ପାଞ୍ଚ ମାସର ଗର୍ଭବତୀ ପଲ୍ଲଭି ଗାଭିଟ୍ ତିନି ଘଣ୍ଟାରୁ ଅଧିକ ସମୟ ଧରି ଖାଟ୍ (ଦଉଡି ଖଟ)ରେ ପଡ଼ି ଯନ୍ତ୍ରଣା ପାଉଥିଲେ । । ଯେତେବେଳେ ପଲ୍ଲଭିଙ୍କ ଜରାୟୁ ତାଙ୍କ ଯୋନି ଦେଇ ବାହାରକୁ ଖସି ପଡ଼ିଲା ସେତେବେଳେ ତାଙ୍କ ଭାଉଜ ସପ୍ନା ଗାରେଲ, ୪୫, ତାଙ୍କ ସହିତ ଥିଲେ । ପାଞ୍ଚ ମାସର ପୁତ୍ର ସନ୍ତାନର ଭ୍ରୁଣ ଏହା ଭିତରେ ନିର୍ଜିବ ଭାବରେ ଥିଲା । ଅସହ୍ୟ ଯନ୍ତ୍ରଣା, ରକ୍ତ ଏବଂ ସ୍ରାବ ଚଟାଣକୁ ବୋହି ଯାଇଥିଲା, ପଲ୍ଲଭି ଚେତାଶୂନ୍ୟ ହୋଇ ପଡ଼ିଥିଲେ ।
ଏହା ଜୁଲାଇ ୨୫,୨୦୧୯ର ପ୍ରାତଃ ୩ ଟା ସମୟ ଥିଲା । ସାତପୁଡ଼ା ପାହାଡ଼ରେ ୫୫ ଟି ଭିଲ୍ ପରିବାରର ଘର ଥିବା ହେଙ୍ଗଲାପାନି ପଡ଼ାରେ ଥିବା ପଲ୍ଲଭିଙ୍କ ଚାଳ ଘର ଉପରେ ବର୍ଷା ଯେମିତି ଅଜାଡ଼ି ହୋଇ ପଡ଼ୁଥିଲା । ଉତ୍ତର-ପଶ୍ଚିମ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ଏହି ଅପହଞ୍ଚ ଅଂଶରେ କୌଣସି ପକ୍କା ରାସ୍ତା ନାହିଁ, ମୋବାଇଲ୍ ନେଟୱାର୍କ ନାହିଁ । ପଲ୍ଲଭିଙ୍କ ସ୍ୱାମୀ ଗିରୀଶ କୁହନ୍ତି, ‘‘ଜରୁରୀ ପରିସ୍ଥିତିରେ ନିମନ୍ତ୍ରଣ କଲେ ଏହା ଆସେନି, ସେଗୁଡ଼ିକ ଯେକୌଣସି ସମୟରେ ଘଟିପାରେ । ନେଟୱାର୍କ କଭରେଜ ବିନା ଆମେ କିପରି ଗୋଟେ ଆମ୍ବୁଲାନ୍ସ କିମ୍ବା ଡାକ୍ତରଙ୍କୁ କିପରି ଡାକିବୁ ।’’ (ଏହି କାହାଣୀରେ ସମସ୍ତ ନାମ ପରିବର୍ତ୍ତନ କରାଯାଇଛି ।)
୩୦ ବର୍ଷ ବୟସ୍କ ଗିରିଶ କହିବା ଜାରୀ ରଖିଥିଲେ, ‘‘ମୁଁ ଭୟଭୀତ ହୋଇଯାଇଥିଲି । ମୁଁ ତାଙ୍କୁ ମୃତ୍ୟୁବରଣ କରିବାକୁ ଦେବାକୁ ଚାହୁଁନଥିଲି।’’ ଭୋର ୪ଟା ବେଳକୁ ଗିରୀଶ ଏବଂ ତାଙ୍କ ପଡ଼ୋଶୀ ପଲ୍ଲଭିଙ୍କୁ ଏକ କାମଚଳା ବାଉଁଶ ଏବଂ ବେଡ୍ସିଟ୍ ଷ୍ଟ୍ରେଚର୍ରେ କାଦୁଅ ହୋଇଥିବା ସାତପୁଡ଼ା ପାହାଡ଼ରୁ ୧୦୫ କିଲୋମିଟର ଦୂରରେ ଥିବା ଧଡ୍ଗାଓଁକୁ ନେଇଥିଲେ ।
ହେଙ୍ଗଲାପାନି ପଡ଼ା ଅକ୍ରାନି ତାଲୁକାର ତୋରନମଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରହିଛି । ତୋରନମଲ ଗ୍ରାମୀଣ ଡାକ୍ତରଖାନା ନିକଟତର ହୋଇଥାନ୍ତା, କିନ୍ତୁ ସେହି ରାତିରେ ସେ ରାସ୍ତା ସୁରକ୍ଷିତ ନଥିଲା । ଖାଲି ପାଦରେ (କାଦୁଅ ଚପଲ ପିନ୍ଧିବା କଷ୍ଟକର କରିଦିଏ), ଗିରୀଶ ଏବଂ ତାଙ୍କ ପଡ଼ୋଶୀ କାଦୁଅ ରାସ୍ତାରେ ଚାଲିବା ପାଇଁ ସଂଘର୍ଷ କରୁଥିଲେ । ପ୍ଲାଷ୍ଟିକ୍ ଚାଦର ଘୋଡ଼େଇ ହୋଇଥିବା ପଲ୍ଲଭି ଯନ୍ତ୍ରଣାରେ କାନ୍ଦୁଥିଲେ ।
ସେମାନେ ତୋରନମଲ ଘାଟି ରାସ୍ତାରେ ପହଞ୍ଚିବା ପର୍ଯ୍ୟନ୍ତ ତିନି ଘଣ୍ଟା ପାହାଡ଼ ଚଢ଼ିଥିଲେ। ଗିରୀଶ କୁହନ୍ତି, “ଏହା ପ୍ରାୟ ୩୦ କିଲୋମିଟର ଉପରକୁ ଅଛି। ସେଠାରୁ ସେମାନେ ଧଡ୍ଗାଓଁ ଗ୍ରାମକୁ ଯିବା ପାଇଁ ଟ. ୧,୦୦୦ ରେ ଗୋଟିଏ ଜିପ୍ ଭଡ଼ା କରିଥିଲେ। ରାସ୍ତାରେ ପାଞ୍ଚ ଘଣ୍ଟା କଟାଇବା ପରେ ପଲ୍ଲଭିଙ୍କୁ ଧଡ୍ଗାଓଁର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା - ସେଠାରେ ଥିବା ଗ୍ରାମୀଣ ଡାକ୍ତରଖାନା ଆହୁରି ୧୦ କିଲୋମିଟର ଦୂର ଥିଲା। ଗିରୀଶ କହିଲେ, ମୁଁ ପ୍ରଥମେ ଯେଉଁ ଦବାଖାନା (ସ୍ୱାସ୍ଥ୍ୟ ସେବା ସୁବିଧା) ଦେଖିଲି ସେଠାକୁ ତାଙ୍କୁ ନେଇଗଲି । ଏହା ଖର୍ଚ୍ଚବହୁଳ ଥିଲା, କିନ୍ତୁ ସେମାନେ ଅତିକମ୍ରେ ମୋ ପଲ୍ଲଭିକୁ ବଞ୍ଚାଇ ଦେଲେ। ଡାକ୍ତର ତାଙ୍କଠାରୁ ଟ. ୩୦୦୦ ନେଲେ ଏବଂ ଦିନେ ପରେ ତାଙ୍କୁ ଡିସ୍ଚାର୍ଜ କରିଦେଲେ ଏବଂ କହିଲେ ଅତ୍ୟଧିକ ରକ୍ତସ୍ରାବରେ ସେ ହୁଏତ ପ୍ରାଣ ହରାଇଥା’ନ୍ତା।’’
କେଇ ମାସେ ପରେ ବି ପଲ୍ଲଭି ନିତିଦିନିଆ ଅସୁବିଧା ଏବଂ ଯନ୍ତ୍ରଣା ଅନୁଭବ କରନ୍ତି । ସେ କୁହନ୍ତି, “ଯେତେବେଳେ ମୁଁ ଓଜନିଆ ପାତ୍ର ଉଠାଏ କିମ୍ବା ତଳକୁ ନଇଁପଡ଼େ ସେତେବେଳେ ମୋର କାଟ [ଜରାୟୁ] ମୋ ଯୋନି [ପ୍ରସବପଥ])ରୁ ବାହାରି ଆସେ । ପଲ୍ଲଭିଙ୍କ ବୟସ ୨୩ ବର୍ଷ ଏବଂ ତାଙ୍କର ଗୋଟିଏ ବର୍ଷକର ଝିଅ, ଖୁସି ଅଛି। ସେ ହେଙ୍ଗଲାପାନି ପଡ଼ାରେ ଜଣେ ସ୍ୱୀକୃତପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା)ଙ୍କ ସହାୟତାରେ ନିରାପଦରେ ଘରେ ଜନ୍ମ ହୋଇଥିଲା। କିନ୍ତୁ ତାଙ୍କର ଜରାୟୁ ବାହାରି ଆସୁଥିବାର ଚିକିତ୍ସା ହୋଇ ନପାରିବା ତାଙ୍କ ଝିଅର ଯତ୍ନ ନେବାକୁ କଷ୍ଟକର କରିଦିଏ।
ପଲ୍ଲଭି ମୋତେ କୁହନ୍ତି, "ମୋତେ ଖୁସିକୁ ଗାଧୋଇ ଦେବାକୁ, ଖୁଆଇ ଦେବାକୁ, ଦିନକୁ ଅନେକ ଥର କାଖେଇବାକୁ, ତା’ ସହ ଖେଳିବାକୁ ହୋଇଥାଏ । ଅଧିକ ଶାରୀରିକ ପରିଶ୍ରମ ଯୋଗୁଁ ବେଳେ ବେଳେ ମୋର ପେଟ ଭିତର ଜଳିବା ପରି ଲାଗେ, ଛାତିରେ ଯନ୍ତ୍ରଣା ହୁଏ, ବସିବା ଏବଂ ଉଠିବାରେ ଅସୁବିଧା ହୋଇଥାଏ”।
ଯେତେବେଳେ ଗିରୀଶ ସେମାନଙ୍କର ଦୁଇଟି ଗାଈ ବାହାରକୁ ଚରାଇବାକୁ ନିଅନ୍ତି, ସେତେବେଳେ ପଲ୍ଲଭିଙ୍କୁ ହିଁ ପାହାଡ ତଳୁ ଝରଣାରୁ ପ୍ରତିଦିନ ପାଣି ଆଣିବାକୁ ପଡିଥାଏ । ସେ କୁହନ୍ତି, “ଏହା ପାହାଡ଼ରେ ଦୁଇ କିଲୋମିଟର ତଳେ । କିନ୍ତୁ ଏହା ଆମ ପାଇଁ ଏକମାତ୍ର ଜଳ ଉତ୍ସ।’’ ଏପ୍ରିଲ୍-ମେ ସୁଦ୍ଧା ସେହି ଉତ୍ସ ମଧ୍ୟ ଶୁଖିଯାଏ, ଏହା ପଲ୍ଲଭି ଏବଂ ପଡ଼ାରେ ଥିବା ଅନ୍ୟ ମହିଳାମାନଙ୍କୁ ଜଳ ସନ୍ଧାନରେ ଆହୁରି ତଳକୁ ଯିବାକୁ ବାଧ୍ୟ କରେ ।
ସେ ଏବଂ ଗିରୀଶ ମୌସୁମୀ ଋତୁରେ ଦୁଇ ଏକର ଜମିରେ ମକା ଏବଂ ଜୋଓ୍ୱାର ଚାଷ କରନ୍ତି । ଏହି ତୀଖ ଗଡ଼ାଣିଆ କ୍ଷେତରେ ଅମଳ କମ୍ ହୁଏ । ଗିରୀଶ କୁହନ୍ତି, “ଆମେ ଚାରି କିମ୍ବା ପାଞ୍ଚ କ୍ୱିଣ୍ଟାଲ୍ [୪୦୦-୫୦୦ କିଲୋଗ୍ରାମ] ପାଇଥାଉ, ସେଥିମଧ୍ୟରୁ ମୁଁ ତୋରନମଲର ତେଜରାତି ଦୋକାନଗୁଡ଼ିକରେ ୧-୨କ୍ୱିଣ୍ଟାଲ୍ କିଲୋ ପିଛା ଟ.୧୫ରେ ବିକ୍ରି କରେ ।’’ ଯେତେବେଳେ ବାର୍ଷିକ ଅମଳ ଶେଷ ହୋଇଯାଏ ସେତେବେଳେ ଗିରୀଶ ଆଖୁ କ୍ଷେତରେ କାମ ପାଇବା ପାଇଁ ନିକଟସ୍ଥ ଗୁଜୁରାଟ ରାଜ୍ୟର ନବସାରୀ ଜିଲ୍ଲାକୁ ଚାଲି ଯାଆନ୍ତି । ସେ ବର୍ଷର ପ୍ରାୟ ୧୫୦ ଦିନ ଟ.୨୫୦ ର ଦୈନିକ ମଜୁରୀ ପାଇବାକୁ ସକ୍ଷମ ହୁଅନ୍ତି ।
ଯଦିଓ ତାଙ୍କର ପ୍ରାୟତଃ ଜର ଥାଏ, ନିଦୁଆ ଲାଗେ ଏବଂ ଏପରିକି ସେ ଚେତାଶୂନ୍ୟ ମଧ୍ୟ ହୋଇଯାଆନ୍ତି, ତଥାପି ଘର କାମ ଏବଂ ଚାଷ ଜମିରେ ସବୁ କାମ ପରେ ପଲ୍ଲଭିଙ୍କ ପାଖରେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି) କୁ ଯିବା ପାଇଁ କୌଣସି ଶକ୍ତି ନଥାଏ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ୩୫ କିଲୋମିଟର ଦୂରରେ ଜାପି ଗ୍ରାମରେ ଅଛି। ଆଶା କର୍ମୀ ତାଙ୍କୁ କିଛି ଔଷଧ ଦିଅନ୍ତି । ସେ କୁହନ୍ତି, ‘‘ମୁଁ ଡାକ୍ତରଙ୍କ ପାଖକୁ ଯିବାକୁ ଚାହୁଁଛି, କିନ୍ତୁ କେମିତି ଯିବି? ମୁଁ ଖୁବ୍ ଦୁର୍ବଳ।’’ ବାହାରି ଆସୁଥିବା ଜରାୟୁ ଥାଇ ପାହାଡ଼ରେ ଏତେ ଦୂର ଚାଲିକରି ଯିବା ତାଙ୍କ ପାଇଁ ପ୍ରାୟ ଅସମ୍ଭବ ।୧୪ଟି ଗ୍ରାମ ଏବଂ ୬୦ଟି ପଡ଼ାକୁ ନେଇ ଗଠିତ ତୋରନମଲ ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୨୦,୦୦୦ (ଜଣେ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କ ଆକଳନ ଅନୁଯାୟୀ)। ସେଗୁଡ଼ିକ ଜାପିରେ ଥିବା ଗୋଟିଏ ପିଏଚ୍ସି, ଛଅ ଟି ଉପ-କେନ୍ଦ୍ର ଏବଂ ତୋରନମଲ ଜୁନେ (ପୁରୁଣା) ଗ୍ରାମରେ ୩୦ ଶଯ୍ୟା ବିଶିଷ୍ଟ ଗ୍ରାମୀଣ ଡାକ୍ତରଖାନା ଦ୍ୱାରା କଣ୍ଡୋମ, ବଟିକା, ବନ୍ଧ୍ୟାକରଣ ପ୍ରକ୍ରିୟା ଏବଂ ଆଇୟୁଡି ଭର୍ତ୍ତି ଭଳି ଗର୍ଭନିରୋଧକ ସେବା ଏବଂ ସନ୍ତାନ ଜନ୍ମ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଚିକିତ୍ସା ପାଇ ଥାଆନ୍ତି । କିନ୍ତୁ ଏହି ପାହାଡ଼ିଆ କ୍ଷେତ୍ରରେ ପଡ଼ାଗୁଡ଼ିକ ଦୁର୍ଗମ ସ୍ଥାନରେ ଥିବାରୁ ଅଧିକାଂଶ ମହିଳାଙ୍କର ଘରେ ସନ୍ତାନ ପ୍ରସବ ହୋଇଥାଏ ।
ନିଜ ନାମ ପ୍ରକାଶ କରିବାକୁ ଚାହୁଁ ନଥିବା ଜାପି ପିଏଚ୍ସିର ଜଣେ ଡାକ୍ତର କୁହନ୍ତି, “ତୋରନମଲରେ ଅବରୋଧିତ ପ୍ରସବର ମାମଲା ଅଧିକ କାରଣ ଏଠାରେ ଆଦିବାସୀମାନେ ପାହାଡ଼ ଉପରେ ରୁହନ୍ତି, ଗର୍ଭାବସ୍ଥାରେ ମଧ୍ୟ ଦିନରେ କେଇଥର ପାଣି ପାଇଁ ତଳକୁ ଓହ୍ଲାନ୍ତି ଏବଂ ଚଢ଼ନ୍ତି । ଏହା ସନ୍ତାନ ପ୍ରସବରେ ଜଟିଳତା ଏବଂ ଅପରିପକ୍ୱ ପ୍ରସବର କାରଣ ହୋଇଥାଏ ।’’ ଦୁଇଜଣ ଡାକ୍ତର, ଦୁଇଜଣ ନର୍ସ ଏବଂ ଜଣେ ଓ୍ୱାର୍ଡ ଆସିଷ୍ଟାଣ୍ଡଙ୍କ ଦ୍ୱାରା ଚାଲୁଥିବା ଏବଂ ପିଏଚ୍ସି ନିକଟରେ ୨୦୧୬ରେ ସ୍ଥାପିତ ହୋଇଥିଲା ଏବଂ ଏଠାକୁ ଦୈନିକ ଚାରି କିମ୍ବା ପାଞ୍ଚ ଜଣ ରୋଗୀ ଆସନ୍ତି । ସେ କୁହନ୍ତି, ‘‘ଯେତେବେଳେ ପରିସ୍ଥିତି ପ୍ରକୃତରେ ବିଗିଡ଼ି ଯାଏ କିମ୍ବା ଭଗତ [ପାରମ୍ପରିକ ଚିକିତ୍ସକ]ର ଚିକିତ୍ସା ଅସଫଳ ହୁଏ ସେତେବେଳେ ଲୋକେ ଆସନ୍ତି ।’’
ଏପ୍ରିଲ୍ ୨୦୧୯ ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି ଡାକ୍ତର ପାଞ୍ଚଟି ଜରାୟୁ ବାହାରି ପଡ଼ିଥିବା ମାମଲାର ଚିକିତ୍ସା କରିଥିଲେ । ସେ କହିଲେ, ‘‘ ସମସ୍ତଙ୍କର ୧୦୦ ପ୍ରତିଶତ ଅସ୍ତ୍ରୋପଚାର ଦରକାର ଥିଲା । ଏଭଳି ଦୀର୍ଘସ୍ଥାୟୀ ପ୍ରସୂତି ମାମଲାର ଚିକିତ୍ସା ପାଇଁ ଏଠାରେ କୌଣସି ସୁବିଧା ନଥିବାରୁ ଆମେ ସେମାନଙ୍କୁ ନନ୍ଦୁରବର ସିଭିଲ ହସ୍ପିଟାଲକୁ ପଠାଇଲୁ। ’’
ଯେତେବେଳେ ଶ୍ରୋଣୀ ମାଂସପେଶୀ ଏବଂ ଲିଗାମେଣ୍ଟଗୁଡିକ ଟାଣି ହୋଇଯାଏ କିମ୍ବା ଦୁର୍ବଳ ହୁଏ ଏବଂ ଆଉ ଜରାୟୁକୁ ଧରି ରଖିବାକୁ ସକ୍ଷମ ହୁଏ ନାହିଁ ସେତେବେଳେ ଜରାୟୁ ବାହାରି ଆସେ । ମୁମ୍ବାଇ ସ୍ଥିତ ଭାରତୀୟ ପ୍ରସୂତି ଏବଂ ସ୍ତ୍ରୀ ରୋଗ ସଂଘର ଅଧ୍ୟକ୍ଷ ଡ. କୋମଲ ଚଭନ୍ କହିଛନ୍ତି, “ଜରାୟୁ ହେଉଛି ଏକ ମାଂସପେଶୀୟ ସଂରଚନା ଯାହା ବିଭିନ୍ନ ମାଂସପେଶୀ, ଟିସୁ ଏବଂ ଲିଗାମେଣ୍ଟ ସହିତ ଶ୍ରୋଣୀ ଭିତରେ ଏହାର ସ୍ଥାନରେ ରହିଥାଏ । ଗର୍ଭଧାରଣ, ବହୁ ପ୍ରସବ, ଦୀର୍ଘ ପ୍ରସବ ଯନ୍ତ୍ରଣା କିମ୍ବା ତ୍ରୁଟିପୂର୍ଣ୍ଣ ପରିଚାଳନା[ପ୍ରସବର] ହେତୁ କେତେକ ମହିଳାଙ୍କଠାରେ ଏସବୁ ମାଂସପେଶୀ ଦୁର୍ବଳ ହୋଇ ଜରାୟୁ ବାହାରକୁ ବାହାରି ଆସିଥାଏ।” ମହିଳାଙ୍କ ବୟସ ଏବଂ ସମସ୍ୟାର ଗମ୍ଭୀରତା ଉପରେ ନିର୍ଭର କରି ଦୁର୍ବଳ ଶ୍ରୋଣୀ ଟିସୁ ମରାମତି ପାଇଁ ଏକ ହିଷ୍ଟେରେକ୍ଟୋମି (ମହିଳା ପ୍ରଜନନ ଅଙ୍ଗର ଅସ୍ତ୍ରୋପଚାର ଜନିତ ଅପସାରଣ) ପାଇଁ ପୁନଃଗଠନ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।
୨୦୧୫ ମସିହାରେ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ରେ ପ୍ରକାଶିତ, ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ପୁରାତନ ପ୍ରସୂତି ରୋଗ (ସିଓଏମ୍) ସମ୍ପର୍କରେ ୨୦୦୬-୦୭ ମସିହାରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ସିଓଏମ୍ର ଅଭିଯୋଗ କରୁଥିବା ୧୩୬ ଜଣ ମହିଳାଙ୍କ ମଧ୍ୟରୁ ଯୌନାଙ୍ଗ ବାହାରି ଆସିବାର ସମସ୍ୟା ସବୁଠାରୁ ଅଧିକ (୬୨ ପ୍ରତିଶତ)। ଏହି ରିପୋର୍ଟରୁ ଜଣାପଡ଼ିଛି, “ବହୁ ପ୍ରସବ ଏବଂ ପାରମ୍ପରିକ ପ୍ରସବ ସହାୟିକାମାନଙ୍କ ଦ୍ୱାରା କରାଯାଉଥିବା ପ୍ରସବ ଜରାୟୁ ବାହାରକୁ ଆସିବା ସହ ଉଲ୍ଲେଖ୍ୟଯୋଗ୍ୟ ଭାବରେ ଜଡିତ।’’ନନ୍ଦୁରବର ସିଭିଲ ହସ୍ପିଟାଲରେ ପଲ୍ଲଭି ତାଙ୍କ ଜରାୟୁ ବାହାରି ଆସିବା ପାଇଁ ମାଗଣା ଅସ୍ତ୍ରୋପଚାର ଚିକିତ୍ସା ପାଇପାରିବେ । ଏହା ତାଙ୍କ ପଡ଼ା ହେଙ୍ଗଲାପାନିଠାରୁ ପ୍ରାୟ ୧୫୦ କିଲୋମିଟର ଦୂର । ସେଠାକୁ ଯିବାର ଅର୍ଥ ହେଉଛି ତିନି-ଚାରି ଘଣ୍ଟା ଉପରକୁ ଚଢ଼ିବା ଏବଂ ତା’ପରେ ଚାରି ଘଣ୍ଟାର ବସ୍ ଯାତ୍ରା । ପଲ୍ଲଭି କୁହନ୍ତି, "ମୁଁ ବସିବା ବେଳେ ମୋତେ ଲାଗେ ମୁଁ କିଛି ଉପରେ ବସିଛି ଏବଂ ଏହା କଷ୍ଟଦାୟକ । ମୁଁ ଗୋଟିଏ ସ୍ଥାନରେ ଅଧିକ ସମୟ ବସି ପାରିବି ନାହିଁ।" ଏହି ରାସ୍ତାରେ ଯାଉଥିବା ରାଜ୍ୟ ପରିବହନ ବସ୍ ତୋରନମଲରୁ ଦିନରେ ଥରେ ପ୍ରାୟ ଅପରାହ୍ଣ ୧ ଟା ସମୟରେ ଦିନକୁ ଥରେ ଯାଇଥାଏ । ସେ ପଚାରନ୍ତି ‘‘ଡାକ୍ତରମାନେ ଏଠାକୁ ଆସିପାରିବେ ନାହିଁ କି?’’
ଡାକ୍ତର ଜଣକୁ ସୂଚିତ କରନ୍ତି ଯେ କୌଣସି ସଡ଼କ ସଂଯୋଗ ନ ଥିବାରୁ ତୋରନମଲରେ ଥିବା ଦୁର୍ଗମ ଅଞ୍ଚଳର ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ମୋବାଇଲ୍ ମେଡିକାଲ୍ ୟୁନିଟ୍ ମଧ୍ୟ ରୋଗୀମାନଙ୍କ ପାଖରେ ପହଞ୍ଚି ପାରେ ନାହିଁ । ଅକ୍ରାନି ବ୍ଲକ୍ରେ ୩୧ ଟି ଗ୍ରାମ ଏବଂ ଏହାଠାରୁ ଅଧିକ ସଂଖ୍ୟକ ପଡ଼ା ସହିତ ରାସ୍ତା ସଂଯୁକ୍ତ ହୋଇ ନାହିଁ । ମହାରାଷ୍ଟ୍ର ସରକାରଙ୍କ ନବସଞ୍ଜିବନୀ ଯୋଜନା ଅଗମ୍ୟ ଅଞ୍ଚଳ ପାଇଁ ଜଣେ ଚିକିତ୍ସା ଅଧିକାରୀ ଏବଂ ଜଣେ ତାଲିମପ୍ରାପ୍ତ ନର୍ସ ବିଶିଷ୍ଟ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଯୋଗାଇଥାଏ । ମହାରାଷ୍ଟ୍ର ଆଦିବାସୀ ଉନ୍ନୟନ ବିଭାଗର ୨୦୧୮-୨୦୧୯ ନିମନ୍ତେ ବାର୍ଷିକ ଆଦିବାସୀ ଉପାଦାନ ଯୋଜନା ରିପୋର୍ଟ ଅନୁଯାୟୀ ଅକ୍ରାନି ତାଲୁକାରେ ଏହିପରି ଦୁଇଟି ୟୁନିଟ୍ କାର୍ଯ୍ୟକ୍ଷମ ଅଛି, କିନ୍ତୁ ସେଗୁଡ଼ିକ ପଲ୍ଲବିଙ୍କ ପଡ଼ା ପରି ସ୍ଥାନରେ ପହଞ୍ଚିପାରିବ ନାହିଁ ।
ଜାପି ପିଏଚ୍ସିରେ “ବିଦ୍ୟୁତ୍ ନାହିଁ, ପାଣି ନାହିଁ, ଏବଂ କର୍ମଚାରୀଙ୍କ ପାଇଁ ଆବାସ ନାହିଁ”। ସେଠାକାର ଡାକ୍ତର କୁହନ୍ତି, “ମୁଁ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଅନେକ ଚିଠି ଲେଖିଛି, କିନ୍ତୁ କୌଣସି ଅଗ୍ରଗତି ହୋଇନାହିଁ।” ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ପ୍ରତିଦିନ ନନ୍ଦୁରବରରୁ ଜାପି ଯାତ୍ରା କରିବା ଅସମ୍ଭବ । ଡାକ୍ତର ଜଣକ ଏହା ମଧ୍ୟ କୁହନ୍ତି, "ତେଣୁ ଆମେ ସପ୍ତାହ ଦିବସଗୁଡ଼ିକରେ ଏଠାରେ କାମ କରୁ, ଏବଂ ଜଣେ ଆଶା କର୍ମୀଙ୍କ ଘରେ ରାତି କଟାଉ । ସପ୍ତାହାନ୍ତରେ ଆମେ ନନ୍ଦୁରବରରେ ଥିବା ନିଜ ଘରକୁ ଫେରିଯାଉ।’’
ଏହା ଏହି ଅଞ୍ଚଳରେ ଆଶା ଶ୍ରମିକମାନଙ୍କ ଭୂମିକାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଥାଏ । କିନ୍ତୁ ସେମାନେ ମଧ୍ୟ ଔଷଧ ଏବଂ କିଟ୍ ର ସୀମିତ ଷ୍ଟକ୍ ସହ ସଂଘର୍ଷ କରନ୍ତି । ୧୦ ପଡ଼ାରେ ୧୦ ଜଣ ଆଶାକର୍ମୀଙ୍କର କାର୍ଯ୍ୟର ତଦାରଖ କରୁଥିବା ହେଙ୍ଗଲାପାନି ପଡ଼ାର ଆଶା ଫାସିଲିଟେଟର୍ ବିଦ୍ୟା ନାୟକ (ନାମ ପରିବର୍ତ୍ତନ କରାଯାଇଛି) କୁହନ୍ତି, “ଆମେ ଗର୍ଭବତୀ ମହିଳାଙ୍କ ପାଇଁ ନିୟମିତ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ଟାବଲେଟ୍ କିମ୍ବା ମାସ୍କ, ଗ୍ଲୋଭସ୍ ଏବଂ କଇଁଚି ଥିବା ଏକକ ବ୍ୟବହାର ବିଶିଷ୍ଟ ପ୍ରସବ କିଟର ଯୋଗାଣ ନିୟମିତ ଭାବରେ ପାଉନି।’’
କିଛି ଆଶା କର୍ମୀ ପ୍ରସବ ପାଇଁ ତାଲିମ ପ୍ରାପ୍ତ, କିନ୍ତୁ ଜଟିଳ ପ୍ରସବଗୁଡ଼ିକ ପାଇଁ ନୁହେଁ । ବିଦ୍ୟା ପ୍ରତି ମାସରେ ଘରେ ଅସୁରକ୍ଷିତ ପ୍ରସବ କାରଣରୁ ମାସିକ ଦୁଇରୁ ତିନି ଶିଶୁ ମୃତ୍ୟୁ ଏବଂ ଗୋଟିଏ କିମ୍ବା ଦୁଇଟି ମାତୃ ମୃତ୍ୟୁ ରେକର୍ଡ କରନ୍ତି । ସେ କୁହନ୍ତି, "ଆମେ ଆଉ କିଛି ଚାହୁଁନୁ - କେବଳ ନିରାପଦ ପ୍ରସବ ପାଇଁ ଯାତାୟତ କରିବାକୁ ଆମକୁ ଏକ ସୁରକ୍ଷିତ ରାସ୍ତା ଦିଅନ୍ତୁ।"
ଡକ୍ଟର ଚାଭାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ପ୍ରାକ୍ ପ୍ରସବ ଯତ୍ନ ନିମନ୍ତେ ଆଗୁଆ ଚିକିତ୍ସା ସହ କଷ୍ଟକର ଭୌଗୋଳିକ ଅବସ୍ଥିତି, ଯେଉଁଠାରେ ମହିଳାଙ୍କ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଆହ୍ୱାନପୂର୍ଣ୍ଣ, ସେଠାରେ ଶିକ୍ଷିତ ପ୍ରସୂତି ବିଶେଷଜ୍ଞ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।’’ଅବଶ୍ୟ, ଭାରତ ସରକାରଙ୍କ ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୧୮-୧୯ ରେକର୍ଡ କରିଛି ଯେ ମହାରାଷ୍ଟ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଥିବା.୧୪୫୬ ଜଣ ବିଶେଷଜ୍ଞ - ଜଣେ ସର୍ଜନ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଚିକିତ୍ସକ ଏବଂ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ପ୍ରତ୍ୟେକ କେନ୍ଦ୍ରରେ ଚାରିଜଣଙ୍କ ମଧ୍ୟରୁ ମାର୍ଚ୍ଚ ୩୧, ୨୦୧୯ ସୁଦ୍ଧା ମାତ୍ର ୪୮୫ ଜଣ ଥିଲେ , ଅର୍ଥାତ୍ ୯୭୧ ଜଣ ବା ୬୭ ପ୍ରତିଶତ କମ୍ ଥିଲା ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -4 ( ଏନ୍ଏଫ୍ଏଚ୍ସି-୪ ) ସୂଚିତ କରିଛି ଯେ ନନ୍ଦୁରବରର ଗ୍ରାମାଞ୍ଚଳରେ ମାତ୍ର ୨୬.୫ ପ୍ରତିଶତ ମା’ ସମ୍ପୂର୍ଣ୍ଣ ପ୍ରସବ ପରବର୍ତ୍ତୀ ଯତ୍ନ ପାଇଥିଲେ, କେବଳ ୫୨.୫ ପ୍ରତିଶତ ଆନୁଷ୍ଠାନିକ ପ୍ରସବ କରାଇଥିଲେ ଏବଂ ଘରେ ହୋଇଥିବା ପ୍ରସବ ମଧ୍ୟରୁ ମାତ୍ର ୧୦.୪ ପ୍ରତିଶତ କୁଶଳୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା କରାଯାଇଥିଲା ।
ମୁଖ୍ୟତଃ ଭିଲ୍ ଏବଂ ପଓ୍ୱରା ଥିବା ବୃହଦ୍ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ନନ୍ଦୁରବର ଜିଲ୍ଲା - ମହାରାଷ୍ଟ୍ର ମାନବ ବିକାଶ ସୂଚକାଙ୍କ ୨୦୧୨ରେ ସବୁଠାରୁ ତଳେ ରହିଛି ଏବଂ ପୁଷ୍ଟିହୀନତା ଏବଂ ଦୁର୍ବଳ ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ ସହିତ ମୁକାବିଲା କରୁଛି ।
ପଲ୍ଲଭିଙ୍କ ଘରୁ ପ୍ରାୟ ୪୦ କିଲୋମିଟର ଦୂରରେ ତୋରନମଲ ଜଙ୍ଗଲ ଭିତରେ ଥିବା ଅନ୍ୟ ଏକ ପାହାଡ ଉପରେ ଲେଗାପାନି ପଡ଼ା ଅଛି । ସେଠାରେ, ତାଙ୍କର ଅନ୍ଧାରୁଆ ଚାଳ କୁଡ଼ିଆରେ ସାରିକା ୱାସେଭ୍ (ତାଙ୍କର ପ୍ରକୃତ ନାମ ନୁହେଁ) ପାଣିରେ ପଲାଶ୍ (ବୁଟିଆ ମୋନୋସ୍ପର୍ମା) ଫୁଲକୁ ପାଣିରେ ଫୁଟାଉଥିଲେ । ଭିଲ୍ ସମୁଦାୟର ଏହି ୩୦ ବର୍ଷ ବୟସ୍କା ମହିଳା ସାରିକା କହିଲେ, ‘‘ମୋ ଝିଅର ଜ୍ୱର ଅଛି। ମୁଁ ଏଥିରେ ତାକୁ ଗାଧୋଇ ଦେବି । ତାକୁ ଭଲ ଲାଗିବ। ସେ ଛଅ ମାସର ଗର୍ଭବତୀ ଏବଂ ପଥର ଚୁଲ୍ହା (ଚୁଲି) ସାମ୍ନାରେ ଦୀର୍ଘ ସମୟ ବସିବା କଷ୍ଟକର । ସେ କୁହନ୍ତି “ମୋର ଆଖି ଜଳି ଯାଉଛି। ଏବଂ ଏଇଟା ମଧ୍ୟ କାଟୁଛି [ତାଙ୍କ ଊରୁସନ୍ଧିକୁ ଦେଖାଇ] । ମୋର ପିଠିରେ ମଧ୍ୟ ଯନ୍ତ୍ରଣା ହେଉଛି ।’’
କ୍ଳାନ୍ତ ଏବଂ ଦୁର୍ବଳ ଥିବା ସାରିକାଙ୍କର ମଧ୍ୟ ବାହାରକୁ ଆସିଯାଇଥିବା ଜରାୟୁର ସମସ୍ୟା ଅଛି । କିନ୍ତୁ ସେ ସମସ୍ତ ଦୈନନ୍ଦିନ କାମ କରିବାକୁ ବାଧ୍ୟ । ପ୍ରତ୍ୟେକ ଥର ଯେତେବେଳେ ସେ ପରିସ୍ରା କରନ୍ତି କିମ୍ବା ମଳତ୍ୟାଗ କରିବା ସମୟରେ ସାମାନ୍ୟ କୁନ୍ଥାନ୍ତି ସେତେବେଳେ ଜରାୟୁ ଖସିଆସେ ଏବଂ ପ୍ରସବ ଦ୍ୱାରରୁ ବାହାରି ପଡ଼େ । ସେ କୁହନ୍ତି, “ମୁଁ ଶାଢ଼ିରେ ଏହାକୁ ଭିତରକୁ ଠେଲିଦିଏ, ଏହା ଯନ୍ତ୍ରଣାଦାୟକ।’’ ଘନ ଘନ ଶ୍ୱାସ ନେଇ ସେ ତାଙ୍କ ମୁଁହରୁ ଝାଳ ପୋଛି ଦେଲେ । ଚୁଲାରୁ ବାହାରୁ ଥିବା ଧୁଆଁର ଏକ ଦଲକା ମୁଁହରେ ବାଜିବାରୁ ସେ ମୁହଁକୁ ଗୋଟିଏ ପାଖକୁ ବୁଲାଇ ଦେଲେ ।
ସେ ତିନି ବର୍ଷ ଧରି ଜରାୟୁ ବାହାରି ଥିବା ସମସ୍ୟାରେ ପୀଡ଼ିତା । ୨୦୧୫ରେ ସେ ଆଠ ମାସର ଗର୍ଭବତୀ ଥିବା ବେଳେ ଅପରାହ୍ଣ ୧ ଟା ସମୟରେ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କର ଶାଶୁ ପ୍ରସବ କରାଇଥିଲେ ଏବଂ ଛଅ ଘଣ୍ଟାର ପ୍ରସବ ଯନ୍ତ୍ରଣା ପରେ ସାରିକାଙ୍କର ଜରାୟୁ ତାଙ୍କ ପ୍ରସବପଥରୁ ବାହାରକୁ ଚାଲି ଆସିଲା । ସେ ମନେପକାଇ କହିଲେ, ‘‘ମୋତେ ଲାଗିଲା ଯେମିତି କେହି ଜଣେ ମୋର ଗୋଟିଏ ଅଂଶକୁ ଟାଣି ବାହାର କରି ଦେଉଛି ।’’
ଡକ୍ଟର ଚାଭାନ୍ କୁହନ୍ତି, "ବାହାରି ଆସୁଥିବା ଜରାୟୁର ଚିକିତ୍ସା ନହେବା ମୂତ୍ର ସଂକ୍ରମଣ, ଘଷି ହେବା ଦ୍ୱାରା ରକ୍ତସ୍ରାବ, ସଂକ୍ରମଣ ଏବଂ ଯନ୍ତ୍ରଣା ଭଳି ଜଟିଳତା ଦେଖାଦେଇପାରେ - ଏହା ଦୈନନ୍ଦିନ ଗତିବିଧିରେ ଅସୁବିଧା ସୃଷ୍ଟି କରିଥାଏ।’’ ବୟସ ବଢ଼ିବା ସହିତ ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ମଧ୍ୟ ସେ କୁହନ୍ତି ।
ଯେତିକି ପରିମାଣରେ ହେଉନା କାହିଁକି ଜରାୟୁ ବାହାରି ଆସିଥିବା ମହିଳାମାନଙ୍କୁ ଅଧିକ ଓଜନ ଉଠାଇବାକୁ ବାରଣ କରାଯାଏ ଏବଂ କୋଷ୍ଠକାଠିନ୍ୟ ଏଡାଇବାକୁ ପ୍ରଚୁର ପାଣି ପିଇବା ସହ ଅଧିକ ତନ୍ତୁଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ ସାରିକାଙ୍କୁ ଦିନକୁ ଗୋଟିଏ ପୂର୍ଣ୍ଣ ଭୋଜନ ଏବଂ ଗୋଟିଏ ମାଠିଆ ପାଣି ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼େ । ଗର୍ଭବତୀ ହୁଅନ୍ତୁ ବା ନହୁଅନ୍ତୁ ତାଙ୍କୁ ନିଶ୍ଚୟ ପାହାଡ ତଳୁ ପାଣି ଆଣିବାକୁ ପ୍ରତିଦିନ ଆଠ କିଲୋମିଟର ଚାଲିବାକୁ ହେବ । ଫେରିବା ବେଳେ ଉଠାଣିରେ ଚଢ଼ିବା ଆହୁରି ଧିମା ଏବଂ ଆହୁରି ଅଧିକ କଷ୍ଟକର ହୁଏ । ସେ ମୋତେ କହିଲେ । “ମୋ ଜଙ୍ଘ ସହିତ କାଟ ଘଷିହେବା ଦ୍ୱାରା ଏହା ପୋଡିଥାଏ । ବେଳେବେଳେ ଏଥିରେ ରକ୍ତସ୍ରାବ ହୁଏ ।” ସେ ଘରେ ପହଞ୍ଚିବା ମାତ୍ରେ, ସେହି ବାହାରିଥିବା ଅଂଶକୁ ଠେଲି ଦିଅନ୍ତି ।
ଏହି ଅବସ୍ଥା ପାଇଁ ଶାରୀରିକ ଯନ୍ତ୍ରଣା ସହିତ, ସାମାଜିକ ଏବଂ ଅର୍ଥନୈତିକ ପରିଣାମ ମଧ୍ୟ ଅଛି । ବାହାରିଥିବା ଜରାୟୁ ବୈବାହିକ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ ଯାହା ସ୍ୱାମୀଙ୍କ ଦ୍ୱାରା ପରିତ୍ୟାଗ କିମ୍ବା ପ୍ରତ୍ୟାଖ୍ୟାନ ପରି ଅବସ୍ଥା ସୃଷ୍ଟି କରିପାରେ, ଯେମିତି ସାରିକାଙ୍କ ସହ ହୋଇଥିଲା ।
ସାରିକାଙ୍କ ସ୍ୱାମୀ ସଞ୍ଜୟ (ନାମ ପରିବର୍ତ୍ତନ କରାଯାଇଛି) ପୁନର୍ବାର ବିବାହ କଲେ । ସଞ୍ଜୟ ଧଡଗାଓଁର ହୋଟେଲରେ ଦିନକୁ ଟ. ୩୦୦ ମଜୁରୀରେ ମାସରେ ଚାରି ପାଞ୍ଚ ଦିନ କାମ କରନ୍ତି । ସାରିକା କୁହନ୍ତି, ‘‘ସେ ତାଙ୍କ ଆୟ ଦ୍ୱିତୀୟ ପତ୍ନୀ ଏବଂ ପୁଅ ପାଇଁ ଖର୍ଚ୍ଚ କରନ୍ତି । ସେ କଦବା କ୍ୱଚିତ୍ କ୍ଷେତରେ କାମ କରନ୍ତି। ତେଣୁ ସାରିକା ୨୦୧୯ ମୌସୁମୀ ଋତୁରେ ସେମାନଙ୍କ ଦୁଇ-ଏକର ଜମିରେ ମୌସୁମୀ ସମୟରେ ସେମାନଙ୍କ ଦୁଇ ଏକର ଚାଷ ଜମିରେ ଏକ କ୍ୱିଣ୍ଟାଲ୍ ମକା ଚାଷ କରିଥିଲେ। "ମୋ ସ୍ୱାମୀ ତାଙ୍କର ଦ୍ୱିତୀୟ ପତ୍ନୀ ଏବଂ ପିଲା ପାଇଁ ୫୦ କିଲୋ ନେଇଗଲେ ଏବଂ ବାକି ମୁଁ ଭକ୍ରି ପାଇଁ ଗୁଣ୍ଡ କରି ଦେଇଛି । ”
ଆୟର କୌଣସି ଉତ୍ସ ନଥିବାରୁ ସାରିକା ଆଶା କର୍ମୀ ଏବଂ କିଛି ଗ୍ରାମବାସୀ ତାଙ୍କୁ କିଛି ଚାଉଳ ଏବଂ ଡାଲି ଦେବା ଉପରେ ନିର୍ଭର କରନ୍ତି । ବେଳେବେଳେ, ସେ ଧାର ମଧ୍ୟ କରନ୍ତି । ସେ କୁହନ୍ତି, “ରାସନ ଏବଂ ବିହନ କିଣିବା ପାଇଁ ମୋତେ ଜୁନ୍ [୨୦୧୯] ରେ ଧାର ଦେଇଥିବା ଜଣେ ବ୍ୟକ୍ତିଙ୍କୁ ମୋତେ ୮୦୦ ଟଙ୍କା ଫେରାଇବାକୁ ପଡ଼ିବ’’।
ଏବଂ ବେଳେବେଳେ ତାଙ୍କ ସ୍ୱାମୀ ତାଙ୍କୁ ପିଟନ୍ତି ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି । “ସେ ମୋର ଅବସ୍ଥା [ବାହାରି ଥିବା ଜରାୟୁ] ପସନ୍ଦ କରନ୍ତି ନାହିଁ । ସେଥିପାଇଁ ସେ ଆଉଥରେ ବିବାହ କଲେ । କିନ୍ତୁ ସେ ମଦ ନିଶାରେ ଥିବା ବେଳେ ଆସନ୍ତି । ସେ କୁହନ୍ତି, ‘‘ମୁଁ ଯନ୍ତ୍ରଣାରେ କାନ୍ଦେ [ସହବାସ ସମୟରେ], କିନ୍ତୁ ଏହାପରେ ସେ ମୋତେ ପିଟନ୍ତି ।ଯେଉଁ ଦିନ ମୁଁ ତାଙ୍କୁ ଭେଟିଲି, ସେଦିନ ଗୋଟିଏ ହାଣ୍ଡି ଭାତ ଚୁଲି ପାଖରେ ରଖାଯାଇଥିଲା । ଏହା ତାଙ୍କ ପାଇଁ ଏବଂ ତାଙ୍କର ପାଞ୍ଚ ବର୍ଷର ଝିଅ କରୁଣା ପାଇଁ ଦିନକର ଏକମାତ୍ର ଭୋଜନ ଥିଲା । ସେ କୁହନ୍ତି, “ଘରେ କେବଳ ଏକ କିଲୋ ଚାଉଳ ବାକି ଅଛି।’’ ସେ ତାଙ୍କ ବିପିଏଲ୍ ରାସନ କାର୍ଡରେ ପାଇଥିବା ତିନି କିଲୋ ଚାଉଳ ଏବଂ ଆଠ କିଲୋ ଗହମ ମଧ୍ୟରୁ ତାହା ହିଁ ବାକି ଅଛି। ତିନୋଟି ଛେଳି ହେଉଛନ୍ତି ତାଙ୍କ ପୁଷ୍ଟିକର ଏକମାତ୍ର ଅତିରିକ୍ତ ଉତ୍ସ । ସେ କୁହନ୍ତି, “ମୁଁ ଗୋଟିଏ ଛେଳିରୁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ପାଏ’’। ସେହି କ୍ଷୀର ମଧ୍ୟ ସେ ନିଜ ଝିଅ ଏବଂ ନିଜ ମା’ ସହ ଦୁଇ କିଲୋମିଟର ଦୂରରେ ଥିବା ତାଙ୍କର ଚାରି ବର୍ଷର ସାବତ ପୁଅ ସୁଧୀରଙ୍କ ମଧ୍ୟରେ ସମାନ ଭାବରେ ଭାଗ କରନ୍ତି ।
ସାରିକାଙ୍କ କୁଡ଼ିଆ ଠାରୁ ତୋରନମଲର ଗ୍ରାମୀଣ ଚିକିତ୍ସାଳୟ ୧୫ କିଲୋମିଟର ଏବଂ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ପାଞ୍ଚ କିଲୋମିଟର ଦୂରରେ। ଏହା ଏକ ତୀଖ ଉଠାଣୀ । ସେୟାର୍ ଜିପ୍ ସେବା ବହୁତ କମ ମିଳେ, ଏହା ତାଙ୍କୁ ଏହି ଦୂରତା ଚାଲିବା ପାଇଁ ବାଧ୍ୟ କରିଥାଏ । ସେ କୁହନ୍ତି, “ମୁଁ ଅଧିକ ଚାଲି ପାରିବି ନାହିଁ, ମୁଁ ଶୀଘ୍ର ଅଣନିଶ୍ୱାସୀ ହୋଇଯାଏ’’ । ପ୍ରସବ ପୂର୍ବରୁ ସେ ଉପ-କେନ୍ଦ୍ରକୁ ଯାଇଥିବା ବେଳେ ରକ୍ତଶିକୁଳି ରୋଗରେ ପିଡ଼ୀତ ଥିବା ଚିହ୍ନଟ ହୋଇଥିଲା । ଏହା ଏକ ବଂଶାନୁକ୍ରମିକ ରକ୍ତ ଜନୀତ ରୋଗ ଯାହା ହିମେଗ୍ଲୋବିନ୍କୁ ପ୍ରଭାବିତ କରେ ଏବଂ ରକ୍ତହୀନତା ସୃଷ୍ଟି କରିଥାଏ ।
୨୦୧୬ରେ ସ୍ଥାପିତ ହୋଇଥିବା ତୋରନମଲ ଗ୍ରାମୀଣ ଚିକିତ୍ସାଳୟରେ ୩୦ ଟି ଶଯ୍ୟା ଅଛି । ଚିକିତ୍ସା ଅଧିକାରୀ ଡ. ସୁହାସ ପାଟିଲ କୁହନ୍ତି, ପ୍ରତିଦିନ ବର୍ହିଃ ରୋଗୀ ବିଭାଗକୁ ୩୦ ରୁ ୫୦ ରୋଗୀ ଆସନ୍ତି । ସେମାନେ ଜ୍ୱର, ଥଣ୍ଡା କିମ୍ବା ଶାରୀରିକ ଆଘାତ ଭଳି ଛୋଟ ଛୋଟ ରୋଗ ପାଇଁ ଆସନ୍ତି । ଆଖପାଖର ପ୍ରାୟ ୨୫ ଟି ଗାଁରୁ ପ୍ରତି ମାସରେ କେବଳ ଜଣେ କିମ୍ବା ଦୁଇଜଣ ରୋଗୀ ପ୍ରସବ ପାଇଁ ଆସନ୍ତି । ଚିକିତ୍ସାଳୟରେ ଦୁଇଜଣ ଚିକିତ୍ସା ଅଧିକାରୀ, ସାତଜଣ ନର୍ସ, ଗୋଟିଏ ଲାବୋରେଟୋରୀ (କିନ୍ତୁ କୌଣସି ଟେକ୍ନିସିଆନ ନାହାଁନ୍ତି) ଏବଂ ଜଣେ ଲ୍ୟାବ ଆସିଷ୍ଟାଣ୍ଟ ଅଛନ୍ତି । ସାରିକାଙ୍କ ପରି ଗୁରୁତର ରୋଗର ଚିକିତ୍ସା ପାଇଁ ପ୍ରସୂତି ବିଶେଷଜ୍ଞ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ କିମ୍ବା ଅନ୍ୟ କୌଣସି ବିଶେଷଜ୍ଞଙ୍କ ପାଇଁ କୌଣସି ପଦବୀ ନାହିଁ ।
ଡ. ପାଟିଲ କୁହନ୍ତି, “ଆମେ ବାହାରିଥିବା ଜରାୟୁ ମାମଲା ପାଉନି । ଅଧିକାଂଶ ମାମଲା ଶ୍ରୋଣୀ ରକ୍ତସ୍ରାବ ଏବଂ ସିକିଲ୍ ସେଲ୍ ଆନେମିଆର । ଯଦି ବି ଏମିତି ମାମଲା ଆମ ପାଖକୁ ଆସେ, ତାହାର ଚିକିତ୍ସା ପାଇଁ ଆମ ପାଖରେ ସୁବିଧା କିମ୍ବା ବିଶେଷଜ୍ଞ ନାହାଁନ୍ତି।’’ ଡ. ପାଟିଲ ୨୦୧୬ ମସିହାରୁ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ଏବଂ ଡାକ୍ତରଖାନାର ଷ୍ଟାଫ୍ କ୍ୱାର୍ଟରରେ ରହୁଛନ୍ତି ।
ଯଦିବି ସେମାନଙ୍କର ସୁବିଧା ଏବଂ ପାରଦର୍ଶୀତା ଥା’ନ୍ତା, ସାରିକା ହୁଏତ ଡାକ୍ତରଙ୍କୁ ତାଙ୍କ ବାହାରିଥିବା ଜରାୟୁ ବିଷୟରେ କହି ନଥାନ୍ତେ । ସେ ପଚାରନ୍ତି “ଏହା ଜଣେ ବାବ୍ପ୍ୟା [ପୁରୁଷ] ଡାକ୍ତର। ମୁଁ ତାଙ୍କୁ କିପରି କହିବି ଯେ ମୋର କାଟ ଖସି ଯାଉଛି?”
ପ୍ରଚ୍ଛଦ ଅଙ୍କନ : ପ୍ରିୟଙ୍କା ବୋରାର୍ ହେଉଛନ୍ତି ଜଣେ ନୂତନ ଗଣମାଧ୍ୟମ ଚିତ୍ରକାର ଯିଏକି ଭାବ ଏବଂ ଅଭିବ୍ୟକ୍ତିର ନୂତନ ରୂପ ଆବିଷ୍କାର କରିବାକୁ ଟେକ୍ନୋଲୋଜି ସହିତ ପରୀକ୍ଷଣ କରୁଛନ୍ତି । ସେ ଶିଖିବା ଏବଂ ଖେଳିବା ପାଇଁ ଅଭିଜ୍ଞତା ସୃଷ୍ଟି କରନ୍ତି, ବିଭିନ୍ନ ସମ୍ବାଦାତ୍ମକ ଗଣମାଧ୍ୟମ ସହ ଜଡିତ ହୁଅନ୍ତି, ଏବଂ ପାରମ୍ପରିକ କଲମ ଏବଂ କାଗଜ ସହିତ ସହଜ ଅନୁଭବ କରନ୍ତି ।
ଫଟୋଗ୍ରାଫ୍: ଜିଶାନ୍ ଏ ଲତିଫ୍ ମୁମ୍ବାଇରେ ଅବସ୍ଥିତ ଜଣେ ସ୍ୱାଧୀନ ଫଟୋଗ୍ରାଫର ଏବଂ ଚଳଚ୍ଚିତ୍ର ନିର୍ମାତା । ତାଙ୍କର କାର୍ଯ୍ୟ ସାରା ବିଶ୍ୱରେ ସଂଗ୍ରହ, ପ୍ରଦର୍ଶନୀ ଏବଂ ପ୍ରକାଶନରେ ସ୍ଥାନ ପାଇଛି: https://zishaanalatif.com/
ଭାରତର ଗ୍ରାମାଞ୍ଚଳର କିଶୋର ବାଳିକା ଏବଂ କମ୍ ବୟସ୍କା ମହିଳାମାନଙ୍କ ଉପରେ ପରି ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟ ପ୍ରକଳ୍ପ ହେଉଛି ସାଧାରଣ ଜନତାଙ୍କ ସ୍ୱର ଏବଂ ପ୍ରତ୍ୟକ୍ଷ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସମର୍ଥିତ ପଦକ୍ଷେପର ଏକ ଅଂଶ ।
ଏହି ନିବନ୍ଧ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି zahra@ruralindiaonline.org କୁ ଗୋଟିଏ ସିସି ସହିତ namita@ruralindiaonline.org କୁ ଲେଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍