ପ୍ରୀତି ଯାଦବ କୁହନ୍ତି, ଛୋଟିଆ ଗେଟାଟି ଧିରେ ଧିରେ ବୃଦ୍ଧି ପାଇ ଟାଣ ହୋଇଗଲାଣି,"ହାଡ ସଦୃଶ," ହାଡୁଆ।
ଏକ ବର୍ଷରୁ ଅଧିକ ସମୟ ହେବ ୨୦୨୦ ମସିହା ଜୁଲାଇ ମାସରେ ସେ ତାଙ୍କ ଡାହାଣ ସ୍ତନରେ ମଟର ଆକାରର ଗେଟା ବୃଦ୍ଧି ପାଇବାର ଦେଖିଥିଲେ, ଏବଂ ପ୍ରାୟ ଏକ ବର୍ଷ ତଳେ ପାଟନା ସହରର ଏକ କର୍କଟ ପ୍ରତିଷ୍ଠାନର ଅଙ୍କୋଲୋଜିଷ୍ଟମାନେ ବାୟୋପସି ଏବଂ ସର୍ଜିକାଲ୍ ଏକ୍ସାଇଜନ୍ ପାଇଁ ପରାମର୍ଶ ଦେଇଥିଲେ।
କିନ୍ତୁ ପ୍ରୀତି ଡାକ୍ତରଖାନାକୁ ଆଉ ଆସି ନଥିଲେ।
ଅଗଣା ଓ ଫୁଲଗଛ ଥିବା ନିଜ ପ୍ରଶସ୍ତ ଘରର ଟାଇଲ ବିଛାଯାଇଥିବା ବାରଣ୍ଡାରେ ଏକ ମାଟିଆ ରଙ୍ଗର ଚେୟାର ଉପରେ ବସି, ସେ କୁହନ୍ତି,"କରୱା ଲେଙ୍ଗେ [ଆମେ ଏହା କରିଦେବୁ]’’।
କ୍ଳାନ୍ତିରେ ତାଙ୍କର ଶବ୍ଦଗୁଡିକ ଧିରେ ଧିରେ ଶୁଭାଯାଉଥିଲା। ଅଳ୍ପ କିଛି ବର୍ଷ ମଧ୍ୟରେ ତାଙ୍କ ପରିବାର ଓ ପ୍ରିୟ ପରିଜନମାନଙ୍କ ମଧ୍ୟରୁ ଅତିକମ୍ରେ ଚାରି ଜଣ ସଦସ୍ୟ କର୍କଟ ରୋଗରେ ମୃତ୍ୟୁବରଣ କରିଛନ୍ତି, ୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ-୧୯ ଆରମ୍ଭ ହେବା ପୂର୍ବରୁ ବିହାରର ସରଣ ଜିଲ୍ଲାର ସୋନେପୁର ବ୍ଲକରେ ଥିବା ତାଙ୍କ ଗ୍ରାମରେ କିଛି ବର୍ଷ ମଧ୍ୟରେ କର୍କଟରେ ଅନେକ ଆକ୍ରନ୍ତ ହୋଇଥିବାର ରେକର୍ଡ କରାଯାଇଥିଲା। (ତାଙ୍କର ଅନୁରୋଧ କ୍ରମେ, ଗ୍ରାମର ନାମ ଓ ତାଙ୍କର ପ୍ରକୃତ ନାମ ଏଠାରେ ପ୍ରକାଶ କରାଯାଇ ନାହିଁ।)
ଗେଟାକୁ ଅସ୍ତ୍ରୋପଚାର କରି କେବେ ବାହାର କରାଯିବ ନିଷ୍ପତ୍ତିଟି କେବଳ ୨୪ ବର୍ଷୀୟା ପ୍ରୀତିଙ୍କର ନଥିଲା। ତାଙ୍କର ପରିବାର ଲୋକ ବୋଧହୁଏ ତାଙ୍କ ପାଇଁ ଏକ ବର ପାତ୍ର ଠିକ୍ କରିସାରିଥିଲେ, ଯିଏକି ସଶସ୍ତ୍ର ବାହିନୀରେ ଚାକିରି କରୁଥିବା ପାଖ ଗ୍ରାମର ଜଣେ ଯୁବକ ଥିଲେ । ସେ କୁହନ୍ତି, "ମୋର ବିବାହ ପରେ ଆମେ ଅସ୍ତ୍ରୋପଚାର କରିବା ଠିକ୍ ହେବ କି? ଡାକ୍ତର କହିଲେ ମୋର ପିଲା ହେବ। ପରେ ଗେଟା ମିଳେଇ ଯିବାର ସମ୍ଭାବନା ରହିଛି"।
କିନ୍ତୁ ସେମାନେ କ’ଣ ବରର ପରିବାରକୁ ଗେଟା ଓ ଅସ୍ତ୍ରୋପଚାରର ସମ୍ଭାବନା, ଏବଂ ତାଙ୍କ ପରିବାରର କର୍କଟ ରୋଗରେ ଆକ୍ରାନ୍ତଙ୍କ ଏକାଧିକ ସଦସ୍ୟଙ୍କ ବିଷୟରେ ଜଣାଇବେ କି? ସେ କୁହନ୍ତି, "ଏହି ବିଷୟରେ କିଛି ନିଷ୍ପତ୍ତି ନେଇ ହେଉନି"। ସେହି ଜଟିଳ ବିଷୟ ଉପରେ ତାଙ୍କର ଅସ୍ତ୍ରୋପଚାର ନିର୍ଭର କରୁଛି।
୨୦୧୯ ମସିହାରେ ଜିଓଲୋଜିରେ ବିଏସ୍ସି ଡିଗ୍ରୀ ଶେଷ କରିଥିବା ପ୍ରୀତିଙ୍କ ପାଇଁ ଏହି ଗେଟା ଓ ତାହାର ସୃଷ୍ଟି ହେବା ପରର ଏକ ବର୍ଷ ତାଙ୍କର ନିଃସଙ୍ଗତାକୁ ବଢାଇ ଦେଇଛି। ତାଙ୍କର ‘ବାପା’ ବୃକକ୍ କର୍କଟର ଅନ୍ତିମ ଅବସ୍ଥାରେ ଆକ୍ରାନ୍ତ ଥିବାର ଜଣାପଡିବାର କିଛି ମାସ ପରେ ୨୦୧୬ ମସିହା ନଭେମ୍ବର ମାସରେ ମୃତ୍ୟୁବରଣ କରିଥିଲେ। ୨୦୧୩ ମସିହାରୁ ତାଙ୍କର ‘ମା’ ବିଭିନ୍ନ ଡାକ୍ତରଖାନାର ଦୃଦରୋଗ ବିଶେଷଜ୍ଞ ବିଭାଗରେ ଚିକିତ୍ସିତ ହେଇଥିଲେ ମଧ୍ୟ ଗତ ଜାନୁୟାରୀ ମାସରେ ଦୃଦ୍ଘାତରେ ମୃତ୍ୟୁବରଣ କରିଥିଲେ। ସେ ଦୁହେଁ ନିଜର ୫୦ ଦଶକରେ ଥିଲେ। ପ୍ରୀତି କୁହନ୍ତି, "ମୁଁ ସବୁକିଛି ଏକୁଟିଆ କରୁଛି"। "ମୋର ମା’ ମୋ ପାଖରେ ଥିଲେ, ସେ ମୋର ଅସୁବିଧା ସବୁ ବୁଝି ପାରିଥାଆନ୍ତେ"।
ତାଙ୍କ ମା’ଙ୍କ ମୃତ୍ୟୁ ପୂର୍ବରୁ ହିଁ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ପରିବାର ଜାଣିବାକୁ ପାଇଲେ ଯେ ପରିବାରରେ ବ୍ୟାପୁଥିବା କର୍କଟ ରୋଗ ସେମାନଙ୍କ ଘରେ ବ୍ୟବହାର କରାଯାଇଥିବା ଜଳର ଗୁଣବତ୍ତା ସହିତ ଜଡିତ ହୋଇପାରେ। “ସେଠାରେ ଥିବା ଡାକ୍ତରମାନେ ମା’ଙ୍କ ମାନସିକ ଅଶାନ୍ତି ବିଷୟରେ ପଚାରିଥିଲେ। ଯେତେବେଳେ ଆମେ ସେମାନଙ୍କୁ ପାରିବାରିକ ମୃତ୍ୟୁର ଇତିହାସ କହିଥିଲୁ, ଆମେ କେଉଁ ପାଣି ପିଉଛୁ, ସେ ବିଷୟରେ ସେମାନେ ଅନେକ ପ୍ରଶ୍ନ ପଚାରିଥିଲେ। ପ୍ରୀତି କୁହନ୍ତି, "କିଛି ବର୍ଷ ଧରି ଆମ ହ୍ୟାଣ୍ଡପମ୍ପରୁ ପାଣି ବାହାର କରିବାର ପ୍ରାୟ ଅଧଘଣ୍ଟା ପରେ ପାଣିର ରଙ୍ଗ ହଳଦିଆ ହୋଇଯାଉଥିଲା।
ଭାରତର ସାତୋଟି ରାଜ୍ୟ ମଧ୍ୟରେ ବିହାର ଏକ ରାଜ୍ୟ (ଅନ୍ୟ ସବୁ ଆସାମ, ଛତିଶଗଡ, ଝାଡ଼ଖଣ୍ଡ, ମଣିପୁର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ) ଯେଉଁ ସ୍ଥାନର ଭୂତଳ ଜଳ ଆର୍ସେନିକ ପ୍ରଦୂଷଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି - ନିରାପଦ ସ୍ତର ବାହାରେ ଥିବାର ରିପୋର୍ଟ କରାଯାଇଛି। ବିହାରରେ ପ୍ରୀତିଙ୍କ ଗାଁ ଅବସ୍ଥିତ ସାରଣ ବ୍ଲକ ସମେତ ୧୮ ଟି ଜିଲ୍ଲାରେ ୫୭ ଟି ବ୍ଲକ ରହିଛି - କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା ( ୨୦୧୦ ମସିହାରେ ଦୁଇଟି ରିପୋର୍ଟରେ , ଟାସ୍କଫୋର୍ସ ଏବଂ ରାଜ୍ୟ ସରକାରୀ ଏଜେନ୍ସିଗୁଡିକର ଅନୁସନ୍ଧାନକୁ ଆଧାର କରି) ଭୂତଳ ଜଳରେ ଅତ୍ୟଧିକ ଉଚ୍ଚ ଆର୍ସେନିକ୍ , ଲିଟର ପିଛା ୦.୦୫ ମିଲିଗ୍ରାମରୁ ଅଧିକ ଥିବା କଥା ପ୍ରକାଶ କରାଯାଇଥିଲା। ଅନୁମତିପ୍ରାପ୍ତ ସୀମା ହେଉଛି ୧୦ ମାଇକ୍ରୋ ଗ୍ରାମ ।
*****
ପରିବାର ଯେତେବେଳେ ତାଙ୍କର ବଡ଼ ଭଉଣୀକୁ ହରାଇଲା ସେତେବେଳେ ପ୍ରୀତିଙ୍କୁ ମାତ୍ର ୨ କିମ୍ବା ୩ ବର୍ଷ ହୋଇଥିଲା। ସେ କୁହନ୍ତି, "ସେ ସବୁବେଳେ ପେଟରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ। ବାପା ତାଙ୍କୁ ବଞ୍ଚାଇବା ପାଇଁ ଅନେକ କ୍ଲିନିକକୁ ନେଇଥିଲେ, କିନ୍ତୁ ବଞ୍ଚାଇ ପାରିଲେ ନାହିଁ"। ସେବେଠାରୁ ତାଙ୍କ ମା’ ଗୁରୁତର ମାନସିକ ଚାପରେ ରହୁଥିଲେ।
ତା’ପରେ, ତାଙ୍କର କକା (ବାପାଙ୍କ ସାନ ଭାଇ) ୨୦୦୯ ମସିହାରେ ମୃତ୍ୟୁବରଣ କଲେ ଏବଂ ୨୦୧୨ ମସିହାରେ ତାଙ୍କର ଖୁଡୀ (କକାଙ୍କ ସ୍ତ୍ରୀ) ମୃତ୍ୟୁ ବରଣ କଲେ। ସେମାନେ ସମସ୍ତେ ଏକ ବଡ଼ ଘରେ ରହୁଥିଲେ। ଉଭୟେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଉଭୟଙ୍କୁ ଡାକ୍ତରମାନେ କହିଥିଲେ ଯେ ସେମାନେ ବିଳମ୍ବରେ ଚିକିତ୍ସା ପାଇଁ ଯାଇଥିଲେ।
୨୦୧୩ ମସିହାରେ, ସେହି କକାଙ୍କ ପୁଅ, ପ୍ରୀତିଙ୍କ ୩୬ ବର୍ଷୀୟ ସମ୍ପର୍କୀୟ ଭାଇଙ୍କୁ ବୈଶାଲି ଜିଲ୍ଲାର ହାଜିପୁର ସହରରେ ଚିକିତ୍ସା କରିବା ପରେ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ସେ ମଧ୍ୟ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥି୍ଲେ।
ଅସୁସ୍ଥତା ଏବଂ ମୃତ୍ୟୁ ପରିବାରକୁ ବର୍ଷ ବର୍ଷ ଧ୍ୱସ୍ତ ବିଧ୍ୱସ୍ତ କରି ଚାଲିଥିଲା, ପ୍ରୀତି ଘରର ସମସ୍ତ ଦାୟିତ୍ୱ ବହନ କରିଥିଲେ। “ମୁଁ ଦଶମ ଶ୍ରେଣୀରେ ପାଠ ପଢୁଥିବା ସମୟରୁ, ଯେତେବେଳେ ମା’ ଏବଂ ପରେ ବାପା ଅସୁସ୍ଥ ହୋଇପଡ଼ିଥିଲେ ମୋତେ ଅନେକ ଦିନ ଧରି ଘରର ସମସ୍ତ କାର୍ଯ୍ୟ କରିବାକୁ ପଡୁଥିଲା । ତାହା ଏକ ସମୟ ଥିଲା ଯେତେବେଳେ କି ପ୍ରତିବର୍ଷ କେହି ନା କେହି ଜଣେ ମୃତ୍ୟୁବରଣ କରୁଥିଲେ। କିମ୍ବା କେହି ଜଣେ ଗୁରୁତର ଅସୁସ୍ଥ ହୋଇ ପଡୁଥିଲେ।
କିନ୍ତୁ ସେମାନେ କ’ଣ ବରର ପରିବାରକୁ ଗେଟା ଓ ଅସ୍ତ୍ରୋପଚାରର ସମ୍ଭାବନା, ତାଙ୍କ ପରିବାରର ଏକାଧିକ କର୍କଟ ରୋଗରେ ଆକ୍ରାନ୍ତଙ୍କ ବିଷୟରେ ଜଣାଇବେ କି? ସେ କୁହନ୍ତି, "ଏହି ବିଷୟରେ କିଛି ନିଷ୍ପତ୍ତି ନେଇ ହେଉନି"। ତାହା ଏକ ଜଟିଳ ବିଷୟ ଯାହା ଉପରେ ତାଙ୍କର ଅସ୍ତ୍ରୋପଚାର ନିର୍ଭର କରୁଛି
ଏକ ବୃହତ ଯୌଥ ପରିବାର ପାଇଁ ସେ ରୋଷେଇ କାର୍ଯ୍ୟ କରୁଥିବାରୁ ତାଙ୍କର ପାଠପଢ଼ା କମି ଯାଇଥିଲା। ଯେତେବେଳେ ତାଙ୍କର ଦୁଇ ଭାଇଙ୍କ ମଧ୍ୟରୁ ଜଣେ ବିବାହ କଲେ, ତାଙ୍କ ପତ୍ନୀଙ୍କ ଆଗମନ ରୋଷେଇ, ସଫା କରିବା ଏବଂ ରୋଗୀମାନଙ୍କର ଯତ୍ନ ନେବା ଚାପକୁ ହ୍ରାସ କରିଥିଲା। ସମ୍ପର୍କୀୟ ଭାଇଙ୍କ ପତ୍ନୀଙ୍କୁ ବିଷାକ୍ତ ସାପ କାମୁଡ଼ିବାରୁ ତାଙ୍କର ଅବସ୍ଥା ମରିବା ପ୍ରାୟ ହୋଇଯାଇଥିଲା ଏହା ପରିବାରର ଚାପକୁ ଆହୁରି ବଢ଼ାଇ ଦେଇଥିଲା। ତା’ପରେ ୨୦୧୯ ରେ ଏକ ଫାର୍ମ ଦୁର୍ଘଟଣାରେ ପ୍ରୀତିଙ୍କ ଜଣେ ଭାଇଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା ଏବଂ କିଛିମାସ ପାଇଁ ସେ ନିରନ୍ତର ସେବା ଆବଶ୍ୟକ କରୁଥିଲେ।
ଯେତେବେଳେ ତାଙ୍କ ପିତାମାତାଙ୍କର ମୃତ୍ୟୁ ହେଲା, ପ୍ରୀତି ନିରାଶ ହେବାକୁ ଲାଗିଲେ। “ ମାୟୋସି ଥି … ବହୁତ ଟେନସନ୍ ଥା ତବ୍ ।” ଯେତେବେଳେ ନିଜର ଗେଟା ଚିହ୍ନଟ ହେଲା ସେତେବେଳେ ସେ ମାନସିକ ଚାପରୁ ମୁକୁଳି ପାରିଲେ ନାହିଁ ।
ନିଜ ଗାଁର ଅନ୍ୟ ସମସ୍ତଙ୍କ ପରି, ପରିବାର ମଧ୍ୟ ହ୍ୟାଣ୍ଡପମ୍ପରୁ ବାହାର କରାଯାଇଥିବା ଜଳକୁ ଶୋଧନ ନକରି କିମ୍ବା ନ ଫୁଟାଇ ବ୍ୟବହାର କରିଥାନ୍ତି। ଦୁଇ ଦଶନ୍ଧିର ପ୍ରାୟ ୧୨୦-୧୫୦ ଗଭୀରତା ବିଶିଷ୍ଟ ପୁରୁଣା ବୋରୱେଲଟି ସଫା କରିବା, ଗାଧୋଇବା, ପିଇବା, ରାନ୍ଧିବା ଭଳି ସମସ୍ତ କାର୍ଯ୍ୟ ପାଇଁ ସେମାନଙ୍କର ଜଳ ଉତ୍ସ ହୋଇଆସୁଛି । ପ୍ରୀତି କୁହନ୍ତି, "ପିତାଙ୍କ ଦେହାନ୍ତ ପରେ ଆମେ ପିଇବା ଏବଂ ରାନ୍ଧିବା ପାଇଁ RO ଫିଲ୍ଟର ପାଣି ବ୍ୟବହାର କରୁଛୁ। ଭୂତଳ ଜଳ ଆର୍ସେନିକ୍ ଦ୍ୱାରା ବିଷାକ୍ତ ହେଉଥିବା ବିଷୟରେ ଅନେକ ଅଧ୍ୟୟନରୁ ଜଣାପଡ଼ିବା ପରେ ଜିଲ୍ଲାର ଲୋକମାନେ ଏହି ପ୍ରଦୂଷଣ ଏବଂ ଏହାର ବିପଦ ବିଷୟରେ ଅବଗତ ହେବା ଆରମ୍ଭ କରିଥିଲେ। ନିୟମିତ ରକ୍ଷଣାବେକ୍ଷଣ ସହିତ RO ବିଶୋଧନ ପ୍ରଣାଳୀ, ପାନୀୟ ଜଳରୁ ଆର୍ସେନିକ୍ ଶୋଧନ କରିବାରେ କିଛି ମାତ୍ରାରେ ସଫଳ ହୋଇଥିବାର ଦେଖାଯାଏ।
୧୯୫୮ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚିତ କରିଛନ୍ତି ଯେ ଆର୍ସେନିକ୍ ଦ୍ୱାରା ପ୍ରଦୂଷିତ ଜଳ ଦୀର୍ଘଦିନ ଧରି ପିଇବା ଫଳରେ ଶରୀରରେ ଆର୍ସେନିକ୍ ବିଷାକ୍ତତା କିମ୍ବା ଆର୍ସେନିକୋସିସ୍ ସୃଷ୍ଟି ହୋଇଥାଏ, ଚର୍ମ, ମୃତ୍ରାଶୟ, ବୃକକ୍ କିମ୍ବା ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ଏବଂ ଏହା ସହିତ ଚର୍ମର ରଙ୍ଗ ବଦଳି ଯାଏ ଏବଂ ପାପୁଲି ଏବଂ ପାଦରେ କଠିନ ପ୍ୟାଚ୍ ଦେଖିବାକୁ ମିଳିଥାଏ। ଡବ୍ଲୁଏଚଓ ମଧ୍ୟ ଅବଗତ କରାଇଛନ୍ତି ଯେ ଦୂଷିତ ଜଳ ଗ୍ରହଣ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ଓ ପ୍ରଜନନ ବ୍ୟାଧି ମଧ୍ୟରେ ସମ୍ବଦ୍ଧ ରହିଥିବାର ପ୍ରମାଣ ରହିଛି।
୨୦୧୭ ରୁ ୨୦୧୯ ମସିହା ମଧ୍ୟରେ, ପାଟନାରେ ଥିବା ଏକ ଘରୋଇ ଚାରିଟେବୁଲ୍ ଟ୍ରଷ୍ଟ ମହାବୀର କର୍କଟ ସଂସ୍ଥାନ ଏବଂ ଅନୁସନ୍ଧାନ କେନ୍ଦ୍ର, ଏହାର ବାହ୍ୟ ରୋଗୀ ବିଭାଗରେ ୨୦୦୦ ଅନିୟମିତ ଭାବରେ ମନୋନୀତ କର୍କଟ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା ଏବଂ କାରସିନୋମା ରୋଗୀଙ୍କଠାରେ ରକ୍ତ ଆର୍ସେନିକ୍ ସ୍ତର ଅଧିକ ଥିବା ଦେଖିବାକୁ ପାଇଥିଲା। ଏକ ଭୌଗୋଳିକ ମାନଚିତ୍ର ରକ୍ତରେ ଆର୍ସେନିକ୍ର ମାତ୍ରା ସହ ବିଭିନ୍ନ ପ୍ରକାରର କର୍କଟ ରୋଗ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ସହିତ ସମ୍ବନ୍ଧ ଥିବା ଦର୍ଶାଇଥିଲା।
ଏହି ଅନୁସନ୍ଧାନ ଉପରେ ଏକାଧିକ ରିସର୍ଚ୍ଚ ପେପର ଲେଖିଥିବା ଅନୁଷ୍ଠାନର ବୈଜ୍ଞାନିକ ଡକ୍ଟର ଅରୁଣ କୁମାର କୁହନ୍ତି, "ରକ୍ତରେ ଆର୍ସେନିକ୍ ଗାଢ଼ତା ଅଧିକ ଥିବା ଅଧିକାଂଶ କର୍କଟ ରୋଗୀ ଗଙ୍ଗା ନଦୀ ନିକଟବର୍ତ୍ତୀ [ସାରଣ ସହିତ] ଜିଲ୍ଲାମାନଙ୍କରୁ ଆସିଥିଲେ। ସେମାନଙ୍କର ରକ୍ତରେ ଆର୍ସେନିକ୍ର ମାତ୍ରାଧିକ ଉପସ୍ଥିତି, କର୍କଟ ସହ ଆର୍ସେନିକର ସମ୍ବନ୍ଧ ରହିଥିବା ତଥ୍ୟକୁ ଦୃଢ ଭାବରେ ପ୍ରମାଣିତ କରିଥିଲା , ବିଶେଷକରି କାର୍ସିନୋମା ସହିତ’’।
‘ଏହା ଏକ ଛୋଟ ଗାଁ ଯଦିଓ ମୁଁ କିଛି ଦିନ ପାଇଁ ଏଠାରୁ ଯାଏ, ଲୋକମାନେ ଜାଣିଯିବେ। ଯଦି ମୁଁ ଅସ୍ତ୍ରୋପଚାର ପାଇଁ ପାଟନାକୁ ଯାଏ, କିଛି ଦିନ ପାଇଁ ହେଲେ ମଧ୍ୟ ସମସ୍ତେ ମୋ ବିଷୟରେ ଜାଣିବାକୁ ଚାହିଁବେ’
ଏହି ଅଧ୍ୟୟନର ଜାନୁୟାରୀ ୨୦୨୧ ରିପୋର୍ଟ ଅନୁଯାୟୀ "ଆମର ଅନୁଷ୍ଠାନ ୨୦୧୯ ମସିହାରେ ୧୫୦୦୦ ରୁ ଅଧିକ ସଂଖ୍ୟକ କର୍କଟ ରୋଗୀ ପଞ୍ଜିକୃତ କରିଥିବାର ଦର୍ଶାଯାଇଛି। “ସଂକ୍ରାମକ ରୋଗ ବିଜ୍ଞାନ ତଥ୍ୟରୁ ଜଣାପଡିଛି ଯେ ଅଧିକାଂଶ କର୍କଟ ରୋଗୀ ଗଙ୍ଗା ନଦୀ ନିକଟରେ ଅବସ୍ଥିତ ସହର କିମ୍ବା ଗ୍ରାମରୁ ଆସିଛନ୍ତି। କର୍କଟ ରୋଗର ସବୁଠାରୁ ଅଧିକ ଘଟଣା - ବକ୍ସାର, ଭୋଜପୁର, ସାରଣ, ପାଟନା, ବୈଶାଳି, ସମସ୍ତିପୁର, ମୁଙ୍ଗେର, ବେଗୁସରାଇ ଭାଗଲପୁର ଜିଲ୍ଲାଗୁଡିକର ଅଟେ।"
ଯେତେବେଳେକି ସାରଣ ଜିଲ୍ଲାର ପ୍ରୀତିଙ୍କ ପରିବାର ଭଳି ଗ୍ରାମର ଅନେକ ପରିବାର ନିଜ ଘରର ଉଭୟ ପୁରୁଷ ଏବଂ ମହିଳା ସଦସ୍ୟମାନଙ୍କୁ କର୍କଟ ରୋଗରେ ହରାଇଛନ୍ତି, ଗ୍ରାମର ଯୁବତୀମାନେ ଅଙ୍କୋଲୋଜିଷ୍ଟମାନଙ୍କୁ ସାକ୍ଷାତ କରିବାକୁ ଅସାଧାରଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିଶେଷକରି ଛୋଟ ଝିଅମାନଙ୍କ ପାଇଁ କର୍କଟ ସହିତ ଏକ ପ୍ରଗାଢ ଅପବାଦ ରହିଛି। ପ୍ରୀତିର ଜଣେ ଭାଇଙ୍କ କହିବା ଅନୁସାରେ, “ଗାଁର ଲୋକମାନେ ଅନେକ କଥା କହିବାକୁ ଆରମ୍ଭ କରନ୍ତି… ପରିବାରକୁ ସତର୍କ ରହିବାକୁ ପଡ଼ିବ।”
ପ୍ରୀତି କୁହନ୍ତି, "ଏହା ଏକ ଛୋଟ ଗାଁ ଯଦିଓ ମୁଁ କିଛି ଦିନ ପାଇଁ ବାହାରକୁ ଯାଏ, ଲୋକମାନେ ଜାଣିଯିବେ। ଯଦି ମୁଁ ଅସ୍ତ୍ରୋପଚାର ପାଇଁ କିଛି ଦିନ ପାଟନାକୁ ଯାଏ, ତେବେ ସମସ୍ତେ ମୋ ବିଷୟରେ ଜାଣିବାକୁ ଚାହିଁବେ।" “ହୁଏତ, ଆମେ ଯଦି ଆଗରୁ ଜାଣିଥାନ୍ତୁ ଯେ ପାଣିରୁ କର୍କଟ ରୋଗ ବ୍ୟାପି ପାରେ"
ସେ ଏକ ସ୍ନେହୀ ସ୍ୱାମୀ ପାଇବାକୁ ଆଶାବାଦୀ ହୋଇ ରହିଛନ୍ତି - ଏବଂ ସେହି ସୁଖରେ ଏହି ଗେଟା ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଭାବି ଚିନ୍ତିତ ।
*****
"ସେ ଏକ ଶିଶୁକୁ ସ୍ତନ୍ୟପାନ କରାଇବାକୁ ସକ୍ଷମ ହେବେ କି?"
ରାମୁନି ଦେବୀ ଯାଦବଙ୍କ ମନରେ ମାତ୍ର ୬ ମାସ ପୂର୍ବରୁ ବିବାହ କରିଥିବା ୨୦ବର୍ଷ ବୟସ ପାଖାପାଖି ଜଣେ ମହିଳାଙ୍କୁ ଦେଖି ଏହି ପ୍ରଶ୍ନଟି ଆସିଥିଲା ଯିଏ ପାଟନା ହସ୍ପିଟାଲ ୱାର୍ଡରେ ତାଙ୍କଠାରୁ କିଛି ଶଯ୍ୟା ଦୂରରେ ରହିଥିଲେ। ଏହା ୨୦୧୫ ମସିହାର ଗ୍ରୀଷ୍ମ ଋତୁ ଥିଲା। ୫୮ ବର୍ଷୀୟା ରାମୁନି ଦେବୀ କୁହନ୍ତି, “ଅତି କମ୍ରେ ମୋର ସ୍ତନ ଅସ୍ତ୍ରୋପଚାର ପରିଣତି ବୟସରେ କରାଯାଇଥିଲା। ମୋର ଚାରି ପୁଅ ବୟସ୍କ ହେବା ପରେ ମୁଁ ସ୍ତନ କର୍କଟ ରୋଗରେ ପୀଡିତ ହୋଇଥିଲି। କିନ୍ତୁ ଯୁବତୀମାନଙ୍କର ଅବସ୍ଥା କ'ଣ ହେବ?”।
ଯାଦବମାନଙ୍କର ମାଲିକାନାରେ ପ୍ରୀତିଙ୍କ ଗ୍ରାମଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିବା ବକ୍ସାର ଜିଲ୍ଲାର ସିମ୍ରି ବ୍ଲକର ବାଦକା ରାଜପୁର ଗ୍ରାମରେ ପ୍ରାୟ ୫୦ ବିଘା ଜମି (ପ୍ରାୟ ୧୭ ଏକର) ରହିଛି ଏବଂ ସେମାନେ ସ୍ଥାନୀୟ ରାଜନୀତିରେ ପ୍ରଭାବଶାଳୀ ଅଟନ୍ତି। ସ୍ତନ କର୍କଟ ସହିତ ତାଙ୍କର ସଫଳ ସଂଗ୍ରାମର ଛଅ ବର୍ଷ ପରେ, ରାମୁନି ଦେବୀ ରାଜପୁର କାଲାନ ପଞ୍ଚାୟତରେ (ଯାହା ମଧ୍ୟରେ ତାଙ୍କର ଗ୍ରାମ ରହିଛି) ମୁଖିଆ (ମୁଖ୍ୟ) ପଦରେ ନିର୍ବାଚନ ଲଢିବାକୁ ଯୋଜନା କରିଛନ୍ତି ଯଦି କୋଭିଡ କାରଣରୁ ବିଳମ୍ବରେ ଏହି ବର୍ଷ ଶେଷରେ ନିର୍ବାଚନ ଅନୁଷ୍ଠିତ ହୁଏ।
ରାମୁନି କେବଳ ଭୋଜପୁରୀ କୁହନ୍ତି, କିନ୍ତୁ ତାଙ୍କ ପୁଅ ଏବଂ ସ୍ୱାମୀ ଉମାଶଙ୍କର ଯାଦବ ତାଙ୍କ ପାଇଁ ସହଜରେ ଅନୁବାଦ କରନ୍ତି । ଉମାଶଙ୍କର କୁହନ୍ତି, ବାଦକା ରାଜପୁରରେ ଅନେକ କର୍କଟ ରୋଗୀ ଅଛନ୍ତି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଅନୁଯାୟୀ, ୧୮ ଟି ଜିଲ୍ଲାର ଯେଉଁ ୫୭ ଟି ବ୍ଲକର ଭୂତଳ ଜଳରେ ଆର୍ସେନିକ୍ର ଗାଢତା ମାତ୍ରାଧିକ ରହିଛି, ବକ୍ସର ଜିଲ୍ଲା ସେଥିରେ ଅନ୍ତର୍ଭୁକ୍ତ ରହିଛି।
ମାଲଦା ଆମ୍ବରୁ କିଛି ବସ୍ତା ଓ ଏକ ଛୋଟ ଟ୍ରକ୍ ପୂର୍ଣ୍ଣ ପଣସ ଅମଳ କରାଯାଉଥିବା ତାଙ୍କ ଚାଷ ଜମିରେ ବୁଲିବା ସମୟରେ ରାମୁନି କହନ୍ତି ଯେ ଶେଷ ଅସ୍ତ୍ରୋପଚାର ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ ଅବସ୍ଥା କେତେ ଗୁରୁତର ତାହା ତାଙ୍କ ପରିବାର ତାଙ୍କୁ ଜାଣିବାକୁ ଦେଇ ନଥିଲା ଏବଂ ତା’ପରେ ତାଙ୍କର ବିକିରଣ ଚିକିତ୍ସା ଆରମ୍ଭ କରାଯାଇଥିଲା।
ଯାଦବଙ୍କ ପରିବାର ରହୁଥିବା ପଡୋଶୀ ଉତ୍ତରପ୍ରଦେଶର ବନାରସରେ ତାଙ୍କର କରାଯାଇଥିବା ପ୍ରଥମ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ବିଷୟରେ ସେ କୁହନ୍ତି, "ପ୍ରାରମ୍ଭରେ, ଆମେ ଜାଣି ନ ଥିଲୁ ଏହା କ’ଣ ଏବଂ ଆମର ସଚେତନତାର ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲୁ”। ଗେଟାକୁ ବାହାର କରାଗଲା, କିନ୍ତୁ ତାହା ପୁଣି ଥରେ ସୃଷ୍ଟି ହୋଇ ବଢିବାକୁ ଲାଗିଲା, ଯାହାଦ୍ୱାରା ପ୍ରବଳ ଯନ୍ତ୍ରଣା ହୋଇଥିଲା। ୨୦୧୪ ମସିହାର ସେହି ବର୍ଷରେ, ସେମାନେ ବନାରସର ସମାନ କ୍ଲିନିକକୁ ଯାଇଥିଲେ, ଯେଉଁଠାରେ ସମାନ ଅସ୍ତ୍ରୋପଚାରର ପୁନରାବୃତ୍ତି କରାଯାଇଥିଲା।
ଉମାଶଙ୍କର କୁହନ୍ତି, "କିନ୍ତୁ ଯେତେବେଳେ ଆମେ ଗାଁର ସ୍ଥାନୀୟ ଡାକ୍ତରଙ୍କ କ୍ଲିନିକରେ ବ୍ୟାଣ୍ଡେଜ୍ ବଦଳାଇବାକୁ ଯାଇଥିଲୁ, ସେତେବେଳେ ସେ କହିଥିଲେ ଯେ କ୍ଷତଟି ବିପଜ୍ଜନକ ଦେଖାଯାଉଛି। ୨୦୧୫ ମସିହାର ମଧ୍ୟ ଭାଗରେ କେହି ଜଣେ ପାଟଣାର ମହାବୀର କର୍କଟ ସଂସ୍ଥାନକୁ ଯିବା ପାଇଁ କହିବା ପୂର୍ବରୁ ଯାଦବମାନେ ଆଉ ଦୁଇଟି ଡାକ୍ତରଖାନାରେ ପରିଦର୍ଶନ କରିଥିଲେ।
ରାମୁନି କୁହନ୍ତି, ମାସ ମାସ ଧରି ଡାକ୍ତରଖାନା ଯିବା ଏବଂ ତାଙ୍କ ଗାଁରୁ ବାରମ୍ବାର ଯାତ୍ରା ତାଙ୍କର ପାରିବାରିକ ଜୀବନକୁ ଭୀଷଣ ଭାବରେ ପ୍ରଭାବିତ କରିଥିଲା। ସେ କୁହନ୍ତି, “ଯେତେବେଳେ ଜଣେ ମା’ କର୍କଟ ରୋଗରେ ଆକ୍ରାନ୍ତ ହୁଏ, କେବଳ ମା’ଙ୍କର ସ୍ୱାସ୍ଥ୍ୟ ନୁହେଁ ପ୍ରତ୍ୟେକ ଜିନିଷ [ଘରେ ଥିବା] ପ୍ରଭାବିତ ହୋଇଥାଏ। “ସେତେବେଳେ ମୋର କେବଳ ଗୋଟିଏ ବୋହୂ ଥିଲା, ତିନି ସାନ ପୁଅ ତା’ପରେ ବିବାହ କରିଥିଲେ। ଏବଂ ତା ପାଇଁ ସବୁକିଛି ପରିଚାଳନା କରିବା କଷ୍ଟକର ଥିଲା। ”
ତାଙ୍କ ପୁଅମାନଙ୍କର ମଧ୍ୟ ଚର୍ମ ରୋଗ ହୋଇଥିଲା, ଯେଉଁଥିପାଇଁ ସେମାନେ ୧୦୦ରୁ ୧୫୦ ଫୁଟ ଗଭୀର ହ୍ୟାଣ୍ଡ ପମ୍ପରୁ ବାହାରୁଥିବା ଗୋଳିଆ ପାଣିକୁ ଦାୟୀ କରୁଥିଲେ। ଯେତେବେଳେ ରାମୁନି କେମୋଥେରାପି, ଅସ୍ତ୍ରୋପଚାର ଏବଂ ବିକିରଣ ଚିକିତ୍ସା ପାଇଁ ଯାଉଥିଲେ, ଘରେ ସବୁବେଳେ ବିଶୃଙ୍ଖଳା ହେଉଥିଲା। ଗୋଟିଏ ପୁଅ ବକ୍ସର୍ ବାହାରେ ରହୁଥିଲା ଯେହେତୁ ସେ ନିଜ ସୀମା ସୁରକ୍ଷା ବଳ (ସିକ୍ୟୁରିଟି ଫୋର୍ସ)ରେ ପୋଷ୍ଟିଂ ହୋଇଥିଲେ, ଅନ୍ୟ ଜଣେ ପୁଅ ପଡୋଶୀ ଗାଁରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ଯାହା ତାଙ୍କୁ ଦିନରେ ଦୀର୍ଘ ଘଣ୍ଟା ବ୍ୟସ୍ତ ରଖୁଥିଲା ଏବଂ ସେଠାରେ ଥିବା ଚାଷ ଜମିଗୁଡ଼ିକର ସେ ଯତ୍ନ ନେଉଥିଲେ।
"ମୋର ଶେଷ ଅସ୍ତ୍ରୋପଚାର ପରେ, ମୁଁ ଏହି ନବବିବାହିତ ମହିଳାଙ୍କୁ ମୋର ହସ୍ପିଟାଲ ୱାର୍ଡରେ ଦେଖିଲି । ମୁଁ ତାଙ୍କ ପାଖକୁ ଆସିଲି, ତାଙ୍କୁ ମୋର ଦାଗ ଦେଖାଇ କହିଲି ଯେ ଚିନ୍ତା କରିବାର କିଛି ନାହିଁ । ସେ ମଧ୍ୟ ସ୍ତନ କର୍କଟରେ ଆକ୍ରାନ୍ତ ଥିଲେ, ଏବଂ ତାଙ୍କର ବିବାହ ମାତ୍ର କିଛି ମାସର ହୋଇଥିଲେ ମଧ୍ୟ ତାଙ୍କର ସ୍ୱାମୀ ତାଙ୍କର ବହୁତ ଯତ୍ନ ନେଇଥିବାର ଦେଖି ମୁଁ ଖୁସି ହୋଇଥିଲି। ରାମୁନି କୁହନ୍ତି, "ପରେ ଡାକ୍ତର ଆମକୁ କହିଥିଲେ ଯେ ସେ ପ୍ରକୃତରେ ସ୍ତନ୍ୟପାନ କରାଇ ପାରିବେ। ମୁଁ ତାହା ଶୁଣି ବହୁତ ଖୁସି ହୋଇଥିଲି।"
ତାଙ୍କ ପୁଅ ଶିବଜିତ କୁହନ୍ତି ଯେ ବାଦକା ରାଜପୁରର ଭୂତଳ ଜଳ ଅତ୍ୟଧିକ ପ୍ରଦୂଷିତ ହୋଇଥିଲା। ସେ କୁହନ୍ତି, “ଆମର ନିଜ ମା’ ଗୁରୁତର ଅସୁସ୍ଥ ନହେବା ପର୍ଯ୍ୟନ୍ତ ଆମେ ସ୍ୱାସ୍ଥ୍ୟ ଏବଂ ଜଳ ମଧ୍ୟରେ ଥିବା ସମ୍ବନ୍ଧ ଅନୁଭବ କରିନଥିଲୁ। କିନ୍ତୁ ଏଠାରେ ଥିବା ଜଳର ଏକ ବିଚିତ୍ର ରଙ୍ଗ ରହିଛି। ୨୦୦୭ ପର୍ଯ୍ୟନ୍ତ କିମ୍ବା କିଛି ଦିନ ପର ଯାଏଁ ସବୁକିଛି ଠିକ୍ ଥିଲା, କିନ୍ତୁ ଏହା ପରେ ଆମେ ଦେଖିଲୁ ଜଳ ହଳଦିଆ ହୋଇଯାଉଛି। ବର୍ତ୍ତମାନ ଆମେ କେବଳ ଭୂତଳ ଜଳକୁ ସଫା କରିବା ଓ ଗାଧୋଇବା ପାଇଁ ବ୍ୟବହାର କରୁଛୁ’’।
ରାନ୍ଧିବା ଏବଂ ପିଇବା ପାଇଁ, ସେମାନେ କିଛି ସଂସ୍ଥା ଦ୍ୱାରା ଦାନ କରାଯାଇଥିବା ଏକ ଫିଲ୍ଟରେସନ୍ ପ୍ଲାଣ୍ଟର ଜଳ ବ୍ୟବହାର କରନ୍ତି। ଏହାକୁ ପ୍ରାୟ ୨୫୦ ପରିବାର ବ୍ୟବହୃତ କରିଥାନ୍ତି, କିନ୍ତୁ ୨୦୨୦ ମସିହା ସେପ୍ଟେମ୍ବର ମାସରେ (ଯାଦବଙ୍କ ଜମିରେ) ସ୍ଥାପିତ ହୋଇଥିଲା, ଯେତେବେଳେ କି ଅନେକ ରିପୋର୍ଟ ସୂଚାଇ ଦେଇଛି ଯେ ଏଠାରେ ଭୂତଳ ଜଳ ଅତି କମ୍ରେ ୧୯୯୯ ମସିହାରୁ ପ୍ରଦୂଷିତ ହୋଇଛି।
ଫିଲ୍ଟରେସନ୍ ପ୍ଲାଣ୍ଟ ବହୁତ ସଫଳ ହୋଇନାହିଁ । ଗ୍ରୀଷ୍ମ ଋତୁରେ, ଗାଁର ଲୋକମାନେ କୁହନ୍ତି, ଏହାର ଜଳ ଅତ୍ୟଧିକ ଗରମ ହୋଇଯାଏ । ଶିବଜିତ କୁହନ୍ତି, RO- ବିଶୁଦ୍ଧ ଜଳର ୨୦ ଲିଟର ପ୍ଲାଷ୍ଟିକ୍ ଜାରକୁ ୨୦-୩୦ ଟଙ୍କାରେ ଦୋକାନୀମାନେ ବିକ୍ରି କରିଥାନ୍ତି ଯାହାକୁ ନିକଟସ୍ଥ ଗ୍ରାମଗୁଡ଼ିକରେ ପ୍ରସ୍ତୁତ କରାଯାଇଥାଏ। ଏହି ଜଳ ପ୍ରକୃତରେ ଆର୍ସେନିକ୍ ମୁକ୍ତ କି ନାହିଁ ତାହା କେହି ଜାଣନ୍ତି ନାହିଁ।
ଅଧ୍ୟୟନରୁ ଜଣାପଡିଛି ଯେ ଉତ୍ତର ଏବଂ ପୂର୍ବ ଭାରତର ଆର୍ସେନିକ୍ ପ୍ରଭାବିତ ନଦୀ ସମତଳର ଅଧିକାଂଶ ଅଂଶ ହିମାଳୟରୁ ଉତ୍ପନ୍ନ ନଦୀ ମାର୍ଗକୁ ଘେରି ରହିଛି। ଗାଙ୍ଗେଟିକ୍ ସମତଳ ଭୂମିରେ ଥିବା ବିଷାକ୍ତ ପ୍ରଦୂଷଣର ଉତ୍ସର ଭୌଗୋଳିକ ଉତ୍ପତ୍ତି ରହିଛି - ଅଗଭୀର ଜଳରେ ଅକ୍ସିଡେସନ୍ ହେତୁ ଆର୍ସେନୋପାଇରାଇଟ୍ ପରି ନିର୍ଦ୍ଦିଷ୍ଟ ଖଣିଜ ପଦାର୍ଥରୁ ଆର୍ସେନିକ୍ ନିର୍ଗତ ହୁଏ । ଜଳସେଚନ ପାଇଁ ଭୂତଳ ଜଳର ଅତ୍ୟଧିକ ଶୋଷଣ ହେତୁ ଜଳସ୍ତରର ହ୍ରାସ କେତେକ ଗ୍ରାମରେ ପ୍ରଦୂଷଣ ବୃଦ୍ଧି ସହିତ ଜଡ଼ିତ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡିଛି। ଏଗୁଡ଼ିକ ଅନ୍ୟାନ୍ୟ କାରଣରୁ ମଧ୍ୟ ହୋଇପାରେ।
ଆମେ ପରାମର୍ଶ ଦେଉଛୁ ଯେ ରାଜମହଲ ଅବବାହିକାରେ ଗୋଣ୍ଡୱାନା କୋଇଲା ସିମକୁ ଅନ୍ତର୍ଭୁକ୍ତ କରି ପଲିଥିନ ଆର୍ସେନିକର ଅନେକ ସମ୍ଭାବ୍ୟ ଉତ୍ସ ରହିଛି, ଯେଉଁଥିରେ ଆର୍ସେନିକର ପ୍ରତି ମିଲିୟନ୍ (ପିପିଏମ୍) ୨୦୦ଭାଗ ପର୍ଯ୍ୟନ୍ତ ରହିଛି; ଦାର୍ଜିଲିଂ ହିମାଳୟର ସଲଫାଇଡ୍ସର ପୃଥକ ପୃଥକ ଅଂଶ, ଯେଉଁଥିରେ ୦.୮% ଆର୍ସେନିକ୍ ରହିଛି; ଏବଂ ଗଙ୍ଗା ନଦୀ ପ୍ରଣାଳୀର ଉପର ମୁଣ୍ଡରେ ଥିବା ଅନ୍ୟ ଉତ୍ସଗୁଡିକ,” ପୂର୍ବରୁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ଏସ୍ କେ ଆଚାର୍ଯ୍ୟ ଏବଂ ଅନ୍ୟମାନେ ୧୯୯୯ ମସିହାରେ ନେଚର ମାଗାଜିନ୍ର ଏକ ସନ୍ଦର୍ଭରେ ଲେଖିଥିଲେ।
ଅଧ୍ୟୟନଗୁଡିକ ଧ୍ୟାନ ଦିଅନ୍ତି ଯେ ଅଗଭୀର ଏବଂ ବହୁତ ଗଭୀର କୂଅରେ ଆର୍ସେନିକ୍ ପ୍ରଦୂଷଣ କମ୍ ଥାଏ - ଯେତେବେଳେ ଦୂଷିତ ହୁଏ ୮୦ ରୁ ୨୦୦ ଫୁଟ ଗଭୀର ସୀମା ମଧ୍ୟରେ ହୋଇଥାଏ । ଡ. କୁମାର କୁହନ୍ତି ଯେ ଏହି ଗ୍ରାମଗୁଡିକରେ ଲୋକଙ୍କ ଅଭିଜ୍ଞତା ସହିତ ଏହି ସମ୍ପର୍କ ରହିଛି ଯେଉଁଠାରେ ତାଙ୍କ ଅନୁଷ୍ଠାନ ଏକ ବ୍ୟାପକ ଅଧ୍ୟୟନ ପାଇଁ ଜଳ ନମୁନା ପରୀକ୍ଷା ଜାରି ରଖିଛି - ବର୍ଷା ଜଳ ଏବଂ ଅଗଭୀର ଖୋଳା ଯାଇଥିବା କୂଅଗୁଡ଼ିକରେ ଆର୍ସେନିକ୍ ପ୍ରଦୂଷଣ ନଥାଏ ଯେତେବେଳେ କି ଗ୍ରୀଷ୍ମ ଋତୁରେ ଅନେକ ପରିବାରର ବୋରୱେଲ ଜଳ ରଙ୍ଗୀନ ହୋଇଯାଏ।
*****
ବକ୍ସର ଜିଲ୍ଲାସ୍ଥିତ ବଡ୍କା ରାଜପୁର ଉତ୍ତରରେ ଚାରି କିଲୋମିଟର ଦୂରରେ ୩୪୦ ଘର ବିଶିଷ୍ଟ ତିଲକ ରାଜ କା ହାଟ୍ଟ ଅବସ୍ଥିତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୂମିହୀନ ପରିବାର। ଏଠାରେ କେତେକ ଘର ବାହାରେ ଥିବା ହ୍ୟାଣ୍ଡ ପମ୍ପରୁ ବହୁତ ଗୋଳିଆ ପାଣି ବାହାରୁଛି।
ଡା. କୁମାର, ଯିଏକି ଜଣେ ଅଗ୍ରଣି ଗବେଷକ କୁହନ୍ତି, ୨୦୧୩-୧୪ ମସିହାରେ, ଏହି ଗ୍ରାମରେ ମହାବୀର କର୍କଟ ସଂସ୍ଥାନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଭୂତଳ ଜଳରେ ଆର୍ସେନିକର ସାନ୍ଧ୍ରତା ମାତ୍ରାଧିକ ଥିବାର ଜଣା ଯାଇଥିଲା, ତିଲକ ରାୟ କା ହାଟର ପଶ୍ଚିମ ଭାଗରେ ଏହାର ସାନ୍ଧ୍ରତା ବହୁତ ଅଧିକ ଥିଲା। ଗାଁରେ ଆର୍ସେନିକୋସିସ୍ର ସାଧାରଣ ଲକ୍ଷଣ “ବ୍ୟାପକ ଭାବରେ ଦେଖାଗଲା”: ୨୮ ପ୍ରତିଶତ ଗ୍ରାମବାସୀଙ୍କର ପାପୁଲି ଏବଂ ପାଦରେ ହାଇପରକେରାଟୋସିସ୍ (କ୍ଷତ)ସମସ୍ୟା, ୩୧ ପ୍ରତିଶତ ଗ୍ରାମବାସୀଙ୍କର ଚର୍ମ ପିଗମେଣ୍ଟେସନ୍ କିମ୍ବା ମେଲାନୋସିସ୍ ସମସ୍ୟା, ୫୭ ପ୍ରତିଶତ ଗ୍ରାମବାସୀଙ୍କର ଯକୃତ ସମ୍ବନ୍ଧୀୟ ସମସ୍ୟା, ୮୬ ପ୍ରତିଶତ ଗ୍ରାମବାସୀଙ୍କର ଗ୍ୟାଷ୍ଟ୍ରାଇଟିସ୍ ସମସ୍ୟା, ଏବଂ ୯ ପ୍ରତିଶତ ମହିଳାଙ୍କର ମାସିକ ଋତୁସ୍ରାବ ଅନିୟମିତ ସମସ୍ୟା ଥିଲା।
କିରଣ ଦେବୀଙ୍କର ସ୍ୱାମୀ ଗାଁର ଏକ ପୃଥକ୍ ପଡାରେ ଇଟା ଓ କାଦୁଅରେ ନିର୍ମିତ ଘରେ ରହୁଥିଲେ ଯାହାକି ବିଛୁ କା ଡେରା ନାମରେ ଜଣାଶୁଣା ଥିଲା। ସେ କୁହନ୍ତି, "ଅନେକ ମାସ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ହେବା ପରେ ସେ ୨୦୧୬ ରେ ମୃତ୍ୟୁବରଣ କଲେ"। ତାଙ୍କର ପରିବାର ତାଙ୍କୁ ସିମ୍ରି ଓ ବକ୍ସର ସହରରେ ଥିବା ଡାକ୍ତରମାନଙ୍କ ପାଖକୁ ନେଇଥିଲେ ଏବଂ ସେମାନେ ଭିନ୍ନ ଭିନ୍ନ ପ୍ରକାରର ରୋଗ ନିର୍ଣ୍ଣୟ କରିଥିଲେ। ୫୦ ଦଶକରେ ଥିବା କିରଣ କୁହନ୍ତି, "ସେମାନ ଏହାକୁ ଯକ୍ଷ୍ମା କିମ୍ବା ଯକୃତ କର୍କଟ ବୋଲି କହିଥିଲେ।" ସେମାନଙ୍କର ଏକ ଛୋଟିଆ ଜମି ରହିଥିଲା, କିନ୍ତୁ ଦିନ ମଜୁରିଆ ଭାବରେ କାମ କରି ରୋଜଗାର କରିବା ତାଙ୍କ ସ୍ୱାମୀଙ୍କର ରୋଜଗାରର ମୁଖ୍ୟ ଉତ୍ସ ଥିଲା।
୨୦୧୮ ପରଠାରୁ କିରଣ ଦେବୀଙ୍କ ପାପୁଲିରେ କଠିନ ଓ ବିବର୍ଣ୍ଣ ଦାଗଗୁଡ଼ିକ ଦେଖାଦେଇଛି, ଯାହା କି ଆର୍ସେନିକ୍ ବିଷ କ୍ରିୟାର ଚିହ୍ନ ଅଟେ। "ମୁଁ ଜାଣେ ଏହା ସେହି ଜଳ କାରଣରୁ, କିନ୍ତୁ ଯଦି ମୁଁ ଆମ ନିଜର ପମ୍ପ ବ୍ୟବହାର କରିପାରିବୁ ନାହିଁ ତେବେ ମୁଁ କେଉଁଠାକୁ ଯିବି?" ତାଙ୍କ ହ୍ୟାଣ୍ଡପମ୍ପଟି ତାଙ୍କ ଘର ବାହାରେ ଏକ ଛୋଟ ଆବଦ୍ଧ କ୍ଷେତ୍ରର ବାହାରେ ରହିଛି, ଯେଉଁଠାରେ ଏକ ବଳଦ ଖାଦ୍ୟ ପାଗୁଳି କରୁଛି।
ସେ କୁହନ୍ତି ମୌସୁମୀ ନଥିବା ସମୟରେ (ନଭେମ୍ବର ରୁ ମେ) ଜଳର ଗୁଣବତ୍ତା ଅଧିକ ଖରାପ ଥାଏ, ଯେତେବେଳେ କି ଏହା ଏକ କପ୍ ପାଣି ଚା’ପରି ହୋଇଥାଏ। ସେ ପଚାରନ୍ତି, “ଆମେ ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଛୁ। ମୁଁ ଡାକ୍ତର କିମ୍ବା ପରୀକ୍ଷା ପାଇଁ ପାଟନାକୁ କିପରି ଯାତ୍ରା କରିପାରିବି?" ତାଙ୍କର ପାପୁଲି ଅତ୍ୟଧିକ କୁଣ୍ଡେଇ ହୁଏ ଏବଂ ଯେତେବେଳେ ସେ ଏକ ଡିଟରଜେଣ୍ଟ ବାର୍କୁ ସ୍ପର୍ଶ କରନ୍ତି କିମ୍ବା ପଶୁମାନଙ୍କ ଦିନର ଗୋବର ସଂଗ୍ରହ କରନ୍ତି ସେତେବେଳେ ସେଗୁଡିକ ପୋଡା ହୋଇଥାଏ।
ରାମୁନି କୁହନ୍ତି, "ମହିଳା ଏବଂ ଜଳ ନିବିଡ ଭାବରେ ଜଡିତ, କାରଣ ଉଭୟ ଘରର କେନ୍ଦ୍ରରେ ଅଛନ୍ତି। ତେଣୁ ଯଦି ପାଣି ପ୍ରଦୂଷିତ ହୁଏ, ତେବେ ମହିଳାମାନେ ଅଧିକ ପ୍ରଭାବିତ ହେବା ସ୍ୱାଭାବିକ।” ଉମାଶଙ୍କର କୁହନ୍ତି ଯେ କର୍କଟ ରୋଗର ଅପବାଦ ଅନେକଙ୍କୁ, ବିଶେଷକରି ମହିଳାମାନଙ୍କୁ, ବିଳମ୍ବ ନହେବା ପର୍ଯ୍ୟନ୍ତ ଚିକିତ୍ସା କରିବାରୁ ବାରଣ କରିଥାଏ।
ରାମୁନି ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ, ଗାଁର ଅଙ୍ଗନୱାଡି କର୍ମୀ ମୋତେ କୁହନ୍ତି, ଜଳର ଗୁଣବତ୍ତା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ସେ ମୁଖିଆ ଭାବରେ ନିର୍ବାଚିତ ହେବା ପରେ ଆହୁରି ଅଧିକ କରିବାକୁ ଯୋଜନା ରଖିଛିନ୍ତି। ସେ କୁହନ୍ତି, “ସମସ୍ତେ ନିଜ ଘର ପାଇଁ RO ପାଣି କିଣିବାକୁ ସକ୍ଷମ ନୁହନ୍ତି। “ଏବଂ ସମସ୍ତ ମହିଳା ସହଜରେ ଡାକ୍ତରଖାନା ଯାଇପାରିବେ ନାହିଁ। ଏହା ପାଇଁ ଆମେ ଅନ୍ୟ ଉପାୟ ଖୋଜିବାର ଚେଷ୍ଟା ଜାରି ରଖିବୁ।”
ପରୀ ଏବଂ କାଉଣ୍ଟର ମେଡିଆ ଟ୍ରଷ୍ଟ ର ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।
ଏହି ଆର୍ଟିକିଲଟିକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି କି? Please write to zahra@ruralindiaonline.org with a cc to namita@ruralindiaonline.org
ଅନୁବାଦ: ଓଡ଼ିଶାଲାଇଭ୍