ଫେରିଥିବା ଜଣେ ମହିଳା ମୋତେ ପାଟ୍ନା ନେଇଗଲେ। ସେଠି ମୁଁ ଏକ ଡାକ୍ତର ଦମ୍ପତିଙ୍କ ପାଖରେ ରହିଲି । ମୋତେ ଘର ଝାଡ଼ୁ କରିବା ଓ ସଫା କରିବାକୁ ପଡ଼ୁଥିଲା। ଦିନେ ମୁଁ ସୁଯୋଗ ଦେଖି ଲୁଚି ଲୁଚି ଗାଁକୁ ଚାଲିଆସିଲି’’, ଜ୍ୟୋତି ପିଲାଦିନ କଥା ମନେ ପକାଇ କୁହନ୍ତି ।
ଏହାପରେ, ଆନନ୍ଦପୁର ବ୍ଲକ୍ ଚାରବାନ୍ଦିଆ ଗ୍ରାମର ଏକ କନଭେଣ୍ଟ ସ୍କୁଲରେ ସେ ପାଠପଢ଼ା ଆରମ୍ଭ କଲେ। ସେ କୁହନ୍ତି, ‘‘ସେଠାରେ ମୁଁ ଏକ ଚିକିତ୍ସାଳୟରେ ନନ୍ମାନଙ୍କୁ ଦେଖିଲି । ସେଠାରେ ନର୍ସିଂ କାମରେ ମିଳୁଥିବା ସନ୍ତୋଷ ଓ ଖୁସି ବିଷୟରେ ମୁଁ ବୁଝିପାରିଥିଲି। ମୁଁ ତା’ଠାରୁ ଅଧିକ ପାଠ ପଢ଼ିପାରିଲି ନାହିଁ । ମୋ ଭାଇ କୌଣସି ପ୍ରକାରରେ ୧୦,୦୦୦ ଟଙ୍କା ଯୋଗାଡ଼ କରି ଦେଲା ଏବଂ ମୁଁ ଏକ ଘରୋଇ ସଂସ୍ଥାନରୁ ଏକ କୋର୍ସ – ରୁରାଲ ମେଡ଼ିକାଲ ପ୍ରାକ୍ଟିସନର ଇନ୍ ଏଲୋପାଥି ମେଡ଼ିସିନ୍ (ଏଲୋପାଥି ଚିକିତ୍ସାରେ ଗ୍ରାମୀଣ ଔଷଧିୟ ଚିକିତ୍ସା)- କଲି।’’ ଏହାଛଡ଼ା ଝାଡ଼ଖଣ୍ଡ ଗ୍ରାମୀଣ ଚିକିତ୍ସକ ସଂଘଠାରୁ ତାଙ୍କୁ ଏକ ପ୍ରମାଣପତ୍ର ମିଳିଛି । ପ୍ରଥମେ ସେ କିରିବୁରୁ, ଚାଇବାସା ଓ ଗୁମଲାରେ ସେ ଭିନ୍ନ ଭିନ୍ନ ଘରୋଇ ହସ୍ପିଟାଲରେ ଡାକ୍ତରମାନଙ୍କୁ ଦୁଇ ତିନି ମାସ ପର୍ଯ୍ୟନ୍ତ ସହାୟତା କରିବା ପରେ ସେ ତାଙ୍କ ଗାଁକୁ ଫେରି ଆସି ଚିକିତ୍ସା ଆରମ୍ଭ କରିଥିଲେ।
ହର୍ତା ପଞ୍ଚାୟତରେ କାମ କରୁଥିବା ସରକାରୀ ନର୍ସ ଜରନାତି ହେମ୍ବ୍ରମ କୁହନ୍ତି: ‘‘ବାହାରୁ ଆସି ସେ ଅଞ୍ଚଳରେ କାମ କରିବା ଖୁବ୍ କଷ୍ଟକର ବ୍ୟାପାର। ଜ୍ୟୋତିପ୍ରଭା ଗାଁରେ ଚିକିତ୍ସା କରୁଥିବାରୁ ଲୋକମାନେ ବିଶେଷ ସହାୟତା ପାଇପାରୁଛନ୍ତି।’’
ଜ୍ୟୋତି କୁହନ୍ତି, ‘‘ସରକାରୀ ନର୍ସମାନେ ମାସକୁ ଥରେ ଗାଁକୁ ଆସିଥାନ୍ତି। କିନ୍ତୁ ସେମାନଙ୍କ ଉପରେ ଭରସା ନଥିବାରୁ ଲୋକମାନେ ଚିକିତ୍ସା ପାଇଁ ସେମାନଙ୍କ ପାଖକୁ ଯାଆନ୍ତି ନାହିଁ। ଏଠାକାର ଲୋକମାନେ ଶିକ୍ଷିତ ନୁହନ୍ତି । ତେଣୁ ଔଷଧ ଅପେକ୍ଷା ବିଶ୍ୱାସ ଓ ଆଚରଣ ସେମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ।’’
ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସହଯୋଗରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ ଏବଂ ଅଳ୍ପ ବୟସ୍କା ମହିଳାଙ୍କ ଉପରେ ରାଷ୍ଟ୍ରବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପ ଜାରି ରଖିଛି । ଏହାର ଉଦ୍ଦେଶ୍ୟ ହେଉଛି, ସମାଜର ଏହି ବଞ୍ଚିତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୁଦାୟଙ୍କ କଥା ଶୁଣିବା ଏବଂ ସାଧାରଣ ଜନତାଙ୍କ ଅନୁଭୂତି ଜାଣିବା ଜରିଆରେ ସେମାନଙ୍କ ସ୍ଥିତିକୁ ସାମ୍ନାକୁ ଆଣିବା ।
ଏହି ସ୍ତମ୍ଭକୁ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି zahra@ruralindiaonline.org ,ରେ ଯୋଗାଯୋଗ କରନ୍ତୁ ଏବଂ ତାହାର ଏକ କପି namita@ruralindiaonline.org କୁ ପଠାନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍