ଯେଉଁ ଗୋଟିଏ ଶବ୍ଦ ସେ ପଢ଼ି ପାରନ୍ତି ବା ଲେଖି ପାରନ୍ତି ତାହା ହେଲା ତାଙ୍କ ନାଁ । ଦେବନାଗରୀ ଲିପିରେ, ସେ ଏହାକୁ ଗର୍ବର ସହ ଲେଖନ୍ତି ଏବଂ ଅତି ଯତ୍ନରେ କଲମ ଚଳାଇ ଅକ୍ଷରରେ ମାତ୍ରା ଦିଅନ୍ତି: ଗୋ-ପୁ-ଲୀ । ଆଉ ତା’ପରେ ସେ ହସି ଉଠନ୍ତି, ରହି ରହି ଛୁଟିଯାଏ ମନଖୋଲା ହସର ଲହରି ।
ଚାରିଟି ସନ୍ତାନର ମାଆ, ୩୮ ବର୍ଷୀୟା ଗୋପଲି ଗାମେତି କହନ୍ତି, ଥରେ ମନ ସ୍ଥିର କରିନେଲେ, ମହିଳାମାନେ ଯେ କୌଣସି କାମ କରିପାରିବେ ।
ପାଖାପାଖି ୩୦ଟି ପରିବାର ରହୁଥିବା ଏହି ବସତିଟି ଉଦୟପୁର ଜିଲ୍ଲାର ଗୋଗୁନ୍ଦା ବ୍ଲକ୍ ଅନ୍ତର୍ଗତ କରଦା ଗାଁ ଉପକଣ୍ଠରେ ଅବସ୍ଥିତ ଏବଂ ଏହିଠାରେ ହିଁ ତାଙ୍କ ସଂପ୍ରଦାୟର ଅନ୍ୟ କେତେକ ମହିଳାଙ୍କ ସହାୟତାରେ ତାଙ୍କର ଚାରିଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଗୋପଲି । ତାଙ୍କର ଚତୁର୍ଥ ସନ୍ତାନ ତଥା ତୃତୀୟ ଝିଅକୁ ଜନ୍ମ ଦେବା ପରେ ହିଁ ସେ ନିଜର ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ବା ଗର୍ଭାଶୟ ସଂଲଗ୍ନ ନଳୀ ଅବରୋଧ ପ୍ରକ୍ରିୟା ପାଇଁ ପ୍ରଥମ ଥର ପାଇଁ ହସ୍ପିଟାଲ୍ ବା ଡାକ୍ତରଖାନାକୁ ଯାଇଥିଲେ ।
ସେ କହନ୍ତି, “ସେତେବେଳେ ଆମ ପରିବାର ସଂପୂର୍ଣ୍ଣ ହୋଇଗଲା ବୋଲି ମାନି ନେବାର ସମୟ ଆସିଯାଇଥିଲା।” ଗୋଗୁନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ତାଙ୍କୁ ଏହି ‘ଅପରେସନ୍’ ସଂପର୍କରେ ଏବଂ ଏହା ଫଳରେ ଆଉ ଆଗକୁ ସେ ଗର୍ଭଧାରଣ କରିବେ ନାହିଁ ବୋଲି କହିଥିଲେ। ଏହା ଥିଲା ସଂପୂର୍ଣ୍ଣ ମାଗଣା । ତାଙ୍କୁ କେବଳ ଏତିକି କରିବାକୁ ପଡ଼ିବ ଯେ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ପହଞ୍ଚିବେ। ସେଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଗ୍ରାମୀଣ ହାସପାତାଳ ଅଧୀନରେ ରହିଥିବା ଚାରିଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସେ ଅଞ୍ଚଳର ଗ୍ରାମବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିଲା ।
ଘରେ ଏ ସଂପର୍କରେ ସେ ଅନେକ ଥର କଥା ଆରମ୍ଭ କରିଥଲେ। କିନ୍ତୁ ତାଙ୍କ ସ୍ୱାମୀ ଆଦୌ କାନ ଦେଇ ନଥିଲେ । ମାସ ପରେ ମାସ ବିତିବା ସହିତ ସେ ତାଙ୍କ ମନକୁ ଦୃଢ଼ କରିନେଉଥିଲେ ଏବଂ ତାଙ୍କର ସବା ସାନ ଝିଅକୁ ସ୍ତନ୍ୟପାନ କରାଇବା ସମୟରେ ନିଜ ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରାଇ ପାରିବେ କି ନାହିଁ ବୋଲି ଚିନ୍ତା କରିବାରେ ଲାଗିଲେ ।
ପୁରୁଣା କଥାକୁ ମନେ ପକାଇ ସେ ଅଳ୍ପ ହସି ଦିଅନ୍ତି ଏବଂ ଖଣ୍ଡି ଖଣ୍ଡି ହିନ୍ଦୀ ଓ ଭିଲି ଭାଷାରେ କହନ୍ତି, “ଦିନେ, ମୋ ପେଟର ନଳୀକୁ ବାନ୍ଧିନେବା ପାଇଁ ମୁଁ ନିଜେ ନିଜେ ଦୱାଖାନା (ଡାକ୍ତରଖାନା)କୁ ଚାଲିଲି । ମୋ ସ୍ୱାମୀ ଓ ଶାଶୂ ମୋ ପଛେ ପଛେ ଦୌଡ଼ି ଦୌଡ଼ି ଆସିଲେ ।” ରାସ୍ତାରେ ମାତ୍ର କିଛି ସମୟ ପାଇଁ ଯୁକ୍ତିତର୍କ ହେଲା ସତ, ହେଲେ ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ, ଗୋପଲି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତା’ପରେ, ସେମାନେ ଏକାଠି ହୋଇ ଗୋଗୁନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଲାଗି ବସ୍ରେ ଚଢ଼ିଥିଲେ ଏବଂ ସେହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋପଲିଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।
ସେ କହନ୍ତି, ସେଦିନ ସେଠାରେ ଅନ୍ୟ ମହିଳାମାନଙ୍କର ବି ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ସେଠାରେ ବନ୍ଧ୍ୟାକରଣ ଶିବିର ଚାଲିଥିଲା କି ନାହିଁ ସେ କଥା ସେ ଜାଣି ନଥିଲେ ଏବଂ ସେଦିନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କେତେ ଜଣ ଅନ୍ୟ ମହିଳା ଆସିଥିଲେ, ସେ କଥା ବି ସେ ମନେ ରଖି ନଥିଲେ। ଛୋଟ ଛୋଟ ସହରରେ ବନ୍ଧ୍ୟାକରଣ ଶିବିର ଆୟୋଜନର ମୂଳ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନଥାଇ ଚାଲୁଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ସହିତ ଆଖପାଖ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦେବା । ହେଲେ ଏ ସବୁ ଶିବିର ସ୍ଥଳରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏବଂ ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଆଭିମୁଖ୍ୟ ନେଇ ଆୟୋଜିତ ଶିବିରକୁ କେନ୍ଦ୍ର କରି ବର୍ଷ ବର୍ଷ ହେଲା ବିତର୍କ ଲାଗି ରହିଛି ।
ଗର୍ଭାଶୟ ନଳୀ ଅବରୋଧ ବା ‘ଟ୍ୟୁବାଲ ଲିଗେସନ୍’ ଏକ ସ୍ଥାୟୀ ଜନ୍ମ ନିୟନ୍ତ୍ରଣ ପଦ୍ଧତି। ଏଥିରେ ଜଣେ ମହିଳାଙ୍କର ଗର୍ଭାଶୟକୁ ଶୁକ୍ରାଣୁ ପରିବହନ କରୁଥିବା ନଳୀ ବା ‘ଫାଲୋପିଆନ୍ ଟ୍ୟୁବ୍’କୁ ଅବରୋଧ କରିଦିଆଯାଏ । ୩୦ ମିନିଟ୍ର ଏହି ଅସ୍ତ୍ରୋପଚାର ପ୍ରକ୍ରିୟାକୁ ଗର୍ଭନଳୀ ବନ୍ଧ୍ୟାକରଣ ବା ‘ଟ୍ୟୁବାଲ ଷ୍ଟେରିଲାଇଜେସନ୍’ କିମ୍ବା କେବଳ ନାରୀ ବନ୍ଧ୍ୟାକରଣ ‘ଓମେନ ଷ୍ଟେରିଲାଇଜେସନ୍’ ମଧ୍ୟ କୁହାଯାଇଥାଏ । ୨୦୧୫ରେ ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ନାରୀ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହିଁ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ଗର୍ଭନିରୋଧକ ପଦ୍ଧତି ଏବଂ ୧୯ ପ୍ରତିଶତ ବିବାହିତା କିମ୍ବା ପୁରୁଷଙ୍କ ସହ ଏକାଠି ରହୁଥିବା ମହିଳା ଏହି ପଦ୍ଧତିକୁ ଗ୍ରହଣ କରିନେଇଛନ୍ତି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ (୨୦୧୯-୨୧) ରିପୋର୍ଟ ଅନୁସାରେ ଭାରତରେ ୧୫ରୁ ୪୯ ବର୍ଷ ବୟସର ୩୭.୯ ପ୍ରତିଶତ ବିବାହିତା ମହିଳା ଏହି ଗର୍ଭାଶୟ ନଳୀ ଅବରୋଧ ପଦ୍ଧତିକୁ ପସନ୍ଦ କରିଛନ୍ତି ।
ମୁଣ୍ଡ ଉପର ଦେଇ ତଳକୁ ଲମ୍ବି ଆସି ଆଂଶିକ ଭାବେ ଆଖିକୁ ଘୋଡ଼େଇ ଦେଉଥିବା ଉଜ୍ଜ୍ୱଳ ନାରଙ୍ଗୀ ରଙ୍ଗର ଘୁଁଘଟ ବା ଓଢ଼ଣା ପକାଇଥିବା ଗୋପଲିଙ୍କ ଜୀବନରେ ଏହା ଥିଲା ଏକ ବୈପ୍ଳବିକ ମୋଡ଼ । ଚତୁର୍ଥ ସନ୍ତାନକୁ ଜନ୍ମ ଦେଲା ପରେ ସେ ଥକି ଯାଇଥିଲେ ହେଁ ତାଙ୍କର ସ୍ୱାସ୍ଥ୍ୟ ଭଲ ଥିଲା । ମୁଖ୍ୟତଃ ଆର୍ଥିକ ସ୍ଥିତିକୁ ଆଖିରେ ରଖି ସେ ଏହି ନିଷ୍ପତ୍ତି ନେଇଥିଲେ ।
ତାଙ୍କ ସ୍ୱାମୀ, ସୋହନରାମ, ସୁରଟ୍ରେ ଜଣେ ପ୍ରବାସୀ ଶ୍ରମିକ ଭାବରେ କାମ କରନ୍ତି ଏବଂ ବର୍ଷର ଅଧିକାଂଶ ସମୟ ଘରୁ ବାହାରେ ରହନ୍ତି । କେବଳ ହୋଲି ଓ ଦୀପାବଳି ଉତ୍ସବ ସମୟରେ ଯାହା ମାସକ ପାଇଁ ଘରକୁ ଫେରି ଆସନ୍ତି । ତାଙ୍କ ଚତୁର୍ଥ ସନ୍ତାନ ଜନ୍ମ ନେବାର କିଛି ମାସ ପରେ ସେ ଘରକୁ ଫେରିବା ବେଳକୁ ପୁଣି ଥରେ ଗର୍ଭଧାରଣ ନ କରିବାକୁ ଗୋପଲି ଦୃଢ଼ ନିଷ୍ପତ୍ତି ନେଇସାରିଥିଲେ ।
ଇଟାରେ ତିଆରି ହୋଇଥିବା ତାଙ୍କ ଚାଳ ଛପର ଘରର ଶୀତଳ ଚଟାଣ ଉପରେ ବସି ଗୋପଲି କହନ୍ତି, “ପିଲାମାନଙ୍କ ଲାଳନପାଳନରେ କୌଣସି ପୁରୁଷ କିଛି ହେଲେ ସହାୟତା କରନ୍ତିନି ।” ତାଙ୍କ ଘର ଚଟାଣରେ ମକା ଚୋପା ଶୁଖିବା ଲାଗି ବିଛା ଯାଇଥାଏ । ଗର୍ଭଧାରଣର ଅଧିକାଂଶ ସମୟରେ ତାଙ୍କ ସ୍ୱାମୀ ଘରେ ଅନୁପସ୍ଥିତ ରହୁଥିଲେ । ସଂପୂର୍ଣ୍ଣ ଗର୍ଭବତୀ ଥାଇ ମଧ୍ୟ ସେ ତାଙ୍କ ନିଜ ଚାଷଜମି (ପ୍ରାୟ ୦.୩ ବିଘା)ରେ କିମ୍ବା ଅନ୍ୟ କାହାରି ଜମିରେ କାର୍ଯ୍ୟ କରୁଥିଲେ ଏବଂ ଘର ଦାୟିତ୍ୱ ବି ସମ୍ଭାଳୁଥିଲେ । “ଅନେକ ସମୟରେ, ଆମ ପିଲାମାନଙ୍କ ମୁହଁରେ ଆହାର ଦେବା ପାଇଁ ଆମ ପାଖରେ ଆବଶ୍ୟକ ପଇସା ରହେନି । ତେଣୁ ଆଉ ଅଧିକ ଛୁଆ ଜନ୍ମ କରିବାର ମାନେ କ’ଣ ?”
ଅନ୍ୟ କୌଣସି ଉପାୟରେ ଗର୍ଭନିରୋଧ କରିବାକୁ ସେମାନେ ଚେଷ୍ଟା କରିଥିଲେ କି ବୋଲି ପଚାରିବାରୁ ସେ ଲାଜ ଲାଜ ହୋଇ ହସି ଦିଅନ୍ତି । ସେ ତାଙ୍କ ସ୍ୱାମୀଙ୍କ ବିଷୟରେ କିଛି କହିବାକୁ ଚାହାଁନ୍ତିନି । ହେଲେ, ସେ କହନ୍ତି ଯେ ସାଧାରଣତଃ ପୁରୁଷମାନଙ୍କୁ କୌଣସି ପ୍ରକାର ଗର୍ଭନିରୋଧ ଉପାୟ ଅବଲମ୍ବନ କରିବାକୁ କହିବା ନିରର୍ଥକ ବୋଲି ତାଙ୍କ ସଂପ୍ରଦାୟର ଅନ୍ୟ ମହିଳାମାନେ ଜାଣି ସାରିଛନ୍ତି ।
*****
ରୋୟଦା ପଞ୍ଚାୟତର କରଦା ଗାଁଟି ପଡ଼ୋଶୀ ରାଜସମନ୍ଦ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର କୁମ୍ଭାଲଗଡ଼ ଦୁର୍ଗଠାରୁ ମାତ୍ର ପ୍ରାୟ ୩୫ କିଲୋମିଟର ଦୂରରେ ଏବଂ ଆରାବଳୀ ପାର୍ବତ୍ୟାଞ୍ଚଳର ପାଦଦେଶରେ ଅବସ୍ଥିତ । ସେଠାରେ ୧୫-୨୦ଟି ପରିବାରକୁ ନେଇ ଗଠିତ କରଦାର ଗାମେତି ସଂପ୍ରଦାୟ ରାଜ୍ୟରେ ଏକ ଅନୁସୂଚିତ ଜନଜାତି ରୂପେ ପରିଗଣିତ ଭିଲ-ଗାମେତି ସଂପ୍ରଦାୟ ଅନ୍ତର୍ଭୁକ୍ତ । ଗାଁ ଉପକଣ୍ଠରେ ବସତି ସ୍ଥାପନ କରିଥିବା ଏହି ସଂପ୍ରଦାୟର ପ୍ରତିଟି ପରିବାର ପାଖରେ ଗୋଟିଏ ବିଘା ରୁ କମ୍ ଚାଷଜମି ରହିଛି । ଏହି ବସ୍ତିର କୌଣସି ମହିଳା ସ୍କୁଲ ପାଠ ପୂରା କରିନାହାନ୍ତି ଏବଂ ପୁରୁଷମାନେ ଏ କ୍ଷେତ୍ରରେ କିଛିଟା ଆଗରେ ରହିଛନ୍ତି ।
ଜୁନ୍ ଶେଷ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା କେଇ ମାସରେ ସେମାନେ ଗହମ ଚାଷ ପାଇଁ ଜମି ହଳ କରନ୍ତି ଏବଂ ଏହି ସମୟକୁ ବାଦ୍ ଦେଲେ, ଅନ୍ୟ କୌଣସି ସମୟରେ ପୁରୁଷମାନେ ମାସକରୁ ଅଧିକ ଘରେ ରହନ୍ତି ନାହିଁ । ନିର୍ଦ୍ଦିଷ୍ଟ ଭାବରେ କହିବାକୁ ଗଲେ, କୋଭିଡ୍- ୧୯ ଯୋଗୁଁ ଜାରି ଲକ୍ଡାଉନ୍ ଜନିତ କଷ୍ଟକର ସମୟ ପରବର୍ତ୍ତୀ ମାସଗୁଡ଼ିକରେ ଅଧିକାଂଶ ପୁରୁଷ ସୁରଟ୍ରେ ରହି ବିଭିନ୍ନ ଶାଢ଼ି-କଟା କେନ୍ଦ୍ରରେ କାର୍ଯ୍ୟ କରୁଥିଲେ। ସେଠାରେ ରିମ୍ରେ ଗୁଡ଼ା ହୋଇଥିବା ଲମ୍ବା ଲମ୍ବା କପଡ଼ାକୁ ଛଅ ମିଟର ଲମ୍ବରେ କଟାଯାଏ ଏବଂ ଏହାର ଧାରରେ ମାଳି କିମ୍ବା ଝାଲର ଲଗାଇ ଧଡ଼ି ତିଆରି ହୁଏ। ଏହି କାମ ସଂପୂର୍ଣ୍ଣ ଭାବରେ ଅଣ-କୁଶଳୀ କାମ ଏବଂ ଏଥିରୁ ସେମାନେ ଦିନକୁ ୩୫୦-୪୦୦ ଟଙ୍କା ରୋଜଗାର କରନ୍ତି ।
ସୁରଟ, ଅହମ୍ମଦାବାଦ, ମୁମ୍ବାଇ, ଜୟପୁର ଏବଂ ନୂଆଦିଲ୍ଲୀରେ କାମ କରିବା ଲାଗି ବହୁ ବର୍ଷ ହେଲା ଦକ୍ଷିଣ ରାଜସ୍ଥାନରୁ ଯାଉଥିବା ଲକ୍ଷ ଲକ୍ଷ ପୁରୁଷ ଶ୍ରମିକ ଙ୍କ ମଧ୍ୟରେ ଅଛନ୍ତି ଗୋପଲିଙ୍କ ସ୍ୱାମୀ ସୋହନରାମ ଏବଂ ଗାମେତି ସଂପ୍ରଦାୟର ଅନ୍ୟ ପୁରୁଷମାନେ । ଏବଂ ସେମାନଙ୍କ ପଛରେ ରହିଯାଏ ଅଧିକାଂଶ ମହିଳା ରହୁଥିବା ଏମିତି ଅନେକ ଗାଁ ।
ଏଇ କେତେ ବର୍ଷ ହେଲା, ପୁରୁଷମାନଙ୍କ ଅନୁପସ୍ଥିତିରେ ସଂପୂର୍ଣ୍ଣ ନିରକ୍ଷର ଏବଂ ଅର୍ଦ୍ଧ-ଶିକ୍ଷିତ ଏହି ମହିଳାମାନେ ହିଁ ନିଜ ନିଜ ପାଇଁ ଭିନ୍ନ ଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରୁ କୌଣସି ଗୋଟିକୁ ବାଛି ନେବା ଶିଖିଗଲେଣି ଏବଂ ଏ ସଂପର୍କିତ ନିଷ୍ପତ୍ତି ବି ସେମାନେ ନିଜେ ନିଜେ ହିଁ ନିଅନ୍ତି ।
୩୦ ବର୍ଷରୁ କିଛି ଅଧିକ ବୟସର ପୁଷ୍ପା ଗାମେତି ତିନିଟି ସନ୍ତାନର ମାଆ । ସେମାନଙ୍କ ମଧ୍ୟରୁ ଜଣେ କିଶୋର ବୟସର ପୁଅ, ଯାହାକୁ କି ବିଶ୍ୱ ମହାମାରୀ ବ୍ୟାପିବା ପୂର୍ବରୁ ସୁରଟର ବାଳ ଶ୍ରମିକ ବିରୋଧୀ କର୍ମୀମାନେ ଆଣି ଗାଁରେ ଛାଡ଼ି ଯାଇଥିଲେ । ପୁଷ୍ପା କହନ୍ତି, ମହିଳାମାନଙ୍କୁ ହିଁ ବ୍ୟବସ୍ଥା ସହିତ ଖାପ ଖୁଆଇ ଚଳିବାକୁ ପଡ଼େ ।
ପୂର୍ବରୁ କୌଣସି ଡାକ୍ତରୀ ଚିକିତ୍ସା ସଂପର୍କିତ ଜରୁରୀ ସ୍ଥିତି ଉପୁଜିଲେ ମହିଳାମାନେ ଆତଙ୍କିତ ହୋଇଉଠୁଥିଲେ । ଅତୀତର ସେହି ଅନୁଭୂତି ସଂପର୍କରେ ସେ କହନ୍ତି ଯେ, ସପ୍ତାହ ସପ୍ତାହ ଧରି ପିଲାର ଜ୍ୱର ନ ଛାଡ଼ିଲେ କିମ୍ବା ଚାଷକାମ କଲା ବେଳେ ହୋଇଥିବା କ୍ଷତରୁ ରକ୍ତ ଝରିବା ବନ୍ଦ ନହେଲେ ମହିଳାମାନଙ୍କର ଶରୀର ଭୟରେ ଥଣ୍ଡା ପଡ଼ିଯାଉଥିଲା । ପୁଷ୍ପା କହନ୍ତି, “ଆମ ସହିତ କୌଣସି ପୁରୁଷ ନଥିବା ସମୟରେ ଡାକ୍ତରୀ ଚିକିତ୍ସା ବାବଦ ଖର୍ଚ୍ଚ ତୁଲାଇବାକୁ ପାଖରେ ପଇସା ନଥିଲା, ଏବଂ ସାଧାରଣ ପରିବହନ ବ୍ୟବସ୍ଥାରେ ଡାକ୍ତରଖାନାକୁ କେମିତି ଯିବାକୁ ହୁଏ ତାହା ଆମେ ଜାଣି ନଥିଲୁ । ଧୀରେ ଧୀରେ ଆମେ ସବୁ କଥା ଶିଖିଗଲୁଣି ।”
ପୁଷ୍ପାଙ୍କ ବଡ଼ପୁଅ କିଶାନ ପୁଣି ଥରେ କାମ କଲାଣି । ଏଥର ସେ ପଡ଼ିଶା ଗାଁର ଜଣେ ମାଟିଖୋଳା ମେସିନ୍ ଡ୍ରାଇଭରଙ୍କ ସହଯୋଗୀ ଭାବରେ କାମ କରୁଛି । ତାଙ୍କ ସାନ ଦୁଇଟି ପୁଅଝିଅ, ୫ ବର୍ଷର ମଞ୍ଜୁ ଏବଂ ୬ ବର୍ଷର ମନୋହରଙ୍କ ପାଇଁ, ସେ ୫ କିଲୋମିଟର ଦୂର ରୋୟଦା ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଶିଖିଗଲେଣି ।
ସେ କହନ୍ତି, “ଆମ ବଡ଼ପିଲାଙ୍କ ଲାଗି ଆମକୁ ଅଙ୍ଗନବାଡ଼ିରୁ କିଛି ହେଲେ ମିଳେନି ।” କିନ୍ତୁ ଏଇ କିଛି ବର୍ଷ ହେଲା କରଦା ଗାଁର ଯୁବତୀ ମାଆମାନେ ଜାତୀୟ ରାଜପଥ କଡ଼ ଦେଇ ଯାଇଥିବା ପାହାଡ଼ିଆ ରାସ୍ତାରେ ସତର୍କତାର ସହିତ ଉପରକୁ ଯାଇ ରୋୟଦାର ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ଆରମ୍ଭ କରିଦେଲେଣି । ସେଠାରେ ଗର୍ଭବତୀ ମାଆ ଓ ଅଳ୍ପ ବୟସର ପିଲାମାନଙ୍କୁ ଗରମ ରନ୍ଧାଖାଦ୍ୟ ଦିଆଯାଉଛି । ସେ ମଞ୍ଜୁକୁ କାଖ କରି ନେଇଯାଆନ୍ତି । କେବେ କେମିତି ସେମାନଙ୍କୁ କୌଣସି ଗାଡ଼ିରେ ବସି ଯିବାର ସୁଯୋଗ ମିଳିଯାଏ ।
“ସେଇଟା କରୋନା ପୂର୍ବ ସମୟର କଥା,” ପୁଷ୍ପା କହନ୍ତି । କିନ୍ତୁ ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ୨୦୨୧ ମସିହା ମେ ମାସ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେ ପୁଣି ଥରେ ଖୋଲିଲାଣି ବୋଲି ଏହି ମହିଳାମାନେ ଖବର ପାଇ ନଥିଲେ ।
ଯେତେବେଳେ କିଶାନ ପଞ୍ଚମ ଶ୍ରେଣୀରୁ ପାଠ ଛାଡ଼ି ହଠାତ୍ ଜଣେ ସାଙ୍ଗ ସହ ସୁରଟରେ କାମ କରିବାକୁ ପଳାଇଲା, ପୁଷ୍ପାଙ୍କୁ ଲାଗିଲା ଯେମିତି କି ତାଙ୍କ କିଶୋର ପୁଅକୁ ସମ୍ଭାଳିବା କ୍ଷେତ୍ରରେ ତାଙ୍କ ପରିବାରର ସାମୂହିକ ନିଷ୍ପତ୍ତି ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ସେ କହନ୍ତି, “କିନ୍ତୁ ଏବେ ସାନପିଲାମାନଙ୍କ ସଂପର୍କରେ ନିଷ୍ପତ୍ତି ମୋ ହାତରେ ରଖିବାକୁ ମୁଁ ଚେଷ୍ଟା କରୁଛି ।”
ସଂପ୍ରତି କରଦାରେ ତାଙ୍କ ସ୍ୱାମୀ ନାଟୁରାମ ହିଁ କାମ କରିବା ଭଳି ବୟସର ଏକମାତ୍ର ପୁରୁଷ । ୨୦୨୦ ଗ୍ରୀଷ୍ମକାଳର ଲକ୍ଡାଉନ୍ ସମୟରେ ଅସନ୍ତୁଷ୍ଟ ପ୍ରବାସୀ ଶ୍ରମିକମାନଙ୍କ ସହିତ ସୁରଟ ପୋଲିସର ମୁହାଁମୁହିଁ ସଂଘର୍ଷ ଘଟଣାରେ ବିଚଳିତ ହୋଇ ସେ କରଦା ଆଖପାଖରେ କାମ ଖୋଜିବାକୁ ଉଦ୍ୟମ କରୁଛନ୍ତି । ହେଲେ ସେତେଟା ସଫଳ ହୋଇନାହାନ୍ତି ।
ଗର୍ଭାଶୟ ନଳୀ ବାନ୍ଧିବା ଭଳି ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରର ଫାଇଦା ସଂପର୍କରେ ଗୋପଲି ପୁଷ୍ପାଙ୍କୁ କହିଥିଲେ । ଏହି ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଡାକ୍ତରୀ ସମସ୍ୟା (କ୍ଷତସ୍ଥାନ ବିଷେଇ ଯିବା କିମ୍ବା ସଂକ୍ରମଣ, ଆନ୍ତ୍ରିକ ଅବରୋଧ ବା ଅନ୍ତ୍ର ଓ ମୂତ୍ରାଶୟରେ କ୍ଷତ) ଉପୁଜୁଥିବା କିମ୍ବା ଏହି ପଦ୍ଧତିରେ ଗର୍ଭନିରୋଧକ ବିଫଳ ହେବାର ସମ୍ଭାବନା ସଂପର୍କରେ କୌଣସି କଥା ଏହି ମହିଳାମାନେ ଶୁଣି ନଥିଲେ । ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଯେ ଜନସଂଖ୍ୟା ନିୟନ୍ତ୍ରଣ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସଂପର୍କିତ ଏକ ରଣନୀତି, ସେ କଥା ବି ଗୋପଲି ବୁଝନ୍ତିନି । ସେ କହନ୍ତି, “ଏଥିରେ ହିଁ ଦୁଶ୍ଚିନ୍ତାର ଅନ୍ତ ଘଟେ।”
ପୁଷ୍ପାଙ୍କର ତିନି ଜଣ ଯାକ ପିଲା ଘରେ ଜନ୍ମ ନେଇଥିଲେ; ତାଙ୍କ ସଂପ୍ରଦାୟର ଜଣେ ଭାଉଜ କିମ୍ବା ବୟସ୍କା ମହିଳା ନାଡ଼ି କାଟିଥିଲେ ଏବଂ ନାଡ଼ିର ଶେଷମୁଣ୍ଡରେ ‘ ଲଚ୍ଛା ଧାଗା ’ ବାନ୍ଧିଥିଲେ, ଯାହାକି ସାଧାରଣତଃ ହିନ୍ଦୁମାନେ ମଣିବନ୍ଧରେ ବାନ୍ଧୁଥିବା ଏକ ପ୍ରକାର ମୋଟା ସୂତା ।
ଯୁବା ବୟସର ଗାମେତି ମହିଳାମାନେ ବିପଦପୂର୍ଣ୍ଣ ଢଙ୍ଗରେ ଘରେ ପ୍ରସବ କରାଇବେନି ବୋଲି କହନ୍ତି ଗୋପଲି । ତାଙ୍କର ଏକମାତ୍ର ବୋହୂ ଏବେ ଗର୍ଭବତୀ । “ଆମେ ତା’ର କିମ୍ବା ଆମ ନାତିନାତୁଣୀର ସ୍ୱାସ୍ଥ୍ୟକୁ ନେଇ କୌଣସି ବିପଦ ସମ୍ଭାବନାକୁ ଆଦରି ନେବୁନି ।”
ମାଆ ହେବାକୁ ଯାଉଥିବା ତାଙ୍କ ୧୮ ବର୍ଷୀୟା ବୋହୂ ଏବେ ତା’ର ବାପଘରେ, ଆରାବଳୀ ପର୍ବତ ଉପରେ ଥିବା ଗାଁରେ ରହୁଛି। ଜରୁରୀକାଳୀନ ସ୍ଥିତିରେ ଏହି ଗାଁରୁ କୌଣସି ରୋଗୀଙ୍କୁ ତୁରନ୍ତ ବାହାରକୁ ନେଇଯିବା କଷ୍ଟକର କାମ। “ପ୍ରସବ ସମୟ ପାଖେଇ ଆସିଲେ ଆମେ ତାକୁ ଏଠାକୁ ନେଇଆସିବୁ ଏବଂ ଗାଁର ଦୁଇ ତିନି ଜଣ ମହିଳା ତାକୁ ଟେମ୍ପୋରେ ବସାଇ ଦୱାଖାନା ନେଇଯିବେ।” ଟେମ୍ପୋ କହିଲେ ଏ ଅଞ୍ଚଳରେ ସାଧାରଣ ଲୋକଙ୍କ ପରିବହନରେ ବ୍ୟବହୃତ ବଡ଼ ବଡ଼ ତିନିଚକିଆ ଗାଡ଼ି ବୋଲି ଗୋପଲି ବୁଝନ୍ତି ।
“ଯାହାହେଲେ ବି ଆଜିକାଲିର ଝିଅମାନେ କଷ୍ଟ ସହିପାରିବେନି,” ଗୋପଲି ହସି ଉଠନ୍ତି ଏବଂ ଅନ୍ୟ ମହିଳାମାନେ ବି ପାଳି ଧରନ୍ତି । ସେମାନେ ସମସ୍ତେ ତାଙ୍କ ପଡ଼ୋଶୀ ଏବଂ ସଂପର୍କୀୟା । ଆଉ ସତେ ଯେମିତି ସେମାନେ କେବଳ ମୁଣ୍ଡ ଟୁଙ୍ଗାରିବା ପାଇଁ ଏବଂ ସାଙ୍ଗରେ ହସିବା ପାଇଁ ରୁଣ୍ଡ ହୋଇଥିଲେ ।
ଏହି ବସ୍ତିର ଅନ୍ୟ ଦୁଇ କି ତିନି ଜଣ ମହିଳା ମଧ୍ୟ ଏ ପ୍ରକାର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଛନ୍ତି, କିନ୍ତୁ ଏ ସଂପର୍କରେ ଆଲୋଚନା କରିବାକୁ ସେମାନେ ଲାଜ କରନ୍ତି । ସାଧାରଣତଃ ଏଠାରେ ଅନ୍ୟ କୌଣସି ପ୍ରକାର ଆଧୁନିକ ଗର୍ଭନିରୋଧ ପଦ୍ଧତି ବ୍ୟବହୃତ ହୁଏ ନାହିଁ । ହେଲେ, ଗୋପଲିଙ୍କ କହିବା ଅନୁସାରେ 'ହୁଏତ ଆଜିକାଲିର ଯୁବତୀମାନେ ଅଧିକ ବୁଦ୍ଧିମତୀ ଓ ହୁସିଆର'
ସବୁଠାରୁ ପାଖରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ସେଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି । କରଦା ଗାଁର ଯୁବତୀମାନେ ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ସେମାନେ ସେହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାମ ପଞ୍ଜୀକରଣ କରାଇ ଥାଆନ୍ତି । ସେମାନେ ସେଠାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଆନ୍ତି ଏବଂ ଗାଁକୁ ଆସୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ବଣ୍ଟନ କରାଯାଉଥିବା କ୍ୟାଲସିୟମ୍ ଓ ଆଇରନ୍ ଯୁକ୍ତ ଅତିରିକ୍ତ ଖାଦ୍ୟ ସାମଗ୍ରୀ ଗ୍ରହଣ କରନ୍ତି ।
ସେହି ଗାଁରେ ରହୁଥିବା ରାଜପୁତ ଜାତିର ବାମ୍ରିବାଇ କାଲୁସିଂହ କହନ୍ତି, “କରଦାର ମହିଳାମାନେ ଦଳଦଳ ହୋଇ ଯାଆନ୍ତି, ବେଳେବେଳେ ସେମାନେ ଗୋଗୁନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଦୂର ସ୍ଥାନକୁ ବି ଯାଇଥାଆନ୍ତି ।” ସେ କହନ୍ତି, ପୂର୍ବରୁ ଗାମେତି ମହିଳାମାନେ ପୁରୁଷମାନଙ୍କୁ ସାଙ୍ଗରେ ନନେଇ କ୍ୱଚିତ୍ ଗାଁରୁ ବାହାରକୁ ଯାଉଥିଲେ । କିନ୍ତୁ ଏବେ ସେମାନେ ନିଜେ ନିଜେ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ନିଷ୍ପତ୍ତି ନେବା ଆବଶ୍ୟକ ହେବା ପରେ ସେମାନଙ୍କ ଜୀବନଧାରା ବଦଳିଯାଇଛି ।
ଗାମେତି ପୁରୁଷମାନଙ୍କ ସମେତ ବିଭିନ୍ନ ପ୍ରବାସୀ ଶ୍ରମିକଙ୍କ ଉପରେ କାର୍ଯ୍ୟରତ ଆଜୀବିକା ବ୍ୟୁରୋର ଉଦୟପୁର ଶାଖାରେ କାର୍ଯ୍ୟରତ ଜଣେ ଗୋଷ୍ଠୀ ସଂଗଠକ କଳ୍ପନା ଯୋଶୀ କହନ୍ତି, ଯେଉଁ ସବୁ ଗାଁରୁ ବହୁସଂଖ୍ୟକ ପୁରୁଷ ଗାଁ ଛାଡ଼ି ବାହାରକୁ କାମ ପାଇଁ ଚାଲିଯାଉଛନ୍ତି, ସେଠାରେ ସେମାନେ ‘ପଛରେ ଛାଡ଼ି ଯାଉଥିବା’ ମହିଳାମାନଙ୍କ ମଧ୍ୟରେ ନିଷ୍ପତ୍ତି ନେବାରେ ଆତ୍ମନିର୍ଭରଶୀଳତା ଧୀରେ ଧୀରେ ପ୍ରକାଶିତ ହେବାରେ ଲାଗିଛି । ସେ କହନ୍ତି, “ଏବେ ସେମାନେ ଜାଣିଛନ୍ତି ଯେ କେମିତି ଗୋଟିଏ ଆମ୍ବୁଲାନ୍ସ ଡାକିବାକୁ ହେବ । ଅନେକ ମହିଳା ନିଜେ ନିଜେ ହାସପାତାଳକୁ ଯାଆନ୍ତି ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ବେସରକାରୀ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଖୋଲାଖୋଲି କଥାବାର୍ତ୍ତା କରନ୍ତି । ଆଗରୁ, ଏମିତି କି ଗୋଟିଏ ଦଶନ୍ଧି ପୂର୍ବରୁ ବି ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା ।” ପୂର୍ବରୁ, ସୁରଟରୁ ପୁରୁଷମାନେ ନ ଫେରିବା ଯାଏ ମହିଳାମାନଙ୍କର ସବୁ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ହେବା ଅପେକ୍ଷାରେ ଅଟକି ରହୁଥିଲା ବୋଲି ସେ କହନ୍ତି ।
ଏହି ବସ୍ତିର ଅନ୍ୟ ଦୁଇ କି ତିନି ଜଣ ମହିଳା ମଧ୍ୟ ଏ ପ୍ରକାର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଛନ୍ତି । କିନ୍ତୁ ଏ ସଂପର୍କରେ ଆଲୋଚନା କରିବାକୁ ସେମାନେ ଲାଜ କରନ୍ତି । ସାଧାରଣତଃ ଏଠାରେ ଅନ୍ୟ କୌଣସି ପ୍ରକାର ଆଧୁନିକ ଗର୍ଭନିରୋଧ ପଦ୍ଧତି ବ୍ୟବହୃତ ହୁଏ ନାହିଁ । ହେଲେ, ଗୋପଲିଙ୍କ କହିବା ଅନୁସାରେ “ହୁଏତ ଆଜିକାଲିର ଯୁବତୀମାନେ ଅଧିକ ବୁଦ୍ଧିମତୀ ଓ ହୁସିଆର ।” ତାଙ୍କ ବୋହୂ ବି ଗର୍ଭଧାରଣ କରିବାର ପ୍ରାୟ ବର୍ଷକ ପୂର୍ବରୁ ବିବାହ କରିଥିଲା ।
*****
କରଦାଠାରୁ ୧୫ କିଲୋମିଟରରୁ ବି କମ୍ ଦୂରରେ ଅବସ୍ଥିତ ଏକ ଗାଁର ପାର୍ବତୀ ମେଘୱାଲ (ପରିବର୍ତ୍ତିତ ନାମ) କହନ୍ତି ଯେ, ଜଣେ ପ୍ରବାସୀ ଶ୍ରମିକଙ୍କ ସ୍ତ୍ରୀ ହେଲେ ସବୁବେଳେ ମାନସିକ ଚାପରେ ରହିବାକୁ ହୁଏ । ତାଙ୍କ ସ୍ୱାମୀ ଗୁଜରାଟର ମେହସାନାରେ ଥିବା ଏକ ଜୀରା ପ୍ୟାକିଂ କେନ୍ଦ୍ରରେ କାମ କରୁଥିଲେ । ସେ ଗୋଟିଏ ଚା’ ଦୋକାନ କରି ଅଳ୍ପ କିଛି ଦିନ ପାଇଁ ତାଙ୍କ ସହ ମେହସାନାରେ ରହିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ତିନି ପିଲାଙ୍କର ପାଠପଢ଼ା ପାଇଁ ତାଙ୍କୁ ଉଦୟପୁରକୁ ଫେରିବାକୁ ପଡ଼ିଥିଲା ।
୨୦୧୮ରେ ତାଙ୍କ ସ୍ୱାମୀ ବାହାରକୁ ଯାଇଥିବା ବେଳେ ସେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଲେ । ତଳେ ପଡ଼ିବା ସମୟରେ ତଙ୍କ କପାଳରେ ଗୋଟିଏ କଣ୍ଟା ଫୁଟି ଯାଇଥିଲା । ସେ କହନ୍ତି, କ୍ଷତ ଶୁଖିବା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିଲା । କିନ୍ତୁ ତା’ପରେ ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ଏକ ଅଜଣା ମାନସିକ ରୋଗର ଶିକାର ହେଲେ ।
ସେ କହନ୍ତି, “ସବୁବେଳେ ମୁଁ ମୋ ସ୍ୱାମୀଙ୍କ ସଂପର୍କରେ, ମୋ ପିଲାମାନଙ୍କ ସଂପର୍କରେ, ପଇସା ସଂପର୍କରେ ଚିନ୍ତିତ ରହୁଥିଲି ଏବଂ ତା’ପରେ ଏହି ଦୁର୍ଘଟଣା ଘଟିଲା।” ସେ ମାନସିକ ଦୁଃସ୍ଥିତିରେ ରହି ଆକ୍ରମଣାତ୍ମକ ବ୍ୟବହାର କରୁଥିଲେ ଏବଂ ବେଳେବେଳେ ଗଭୀର ବିଷାଦରେ ବୁଡ଼ି ରହୁଥିଲେ। “ମୋ ଚିତ୍କାର ଶୁଣି ଏବଂ କାର୍ଯ୍ୟକଳାପ ଦେଖି ସମସ୍ତେ ଡରିଯାଉଥିଲେ ଏବଂ ସାରା ଗାଁର କେହି ହେଲେ ମୋ ପାଖକୁ ଆସୁନଥିଲେ। ମୁଁ ମୋର ସମସ୍ତ ଚିକିତ୍ସା ସଂପର୍କିତ ସବୁ କାଗଜପତ୍ର ଚିରି ଦେଲି। ମୁଁ ଟଙ୍କା ଚିରିଦେଲି। ମୁଁ ମୋ ଲୁଗାପଟା ବି ଚିରିଦେଲି...।” ସେ ଏସବୁ କରୁଥିଲେ ବୋଲି ଏବେ ଜାଣିଛନ୍ତି ଏବଂ ନିଜର ମାନସିକ ରୋଗକୁ ନେଇ କିଛିଟା ଲଜ୍ଜା ବି ଅନୁଭବ କରୁଛନ୍ତି।
ସେ କହନ୍ତି, “ତା’ପରେ ଲକ୍ଡାଉନ୍ ହେଲା, ଏବଂ ପୁଣି ସବୁକିଛି ଅନ୍ଧାରରେ ବୁଡ଼ିଗଲା। ମୁଁ ପୁଣି ମାନସିକ ଭାରସାମ୍ୟ ହରାଇ ବସିବା ଅବସ୍ଥାରେ ପହଞ୍ଚିଲି।” ସେଠାରୁ ୨୭୫ କିଲୋମିଟର ଦୂର ମେହସାନାରୁ ତାଙ୍କ ସ୍ୱାମୀଙ୍କୁ ପାଦରେ ଚାଲି ଚାଲି ଆସିବାକୁ ପଡ଼ିଲା। ପାର୍ବତୀଙ୍କ ମାନସିକ ସ୍ଥିତି ଏପରି ହେଲା ଯେ ସେ ନିଜ ଉପରୁ ପ୍ରାୟ ସଂପୂର୍ଣ୍ଣ ନିୟନ୍ତ୍ରଣ ହରାଇ ବସିଲେ। ତାଙ୍କ ସବା ସାନପୁଅ ବି ଉଦୟପୁରରେ ଥିଲା। ସେଠାରେ ସେ ଏକ ରେସ୍ତୋରାଁରେ ରୁଟି ତିଆରି କାମ କରୁଥିଲା।
ମେଘୱାଲ ଏକ ଦଳିତ ସଂପ୍ରଦାୟ, ଏବଂ ପାର୍ବତୀ କହନ୍ତି ଯେ ଅନୂସୂଚିତ ଜାତିର ପ୍ରବାସୀ ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ମହିଳାମାନଙ୍କୁ ଜୀବିକା ଅର୍ଜନ କରିବା ଲାଗି ନିଜ ଗାଁରେ ହିଁ ଅପରିମିତ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼େ। “ଜଣେ ମାନସିକ ଅସୁସ୍ଥ କିମ୍ବା ପୂର୍ବରୁ ମାନସିକ ରୋଗଗ୍ରସ୍ତ ଦଳିତ ମହିଳା କିଭଳି ସ୍ଥିତିରେ ରହୁଥିଲେ, ତାହା ଆପଣ କଳ୍ପନା କରିପାରିବେ କି ?”
ପାର୍ବତୀ ଜଣେ ଅଙ୍ଗନବାଡ଼ି କର୍ମୀ ଭାବରେ ଏବଂ ସରକାରୀ ଅଫିସରେ ସହାୟିକା ଭାବରେ କାମ କରିଥିଲେ । ଏହି ଦୁର୍ଘଟଣା ପରେ ଏବଂ ତାଙ୍କ ମାନସିକ ସ୍ଥିତି ଦୁର୍ବଳ ହୋଇପଡ଼ିବାରୁ ଚାକିରି କରିବା କଷ୍ଟକର ପ୍ରମାଣିତ ହୋଇଥିଲା ।
୨୦୨୦ ମସିହା ଦୀପାବଳି ପାଖାପାଖି ସମୟରେ ଲକ୍ଡାଉନ୍ ପ୍ରତ୍ୟାହୃତ ହେବା ପରେ ସେ ଆଉ ତାଙ୍କ ସ୍ୱାମୀଙ୍କୁ କାମ କରିବା ପାଇଁ ବାହାରକୁ ଯିବାକୁ ଛାଡ଼ିବେନି ବୋଲି କହିଥିଲେ । ତେଣେ କେତେକ ପରିବାର ଓ ଗୋଟିଏ ସମବାୟ ସଂସ୍ଥା ପାଖରୁ ସେ ଋଣ ନେଇଥିବାରୁ ପାର୍ବତୀ ତାଙ୍କ ଗାଁରେ ଛୋଟ ତେଜରାତି ଦୋକାନଟିଏ କଲେ । ତାଙ୍କ ସ୍ୱାମୀ ମଧ୍ୟ ଗାଁରେ ଏବଂ ଆଖପାଖ ଅଞ୍ଚଳରେ ଦିନ ମଜୁରିଆ କାମ ପାଇବାକୁ ଚେଷ୍ଟା କରନ୍ତି । “ ପ୍ରବାସୀ ମଜଦୁର କୀ ବିବି ନେହିଁ ରହନା ହୈ (ଆଉ ମୁଁ ଜଣେ ପ୍ରବାସୀ ଶ୍ରମିକ ପଛରେ ଛାଡ଼ିଯାଇଥିବା ସ୍ତ୍ରୀ ହୋଇ ରହିବାକୁ ଚାହେଁନି).” ସେ କହନ୍ତି । “ଏହା ଚରମ ମାନସିକ ଆଘାତ ଦିଏ ।”
ତେଣେ କରଦାରେ, ମହିଳାମାନେ ଗୋଟିଏ କଥାରେ ସମ୍ମତି ପ୍ରକାଶ କରନ୍ତି ଯେ, ପୁରୁଷମାନେ ପାଖରେ ନଥିବା ସମୟରେ ନିଜେ ନିଜର ଜୀବିକା ଅର୍ଜନ କରିବା, ସେମାନଙ୍କ ପକ୍ଷରେ ପ୍ରାୟତଃ ଅସମ୍ଭବ ବୋଲି ପ୍ରମାଣିତ ହୋଇଛି । ଗାମେତି ମହିଳାମାନଙ୍କୁ ଯେଉଁ ଗୋଟିଏ କାମ ଉପଲବ୍ଧ ହୁଏ, ତାହା ହେଲା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (MGNREGA) ଅନ୍ତର୍ଗତ କାମ । ଏବଂ ୨୦୨୧ରେ ମୌସୁମୀ ବର୍ଷାର ଆଗମନ ସୁଦ୍ଧା କରଦା ଗାଁ ମୁଣ୍ଡ ବସ୍ତିରେ ରହୁଥିବା ସବୁ ମହିଳା ୧୦୦ ଦିନ ଲେଖାଏଁ କାମ କରିସାରିଥିଲେ ।
“ଆମକୁ ପ୍ରତି ବର୍ଷ ୨୦୦ ଦିନର କାମ ଦରକାର,” ଗୋପଲି କହନ୍ତି । ବର୍ତ୍ତମାନ ପାଇଁ ସେଠାକାର ମହିଳାମାନେ ପରିବା ଚାଷ କରୁଛନ୍ତି, ଯାହାକୁ କି ସେମାନେ ପାଖ ବଜାରରେ ବିକ୍ରି କରିପାରିବେ ବୋଲି ସେ କହନ୍ତି । ପୁରୁଷମାନଙ୍କ ପରାମର୍ଶ ବିନା ସେମାନେ ନେଇଥିବା ଆଉ ଏକ ନିଷ୍ପତ୍ତି । “ସେ ଯାହାହେଉ ନା କାହିଁକି, ଖାଇବାକୁ ଆମର କିଛିଟା ପୁଷ୍ଟିକର ଖାଦ୍ୟ ତ ଦରକାର, ଠିକ୍ ନା?”
ଗୁରୁତ୍ୱପୂର୍ଣ୍ଣ ହେଲେ ବି ଅବହେଳିତ ଗ୍ରାମୀଣ ଭାରତର କିଶୋରୀ ଓ ଯୁବତୀମାନଙ୍କ ସାଂପ୍ରତିକ ଅବସ୍ଥାକୁ ସାଧାରଣ ଲୋକଙ୍କ ସ୍ୱର ଓ ଅନୁଭୂତି ଜରିଆରେ ଲୋକଲୋଚନକୁ ଆଣିବା ନିମନ୍ତେ ଏହି ଅଭିଯାନ ହେଉଛି ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସହାୟତାରେ ପରୀ ଏବଂ କାଉଣ୍ଟରମିଡିଆ ଟ୍ରଷ୍ଟର ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପର ଅଂଶବିଶେଷ ।
ଏହି ଲେଖାକୁ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି ? ଦୟାକରି zahra@ruralindiaonline.org ମେଲ ଆଇଡିରେ ଲେଖନ୍ତୁ ଏବଂ ଏହାର କପି namita@ruralindiaonline.orgକୁ ପଠାନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍