ଏହା ସମ୍ପୂର୍ଣ୍ଣ ଭାବରେ ସିନେମା ଶୈଳୀର ପ୍ରବେଶ ଥିଲା। ନାନା ପ୍ରକାରର ପରିବହନ, ଭାରୀ ଜିନିଷ ଉଠାଇବା ଏବଂ ବିପଦ କାରଣରୁ ପଣସ ବ୍ୟବସାୟ ଜଣେ ମହିଳାର କାମ ନୁହେଁ ବୋଲି ଛଅ ଜଣ ପୁରୁଷ ଲୋକ ଦୃଢ଼ୋକ୍ତି କରିବାର ପାଞ୍ଚ ମିନିଟ୍ ପରେ ଲକ୍ଷ୍ମୀ ଗୋଟିଏ ହଳଦିଆ ଶାଢ଼ି ପିନ୍ଧି, ଧଳା କେଶରେ ଜୁଡ଼ା କରି ଓ ନାକ ଓ କାନରେ ସୁନାର ଅଳଙ୍କାର ପିନ୍ଧି ଦୋକାନ ଭିତରକୁ ଗଲେ। ସମ୍ମାନର ସହ ଜଣେ କୃଷକ ଘୋଷଣା କଲେ, ‘‘ସେ ଏହି ବ୍ୟବସାୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି।’’
‘‘ସେ ହିଁ ଆମ ଉତ୍ପାଦ ପାଇଁ ଦାମ୍ ସ୍ଥିର କରନ୍ତି।’’
୬୫ ବର୍ଷ ବୟସ୍କା ଏ. ଲକ୍ଷ୍ମୀ ହେଉଛନ୍ତି ପନ୍ରୁତିର ଏକମାତ୍ର ମହିଳା ପଣସ ବ୍ୟବସାୟୀ – ଏବଂ ଯେ କୌଣସି କୃଷି ବ୍ୟବସାୟରେ ଥିବା ଅଳ୍ପ କେଇ ଜଣ ବରିଷ୍ଠ ମହିଳା ବ୍ୟାପାରୀ (ବ୍ୟବସାୟୀ)ଙ୍କ ମଧ୍ୟରେ ସେ ଅନ୍ୟତମ।
ତାମିଲନାଡ଼ୁର କୁଡାଲୋର ଜିଲ୍ଲାର ପନ୍ରୁତି ସହର ଏହାର ପଣସ ପାଇଁ ବିଖ୍ୟାତ। ପଣସ ଋତୁ ସମୟରେ ଏଠାରେ ପ୍ରତିଦିନ ଶହ ଶହ ଟନ୍ ଆସେ ଏବଂ ବିକ୍ରି ହୁଏ। ପ୍ରତି ବର୍ଷ ସହରର ପଣସ ମଣ୍ଡି ରେ ଥିବା ୨୨ଟି ଦୋକାନରେ ବିକ୍ରି ହେବାକୁ ଥିବା ହଜାର ହଜାର କିଲୋର ଏହି ଫଳ ପାଇଁ ଦାମ୍ ସ୍ଥିର କରନ୍ତି। ସେ କମିଶନ୍ ଭାବରେ ଖୁବ୍ କମ୍ ଅର୍ଥ ପାଆନ୍ତି – କ୍ରେତାଙ୍କଠାରୁ - ପ୍ରତି ୧,୦୦୦ ପାଇଁ ୫୦ ଟଙ୍କା। ଯଦି କୃଷକମାନେ ଚାହାଁନ୍ତି ତେବେ ତାଙ୍କୁ କିଛି ଦେଇପାରନ୍ତି। ଏହି ଋତୁରେ ତାଙ୍କର ଦୈନିକ ଆୟ ୧,୦୦୦ରୁ ୨,୦୦୦ ଟଙ୍କା ମଧ୍ୟରେ ବୋଲି ସେ ଆକଳନ କରନ୍ତି।
ଏହି ରୋଜଗାର ପାଇଁ ସେ ୧୨ ଘଣ୍ଟା କାମ କରନ୍ତି। ସେ ରାତି ୧ରେ କାମ ଆରମ୍ଭ କରନ୍ତି। ଲକ୍ଷ୍ମୀ ବୁଝାଇ କହନ୍ତି, ‘‘ଯଦି ଅଧିକ ସରାକୁ (ଜିନିଷ) ଥାଏ ତେବେ ମୋତେ ପାଇବା ପାଇଁ ବ୍ୟବସାୟୀମାନେ ଘରକୁ ଶୀଘ୍ର ପଳାଇ ଆସନ୍ତି।’’ ତାଙ୍କୁ ଅଟୋରିକ୍ସା ଧରି ଅତି ବେଶୀରେ ରାତି ୩ଟା ସୁଦ୍ଧା ମଣ୍ଡି ରେ ପହଞ୍ଚିବାକୁ ହୁଏ। ତାଙ୍କର କାର୍ଯ୍ୟ ଦିବସ ଅପରାହ୍ଣ ୧ ପର୍ଯ୍ୟନ୍ତ ଚାଲେ, ଏହା ପରେ ସେ ଘରକୁ ଯାଆନ୍ତି, ଖାଆନ୍ତି ଓ ବଜାରକୁ ପୁଣି ଯିବାର ସମୟ ହେବା ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତି…
ସେ ମୋତେ କହନ୍ତି, ‘‘ମୁଁ ପଣସ ଚାଷ ବିଷୟରେ ଅଧିକ ଜାଣିନି। କିନ୍ତୁ ମୁଁ ବିକ୍ରି କରିବା ବିଷୟରେ କିଛି ଜାଣେ।’’ ଘଣ୍ଟା ଘଣ୍ଟା ଧରି କଥା ହେବା ଏବଂ ଚିତ୍କାର କରିବା ଯୋଗୁଁ ତାଙ୍କର କଣ୍ଠ ସ୍ୱର କର୍କଶ ଶୁଣାଯାଉଥିଲା। ଲକ୍ଷ୍ମୀ ଖୁବ୍ ବିନମ୍ର ଭାବରେ କହୁଥିଲେ। ତିନି ଦଶକ ଧରି ସେ ଜଣେ ବ୍ୟବସାୟୀ ଭାବରେ କାମ କରୁଛନ୍ତି ଏବଂ ତା’ ପୂର୍ବରୁ ୨୦ ବର୍ଷ ଧରି ସେ ଚଳନ୍ତା ଟ୍ରେନ୍ରେ ଏହି ଫଳ ବିକ୍ରି କରୁଥିଲେ।
ପନ୍ରୁତିର ଏକ ପଣସ ମଣ୍ଡିରେ ଲକ୍ଷ୍ମୀ ବ୍ୟବସାୟରେ ବ୍ୟସ୍ତ। ସେ ତାମିଲନାଡୁର କୁଡାଲୋର୍ ଜିଲ୍ଲାର ଏହି ସହରରେ ଏହି ଫଳର ବ୍ୟବସାୟରେ ସଂପୃକ୍ତ ଥିବା ଏକମାତ୍ର ମହିଳା
ପଣସ ସହ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ୧୨ ବର୍ଷ ବୟସ। ଚପଳ ବୟସର ଲକ୍ଷ୍ମୀ ଗୋଟିଏ ହାପ୍ ଶାଢ଼ି ବା ଲେହେଙ୍ଗା ପିନ୍ଧିଲେ, କେଇଟି ପାଲା ପାଝମ୍ ନେଲେ ଏବଂ ଷ୍ଟିମ୍ ଇଞ୍ଜିନ୍ରେ ଟଣାଯାଉଥିବା କାରି ଭାଣ୍ଡି (ଯାତ୍ରୀବାହୀ ଟ୍ରେନ୍)ରେ ଏହାକୁ ବିକ୍ରି କରିଥିଲେ। ତାମିଲ୍ରେ ଏହି ଫଳ ପାଲା ପାଝମ୍ ଭାବରେ ଜଣାଶୁଣା। ବର୍ତ୍ତମାନ ୬୫ ବର୍ଷ ବୟସ୍କା ଲକ୍ଷ୍ମୀ ଗୋଟିଏ ଘରେ ରହୁଛନ୍ତି ଯେଉଁଥିରେ ଫଳକରେ ତାଙ୍କ ନାଁ – ଲକ୍ଷ୍ମୀ ଭିଲାସ ଲେଖାଯାଇଛି।
ଏଇଟା ହିଁ ସେହି ଘର ଯାହାକୁ ଲକ୍ଷ୍ମୀ ପୃଥିବୀର ଅନ୍ୟତମ ସବୁଠାରୁ ବଡ଼ ଫଳ – ପଣସ ବିକ୍ରି କରି, ବ୍ୟବସାୟ କରି ତିଆରି କରିଛନ୍ତି।
*****
ପଣସର ଋତୁ ଜାନୁଆରୀ କିମ୍ବା ଫେବୃଆରୀରେ ଆରମ୍ଭ ହୋଇଯାଏ ଏବଂ ପ୍ରାୟତଃ ପୁରା ଛଅ ମାସ ରହେ। ୨୦୨୧ରେ ଉତ୍ତର ପୂର୍ବ ମୌସୁମୀ ସମୟରେ ଭୀଷଣ ଏବଂ ଅଦିନିଆ ବର୍ଷା ଫୁଲ ଧରିବା ଏବଂ ଫଳ ହେବାକୁ ପ୍ରାୟ ଆଠ ସପ୍ତାହ ବିଳମ୍ବ କରିଦେଇଥିଲା। ପନ୍ରୁତିର ମଣ୍ଡି ରେ ଏହି ଫଳ ପହଞ୍ଚିବା ବେଳକୁ ଏପ୍ରିଲ୍ ମାସ ହୋଇଯାଇଥିଲା ଏବଂ ଏହି ଋତୁ ଅଗଷ୍ଟ ମାସରେ ଶେଷ ହୋଇଯାଇଥିଲା।
ସାଧାରଣ ଲୋକଙ୍କ ଭାଷାରେ ‘ଜ୍ୟାକ୍’ କୁହାଯାଉଥିବା ଏହି ଫଳ ଦକ୍ଷିଣ ଭାରତର ପଶ୍ଚିମ ଘାଟର ମୂଳ ବାସିନ୍ଦା। ଏହି ନାଁ ମାଲାୟାଲମ ଶବ୍ଦ ଚକ୍କାରୁ ସୃଷ୍ଟି ହୋଇଛି। ଏହାର ବୈଜ୍ଞାନିକ ନାମ ହେଉଛି: ଆର୍ଟୋକାର୍ପସ୍ ହେଟେରୋଫାଇଲସ୍।
ପରୀ ସର୍ବପ୍ରଥମେ ଏପ୍ରିଲ୍ ୨୦୨୨ରେ ବ୍ୟବସାୟୀ ଏବଂ କୃଷକମାନଙ୍କୁ ଭେଟିବାକୁ ପନ୍ରୁତିକୁ ଯାଇଥିଲା। କୃଷକ ଏବଂ କମିଶନ ଏଜେଣ୍ଟ ଥିବା ୪୦ ବର୍ଷ ବୟସ୍କ ଆର୍ ବିଜୟ କୁମାର ଆମକୁ ତାଙ୍କ ଦୋକାନକୁ ସ୍ୱାଗତ କରିଥିଲେ। ମାଟି ଚଟାଣ ଏବଂ ନଡ଼ା ଛପର ଛାତ ଓ କାନ୍ଥ ଥିବା ଏହା ଏକ ସାଧାରଣ ସ୍ଥାନ ଥିଲା। ଯେଉଁଥି ପାଇଁ ସେ ବର୍ଷକୁ ଭଡ଼ା ଭାବରେ ୫୦,୦୦୦ ଟଙ୍କା ପୈଠ କରୁଛନ୍ତି। ଆସବାବପତ୍ର ଭାବରେ କେବଳ ଗୋଟିଏ ବେଞ୍ଚ ଏବଂ କେଇଟି ଚୌକି ଥିଲା।
ବହୁ ଦିନ ପୂର୍ବେ ପାଳନ କରାଯାଇଥିବା ପର୍ବପର୍ବାଣୀର ପତାକା, ତାଙ୍କ ବାପାଙ୍କର ଏକ ଫୁଲ ହାର ଦିଆଯାଇଥିବା ଫଟୋ, ଗୋଟିଏ ଡେସ୍କ ଏବଂ ପଣସର ଗଦା ଏଠାରେ ଥିଲା। ଦୁଆର ମୁହଁରେ ଥିବା ପ୍ରଥମ ଗଦାରେ ୧୦୦ଟି ପଣସ ଥିଲା ଏବଂ ଏହା ଏକ ଛୋଟ ସବୁଜ ପାହାଡ଼ ମୁଣ୍ଡିଆ ପରି ଦେଖାଯାଉଥିଲା।
ବିଜୟ କୁମାର କହିଲେ, ‘‘ଏହାର ଦାମ୍ ୨୫,୦୦୦ ଟଙ୍କା।’’ ପୂର୍ବ ଗଦା ଦୁଇଟି ପାର୍ଟିକୁ ବିକ୍ରି ହୋଇଥିଲା, ଏଥିରେ ୬୦ଟି ଫଳ ଥିଲା ଏବଂ ଏହାର ଦାମ୍ ପ୍ରାୟ ୧୮,୦୦୦ ଟଙ୍କା। ସେଗୁଡ଼ିକ ଏବେ ଚେନ୍ନାଇର ଆଦ୍ୟାର୍କୁ ଯାଉଛି।
ଜଣେ କୃଷକ ଏବଂ କମିସନ ଏଜେଣ୍ଟ ହୋଇଥିବା ଆର୍. ବିଜୟକୁମାର ପନ୍ରୁତିରେ ତାଙ୍କ ଦୋକାନରେ, ଯେଉଁଠାରେ ଗଦା ହୋଇଥିବା ପଣସ କ୍ରେତାଙ୍କୁ ଅପେକ୍ଷା କରିଛି
୧୮୫ କିଲୋମିଟର ଦୂର ଚେନ୍ନାଇକୁ ପଣସ ଖବରକାଗଜ ଭ୍ୟାନ୍ରେ ପଠାଯାଉଛି। ବିଜୟ କୁମାର କହନ୍ତି, ‘‘ଯଦି ଏହା ଆହୁରି ଉତ୍ତରକୁ ଯାଏ ତେବେ ଆମେ ଏହାକୁ ଟାଟା ଏସିଇ ଟ୍ରକ୍ରେ ପଠାଉ। ଆମର କାର୍ଯ୍ୟ ଦିବସଗୁଡ଼ିକ ଖୁବ୍ ଲମ୍ବା। ଋତୁ ସମୟରେ ଆମେ ରାତି ୩ କିମ୍ବା ୪ରୁ ରାତି ୧୦ ପର୍ଯ୍ୟନ୍ତ ଏଇଠି ଥାଉ।’’ ସେ ହସିକରି କହନ୍ତି, ‘‘ଏହି ଫଳର ଚାହିଦା ଖୁବ୍ ଅଧିକ, ସମସ୍ତେ ଏହାକୁ ଖାଆନ୍ତି। ଏପରିକି ମଧୁମେହୀମାନେ ମଧ୍ୟ ଚାରି ସୋଲାଇ (ପୁଟ) ଖାଇ ଦିଅନ୍ତି। କେବଳ ଆମେ ଏହା ଖାଇ ଖାଇ ଥକିଗଲୁଣି।’’
ବିଜୟ କୁମାର କହନ୍ତି ପନ୍ରୁତିରେ ୨୨ଟି ହୋଲ୍ସେଲ୍ ଦୋକାନ ଅଛି। ତାଙ୍କ ବାପାଙ୍କର ଏହି ସ୍ଥାନରେ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଦୋକାନ ଥିଲା। ତାଙ୍କ ମୃତ୍ୟୁ ପରେ ବିଜୟ କୁମାର ଗତ ୧୫ ବର୍ଷ ହେବ ଏହାକୁ ଚଳାଉଛନ୍ତି। ପ୍ରତି ଦୋକାନ ଦିନକୁ ପ୍ରାୟ ୧୦ ଟନ୍ର ବ୍ୟବସାୟ କରନ୍ତି। ସେ କହନ୍ତି, ‘‘ସମୁଦାୟ ତାମିଲନାଡ଼ୁରେ ପନ୍ରୁତି ବ୍ଲକ୍ରେ ସବୁଠାରୁ ଅଧିକ ପଣସ ହୁଏ।’’ ଏବଂ ଗ୍ରାହକଙ୍କ ପାଇଁ ବେଞ୍ଚରେ ବସି ଅପେକ୍ଷା କରିଥିବା କୃଷକମାନେ ସେମାନଙ୍କ ମୁଣ୍ଡ ଟୁଙ୍ଗାରନ୍ତି ଏବଂ ଆଲୋଚନାରେ ଯୋଗ ଦିଅନ୍ତି।
ଏହି ଲୋକମାନେ ବେଷ୍ଟି କିମ୍ବା ଲୁଙ୍ଗି ଓ ସାର୍ଟ ପିନ୍ଧନ୍ତି। ସେମାନେ ପରସ୍ପରକୁ ଜାଣନ୍ତି ଏବଂ ପ୍ରାୟ ସମସ୍ତେ ଏହି ବ୍ୟବସାୟରେ ଅଛନ୍ତି। ଏଠି ଆଳାପ ଆଲୋଚନା ଉଚ୍ଚ ସ୍ୱରରେ, ରିଙ୍ଗଟୋନ୍ଗୁଡ଼ିକ ଆହୁରି ଉଚ୍ଚ ଏବଂ ପାଖ ଦେଇ ଯାଉଥିବା ଲରୀଗୁଡ଼ିକର ଶବ୍ଦ ସବୁଠାରୁ ଉଚ୍ଚ, ସେଗୁଡ଼ିକର ହର୍ନ ଥରକେ କାନକୁ ଭେଦିଯାଏ।
କେ. ପଟ୍ଟୁସାମି, ୪୭ ପଣସ ଚାଷ ସମ୍ପର୍କରେ ତାଙ୍କର ଅଭିଜ୍ଞତା ବାଣ୍ଟନ୍ତି। ପନ୍ରୁତି ତାଲୁକ ର କଟ୍ଟାନ୍ଦିକୁପମ୍ ଗ୍ରାମରେ ତାଙ୍କର ଘର ଏବଂ ତାଙ୍କର ୫୦ଟି ଗଛ ଅଛି। ସେ ମଧ୍ୟ ଆଉ ୬୦୦ଟି ଗଛ ଲିଜ୍ରେ ନେଇଛନ୍ତି। ପ୍ରତି ୧୦୦ ଗଛ ପାଇଁ ଦାମ୍ ହେଉଛି ୧.୨୫ ଲକ୍ଷ ଟଙ୍କା। ସେ କହନ୍ତି, ‘‘ମୁଁ ଏହି ବ୍ୟବସାୟରେ ୨୫ ବର୍ଷ ହେବ ଅଛି ଏବଂ ମୁଁ ତୁମକୁ କହିବି ଯେ ଏଥିରେ ଅନେକ ଅନିଶ୍ଚିତତା ଅଛି।’’
ପାଟ୍ଟୁସାମି ଯୁକ୍ତ ଦର୍ଶାନ୍ତି, ଯଦିବି ପ୍ରଚୁର ଫଳ ହୁଏ, ‘‘୧୦ଟି ପଚିଯିବ, ୧୦ଟି ଫାଟି ମେଲା ହୋଇଯିବ, ୧୦ଟି ଖସିପଡ଼ିବ ଏବଂ ଆଉ ୧୦ଟି ଅନ୍ୟ ଜୀବଜନ୍ତୁ ଖାଇଯିବେ।’’
ଅତି ପାଚିଲା ଫଳଗୁଡ଼ିକୁ ବାହାର କରିଦିଆଯାଏ ଏବଂ ଏହା ପଶୁ ଖାଦ୍ୟ ହୋଇଯାଏ। ହାରାହାରି ଭାବରେ ଏହି ଫଳର ୫ରୁ ୧୦ ପ୍ରତିଶତ ନଷ୍ଟ ହୁଏ। ଭଲ ଋତୁ ସମୟରେ ଦୋକାନ ପିଛା ଦୈନିକ ଏହି ନଷ୍ଟ ପରିମାଣ ଅଧ ଟନ୍ରୁ ଏକ ଟନ୍ ପର୍ଯ୍ୟନ୍ତ ହୋଇଥାଏ। ଏହି ବିଶାଳ ପରିମାଣ କେବଳ ଗୋରୁଗାଈଙ୍କ ପାଇଁ ଯୋଗ୍ୟ ହୋଇଥାଏ ବୋଲି କୃଷକମାନେ କହନ୍ତି।
ଗୋରୁଗାଈଙ୍କ ପରି ଗଛଗୁଡ଼ିକ ମଧ୍ୟ ଏକ ନିବେଶ। ଗ୍ରାମୀଣ ଲୋକମାନେ ସେଗୁଡ଼ିକୁ ଷ୍ଟକ୍ ଭାବରେ ବିବେଚନା କରନ୍ତି – ଏହାର ମୂଲ୍ୟ ସାଧାରଣତଃ ବୃଦ୍ଧି ପାଇଥାଏ ଏବଂ ସେଗୁଡ଼ିକ ଭଲ ଲାଭ ପାଇଁ ବିକ୍ରି କରାଯାଏ। ବିଜୟ କୁମାର ଏବଂ ତାଙ୍କ ସାଙ୍ଗମାନେ କହନ୍ତି ଯେ ଗୋଟିଏ ପଣସ ଗଛର ଗଣ୍ଡି ୮ ହାତ ଚଉଡ଼ା ଏବଂ ୭ରୁ ୯ ଫୁଟ ଲମ୍ବ ହେବା ପରେ, ‘‘କେବଳ ଏହି କାଠରୁ ୫୦,୦୦୦ ଟଙ୍କା ମିଳିଥାଏ।’’
ପାଟ୍ଟୁସାମି କହନ୍ତି, ଯେତେଦୂର ସମ୍ଭବ କୃଷକମାନେ ଗଛ କାଟନ୍ତି ନାହିଁ। ‘‘ଆମେ ସଂଖ୍ୟା [ଗଛଗୁଡ଼ିକର] ବଢ଼ାଇବାକୁ ଚେଷ୍ଟା କରୁ। କିନ୍ତୁ ଯେତେବେଳେ ଅର୍ଥର ଆବଶ୍ୟକତା ଥାଏ – ଚିକିତ୍ସୀୟ ଜରୁରୀ ପରିସ୍ଥିତି କିମ୍ବା ପରିବାରରେ ଏକ ବିବାହ – ଆମେ କେତୋଟି ବଡ଼ ଗଛ ବାଛୁ ଏବଂ ସେଗୁଡ଼ିକୁ କାଠ ପାଇଁ ବିକ୍ରି କରୁ।’’ ଏହା ଜଣେ ଚାଷୀକୁ କେଇ ଲକ୍ଷ ଟଙ୍କା ଦେଇଥାଏ। ଯାହାକି ବିପତ୍ତିକୁ ଅତିକ୍ରମ କରିବା କିମ୍ବା କଲ୍ୟାଣମ୍ (ବିବାହ)ର ଖର୍ଚ୍ଚ ତୁଲାଇବା ପାଇଁ ଯଥେଷ୍ଟ ହୋଇଥାଏ…
ପାଟ୍ଟୁସାମି ମୋତେ ଡାକିଲେ, ‘‘ଏଠାକୁ ଆସ’’, ଦୋକାନ ପଛପଟକୁ ଯିବା ପାଇଁ। ସେ କହନ୍ତି, ଏଠାରେ ଏକଦା ଡଜନେ ବଡ଼ ପଣସ ଗଛ ଥିଲା। କିନ୍ତୁ ଆମେ କେବଳ ପଲା କାନ୍ନୁ (ଛୋଟ ପଣସ ଗଛ) ଦେଖିପାରୁଥିଲୁ। ସେହି ଜମିର ମାଲିକ ନିଜର ଆବଶ୍ୟକତା ତୁଲାଇବା ପାଇଁ ବଡ଼ ଗଛଗୁଡ଼ିକ ବିକ୍ରି କରିଦେଇଥିଲେ। ଏହା ପରେ ସେ ପୁଣି ଗଛ ଲଗାଇଲେ। ସେହି ଛୋଟ, ଛନଛନିଆ ଗଛଗୁଡ଼ିକ ଆଡ଼କୁ ଦେଖାଇ ପାଟ୍ଟୁସାମି କହନ୍ତି, ‘‘ଏଗୁଡ଼ିକ ମାତ୍ର ଦୁଇ ବର୍ଷର। ପଣସ ଗଛଗୁଡ଼ିକ କିଛି ବର୍ଷ ବଡ଼ ହେବା ପରେ ହିଁ ଫଳ ଧରେ ।’’
ପ୍ରତି ବର୍ଷ, ଏହି ଋତୁରେ ପ୍ରଥମ ଫଳକୁ ଜୀବଜନ୍ତୁ ଖାଇଦିଅନ୍ତି। ‘‘ମାଙ୍କଡ଼ମାନେ ସେମାନଙ୍କ ପାଟିରେ ଏହାକୁ ଚିରି ଦିଅନ୍ତି ଏବଂ ଏହା ପରେ ହାତ ଲଗାଇ ଏହାକୁ ଖାଆନ୍ତି। ଏବଂ ଗୁଣ୍ଡୁଚି ମୂଷାମାନେ ମଧ୍ୟ ଏଗୁଡ଼ିକୁ ଭଲ ପାଆନ୍ତି।’’
ପାଟ୍ଟୁସାମି କହନ୍ତି, ଗଛ ଲିଜ୍ ଦେବା ସମସ୍ତଙ୍କ ପାଇଁ ଭଲ। ‘‘ଗଛ ମାଲିକମାନେ ପ୍ରତି ବର୍ଷ ମୋଟା ଟଙ୍କା ପାଆନ୍ତି ଏବଂ ସେମାନଙ୍କୁ ଏ ଗଛରୁ ଗୋଟିଏ ଫଳ, ସେ ଗଛରୁ ଗୋଟିଏ ଫଳ କାଟିବାକୁ ଏବଂ ଠିକ୍ ସମୟରେ ସେଗୁଡ଼ିକୁ ବଜାରକୁ ଆଣିବାକୁ ହୁଏ ନାହିଁ। ଯେତେବେଳେ କି ମୋ ପରି ଜଣେ ବ୍ୟକ୍ତି ଯିଏକି ଅନେକ ଗଛର ଦାୟିତ୍ୱ ବୁଝେ – ମୁଁ ଥରକେ ୧୦୦ରୁ ୨୦୦ କାଟି ପାରିବି ଏବଂ ଏହାକୁ ମଣ୍ଡି କୁ ଆଣିପାରିବି।’’ ଯେ ପର୍ଯ୍ୟନ୍ତ ଗଛ ଭଲ ଥାଏ, ଜଳବାୟୁ ଭଲ ଥାଏ ଏବଂ ଫଳଗୁଡ଼ିକ ଭଲ ଭାବରେ ବଢ଼ନ୍ତି ସେତେବେଳେ ଉଭୟଟିରେ ଲାଭ ଅଛି…
ଦୁଃଖର ବିଷୟ, ଯଦି ସବୁକିଛି ବି ହୁଏ, ଚାଷୀ ମୂଲ୍ୟ ସ୍ଥିର କରିପାରିବେ ନାହିଁ। ଯଦି ସେମାନେ କରିପାରନ୍ତେ ଏଥିରେ ଦାମ୍ରେ ତିନି ଗୁଣ ଫରକ ରହୁନଥାଆନ୍ତା। ଯେମିତିକି ୨୦୨୨ରେ, ଏକ ଟନ୍ ପଣସର ଦାମ୍ ୧୦,୦୦୦ରୁ ୩୦,୦୦୦ ଟଙ୍କା ମଧ୍ୟରେ ଉପର ତଳ ହେଉଥିଲା।
ପଣସ ବିକ୍ରି କରିବାକୁ ଆସିଥିବା କୃଷକ ମାନଙ୍କ ସହ ତାଙ୍କ ଦୋକାନରେ ବିଜୟକୁମାର (ଏକଦମ୍ ବାମ)
ବିଜୟ କୁମାର ତାଙ୍କ କାଠ ଡେସ୍କର ଡ୍ରୟାର୍କୁ ନିର୍ଦ୍ଦେଶ କରି କହନ୍ତି, ‘‘ଯେତେବେଳେ ଦାମ୍ ଉଚ୍ଚ ଥାଏ, ସେତେବେଳେ ମନେ ହୁଏ ଏଥିରେ ପ୍ରଚୁର ଅର୍ଥ ଅଛି।’’ ସେ ଉଭୟ ପକ୍ଷରୁ ପାଞ୍ଚ ପ୍ରତିଶତ କମିଶନ ପାଆନ୍ତି। ଡ୍ରୟାର୍କୁ ଠକ୍ ଠକ୍ କରି ସେ କହନ୍ତି, ‘‘କିନ୍ତୁ ଯଦି ଜଣେ ଗ୍ରାହକ ଆପଣଙ୍କୁ ଠକେ ସବୁକିଛି ଚାଲିଯାଏ। ତା’ପରେ ଆମକୁ ସବୁକିଛି ଖାଲି କରିବାକୁ ହେବ ଏବଂ କୃଷକଙ୍କୁ ପୈଠ କରିବାକୁ ହେବ। ଆମର ବି ଗୋଟିଏ ନୈତିକ ଦାୟିତ୍ୱ ଅଛି, ଏହା ନୁହେଁ କି?’’
ଏପ୍ରିଲ୍ ୨୦୨୨ ଆରମ୍ଭରେ ପଣସ ଚାଷୀ ଏବଂ ଉତ୍ପାଦକମାନେ ଏକ ସଙ୍ଗମ ବା କମିଟି ଗଠନ କରିଥିଲେ। ବିଜୟ କୁମାର ହେଉଛନ୍ତି ଏହାର ସମ୍ପାଦକ। ସେ କହନ୍ତି, ‘‘ଏହାର ବୟସ ମାତ୍ର ୧୦ ଦିନ, ଆମେ ଏ ପର୍ଯ୍ୟନ୍ତ ଏହାର ପଞ୍ଜିକରଣ କରିନାହୁଁ।’’ ସେମାନଙ୍କର ଏହି କମିଟି ନିମନ୍ତେ ଉଚ୍ଚ ଆଶା ଅଛି। ‘‘ଆମେ ଦାମ୍ ସ୍ଥିର କରିବାକୁ ଚାହୁଁ। ଏହା ପରେ ଆମେ ଜିଲ୍ଲାପାଳଙ୍କୁ ଭେଟିବାକୁ ଯିବାକୁ ଚାହୁଁ ଏବଂ କୃଷକମାନଙ୍କୁ ଏବଂ ଏହି ଉଦ୍ୟୋଗକୁ ସାହାଯ୍ୟ କରିବାକୁ ସେମାନଙ୍କୁ ଅନୁରୋଧ କରିବାକୁ ଚାହୁଁ। ଆମେ ଏହି ଉତ୍ପାଦକମାନଙ୍କ ପାଇଁ କିଛି ପ୍ରୋତ୍ସାହନ ରାଶି, କିଛି ସୁବିଧା ଚାହିଁବୁ – ମୁଖ୍ୟତଃ ଏହି ଫଳକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର। ଯଦି ଆମେ ସଂଗଠିତ ହେବୁ ତେବେ ଆମେ ଯାଇପାରିବୁ ଏବଂ କହିପାରିବୁ, ଏହା ନୁହେଁ କି?’’
ବର୍ତ୍ତମାନ ସେମାନେ ସର୍ବାଧିକ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ଫଳଗୁଡ଼ିକ ରଖିପାରିବେ। ମନରେ ଆଶା ରଖି ଲକ୍ଷ୍ମୀ କହନ୍ତି, ‘‘ଏହାକୁ ଆହୁରି ଅଧିକ କରିବାକୁ ଆମେ କିଛି ଉପାୟ ଆବଶ୍ୟକ କରୁ।’’ ସେ ଭାବନ୍ତି ଛଅ ମାସ ବଢ଼ିଆ ହେବ। ବିଜୟ କୁମାର ଅତି କମ୍ରେ ଏହାର ଅଧା ଚାହାଁନ୍ତି। ବର୍ତ୍ତମାନ ସେମାନେ ଅଳ୍ପ କିଛି ଦିନରେ ବିକ୍ରି ହୋଇନଥିବା ଫଳଗୁଡ଼ିକୁ ଫୋପାଡ଼ି ଦେବାକୁ କିମ୍ବା ଏହାକୁ କାଟି ରାସ୍ତାକଡ଼ରେ ବିକ୍ରୟ କରୁଥିବା ଖୁଚୁରା ବ୍ୟବସାୟଙ୍କୁ ଦେଇଦେବାକୁ ବାଧ୍ୟ ହେଉଛନ୍ତି।
*****
ସାମ୍ବାଦିକ ଏବଂ ଅନନ୍ୟ କନ୍ନଡ କୃଷି ପତ୍ରିକା ଆଦିକେ ପତ୍ରିକେ (ଆରେକା ପତ୍ରିକା)ର ସମ୍ପାଦକ ଶ୍ରୀ ପାଦ୍ରେ କହନ୍ତି, ‘‘ପଣସ ପାଇଁ ଶୀତଳ ଭଣ୍ଡାର ବର୍ତ୍ତମାନ କେବଳ ଏକ ବିଚାରଶୀଳ ଚିନ୍ତନ। ଆପଣ ଆଳୁ କିମ୍ବା ସେଓକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ରଖିପାରିବେ କିନ୍ତୁ ପଣସ ପାଇଁ କୌଣସି ପରୀକ୍ଷା ନିରୀକ୍ଷା ହୋଇନାହିଁ। ଏପରିକି ଏହି ଋତୁ ପରେ ପଣସ ଚିପ୍ସ ମାତ୍ର ଦୁଇ ମାସ ଉପଲବ୍ଧ ହୋଇଥାଏ।’’
ସେ କହନ୍ତି, ‘‘ଏହା ଖେଳ ବଦଳାଇ ଦେବ। ଯଦି ଅତି କମ୍ରେ ଗୋଟିଏ ଡଜନ ପଣସ ଉତ୍ପାଦ ବର୍ଷସାରା ଉପଲବ୍ଧ ହେବ।’’
ଲକ୍ଷ୍ମୀ (ଚୌକିରେ) ଗୋଟିଏ ମଣ୍ଡିରେ ଅଳ୍ପକେଇଜଣ ମହିଳା ପଣସ ବିକ୍ରେତାଙ୍କ ସହ; ସେ ୩୦ ବର୍ଷ ଧରି ପଣସ ବ୍ୟବସାୟ କରୁଛନ୍ତି
ପରୀ ସହିତ ଏକ ଟେଲିଫୋନ୍ ସାକ୍ଷାତକାରରେ ପାଦ୍ରେ ପଣସ ଚାଷ ଉପରେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପ୍ରସଙ୍ଗ ଆଲୋଚନା କରିଥିଲେ। ପ୍ରଥମେ ସେ କହନ୍ତି, ‘‘ଆମ ପାଖରେ ପଣସର ତଥ୍ୟ ନାହିଁ। ‘‘ଏହି ସଂଖ୍ୟା ହିସାବ କରିବା ଖୁବ୍ କଷ୍ଟ ଏବଂ ଖୁବ୍ ଭ୍ରାମକ। ୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏହା ଖୁବ୍ ଅବହେଳିତ ଏବଂ ଅବ୍ୟବସ୍ଥିତ ଫସଲ ଥିଲା। ପନ୍ରୁତି ହେଉଛି ଏକ ଅଦ୍ଭୁତ ବ୍ୟତିକ୍ରମ।’’
ପାଦ୍ରେ ଦର୍ଶାନ୍ତି ଭାରତ ପଣସ ଉତ୍ପାଦନରେ ପୃଥିବୀରେ ନମ୍ବର ଓ୍ୱାନ। ‘‘ପଣସ ଗଛ ସବୁଆଡ଼େ ଅଛି, କିନ୍ତୁ ଆମେ ପୃଥିବୀରେ ମୂଲ୍ୟଯୁକ୍ତ ମାନଚିତ୍ରରେ ସ୍ଥାନ ପାଇ ପାରି ନାହୁଁ।’’ ଦେଶ ମଧ୍ୟରେ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର କିଛି ମୂଲ୍ୟଯୁକ୍ତ କରିଛନ୍ତି, ଯେତେବେଳେ କି ତାମିଲନାଡୁରେ ଏହା ଏକ ନୂତନ ଉଦ୍ୟୋଗ।
ପାଦ୍ରେ କୁହନ୍ତି, ଏବଂ ଏହା ଲଜ୍ଜାକର କାରଣ ଏହି ଫଳର ଏକାଧିକ ଉପଯୋଗ ଅଛି। ‘‘ଦୁଃଖର ବିଷୟ ହେଉଛି ପଣସ ଉପରେ ଖୁବ୍ କମ୍ ଗବେଷଣା କରାଯାଇଛି। ଗୋଟିଏ ବଡ଼ ଗଛ ଏକରୁ ତିନି ଟନ୍ ପର୍ଯ୍ୟନ୍ତ ଫଳ ଦେଇଥାଏ।’’ ଏଥି ସହିତ ଗୋଟିଏ ଗଛରୁ ପାଞ୍ଚଟି କଞ୍ଚାମାଲ ମିଳିବାର ସମ୍ଭାବନା ଥାଏ।: ପ୍ରଥମ ହେଉଛି କଷି ପଣସ। ଏହା ପରେ ସାମାନ୍ୟ ବଡ଼ ଆକାର ଯାହା ପରିବା ଭାବରେ ବ୍ୟବହାର କରାଯାଏ। ଏହାପରେ ପାଚି ନଥିବା ପ୍ରକାର ଯାହା ପାପ୍ପଡ଼ ଏବଂ ଚିପ୍ସ ପାଇଁ ବ୍ୟବହାର କରାଯାଏ। ଚତୁର୍ଥ ହେଉଛି ସବୁଠାରୁ ଲୋକପ୍ରିୟ ପାଚିଲା ପଣସ। ଏବଂ ଶେଷରେ ଏହାର ମଞ୍ଜି।
ସେ କହନ୍ତି, ‘‘ସେଥିପାଇଁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଏହାକୁ କୁହାଯାଏ ‘ସୁପରଫୁଡ୍’। ତଥାପି କଦଳୀ ଏବଂ ସେଓ ପାଇଁ ଯେମିତି ଅଛନ୍ତି ସେମିତି ପଣସ ପାଇଁ କୌଣସି ଗବେଷଣା ସ୍ଥଳ ନାହିଁ କି ବୈଜ୍ଞାନିକ କିମ୍ବା ଉପଦେଷ୍ଟା ନାହାଁନ୍ତି।’’
ପଣସ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ପାଦ୍ରେ ଏସବୁ ବ୍ୟବଧାନ ମଧ୍ୟରୁ ଅନେକକୁ ପୂରଣ କରିବାକୁ ଚେଷ୍ଟା କରିଆସୁଛନ୍ତି। ‘‘ମୁଁ ଗତ ୧୫ବର୍ଷ ଧରି ପଣସ ସମ୍ପର୍କରେ ଲେଖୁଛି, ସୂଚନା ପ୍ରଦାନ କରୁଛି ଏବଂ ଲୋକମାନଙ୍କୁ ପ୍ରେରଣା ଦେଉଛି। ଏହା ଆମର ପତ୍ରିକା ଆଦିକେ ପତ୍ରିକେ ଯେବେଠାରୁ ଅଛି (୩୪ବର୍ଷ) ତା’ର ପ୍ରାୟ ଅଧା ସମୟ ଆମେ ପଣସ ଉପରେ ୩୪ରୁ ଅଧିକ ପ୍ରଚ୍ଛଦ କାହାଣୀ କରିଛୁ!’’
ପଣସର ସ୍ୱତନ୍ତ୍ର ଆକୃତି, ବାସ୍ନା ଏବଂ ସଂରଚନା ଯୋଗୁଁ ଏଗୁଡ଼ିକ ଖେିବାକୁ ଭଲ ଲାଗେ କିନ୍ତୁ ବାଛିବା, ବୋହିବା କିମ୍ବା ପରିବହନ କରିବା ସହଜ ନୁହେଁ
ପଣସ ବ୍ୟବସାୟ ସହିତ ଅନିଶ୍ଚିତତା ସଂପୃକ୍ତ। ଯଦିବି ଅମଳ ଅଧିକ ହୁଏ କିଛି ଫଳ ସଢ଼ିଯିବ, ଫାଟି ମେଲା ହୋଇଯିବ, ଖସି ପଡ଼ିବ ଏବଂ ଜୀବଜନ୍ତୁ ଖାଇଯିବେ
ପାଦ୍ରେ ପଣସର ସକାରାତ୍ମକ କାହାଣୀ ଉପରେ ଆଲୋକପାତ କରିବାକୁ ନେଇ ଆଗ୍ରହୀ - ଏବଂ ସେ ଭାରତରେ ସ୍ୱାଦିଷ୍ଟ ପଣସ ଆଇସ୍କ୍ରିମ୍ ସମେତ ଅନେକ କେତେଗୁଡ଼ିଏ ସମ୍ପର୍କରେ ଆଲୋଚନା ସମୟରେ ଦର୍ଶାଇଥିଲେ- ତେବେ ସେ ସମସ୍ୟାଗୁଡ଼ିକ ଉପରୁ ନଜର ହଟାଇ ନାହାନ୍ତି। ‘‘ସଫଳତାର ରାସ୍ତା ଶୀତଳଭଣ୍ଡାର ସମସ୍ୟାର ସମାଧାନରେ ହିଁ ରହିଛି। ପ୍ରଥମ ପ୍ରାଥମିକତା ହେଉଛି ବର୍ଷସାରା ପାଚିଲା ପଣସ ହିମିକୃତ ଅବସ୍ଥାରେ ଉପଲବ୍ଧ କରାଇବା। ଏହା ରକେଟ୍ ବିଜ୍ଞାନ ନୁହେଁ କିନ୍ତୁ ଆମେ ସେହି ଦିଗରେ ଛୋଟିଆ ପଦକ୍ଷେପଟିଏ ମଧ୍ୟ ନେଇନାହୁଁ।’’
ତେବେ ଏହି ଫଳର ଏକ ଅନନ୍ୟ ସମସ୍ୟା ରହିଛି - ଆପଣ ବାହାରୁ ଦେଖି ଏହାର ମାନ କେବେ ବି କହିପାରିବେ ନାହିଁ। ପନ୍ରୁତିରେ ପଣସ ଯତ୍ନର ସହିତ ଅମଳ କରାଯାଏ - ଏବଂ ସେଠାରେ ଏହି ଫଳ ପାଇଁ ଏକ ନିରାପଦ ବଜାର ରହିଛି – କିନ୍ତୁ ଅନ୍ୟସବୁ ସ୍ଥାନରେ ଏହାର ବିପରିତ ଅବସ୍ଥା। ପଣସ ହେଉଥିବା ସମସ୍ତ ଅଞ୍ଚଳରେ କୌଣସି ବ୍ୟବସ୍ଥିତ ବଜାର ନାହିଁ। କୌଣସି କୃଷକ ସହଯୋଗୀ ଯୋଗାଣ ଶୃଙ୍ଖଳ ମଧ୍ୟ ନାହିଁ ଏବଂ ଏହା ପ୍ରଚୁର ପରିମାଣର ନଷ୍ଟର କାରଣ ହୋଇଥାଏ।
ପାଦ୍ରେ ପ୍ରଶ୍ନ କରନ୍ତି ଏହି ନଷ୍ଟକୁ ରୋକିବା ଦିଗରେ ଆମେ କ’ଣ କରିଛୁ । ‘‘ଏହା ମଧ୍ୟ ଖାଦ୍ୟ ନୁହେଁ କି? ଆମେ କେବଳ ଧାନ ଏବଂ ଗହମକୁ କାହିଁକି ଏତେ ଗୁରୁତ୍ୱ ଦେଉଛୁ?’’
ବ୍ୟବସାୟରେ ଉନ୍ନତି ପାଇଁ ପନ୍ରୁତିରୁ ପଣସ ସବୁଆଡ଼େ ଯିବା ଆବଶ୍ୟକ - ପ୍ରତ୍ୟେକ ରାଜ୍ୟକୁ, ପ୍ରତ୍ୟେକ ଦେଶକୁ ବୋଲି ବିଜୟ କୁମାର କହନ୍ତି। ସେ କହନ୍ତି, ‘‘ଏଥିପାଇଁ ଅଧିକ ପ୍ରଚାର ହେବା ଆବଶ୍ୟକ। ତା’ପରେ ହିଁ ଆମେ ଭଲ ଦାମ୍ ପାଇପାରିବୁ।’’
ଚେନ୍ନାଇର ବିଶାଳ କୋୟାମ୍ବେଦୁ ହୋଲସେଲ୍ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଆନ୍ନ ଫଳ ବଜାରରେ ପଣସ ବ୍ୟବସାୟୀମାନଙ୍କର ଚାହିଦା ବି ଠିକ୍ ସେମିତି: ଶୀତଳ ଭଣ୍ଡାର ଏବଂ ଉନ୍ନତ ହାଟର ସୁବିଧା। ଏଠାରେ ବ୍ୟବସାୟୀମାନଙ୍କର ପ୍ରତିନିଧିତ୍ୱ କରୁଥିବା ସି.ଆର୍. କୁମାରଭେଲ୍ କହନ୍ତି ଯେ, ଗୋଟିଏ ଫଳ ପାଇଁ ଦାମ୍ ୧୦୦ରୁ ୪୦୦ ଟଙ୍କା ମଧ୍ୟରେ ଉପର ତଳ ହୋଇଥାଏ।
‘‘କୋୟାମ୍ବେଦୁରେ ଆମେ ଏହି ଫଳ ନିଲାମ କରୁ। ଯେତେବେଳେ ଜିନିଷ ଅଧିକ ଥାଏ, ସ୍ୱାଭାବିକ ଭାବରେ ଦାମ୍ ଖସିଯାଏ ଏବଂ ନଷ୍ଟ ବି ଖୁବ୍ ଅଧିକ ହୁଏ- ୫ପ୍ରତିଶତ କିମ୍ବା ଏପରିକି ୧୦ପ୍ରତିଶତ ମଧ୍ୟ। ଯଦି ଆମେ ଏହି ଫଳକୁ ରଖିପାରିବୁ ଏବଂ ବିକ୍ରି କରିପାରିବୁ ତେବେ ଭଲ ଦାମ୍ ଯୋଗୁ କୃଷକମାନେ ଲାଭାନ୍ୱିତ ହେବେ।’’ କୁମାରଭେଲ୍ ଆକଳନ କରନ୍ତି ଯେ ଏଠାରେ ଥିବା ୧୦ଟି ଯାକ ଦୋକାନରେ ପ୍ରାୟ ଦୈନିକ ୫୦,୦୦୦ଟଙ୍କା ମୂଲ୍ୟର ବ୍ୟବସାୟ ହୋଇଥାଏ। ‘‘କିନ୍ତୁ ଏହା କେବଳ ଏହି ଋତୁ ସମୟରେ – ବର୍ଷକୁ ପାଖାପାଖି ପାଞ୍ଚମାସ।’’
କୃଷକ ସହଯୋଗୀ ଯୋଗାଣ ଶୃଙ୍ଖଳ ଏବଂ ଉପଯୁକ୍ତ ଶୀତଳ ଭଣ୍ଡାର ସୁବିଧାର ଅଭାବ ପ୍ରଚୁର ନଷ୍ଟର କାରଣ ହୋଇଥାଏ
ତାମିଲନାଡୁ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ୨୦୨୨-୨୩ ଯୋଜନା ବିବରଣୀ ରେ ପଣସ କୃଷକ ଏବଂ ବ୍ୟାପକ ଭାବରେ ବ୍ୟବସାୟୀମାନଙ୍କ ପାଇଁ କିଛି ପ୍ରତିଶ୍ରୁତି ରହିଛି। ଏହି ଯୋଜନା ବିବରଣୀ ଉଲ୍ଲେଖ କରେ ‘‘ପଣସ ଚାଷ ଏବଂ ପ୍ରକ୍ରିୟାକରଣରେ ବିଶାଳ ସୁଯୋଗକୁ ଉପଯୋଗ କରିବା ପାଇଁ ପଣସ ନିମନ୍ତେ କୁଲାଡୋର ଜିଲ୍ଲାର ପନ୍ରୁତି ବ୍ଲକର ପାନିକାନକୁପମ୍ ଗ୍ରାମ ଠାରେ ଟ. ପାଞ୍ଚ କୋଟି ବ୍ୟୟରେ ଏକ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରାଯାଉଛି।’’
ଏହି ବିବରଣୀରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ‘‘ବୈଶ୍ୱିକ ବଜାରରେ ଉଚ୍ଚ ମୂଲ୍ୟ ପାଇବା ପାଇଁ’’ ପନ୍ରୁତି ପଣସ ନିମନ୍ତେ ଏକ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ପାଇବା ପାଇଁ ପଦକ୍ଷେପ ନିଆଯାଉଛି।
ତେବେ ଲକ୍ଷ୍ମୀ ବିସ୍ମିତ ହୁଅନ୍ତି ଯେ ‘‘ଅନେକ ଲୋକ ଜାଣନ୍ତି ନାହିଁ ପନ୍ରୁତି କେଉଁଠାରେ ଅଛି।’’ ସେ ଦର୍ଶାନ୍ତି ଯେ ୨୦୦୨ର ତାମିଲ ଫିଲ୍ମ ସୋଲା ମାରାନ୍ଧା କଢ଼ାଇ (ଏକ ବିସ୍ମୃତ କାହାଣୀ) ତାଙ୍କ ସହରକୁ ବିଖ୍ୟାତ କରିଦେଇଥିଲା। ସେ ଗର୍ବର ସହ କହନ୍ତି, ‘‘ନିର୍ଦ୍ଦେଶକ ଥାଙ୍କର ବଚନ ଏହି ଅଞ୍ଚଳର। ମୁଁ ମଧ୍ୟ ଏହି ଫିଲ୍ମରେ ଅଛି। ସୁଟିଂ ସମୟରେ ଖୁବ୍ ଗରମ ହେଉଥିଲା, କିନ୍ତୁ ଏହା ମଜାଦାର ଥିଲା।’’
*****
ଏହି ଋତୁରେ ଲକ୍ଷ୍ମୀଙ୍କର ଚାହିଦା ଖୁବ୍ ଅଧିକ ଥାଏ। ପଣସ ପ୍ରେମୀମାନଙ୍କ ଫୋନ୍ରେ ତାଙ୍କ ନମ୍ବର ସ୍ପିଡ୍ ଡାଏଲ୍ରେ ଥାଏ। ସେମାନେ ଜାଣନ୍ତି ସେ ସେମାନଙ୍କୁ ସବୁଠାରୁ ଭଲ ଫଳ ଯୋଗାଇ ଦେବେ।
ଏବଂ ଲକ୍ଷ୍ମୀ ପ୍ରକୃତରେ ତାହା କରିପାରନ୍ତି। ସେ କେବଳ ପନ୍ରୁତିରେ ଥିବା ୨୦ଟି ମଣ୍ଡି ସହ ସଂଯୁକ୍ତ ନୁହଁନ୍ତି, ସେ ମଧ୍ୟ ସେସବୁ ସ୍ଥାନକୁ ଯେଉଁ କୃଷକମାନେ ଫଳ ଯୋଗାଉଛନ୍ତି ସେମାନଙ୍କୁ ଜାଣନ୍ତି। ଅଧିକାଂଶ ସମୟରେ ସେ ମଧ୍ୟ ଜାଣିଥାନ୍ତି ସେମାନଙ୍କ ଫସଲ କେତେବେଳେ ପ୍ରସ୍ତୁତ ହୋଇଯିବ।
ସେ ଏସବୁର ଖବର କେମିତି ରଖନ୍ତି? ଲକ୍ଷ୍ମୀ ଏହାର ଉତ୍ତର ଦିଅନ୍ତି ନାହିଁ। ଏହା ଜଣାଶୁଣା- ସେ କେଇ ଦଶକ ଧରି ଏହା ସହ ସଂପୃକ୍ତ, ଜାଣିବା ତାଙ୍କର କାମ ଏବଂ ସେ ଜାଣନ୍ତି।
ସେ ଏପରି ଏକ ପୁରୁଷ-ପ୍ରାଧାନ୍ୟ ଥିବା କ୍ଷେତ୍ରକୁ କେମିତି ଆସିଲେ? ଏଥର ସେ ମୋତେ ଉତ୍ତର ଦିଅନ୍ତି। ‘‘ଆପଣଙ୍କ ପରି ଲୋକମାନେ ସେମାନଙ୍କ ପାଇଁ ଏହି ଫଳ କିଣି ଦେବାକୁ ମୋତେ କୁହନ୍ତି ଏବଂ ମୁଁ ସେମାନଙ୍କ ପାଇଁ ଏହା ଭଲ ଦାମ୍ରେ କିଣେଇ ଦିଏ’’। ସେ ସ୍ପଷ୍ଟ କରି ଦିଅନ୍ତି, ସେ ବ୍ୟବସାୟୀମାନଙ୍କୁ ମଧ୍ୟ ଖୋଜି ଦିଅନ୍ତି। ଏହା ମଧ୍ୟ ଜଣାଯାଇଛି ଯେ ବ୍ୟବସାୟୀ ଏବଂ କୃଷକମାନେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି। ସେମାନେ ତାଙ୍କୁ ସ୍ୱାଗତ କରନ୍ତି ଏବଂ ତାଙ୍କର ପ୍ରଶଂସା କରନ୍ତି।
ଲକ୍ଷ୍ମୀ ପ୍ରତିବର୍ଷ ହଜାର ହଜାର କିଲୋ ପଣସର ଦାମ୍ ସ୍ଥିର କରନ୍ତି। ସେ ଯେକୌଣସି କୃଷି ବ୍ୟବସାୟରେ ଥିବା ଅଳ୍ପ କେଇଜଣ ବରିଷ୍ଠ ମହିଳା ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ
ସେ ଯେଉଁ ଅଞ୍ଚଳରେ ରୁହନ୍ତି ସେଠାରେ ସମସ୍ତେ ତାଙ୍କ ଘର କେଉଁଠି ଆପଣଙ୍କୁ କହିପାରିବେ। ସେ କହନ୍ତି, ‘‘କିନ୍ତୁ ମୋର ତ କେବଳ ସିଲାରାଇ ବ୍ୟାପାରମ୍ (ଏକ ଛୋଟ ବ୍ୟବସାୟ), ମୁଁ କେବଳ ସମସ୍ତଙ୍କ ପାଇଁ ଉଚିତ୍ ମୂଲ୍ୟ ଦେଇଥାଏ।’’
ମଣ୍ଡିକୁ ପଣସର ପ୍ରତ୍ୟେକ ଭାରି ଆସିବା ସମୟରେ ଲକ୍ଷ୍ମୀ ଏହାର ଦାମ୍ ସ୍ଥିର କରିବା ପୂର୍ବରୁ ଫଳର ମାନ ଯାଞ୍ଚ କରନ୍ତି। ଏଥିପାଇଁ ସେ କେବଳ ଗୋଟିଏ ଛୁରୀ ଦରକାର କରନ୍ତି। ଛୁରୀକୁ କେଇଥର ବାଡେଇବା ପରେ ସେ କହିଦେଇ ପାରିବେ ଏହା ପାଚିଲା ନା କଞ୍ଚା, ଏହା ପରଦିନ ଖାଇବା ଯୋଗ୍ୟ ହୋଇଯାଇଥିବ କି ନାହିଁ। ଯଦି ସେ କେବେ ନିଜ ନିଷ୍ପତ୍ତି ପ୍ରତି ସନ୍ଦେହ କରନ୍ତି, ସେ ଗୋଟିଏ ଛୋଟ ଅଂଶ କାଟି ଗୋଟିଏ ପୁଟ ବାହାର କରି ଆଉଥରେ ଯାଞ୍ଚ କରିନିଅନ୍ତି। ଯଦିଓ ଏହା ମାନ ପରୀକ୍ଷଣର ସର୍ବୋତ୍ତମ ଉପାୟ, ଏହା କଦବା କ୍ୱଚିତ୍ କରାଯାଏ କାରଣ ଏହି ପଦ୍ଧତି ପାଇଁ ଫଳରେ କଣା କରିବାକୁ ହୋଇଥାଏ।
‘‘ଗତ ବର୍ଷ, ଯେଉଁ ଆକାରର ପଲା ୧୨୦ଟଙ୍କାରେ ବିକ୍ରି ହେଉଥିଲା ବର୍ତ୍ତମାନ ତାହାର ଦାମ୍ ୨୫୦। ଏହି ମୌସୁମୀର ବର୍ଷା ଏବଂ ଫସଲ ନଷ୍ଟ କାରଣରୁ ଦାମ୍ ଏପରି ବୃଦ୍ଧି ପାଇଛି।’’ ସେ ଅନୁମାନ କରନ୍ତି ଯେ କେଇମାସରେ (ଜୁନ୍) ପ୍ରତି ଦୋକାନରେ ୧୫ଟନ୍ ଲେଖାଏଁ ଫଳ ଥିବ ଏବଂ ଏହି ଦାମ୍ ଖୁବ୍ ତଳକୁ ଖସିବ।
ଲକ୍ଷ୍ମୀ କହନ୍ତି, ସେ ଏହି ବ୍ୟବସାୟକୁ ଆସିବା ପରଠାରୁ ପଣସ ବ୍ୟବସାୟ ଅନେକ ବଢ଼ିଛି। ଗଛ ସଂଖ୍ୟା ବଢ଼ିଛି, ଫଳ ବଢ଼ିଛି ଏବଂ ବ୍ୟବସାୟ ବି ବଢ଼ିଛି। ତେବେ କୃଷକମାନେ ସେମାନଙ୍କର ଫସଲକୁ ଗୋଟିଏ ନିର୍ଦ୍ଦିଷ୍ଟ କମିସନ ଏଜେଣ୍ଟ ପାଖକୁ ଆଣନ୍ତି। ଏହାର ଗୋଟିଏ କାରଣ ବିଶ୍ୱସ୍ତତା ହୋଇଥିବା ବେଳେ ଅନ୍ୟ କାରଣ ହେଉଛି ସେମାନଙ୍କର ସେହି ନିର୍ଦ୍ଦିଷ୍ଟ ଏଜେଣ୍ଟ ସେମାନଙ୍କୁ ପ୍ରଦାନ କରୁଥିବା ଋଣ। ଲକ୍ଷ୍ମୀ ବୁଝାଇ ଦିଅନ୍ତି ଯେ ସେମାନେ ଏହି ବାର୍ଷିକ ଫସଲ ବିପକ୍ଷରେ ୧୦,୦୦୦ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର ନିଅନ୍ତି ଏବଂ ବିକ୍ରିରୁ ଏହାକୁ ଶୁଝନ୍ତି।
ତାଙ୍କ ପୁଅ ରଘୁନାଥ ଅନ୍ୟ ଏକ ସ୍ପଷ୍ଟୀକରଣ ଦିଅନ୍ତି। ‘‘ଯେଉଁ କୃଷକମାନଙ୍କ ପାଖରେ ପାଲା ମାରାମ ର ବଡ଼ ବଡ଼ ତୋଟା ଅଛି ସେମାନେ ସ୍ଥିର କରିଛନ୍ତି ଯେ କେବଳ ଫଳ ବିକ୍ରି କରିବେ ନାହିଁ ତାହା ସହିତ ସେମାନେ ଏହାକୁ ମୂଲ୍ୟଯୁକ୍ତ କରିବେ ଏବଂ ଲାଭ ବୃଦ୍ଧି କରିବେ।’’ ସେ କହନ୍ତି, ସେମାନେ ପଣସରୁ ଚିପ୍ସ ଏବଂ ଜାମ୍ ତିଆରି କରନ୍ତି। ଏଥିସହିତ ପାଚି ନଥିବା ଫଳକୁ ରାନ୍ଧନ୍ତି ଏବଂ ମାଂସର ବିକଳ୍ପ ଭାବରେ ବ୍ୟବହାର କରନ୍ତି।
ରଘୁନାଥ କହନ୍ତି, ‘‘କେତେଗୁଡ଼ିଏ କାରଖାନା ଅଛି ଯେଉଁଠାରେ ପାଚିଲା ପୁଟଗୁଡ଼ିକ ଶୁଖାଯାଏ ଏବଂ ଗୁଣ୍ଡ କରାଯାଏ।’’ ଏବଂ ସେଗୁଡ଼ିକ ସିଝାଇ ଖିରି କରାଯାଏ ଏବଂ ଖିଆଯାଏ। ଏହି ଉତ୍ପାଦଗୁଡ଼ିକର ଫଳ ତୁଳନାରେ ଏପର୍ଯ୍ୟନ୍ତ ଚାହିଦା ବଢ଼ି ନାହିଁ - କିନ୍ତୁ କାରଖାନା ମାଲିକମାନେ ବିଶ୍ୱାସ କରନ୍ତି ସମୟ କ୍ରମେ ଏହାର ଚାହିଦା ବଢ଼ିବ।
ପଣସ ଋତୁ ସମୟରେ ଲକ୍ଷ୍ମୀଙ୍କର ଖୁବ୍ ଅଧିକ ଚାହିଦା ଥାଏ କାରଣ ଲୋକେ ଜାଣନ୍ତି ସେ ସବୁଠାରୁ ଭଲ ଫଳ ଆଣିଥାନ୍ତି
ଲକ୍ଷ୍ମୀ ତିଆରି କରିଥିବା ଘରଟି ସମ୍ପୂର୍ଣ୍ଣ ଭାବରେ ପଣସ ବ୍ୟବସାୟରୁ ଆୟ କରାଯାଇଥିବା ଟଙ୍କାରେ କରାଯାଇଛି।
ଏହାର ଚଟାଣକୁ ଆଙ୍ଗୁଠିରେ ସ୍ପର୍ଶ କରି ସେ କହନ୍ତି,‘‘ଏହା ତିଆରି ହେବା ୨୦ ବର୍ଷ ହୋଇଗଲାଣି’’। କିନ୍ତୁ ଏଇ ଘର ତିଆରି ହେବା ପୂର୍ବରୁ ତାଙ୍କର ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା। ସେ କୁଲାଡୋର୍ ରୁ ପନ୍ରୁତି ପର୍ଯ୍ୟନ୍ତ ଟ୍ରେନ୍ରେ ଯାଇ ପଣସ ବିକ୍ରି କରିବା ସମୟରେ ସେ ତାଙ୍କୁ ଭେଟିଥିଲେ। ପନ୍ରୁତିରେ ତାଙ୍କର ଏକ ଚା’ ଦୋକାନ ଥିଲା।
ତାଙ୍କର ପ୍ରେମ ବିବାହ ହୋଇଥିଲା। ସେହି ପ୍ରେମ ପନ୍ରୁତିର ଜଣେ ଚିତ୍ରକରଙ୍କ ଦ୍ୱାରା କରାଯାଇଥିବା ଚିତ୍ରରେ ଏବେ ବି ଝଲକୁଛି। ତାଙ୍କ ସ୍ୱାମୀଙ୍କର ଗୋଟିଏ ଚିତ୍ର ତିଆରି ପାଇଁ ସେ ୭୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ୟ ଯେଉଁଟିରେ ସେ ଦୁହିଙ୍କର ଫଟୋ ଅଛି ସେଥିପାଇଁ ସେ ୬୦୦୦ ଟଙ୍କା ଦେଇଥିଲେ। ସେ ମୋତେ ଅନେକ କାହାଣୀ କହିଥିଲେ । ତାଙ୍କର କଣ୍ଠସ୍ୱର କର୍କଶ ଥିଲା କିନ୍ତୁ ସେଥିରେ ପ୍ରବଳ ଉତ୍ସାହ ଭରି ହୋଇଥିଲା ତାଙ୍କ କୁକୁର ସମ୍ପର୍କରେ କାହାଣୀଟି ମୋତେ ଭଲ ଲାଗିଥିଲା: ‘‘ଏତେ ବିଶ୍ୱସ୍ତ, ଏତେ ଚତୁର ଏବଂ ଖୁବ୍ ମନେପଡ଼େ।’’
ଅପରାହ୍ଣ ପ୍ରାୟ ୨ଟା ହୋଇଯାଇଥିଲା, କିନ୍ତୁ ଲକ୍ଷ୍ମୀ ଏଯାଏଁ ଖାଇ ନଥିଲେ। ସେ କହୁଥିଲେ ମୁଁ ଏବେ ଖାଇବି ଏବଂ କଥାବାର୍ତ୍ତା କରିବାରେ ଲାଗିଥିଲେ। ପଣସ ଋତୁ ସମୟରେ ତାଙ୍କ ପାଖରେ ଘରକାମ କରିବା ପାଇଁ ସମୟ ନଥାଏ। ତାଙ୍କ ବୋହୂ କାୟଲ୍ଭିଜି ସେସବୁ ବୁଝନ୍ତି।
ସେ ଦୁହେଁ ମୋତେ କହିଥିଲେ ସେମାନେ ପଣସରେ କ‘ଣ ସବୁ ରାନ୍ଧନ୍ତି। ‘‘ମଞ୍ଜିଗୁଡ଼ିକରେ ଆମେ ଉପମା କରୁ। ଯେଉଁ ପୁଟ ପାଚି ନଥାଏ ଆମେ ତାହାର ଚୋପା ବାହାର କରିଦେଉ, ହଳଦୀ ଦେଇ ସିଝାଉ, ଖଲରେ ବାଟି ଦେଉ, କିଛି ଉଲୁଥାମ ପାରୁପ୍ପୁ [ବିରି] ଛୁଙ୍କ କରୁ ଏବଂ ଏହା ଉପରେ କିଛି କୋରା ନଡ଼ିଆ ଛିଞ୍ଚିଦେଉ। ଯଦି ଏହି ପୁଟରେ ଚାଉଳ କିମ୍ବା ବେସନ ଗୋଳାଇ ଦିଆଯାଏ ତେବେ ଏହାକୁ ତେଲରେ ଛାଣି ଲଙ୍କା ଗୁଣ୍ଡ ଦେଇ ଖିଆଯାଏ।’’ ଏହି ମଞ୍ଜିଗୁଡ଼ିକ ସମ୍ବରରେ ମିଶାଯାଏ, କଞ୍ଚା ଥିବା ପଣସକୁ ବିରିଆନିରେ ପକାଯାଏ। ପଲାରେ ତିଆରି ହୋଇଥିବା ଖାଦ୍ୟଗୁଡ଼ିକ ଲକ୍ଷ୍ମୀ ‘‘ଆରୁମାଇ’’ (ଚମତ୍କାର) ଏବଂ ‘‘ସ୍ୱାଦିଷ୍ଟ’’ ବୋଲି କୁହନ୍ତି।
ସାଧାରଣତଃ ଲକ୍ଷ୍ମୀ ଖାଦ୍ୟକୁ ନେଇ ଏତେ ବାଛବିଚାର କରନ୍ତିନି। ସେ ପାଖରେ ଥିବା କୌଣସି ଦୋକାନରେ ଚା’ ପିଇଦିଅନ୍ତି କିମ୍ବା ଖାଇ ନିଅନ୍ତି। ତାଙ୍କର ‘‘ପ୍ରେସର ଏବଂ ସୁଗାର’’ ଅଛି, ଅର୍ଥାତ୍ ଉଚ୍ଚ ରକ୍ତଚାପ ଏବଂ ମଧୁମେହ। ‘‘ମୋତେ ଠିକ୍ ସମୟରେ ଖାଇବାକୁ ହୁଏ ନହେଲେ ମୋର ମୁଣ୍ଡ ବୁଲାଏ।’’ ସେଦିନ ସକାଳେ ତାଙ୍କର ମୁଣ୍ଡ ବୁଲାଉ ଥିଲା ଏବଂ ସେ ତରବରରେ ବିଜୟକୁମାରଙ୍କ ଦୋକାନରୁ ଚାଲି ଆସିଲେ। ଯଦିଓ ତାଙ୍କର କାମ ଅଧିକ ସମୟ ନିଏ ଏବଂ ଡେରି ପର୍ଯ୍ୟନ୍ତ କାମ କରିବାକୁ ହୋଇଥାଏ, ଲକ୍ଷ୍ମୀ କିନ୍ତୁ ଏହାକୁ ନେଇ ଭୟ କରନ୍ତିନି। ‘‘ଏଥିରେ କିଛି ଅସୁବିଧା ନାହିଁ’’।
ବାମ: ଲକ୍ଷ୍ମୀ ଭିଲାସରେ ଲକ୍ଷ୍ମୀ ଛିଡ଼ା ହୋଇଛନ୍ତି, ଏହି ଘର ଯାହାକୁ ସେ ପଣସ ବିକ୍ରି ଏବଂ ପଣସ ବ୍ୟବସାୟ ଅର୍ଥରେ କିଣିଥିଲେ। କାନ୍ଥରେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଫଟୋ ଅଛି ଯାହା ସେ ତିଆରି କରାଇଥିଲେ। ଡାହାଣ: ପଣସ ଋତୁରେ ବଜାର ଗରମ ଥିବା ସମୟରେ ଏକ ବିରଳ ମୂହୁର୍ତ୍ତ, ଲକ୍ଷ୍ମୀ ମଣ୍ଡିରେ ଦୀର୍ଘ ସମୟ କାମ କରିବା ପରେ ବିଶ୍ରାମ ପାଇଁ ତାଙ୍କ ସୋଫାରେ ବସିଛନ୍ତି
ପ୍ରାୟ ୩୦ ବର୍ଷ ତଳେ, ଯେତେବେଳେ ସେ ଟ୍ରେନ୍ରେ ବିକ୍ରି କରୁଥିଲେ ସେତେବେଳେ ପଣସ ୧୦ ଟଙ୍କାରେ ମିକ୍ରି ହେଉଥିଲା। (ବର୍ତ୍ତମାନ ଏହାର ଦାମ ୨୦ ରୁ ୩୦ ଗୁଣ ବଢ଼ିଛି।) ଲକ୍ଷ୍ମୀ ମନେପକାନ୍ତି ଯେ ସେ ସମୟରେ କମ୍ପାର୍ଟମେଣ୍ଟଗୁଡ଼ିକ ପେଟ୍ଟି (ବାକ୍ସ) ପରି ଥିଲା। ଭାଗ ଭାଗ ହୋଇନଥିଲା। ଏକ ଅବ୍ୟକ୍ତ ବୁଝାମଣା ଭାବରେ ଗୋଟିଏ କୋଚ୍କୁ ମାତ୍ର ଜଣେ ବିକ୍ରେତା ଯାଉଥିଲେ। ସେମାନେ ସେଥିରୁ ଓହ୍ଲାଇବା ପରେ ଅନ୍ୟ ଜଣେ ଯାଉଥିଲେ। ‘‘ ଟିକେଟ ଯାଞ୍ଚକାରୀମାନେ ଭଡ଼ା କିମ୍ବା ଟିକେଟ ଉପରେ ଜୋର ଦେଉ ନଥିଲେ। ଆମେ ମାଗଣାରେ ଯାଉଥିଲୁ। କିନ୍ତୁ,’’ ସେ ତାଙ୍କ ସ୍ୱର ନିମ୍ନ କରି ମୋତେ କହିଲେ, ‘‘ଆମେ ସେମାନଙ୍କୁ କିଛି ପଣସ ଦେଉଥିଲୁ….’’
ସେଗୁଡ଼ିକ ପାସେଞ୍ଜର୍ ଟ୍ରେନ୍ଥିଲା: ସେଗୁଡ଼ିକ ଧିରେ ଯାଉଥିଲା ଏବଂ ସବୁ ଷ୍ଟେସନ୍ରେ ଅଟକୁ ଥିଲା। ଯାଉଥିବା ଆସୁଥିବା ଅଧିକାଂଶ ଲୋକ ପଣସ କିଣୁଥିଲେ। ଦିନରେ ସେ ନିର୍ଦ୍ଦିଷ୍ଟ ଭାବରେ କେତେ ଆୟ କରୁଥିଲେ ତାହା କହି ପାରୁନଥିଲେ । ତାଙ୍କ ଆୟ କମ୍ ଥିଲା କିନ୍ତୁ ସେ କହନ୍ତି ‘‘ସେ ସମୟରେ ୧୦୦ ଟଙ୍କା ଗୋଟେ ବଡ଼ ପରିମାଣ ଥିଲା।’’
‘‘ମୁଁ ସ୍କୁଲ୍କୁ ଯାଇ ନଥିଲି। ମୁଁ ଛୋଟ ଥିବା ବେଳେ ମୋର ବାପା ମା’ଙ୍କର ଦେହାନ୍ତ ହୋଇଥିଲା।’’ ଜୀବିକା ପାଇଁ ଫଳ ବିକିବାକୁ ସେ ଅନେକ ଟ୍ରେନ୍ ଲାଇନ୍ରେ ଯିବା ଆସିବା କରିଥିଲେ: ଚିଦାମ୍ବରମ୍, କୁଡ଼ାଲୋର, ଚେଙ୍ଗେଲପୁଟ, ବିଲ୍ଲୁପୁରମ୍ ଇତ୍ୟାଦି। ‘‘ଖାଇବା ପାଇଁ ଷ୍ଟେସନ୍ରେ ଥିବା କ୍ୟାଣ୍ଟିନ୍ରୁ ମୁଁ ତେନ୍ତୁଳି କିମ୍ବା ଦହି ଭାତ କିଣୁଥିଲି। ଯେତେବେଳେ ମୋର ଦରକାର ହେଉଥିଲା ଲଗେଜ୍ ଥାକରେ ମୋ ପଣସ ଝୁଡ଼ି ରଖିବା ପରେ ମୁଁ କମ୍ପାର୍ଟମେଣ୍ଟରେ ଥିବା ପାଇଖାନା ମଧ୍ୟ ବ୍ୟବହାର କରୁଥିଲି। ଏସବୁ ଖୁବ୍ କଷ୍ଟକର କାମ ଥିଲା। କିନ୍ତୁ ମୋ ପାଖରେ ବିକଳ୍ପ ବି କ’ଣ ଥିଲା?’’
ଏବେ ତାଙ୍କ ପାଖରେ ବିକଳ୍ପ ଅଛି- ପଣସ ଋତୁ ସରିଯିବା ପରେ ସେ ଘରେ ରହନ୍ତି ଏବଂ ବିଶ୍ରାମ ନିଅନ୍ତି। ‘‘ମୁଁ ଚେନ୍ନାଇ ଯାଏ ଏବଂ ଏଠି ସେଠି ମୋ ବନ୍ଧୁବାନ୍ଧବଙ୍କ ଘରେ ଦୁଇ ସପ୍ତାହ କଟାଏ। ବାକି ସମୟରେ ମୁଁ ଏଇଠି ମୋ ନାତି ସର୍ବେଶ ପାଖରେ ରହେ’’। ପାଖରେ ଖେଳୁଥିବା ଛୋଟ ପିଲାଟି ଆଡେ ଅନାଇ ହସି ହସି ସେ ଏହା କହିଥିଲେ।
କାୟଲଭିଜି ଆଉ ଟିକେ ବିଶଦ ଭାବରେ କହିଥିଲେ। ‘‘ସେ ତାଙ୍କ ସବୁ ସମ୍ପର୍କୀୟଙ୍କୁ ସାହାଯ୍ୟ କରନ୍ତି; ସେ ସେମାନଙ୍କ ପାଇଁ ଗହଣା କିଣନ୍ତି। ଯଦି କେହି ସାହାଯ୍ୟ ମାଗନ୍ତି ସେ କେବେ ମନା କରନ୍ତି ନାହିଁ…’’
ଲକ୍ଷ୍ମୀ ତାଙ୍କ ଜୀବନରେ ନିଶ୍ଚୟ ‘ନା’ ଶବ୍ଦ ଅନେକ ଥର ଶୁଣିଥିବେ। ଜଣେ ‘‘ସୋନ୍ଧା ଉଛାଇପ୍ପୁ’’(ନିଜ ପରିଶ୍ରମ) ଦ୍ୱାରା ନିଜ ଜୀବନ କେମିତି ବଦଳାଇଛନ୍ତି ତାହା ଏହିଠାରେ ଦେଖିହେବ। ତାଙ୍କ କାହାଣୀ ଶୁଣିବା ଟିକେ ପଣସ ଖାଇବା ପରି – ଏତେ ମିଠା ଲାଗିବ ଆପଣ ଆଶା କରି ନଥିବେ। ଆପଣ ଯେତେବେଳେ ଶୁଣିବେ ଏହା ସ୍ମରଣୀୟ ହୋଇଯିବ।
ଏହ ଗବେଷଣା ଅଧ୍ୟୟନ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର ଗବେଷଣା ଅନୁଦାନ କାର୍ଯ୍ୟକ୍ରମ ୨୦୨୦ର ଅଂଶ ଭାବରେ ଏହାର ଅନୁଦାନ ଦ୍ୱାରା କରାଯାଇଛି।
ପ୍ରଚ୍ଛଦ ଫଟୋ: ଏମ୍ ପାଲାନୀ କୁମାର
ଅନୁବାଦ: ଓଡ଼ିଶାଲାଇଭ୍