ରାଣୀ ମହତୋ ଦୁଇଦିନ ପୂର୍ବେ ସୁରକ୍ଷିତ ଭାବେ ପ୍ରସବ କରିଥିବା ଶିଶୁକୁ ନେଇ ଗୋଟିଏ ପାଖରେ ଖୁସି ଥିବାବେଳେ ଅନ୍ୟ ପାଖରେ ଘରକୁ ଫେରି ତାଙ୍କ ସ୍ୱାମୀଙ୍କୁ ପୁଣି ଏକ ଝିଅ ଜନ୍ମ କରିଥିବା କଥା ଜଣାଇବାପରେ, ତାଙ୍କ ସ୍ୱାମୀଙ୍କ ଭାବି ପ୍ରତିକ୍ରିୟା ନେଇ ଆଶଙ୍କା ଘେରରେ ଅଛନ୍ତି ।
“ଏଇଥର ପୁଅଟିଏ ହେବ ବୋଲି ଆଶା କରିଥିଲି,” ବୋଲି ସେ ବିଚଳିତ ହୋଇ କୁହନ୍ତି। “ମୁଁ ଯେତେବେଳେ ଘରକୁ ବାହୁଡିବି ଓ ତାଙ୍କୁ ଆମର ଦ୍ୱିତୀୟ ସନ୍ତାନ ମଧ୍ୟ ଝିଏଟିଏ ବୋଲି ଜଣାଇବି, ସେତେବେଳେ ସେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବେ, ସେ ନେଇ ମୁଁ ଚିନ୍ତିତ ଅଛି,” ବୋଲି ହୋସି ଦାନାପୁର ବିହାରର ପାଟନା ଜିଲ୍ଲାରେ ଥିବା ଦାନପୁର ସବ୍—ଡିଭିଜନାଲ୍ ଡାକ୍ତରଖାନାରେ ତାଙ୍କ ଶଯ୍ୟାରେ ବସି ନିଜ ପିଲାକୁ ସ୍ତନପାନ କରାଉଥିବା ୨୦ ବର୍ଷ ବୟସ୍କ ରାଣୀ କୁହନ୍ତି ।
ରାଣୀ ୧୬ ବର୍ଷ ବୟସରେ ୨୦୧୭ରେ ବିବାହ କରିବା ପରେ ଅତିଶୀଘ୍ର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେତେବେଳେ ତାଙ୍କ ସ୍ୱାମୀଙ୍କୁ ୨୦ ବର୍ଷ ହୋଇଥିଲା । ସେ ତାଙ୍କ ସ୍ୱାମୀ ପ୍ରକାଶ ଓ ଶାଶୁଙ୍କ ସହିତ ସେହି ଜିଲ୍ଲାର ଫୁଲ୍ୱାରୀ ବ୍ଲକ୍ରେ ଅବସ୍ଥିତ ଏକ ଗ୍ରାମରେ ରୁହନ୍ତି, ଯାହାର ନାମ ପ୍ରକାଶ କରିବାକୁ ସେ ଇଚ୍ଛା କଲେ ନାହିଁ । ମହତୋ ପରିବାର ଏକ ରକ୍ଷଣଶୀଳ ଓବିସି ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଅଟନ୍ତି ।
“ଆମ ଗ୍ରାମରେ ଝିଅମାନଙ୍କ ବୟସ ୧୬ ବର୍ଷ ହେବା ବେଳକୁ, ପ୍ରାୟତଃ ସେମାନଙ୍କ ବିବାହ ସମ୍ପନ୍ନ ହୋଇଯାଏ,” ବୋଲି ରାଣୀ କୁହନ୍ତି, ଯିଏ କି କିଶୋରାବସ୍ଥାରେ ବିବାହ କରିବା ଫଳରେ ଜାତ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଅଜ୍ଞ ନୁହନ୍ତି । “ମୋର ଗୋଟିଏ ଛୋଟ ଭଉଣୀ ମଧ୍ୟ ଅଛି, ଏଣୁ ମୋର ଅଭିଭାବକମାନେ ଯଥାଶୀଘ୍ର ମୋର ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଚାହୁଁଥିଲେ,” ବୋଲି ସେ କହିବାବେଳେ ତାଙ୍କ ଶାଶୁ ତାଙ୍କ ପାଖକୁ ଆସିଲେ ଓ ଛୁଟି ୱାଲେ କାଗଜ (ଡାକ୍ତରଖାନାରୁ ଯିବା ସାର୍ଟିଫିକେଟ୍)କୁ ଅପେକ୍ଷା କରି ଶେଯ ଉପରେ ବସିପଡ଼ିଲେ ।
ରାଣୀ ଓ ତାଙ୍କର ଭଉଣୀ କୌଣସି ପ୍ରକାର ବ୍ୟତିକ୍ରମ ନୁହନ୍ତି । ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ରାଜସ୍ଥାନରେ ସମଗ୍ର ଦେଶରେ ସଂଗଠିତ ହେଉଥିବା ବାଳିକା ଓ କିଶୋରୀ ବିବାହର ୫୫ ପ୍ରତିଶତ ବିବାହ ଅନୁଷ୍ଠିତ ହୋଇଥାଏ ବୋଲି ସେନ୍ସସ୍, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଓ ଅନ୍ୟାନ୍ୟ ସରକାରୀ ତଥ୍ୟର ବିଶ୍ଳେଷଣ କରି ଏନ୍ଜିଓ ଚାଇଲ୍ଡ ରାଇଟ୍ ଏଣ୍ଡ ୟୁ (ସି.ଆର୍.ୱାଇ) ପ୍ରକାଶ କରିଛି ।
ରାଣୀ ମୋତେ କହିଲେ, “ଆମକୁ ଡିସଚାର୍ଜ କାଗଜ” ମିଳିବାପରେ, ଆମେ ଏକ ଅଟୋରିକ୍ସା ଭଡ଼ା କରି ଗାଁକୁ ଚାଲିଯିବୁ’’। ତାଙ୍କର ଅନ୍ୟ ଡାକ୍ତରୀ ସମସ୍ୟା ଥିଲା, ଯେଉଁଥିପାଇଁ ତାଙ୍କୁ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ଥିବା କାରଣରୁ ସେ ଡାକ୍ତରଖାନାରେ ରହିବାର ସାଧାରଣ ସମୟ ସୀମାଠାରୁ ଦୁଇଦିନ ଅଧିକ ସମୟ ରହିସାରିଲେଣି। ରାଣୀ ମଧ୍ୟ କହିଲେ “ମୋର ଖୁନ୍ କି କମି (ରକ୍ତହୀନତା) ଅଛି’’।
ଭାରତରେ ରକ୍ତହୀନତା ହେଉଛି ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଯାହା ବିଶେଷଭାବେ ମହିଳା, କିଶୋରୀ କନ୍ୟା ଓ ବାଳିକାମାନଙ୍କଠାରେ ଦେଖା ଦେଇଥାଏ । ଉଭୟ ସରକାରୀ ଓ ସ୍ୱାଧୀନ ଗବେଷଣାତ୍ମକ ଅଧ୍ୟୟନରୁ ଜଣାପଡିଛି ଯେ ଅଳ୍ପ ବୟସରେ ବିବାହ କରୁଥିବା ଝିଅମାନେ ଖାଦ୍ୟାଭାବ, କୁପୋଷଣ ଓ ରକ୍ତହୀନତା ପରି ସମସ୍ୟାରେ ଆକ୍ରାନ୍ତ ହେବା ସମ୍ଭବନା ଅଧିକ ରହିଥାଏ। ଆଉ, ବାଲ୍ୟବିବାହ ବିଶେଷଭାବେ ନିମ୍ନ ଆୟ ଓ ଅଶିକ୍ଷିତ ବର୍ଗରେ ବହୁଳଭାବେ ପ୍ରଚଳିତ । ଖାଦ୍ୟ ସୁରକ୍ଷା ନଥିବା ଅନେକ ଗରିବ ପରିବାର ପ୍ରାୟତଃ, ଅଳ୍ପ ବୟସରେ ବିବାହକୁ, ସେମାନଙ୍କ ପରିବାରର ଆର୍ଥିକ ବୋଝକୁ କିଛି ପରିମାଣରେ ଲାଘବ କରିବାର ଏକ ମାର୍ଗ ଭାବେ ଦେଖିଥାନ୍ତି ।
ସେହି ଝିଅମାନେ ଯେଉଁମାନେ ଅଳ୍ପ ବୟସରେ ବିବାହ କରନ୍ତି, ସାଧାରଣତଃ ସେମାନଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ ନେଇ ନିଜର ମତ ରଖିପାରନ୍ତି ନାହିଁ। ଯାହାଫଳରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବା, କୁପୋଷଣ, ରକ୍ତହୀନତା ଓ ଜନ୍ମ ସମୟରେ ଓଜନ କମ୍ ରହିବା ଭଳି ସମସ୍ୟାଗୁଡିକର ଏକ ଚକ୍ର ସୃଷ୍ଟି ହୋଇଥାଏ । ବାଲ୍ୟବିବାହ, ଏହି ପ୍ରକ୍ରିୟାର ଏକ ପ୍ରମୁଖ କାରଣ, କ୍ରମଶଃ ଏହାର ଅନ୍ୟତମ ଫଳାଫଳ ପାଲଟିଯାଏ । ଆହୁରି ମଧ୍ୟ, ଅନ୍ୟ ଏକ ସମସ୍ୟା ମଧ୍ୟ ରହିଛି ଯାହା ଏହା ସମ୍ବନ୍ଧୀୟ କୌଣସି ନୀତିନିର୍ମାଣ ପ୍ରକ୍ରିୟାକୁ ଜଟିଳ କରିଦେଉଛି: ଭାରତରେ ଶିଶୁ କହିଲେ କାହାକୁ ବୁଝାଏ?
୧୯ ୮୯ରେ ହୋଇଥିବା ଶିଶୁ ଅଧିକାର ସମ୍ବନ୍ଧିତ ମିଳିତ ଜାତିସଂଘର ସମ୍ମିଳନୀ– ଯେଉଁଥିରେ ୧୯୯୨ରୁ ଭାରତ ମଧ୍ୟ ଏକ ସ୍ୱାକ୍ଷରକାରୀ ହୋଇ ରହିଆସିଛି – ଶିଶୁ ଭାବରେ ଯେକୌଣସି ବ୍ୟକ୍ତିବିଶେଷଙ୍କୁ ସୂଚିତ କରେ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ୧୮ ହୋଇନାହିଁ । ଭାରତରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଚୋରା ଚାଲାଣ ଓ କିଶୋର ନ୍ୟାୟ ପାଇଁ ପ୍ରସ୍ତୁତ ଆଇନ୍ଗୁଡିକରେ ବୟସସୀମା ନେଇ ଭିନ୍ନ ଭିନ୍ନ ପରିଭାଷା ରହିଛି । ଆମର ବାଳ ଶ୍ରମ ସମ୍ବନ୍ଧିତ ଆଇନ୍ରେ, ସେହି ବୟସ ହେଉଛି ୧୪ ବର୍ଷ। ଯେତେବେଳେକି ବିବାହ ସମ୍ବନ୍ଧିତ ଆଇନ୍ ମୁତାବକ, ଗୋଟିଏ ଝିଅ ୧୮ବର୍ଷ ବୟସ୍କ ହେବାପରେ ଯାଇ ସାବାଳିକା ହୋଇଥାଏ.। ଭାରତରେ ବିଭିନ୍ନ ଆଇନ୍ରେ ‘ଶିଶୁ’ ଓ ‘ନାବାଳକ / ନାବାଳିକା ପାଇଁ ଭିନ୍ନ ଭିନ୍ନ ବୟସସୀମା ନିର୍ଦ୍ଧାରିତ ହୋଇଛି । ପରିଣାମ ସ୍ୱରୂପ ୧୫-୧୮ ବର୍ଷ ବୟସ ବର୍ଗ ଅନ୍ତର୍ଗତ ଯୁବକ / ଯୁବତୀମାନେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମୁକ୍ତ ରୁହନ୍ତି ।
ଯାହାହେଲେ ମଧ୍ୟ, ରାଣୀ ମହତୋଙ୍କ ଜୀବନରୁ ଏହା ପ୍ରତୀତ ହୁଏ ଯେ ଯେ ସାମାଜିକ ପ୍ରଥା ଓ ଲିଙ୍ଗଗତ ପକ୍ଷପାତିତାର ଏହି ନିଷ୍ଠୁର ବାସ୍ତବତା ସବୁବେଳେ ଯେକୌଣସି ଆଇନ୍ ବା ନ୍ୟାୟିକ ଅଧିଘୋଷଣାଠାରୁ ଅଧିକ ଶକ୍ତିଶାଳୀ ଥିଲା ଓ ରହିଛି ।
“ଯେତେବେଳେ ରାକ୍ଷୀ (ତାଙ୍କର ବଡ ଝିଅ) ଜନ୍ମ ହୋଇଥିଲା, ସେତେବେଳେ ମୋର ସ୍ୱାମୀ ମୋ ସହିତ କିଛି ସପ୍ତାହ ପର୍ଯ୍ୟନ୍ତ କଥା ହୋଇନଥିଲେ । ସେ ସପ୍ତାହରେ ଦୁଇ ବା ତିନି ଥର ତାଙ୍କ ବନ୍ଧୁଙ୍କ ଘରେ ରହିଯାଉଥିଲେ ଓ ମଦ ପିଇ ଘରକୁ ଫେରୁଥିଲେ । “ପ୍ରକାଶ ମହତୋ ଜଣେ ଦିନ ମଜୁରିଆ, ହେଲେ, ସେ ଅତି କଷ୍ଟରେ ବୋଧହୁଏ ମାସର ଅଧାଦିନ କାମ କରନ୍ତି। “ମୋର ପୁଅ କାମ ପାଇବା ପାଇଁ କୌଣସି ଚେଷ୍ଟା କରେନି,’’ ବୋଲି ତାଙ୍କ ମା’ ଗଙ୍ଗା ଦୁଃଖରେ କୁହନ୍ତି । “ସେ ମାସରେ ଅତିବେଶୀରେ ୧୫ଦିନ କାମ କରେ – ହେଲେ, ସେ ଯାହା ଉପାର୍ଜନ କରେ, ସେସବୁ ଆସନ୍ତା ୧୫ଦିନରେ ନିଜ ପାଇଁ ଖର୍ଚ୍ଚ କରିଦିଏ । ମଦ ତାର ଜୀବନକୁ ନଷ୍ଟ କରୁଛି, ଆଉ ଆମର ମଧ୍ୟ।
ରାଣୀଙ୍କ ଗ୍ରାମର ଆଶାକର୍ମୀ ତାଙ୍କୁ ଦ୍ୱିତୀୟ ପ୍ରସବ ପରେ ଟ୍ୟୁବାଲ୍ ଲିଗେସନ୍ କରାଇନେବାକୁ ପରାମର୍ଶ ଦେଇଥିଲେ। ହେଲେ, ତାଙ୍କ ସ୍ୱାମୀ ରାଜି ହେଲେନାହିଁ । “ଆଶା ଦିଦି ପରାମର୍ଶ ଦେଲେ ଯେ ମୁଁ ଦୁଇରୁ ଅଧିକ ପିଲା କରିବା ଅନୁଚିତ। ରକ୍ତହୀନତାଜନିଚ ଦୁର୍ବଳତା କାରଣରୁ ମୋର ଶରୀର ତୃତୀୟ ଶିଶୁକୁ ଗର୍ଭରେ ଧାରଣ କରିବା ପାଇଁ ସମର୍ଥ ନୁହେଁ । ଏଣୁ, ମୁଁ ଯେତେବେଳେ ଚାରିମାସର ଗର୍ଭବତୀ ଥିଲି, ମୁଁ ପ୍ରକାଶଙ୍କ ସହିତ ପ୍ରସବ ପରେ ଅପରେସନ୍ କରାଇନେବା କଥା କହିଲି । ହେଲେ, ତାହା ମୋ ପାଇଁ ଏକ ଅପ୍ରୀତିକର ଅନୁଭୂତି ପାଲଟିଗଲା । ସେ ମୋତେ କହିଲେ ଯେ, ଯଦି ମୁଁ ତାଙ୍କ ଘରେ ରହିବାକୁ ଚାହୁଁଛି, ତାହାହେଲେ ମତେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବାକୁ ହେବ, ଏଥିପାଇଁ ମୁଁ ଚାହେଁ ଯେତେଥର ଗର୍ଭବତୀ ହେବାକୁ ପଡୁ, କୌଣସି ସମସ୍ୟା ନାହିଁ । ସେ କୌଣସି ପ୍ରକାରର ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିବାକୁ ବାରଣ କରନ୍ତି, ଆଉ, ଯଦି ମୁଁ ବାଧ୍ୟ କରେ, ତାହାହେଲେ ମତେ ମାଡ଼ ଦିଅନ୍ତି । ଅପରେସନ୍ ନକରାଇବାକୁ ଓ ପୁଅ ପାଇଁ ଚେଷ୍ଟା ଜାରି ରଖିବାକୁ ମୋର ସ୍ୱାମୀଙ୍କ ଧାରଣା ସହିତ ମୋର ଶାଶୁ ମଧ୍ୟ ସହମତ ଅଟନ୍ତି ।
ସେ ତା’ ଶାଶୁଙ୍କ ସାମନାରେ ଏପରି କଥାଗୁଡ଼ିକ ଖୋଲାଖୋଲି କହିବାକୁ ସମର୍ଥ ହେବା ଦୁଇ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପ୍ରତିକୂଳ ସମ୍ପର୍କ ନଥିବା ସୂଚାଇଥାଏ। କିନ୍ତୁ, ଗଙ୍ଗା, ଯିଏ ରାଣୀ ପ୍ରତି ଯଥେଷ୍ଟ ସମ୍ବେଦନଶୀଳ ଅଟନ୍ତି, ଆମ ସମାଜର ପୁରୁଷ-ପ୍ରଧାନ ମାନସିକତାର ପ୍ରଭାବରୁ ନିଜକୁ ମୁକ୍ତ କରିପାରିନାହାନ୍ତି ।
ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ – ୪ରୁ ଏହା ଜଣାପଡେ ଯେ ପାଟନା (ଗ୍ରାମାଞ୍ଚଳ)ର କେବଳ ୩୪.୯ ପ୍ରତିଶତ ଲୋକ ପରିବାର ନିୟୋଜନ ପ୍ରଣାଳୀ ବ୍ୟବହାର କରନ୍ତି । ତାଲିକାଭୁକ୍ତ ବିଭିନ୍ନ ପ୍ରଣାଳୀଗୁଡିକ ମଧ୍ୟରୁ ଜିଲ୍ଲାର ଗ୍ରାମାଞ୍ଚଳରେ ପୁରୁଷ ବନ୍ଧ୍ୟାକରଣ ହାର ପ୍ରକୃତରେ ଶୂନ ପ୍ରତିଶତ ଥିବା ଉଲ୍ଲେଖ ହୋଇଛି । ଏନ୍ଏଫ୍ଏଚ୍ଏସ୍ -୪ରେ ଏହା ମଧ୍ୟ ସୂଚୀତ କରାଯାଇଛି ଯେ ବିହାରରେ, ୧୫- ୪୯ ଆୟୁ ବର୍ଗ ମଧ୍ୟରେ ରହିଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାରେ ଆକ୍ରାନ୍ତ ।
“ମୁଁ ୨୦ ବର୍ଷ ବୟସରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବା ସିହତ, ମୁଁ ଗୋଟିଏ ନିଷ୍ପତ୍ତି ମଧ୍ୟ ନେଇଛି,” ବୋଲି ରାଣୀ କୁହନ୍ତି । “ଆଉ ତାହା ହେଉଛି ଯାହାହେଲେ ମଧ୍ୟ ମୁଁ ମୋର ଝିଅମାନଙ୍କୁ ସେମାନେ ୨୦ବର୍ଷ ବୟସ୍କ ନହେବା ପର୍ଯ୍ୟନ୍ତ ବାହା କରିବିନି । ମୋ କ୍ଷେତ୍ରରେ, ମୋତେ ସେତେବେଳ ପର୍ଯ୍ୟନ୍ତ ପିଲା ଜନ୍ମ କରିବା ଜାରି ରଖିବାକୁ ହେବ, ଯେତେବେଳ ପର୍ଯ୍ୟନ୍ତ ମୁଁ ଏକ ପୁତ୍ର ସନ୍ତାନ ଜନ୍ମ କରିବାରେ ସଫଳ ହୋଇପାରିନି’’।
ସେ ଦୀର୍ଘଶ୍ୱାସ ଛାଡିଲେ, ହେଲେ, ଧୀର ଭାବେ କହିଲେ ଯେ: “ଆମ ପରି ମହିଳାମାନଙ୍କ ପାଖରେ ଆମର ଆଦ୍ମି (ପୁରୁଷ)ର କଥା ଅନୁସାରେ କାମ କରିବା ବ୍ୟତୀତ ଅନ୍ୟ କଣ ବିକଳ୍ପ ରହିଛି। ମୋର ଶଯ୍ୟାଠାରୁ ତିନିଟି ଶଯ୍ୟା ପରେ ଥିବା ସ୍ତ୍ରୀକୁ ଦେଖି ପାରୁଛନ୍ତି? ସେ ହେଉଛି ନଗ୍ମା। ଗତକାଲି ସେ ଚତୁର୍ଥ ସନ୍ତାନ ପ୍ରସବ କଲେ। ତାଙ୍କ ଘରେ ମଧ୍ୟ ସେମାନେ ବଚ୍ଚାଦାନୀ ( ଜରାୟୁ) ଅପସାରିତ କରିବାର ତାଙ୍କ ଧାରଣାକୁ ସମସ୍ତେ ଅଗ୍ରାହ୍ୟ କରିଦେଲେ। ହେଲେ, ବର୍ତ୍ତମାନ ସେ ତା‘ର ବାପାମାଙ୍କ ସହିତ ଆସିଛି, ତାଙ୍କ ଶାଶୁ ଘର ଲୋକଙ୍କ ସହିତ ନୁହେଁ, ଦୁଇଦିନ ପରେ ସେ ଏହା କରାଇବେ। ସେ ଅତ୍ୟନ୍ତ ସାହାସୀ। ସ୍ୱାମୀଙ୍କ ସହିତ କିଭଳି ବ୍ୟବହାର କରାଯିବା ଆବଶ୍ୟକ, ତାହା ତାଙ୍କୁ ଜଣା ଭଲ ଜଣା ବୋଲି ସେ କୁହନ୍ତି,” ଏହା କହି ରାଣୀ ଅଳ୍ପ ହସିଦିଅନ୍ତି ।
ୟୁନିସେଫ୍ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ରାଣୀ ଭଳି, ଅଧିକାଂଶ ବାଳିକାବଧୂମାନେ ସେମାନଙ୍କ କିଶୋରାବସ୍ଥାରେ ସନ୍ତାନ ଜନ୍ମ କରିଥାନ୍ତି । ଆହୁରି ମଧ୍ୟ, ଯେଉଁ ମହିଳାମାନେ ବିଳମ୍ବରେ ବିବାହ କରନ୍ତି, ସେମାନଙ୍କ ତୁଳନାରେ ଅଳ୍ପ ବୟସରେ ବିବାହ କରୁଥିବା ମହିଳାଙ୍କ ପରିବାରର ଆକାର ବଡ ହୋଇଥିବା ଦେଖାଯାଇଛି । ଆଉ, ମହାମାରୀ କାରଣରୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି ।
“୨୦୩୦ ସୁଦ୍ଧା ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ସମାପ୍ତ କରିବାର ଲକ୍ଷ୍ୟ ପୂର୍ବରୁ ହିଁ ଏକ ଆହ୍ୱାନ ହୋଇ ରହିଛି,” ବୋଲି କନିକା ସରାଫ୍ କୁହନ୍ତି। “ଏଥିପାଇଁ ଆପଣଙ୍କୁ ଥରେ ମାତ୍ର ଦେଶର ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକର ପରିସ୍ଥିତି ଅନୁଧ୍ୟାନ କରିବାର ଥିଲା’’। “କନିକା ସରାଫ୍ ବିହାରର ଆଙ୍ଗନ ଟ୍ରଷ୍ଟ – ଯାହା ଶିଶୁ ସୁରକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ–ର ବାଳ ସୁରକ୍ଷା ବ୍ୟବସ୍ଥାର ମୁଖ୍ୟ ଅଛନ୍ତି।’’ ହେଲେ, ମହାମାରୀ ଏହି ସମସ୍ୟାକୁ ବହୁଗୁଣିତ କରିଦେଇଛି।ଏହି ସମୟକାଳରେ କେବେଳ ପାଟନାରେ ଆମେ ୨୦୦ ବିବାହ ରୋକିବାରେ ସମର୍ଥ ହୋଇଛୁ।ଏଥରୁ ଆପଣ ଅନ୍ୟ ଜିଲ୍ଲା ଓ ଅଞ୍ଚଳଗୁଡ଼ିକରେ ସ୍ଥିତି କ’ଣ ଥିବ, ତାହା କଳ୍ପନା କରିପାରୁଥିବେ।
ନୀତି ଆୟୋଗ ମୁତାବକ ୨୦୧୩-୧୫ ରେ ବିହାରରେ ଜନ୍ମ ସମୟର ଲିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୧୬ ଥିଲା । ଏହା ୨୦୦୫-୦୭ର ସ୍ଥିତି ତୁଳନାରେ ଉନ୍ନତ ମନେ କରାଯାଇପାରେ, ଯେତେବେଳେ ମହିଳାଙ୍କ ସଂଖ୍ୟା ୯୦୯ ହୋଇଯାଇଥିଲା । ତଥାପି, ଏଥିରେ କୌଣସି ଆଶାର ସଂଚାର ହେବା କଷ୍ଟକର, ଯେହେତୁ ୫ବର୍ଷ ପୂର୍ବରୁ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ମୃତ୍ୟୁହାର ବହୁତ ଅଧିକ ହୋଇଯାଇ ଲିଙ୍ଗାନୁପାତ ଆହୁରି ଅଧିକ ଖରାପ ସ୍ଥିତି ଆଡ଼କୁ ଗତି କରିଥାଏ। ପ୍ରଦେଶରେ ୫-ବର୍ଷ ପୂର୍ବରୁ ମରିଯାଉଥିବା ପିଲାଙ୍କ ମୃତ୍ୟୁହାର ପ୍ରତି ୩୯ ପୁଅଙ୍କ ପାଇଁ ଝିଅମାନଙ୍କ ସଂଖ୍ୟା ହେଉଛି ୪୩। ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସିଗୁଡ଼ିକର ଏକ ଆକଳନ ଅନୁସାରେ ୨୦୧୯ରେ ଜାତୀୟସ୍ତରରେ ଏହାର ସଂଖ୍ୟା ପ୍ରତି ୩୪ ପୁଅଙ୍କ ତୁଳନାରେ ୩୫ ଥିଲା ।
ଗଙ୍ଗାଙ୍କ ବିଶ୍ୱାସ ଯେ ନାତିଟିଏ ପରିବାରକୁ ଖୁସିରେ ଭରିଦେବ – ଯାହା ତାଙ୍କ ପୁଅ କରିପାରିନି ବୋଲି ସେ ଖୋଲାଖୋଲି ସ୍ୱୀକାର କରନ୍ତି । “ପ୍ରକାଶ କୌଣସି କାର୍ଯ୍ୟର ନୁହେଁ । ପଞ୍ଚମ ଶ୍ରେଣୀ ପରେ ସେ ଆଉ କେବେ ମଧ୍ୟ ବିଦ୍ୟାଳୟକୁ ଗଲା ନାହିଁ । କେବଳ ସେହି କାରଣରୁ ମୁଁ ଏକ ନାତି ଚାହୁଁଛି । ସେ ପରିବାର ଓ ତା’ ମା’ର ଯତ୍ନ ନେବ । ଜଣେ ଗର୍ଭବତୀ ମହିଳା ଯେଉଁ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବା ଦରକାର ତାହା ରାଣୀକୁ କେବେ ମଧ୍ୟ ମିଳିନି । ସେ ଦୁର୍ବଳତା କାରଣରୁ ଗତ ଦୁଇଦିନ ଧରି କଥା ମଧ୍ୟ ହୋଇପାରିଲାନି । ସେହି କାରଣରୁ ମୁଁ ତା’ ସହିତ ଡାକ୍ତରଖାନାରେ ରହିଲି ଓ ମୋର ପୁଅକୁ ଏଠାରୁ ଚାଲିଯିବାକୁ କହିଲି ।
“ସେ ଯେତେବେଳେ ମଦ୍ୟପାନ କରି ଘରକୁ ଆସେ ଓ ମୋର ବୋହୁ ଏ ନେଇ ତାକୁ ପ୍ରଶ୍ନ କରେ, ସେତେବେଳେ ସେ ତାକୁ ପିଟିଥାଏ ଓ ଘରର ବିଭିନ୍ନ ଜିନିଷ ଭାଙ୍ଗି ଚୂନା କରିଦିଏ।’’ ହେଲେ, ଏଠାରେ ଗୋଟିଏ ପ୍ରଶ୍ନ ଉଠେ, କ’ଣ ବିହାର ମଦମୁକ୍ତ ଘୋଷିତ ରାଜ୍ୟ ନୁହେଁ କି? ଏପରି ଘୋଷିତ ହେବା ସତ୍ତ୍ୱେ ବିହାରରେ ୨୯ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି ବୋଲି ଏନ୍ଏଫ୍ଏଚ୍ଏସ୍ – ୪ କହିଛନ୍ତି। ଗ୍ରାମାଞ୍ଚଳର ପୁରୁଷଙ୍କ କ୍ଷେତ୍ରରେ ତାହା ୩୦ ପ୍ରତିଶତ ଅଟେ।
ରାଣୀ ଗର୍ଭବତୀ ଥିବା ବେଳେ ଗଙ୍ଗା ତାଙ୍କ ଗ୍ରାମ ଛାଡି ଅନ୍ୟ ସ୍ଥାନରେ କାମବାଲି ଭାବେ କାମ କରିବାକୁ ଚେଷ୍ଟା କରିଥିଲେ, ହେଲେ ସେଥିରେ ସଫଳ ହୋଇନଥିଲେ । “ମୋର ସ୍ଥିତି ଓ ମୁଁ ବାରମ୍ବାର ବେମାର ପଡୁଥିବା ଦେଖି, ମୋର ଶାଶୁ ଶେଷରେ ମୋ ପାଇଁ କେତେବେଳେ କେମିତି କିଛି ଫଳ ଓ କ୍ଷୀର ଆଣିବା ପାଇଁ ଜଣେ ସମ୍ପର୍କୀୟଙ୍କଠାରୁ ପାଞ୍ଚହଜାର ଟଙ୍କା ଧାର କଲେ,” ବୋଲି ରାଣୀ କୁହନ୍ତି ।
“ନିଜ ଶରୀରର ଓ ଜୀବନ ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନଥିବା କଥା ଦୁଃଖର ସହିତ ରାଣୀ ପ୍ରକାଶ କରି କୁହନ୍ତି ଯେ “ଯଦି ସେମାନେ ଏଭଳି ମୋ ଉପରେ ବାରମ୍ବାର ପିଲା ଜନ୍ମ କରିବାକୁ ଚାପ ପକାଉଥିବେ, ତାହାହେଲେ ଭବିଷ୍ୟତରେ ମୋର କ’ଣ ହେବ, ତାହା ମୁଁ ଜାଣେନି । “ହେଲେ, ଯଦି ମୁଁ ଜୀବିତ ରହେ, ତାହାହେଲେ ମୋର ଝିଅମାନେ ଯେତିକି ଶିକ୍ଷିତ ହେବାକୁ ଚାହିଁବେ, ସେମାନଙ୍କୁ ସେହି ସ୍ତର ପର୍ଯ୍ୟନ୍ତ ଶିକ୍ଷିତ କରାଇବାକୁ ଆପ୍ରାଣ ଉଦ୍ୟମ କରିବି’’।
“ମୁଁ କଦାପି ଚାହେଁନି ମୋ ଝିଅମାନେ ମଧ୍ୟ ମୋ ଭଳି ଦୁର୍ଦ୍ଦଶା ଭୋଗକରନ୍ତୁ।’’
କାହାଣୀରେ କିଛି ଲୋକଙ୍କ ପରିଚୟର ଗୋପନୀୟତା
ଦୃଷ୍ଟିରୁ ସେମାନଙ୍କ ନାମ ଓ କେତେକ ସ୍ଥାନର ନାମ ବଦଳାଯାଇଛି ।
ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ତରଫରୁ ଗ୍ରାମୀଣ ଭାରତର କିଶୋରୀ କନ୍ୟା ତଥା ଯୁବ ମହିଳାଙ୍କ ସମ୍ବନ୍ଧିତ ରାଷ୍ଟ୍ରବ୍ୟାପି ରିପୋର୍ଟିଂ ପ୍ରୋଜେକ୍ଟ ‘ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ସମର୍ଥିତ ପ୍ରୟାସର ଏକ ଅଂଶ ଅଟେ, ଯାହାଦ୍ୱାରା ସାଧାରଣ ଲୋକଙ୍କ ସ୍ୱର ଓ ସେମାନଙ୍କ ଜୀବନର ଅନୁଭବ ମାଧ୍ୟମରେ ଏହି ମହତ୍ତ୍ୱପୂର୍ଣ୍ଣ ଅଥଚ ପୀଡିତ ବର୍ଗର ସ୍ଥିତି ବିଷୟରେ ଜାଣିବା ସମ୍ଭବ ହୋଇପାରିବ ।
ଏହି ଆଲେଖ୍ୟକୁ ପ୍ରକାଶିତ କରିବାକୁ ଚାହୁଁଛନ୍ତି କି? ଦୟାକରି zahra@ruralindiaonline.org କୁ ଲେଖନ୍ତୁ ଓ ତା’ର ଏକ ନକଲ namita@ruralindiaonline.org କୁ ପଠାନ୍ତୁ।
ଜିଗ୍ୟାସା ମିଶ୍ର ଠାକୁର ଫ୍ୟାମିଲି ଫାଉଣ୍ଡେସନଠାରୁ ପ୍ରାପ୍ତ ଏକ ସ୍ୱତନ୍ତ୍ର ସାମ୍ବାଦିକତା ଅନୁଦାନ ମାଧ୍ୟମରେ ସାର୍ବଜନିକ ସ୍ୱାସ୍ଥ୍ୟ ଓ ନାଗରିକ ସ୍ୱାତନ୍ତ୍ରତା ବିଷୟରେ ରିପୋର୍ଟ କରନ୍ତି । ଠାକୁର ଫ୍ୟାମିଲି ଫାଉଣ୍ଡେସନ ଏହି ରିପୋର୍ଟର ବିଷୟବସ୍ତୁ ଉପରେ କୌଣସି ପ୍ରକାରର ସମ୍ପାଦକୀୟ ନିୟନ୍ତ୍ରଣ ସାବ୍ୟସ୍ତ କରିନି ।
ଅନୁବାଦ: ଓଡ଼ିଶାଲାଇଭ୍