କନକ ନିଜର ଦୁଇ ହାତକୁ ପୁରାପୁରି ମେଲାଇ ଦେଇ କୁହନ୍ତି, “ମୋ ସ୍ୱାମୀ ଶନିବାର ଏହି ଆକାରରେ ତିନି ବୋତଲ ମଦ କିଣନ୍ତି’’। ସେ ହତାଶ ହୋଇ କୁହନ୍ତି, ‘‘ସେ ପରବର୍ତ୍ତୀ ଦୁଇ କିମ୍ବା ତିନି ଦିନ ମଧ୍ୟରେ ଏହାକୁ ପିଇଥାଆନ୍ତି ଏବଂ ବୋତଲଗୁଡ଼ିକ ଖାଲି ହୋଇଗଲେ କାମକୁ ଫେରିଯାଆନ୍ତି। କେତେବେଳେ ବି ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥାଏ। ମୁଁ ନିଜକୁ ଏବଂ ମୋ ପିଲାଙ୍କୁ ଖୁଆଇବାକୁ ଅସମର୍ଥ, ଏବଂ ମୋ ସ୍ୱାମୀ ପୁଣି ଏକ ସନ୍ତାନ ଚାହୁଁଛନ୍ତି । ମୁଁ ଏଭଳି ଜୀବନ ଚାହେଁ ନାହିଁ!”
କନକ (ପରିବର୍ତିତ ନାମ) ଜଣେ ୨୪ ବର୍ଷ ବୟସ୍କା ବେଟା କୁରୁମ୍ବା ଆଦିବାସୀ ମାଆ ଯିଏକି ଗୁଡାଲୁର ଆଦିବାସୀ ଡାକ୍ତରଖାନାରେ ଡାକ୍ତରଙ୍କୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି । ଉଧଗାମଣ୍ଡଲମ୍ (ଉଟି) ଠାରୁ ୫୦ କିଲୋମିଟର ଦୂରରେ ଥିବା ଗୁଡାଲୁର ସହରର ୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ତାମିଲନାଡୁର ନୀଳଗିରି ଜିଲ୍ଲାର ଗୁଡାଲୁର ଏବଂ ପନ୍ଥାଲୁର ତାଲୁକାର ୧୨,୦୦୦ରୁ ଅଧିକ ଆଦିବାସୀ ଲୋକମାନଙ୍କୁ ସେବା ଯୋଗାଇଥାଏ ।
ଏକ ଫିକା ସିନ୍ଥେଟିକ୍ ଶାଢି ପରିଧାନ କରିଥିବା ଏବଂ ପତଳା ଚେହେରାର କନକ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ପାଇଁ ଏଠାକୁ ଆସିଛନ୍ତି । ଗତ ମାସରେ ଡାକ୍ତରଖାନାଠାରୁ ୧୩ କିଲୋମିଟର ଦୂରରେ ଥିବା ତାଙ୍କ ଗାଁରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ, ହସ୍ପିଟାଲ ସହ ଜଡିତ ଥିବା ଆସୋସିଏସନ୍ ଫର୍ ହେଲଥ୍ ୱେଲଫେୟାର ଇନ୍ ନୀଳଗିରିଜ୍(ଅଶ୍ୱିନୀ)ର ଜଣେ ସ୍ୱାସ୍ଥ୍ୟ କର୍ମୀ ମାତ୍ର ୭.୨ କିଲୋଗ୍ରାମ ଓଜନର ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ (ଆଦର୍ଶ ଓଜନ ହେଉଛି ୧୦-୧୨ କିଲୋ) କନକଙ୍କ ଦୁଇ ବର୍ଷର ଶିଶୁକୁ ଦେଖି ହତବାକ୍ ହୋଇପଡିଥିଲେ । ସେହି ଓଜନ ତାକୁ ଗୁରୁତର ପୁଷ୍ଟିହୀନତା ପରିସରରେ ସାମିଲ କଲା । ସ୍ୱାସ୍ଥ୍ୟ କର୍ମୀ ଜଣକ କନକ ଏବଂ ତାଙ୍କ ଝିଅ ତୁରନ୍ତ ଡାକ୍ତରଖାନାରେ ଦେଖାଇବାକୁ ଅନୁରୋଧ କରିଥିଲେ।
କନକ ତାଙ୍କ ପରିବାରର ଆୟକୁ ଯେତେ ପର୍ଯ୍ୟନ୍ତ ଟାଣୁଛନ୍ତି ସେଥିରେ ଶିଶୁର ପୁଷ୍ଟିହୀନତା ଆଶ୍ଚର୍ଯ୍ୟଜନକ ନୁହେଁ । ୨୦ ଦଶକ ବୟସରେ ଥିବା ତାଙ୍କ ସ୍ୱାମୀ ସପ୍ତାହରେ କେବଳ କିଛି ଦିନ ନିକଟସ୍ଥ ଚା, କଫି, କଦଳୀ ଏବଂ ଗୋଲମରିଚ କ୍ଷେତରେ ଦିନମଜୁରିଆ ଭାବରେ କାର୍ଯ୍ୟ କରି ଦିନକୁ ପ୍ରାୟ ୩୦୦ ଟଙ୍କା ରୋଜଗାର କରନ୍ତି। କନକ କୁହନ୍ତି, "ସେ ମୋତେ ଖାଦ୍ୟ ପାଇଁ ମାସକୁ ମାତ୍ର ଟ. ୫୦୦ ଦିଅନ୍ତି। ସେହି ଅର୍ଥରେ ମୋତେ ପୁରା ପରିବାର ପାଇଁ ରାନ୍ଧିବାକୁ ହୋଇଥାଏ ।’’
କନକ ଏବଂ ତାଙ୍କ ସ୍ୱାମୀ ୫୦ ବର୍ଷ ବୟସର ତାଙ୍କ ମାମୁଁ ଏବଂ ମାଇଁଙ୍କ ସହିତ ରୁହନ୍ତି, ଯେଉଁମାନେ କି ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ମିଳିତ ଭାବେ ପରିବାରର ଦୁଇଟି ରାସନ କାର୍ଡ ଅଛି, ଯାହା ସେମାନଙ୍କୁ ପ୍ରତି ମାସରେ ୭୦ କିଲୋଗ୍ରାମ ମାଗଣା ଚାଉଳ, ଦୁଇ କିଲୋ ଡାଲି, ଦୁଇ କିଲୋ ଚିନି ଏବଂ ଦୁଇ ଲିଟର ତେଲ ରିହାତି ମୂଲ୍ୟରେ ପାଇବାର ହକଦାର କରିଥାଏ । କନକ କୁହନ୍ତି, “ବେଳେବେଳେ ମୋ ସ୍ୱାମୀ ମଦ କିଣିବା ପାଇଁ ଆମର ରାସନ ଚାଉଳ ମଧ୍ୟ ବିକ୍ରି କରି ଦିଅନ୍ତି । ବେଳେ ବେଳେ ଆମ ପାଇଁ କିଛି ଖାଇବାକୁ ନଥାଏ। ”ରାଜ୍ୟର ପୁଷ୍ଟି କାର୍ଯ୍ୟକ୍ରମ କନକ ଏବଂ ତାଙ୍କ ସନ୍ତାନର ସର୍ବନିମ୍ନ ଖାଦ୍ୟ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ହେବା ପରି ମନେ ହେଉନାହିଁ । ଗୁଡାଲୁରରେ ତାଙ୍କ ପଡ଼ା ନିକଟସ୍ଥ ସମନ୍ଵିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍)ବାଲ୍ବାଡ଼ି ଠାରେ କନକ ଏବଂ ଅନ୍ୟ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆମାନେ ସପ୍ତାହରେ ଗୋଟିଏ ଅଣ୍ଡା ଏବଂ ଦୁଇ କିଲୋ ପ୍ୟାକେଟ୍ ଶୁଖିଲା ସଥୁମାଭୁ (ଗହମ, ମୁଗ, ବାଦାମ, ବୁଟ ଏବଂ ସୋୟା ଗୁଣ୍ଡ) ପ୍ରତି ମାସରେ ପାଇଥାଆନ୍ତି । ତିନି ବର୍ଷରୁ କମ୍ ବୟସ୍କ ପିଲାମାନେ ମଧ୍ୟ ସେହି ସଥୁମାଭୁ ପ୍ୟାକେଟ ମାସକୁ ଗୋଟିଏ ପାଆନ୍ତି । ତିନି ବର୍ଷ ବୟସ ପରେ ପିଲାମାନେ ଆଇସିଡିଏସ୍ କେନ୍ଦ୍ରକୁ ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ, ଏବଂ ସନ୍ଧ୍ୟାରେ କିଛି ଚିନାବାଦାମ ଏବଂ ଗୁଡ଼ ଖାଇବା ପାଇଁ ଯିବେ ବୋଲି ଆଶା କରାଯାଏ । ପ୍ରତିଦିନ ଅତ୍ୟଧିକ ପୁଷ୍ଟିହୀନ ପିଲାମାନଙ୍କୁ ଅତିରିକ୍ତ ଚିନାବାଦାମ ଏବଂ ଗୁଡ଼ ଦିଆଯାଏ ।
ଜୁଲାଇ ୨୦୧୯ ଠାରୁ, ସରକାର ନୂତନ ଭାବେ ମାଆ ହୋଇଥିବା ମହିଳାମାନଙ୍କୁ ଆମ୍ମା ଉତଚାଦୁ ପେଟାଗମ ପୁଷ୍ଟି କିଟ୍ ପ୍ରଦାନ କରିବା ଆରମ୍ଭ କରିଛନ୍ତି, ଯେଉଁଥିରେ ଆୟୁର୍ବେଦୀୟ ପୋଷକ, ୨୫୦ ଗ୍ରାମ ଘିଅ ଏବଂ ୨୦୦ ଗ୍ରାମ ପ୍ରୋଟିନ୍ ପାଉଡର ରହିଛି । କିନ୍ତୁ ଅଶ୍ୱିନୀରେ କାର୍ଯ୍ୟ କରୁଥବା ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ ଜିଜି ଏଲମାନା, ୩୨ କୁହନ୍ତି, “ପ୍ୟାକେଟ୍ କେବଳ ସେମାନଙ୍କ ଘର ଥାକରେ ରହୁଛି। ବାସ୍ତବତା ହେଉଛି ଯେ ଆଦିବାସୀ ଲୋକମାନେ ସେମାନଙ୍କର ଖାଦ୍ୟରେ କ୍ଷୀର ଏବଂ ଘିଅ ବ୍ୟବହାର କରନ୍ତି ନାହିଁ, ତେଣୁ ସେମାନେ ଘିଅକୁ ସ୍ପର୍ଶ କରନ୍ତି ନାହିଁ । ଏଥିସହ ସେମାନେ ପ୍ରୋଟିନ୍ ପାଉଡର ଏବଂ ସବୁଜ ଆୟୁର୍ବେଦିକ ପାଉଡରକୁ କିପରି ବ୍ୟବହାର କରିବେ ତାହା ଜାଣନ୍ତି ନାହିଁ, ତେଣୁ ସେମାନେ ଏହାକୁ ଅଲଗା ରଖନ୍ତି। ”
ଗୋଟିଏ ସମୟ ଥିଲା ଯେତେବେଳେ ନୀଳଗିରିର ଆଦିବାସୀ ସମ୍ପ୍ରଦାୟ ସହଜରେ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରୁଥଲେ । ଚାରି ଦଶନ୍ଧି ଧରି ଗୁଡାଲୁରର ଆଦିବାସୀ ସଂପ୍ରଦାୟ ସହିତ କାମ କରୁଥିବା ମାରି ମାର୍ସେଲ ଥାକେକାରା କୁହନ୍ତି, ‘‘ଆଦିବାସୀମାନଙ୍କର ସେମାନେ ସଂଗ୍ରହ କରୁଥବା କନ୍ଦ, କୋଳି, ସବୁଜ ପତ୍ରଯୁକ୍ତ ଖାଦ୍ୟ ଏବଂ ଛତୁ ବାବଦରେ ଅଧିକ ଜ୍ଞାନ ଥିଲା । “ସେମାନେ ବର୍ଷସାରା ଖାଦ୍ୟ ପାଇଁ ମାଛ ଧରୁଥିଲେ ଏବଂ ଛୋଟ ପଶୁମାନଙ୍କୁ ମଧ୍ୟ ଶିକାର କରୁଥିଲେ। ଅଧିକାଂଶ ଘରେ ବର୍ଷା ଦିନ ପାଇଁ ରୋଷେଇ ଚୁଲ୍ଲା ଉପରେ କିଛି ମାଂସ ଶୁଖାଯାଉଥିଲା । କିନ୍ତୁ ପରେ ଜଙ୍ଗଲ ବିଭାଗ ଦ୍ୱାରା ସେମାନଙ୍କ ପ୍ରବେଶକୁ ସୀମିତ କରାଗଲା ଏବଂ ଶେଷରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା। ”
ଜଙ୍ଗଲ ଅଧିକାର ଅଧିନିୟମ,୨୦୦୬ ଅଧିନରେ ସାଧାରଣ ସମ୍ପତ୍ତି ଉତ୍ସ ଉପରେ ସାମୁହିକ ଅଧିକାରର ପୁନରୁଦ୍ଧାର ସତ୍ତ୍ୱେ ଆଦିବାସୀମାନେ ପୂର୍ବପରି ଜଙ୍ଗଲରୁ ସଂଗୃହିତ ଉତ୍ସ ସହିତ ସେମାନଙ୍କର ଖାଦ୍ୟ ପରିପୂରଣ କରିବାରେ ସକ୍ଷମ ନୁହଁନ୍ତି ।
ଏଠାରେ ଥିବା ଗ୍ରାମରେ ଆୟ ହ୍ରାସ ପାଇବା ପୁଷ୍ଟିହୀନତା ପାଇଁ ମଧ୍ୟ ସହାୟକ ହେଉଛି । ଆଦିବାସୀ ମୁନ୍ନେଟ୍ରା ସଙ୍ଗମର ସଚିବ କେ.ଟି ସୁବ୍ରମଣ୍ୟନ୍ କହିଛନ୍ତି ଯେ ଗତ ୧୫ ବର୍ଷ ମଧ୍ୟରେ ଆଦିବାସୀମାନଙ୍କ ପାଇଁ ମଜୁରୀ ଶ୍ରମ ବିକଳ୍ପ କ୍ରମାଗତ ଭାବେ ହ୍ରାସ ପାଇଛି କାରଣ ଏଠାର ଜଙ୍ଗଲ ସଂରକ୍ଷିତ ମୁଦୁମଲାଇ ବନ୍ୟଜନ୍ତୁ ଅଭୟାରଣ୍ୟରେ ପରିଣତ ହୋଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ଛୋଟ ତୋଟା ଏବଂ ଇଷ୍ଟେଟ୍ - ଯେଉଁଠାରେ ଅଧିକାଂଶ ଆଦିବାସୀ କାମ ପାଉଥିଲେ - ବିକ୍ରୟ କିମ୍ବା ସ୍ଥାନାନ୍ତରିତ ହୋଇଗଲା, ଯାହା ସେମାନଙ୍କୁ ବଡ଼ ଚା ଇଷ୍ଟେଟ୍ କିମ୍ବା ଚାଷଜମିରେ ମଝିରେ ମଝିରେ କାମ ଖୋଜିବାକୁ ବାଧ୍ୟ କଲା ।କନକ ଅପେକ୍ଷା କରିଥିବା ସେହି ଗୁଦାଲୁର ଆଦିବାସୀ ଡାକ୍ତରଖାନାରେ, ୨୬ ବର୍ଷ ବୟସ୍କା ସୁମା (ପରିବର୍ତ୍ତିତ ନାମ) ଏକ ୱାର୍ଡରେ ବିଶ୍ରାମ ନେଉଛନ୍ତି । ସେ ନିକଟସ୍ଥ ପନ୍ଥାଲୁର ତାଲୁକାର ଜଣେ ପାନିୟାନ୍ ଆଦିବାସୀ ଏବଂ ନିକଟରେ ତାଙ୍କର ତୃତୀୟ ସନ୍ତାନ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି । ତାଙ୍କର ଅନ୍ୟ ଦୁଇ ସନ୍ତାନ ମଧ୍ୟ ଝିଅ, ସେମାନେ ଦୁଇ ଏବଂ ୧୧ ବର୍ଷ ବୟସ । ସୁମା ଏହି ଡାକ୍ତରଖାନାରେ ପ୍ରସବ କରିନାହାଁନ୍ତି, କିନ୍ତୁ ପ୍ରସବ ପରବର୍ତ୍ତୀ ଯତ୍ନ ଏବଂ ଏକ ବନ୍ଧ୍ୟାକରଣ ପଦ୍ଧତି ପାଇଁ ଆସିଛନ୍ତି ।
ସେ ତାଙ୍କ ପଡ଼ାରୁ ଜିପ୍ରେ ଅଧଘଣ୍ଟାରେ ଆସିବାକୁ ସୂଚିତ କରି କହିଛନ୍ତି, “ମୋର କିଛି ଦିନ ଅଧିକ ହୋଇଯାଇଥିଲା, କିନ୍ତୁ ପ୍ରସବ ପାଇଁ ଏଠାକୁ ଆସିବାକୁ ଆମ ପାଖରେ ଟଙ୍କା ନଥିଲା।’’ “ଗୀତା ଚେଚି [ଅଶ୍ୱିନୀର ସ୍ୱାସ୍ଥ୍ୟ କର୍ମୀ] ଆମକୁ ଯିବାଆସିବା ଏବଂ ଖାଦ୍ୟ ପାଇଁ ୫୦୦ ଟଙ୍କା ଦେଇଥିଲେ, କିନ୍ତୁ ମୋ ସ୍ୱାମୀ ଏହାକୁ ମଦରେ ଖର୍ଚ୍ଚ କରିଥିଲେ। ତେଣୁ ମୁଁ ଘରେ ରହିଲି । ତିନି ଦିନ ପରେ ମୋର ଯନ୍ତ୍ରଣା ଆହୁରି ବଢ଼ିଗଲା ଏବଂ ଆମକୁ ଆସିବାକୁ ପଡିଲା, କିନ୍ତୁ ଡାକ୍ତରଖାନା ନେବାକୁ ସମୟ ନଥିଲା ତେଣୁ ମୁଁ ମୋ ଘର ନିକଟସ୍ଥ ପିଏଚ୍ସିରେ ପ୍ରସବ କଲି। ” ପରଦିନ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସ ୧୦୮ (ଆମ୍ବୁଲାନ୍ସ ସେବା) କୁ ଡାକିଲେ ଏବଂ ସୁମା ଏବଂ ପରିବାର ଶେଷରେ ଜିଏଏଚ୍କୁ ଯାଇଥିଲେ।
ଚାରି ବର୍ଷ ପୂର୍ବେ, ଅନ୍ତଃଗର୍ଭାଶୟ ଅଭିବୃଦ୍ଧି ଅବରୋଧ (ଆଇୟୁଜିଆର୍) ହେତୁ ସପ୍ତମ ମାସରେ ସୁମାଙ୍କର ଗର୍ଭପାତ ହୋଇଥିଲା, ଏହା ଏକ ଅବସ୍ଥା ଯେଉଁଥିରେ ଭ୍ରୁଣ ଗର୍ଭାବସ୍ଥା ବୟସ ଅପେକ୍ଷା ଛୋଟ ଥିଲା କିମ୍ବା କମ୍ ବିକଶିତ ହୋଇଥିଲା । ଏହି ଅବସ୍ଥା ପ୍ରାୟତଃ ମା’ର ଖରାପ ପୋଷଣ ସ୍ଥିତି, ରକ୍ତହୀନତା ଏବଂ ଫୋଲେଟ୍ ଅଭାବର ପରିଣାମ । ସୁମାଙ୍କ ପରବର୍ତ୍ତୀ ଗର୍ଭଧାରଣ ମଧ୍ୟ ଆଇୟୁଜିଆର୍ ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ତାଙ୍କର ଦ୍ୱିତୀୟ ସନ୍ତାନ, ଝିଅଟିଏ, ଅତ୍ୟନ୍ତ କମ୍ ଓଜନରେ ଜନ୍ମ ହୋଇଥିଲା (ଏକ ଆଦର୍ଶ ଜନ୍ମ ଓଜନ ୨ କିଲୋ ବିପକ୍ଷରେ ୧.୩ କିଲୋଗ୍ରାମରେ) । ଶିଶୁର ଓଜନ ଗ୍ରାଫ୍ ସର୍ବନିମ୍ନ ପ୍ରତିଶତ ରେଖା ତଳେ, ଯାହାକି ସାରଣୀରେ ‘ଗୁରୁତର ପୁଷ୍ଟିହୀନତା’ ଭାବରେ ଚିହ୍ନିତ।
ଜିଏଏଚ୍ର ପରିବାର ଔଷଧ ବିଶେଷଜ୍ଞ ଡକ୍ଟର ମୃଦୁଳା ରାଓ,୪୩ ଦର୍ଶାଇଛନ୍ତି ଯେ, “ଯଦି ମା’ର ପୁଷ୍ଟିହୀନତା ଥାଏ, ତେବେ ଶିଶୁ ପୁଷ୍ଟିହୀନ ହୁଏ । “ସୁମାଙ୍କ ଶିଶୁ ତା’ ମା’ର ଖରାପ ଖାଦ୍ୟର ପ୍ରଭାବ ବହନ କରିବାର ସମ୍ଭାବନା ଅଛି; ତା’ର ଶାରୀରିକ, ବୌଦ୍ଧିକ ଏବଂ ସ୍ନାୟବିକ ଅଭିବୃଦ୍ଧି ତାଙ୍କ ବୟସର ଅନ୍ୟ ପିଲାମାନଙ୍କ ତୁଳନାରେ ଧୀମା ହେବ। ”
ସୁମାଙ୍କର ରୋଗୀ ରେକର୍ଡରୁ ଜଣାପଡିଛି ଯେ ତୃତୀୟ ଗର୍ଭଧାରଣ ସମୟରେ ତାଙ୍କ ଓଜନ ମାତ୍ର ପାଞ୍ଚ କିଲୋଗ୍ରାମ ବଢ଼ିଥିଲା । ଏହା ସାଧାରଣ ଓଜନ ବିଶିଷ୍ଟ ଗର୍ଭବତୀ ମହିଳାଙ୍କ ପାଇଁ ଧାର୍ଯ୍ୟ ଓଜନର ଅର୍ଦ୍ଧେକରୁ କମ୍ ଏବଂ ସୁମାଙ୍କ ପରି କମ୍ ଓଜନ ବିଶିଷ୍ଟ ମହିଳାଙ୍କ ପାଇଁ ଅଧାରୁ କମ୍ - ନଅ ମାସରେ ସେ ମାତ୍ର ୩୫ କିଲୋ ଓଜନ ଥିବା ମପା ଯାଇଥିଲା ।
ଜଙ୍ଗଲ ଅଧିକାର ଅଧିନିୟମ,୨୦୦୬ ଅଧିନରେ ସାଧାରଣ ସମ୍ପତ୍ତି ଉତ୍ସ ଉପରେ ସାମୁହିକ ଅଧିକାରର ପୁନରୁଦ୍ଧାର ସତ୍ତ୍ୱେ ଆଦିବାସୀମାନେ ପୂର୍ବପରି ଜଙ୍ଗଲରୁ ସଂଗୃହିତ ଉତ୍ସ ସହିତ ସେମାନଙ୍କର ଖାଦ୍ୟ ପରିପୂରଣ କରିବାରେ ସକ୍ଷମ ନୁହଁନ୍ତି
ଜିଏଏଚ୍ର ସ୍ୱାସ୍ଥ୍ୟ ଆନିମେଟର (ଆଉଟ୍ ରିଚ୍ କର୍ମୀ) ୪୦ ବର୍ଷର ଗୀତା କନ୍ନନ୍ ମନେ ପକାଇ କହିଛନ୍ତି, “ମୁଁ ସପ୍ତାହରେ ଅନେକ ଥର ଗର୍ଭବତୀ ମା’ ଏବଂ ଶିଶୁକୁ ଯାଞ୍ଚ କରିବାକୁ ଯାଇଥିଲି। । “ମୁଁ ଶିଶୁଟିକୁ କେବଳ ଚଡ଼ି ପିନ୍ଧି ଚୁପ୍ଚାପ୍ ତା’ ଜେଜେମା’ଙ୍କ କୋଳରେ ବସିଥିବା ଦେଖୁଥିଲି । ଘରେ କୌଣସି ଖାଦ୍ୟ ରନ୍ଧା ହେଉନଥିଲା ଏବଂ ପିଲାକୁ ପଡୋଶୀମାନେ ଖାଇବାକୁ ଦେଉଥିଲେ। ଦୁର୍ବଳ ଦେଖାଯାଉଥିବା ସୁମା ଶୋଇଥିବେ । ମୁଁ ସୁମାଙ୍କୁ ଆମର ଅଶ୍ୱିନୀ ସାଥୁମାଭୁ (ରାଗି ଏବଂ ଡାଲିର ଏକ ଗୁଣ୍ଡ) ଦେଉଥିଲି ଏବଂ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ଏବଂ ସେ ସ୍ତନ୍ୟପାନ କରାଉଥିବା ପିଲା ପାଇଁ ଭଲ ଖାଇବାକୁ କହୁଥିଲି । କିନ୍ତୁ ସୁମା କହିଲେ ଯେ ତାଙ୍କ ସ୍ୱାମୀ ଏ ଯାଏଁ ଦିନ ମଜୁରିଆ ଭାବରେ କରୁଥିବା ତାଙ୍କର ଅଧିକାଂଶ ଆୟ ମଦରେ ହିଁ ଖର୍ଚ୍ଚ କରୁଛନ୍ତି।’’ ଗୀତା ଅଟକି ଗଲେ ଏବଂ ଏହାପରେ କହିଲେ, “ସୁମା ମଧ୍ୟ ପିଇବା ଆରମ୍ଭ କରିଦେଇଥିଲେ।”
ଯଦିଓ ଗୁଦାଲୁରରେ ଅନେକ ପରିବାରର ଏଇ ସମାନ କାହାଣୀ କହିବା ପାଇଁ ଅଛି, ଏହି ବ୍ଲକର ସ୍ୱାସ୍ଥ୍ୟ ସୂଚକାଙ୍କରେ ନିୟମିତ ଉପଲବ୍ଧି ହୋଇଥିବା ଜଣାପଡିଛି । ଡାକ୍ତରଖାନାର ରେକର୍ଡରୁ ଜଣାପଡିଛି ଯେ ୧୯୯୯ ରେ ଥିବା ୧୦.୭ (୧୦୦,୦୦୦ ଜୀବନ୍ତ ଜନ୍ମ ପ୍ରତି) ମାତୃ ମୃତ୍ୟୁ ହାର (ଏମ୍ଏମ୍ଆର୍) ୨୦୧୮-୧୯ ସୁଦ୍ଧା ୩.୨ କୁ ହ୍ରାସ ପାଇଛି ଏବଂ ଏହି ଅବଧିରେ ଶିଶୁ ମୃତ୍ୟୁହାର (ଆଇଏମ୍ଆର୍) ୪୮ ରୁ (୧୦୦୦ ଜୀବନ୍ତ ଜନ୍ମ ପ୍ରତି) ୨୦ କୁ ହ୍ରାସ ପାଇଛି । ବାସ୍ତବରେ, ରାଜ୍ୟ ଯୋଜନା ଆୟୋଗର ଜିଲ୍ଲା ମାନବ ବିକାଶ ରିପୋର୍ଟ ୨୦୧୭ ( ଡିଏଚ୍ଡିଆର୍ ୨୦୧୭ ) ନୀଳଗିରି ଜିଲ୍ଲାର ଆଇଏମ୍ଆର୍ ୧୦.୭ ରେ ରେକର୍ଡ କରିଛି, ଯାହା ରାଜ୍ୟର ହାରାହାରି ୨୧ ଠାରୁ କମ୍, ଗୁଦାଲୁର ତାଲୁକାରେ ଏହା ଆହୁରି କମ୍ ୪.୦ ଥିବା ରେକର୍ଡ କରାଯାଇଛି ।
ଏହିପରି ସୂଚକାଙ୍କ ଯଦିଓ ପୁରା କାହାଣୀ କହିବ ନାହିଁ ବୋଲି ଡକ୍ଟର ପି ଶିଲାଜା ଦେବୀ ବ୍ୟାଖ୍ୟା କରିଛନ୍ତି, ଯିଏକି ଗତ ୩୦ ବର୍ଷ ଧରି ଗୁଦାଲୁରରେ ଆଦିବାସୀ ମହିଳାଙ୍କ ସହ କାମ କରିଛନ୍ତି। ସେ କୁହନ୍ତି, "ଏମ୍ଏମ୍ଆର୍ ଏବଂ ଆଇଏମ୍ଆର୍ ପରି ମୃତ୍ୟୁହାର ସୂଚକାଙ୍କ ନିଶ୍ଚୟ ଉନ୍ନତ ହୋଇଛି, କିନ୍ତୁ ବଢ଼ିଛି। ଆମକୁ ମୃତ୍ୟୁହାର ଏବଂ ରୁଗ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ପଡିବ। ଏକ ପୁଷ୍ଟିହୀନ ମା’ ଏକ ପୁଷ୍ଟିହୀନ ଶିଶୁକୁ ଜନ୍ମ ଦେବ ଯିଏ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ । ଏମିତି ଏକ ତିନି ବର୍ଷର ଶିଶୁ ଶୀଘ୍ର ଅତିସାର ଭଳି ଜିନିଷରେ ମୃତ୍ୟୁବରଣ କରିପାରେ ଏବଂ ତାଙ୍କର ବୌଦ୍ଧିକ ଅଭିବୃଦ୍ଧି ଧିମା ହୁଏ ।ଏହା ଆଦିବାସୀଙ୍କ ପରବର୍ତ୍ତୀ ପିଢ଼ି ହେବ।”
ଏତଦ୍ ବ୍ୟତୀତ, ଏହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ମଦ୍ୟାସକ୍ତିର ବୃଦ୍ଧି ଦ୍ୱାରା ନିୟମିତ ରୁଗ୍ଣତା ସୂଚକାଙ୍କକୁ ମଧ୍ୟ ପଛକୁ ପକାଇ ଦେଉଛି ଏବଂ ଏହା ମୃତ୍ୟୁ ଆଦିବାସୀ ଜନସଂଖ୍ୟା ମଧ୍ୟରେ ଉଚ୍ଚସ୍ତରର ପୁଷ୍ଟିହୀନତାକୁ ଘୋଡାଇ ଦେଇପାରେ । (ଜିଏଏଚ୍ ମଦ୍ୟାସକ୍ତି ଏବଂ କୁପୋଷଣ ମଧ୍ୟରେ ସମ୍ପର୍କ ଉପରେ ଏକ ଅଧ୍ୟୟନ ଏକତ୍ର କରୁଛି ଯାହା ଏପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ଉପଲବ୍ଧ ନୁହେଁ।) ଯେପରି ଭାବରେ ଡିଏଚ୍ଡିଆର୍ ୨୦୧୭ ରିପୋର୍ଟରେ ଦର୍ଶାଯାଇଛି, “ମୃତ୍ୟୁହାର ନିୟନ୍ତ୍ରଣ ହେଲେ ମଧ୍ୟ ପୁଷ୍ଟିର ସ୍ଥିତିରେ ଉନ୍ନତି ହୋଇ ନପାରେ ।’’
ଡାକ୍ତର ଶିଲାଜା କୁହନ୍ତି, “ଯେତେବେଳେ ଆମେ ମୃତ୍ୟୁର ଅନ୍ୟାନ୍ୟ କାରଣ ଯେମିତିକି ହଇଜା ଏବଂ ଅମାଶୟକୁ ନିୟନ୍ତ୍ରଣ କରୁଥିଲୁ, ଏବଂ ସମସ୍ତ ପ୍ରସବକୁ ଅନୁଷ୍ଠାନିକ କରୁଛୁ, ଏହି ସମୂହରେ ମଦ୍ୟପାନ ଏ ସବୁକୁ ନଷ୍ଟ କରିବାକୁ ଲାଗିଲା । ଆମେ ଉପ-ସାହାରା ସ୍ତରର ପୁଷ୍ଟିହୀନତା ଏବଂ କମ୍ ବୟସର ମା’ ଏବଂ ସେମାନଙ୍କ ପିଲାମାନଙ୍କ ମଧ୍ୟରେ କୁପୋଷଣ ଏବଂ ଅବାଞ୍ଛିତ ପୁଷ୍ଟି ସ୍ଥିତି ଦେଖୁଛୁ ।’’ ଏହି ୬୦ ବର୍ଷ ବୟସ୍କା ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଜାନୁୟାରୀ ୨୦୨୦ ରେ ଜିଏଏଚ୍ ରୁ ଔପଚାରିକ ଭାବରେ ଅବସର ନେଇଛନ୍ତି, ତଥାପି ସେ ପ୍ରତିଦିନ ସକାଳେ ରୋଗୀଙ୍କୁ ଭେଟିବା ଏବଂ ତାଙ୍କ ସହକର୍ମୀଙ୍କ ସହ ମାମଲା ଆଲୋଚନା କରିବାରେ ଡାକ୍ତରଖାନାରେ ବିତାଉଛନ୍ତି । ସେ ଲକ୍ଷ୍ୟକରନ୍ତି “ଦଶ ବର୍ଷ ପୂର୍ବେ [୨୦୧୧-୧୨] ମଧ୍ୟମ ପୁଷ୍ଟିହୀନତା ୨୯ ପ୍ରତିଶତ ଏବଂ ଗୁରୁତର ପୁଷ୍ଟିହୀନତା ୬ ପ୍ରତିଶତ ଥିଲା କିନ୍ତୁ ୫୦ ପ୍ରତିଶତ ପିଲା ବର୍ତ୍ତମାନ ମଧ୍ୟମ କିମ୍ବା ଗୁରୁତର ପୁଷ୍ଟିହୀନ ଅଟନ୍ତି। ତେଣୁ ଏହା ଅତ୍ୟନ୍ତ ବିବ୍ରତକର ଧାରା। ”ପୁଷ୍ଟିହୀନତାର ସ୍ପଷ୍ଟ ପ୍ରଭାବ ବିଷୟରେ ବର୍ଣ୍ଣନା କରି ଡକ୍ଟର ରାଓ ଆହୁରି ମଧ୍ୟ କହିଛନ୍ତି, “ପୂର୍ବରୁ ଯେତେବେଳେ ମାଆମାନେ ଚେକ-ଅପ୍ ପାଇଁ ବର୍ହିରୋଗୀ ବିଭାଗକୁ ଆସୁଥିଲେ, ସେମାନେ ସେମାନଙ୍କ ପିଲାମାନଙ୍କ ସହିତ ଖେଳୁଥିଲେ । ଏବେ ସେମାନେ ଉଦାସ ଚେହେରା ନେଇ ବସୁଛନ୍ତି ଏବଂ ପିଲାମାନେ ମଧ୍ୟ ଅତି ନିସ୍ତେଜ ଦେଖାଯାଉଛନ୍ତି । ଏହି ଉଦାସୀନତା ସେମାନଙ୍କର ପିଲାମାନଙ୍କ ପ୍ରତି ଯତ୍ନର ଅଭାବ ଏବଂ ସେମାନଙ୍କର ପୋଷଣ ସ୍ୱାସ୍ଥ୍ୟ ପ୍ରତିପାଦିତ କରୁଛି ।”
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ ( ଏନ୍ଏଫ୍ଏଚ୍ଏସ୍-୪ ,୨୦୧୫-୨୦୧୬) ଦର୍ଶାଉଛି ଯେ ନୀଳଗିରିର ଗ୍ରାମାଞ୍ଚଳରେ ୬ ରୁ ୨୩ ମାସ ବୟସ ମଧ୍ୟରେ ୬୩% ପିଲା ପର୍ଯ୍ୟାପ୍ତ ଖାଦ୍ୟ ଗ୍ରହଣ କରୁନଥିବାବେଳେ ୬ ମାସରୁ ୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୫୦.୪% ରକ୍ତହୀନ ଅଟନ୍ତି (ଡିସିଲିଟର ପିଛା ହିମୋଗ୍ଲୋବିନ୍ ପ୍ରତି ୧୧ ଗ୍ରାମରୁ କମ୍- ପରାମର୍ଶଦାୟକ ସର୍ବନିମ୍ନ ହେଉଛି ୧୨) । ଗ୍ରାମାଞ୍ଚଳର ପ୍ରାୟ ଅର୍ଦ୍ଧେକ ମା’ (୪୫.୫ ପ୍ରତିଶତ) ରକ୍ତହୀନ, ଏହା ସେମାନଙ୍କ ଗର୍ଭଧାରଣ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
“ଆମ ପାଖରେ ଏପର୍ଯ୍ୟନ୍ତ ଏମିତି ଆଦିବାସୀ ମହିଳା ଅଛନ୍ତି, ଯେଉଁମାନଙ୍କ ଠାରେ ପ୍ରାୟତଃ ଆଦୌ ରକ୍ତ ନଥାଏ - ଡେସିଲିଟର ହେମୋଗ୍ଲୋବିନ ପିଛା ୨ଗ୍ରାମ ! ଯେତେବେଳେ ଆପଣ ରକ୍ତହୀନତା ଯାଞ୍ଚ କରୁଛନ୍ତି ସେତେବେଳେ ଆପଣ ହାଇଡ୍ରୋକ୍ଲୋରିକ୍ ଏସିଡ୍ ରଖି ରକ୍ତ ଢାଳିବେ, ତେଣୁ ଏହା ସର୍ବନିମ୍ନ ଡେସିଲିଟର ପିଛା ୨ଗ୍ରାମ ଚିହ୍ନଟ କରିପାରେ । ଏହା ଆହୁରି କମ୍ ହୋଇପାରେ, କିନ୍ତୁ ଆମେ ତାହା ମାପ କରିପାରିବୁ ନାହିଁ ’’ ଏହା କୁହନ୍ତି ଡାକ୍ତର ଶିଲାଜା ।
ରକ୍ତହୀନତା ଏବଂ ମାତୃ ମୃତ୍ୟୁ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ଅଛି । ଜିଏଏଚ୍ ର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଶେଷଜ୍ଞ ଡକ୍ଟର ନମ୍ରିତା ମେରି ଜର୍ଜ, ୩୧ କହିଛନ୍ତି ଯେ “ରକ୍ତହୀନତା ଦ୍ୱାରା ପ୍ରସୂତି ରକ୍ତସ୍ରାବ, ହୃଦ୍ଘାତ ଏବଂ ମୃତ୍ୟୁ ହୋଇପାରେ’’। “ଏହା ମଧ୍ୟ ଶିଶୁର ଅନ୍ତଃଗର୍ଭାଶୟ ଅଭିବୃଦ୍ଧି ଉପରେ ପ୍ରତିବନ୍ଧକ ସୃଷ୍ଟି କରେ ଏବଂ କମ୍ ଓଜନ ହେତୁ ନବଜାତକ ମୃତ୍ୟୁ ଘଟାଏ । ଶିଶୁର ଅଭିବୃଦ୍ଧି ବିଫଳ ହୁଏ ଏବଂ ଦୀର୍ଘସ୍ଥାୟୀ ପୁଷ୍ଟିହୀନତା ହୋଇଯାଏ। ”
କମ୍ ବୟସରେ ବିବାହ ଏବଂ ଶୀଘ୍ର ଗର୍ଭଧାରଣ ଶିଶୁର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଏନ୍ଏଫ୍ଏଚ୍ସି-୪ ଦର୍ଶାଏ ଯେ ନୀଳଗିରିର ଗ୍ରାମାଞ୍ଚଳର ମାତ୍ର ୨୧ ପ୍ରତିଶତ ବାଳିକା ୧୮ ବର୍ଷ ବୟସ ପୂର୍ବରୁ ବିବାହ କରନ୍ତି, କିନ୍ତୁ ଏଠାରେ ସ୍ୱାସ୍ଥ୍ୟ କର୍ମୀମାନେ ଯୁକ୍ତି ବାଢ଼ନ୍ତି ଯେ ସେମାନେ କାର୍ଯ୍ୟ କରୁଥିବା ଅଞ୍ଚଳର ଅଧିକାଂଶ ଆଦିବାସୀ ଝିଅମାନେ ୧୫ ବର୍ଷ ବୟସ ସୁଦ୍ଧା କିମ୍ବା ପ୍ରଥମ ଋତୁସ୍ରାବର ତୁରନ୍ତ ପରେ ବିବାହ କରନ୍ତି। ଡାକ୍ତର ଶିଲାଜା ସ୍ୱୀକାର କରନ୍ତି,‘‘ ଆମେ ଉଭୟ ବିବାହ ବିଳମ୍ବ କରିବା ଏବଂ ପ୍ରଥମ ସନ୍ତାନ ପାଇଁ ବିଳମ୍ବ କରିବା ବିଷୟରେ ଅଧିକ କିଛି କରିବା ଆବଶ୍ୟକ । ଯେତେବେଳେ ଝିଅମାନେ ପୂର୍ଣ୍ଣ ବୟସ୍କ ହେବା ପାଇଁ ସୁଯୋଗ ପାଇବା ପୂର୍ବରୁ, ୧୫ କିମ୍ବା ୧୬ ବର୍ଷ ବୟସରେ ଗର୍ଭବତୀ ହୁଅନ୍ତି, ସେମାନଙ୍କର ଖରାପ ପୋଷଣ ସ୍ଥିତି ନବଜାତ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ।”ଉଭୟ ରୋଗୀ ଏବଂ ସହକର୍ମୀଙ୍କ ଦ୍ୱାରା ଶିଲା ଚେଚି (‘ବଡ ଭଉଣୀ’) ଭାବରେ ଜଣାଶୁଣା ତାଙ୍କର ଆଦିବାସୀ ମହିଳାଙ୍କ ସମସ୍ୟା ବିଷୟରେ ପ୍ରାୟ ଏକ ଅଗାଧ ଜ୍ଞାନ ରହିଛି । ସେ ଦର୍ଶାନ୍ତି, “ପାରିବାରିକ ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ସହିତ ଜଡିତ, ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପୁଷ୍ଟିକର ଖାଦ୍ୟ ଅଭାବରୁ ଦ୍ୱିଗୁଣ ବିପଦରେ ଥାଆନ୍ତି । ମଜୁରୀ ବୃଦ୍ଧି ପାଇଛି, କିନ୍ତୁ ଟଙ୍କା ପରିବାର ପାଖରେ ପହଞ୍ଚୁନାହିଁ ’’ । “ଆମେ ଏମିତି ମାମଲା ଜାଣୁ ଯେଉଁଠି ପୁରୁଷମାନେ ସେମାନଙ୍କର ୩୫ କିଲୋଗ୍ରାମ ରାସନ ଚାଉଳ ସଂଗ୍ରହ କରି ମଦ କିଣିବା ପାଇଁ ପରବର୍ତ୍ତୀ ଦୋକାନରେ ବିକ୍ରି କରନ୍ତି। ସେମାନଙ୍କ ପିଲାମାନଙ୍କଠାରେ ପୁଷ୍ଟିହୀନତା କିପରି ବଢ଼ିବ ନାହିଁ? ”
ଅଶ୍ୱିନୀରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ବୀଣା ସୁନୀଲ ୫୩ କୁହନ୍ତି, “ସମୂହ ସହିତ ଆମର ଯେ କୌଣସି ପ୍ରସଙ୍ଗରେ, ଯେ କୌଣସି ବୈଠକ, ଶେଷରେ ଏହି ସମସ୍ୟା ସହିତ ସମାପ୍ତ ହେବ: ପରିବାରରେ ମଦ୍ୟାଭ୍ୟାସ ବୃଦ୍ଧି ପାଇବ।’’
ଏହି ଅଞ୍ଚଳର ଆଦିବାସୀ ସମୂହଗୁଡିକ ମୁଖ୍ୟତ କାଟୁନାୟକାନ୍ ଏବଂ ପାନିଆନ୍, ଯେଉଁଗୁଡ଼ିକ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଭାବରେ ସ୍ଥାନିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦% ରୁ ଅଧିକ ଚାଷଜମି ଏବଂ ଇଷ୍ଟେଟରେ କୃଷି ଶ୍ରମିକ ଭାବରେ ମଜୁରୀରେ କାମ କରନ୍ତି ବୋଲି ଆଦିବାସୀ ଗବେଷଣା କେନ୍ଦ୍ର, ଉଦଗାମନ୍ଦଲମ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି। ଏଠାରେ ଥିବା ଅନ୍ୟ ସମୂହଗୁଡ଼ିକ ମୁଖ୍ୟତଃ ଇରୁଲାର, ବେଟା କୁରୁମ୍ବା ଏବଂ ମୁଲୁ କୁରୁମ୍ବା, ଯେଉଁମାନେକି ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ ।
ମାରି ଥେକେକାରା କୁହନ୍ତି, "ଯେତେବେଳେ ଆମେ ୧୯୮୦ ଦଶକରେ ଏଠାକୁ ଆସିଲୁ, ସେତେବେଳେ ବେଠି ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬ ପାନିୟସ୍ ଧାନ, ଯଅ, କଦଳୀ, ଗୋଲମରିଚ ଏବଂ ସାଗୁ ବଗିଚାରେ ବେଠି ଶ୍ରମିକ ଭାବରେ କାମ କରୁଥିଲେ । ସେମାନେ ଜଙ୍ଗଲ ଭିତରେ ଥିବା ଛୋଟ ବଗିଚାରେ କାମ କରୁଥିଲେ, ଏଥିପ୍ରତି ଅଜ୍ଞାତ ଥିଲେ ଯେ ସେମାନେ ଯେଉଁ ଜମିରେ କାମ କରୁଥିଲେ ତାହାର ଜମି ସ୍ୱତ୍ୱାଧିକାର ସେମାନଙ୍କର ହିଁ । ”
ମାରି, ତାଙ୍କ ସ୍ୱାମୀ ଷ୍ଟାନ୍ ଥେକେକାରାଙ୍କ ସହ, ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ୧୯୮୫ ରେ ଏସିସିଓଆର୍ଡି (ଆକ୍ସନ୍ ଫର୍ କମ୍ୟୁନିଟି ଅର୍ଗାନାଇଜେସନ୍, ରିହାବିଲେସନ୍ ଆଣ୍ଡ ଡେଭେଲପ୍ମେଣ୍ଟ) ପ୍ରତିଷ୍ଠା କରିଥିଲେ । ସମୟ ସହିତ, ଦାତବ୍ୟ ଅର୍ଥରେ ପରିଚାଳିତ ଏହି ଏନ୍ଜିଓ ସଂଗଠନଗୁଡ଼ିକର ଏକ ନେଟୱାର୍କ ଗଠନ କଲା - ସଙ୍ଗମ (ପରିଷଦଗୁଡ଼ିକ) ଗଠନ କରାଯାଇଥିଲା ଏବଂ ଆଦିବାସୀମାନଙ୍କ ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ ଆଦିବାସୀ ମୁନ୍ନେଟ୍ରା ସଙ୍ଗମ ଅଧୀନକୁ ଆସିଥିଲା । ସଙ୍ଗମ ଆଦିବାସୀ ଜମି ପୁନର୍ଦାବି, ଚା’ ବଗିଚା ସ୍ଥାପନ ପାଇଁ ଏବଂ ଆଦିବାସୀ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ସ୍ଥାପନ କରିବାରେ ସଫଳ ହୋଇଛି। ଏସିସିଓଆର୍ଡି ଆସୋସିଏସନ୍ ଫର୍ ହେଲ୍ଥ ଓ୍ୱେଲ୍ଫେୟାର୍ ଫର୍ ନୀଳଗିରିଜ୍ଜ୍ (ଅଶ୍ୱିନୀ) ଆରମ୍ଭ କରିଥିଲା ଏବଂ ୧୯୯୮ ରେ ଗୁଦାଲୁର ଆଦିବାସୀ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଏଥିରେ ଛ’ ଜଣ ଡାକ୍ତର, ଗୋଟିଏ ଲାବୋରେଟୋରୀ, ଏକ୍ସ-ରେ ରୁମ, ଫର୍ମାସି ଏବଂ ବ୍ଲଡ ବ୍ୟାଙ୍କ ଅଛି।“୮୦ ଦଶକରେ ଆଦିବାସୀଙ୍କୁ ଏଠାରେ ସରକାରୀ ଡାକ୍ତରଖାନାରେ ଦ୍ୱିତୀୟ ଶ୍ରେଣୀର ନାଗରିକଙ୍କ ପରି ବ୍ୟବହାର କରାଯାଉଥିଲା ଏବଂ ସେମାନେ ପଳାଇ ଯାଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଭୟଙ୍କର ଥିଲା: ମହିଳାମାନେ ନିୟମିତ ଭାବରେ ଗର୍ଭାବସ୍ଥାରେ ମୃତ୍ୟୁ ବରଣ କରୁଥିଲେ ଏବଂ ପିଲାମାନଙ୍କଠାରେ ହଇଜା ଏବଂ ମୃତ୍ୟୁ ଥଲା’’ ଏହା ମନେ ପକାଇ କୁହନ୍ତି ଡାକ୍ତର ରୂପା ଦେବଦାସନ । ସେ ଏବଂ ତାଙ୍କ ସ୍ୱାମୀ ଡକ୍ଟର ଏନ୍ ଦେବଦାସନ୍ ଅଶ୍ୱିନୀ ଡାକ୍ତରମାନଙ୍କର ନେତୃତ୍ୱ ନେଉଥିଲେ, ଯେଉଁମାନେ କି ଆଦିବାସୀ ଅଞ୍ଚଳରେ ଘରକୁ ଘର ଯାଉଥିଲେ । “ଆମକୁ ଅସୁସ୍ଥ କିମ୍ବା ଗର୍ଭବତୀ ରୋଗୀଙ୍କ ଘରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଉ ନଥିଲା । ସମୂହଗୁଡ଼ିକ ଆମ ଉପରେ ବିଶ୍ୱାସ କରିବାକୁ ଆରମ୍ଭ କରିବା ପାଇଁ ଅନେକ ଆଲୋଚନା ଏବଂ ଆଶ୍ୱାସନା ଆବଶ୍ୟକ ହେଉଥିଲା ।’’
ସାମୁହିକ ଔଷଧ ହିଁ ଅଶ୍ୱିନୀର ହୃତ୍ପିଣ୍ଡ, ଯାହାର ୧୭ ଟି ସ୍ୱାସ୍ଥ୍ୟ ଆନିମେଟର (ସ୍ୱାସ୍ଥ୍ୟ କର୍ମୀ) ଏବଂ ୩୧୨ ଜଣ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ ଅଛନ୍ତି – ସେମାନେ ସମସ୍ତ ନିଜେ ଆଦିବାସୀ - ଯେଉଁମାନେ ଗୁଦାଲୁର ଏବଂ ପାନ୍ଥାଲୁର ତାଲୁକ ଦେଇ ବିସ୍ତୃତ ଭାବରେ ଯାତ୍ରା କରନ୍ତି, ଘର ପରିଦର୍ଶନ କରନ୍ତି ଏବଂ ସ୍ୱାସ୍ଥ୍ୟ ଏବଂ ପୋଷଣର ପରାମର୍ଶ ଦିଅନ୍ତି ।
ବର୍ତ୍ତମାନ ୫୦ବର୍ଷ ବୟସରେ ପହଞ୍ଚିଥିବା ଟି. ଆର ଜାନୁ, ଯିଏକି ମଲ୍ଲୁ କୁରୁମ୍ବା ସମୂହର, ଅଶ୍ୱିନୀରେ ତାଲିମ ପ୍ରାପ୍ତ ପ୍ରଥମ ସ୍ୱାସ୍ଥ୍ୟ ଆନିମେଟରମାନଙ୍କ ମଧ୍ୟରୁ ଅନ୍ୟତମ । ପନ୍ଥାଲୁର ତାଲୁକାରେ ଥିବା ଚେରାଙ୍ଗୋଡ଼େ ପଞ୍ଚାୟତର ଆୟାନକୋଲି ପଡ଼ାରେ ତାଙ୍କର ଏକ କାର୍ଯ୍ୟାଳୟ ଅଛି ଏବଂ ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଯକ୍ଷ୍ମା ରୋଗ ପାଇଁ ଆଦିବାସୀ ପରିବାରଗୁଡ଼ିକର ନିୟମିତ ଯାଞ୍ଚ କରନ୍ତି ଏବଂ ପ୍ରାଥମିକ ଚିକିତ୍ସା ସହ ସାଧାରଣ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ପରାମର୍ଶ ପ୍ରଦାନ କରନ୍ତି। ସେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କ ଉପରେ ମଧ୍ୟ ନଜର ରଖନ୍ତି । ସେ ସୂଚାଇ ଦିଅନ୍ତି “ଗାଁଗୁଡ଼ିକରେ ଝିଅମାନେ ସେମାନଙ୍କର ଗର୍ଭଧାରଣରେ ଅନେକ ମାସ ପ୍ରଜନନ ସ୍ୱାସ୍ଥ୍ୟ ପରାମର୍ଶ ପାଇଁ ଆମ ପାଖକୁ ଆସନ୍ତି । ଅନ୍ତଃଗର୍ଭାଶୟ ଅଭିବୃଦ୍ଧି ପ୍ରତିବନ୍ଧକକୁ ରୋକିବା ପାଇଁ ଫୋଲେଟ୍ ଅଭାବ ଟ୍ୟାବଲେଟ୍ ଗୁଡିକ ପ୍ରଥମ ତିନି ମାସରେ ଦିଆଯିବା ଆବଶ୍ୟକ ନଚେତ୍ ଏହା କାମ କରିବ ନାହିଁ ।’’
ଯଦିଓ ସୁମା ପରି ମହିଳାମାନଙ୍କ ପାଇଁ, ଆଇୟୁଜିଆର୍କୁ ରୋକାଯାଇପାରି ନଥିଲା । ଆମେ ଭେଟିବାର କିଛି ଦିନ ପରେ ଡାକ୍ତରଖାନାରେ, ତାଙ୍କର ବନ୍ଧ୍ୟାକରଣ ସମାପ୍ତ ହୋଇଛି, ଏବଂ ସେ ଏବଂ ତାଙ୍କ ପରିବାର ଘରକୁ ଯିବା ପାଇଁ ଜିନିଷ ସଜାଡ଼ୁଛନ୍ତି । ସେମାନଙ୍କୁ ନର୍ସ ଏବଂ ଡାକ୍ତରମାନେ ପୁଷ୍ଟିକର ଖାଦ୍ୟ ଉପରେ ପରାମର୍ଶ ଦେଇଛନ୍ତି । ତାଙ୍କୁ ଘରକୁ ଯିବା ପାଇଁ ଏବଂ ପରବର୍ତ୍ତୀ ସପ୍ତାହ ପାଇଁ ଖାଦ୍ୟ କିଣିବା ପାଇଁ ଅର୍ଥ ମଧ୍ୟ ଦିଆଯାଇଛି । ଜିଜି ଏଲମାନା କୁହନ୍ତି, “ଏଥର ଆମେ ଆଶା କରୁଛୁ ଏଥର ଅର୍ଥ ଯେପରି ଭାବରେ କୁହାଯାଇଛି ସେହିପରି ଭାବରେ ବ୍ୟବହୃତ ହେବ।’’
ପ୍ରଚ୍ଛଦ ଅଙ୍କନ : ପ୍ରିୟଙ୍କା ବୋରାର୍ ହେଉଛନ୍ତି ଜଣେ ନୂତନ ଗଣମାଧ୍ୟମ ଚିତ୍ରକାର ଯିଏକି ଭାବ ଏବଂ ଅଭିବ୍ୟକ୍ତିର ନୂତନ ରୂପ ଆବିଷ୍କାର କରିବାକୁ ଟେକ୍ନୋଲୋଜି ସହିତ ପରୀକ୍ଷଣ କରୁଛନ୍ତି । ସେ ଶିଖିବା ଏବଂ ଖେଳିବା ପାଇଁ ଅଭିଜ୍ଞତା ସୃଷ୍ଟି କରନ୍ତି, ବିଭିନ୍ନ ସମ୍ବାଦାତ୍ମକ ଗଣମାଧ୍ୟମ ସହ ଜଡିତ ହୁଅନ୍ତି, ଏବଂ ପାରମ୍ପରିକ କଲମ ଏବଂ କାଗଜ ସହିତ ସହଜ ଅନୁଭବ କରନ୍ତି ।
ଭାରତର ଗ୍ରାମାଞ୍ଚଳର କିଶୋର ବାଳିକା ଏବଂ କମ୍ ବୟସ୍କା ମହିଳାମାନଙ୍କ ଉପରେ ପରି ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟ ପ୍ରକଳ୍ପ ହେଉଛି ସାଧାରଣ ଜନତାଙ୍କ ସ୍ୱର ଏବଂ ପ୍ରତ୍ୟକ୍ଷ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସମର୍ଥିତ ପଦକ୍ଷେପର ଏକ ଅଂଶ ।
ଏହି ନିବନ୍ଧ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି zahra@ruralindiaonline.org କୁ ଗୋଟିଏ ସିସି ସହିତ namita@ruralindiaonline.org କୁ ଲେଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍