୨୦୨୨ମସିହା ଜୁନ୍ ୧୬ ରାତି ସମୟ, ଲବ ଦାସ, ଆସାମର ନଗାଓଁ ଗ୍ରାମର ଅନ୍ୟ ବାସିନ୍ଦାଙ୍କ ସହିତ ବିକଳ ହୋଇ ନନୋଇ ନଦୀ କୂଳରେ ବାଲିବସ୍ତା ଗଦା କରୁଥିଲେ। ସେମାନେ କହିଲେ ଯେ ୪୮ ଘଣ୍ଟା ପୂର୍ବରୁ, ବ୍ରହ୍ମପୁତ୍ରର ଏକ ଉପନଦୀ କୂଳ ଲଙ୍ଘିବା ଆରମ୍ଭ କରିଥିଲା। ଦରାଙ୍ଗ ଜିଲ୍ଲା ପ୍ରଶାସନ ତରଫରୁ କୂଳ ଲଙ୍ଘିବାରୁ ରକ୍ଷା ପାଇବାକୁ ବାଲି ବସ୍ତା ଧାଡ଼ି କରି ଗଦା କରିବାକୁ ଦିଆଯାଇଥିଲା।
‘‘ଏହି ବନ୍ଧ ରାତି ୧ ଟା ବେଳେ (ଜୁନ୍ ୧୭ ତାରିଖରେ) ଭାଙ୍ଗିଗଲା’’, ସିପାଝର ବ୍ଲକର ନଗାଓଁର ହୀରାସୁବୁରି ବସ୍ତିର ବାସିନ୍ଦା ଲବ କହିଥିଲେ। ‘‘ଆମେ ଅସହାୟ ହୋଇ ପଡ଼ିଥିଲୁ କାରଣ ବିଭିନ୍ନ ସ୍ଥାନରୁ ଭାଙ୍ଗିବା ଆରମ୍ଭ ହୋଇଥିଲା।’’ ଲଗାତର ଭାବରେ ୫ ଦିନ ଧରି ମେଘ ବର୍ଷୁଥିଲା କିନ୍ତୁ ମାସ ଆରମ୍ଭରୁ ରାଜ୍ୟ ସରକାର ଦକ୍ଷିଣ ପଶ୍ଚିମ ମୌସୁମୀ ଅନୁଯାୟୀ କାର୍ଯ୍ୟ କରୁଥିଲେ। ଭାରତୀୟ ପାଣିପାଗ ବିଭାଗ ଜୁନ୍ ୧୬ ଏବଂ ୧୮ ସମୟରେ ଆସାମ ଓ ମେଘାଳୟରେ ‘‘ଅତ୍ୟଧିକ ଭାରି ବୃଷ୍ଟିପାତ’’ (ଗୋଟିଏ ଦିନରେ ୨୪୪.୫ ମିଲିଲିଟର ବା ଅଧିକ) ପୂର୍ବାନୁମାନ କରି ରେଡ୍ ଆଲର୍ଟ ଜାରି କରିଥିଲେ।
ଜୁନ୍ ୧୬ ତାରିଖ ରାତି ପ୍ରାୟ ୧୦ଟା ୩୦ ରେ ନନୋଇ ମଧ୍ୟ ଖସଦିପିଲା ଗ୍ରାମର କାଲିତପରାକୁ ଗ୍ରାସ କରିଥିଲା ଯାହାକି ନଗାଓଁର ଦକ୍ଷିଣରେ ଏକ କିଲୋମିଟର ଦୂରରେ ରହିଥିଲା। ଜୟମାଟି କାଲିଟା ଏବଂ ତାଙ୍କର ପରିବାରର ସଦସ୍ୟ ଏହି ବନ୍ୟାରେ ସବୁକିଛି ହରାଇଥିଲେ। ଏକ ଟିଣ ଛାତ ସହିତ ଟାର୍ପୋଲିନ୍ ତଳେ ଆଶ୍ରୟ ନେଇଥିଲେ ସେ ଓ କହିଥିଲେ ‘‘ଚାମଚଟିଏ ବି ବାକି ନାହିଁ।’’ ଆବେଗଭରା କଣ୍ଠରେ ସେ କହିଥିଲେ ‘‘ଆମ ଘର ସହିତ କୋଠି ଏବଂ ଗୁହାଳ ପ୍ରବଳ ଜଳସ୍ରୋତରେ ଧୋଇ ହୋଇ ଯାଇଥିଲା।’’
ଆସାମର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ, ଜୁନ୍ ୧୬ରେ ବୃଷ୍ଟିପାତ ଦ୍ୱାରା ରାଜ୍ୟର ୨୮ଟି ଜିଲ୍ଲାରେ ପ୍ରାୟ ୧୯ ଲକ୍ଷ ବ୍ୟକ୍ତି (୧.୯ ନିୟୁତ) ପ୍ରଭାବିତ ହୋଇଥିଲେ। ଦରଙ୍ଗ, ଯେଉଁଠାରେ ପ୍ରାୟ ୩ ଲକ୍ଷ ବ୍ୟକ୍ତି ଅତ୍ୟଧିକ ପ୍ରଭାବିତ ହୋଇଥିଲେ ଓ ସେମାନେ ରାଜ୍ୟର ତିନିଟି ସର୍ବାଧିକ ପ୍ରଭାବିତ ଜିଲ୍ଲାର ବାସିନ୍ଦା। ସେଦିନ ରାତିରେ ନନୋଇ ନଦୀ କୂଳ ଖାଇବା ସହିତ ରାଜ୍ୟର ଅନ୍ୟ ୬ଟି ନଦୀ - ବେକି, ମାନସ, ପାଗଲାଦିଆ, ପୁଠିମାରି, ଜିରା-ଭରଲି ଏବଂ ବ୍ରହ୍ମପୁତ୍ର ଫୁଲି ବିପଦ ସଙ୍କେତଠାରୁ ଉର୍ଦ୍ଧ୍ୱରେ ପ୍ରଭାବିତ ହୋଇଥିଲା।


ବାମ: ଜୁନ୍ ୧୬ ତାରିଖ ରାତିରେ ନନୋଇ ନଦୀ ବନ୍ଧ ଭାଙ୍ଗିବା ପରେ ଦରାଙ୍ଗ ଜିଲ୍ଲାର ଖସଡିପିଲା ଜିଲ୍ଲାର ବନ୍ୟା ପ୍ଲାବିତ ଅଞ୍ଚଳ। ନାଗାଓଁ ଗ୍ରାମରେ ତଙ୍କେଶ୍ୱର ଡେକା, ଲବ ଦାସ ଏବଂ ଲଳିତ ଚନ୍ଦ୍ର ଦାସ (ବାମରୁ ଡାହାଣକୁ)। ତଙ୍କେଶ୍ୱର କହନ୍ତି ଯେ ଅତ୍ୟଧିକ ବଢ଼ିଥିବା ଗଛର ଚେର, ଉଈ ଏବଂ ମୂଷା ଉପଦ୍ରବରୁ ଏହି ବନ୍ଧ ଦୁର୍ବଳ ହୋଇଯାଇଥିଲା


ବାମ: ଖସଡ଼ିପିଲା ଗ୍ରାମ, ଯେଉଁଠାରେ ପ୍ରଖର ଜଳସ୍ରୋତ ଘର ଦ୍ୱାର, ଶସ୍ୟାଗାର ଏବଂ ଗାଈଗୁହାଳ ସବୁକିଛି ଧୋଇ ନେଇଥିଲା, ସେହି ସ୍ଥାନର ବାସିନ୍ଦା ଜୟମତି କାଲିଟା ଏବଂ ତାଙ୍କର ପରିବାର। ଡାହାଣ: ନିକଟବର୍ତ୍ତୀ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଜୟମତି (ଡାହାଣରେ) ବସିଛନ୍ତି, ସେ କହନ୍ତି ‘ଚାମଚଟିଏ ବି ବାକିନାହିଁ’
‘‘ଆମେ ୨୦୦୨, ୨୦୦୪ ଏବଂ ୨୦୧୪ର [ବର୍ଷରେ] ବନ୍ୟା ଦେଖିଥିଲୁ କିନ୍ତୁ ଏଥର ଅତି ଭୟଙ୍କର ଥିଲା,’’କହିଲେ ତଙ୍କେଶ୍ୱର ଡେକା ଯେ କି ନଗାଓଁଠାରୁ ଆଣ୍ଠୁଏ ପାଣିରେ ୨ କିଲୋମିଟର ଚାଲି ଚାଲି ନିକଟତମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାତୀମରାରେ ପହଞ୍ଚିଥିଲେ ଯାହାକି ଭେରୁଆଡୋଲଗାଁଓ ନିକଟରେ ଥିବା ଏକ ସ୍ଥାନ। ତାଙ୍କୁ ଏକ ଗୃହପାଳିତ ପଶୁ କାମୁଡ଼ିବା ପରେ ଜୁନ୍ ୧୮ ତାରିଖରେ ଜଳାତଙ୍କ ଟିକା ନେବା ପାଇଁ ସେ ସେଠାକୁ ଯାଇଥିଲେ।
‘‘ବିଲେଇଟି ଭୋକରେ ଥିଲା,’’ ତଙ୍କେଶ୍ୱର ବୁଝାଇ କହିଥିଲେ। ‘‘ବୋଧହୁଏ ସେ ବର୍ଷା ପାଣି ଦେଖି ଡରିଯାଇଥିଲା। ତାକୁ ମାଲିକ ଦୁଇ ଦିନ ଧରି ଖାଇବାକୁ ଦେଇନଥିଲେ। ଏହା ଅସମ୍ଭବ ଥିଲା [ମାଲିକଙ୍କ ପାଇଁ] କାରଣ ସବୁଆଡ଼େ ପାଣି ଭରି ରହିଥିଲା। ରୋଷେଇଘର, ଘର ସାରା ଗାଁ ପାଣିରେ ବୁଡ଼ି ରହିଥିଲା,’’ ସେ କହିଲେ। ଆମେ ଜୁନ୍ ୨୩ରେ ତାଙ୍କୁ ଦେଖା କଲାବେଳକୁ ତଙ୍କେଶ୍ୱର ୫ଟି ଟିକା ମଧ୍ୟରୁ ଦୁଇଟି ଟିକା ନେଇ ସାରିଥିଲେ ଏବଂ ବନ୍ୟା ଜଳ ଧୀରେ ଧୀରେ ଛାଡ଼ି ଆସୁଥାଏ ଓ ଖାଲୁଆ ମଙ୍ଗଳଦୋଇ ଅଞ୍ଚଳରେ ରହିଥାଏ।
ଅତ୍ୟଧିକ ବଢ଼ିଥିବା ଗଛର ଚେର, ଉଈ ଏବଂ ମୂଷା ଏହି ବନ୍ଧକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ, କହନ୍ତି ତଙ୍କେଶ୍ୱର। ସେ କହିଥିଲେ ଯେ ‘‘ଦଶବର୍ଷରୁ ଅଧିକ ହେବ ଏହାର ମରାମତି ହୋଇନଥିଲା।’’ କୋହଭରା କଣ୍ଠରେ ସେ ପଚାରିଲେ ‘‘ଧାନ ବିଲରେ ୨-୩ ଫୁଟର କାଦୁଅ ଚରିଯାଇଛି। ଏଠାକାର ଲୋକେ ମୁଖ୍ୟତଃ ଚାଷ କାମ ଓ ମୂଲ ମଜୁରୀ ଉପରେ ନିର୍ଭର କରନ୍ତି। ଏବେ ସେମାନେ କିପରି ପରିବାର ଚଳାଇବେ?’’ ସେ କହିଲେ।
ଏବେ ଲକ୍ଷପତି ଦାସ ମଧ୍ୟ ସଂଘର୍ଷ କରୁଛନ୍ତି। ତାଙ୍କର ତିନି ବିଘା ଜମି (ପ୍ରାୟ ଏକରେ ପାଖାପାଖି) ଉପରେ କାଦୁଅ ଚରିଯାଇଛି। ‘‘ମୋର ଧାନ ତଳି ଦୁଇ କଠା ଜମିରେ (ପାଞ୍ଚ କଠା ଗୋଟିଏ ବିଘା) ଥିଲା, ଏବେ ଖାଲି କାଦୁଅ,’’ ସେ ବ୍ୟସ୍ତ ହୋଇ କହନ୍ତି। ‘‘ମୁଁ ଆଉ ଥରେ ତଳି ପକାଇ ପାରିବି ନାହିଁ।’’
ଲକ୍ଷପତିଙ୍କର ପୁଅ ଝିଅ ନଗାଓଁଠାରୁ ୧୫ କିଲୋମିଟର ଦୂରରେ ଥିବା ସିପାଝର କଲେଜରେ ପଢ଼ନ୍ତି। ‘‘ସେମାନେ ପ୍ରତିଦିନ କଲେଜ ଯିବା ପାଇଁ ୨୦୦ ଟଙ୍କା ଦରକାର। ମୁଁ ଜାଣେନି କୋଉଠୁ ଟଙ୍କା ଆଣିବି କେମିତି ପରିବାର ଚଳାଇବି। ପାଣି (ବନ୍ୟା) ଛାଡ଼ିଗଲାଣି, କିନ୍ତୁ ପୁଣିଥରେ ଯଦି ଆସିବ କ’ଣ ହେବ? ଆମେ ଭୟଭୀତ ହୋଇ ପଡ଼ିଛୁ ଏବଂ ମନରେ ଚିନ୍ତା ଲାଗି ରହୁଛି’’ ସେ କହନ୍ତି, ଆଶା କରୁଛୁ ଯେ ବନ୍ଧ ଶୀଘ୍ର ମରାମତି ହେବ।


ବାମ: ଲକ୍ଷପତି ଦାସ ତାଙ୍କର ପାଣିରେ ବୁଡ଼ି ରହିଥିବା ଜମିକୁ ଚାହିଁ ରହିଛନ୍ତି। ଡାହାଣ: ନାଗାଓଁରେ ବହୁ କୃଷକଙ୍କ ଜମି ଜଳାର୍ଣ୍ଣବ ହୋଇଛି


ବାମ: ଲଳିତ ଚନ୍ଦ୍ର ଦାସ ବନ୍ୟାରେ ନଷ୍ଟ ହୋଇଥିବା ସଢ଼ା ଆଳୁ ଓ ପିଆଜକୁ ଅଲଗା କରି ରଖୁଛନ୍ତି: ପିଆଜ ଦେଖି ତାଙ୍କ ଆଖିରୁ ଲୁହ ଝରୁଛି। ଡାହାଣ: ପରିବାରର ଆଠଟି ଛେଳି ମଧ୍ୟରୁ ଗୋଟିଏ କୂଳ ଖାଉଥିବା ମାଛ ପୋଖରୀ ସମ୍ମୁଖରେ। ‘ସବୁ ବଡ଼ ମାଛ ଖାଲି ହୋଇଯାଇଛନ୍ତି’
‘‘ଏହି ଲାଉ ଲଟା ଓ ଅମୃତଭଣ୍ଡା ଗଛ ଉପୁଡ଼ି ଯାଇଥିଲା। ଆମେ ଲାଉ ଓ ଅମୃତଭଣ୍ଡା ଗାଁର ଅନ୍ୟମାନଙ୍କୁ ବାଣ୍ଟିଦେଲୁ,’’ ହୀରା ସୁବୁରିର ସୁମିତ୍ରା କହନ୍ତି। ଏହି ପରିବାରର ମାଛ ପୋଖରୀ ପୋତି ହୋଇଯାଇଛି। ‘‘ମୁଁ ମାଛ ଯାଆଁଳ କିଣିବାରେ ୨୫୦୦ ଟଙ୍କା ଖର୍ଚ୍ଚ କରି ମାଛ ଚାଷ କରିଥିଲି। ପୋଖରୀ ଏବେ ଭୂମି ସହିତ ସମତୁଲ ହୋଇଯାଇଛି। ବଡ଼ ବଡ଼ ମାଛ ସବୁ ଭାସିଯାଇଛନ୍ତି,’’ ସୁମିତ୍ରାଙ୍କ ସ୍ୱାମୀ ଲଳିତଚନ୍ଦ୍ର ବନ୍ୟାଜଳରେ ସଢ଼ି ଯାଇଥିବା ପିଆଜ ଚୋପା ଛଡ଼ାଉ ଛଡ଼ାଉ କହନ୍ତି।
ସୁମିତ୍ରା ଏବଂ ଲଳିତଚନ୍ଦ୍ର ‘‘ବନ୍ଧକ’’ ବ୍ୟବସ୍ଥା ଅଧୀନରେ ଜମି ଚାଷ କରନ୍ତି, ସେଠାରେ ଜମି ଭାଗ ନେବା ବାବଦକୁ ମାଲିକଙ୍କୁ ଏକ ଚତୁର୍ଥାଂଶ ଅମଳ ଦେଇଥାନ୍ତି। ସେମାନେ ଚାଷ କରୁଥିବା ଫସଲରୁ ନିଜେ ଖାଇଥାନ୍ତି ଏବଂ ଲଳିତ ମଧ୍ୟ ପାଖାପାଖି ଜମିରେ ମୂଲ ଲାଗିଥାନ୍ତି। ‘‘ଏହି ଜମି ପୁଣିଥରେ ଚାଷ ଉପଯୋଗୀ ହେବା ପାଇଁ ୧୦ ବର୍ଷ ଲାଗିବ,’’ ସୁମିତ୍ରା କହନ୍ତି। ବନ୍ୟା ପରେ ଆଠଟି ଛେଳି ଓ ୨୬ଟି ବତକ ପାଇଁ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ ଏକ ସମସ୍ୟା ପାଲଟିଛି।
ଏହି ପରିବାର ତାଙ୍କର ପୁତ୍ର ଲବକୁଶ ଦାସଙ୍କ ଆୟ ଉପରେ ନିର୍ଭର କରନ୍ତି ସେ ନଗାଓଁଠାରୁ ୭-୮ କିଲୋମିଟର ଦୂରରେ ଥିବା ନାମଖୋଲା ଏବଂ ଲୁଠାପାଡ଼ା ମାର୍କେଟରେ ଆଳୁ ପିଆଜ, ପରିବାପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିଥାନ୍ତି।
ଏହି ଦୁର୍ଦ୍ଦଶା ଓ କ୍ଷତି ମଧ୍ୟରେ ଜୁନ୍ ୨୭ରେ ଗୋଟିଏ ଭଲ ଖବର ମିଳିଲା, ସୁମିତ୍ରା ଓ ଲଳିତଙ୍କର ଝିଅ ଅଙ୍କିତା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦିଓ ତାଙ୍କର ଅଧିକ ପଢ଼ିବା ପାଇଁ ମନ କିନ୍ତୁ ବର୍ତ୍ତମାନ ପରିବାରର ଆର୍ଥିକ ପରିସ୍ଥିତି ଯୋଗୁଁ ସେ ପଢ଼ିପାରିବେ କି ନା ତାଙ୍କର ମାଆ ନିଶ୍ଚିତ ନୁହନ୍ତି।
ଅଙ୍କିତାଙ୍କ ପରି ୧୮ ବର୍ଷର ଝିଅ ଜୁବୁଲି ଡେକା ମଧ୍ୟ ଅଧିକ ପଢ଼ିବାକୁ ଚାହାଁନ୍ତି। ଦିପିଲାଚୌକର ଏନଆରଡିଏସ୍ ଜୁନିୟର୍ କଲେଜର ଜଣେ ଛାତ୍ରୀ, ନଗାଓଁରେ ତାଙ୍କ ଘରଠାରୁ ପ୍ରାୟ ୩ କିଲୋମିଟର ଦୂର, ସେ ସମାନ ପରୀକ୍ଷାରେ ୭୫% ନମ୍ବର ରଖିଛନ୍ତି। ଚାରିପଟର ଧ୍ୱଂସର ତାଣ୍ଡବକୁ ଦେଖି ତାଙ୍କର ଭବିଷ୍ୟତ ମଧ୍ୟ ଅନିଶ୍ଚିତ ମନେ ହେଉଛି।



ବାମ: ଜୁବଲି ଡେକା ତାଙ୍କ ଘର ଦୁଆର ମୁହଁରେ ଠିଆ ହୋଇଛନ୍ତି, ବନ୍ୟା ପାଣି ଘରେ ପଶି ଅଗଣାରେ କାଦୁଅ ଭରିଯାଇଛି। କେନ୍ଦ୍ର: ଦୀପଙ୍କର ଦାସ ତାଙ୍କ ଦୋକାନରେ ଅଛନ୍ତି, ୧୦ ଦିନ ପୂର୍ବରୁ ଏହା ପାଣିରେ ବୁଡ଼ି ଯାଇଥିଲା। ଡାହାଣ: ସୁମିତ୍ରା ଦାସ ନଷ୍ଟ ହୋଇଯାଇଥିବା ଧାନକୁ ଦେଖାଉଛନ୍ତି
‘‘ମୋତେ କ୍ୟାମ୍ପରେ ରହିବାକୁ ଭଲ ଲାଗୁନାହିଁ ତେଣୁ ମୁଁ ଆଜି ଏଠାକୁ ଫେରି ଆସିଲି,’’ ସେ ନଗାଓଁରେ ବନ୍ୟା ବିଧ୍ୱସ୍ତ ଘର ଭିତରୁ ଝରକା ଫାଙ୍କରେ ଆମକୁ ଚାହିଁ କହିଲେ। ପରିବାରର ଅନ୍ୟ ଚାରିଜଣ ସଦସ୍ୟ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ରିଲିଫ୍ କ୍ୟାମ୍ପରେ ଅଛନ୍ତି। ‘‘ସେଦିନ ରାତିରେ, ଆମେ କୁଆଡ଼େ ଯିବୁ କ’ଣ ସାଙ୍ଗରେ ନେବୁ ବୁଝିପାରିଲୁ ନାହିଁ,’’ ଜୁବୁଲି କହିଲେ, ବନ୍ୟା ଆସିଲାବେଳେ ମୁଁ କେବଳ ମୋର କଲେଜ ବ୍ୟାଗଟି ସାଙ୍ଗରେ ନେଇ ଯାଇଥିଲି।
ଦଶ ଦିନର ବର୍ଷା ସମୟରେ, ୨୩ ବର୍ଷ ବୟସ୍କ ଦୀପଙ୍କର ଦାସ ନୂଆଗାଁରେ ତାଙ୍କର ଚାହା ଦୋକାନ ଖୋଲିପାରିନଥିଲେ। ସାଧାରଣତଃ ସେ ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି, କିନ୍ତୁ ଏହି ଧ୍ୱଂସ ଲୀଳା ପରେ ବ୍ୟବସାୟ ଏବେ ବି ପୂର୍ବଅବସ୍ଥାକୁ ଫେରି ନାହିଁ। ଆମେ ଯେତେବେଳେ ଜୁନ୍ ୨୩ରେ ତାଙ୍କ ପାଖକୁ ଯାଇଥିଲୁ ତାଙ୍କ ଦୋକାନରେ କେବଳ ଜଣେ ଗ୍ରାହକ ଗୋଟିଏ କପ୍ ଗଜାମୁଗ ଓ ସିଗାରେଟ୍ ନେବାକୁ ଆସିଥିଲେ।
ଦୀପଙ୍କର ପରିବାର ହେଉଛନ୍ତି ଭୂମିହୀନ। ସେମାନେ ଚାହା ଦୋକାନରୁ ଆୟ ଓ ବେଳେ ବେଳେ ତାଙ୍କର ୪୯ ବର୍ଷ ବୟସ୍କ ବାପା ସତରମ୍ ଦାସ, ମୂଲ ଲାଗିବାର ଆୟ ଉପରେ ନିର୍ଭର କରି ଚଳନ୍ତି। ‘‘ଆମ ଘର ଆଉ ରହିବାଯୋଗ୍ୟ ହୋଇ ନାହିଁ, ଘର ଭିତରେ ଆଣ୍ଠୁଏ କାଦୁଅ’’ କହନ୍ତି ଦୀପଙ୍କର। ଏହି ଅର୍ଦ୍ଧ ପକାଘରଟି ପାଇଁ ବଡ଼ ଧରଣର ମରାମତି ଆବଶ୍ୟକ। ଏଥିପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହନ୍ତି।
‘‘ଯଦି ସରକାର ବନ୍ୟା ପୂର୍ବରୁ ପଦକ୍ଷେପ ଗ୍ରହଣ କରିଥାନ୍ତି ଏହି ବିପର୍ଯ୍ୟୟକୁ ଏଡ଼ାଇବା ସମ୍ଭବ ହୋଇଥାନ୍ତା’’ ଦୀପଙ୍କର କହନ୍ତି, ସେ କୋଭିଡ୍ ଲକଡାଉନ୍ ସମୟରେ ଗୌହାଟିରୁ ନଗାଓଁକୁ ଫେରି ଆସିଥିଲେ, ସେଠାରେ ସେ ଏକ ଲୋକପ୍ରିୟ ବେକରି ଚେନ୍ରେ କାମ କରୁଥିଲେ। ‘‘ଯେତେବେଳେ ବନ୍ଧ ଭାଙ୍ଗୁଥିଲା ସେମାନେ (ଜିଲ୍ଲା ପ୍ରଶାସନ) କ’ଣ କରୁଥିଲେ? ସେମାନେ ଖରାଦିନେ ଆସିବା ଉଚିତ୍ ଥିଲା।’’
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତପକ୍ଷଙ୍କ ଅନୁଯାୟୀ ଜୁନ୍ ୧୬ର ବର୍ଷା ଦ୍ୱାରା ୨୮ ଟି ଜିଲ୍ଲାର ପ୍ରାୟ ୧୯ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି
ଏହି ସମୟରେ ଦିଲ୍ଲୀପ କୁମାର ଡେକା, ପବ୍ଲିକ୍ ହେଲ୍ଥ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ଜଣେ ଖଲାସି ଆମକୁ ଏକ ତାଲିକା ଦେଖାନ୍ତି ଯେଉଁଥିରେ ଗାଁରେ ବିଭାଗ ଲଗାଇବାକୁ ଥିବା ଟ୍ୟୁବୱେଲର ତାଲିକା ରହିଥାଏ। ଏକ ବନ୍ୟାରୋଧୀ ପଦକ୍ଷେପ, ଗଭୀର ମାଟିରେ ନିର୍ମିତ ଟ୍ୟୁବୱେଲ୍ ଲୋକଙ୍କୁ ବନ୍ୟା ସମୟରେ ମଧ୍ୟ ପାନୀୟ ଜଳ ଉପଲବ୍ଧ କରାଇଥାଏ।
ଯେତେବେଳେ ପଚାରିଲୁ ଯେ ବିଭାଗ କାହିଁକି ବନ୍ୟା ପରେ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ କଲେ, ସେ ସିଧା ସିଧା ଉତ୍ତର ଦେଲେ, ‘‘ଆମେ କେବଳ ଉପରୁ ଆସୁଥିବା ନିର୍ଦ୍ଦେଶ ପାଳନ କରିଥାଉ।’’ ଦିଲୀପଙ୍କର ଘର ମଧ୍ୟ ଦରାଙ୍ଗ ଜିଲ୍ଲାର ବ୍ୟାସ୍ପାରା ଗ୍ରାମରେ ସେହି ଗାଁ ମଧ୍ୟ ଜଳାର୍ଣ୍ଣବ ହୋଇଥିଲା। ଜୁନ୍ ୨୨ ବେଳକୁ ଏହି ଜିଲ୍ଲାରେ ସାଧାରଣଠାରୁ ୭୯%ରୁ ଅଧିକ ବର୍ଷା ମାସ ଆରମ୍ଭରୁ ହୋଇ ସାରିଥିଲା।
‘‘ଗତକାଲି (ଜୁନ୍ ୨୨) ପ୍ରଶାସନ ପାଣି ପ୍ୟାକେଟ୍ ବିତରଣ କଲେ, କିନ୍ତୁ ଆଜି ଆମ ପାଖରେ ଟୋପାଏ ହେଲେ ପାଣି (ପିଇବା ପାଇଁ)’’ କହନ୍ତି ଜୟାମତି, ତାଙ୍କ ସ୍ୱାମୀ ଓ ବଡ଼ପୁଅ କୁକୁର କାମୁଡ଼ିବା ଯୋଗୁଁ ରାବିଜ ଇଞ୍ଜେକ୍ସନ ନେବାକୁ ବାହାରକୁ ଯାଇଥିଲେ।
ଆମେ ଯେତେବେଳେ ନଗାଓଁ ଛାଡ଼ି ଯାଉଥିଲୁ ଲଳିତଚନ୍ଦ୍ରା ଏବଂ ସୁମିତ୍ରା ତାଙ୍କର ବନ୍ୟା ବିଧ୍ୱସ୍ତ ଘରୁ ବାହାରି ଆସି ଆମକୁ ବିଦାୟ ଦେଲେ। ଏବଂ ଲଳିତଚନ୍ଦ୍ରା କହିଲେ: ‘‘ଲୋକେ ଆସନ୍ତି ଆମକୁ ରିଲିଫ୍ ପ୍ୟାକେଟ୍ ଦିଅନ୍ତି ଓ ଚାଲି ଯାଆନ୍ତି। କେହି ଆମ ପାଖରେ ବସନ୍ତି ନାହିଁ କି ଆମ ସହିତ କଥାବାର୍ତ୍ତା କରନ୍ତି ନାହିଁ।’’


ବାମ: ତଙ୍କେଶ୍ୱର ଡେକା ଭାଙ୍ଗିଥିବା ବନ୍ଧ ବିଷୟରେ ଅଧିକାରୀମାନଙ୍କର ଉଦାସୀନତା ବିଷୟରେ କହନ୍ତି। ‘ଏହି ଅଞ୍ଚଳକୁ କୁହାଯାଏ ହାତୀମରା, ଏହି ସ୍ଥାନରେ ହାତୀ ମରିଥିଲା। ଯଦି ଏହି ବନ୍ଧ ମରାମତି କରାଯାଏ ନାହିଁ, ତେବେ ଏହି ସ୍ଥାନ ବଣେଇମରା ହେବ, ଏହା ବନ୍ୟା ଦ୍ୱାରା ଧ୍ୱଂସ ହୋଇଯାଇଛି’। ଡାହାଣ: ଛେଳିମାନଙ୍କୁ ଖୁଆଇବା ପାଇଁ ବଡ଼ ବଡ଼ ଗଛର ଡାଳ ଆଣିବାକୁ ପଡ଼ୁଛି

ଦଣ୍ଡଧର ଦାସ କହନ୍ତି ଯେ ନାଗାଓଁରେ ବର୍ଷା ଓ ବନ୍ୟା ଯୋଗୁଁ ଶସ୍ୟ ହାନି କାରଣରୁ ପନିପରିବା ଦର ଆକାଶଛୁଆଁ ହେଲାଣି

ନାଗାଓଁ ଗ୍ରାମର ବନ୍ଧ ଭାଙ୍ଗି ନନୋଇ ନଦୀ ବଢ଼ିରେ ଭାଙ୍ଗି ଯାଇଥିବା ଗଛଗୁଡ଼ିକ

ବନ୍ୟା ପୂର୍ବରୁ ଏହି ଧାନ ଜମି ତଳି ପାଇଁ ପ୍ରସ୍ତୁତ ଥିଲା କିନ୍ତୁ ଏବେ ଏହା ଉପରେ ଦୁଇ ଫୁଟର କାଦୁଆ ମାଡ଼ିଯାଇଛି

ନାଗାଓଁ ଗାଁର ବନ୍ୟା ପ୍ଲାବିତ ଜମି

ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ନାଗାଓଁ ନିକଟରେ ପିପିଲା ମଉଜାରେ ଗୋଟିଏ ବନ୍ୟା ରିଲିଫ୍ ଶିବିରରେ ସାମଗ୍ରୀ ବିତରଣ କରୁଛନ୍ତି

ନଦୀବନ୍ଧର ଖଣ୍ଡିଏ ଭାଙ୍ଗି ଯାଇଥିବା ଅଂଶ ଖସଡ଼ିପିଲା ଗ୍ରାମରେ

କସଡିପିଲା ଗ୍ରାମର ବାସିନ୍ଦା ନଦୀ ଜଳ କେତେ ଉଚ୍ଚରେ ପହଞ୍ଚିଥିଲା ଦେଖାଉଛନ୍ତି

ଜୟମତି (ମଝିରେ), ତାଙ୍କ ପୁଅ ଏବଂ ବୋହୂ, ତାଙ୍କ ଭାଙ୍ଗି ଯାଇଥିବା ଘର ନିକଟରେ

ଆସାମରେ ଜୁନ୍ ୨୦୨୨ ବେଳକୁ ସାଧାରଣ ବୃଷ୍ଟିପାତ ତୁଳନାରେ ୬୨% ଅଧିକ ବର୍ଷା ହୋଇ ସାରିଥିଲା

ଡିପିଲା -ବୋରୋବାରି ସଡ଼କ ଯାହାକି ଦରାଙ୍ଗ ଜିଲ୍ଲାର ବିଭିନ୍ନ ଗ୍ରାମକୁ ସଂଯୁକ୍ତ କରୁଛି, ଏବେ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଛି
ଅନୁବାଦ: ଓଡ଼ିଶାଲାଇଭ୍