ଶକ୍ତ ହୋଇଯାଇଥିବା ମାଟିରେ ଥିବା ଏକ ଛୋଟ ଗାତରେ ଏକ ମୃତ କଙ୍କଡା ଅଛି, ଏହାର ଗୋଡ଼ଗୁଡ଼ିକ ଶରୀରଠାରୁ ଅଲଗା ହୋଇଯାଇଛି । “ସେଗୁଡ଼ିକ ଅତ୍ୟଧିକ ତାତି ଯୋଗୁଁ ମରିଯାଉଛନ୍ତି,” ବୋଲି ଦେବେନ୍ଦ୍ର ଭୋଙ୍ଗାଡେ, ତାଙ୍କର ପାଞ୍ଚ-ଏକର ଧାନ କ୍ଷେତରେ ଥିବା ଗାତଗୁଡ଼କ ଆଡକୁ ଅଂଗୁଳି ଦେଖାଇ କହିଲେ ।
ଯଦି ବର୍ଷା ହୋଇଥାନ୍ତା, ତେବେ ଆପଣ ପଲ ପଲ କଙ୍କଡା ଜମିରେ ସେମାନଙ୍କ ଅଣ୍ଡା ଉଷୁମାଉଥିବା ଦୃଶ୍ୟ ଦେଖିପାରିଥାନ୍ତେ, ବୋଲି ସେ ସବୁଜ-ହଳଦିଆ ରଙ୍ଗର କ୍ରମଶଃ ଶୁଖି ଆସୁଥିବା ଧାନ ମଧ୍ୟରେ ଛିଡା ହୋଇ କହିଲେ । “ଧାନ ବିଲର ପିଲ ସବୁ ଝାଉଁଳିଯିବ,” ୩୦ ବର୍ଷ ପାଖାପାଖି ବୟସର କୃଷକ ତାଙ୍କର ଉଦବେଗ ବ୍ୟକ୍ତ କଲେ।
ତାଙ୍କ ଗ୍ରାମ ରାୱାନ୍ୱାଡି, ଯାହାର ଜନସଂଖ୍ୟା ୫୪୨(ସେନ୍ସସ୍୨୦୧୧),ରେ କୃଷକମାନେ ସେମାନଙ୍କ ଜମିରେ ଥିବା ତଳିଘରାରେ ଜୁନ୍ ମାସର ପ୍ରଥମାର୍ଦ୍ଧରେ ମୌସୁମୀ ଆସିବ ବୋଲି ତଳି ବୁଣିଥାନ୍ତି। ଏକାଧିକ ଥର ଭାରି ବର୍ଷା ହୋଇସାରିବା ପରେ, ଯେତେବେଳେ ଶିଆର ଚାରିପାଖରେ କାଦୁଅ ପାଣି ଜମିବାକୁ ଆରମ୍ଭ ହୁଏ, ସେତେବେଳେ ସେମାନେ ଏହି ୩-୪ ସପ୍ତାହର ତଳିଗୁଡ଼ିକୁ ସେମାନଙ୍କ ଜମିକୁ ସ୍ଥାନାନ୍ତରଣ କରି ସେଠାରେ ରୋପଣ କରିଥାନ୍ତି।
ଚଳିତ ବର୍ଷ କିନ୍ତୁ ମୌସୁମୀ ଏହାର ସ୍ୱାଭାବିକ ଆଗମନ ସମୟଠାରୁ ଛଅ ସପ୍ତାହ ବିଳମ୍ବରେ, ଜୁଲାଇ ୨୦ପର୍ଯ୍ୟନ୍ତ ସକ୍ରିୟ ନହେବାରୁ, ରାୱନ୍ୱାଡିରେ ବର୍ଷା ହୋଇନି। ଯାହା କେବଳ ଦୁଇଥର ଝିପିଝିପି ବର୍ଷା ହୋଇଛି, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଭୋଙ୍ଗାଡେ କୁହନ୍ତି । ଯେଉଁ ଚାଷୀମାନଙ୍କର କୂଅ ଅଛି ସେମାନେ କୌଣସି ପ୍ରକାରେ ଧାନ ଫସଲକୁ ପାଣି ମଡ଼ାଉଛନ୍ତି । ଅଧିକାଂଶ ଚାଷ ଜମିରେ ଆଉ କୌଣସି କାର୍ଯ୍ୟର ସୁଯୋଗ ନଥିବାରୁ, ଭୂମିହୀନ ଶ୍ରମିକମାନେ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଗ୍ରାମ ଛାଡି ଅନ୍ୟଆଡ଼େ ଚାଲିଗଲେଣି ।
*****
ଏଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଗରଡା ଜାଙ୍ଗ୍ଲି ଗ୍ରାମର ଲକ୍ଷ୍ମଣ ବନ୍ତେ ମଧ୍ୟ ଗତ କିଛି ବର୍ଷ ହେବ ଏହି ସଙ୍କଟର ସାମ୍ନା କରୁଛନ୍ତି । ଜୁନ ଓ ଜୁଲାଇରେ ବର୍ଷା ହୋଇନି ବୋଲି ସେ କୁହନ୍ତି, ସେଠାରେ ଥିବା ଅନ୍ୟ ଚାଷୀମାନେ ସେମାନଙ୍କ ମୁଣ୍ଡ ହଲାଇ ସହମତି ପ୍ରକାଶ କଲେ । ଏପରିକି ଗତ ୨-୩ ବର୍ଷ ମଧ୍ୟରେ ନିଶ୍ଚିତ ଭାବେ ଅନ୍ୟୁନ ଗୋଟିଏ ଥର ସେମାନଙ୍କ ଖରିଫ୍ ଫସଲ ପ୍ରାୟ ନଷ୍ଟ ହୋଇଛି ।
ବନ୍ତେ, ଯାହାର ବୟସ ୫୦ ପାଖାପାଖି ହେବ, ତାଙ୍କ ପିଲାଦିନରେ ଏହା ଏପରି ନଥିଲା ବୋଲି ମନେପକାନ୍ତି । ଲଗାତର ବର୍ଷା ହେଉଥିଲା, ଧାନ ଫସଲ ମଧ୍ୟ ସବୁବେଳେ ଭଲ ହେଉଥିଲା ।
କିନ୍ତୁ ୨୦୧୯ରେ ନୂଆ ଶୈଳୀ ଯୋଗୁଁ ପୁଣିଥରେ ଫସଲ ନଷ୍ଟ ହୋଇଛି । ଚାଷୀମାନଙ୍କ ଉତ୍କଣ୍ଠା ବଢିଯାଇଛି । “ଖରିଫ୍ରେ ମୋର ଜମି ପୁଣି ପଡିଆ ପଡିବ,” ବୋଲି ଭୟଭୀତ ହୋଇ ନାରାୟଣ ଉଇକେ କୁହନ୍ତି (ଚଟାଣ ଉପରେ ବସି : ପ୍ରଚ୍ଛଦ ଫଟୋ ଦେଖନ୍ତୁ) । ତାଙ୍କର ବୟସ ୭୦ରୁ ଅଧିକ ହେବ ଓ ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ତାଙ୍କର ୧.୫ ଏକର ଜମିରେ ଚାଷ କାମ କରିଆସୁଛନ୍ତି ଓ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଜଣେ ଶ୍ରମିକ ଭାବେ କାମ କରି ବିତେଇଛନ୍ତି । “୨୦୧୭ରେ, ୨୦୧୫ରେ ମଧ୍ୟ ଏଥିରେ ଚାଷ କାମ ହୋଇପାରିନଥିଲା,” ବୋଲି ସେ ମନେପକାନ୍ତି । “ଏପରିକ ଗତ ବର୍ଷ ମଧ୍ୟ ଡେରିରେ ବର୍ଷା ହେବାରୁ ମୋର ବୁଣିବା କାମ ବିଳମ୍ବ ହୋଇଥିଲା ।’’ ଏହି ବିଳମ୍ବ ଯୋଗୁଁ ଉତ୍ପାଦନ ଓ ଆୟ ଉଭୟ ହ୍ରାସ ପାଉଛି ବୋଲି ଉଇକେ କୁହନ୍ତି । ଚାଷୀମାନେ ବୁଣିବା କାମ ପାଇଁ ଶ୍ରମିକମାନଙ୍କୁ ନିଯୁକ୍ତ କରିପାରୁନାହାନ୍ତି, ଯାହା ଫଳରେ ମଜୁରୀ ବିନିମୟରେ କୃଷି କାର୍ଯ୍ୟର ସୁଯୋଗ ମଧ୍ୟ କମିଯାଉଛି ।
ଗରଡା ଜାଙ୍ଗ୍ଲି ହେଉଛି ଭଣ୍ଡାରା ସହର ଠାରୁ ପ୍ରାୟ ୨୦କିଲୋମିଟର ଦୂରତାରେ ଅବସ୍ଥିତ ଭଣ୍ଡାରା ତାଲୁକା ଓ ଜିଲ୍ଲା ଅନ୍ତର୍ଗତ ୪୯୬ ଲୋକସଂଖ୍ୟା ବିଶିଷ୍ଟ ଏକ ଛୋଟ ଗ୍ରାମ । ରାୱନ୍ୱାଡି ପରି ଏଠାରେ ମଧ୍ୟ ଅଧିକାଂଶ ଚାଷୀ ଛୋଟ ପ୍ଲଟ୍ ବା ଜମିର ଅଧିକାରୀ- ଏକ ଓ ଚାରି ଏକର୍ ମଧ୍ୟରେ – ଓ ଜଳସେଚନ ପାଇଁ ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି । ବର୍ଷା ନାହିଁ ତ ଚାଷ ନାହିଁ , ବୋଲି ଜଣେ ଗଣ୍ଡ ଆଦିବାସୀ ଉଇକେ କୁହନ୍ତି ।
ଚଳିତ ବର୍ଷ ଜୁଲାଇ ୨୦ ସୁଦ୍ଧା, ତାଙ୍କ ଗ୍ରାମର ପ୍ରାୟ ଅଧିକାଂଶ ଜମିରେ ବୁଣିବା କାର୍ଯ୍ୟ ଏ ପର୍ଯ୍ୟନ୍ତ ସ୍ଥଗିତ ରହିଛି, ଯେତେବେଳେକି ତଳିଜମିରେ ଥିବା ତଳିଗୁଡିକ ଶୁଖବା ଆରମ୍ଭ ହେଲାଣି ।
କିନ୍ତୁ ଦୁର୍ଗାବାଇ ଦିଘୋର୍ଙ୍କ ଜମିରେ, ଅଧା-ବଢିଥିବା ଗଛଗୁଡିକୁ ଅନ୍ୟ ସ୍ଥାନରେ ନେଇ ପୋତିବା କାମ ଜୋର୍ସୋର୍ରେ ଚାଲିଛି । ସେଠାରେ ତାଙ୍କ ପାରିବାରିକ ଭୂମିରେ ଏକ ଗଭୀର ନଳକୂପ ଅଛି । ଗରଡ଼ା ଗ୍ରାମରେ କେବଳ ଚାରି ବା ପାଞ୍ଚ ପରିବାର ପାଖରେ ଏହି ସୁବିଧା ଉପଲବ୍ଧ ଅଛି । ତାଙ୍କର ୮୦ଫୁଟ ଗଭୀରତା ବିଶିଷ୍ଟ କୂଅ ଶୁଖିଯିବା ପରେ, ଦିଘୋର୍ମାନେ ଦୁଇ ବର୍ଷ ତଳେ ସେହି କୂଅ ଭିତରେ ଏକ ଗଭୀର ନଳକୂପ ଖନନ କଲେ, ଯାହା ୧୫୦ଫୁଟ ଗଭୀରତା ପର୍ଯ୍ୟନ୍ତ ଯାଇଛି । ୨୦୧୮ରେ ଏହା ମଧ୍ୟ ଶୁଖିଯିବା ପରେ, ସେମାନେ ଆଉ ଗୋଟିଏ ଖନନ କଲେ ।
ବନ୍ତେ କୁହନ୍ତି ଏଠାରେ ଗଭୀର ନଳକୂପର ପ୍ରଚଳନ ଏବେ ଆରମ୍ଭ ହୋଇଛି, କିଛି ବର୍ଷ ପୂର୍ବେ ଏଠାରେ ଏହା ପ୍ରାୟତଃ ଦେଖାଯାଉନଥିଲା । “ଅତୀତରେ, ଏଠାକୁ ଗଭୀର ନଳକୂପ ଆଣିବାର ଆବଶ୍ୟକତା କେହି ଅନୁଭବ କରୁନଥିଲେ (କୂଅ),” ବୋଲି ସେ କୁହନ୍ତି । “ବର୍ତ୍ତମାନ ଏଠାରେ ପାଣି ମିଳିବା କଷ୍ଟକର ହୋଇଗଲାଣି, ବର୍ଷା ବିଶ୍ୱାସ ଯୋଗ୍ୟ ନୁହେଁ, ଏଣୁ ଲୋକମାନେ ତାହା ଆଣୁଛନ୍ତି [ଗଭୀର ନଳକୂପ] ।’’
ଗ୍ରାମର ଚାରିଆଡେ ଥିବା ମାଲ୍ଗୁଜରୀ ପୋଖରୀଗୁଡିକ ମଧ୍ୟ ମାର୍ଚ୍ଚ ୨୦୧୯ରୁ ଶୁଖିଯାଇଛି, ବୋଲି ବନ୍ତେ କୁହନ୍ତି । ସାଧାରଣତଃ ଅତ୍ୟନ୍ତ ଶୁଖିଲା ମାସଗୁଡିକରେ ମଧ୍ୟ ଏଗୁଡିକରେ କିଛି ପରିମାଣର ପାଣି ଭର୍ତ୍ତି ହୋଇ ରହିଥାଏ । ସେ ଅନୁମାନ କରି ହୁଅନ୍ତି ଯେ ବୋଧହୁଏ ଗଭୀର ନଳକୂପର ସଂଖ୍ୟା ବଢିବା ଯୋଗୁଁ ଏହି ଟାଙ୍କିଗୁଡିକରୁ ଭୂତଳ ଜଳ ଅନ୍ୟ ଆଡେ ବହିଯାଉଛି ।
ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଏହି ପୋଖରୀଗୁଡିକ ୧୭ଶ ଶତାବ୍ଦୀର ଶେଷ ଭାଗ ଓ ୧୮ଶ ଶତାବ୍ଦୀର ମଧ୍ୟ ଭାଗ ମଧ୍ୟବର୍ତ୍ତୀ ସମୟରେ ସ୍ଥାନୀୟ ରାଜାଙ୍କ ତତ୍ତ୍ୱାବଧାନରେ ବିଦର୍ଭର ପଶ୍ଚିମରେ ଥିବା ଧାନ ଉତ୍ପାଦନକାରୀ ଜିଲ୍ଲାମାନଙ୍କରେ ନିର୍ମାଣ କରାଯାଇଥିଲା । ମହାରାଷ୍ଟ୍ର ପ୍ରଦେଶ ଗଠନ ହେବା ପରେ, ରାଜ୍ୟ ଜଳସେଚନ ବିଭାଗ ଏହି ବଡ଼ ବଡ଼ ପୋଖରୀଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲା, ଯେତେବେଳେକି ଜିଲ୍ଲା ପରିଷଦଗୁଡ଼ିକ ଅଧିନରେ ଛୋଟ ଛୋଟ ପୋଖରୀଗୁଡିକ ରହିଥିଲା । ଏହି ଜଳାଶୟଗୁଡିକ ସ୍ଥାନୀୟ ଗୋଷ୍ଠୀ ଦ୍ୱାରା ପରିଚାଳିତ ହୋଇଥାଏ ଓ ମାଛଚାଷ ଓ ଜଳସେଚନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଭଣ୍ଡାରା, ଚନ୍ଦ୍ରପୁର, ଗଡ୍ଚିରୋଲି, ଗୋଣ୍ଡିଆ ଓ ନାଗ୍ପୁର୍ ଜିଲ୍ଲାରେ ଏହିପରି ପ୍ରାୟ ୭୦୦୦ପୋଖରୀ ଅଛି କିନ୍ତୁ ଏଗୁଡିକ ମଧ୍ୟରୁ ଅଧିକାଂଶ ଦୀର୍ଘସମୟ ଧରି ଅବହେଳିତ ଓ ମରାମତି ଅଭାବରୁ ଖରାପ ଅବସ୍ଥାରେ ରହିଛି ।
ଅଧିକାଂଶ ଯୁବକ ପ୍ରବାସରେ ଚାଲିଯାଇଥିବା ବନ୍ତେ କହନ୍ତି- ଭଣ୍ଡାରା ସହର, ନାଗ୍ପୁର, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ରାୟପୁର ଓ ଅନ୍ୟ ସ୍ଥାନଗୁଡ଼ିକ – ସେଠାରେ ଟ୍ରକ୍ କ୍ଲିନର୍, ଯାଯାବର ଶ୍ରମିକ, କୃଷି ଶ୍ରମିକ ଭାବେ କାମ କରନ୍ତି ବା ଯେଉଁ କାମ ମିଳେ ତାହା କରନ୍ତି ।
କ୍ରମଶଃ ବଢୁଥିବା ଏହି ପ୍ରବାସ ଜନସଂଖ୍ୟାରେ ପ୍ରତିଫଳିତ ହେଉଛି: ମହାରାଷ୍ଟ୍ରର ଜନସଂଖ୍ୟା ୨୦୦୧ ରୁ ୨୦୧୧ ସେନ୍ସସ୍ ମଧ୍ୟରେ ୧୫.୯୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ, ଏହି ସମୟ ଅବଧିରେ ଭଣ୍ଡାରାର ଜନସଂଖ୍ୟା ମାତ୍ର ୫.୬୬ ବୃଦ୍ଧି ପାଇଛି । ଏଠାରେ ଲୋକମାନଙ୍କ ସହିତ ବାରମ୍ବାର କରାଯାଇଥିବା ଆଲୋଚନାରୁ ଏହାର ସମ୍ଭାବ୍ୟ କାରଣ ବିଷୟରେ ଯାହା ଜଣାପଡୁଛି ତାହା ହେଉଛି କୃଷିକାର୍ଯ୍ୟର ପୂର୍ବାନୁମାନ କରିବାରେ ଅସୁବିଧା, ଚାଷ ଜମିରେ କାର୍ଯ୍ୟ ସୁଯୋଗ ହ୍ରାସ ପାଇବା ଓ ଘରର କ୍ରମବର୍ଦ୍ଧିଷ୍ଣ ନିତିଦିନିଆ ଖର୍ଚ୍ଚ ତୁଲାଇବା ।
*****
ଭଣ୍ଡାରା ହେଉଛି ମୁଖ୍ୟତଃ ଏକ ଧାନ-ଉତ୍ପାଦନକାରୀ ଜିଲ୍ଲା, ଯାହାର ଚାଷଜମିଗୁଡ଼ିକ ଜଙ୍ଗଲ ସହିତ ଯୋଡ଼ି ହୋଇରହିଛି । ଏହାର ବାର୍ଷିକ ବୃଷ୍ଟିପାତ ହାର ୧,୨୫୦ମିମି ରୁ ୧,୫୦୦ମିମି ମଧ୍ୟରେ ରହିଛି (ସେଣ୍ଟ୍ରାଲ୍ ଗ୍ରାଉଣ୍ଡ ୱାଟର୍ ବୋର୍ଡର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି) । ଚିରସ୍ରୋତା ୱାନଗଙ୍ଗା ନଦୀ ଏହି ଜିଲ୍ଲାର ସାତଟି ତାଲୁକା ଦେଇ ପ୍ରବାହିତ ହେଉଛି । ଭଣ୍ଡାରରେ ଅନେକ ଋତୁ ଭିତ୍ତିକ ନଦୀ ଓ ପ୍ରାୟ ୧,୫୦୦ଟି ମାଲ୍ଗୁଜରୀ ପାଣି ପୋଖରୀ ରହିଥିବା ବିଦର୍ଭ ଇରିଗେସନ୍ ଡେଭଲପ୍ମେଣ୍ଟ କର୍ପୋରେସନ୍ରେ ଉଲ୍ଲେଖ କରାଯାଇଛି । ଭଣ୍ଡାରାର ଋତୁ ଭିତ୍ତିକ ପ୍ରବାସର ଏକ ଦୀର୍ଘ ଇତିହାସ ରହିଥିବା ବେଳେ ଏଠାରେ ପଶ୍ଚିମ ବିଦର୍ଭର କେତେକ ଜିଲ୍ଲାରେ ଯେଉଁ ହାରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି, ସେପରି ହେଉନାହିଁ ।
କେବଳ ୧୯.୪୮ ପ୍ରତିଶତ ସହରୀକରଣ ସହିତ, ଏହା ହେଉଛି ଛୋଟ ଓ ନାମମାତ୍ର ଚାଷୀମାନଙ୍କୁ ନେଇ ଗଠିତ ଏକ କୃଷି ଭିତ୍ତିକ ଜିଲ୍ଲା, ଯେଉଁମାନେ ସେମାନଙ୍କ ନିଜ ଜମିରେ ପରିଶ୍ରମ କରି ନିଜପାଇଁ ଅର୍ଥ ଉପାର୍ଜନ କରନ୍ତି । କିନ୍ତୁ ଏକ ସୁଦୃଢ ଜଳସେଚନ ବ୍ୟବସ୍ଥା ନଥିବା ଯୋଗୁଁ, ଏଠାରେ ଚାଷ କାର୍ଯ୍ୟ ମୁଖ୍ୟତଃ ବର୍ଷା-ଜଳ ଉପରେ ନିର୍ଭରଶୀଳ; ବର୍ଷା ଋତୁ ଶେଷ ହେବା ପରେ, ଅକ୍ଟୋବର୍ ପରେ କେବଳ କେତେକ ଚାଷଜମିକୁ ପୋଖରୀ ଜଳ ଯୋଗାଇବା ସମ୍ଭବ ହୋଇଥାଏ ।
ଏକାଧିକ ରିପୋର୍ଟରୁଏହା ଜଣାପଡିଛି ଯେ, ଭଣ୍ଡାରେ ଯେଉଁ ସ୍ଥାନରେ ଅବସ୍ଥିତ, ସେଠାରେ ବର୍ତ୍ତମାନ ଜୁନ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ଦୁର୍ବଳ ହେବା ଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରିଓଲୋଜି, ପୁଣେ ଦ୍ୱାରା ୨୦୦୯ରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ଢାଞ୍ଚା ବିଷୟରେ କୁହାଯାଇଛି । ୨୦୧୮ରେ ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଭଣ୍ଡାରା ଜିଲ୍ଲା ଜଳବାୟୁ ଦୃଷ୍ଟିରୁ ଭାରତର ୧୦ଟି ହଟ୍ସ୍ପଟ୍ ଭିତରେ ରହିଥିବା ଜଣାପଡିଛି । ଅନ୍ୟ ନଅଟି ଜିଲ୍ଲା ଏହାର ପାଖାପାଖି ଅଞ୍ଚଳରେ ଅବସ୍ଥିତ ଯାହା ବିଦର୍ଭ ଜିଲ୍ଲା, ଛତିଶଗଡ ଓ ମଧ୍ୟପ୍ରଦେଶରେ ରହିଛି, ସେସବୁ ହେଇଛି ମଧ୍ୟ ଭାରତର ଅଂଶ । ଏହି ଅଧ୍ୟୟନରେ କୁହାଯାଇଛି ଯେ ‘ଜଳବାୟୁ ହଟ୍ସ୍ପଟ୍’ ହେଉଛି ସେହି ଅବସ୍ଥିତି ଯେଉଁଠାରେ ଜଳବାୟୁରେ ହାରାହାରି ପରିବର୍ତ୍ତନ ଯୋଗୁଁ ସେଠାକାର ଜୀବନଧାରଣ ମାନ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ବର୍ତ୍ତମାନର ଦୃଶ୍ୟପଟ୍ଟ ଅପରିବର୍ତ୍ତନୀୟ ରହେ ତେବେ ଏଥିଯୋଗୁଁ ଏହି ହଟ୍ସ୍ପଟ୍ରେ ରହୁଥିବା ଲୋକମାନଙ୍କୁ ବଡ ଧରଣର ଅର୍ଥନୈତିକ ଧକ୍କା ଲାଗିବା ସମ୍ଭାବନା ରହିଛି ବୋଲି ଏହି ଅଧ୍ୟୟନ ମାଧ୍ୟମରେ ସତର୍କ କରାଯାଇଛି।
୨୦୧୮ରେ, ରିଭାଇଟାଲାଇଜିଂ ରେନ୍ଫେଡ୍ ଏଗ୍ରିକଲ୍ଚର୍ ନେଟ୍ୱର୍କ ଇଣ୍ଡିଆ ମେଟୋରୋଲୋଜିକାଲ୍ ଡିପାର୍ଟମେଣ୍ଟର ଡାଟା ଆଧାରରେ ମହାରାଷ୍ଟ୍ର ଉପରେ ଏକ ଫ୍ୟାକ୍ଟ-ସିଟ୍ ପ୍ରସ୍ତୁତ କରିଥିଲେ । ଏଥିରେ ବର୍ଣ୍ଣନା କରାଯାଇଛି ଯେ : ଏକ, ୨୦୦୦- ୨୦୧୭ ମଧ୍ୟରେ ବିଦର୍ଭର ପ୍ରାୟ ସମସ୍ତ ଜିଲ୍ଲାରେ ମରୁଡ଼ିର ପୁନଃପୌନିକତା ଓ ଗମ୍ଭୀରତା ବୃଦ୍ଧି ପାଇବାରେ ଲାଗିଛି । ଦୁଇ: ଦୀର୍ଘ କାଳୀନ ହାରାହାରି ବାର୍ଷିକ ବୃଷ୍ଟିପାତ ପ୍ରାୟତଃ ସ୍ଥିର ରହିଥିବା ବେଳେ ବର୍ଷା ଦିନର ଅବଧି ହ୍ରାସ ପାଇଛି । ଏହାର ଅର୍ଥ ଏହା ଯେ ଅଳ୍ପ ଦିନରେ ଏହି ଅଞ୍ଚଳରେ ସମାନ ପରିମାଣର ବୃଷ୍ଟିପାତ ହେଉଛି – ଓ ଏହା ଶସ୍ୟ ଉତ୍ପାଦନକୁ ପ୍ରଭାବିତ କରୁଛି ।
ଦ ଏନର୍ଜି ଓ ରିସୋର୍ସେସ ଇନ୍ଷ୍ଟିଚ୍ୟୁଟ୍ (ଟିଇଆର୍ଆଇ) ଦ୍ୱାରା ୨୦୧୪ରେ କରାଯାଇଥିବା ଏକ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ : “୧୯୦୧- ୨୦୦୩ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡୁଛି ଯେ ଜୁଲାଇ ମାସରେ ହେଉଥିବା ମୌସୁମୀ ବର୍ଷାର ପରିମାଣ ହ୍ରାସ ପାଇବାରେ ଲାଗିଛି [ସମଗ୍ର ରାଜ୍ୟରେ], ଯେତେବେଳେକି ଅଗଷ୍ଟ ମାସରେ ବୃଷ୍ଟିପାତର ପରିମାଣ ବୃଦ୍ଧି ପାଉଛି… ଅଧିକନ୍ତୁ, ମୌସୁମୀ ବୃଷ୍ଟିପାତ ସମୟରେ ଅତି ପ୍ରବଳ ବୃଷ୍ଟିପାତର ଅବଦାନ ଅଧିକ, ବିଶେଷକରି ଋତୁର ପ୍ରଥମାର୍ଦ୍ଧରେ (ଜୁନ୍ ଓ ଜୁଲାଇ) ।’’
ଆସେସିଂ କ୍ଲାଇମେଟ୍ ଚେଞ୍ଜ ଭଲ୍ନେରେବିଲିଟି ଓ ଆଡପ୍ସନ୍ ଷ୍ଟ୍ରାଟେଜିସ୍ ଫର୍ ମହାରାଷ୍ଟ୍ର: ମହାରାଷ୍ଟ୍ର ଷ୍ଟେଟ୍ ଆଡପ୍ସନ୍ ଆକ୍ସନ୍ ପ୍ଲାନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ,- ଶିରୋନାମା ଅଧିନରେ କରାଯାଇଥିବା ଏକ ଅଧ୍ୟୟନରେ ବିଦର୍ଭ ପାଇଁ ପ୍ରମୁଖ ବିପଦପୂର୍ଣ୍ଣ ପରିସ୍ଥିତି ବିଷୟରେ ଉଲ୍ଲେଖ କରାଯାଇଛି ଯାହା ହେଉଛି- “ଦୀର୍ଘଦିନ ଧରି ମରୁଡି ପରିସ୍ଥିତି ଜାରି ରହିବା, ସଦ୍ୟତମ ବୃଷ୍ଟିପାତ ପରିବର୍ତ୍ତନଶୀଳତା ବୃଦ୍ଧି ଓ ପରିମାଣ ହ୍ରାସ ପାଇବା (ବୃଷ୍ଟିପାତ)’’।
ଭଣ୍ଡାରା ସେହି ସମସ୍ତ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଯେଉଁଠାରେ ଅତି ପ୍ରବଳ ବୃଷ୍ଟିପାତର ହାର ୧୪ରୁ୧୮ପ୍ରତିଶତ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି (ବେସ୍ ଲାଇନ୍ ସହିତ ସଂପୃକ୍ତ) ଓ ଏଠାରେ ମୌସୁମୀ ଋତୁରେ ଶୁଖିଲା ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ, ବୋଲି ଏଥିରେ କୁହାଯାଇଛି । ଏହି ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ଯେ ନାଗ୍ପୁର୍ ଡିଭିଜନ୍ (ଯେଉଁଠାରେ ଭଣ୍ଡାରା ଅବସ୍ଥିତ)ର ହାରାହାରି ତାପମାତ୍ରା ୧.୧୮ ରୁ ୧.୪ ଡିଗ୍ରୀ (୨୦୩୦ ସୁଦ୍ଧା), ୧.୯୫ ରୁ ୨.୨ ବୃଦ୍ଧି ପାଇବ (୨୦୫୦ ସୁଦ୍ଧା) ଓ ୨.୮୮ ରୁ ୩.୧୬ (୨୦୭୦ ସୁଦ୍ଧା) ପର୍ଯ୍ୟନ୍ତ ବୃଦ୍ଧି ପାଇବ (ବାର୍ଷିକ ସର୍ବନିମ୍ନ ତାପମାତ୍ରା ୨୭.୧୯ଡିଗ୍ରୀ ଠାରୁ ଅଧିକ) । ଏହା ହେଉଛି ରାଜ୍ୟର ଯେକୌଣସି ଅଞ୍ଚଳ ପାଇଁ ସର୍ବୋଚ୍ଚ ତାପମାତ୍ରା ।
ଭଣ୍ଡାରା କୃଷି ଅଧିକାରୀମାନେ ମଧ୍ୟ ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ ସେମାନଙ୍କ ଜିଲ୍ଲାଗୁଡିକରେ ହେବାକୁ ଥିବା ପରିବର୍ତ୍ତନ ଲକ୍ଷ୍ୟ କରିପାରୁଛନ୍ତି ଯେଉଁ ଜିଲ୍ଲାଗୁଡିକୁ ଏଠାରେ ଥିବା ପାରମ୍ପରିକ ପୋଖରୀ, ନଦୀ ଓ ପର୍ଯ୍ୟାପ୍ତ ବୃଷ୍ଟିପାତ ଯୋଗୁଁ ବର୍ତ୍ତମାନ ମଧ୍ୟ ସରକାରୀ ଆଲେଖ୍ୟ ଓ ଜିଲ୍ଲା ଯୋଜନାରେ ଏକ ‘ଉନ୍ନତ-ଜଳସେଚିତ’ ଅଞ୍ଚଳ ବର୍ଗ ଅଧିନରେ ରଖାଯାଇଛି । “ଅନ୍ୟ ଜିଲ୍ଲା ତୁଳନାରେ ଏଠାରେ ଯଥେଷ୍ଟ ବିଳମ୍ବରେ ବର୍ଷା ଆରମ୍ଭ ହେବାର ଏକ ସ୍ଥିର ଧାରା ସୃଷ୍ଚି ହୋଇଥିବା ଆମେ ଦେଖିପାରୁଛୁ” ବୋଲି ଭଣ୍ଡାରାର ଡିଭିଜନାଲ୍ ସୁପରିଇଣ୍ଟେଣ୍ଡିଂ ଏଗ୍ରୀକଲ୍ଚର୍ ଅଫିସର୍ ମିଲିନ୍ଦ ଲାଡ୍ କୁହନ୍ତି । “ଆମର ଏଠାରେ ବର୍ଷା ଦିନ ୬୦- ୬୫ଦିନ ବିଶିଷ୍ଟ ହେଉଥିଲା କିନ୍ତୁ ଗତ ଏକ ଦଶନ୍ଧି ବା ଅଧିକ ସମୟ ହେବ, ଏହି ସମୟ ଅବଧି ହ୍ରାସ ପାଇ ଜୁନ୍-ସେପ୍ଟେମ୍ବର ମଧ୍ୟରେ ୪୦ -୪୫ ଦିନରେ ପହଞ୍ଚିଛି ।’’ ଚଳିତ ବର୍ଷ ଭଣ୍ଡାରାର କେତେକ ସର୍କଲ-୨୦ରେଭେନ୍ୟୁ ଗ୍ରାମ ବିଶିଷ୍ଟ ଏକ କ୍ଲଷ୍ଟରରେ ଜୁନ୍ ଓ ଜୁଲାଇ ମାସରେ ମାତ୍ର ୬- ୭ଦିନ ବର୍ଷା ହୋଇଥିବା ସେ ନିରୀକ୍ଷଣ କରିଛନ୍ତି ।
“ଯଦି ମୌସୁମୀ ଆସିବାରେ ବିଳମ୍ବ ହୁଏ ତେବେ ଆପଣ ଉତ୍ତମ ଗୁଣବତ୍ତା ଯୁକ୍ତ ଧାନ ଚାଷ କରିପାରିବେନି,” ବୋଲି ଲାଡ୍ କୁହନ୍ତି। “ତଳିଜମିରେ ୨୧-ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବା ପରେ ଯଦି ତଳିଗୁଡିକୁ ଏଠାରୁ ସ୍ଥାନାନ୍ତରିତ କରି ଅନ୍ୟ ସ୍ଥାନରେ ରୋପଣ କରାନଯାଏ ତେବେ ହେକ୍ଟର୍ ପିଛା ପ୍ରତିଦିନ ଉତ୍ପାଦନ ୧୦କେଜି କମିଯାଏ’’।
ଛଟାବୁଣା ପରି ପାରମ୍ପରିକ ପଦ୍ଧତି – ଯେଉଁଥିରେ ପ୍ରଥମେ ତଳିଜମି ପ୍ରସ୍ତୁତ କରିବା ପରିବର୍ତ୍ତେ ବୀଜଗୁଡିକୁ ମାଟି ଉପରେ ଛାଟି ଦିଆଯାଏ ଓ ପରେ ତଳିକୁ ସ୍ଥାନାନ୍ତରିତ କରାଯାଏ – ଏହି ପଦ୍ଧତି ପୁଣିଥରେ ଜିଲ୍ଲାରେ ପ୍ରତ୍ୟାବର୍ତ୍ତନ କରୁଛି । କିନ୍ତୁ ଛଟା ବୁଣା ପଦ୍ଧତିରେ ଅଙ୍କୁରୋଦ୍ଗମ ମନ୍ଥର ଗତିରେ ହେଉଥିବାରୁ, ଏଥିରେ ସ୍ଥାନାନ୍ତର ପଦ୍ଧତି ତୁଳନାରେ ଉତ୍ପାଦନ କମ୍ ହୋଇଥାଏ । ପ୍ରାଥମିକ ସ୍ତରରେ ବର୍ଷା ନହେବା ଯୋଗୁଁ ତଳିଜମିରେ ତଳି ନବଢିଲେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି, ଏଭଳି ସ୍ଥିତିରେ ଛଟାବୁଣା ପ୍ରୟୋଗ କଲେ ଚାଷୀମାନଙ୍କୁ କେବଳ ଆଂଶିକ କ୍ଷତି ସହିବାକୁ ପଡେ ।
“ପଶ୍ଚିମ ବିଦର୍ଭରେ ସ୍ଥାନୀୟ ବୀଜଗୁଡିକର ସଂରକ୍ଷଣ କରିବା ପାଇଁ ଧାନ ଚାଷୀମାନଙ୍କ ସହିତ କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ- ଭଣ୍ଡାରା ଗ୍ରାମୀଣ ୟୁବ ପ୍ରାଗତିକ ମଣ୍ଡଳ, ଭଣ୍ଡାରାର ଚେୟାର୍ମେନ୍ ଅଭିଲ୍ ବୋର୍କର୍ କୁହନ୍ତି ଯେ “ଧାନ ଫସଲ ଭଲ ହେବା ପାଇଁ ଜୁନ୍-ଜୁଲାଇରେ ତଳି ପକାଯିବା ବେଳେ ଓ ତଳିଗୁଡିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ବେଳେ ଭଲ ବର୍ଷା ହେବା ଆବଶ୍ୟକ । ମୌସୁମୀ ବଦଳୁଥିବା ସେ ଲକ୍ଷ୍ୟ କରିପାରୁଛନ୍ତି । ଛୋଟ ଛୋଟ ପରିବର୍ତ୍ତନ ଯୋଗୁଁ ହେଉଥିବା ସମସ୍ୟା ଲୋକମାନେ ଦୂର କରିପାରିବେ । “ତେବେ ବର୍ଷା ନହେଲେ- ସେମାନେ କିଛି କରିପାରିବେ ନାହିଁ ।’’
*****
ଜୁଲାଇ ଶେଷ ବେଳକୁ, ଭଣ୍ଡାରାରେ ଅଧିକ ପରିମାଣରେ ବର୍ଷା ହେଲା । ତେବେ ସେତେବେଳକୁ ଖରିଫ୍ ଋତୁ ପାଇଁ ଧାନ ବୁଣା ପ୍ରଭାବିତ ହୋଇସାରିଥିଲା – ଜିଲ୍ଲାରେ ଜୁଲାଇ ଶେଷ ବେଳକୁ କେବଳ ୧୨ପ୍ରତିଶତ ବୁଣିବା କାମ ସରିଥିଲା, ବୋଲି ମିଲିନ୍ଦ ଲାଡ୍, ଡିଭିଜନାଲ୍ ସୁପରିଣ୍ଟେଣ୍ଡିଂ ଏଗ୍ରୀକଲ୍ଚରାଲ୍ ଅଫିସର୍ କହନ୍ତି । ଖରିଫ୍ ଋତୁରେ ଭଣ୍ଡାରାର ୧.୨୫ଲକ୍ଷ ହେକ୍ଟର ଚାଷ ଉପଯୋଗୀ ଜମିରେ ମୁଖ୍ୟତଃ ଧାନ ଚାଷ କରାଯାଏ ବୋଲି ସେ କହିଲେ ।
ଅନେକ ମାଲ୍ଗୁଜାରୀ ପୋଖରୀଗୁଡ଼ିକ ଯାହା ମତ୍ସ୍ୟଜୀବୀମାନଙ୍କୁ ବଞ୍ଚେଇ ରଖିଛି, ତାହା ମଧ୍ୟ ଶୁଖିଯାଇଛି । ଗ୍ରାମବାସୀ ଯେଉଁ ଗୋଟିଏ ବିଷୟରେ କଥା ହେଉଥିବା ଶୁଣାଯାଉଛି ତାହା ହେଉଛି ପାଣି । ଚାଷଜମି ହେଉଛି ନିଯୁକ୍ତି ପାଇବାର ଏକମାତ୍ର ଠିକଣା । ବର୍ଷାର ପ୍ରଥମ ଦୁଇ ମାସରେ, ଏଠାରେ ଥିବା ଲୋକମାନଙ୍କ କହିବା ଅନୁଯାୟୀ, ଭଣ୍ଡାରାରେ ଭୂମିହୀନଙ୍କ ପାଇଁ କର୍ମ ନିୟୋଜନର କୌଣସି ସୁଯୋଗ ସୃଷ୍ଟି ହୋଇପାରିନି ଓ ବର୍ତ୍ତମାନ ଯଦି ବର୍ଷା ହୁଏ, ତେବେ କୌଣସି ସୁଫଳ ମିଳିପାରିବନି ଯେହେତୁ ଖରିଫ୍ ପାଇଁ ଚାରା ରୋପଣ କରାଯିବା ପ୍ରକ୍ରିୟା ଏତେ ପରିମାଣରେ ବାଧାପ୍ରାପ୍ତ ହୋଇଛି ଯାହାକୁ ସଜାଡିବା କଷ୍ଟକର ।
ଏକର ପରେ ଏକର, ଆପଣ କେବଳ ଖାଲି ପଡିଥିବା ପଡିଆ ଜମି ଦେଖିପାରିବେ-ମାଟିଆ, କର୍ଷିତ ମାଟି ଯାହା ତାତି ଓ ଆର୍ଦ୍ରତାର ଅଭାବ ଯୋଗୁଁ ଶକ୍ତ ହୋଇଯାଇଛି, ପୋଡି ଯାଇଥିବା ହଳଦିଆ-ସବୁଜ ରଙ୍ଗର ତଳି-ଶେଯ ସବୁ ଇତଃସ୍ତତ ହୋଇ ବିକ୍ଷିପ୍ତ ଭାବେ ପଡି ରହିଛି, ଯେଉଁଠି ଧାନଗଛଗୁଡିକ ଝାଉଁଳି ଯାଇଛି । କେତେକ ତଳିଜମି ଯାହା ସବୁଜ ଦେଖାଯାଉଛି ସେଥିରେ ଚାଷୀମାନେ ବିହ୍ୱଳ ହୋଇ ସାର ଛିଞ୍ଚିଛନ୍ତି ଯାହା ସେଗୁଡିକୁ କିଛି ସମୟ ପାଇଁ ସତେଜ କରି ରଖିବ ।
ଗରଡା ଓ ରାୱନ୍ୱାଡି ବ୍ୟତୀତ ଭଣ୍ଡାରାର ଧର୍ଗାଓଁ ସର୍କଲ୍ର ପ୍ରାୟ ୨୦ଟି ଗ୍ରାମରେ ମଧ୍ୟ ଚଳିତ ବର୍ଷ ଭଲ ବର୍ଷା ହୋଇନି ବୋଲି ଲାଡ୍ କୁହନ୍ତି – ଓ ଗତ ଦୁଇ ବର୍ଷରେ ମଧ୍ୟ । ବୃଷ୍ଟିପାତ ତଥ୍ୟରୁ ଏହା ଜଣାପଡେ ଯେ ଭଣ୍ଡାରାରେ ଜୁନ୍ରୁ ଅଗଷ୍ଟ ୧୫, ୨୦୧୯ ମଧ୍ୟରେ ୨୦ପ୍ରତିଶତ ଅଭାବି ବର୍ଷା ହୋଇଛି ଓ ଜୁଲାଇ ୨୫ପରେ ଏଠାରେ ୭୩୬ ମିମି ବର୍ଷା (ଏହି ସମୟ ଅବଧିରେ ସବୁଠାରୁ ଲମ୍ବା ସମୟ ହୋଇଥିବା ହାରାହାରି ବୃଷ୍ଟିପାତ ୮୫୨ମିମି ରେଜିଷ୍ଟର ହୋଇଛି ) । ଅଗଷ୍ଟ ମାସର ପ୍ରଥମ ପନ୍ଦର ଦିନରେ, ଏହି ଜିଲ୍ଲାରେ ବଡ ଧରଣର ଅଭାବରୁ ଉଦ୍ଧାର ପାଇଥିଲା ।
ଅଧିକନ୍ତୁ, ସବୁ ସ୍ଥାନରେ ସମାନ ଭାବେ ବର୍ଷା ହୋଇନି, ଭାରତୀୟ ପାଣିପାଗ ବିଭାଗ ଡାଟାରୁ ଏହା ଜଣାପଡିଛି ଯେ ଉତ୍ତରରେ ଅବସ୍ଥିତ ତୁମ୍ସାର୍ରେ ଭଲ ବର୍ଷା ହୋଇଛି; କେନ୍ଦ୍ରରେ ଥିବା ଧର୍ଗାଓଁରେ ଅଭାବ ଦେଖାଦେଇଛି; ଓ ଦକ୍ଷିଣରେ ପାଉନିରେ କେତେକ ସମୟରେ ଭଲ ବର୍ଷା ହୋଇଛି ।
ତେବେ ମେଟ୍ ଡାଟାରେ ଏଠାରେ ଲୋକମାନେ କରୁଥିବା ସୂକ୍ଷ୍ମ-ପର୍ଯ୍ୟବେକ୍ଷଣ ପ୍ରତିଫଳିତ ହୁଏନାହିଁ: ଯେପରିକି ବର୍ଷା ଅଳ୍ପ ସମୟ ପାଇଁ ହୋଇଥାଏ, ବେଳେବେଳେ କିଛି ମିନିଟ ପାଇଁ କିନ୍ତୁ ପ୍ରବଳ ବେଗରେ, ଯେତେବେଳେକି ବର୍ଷା-ମାପ କରାଯାଉଥିବା ଷ୍ଟେସନ୍ରେ ପୂରାଦିନ ପାଇଁ ବୃଷ୍ଟିପାତ ରେଜିଷ୍ଟର୍ କରାଯାଇଥାଏ ।
ଅଗଷ୍ଟ ୧୪ରେ, ଜିଲ୍ଲା କଲେକ୍ଟର୍, ଡ. ନରେଶ ଗୀତେ, ସମସ୍ତ ବୀମା କମ୍ପାନିକୁ ଚଳିତ ବର୍ଷ ନିଜ ଜମିର ୭୫ ପ୍ରତିଶତ ଭାଗରେ ବୁଣି ପାରିନଥିବା ଚାଷୀମାନଙ୍କ କ୍ଷତି ଭରଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ଆକଳନରୁ ଏହିପରି ଚାଷୀଙ୍କ ସଂଖ୍ୟା ୧.୬୭ଲକ୍ଷ ହୋଇଥିବା ଜଣାପଡିଛି, ଯାହାର ବୁଣା ଯାଇନଥିବା ସାମୂହିକ ଅଞ୍ଚଳ ୭୫, ୪୪୦ହେକ୍ଟର ଅଟେ ।
ସେପ୍ଟେମ୍ବର ସୁଦ୍ଧା, ଭଣ୍ଡାରାରେ ୧,୨୩୭.୪ ମିଲିମିଟର ବା ଏହି ସମୟ ପାଇଁ ଏହାର ଦୀର୍ଘ-କାଳୀନ (୧୨୮୦. ୨ ମିମିରୁ) ବାର୍ଷିକ ହାରାହାରି ବର୍ଷା ୯୬.୭ ହୋଇଥିବା ରେକର୍ଡ ହୋଇଛି । ଜୁନ-ଜୁଲାଇର ବର୍ଷା ଉପରେ ନିର୍ଭରଶୀଳ ଖରିଫ୍ ଫସଲ କ୍ଷତିଗ୍ରସ୍ତ ହେବାପରେ ସର୍ବାଧିକ ବର୍ଷା ଅଗଷ୍ଟ ଓ ସେପ୍ଟେମ୍ବରେ ହୋଇଛି । ରାୱନ୍ୱାଡି, ଗରଡା ଜାଙ୍ଗ୍ଲି ଓ ୱାକେଶ୍ୱରରେ ଥିବା ମାଲ୍ଗୁଜରୀ ପୋଖରୀଗୁଡିକ ବର୍ଷା ପାଣିରେ ଭର୍ତ୍ତି ହୋଇଗଲା । ଅନେକ ଚାଷୀ ଅଗଷ୍ଟ ପ୍ରଥମ ସପ୍ତାହରେ ପୁଣି ଥରେ ବୁଣିବାକୁ ପ୍ରୟାସ କଲେ, କିଛି ଚାଷୀ ଶୀଘ୍ର ଉତ୍ପାଦନ ହେଉଥିବା କିଷମର ବିହନ ଜମିରେ ଏଣେତେଣେ ଫିଙ୍ଗି ବୁଣିବାକୁ ଚେଷ୍ଟା କଲେ । ଉତ୍ପାଦନ ହାର କମିପାରେ ଓ ଅମଳ ସମୟ ନଭେମ୍ବର ଶେଷ ପର୍ଯ୍ୟନ୍ତ ଘୁଞ୍ଚିପାରେ ।
*****
ଜୁଲାଇରେ ଉଭୟ ମାରୋତି ୬୬ ଓ ନିର୍ମଳା ମହାସ୍କେ ୬୨ଅସୁବିଧା ସମ୍ମୁଖୀନ ହୋଇଥିଲେ । ବର୍ଷାର ପୂର୍ବାନୁମାନ କରିନପାରିଲେ ବଞ୍ଚିବା କଷ୍ଟକର ହୋଇଯାଏ ବୋଲି ସେମାନେ କହନ୍ତି । ପୂର୍ବର ଶୈଳୀ ଅନ୍ତର୍ଗତ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ହେଉଥିଲା – ଯାହା ଲଗାତର ୪ ବା ୫ବା ୭ ଦିନ ପର୍ଯ୍ୟନ୍ତ ଚାଲୁଥିଲା, କିନ୍ତୁ ବର୍ତ୍ତମାନ ସେପରି ହେଉନି । ବର୍ତ୍ତମାନ, ସେମାନେ କହନ୍ତି, ଅଳ୍ପ ସମୟ ପାଇଁ ପ୍ରବଳ ବର୍ଷା ହେଉଛି – ଅଳ୍ପ ଘଣ୍ଟା ପାଇଁ ଖୁବ୍ ଜୋର୍ରେ ବର୍ଷା ହେଉଛି, ଯାହାର ମଝିରେ ଲମ୍ବା ସମୟ ପର୍ଯ୍ୟନ୍ତ ଶୁଷ୍କତା ଓ ତାତି ଅନୁଭବ ହେଉଛି ।
ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ହେବ, ସେମାନେ ମୃଗ ନକ୍ଷତ୍ରରେ ବା ଜୁନ୍ ଆରମ୍ଭରୁ ଜୁଲାଇ ଆରମ୍ଭ ମଧ୍ୟରେ ଭଲ ବର୍ଷା ଦେଖିନାହାନ୍ତି । ଏହା ହେଉଛି ସେହି ସମୟ ଯେତେବେଳେ ସେମାନେ ସେମାନଙ୍କ ଧାନ ତଳିଘରାରେ ବିହନ ବୁଣିଥାନ୍ତି ଓ ୨୧ଦିନର ସେହି ଗଛଗୁଡିକୁ ସେଠାରୁ ସ୍ଥାନାନ୍ତରିତ କରି ହିଡ ଦ୍ୱାରା ଆବଦ୍ଧ ତଥା ପାଣି ଭର୍ତ୍ତି ହୋଇଥିବା ଏକ ପ୍ଲଟ୍ରେ ରୋପଣ କରିଥାନ୍ତି । ଅକ୍ଟୋବର୍ ଶେଷ ବେଳକୁ ସେମାନଙ୍କ ଧାନ ଫସଲ ଆଦାୟ ପାଇଁ ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ସେମାନଙ୍କୁ ନଭେମ୍ବର, ଓ ବେଳେବେଳେ ଡିସେମ୍ବର ପର୍ଯ୍ୟନ୍ତ ଧାନ ଅମଳ କରିବା ପାଇଁ ଅପେକ୍ଷା କରିବାକୁ ପଡୁଛି । ବିଳମ୍ବିତ ବର୍ଷା ଯୋଗୁଁ ଏକର ପିଛା ଆଦାୟ ପରିମାଣ ମଧ୍ୟ କମୁଛି ଓ ଦୀର୍ଘ-କାଳୀନ ଉତ୍ତମ-ଗୁଣବତ୍ତା ଯୁକ୍ତ ଧାନର କିସମ ଫସଲ କରିବା ବିକଳ୍ପଗୁଡିକୁ ସୀମିତ କରିଦେଉଛି ।
ମୁଁ ଯେତେବେଳେ ତାଙ୍କ ଗ୍ରାମ ୱାକେଶ୍ୱର ପରିଦର୍ଶନରେ ଯାଇଥିଲି, ସେତେବେଳେ ନିର୍ମଳା କହିଲେ ଯେ “ଏହି ସମୟ (ଜୁଲାଇ ଶେଷ)ରେ,’’ “ଆମେ ଆମର ତଳିଗୁଡିକୁ ସ୍ଥାନାନ୍ତର କରିବା କାମ ଶେଷ କରିଦେଉ” । ଅନ୍ୟାନ୍ୟ ଚାଷୀମାନଙ୍କ ଭଳି, ମହାସ୍କେ ମଧ୍ୟ ବର୍ଷାକୁ ଜଗିଛନ୍ତି ଯାହାଫଳରେ ଗଛଗୁଡିକୁ ତାଙ୍କ ଜମିରେ ବିଛାଯାଇ ପାରିବ । ଦୁଇ ମାସ ପର୍ଯ୍ୟନ୍ତ, ସେମାନଙ୍କ ଜମିରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ କୌଣସି କାମ ନଥିଲା, ବୋଲି ସେ କୁହନ୍ତି।
ମହାସ୍କେଙ୍କ ଘର ଆଗରେ ଥିବା ଦୁଇ-ଏକର ଜମିରେ ସେ ପନିପରିବା ଓ ସ୍ଥାନୀୟ କିସମର ଧାନ ଚାଷ କରନ୍ତି । ପରିବାର ପାଖରେ ୧୫ଏକର ଜମି ଅଛି । ତାଙ୍କର ଏହି ଗ୍ରାମରେ, ମାରୋତି ମହାସ୍କେଙ୍କୁ ବୁଝି ବିଚାରି ଫସଲ ପାଇଁ ଯୋଜନା ପ୍ରସ୍ତୁତ କରିବା ଓ ପ୍ରଚୁର ପରିମାଣରେ ଉତ୍ପାଦନ କରିବା ପାଇଁ ସମସ୍ତେ ଜାଣନ୍ତି । କିନ୍ତୁ ବର୍ଷାର ଢାଞ୍ଚାରେ ହେଉଥିବା ପରିବର୍ତ୍ତନ, ଏନେଇ ବୃଦ୍ଧି ପାଉଥିବା ଅନିଶ୍ଚିତତା, ଚାରିଆଡେ ଅସମାନ ବର୍ଷା ଆଦି ଯୋଗୁଁ ସେମାନେ ବାନ୍ଧି ହୋଇଯାଇଛନ୍ତି । “ଯଦି ଆପଣ କେବେ ଓ କେତେ ପରିମାଣର ବର୍ଷା ହେବ ତାହା ଜାଣି ପାରିବେ ନାହିଁ” ତେବେ ଆପଣ କିଭଳି ଭାବେ କୌଣସି ଫସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ।
ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।
ଏହି ଆଲେଖ୍ୟକୁ ପୁଣି ଥରେ ପ୍ରକାଶ କରିବାକୁ ଚାହୁଁଛନ୍ତି? ଦୟାକରି zahra@ruralindiaonline.orgକୁ ଲେଖନ୍ତୁ ଓ namita@ruralindiaonline.org କୁ ସିସି ରଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍