“କୋଡ଼ିଏ ବର୍ଷ ତଳେ ଯମୁନା ପାଣି ଏତେ ସଫା ଥିଲା, ସତେ ଯେମିତି କାଚକେନ୍ଦୁ। ନାଳ ବି ଏତେ ଅପରିଷ୍କାର ନ ଥିଲା। ଉପରୁ ପଇସାଟେ ପକେଇଲେ ଯମୁନା ପାଣି ଭିତରେ (ନଦୀ ଭିତରେ ବାଲି ଉପରେ) ଜଳଜଳ ହେଇ ଦିଶୁଥିଲା। ଯମୁନା ପାଣି ଆମେ ସିଧା ସଳଖ ପିଉଥିଲୁ,” କାଦୁଆ ପାଣି ପାପୁଲିରେ ଆଣି ଓଠ ପର୍ଯ୍ୟନ୍ତ ନେଇ କହିଲେ କେଉଟ ରମଣ ହାଲଦାର। ଆମର ଅପମାନଭରା ଚାହାଣି ଦେଖି, ସତୃଷ୍ଣ ହସରେ ପାଣିତକ ଆଙ୍ଗୁଠିବାଟେ ବୁହାଇ ଦେଲେ।
ଆଜିର ଯମୁନାରେ, ପ୍ଲାଷ୍ଟିକ୍, ଫଏଲ୍ ରାପର୍, ଖତ, ଖବରକାଗଜ, ମଲା ଗଛପତ୍ର, ସିମେଣ୍ଟ ଗୋଡ଼ି, ଚିରା ଲୁଗାପଟା, କାଦୁଅ, ପଚା ଖାଦ୍ୟ, ନଡ଼ିଆ, ରାସାୟନିକ ଫେଣ ଏବଂ ପାଣି ଦଳ ଭରି ଗଲାଣି। ଏଥିରୁ ଜଣାପଡ଼ୁଛି ଜାତୀୟ ରାଜଧାନୀରେ ଲୋକଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ଏବଂ ପୌରାଣିକ ବିଶ୍ୱାସ ପାଇଁ କେତେ ଜିନିଷ ସରୁଛି!
ଦିଲ୍ଲୀର ସୀମା ଦେଇ ଯମୁନାର ମାତ୍ର ୨୨ କିଲୋମିଟର(୧.୬ ପ୍ରତିଶତ) ପ୍ରବାହିତ ହେଉଛି। କିନ୍ତୁ ସେହି ସୀମିତ ଅଂଶରେ ଯେମିତି ପରିମାଣର ଆବର୍ଜନା ଏବଂ ବିଷାକ୍ତ ଜିନିଷ ନଦୀ ଭିତରକୁ ଯାଉଛି, ତା ଦ୍ୱାରା ୧, ୩୭୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ନଦୀର ୮୦ ପ୍ରତିଶତ ପ୍ରଦୂଷିତ ହେଉଛି। ଏହା ସ୍ୱୀକାର କରି, ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି)ର ମନିଟରିଂ କମିଟି ରିପୋର୍ଟ ୨୦୧୮ରେ ଦିଲ୍ଲୀ ଦେଇ ଯାଉଥିବା ଯମୁନାକୁ ‘ନାଳ’ ଭାବରେ ଘୋଷଣା କରିଛନ୍ତି। ପାଣିରେ ଅମ୍ଳଜାନର ମାତ୍ରା କମ୍ ହେଉଥିବାରୁ ବହୁ ସଂଖ୍ୟକ ମାଛ ମରି ଯାଉଛନ୍ତି।
ଗତ ବର୍ଷ ଦିଲ୍ଲୀରେ ପ୍ରବାହିତ ଯମୁନାର ଦକ୍ଷିଣ ଭାଗରେ ଥିବା କାଳିନ୍ଦୀ କୁଞ୍ଜ ଘାଟରେ ହଜାର ହଜାର ମାଛ ମରି ପଡ଼ିଥିଲେ। ଦିଲ୍ଲୀ ଦେଇ ବହୁଥିବା ଯମୁନାରେ ଅନ୍ୟ ଜଳଜୀବମାନଙ୍କୁ କଦବା କ୍ୱଚିତ୍ ଦେଖିବାକୁ ମିଳୁଛି।
“ନଦୀର ପରିବେଶ ସଂସ୍ଥାନ ଜୀବନ୍ତ ରହିବାକୁ ହେଲେ, (ପାଣିରେ ଦ୍ରବୀଭୂତ ଅମ୍ଳଜାନ)ର ସ୍ତର ୬ କିମ୍ବା ତଦୁର୍ଦ୍ଧ୍ୱ ହେବା ଦରକାର। ମାଛ ପାଇଁ ଦ୍ରବୀଭୂତ ଅମ୍ଳଜାନର ସ୍ତର ଅତି କମ୍ରେ ୪-୫ ହେବା ଉଚିତ। ଯମୁନାର ଦିଲ୍ଲୀ ଭାଗରେ ଦ୍ରବୀଭୂତ ଅମ୍ଳଜାନ ୦ ରୁ ୦.୪ ରହିଛି,” କହିଛନ୍ତି ଚିକାଗୋ ୟୁନିଭର୍ସିଟିରେ ଟାଟା ସେଣ୍ଟର ଫର୍ ଡେଭେଲପମେଣ୍ଟର ୱାଟର୍-ଟୁ-କ୍ଲାଉଡ୍ ପ୍ରକଳ୍ପର ନିର୍ଦ୍ଦେଶକ ପ୍ରିୟଙ୍କ ହିରାନି। ଏହି ପ୍ରକଳ୍ପ ନଦୀଗୁଡ଼ିକରେ ବାସ୍ତବିକ ପ୍ରଦୂଷଣ ମୂଲ୍ୟାଙ୍କନ କରିଥାଏ।
ଦିଲ୍ଲୀର ଉତ୍ତର-ପୂର୍ବ ପଟରେ ଥିବା ରାମ ଘାଟରେ ସବୁଜ ଘାସ ଉପରେ ପଡ଼ିଥିବା ସେମାନଙ୍କ ମାଛଧରା ଜାଲ ପାଖରେ ବସି ୫୨ ବର୍ଷୀୟ ହାଲଦାର ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ପିକା ଟାଣୁଥିଲେ। “ମୁଁ କାଳିନ୍ଦୀ କୁଞ୍ଜରୁ ଏଠିକୁ ତିନି ବର୍ଷ ତଳେ ଆସିଲି।‘ଏବେ ସେଠି ଆଉ ମାଛ ନାହାଁନ୍ତି, ଆଗରୁ ବହୁତ ମିଳୁଥିଲେ। ଅଳ୍ପ କିଛି ମାଗୁର ମାଛ ବାକି ଅଛନ୍ତି। ସେଥିରୁ ବି କିଛି ମାଛ ଖାଇଲେ ଦେହ କୁଣ୍ଡେଇ ହେଉଛି, ଜର ଆଉ ଝାଡ଼ା’ ହେଉଛି, ” ଦୂରରୁ ବାଦଲର ଭ୍ରମ ସୃଷ୍ଟି କରୁଥିବା ହାତବୁଣା ଜାଲ ଖୋଲୁ ଖୋଲୁ ହାଲଦାର କହିଲେ।
ଅନ୍ୟ ମାଛମାନେ ଗଭୀର ପାଣିରେ ରୁହନ୍ତି। ହେଲେ ମାଗୁର ମାଛ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ପାଣି ଉପରକୁ ଆସେ- ତେଣୁ ଏହା ଅନ୍ୟମାନଙ୍କ ଅପେକ୍ଷା ପ୍ରତିକୂଳ ପରିସ୍ଥିତିରେ ଅଧିକ ଖାପ ଖୁଆଇପାରେ। ପରିବେଶ ସଂସ୍ଥାନର ଲୁଣ୍ଠନକାରୀ ପଶୁମାନେ ଖାଦ୍ୟ ଶୃଙ୍ଖଳାର ନିମ୍ନ ସ୍ତରରେ ଥିବା ମାଛମାନଙ୍କୁ ଖାଇବା ଦ୍ୱାରା ସେମାନଙ୍କ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ରହିଥାଏ ବୋଲି ଦିଲ୍ଲୀରେ ସାମୁଦ୍ରିକ ସଂରକ୍ଷଣବିତ୍ ଦିବ୍ୟ କର୍ନଡ୍ କହିଛନ୍ତି। “ତେଣୁ ଅନ୍ୟ ଛୋଟ ମାଛମାନଙ୍କୁ ଖାଇ ବଞ୍ଚୁଥିବା ମାଗୁର ମାଛ ଖାଉଥିବା ଲୋକମାନଙ୍କଠାରେ ବିଷର ପ୍ରତିକ୍ରିୟା ଦେଖା ଦେବାର ସମ୍ଭାବନା ରହିଛି। ”
*****
ଏହି ସବୁ ସମସ୍ୟା ଉପରେ କାମ କରୁଥିବା ଦିଲ୍ଲୀସ୍ଥିତ ଘରୋଇ ଅନୁଷ୍ଠାନ ରିସର୍ଚ୍ଚ କଲେକ୍ଟିଭ୍ର ଏକ ପ୍ରକାଶନ ଅକ୍ୟୁପେସନ୍ ଅଫ୍ ଦ କୋଷ୍ଟ: ବ୍ଲୁ ଇକୋନୋମି ଇନ୍ ଇଣ୍ଡିଆ ଅନୁଯାୟୀ ଭାରତରେ ଯେତେ ମାଛ ଧରାଯାଉଛି, ସେସବୁର ୮୭ ପ୍ରତିଶତ ଜଳର ୧୦୦ ମିଟର ଗଭୀରତା ମଧ୍ୟରେ ଉପଲବ୍ଧ ହୋଇଥାଏ। ଯେଉଁଠାରେ ଅଧିକାଂଶ ମାଛ ମାରୁଥିବା ସମ୍ପ୍ରଦାୟର ଲୋକେ ମାଛ ମାରଥାନ୍ତି। ଏହା କେବଳ ଖାଦ୍ୟର ଆବଶ୍ୟକତା ପୂରଣ କରେ ନାହିଁ, ବରଂ ଦୈନନ୍ଦିନ ଜୀବନ ଏବଂ ସଂସ୍କୃତିର ଏକ ଅଙ୍ଗ ମଧ୍ୟ।
“ବର୍ତ୍ତମାନ ଆପଣମାନେ ମାଛ ଧରାଳିମାନଙ୍କର କ୍ଷୁଦ୍ର ଅର୍ଥନୀତି ବିଗାଡ଼ି ଦେଉଛନ୍ତି,” ଦର୍ଶାଇଛନ୍ତି ସ୍ମଲ୍ ସ୍କେଲ୍ ଫିସ୍ ୱାର୍କର୍ସ (ଇନଲାଣ୍ଡ) (ଏନ୍ପିଏସ୍ଏସ୍ଏଫ୍ଡବ୍ଲ୍ୟୁଆଇ) ପାଇଁ ନ୍ୟାସନାଲ୍ ପ୍ଲାଟଫର୍ମର ମୁଖ୍ୟ ପ୍ରଦୀପ ଚାଟାର୍ଜୀ। “ସେମାନେ ସ୍ଥାନୀୟ ମାଛ ସ୍ଥାନୀୟ ବଜାରକୁ ଯୋଗାଇ ଦେଇଥାନ୍ତି। ଯଦି ଆପଣଙ୍କୁ ତାହା ମିଳିବନି, ଆପଣ ଦୂର ଜାଗାରୁ ମାଛ ଆଣିବେ। ସେଥିପାଇଁ ପୁଣି ପରିବହନ ଖର୍ଚ୍ଚ ଦେବାକୁ ପଡ଼ିବ। ଯଦି ଭୂତଳ ଜଳ ସ୍ଥାନାନ୍ତରଣ ଅର୍ଥ ହେଲା, “ଅଧିକ ଶକ୍ତି ବ୍ୟବହାର କରିବା, ତାହେଲେ ଜଳ ଚକ୍ର ପ୍ରଭାବିତ ହେବ। ”
ତାଙ୍କ କହିବାର ଅର୍ଥ ହେଉଛି, ‘‘ପାଣିରେ ରହୁଥିବା ଜୀବଜନ୍ତୁ, ଉଦ୍ଭିଦ ପ୍ରଭାବିତ ହେବେ ଏବଂ ନଦୀରେ ଜଳସ୍ତର ଭରଣା ହେବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏବଂ ନଦୀରୁ ପାତ୍ରରେ ଆସି ପାରିବା ଭଳି ପରିଷ୍କାର ପାଣି ପାଇବା ପାଇଁ ପାରମ୍ପରିକ ଉତ୍ସରୁ ଅଧିକ ଶକ୍ତି ଆହରଣ କରିବାକୁ ପଡ଼ିବ। ଏସବୁ କରିବା ଦ୍ୱାରା ଆମେ ପ୍ରାକୃତିକ ଅର୍ଥନୀତିକୁ ବଳପୂର୍ବକ ଭାଙ୍ଗି ଦେଉଛୁ। ଏକ କର୍ପୋରେଟ୍ ଚକ୍ରରେ ଆମେ ଅଧିକ ଶ୍ରମ, ଖାଦ୍ୟ ଏବଂ ଉତ୍ପାଦନ ବିନିଯୋଗ କରୁଛୁ, ଯେଉଁଥିପାଇଁ ଶକ୍ତି ଏବଂ ପୁଞ୍ଜି ଦରକାର ହେଉଛି….କିନ୍ତୁ ନଦୀଗୁଡ଼ିକୁ ଏବେ ବି ଆବର୍ଜନା ଫିଙ୍ଗିବା ପାଇଁ ବ୍ୟବହାର କରାଯାଉଛି। ”
ଇଣ୍ଡଷ୍ଟ୍ରିଗୁଡ଼ିକ କେତେବେଳେ ନଦୀକୁ ଆବର୍ଜନା ଛାଡ଼ନ୍ତି, ତାହା ପ୍ରଥମେ ମାଛ ଧରାଳିମାନେ ହିଁ ଜାଣିଥାନ୍ତି। “ଯେତେବେଳେ ମାଛ ମରିବା ଆରମ୍ଭ ହୁଏ, ଆମେ ଗନ୍ଧରୁ କହିପାରୁ,” କହନ୍ତି ୪୫ ବର୍ଷ ବୟସ୍କ ମଙ୍ଗଳ ସାହନି। ଯମୁନା ଦିଲ୍ଲୀରେ ପ୍ରବେଶ କରୁଥିବା ହରିୟାଣା- ଦିଲ୍ଲୀ ସୀମାରେ ଥିବା ପଲ୍ଲାରେ ସାହନି ରୁହନ୍ତି । ବିହାରର ଶେଓହର୍ ଜିଲ୍ଲାରେ ରହୁଥିବା ତାଙ୍କ ୧୫ ଜଣିଆ ପରିବାରର ଭରଣପୋଷଣ କିପରି ହେବ ତା ପାଇଁ ସେ ଚିନ୍ତିତ। “ଆମ ବିଷୟରେ ସମସ୍ତେ ଲେଖୁଛନ୍ତି, ହେଲେ ଆମ ଜୀବନ ତ ବଦଳି ନାହିଁ, ବରଂ ବେଶୀ ଖରାପ ହେଇ ଚାଲିଛି, ” କହି ଆମକୁ ପଛ କରି ସାହନି ଚାଲିଗଲେ।
କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ଅନୁଷ୍ଠାନ ଅନୁଯାୟୀ ପାରମ୍ପରିକ ମାଛଧରାଳି ସମୁଦାୟର ୮.୪ ଲକ୍ଷ ପରିବାରର ପ୍ରାୟ ୪୦ ଲକ୍ଷ ଲୋକ ଭାରତର ଉପକୂଳ ଅଞ୍ଚଳରେ ବସବାସ କରୁଛନ୍ତି। କିନ୍ତୁ ଏହି ସଂଖ୍ୟାର ୭-୮ ଗୁଣ ଲୋକ ମତ୍ସ୍ୟ ଅର୍ଥନୀତି ଉପରେ ନିର୍ଭର କରନ୍ତି। ଏନ୍ପିଏସ୍ଏସ୍ଏଫ୍ଡବ୍ଲ୍ୟୁଆଇର ଚାଟାର୍ଜୀ କୁହନ୍ତି ଯେ, ସେଥିମଧ୍ୟରୁ ପ୍ରାୟ ୪୦ ଲକ୍ଷ ଅନ୍ତର୍ଦେଶୀୟ ମତ୍ସ୍ୟଜୀବୀ । କିନ୍ତୁ ଗତ ଦଶନ୍ଧି ହେଲା ସେମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକ ପୂରା ସମୟ ମାଛ ଧରୁ ନାହାଁନ୍ତି ଏବଂ ଏହାକୁ ଏକ ସଂଗଠିତ କାର୍ଯ୍ୟକଳାପ ଭାବରେ ମଧ୍ୟ ବିଚାର କରୁନାହାଁନ୍ତି। “୬୦-୭୦ ପ୍ରତିଶତ ସାମୁଦ୍ରିକ ମତ୍ସ୍ୟଜୀବୀ ଅନ୍ୟ କାମ କରିବା ଆରମ୍ଭ କଲେଣି । ଏହି କାରଣରୁ ସେମାନଙ୍କ ସମୁଦାୟ ବିଲୀନ ହେବାକୁ ବସିଲାଣି।”
କିନ୍ତୁ ଜାତୀୟ ରାଜଧାନୀରେ ମତ୍ସ୍ୟଜୀବୀ ଭାବରେ ଜୀବିକା ନିର୍ବାହ କରିବାର ଚିନ୍ତାଧାରା ସ୍ୱାଭାବିକ ନୁହେଁ। ତେଣୁ ଯମୁନାର ଦିଲ୍ଲୀ ଭାଗରେ କେତେ ମତ୍ସ୍ୟଜୀବୀ ଥିଲେ ଏବଂ ବର୍ତ୍ତମାନ ଅଛନ୍ତି, ତାର ପରିସଂଖ୍ୟାନ ସମ୍ବନ୍ଧୀୟ କୌଣସି ରେକର୍ଡ ମିଳିବା କଷ୍ଟକର। ଏ ବିଷୟରେ କୌଣସି ପ୍ରକାଶିତ ତଥ୍ୟ ମଧ୍ୟ ନାହିଁ। ପୁଣି, ସାହନିଙ୍କ ଭଳି ଅଧିକାଂଶ ମତ୍ସ୍ୟଜୀବୀ ବାହାରୁ ଆସି ରହୁଛନ୍ତି। ତେଣୁ ଗଣନା କରିବା କଷ୍ଟସାଧ୍ୟ। ଯେଉଁମାନେ ଅଛନ୍ତି ସେମାନଙ୍କ ମତରେ ମାଛଧରାଳିଙ୍କ ସଂଖ୍ୟା ଦିନକୁ ଦିନ କମି କମି ଯାଉଛି। ଦୀର୍ଘଜୀବୀ ହୁଅ ଯମୁନା ଆନ୍ଦୋଳନର ନେତୃତ୍ୱ ନେଉଥିବା ଅବସରପ୍ରାପ୍ତ ଫରେଷ୍ଟ ସର୍ଭିସ୍ ଅଫିସର ମନୋଜ ମିଶ୍ର ଅନୁଭବ କରୁଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ମତ୍ସ୍ୟଜୀବୀ ଥିଲେ, ବର୍ତ୍ତମାନ ମାତ୍ର କିଛି ଶହ ଲୋକ ପୂରା ସମୟ ମାଛ ଧରା କାମ କରୁଛନ୍ତି।
“ଯମୁନାଠାରୁ ମାଛଧରାଳିମାନେ ଦୂରେଇ ଯିବାର ଅର୍ଥ ନଦୀ ଶୁଖି ଯାଉଛି କିମ୍ବା ମରି ଯାଉଛି। ସେମାନେ ପରିସ୍ଥିତିର ସୂଚକ,” କହନ୍ତି ରିସର୍ଚ୍ଚ କଲେକ୍ଟିଭ୍ର ସିଦ୍ଧାର୍ଥ ଚକ୍ରବର୍ତ୍ତୀ। “ଯେଉଁଭଳି ଭାବରେ ଜଳବାୟୁ ସଂକଟ ମାଡ଼ି ଆସୁଛି, ସେସବୁ ପାଇଁ ମାନବିକ କାର୍ଯ୍ୟକଳାପ ହିଁ ଦାୟୀ। ଅର୍ଥାତ୍, କ୍ଷୀପ୍ର ଗତିରେ ଶିଳ୍ପାୟନ ଯୋଗୁଁ ପରିବେଶକୁ ବିଶୁଦ୍ଧ କରୁଥିବା ଜୈବ ବିବିଧତା ଆଉ ଘଟୁ ନାହିଁ। “ପ୍ରକାରାନ୍ତରେ ଜୀବନ ଚକ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଏଠି, କୁହାଯାଇପାରେ ଯେ ବିଶ୍ୱ ସ୍ତରରେ ନିର୍ଗତ ହେଉଥିବା ୪୦ ପ୍ରତିଶତ କାର୍ବନ୍ କେବଳ ମହାସାଗରଗୁଡ଼ିକ ଶୋଷଣ କରିଥାନ୍ତି।”
*****
ଦିଲ୍ଲୀର ୪୦ ପ୍ରତିଶତ ଅଞ୍ଚଳରେ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ନାହିଁ। ତେଣୁ ସେପଟିକ୍ ଟାଙ୍କି ଏବଂ ଅନ୍ୟ ଉତ୍ସରୁ କେତେ ଯେ ଟନ୍ ଅଳିଆ ଆବର୍ଜନା ପାଣିରେ ପଡ଼ୁଛି ତାର ହିସାବ ନାହିଁ। ଏନ୍ଜିଟି ହିସାବ କରିଛି ଯେ ୧,୭୯୭ (ଅଣସ୍ୱୀକୃତ) କଲୋନି ମଧ୍ୟରୁ ୨୦ ପ୍ରତିଶତରୁ କମ୍ କଲୋନିରେ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ପାଇପଲାଇନ୍ ଅଛି। ଆବାସିକ ଅଞ୍ଚଳରେ ଅନୈତିକ ଭାବରେ ୫୧, ୮୩୭ଟି ଇଣ୍ଡଷ୍ଟ୍ରି କାମ କରୁଛି। ଏବଂ ଏଥିରୁ ବାହାରୁଥିବା ଆବର୍ଜନା ନାଳ ମାଧ୍ୟମରେ ଯାଇ ଶେଷରେ ନଦୀରେ ପଡ଼ୁଛି।
ଯେଉଁ ମାତ୍ରାରେ, ଢାଞ୍ଚାରେ ପରିବେଶ ପ୍ରତି କ୍ଷତିକାରକ ମାନବିକ କାର୍ଯ୍ୟକଳାପ ବଢ଼ିଚାଲିଛି, ସେହି ସଂକଟକୁ ଗୋଟିଏ ନଦୀର ମୃତ୍ୟୁ ପରିପ୍ରେକ୍ଷୀରେ ଦେଖାଯାଇପାରେ।
ବେଶୀ ପରିମାଣର ମାଛ ଧରା ପଡ଼ୁ ନ ଥିବାରୁ ମତ୍ସ୍ୟଜୀବୀମାନଙ୍କ ରୋଜଗାର କମ୍ ହେବାକୁ ବସିଲାଣି। ଆଗରୁ ମାଛ ଧରିବାରୁ ଯେତିକି ଟଙ୍କା ମିଳୁଥିଲା, ତାହା ଗୁଜୁରାଣ ମେଣ୍ଟାଇବା ପାଇଁ ଯଥେଷ୍ଟ ଥିଲା। କୁଶଳୀ ମାଛଧରାଳି ଭଲ ସମୟରେ ମାସକୁ ୫୦ ହଜାର ଟଙ୍କା ମଧ୍ୟ ରୋଜଗାର କରିପାରୁ ଥିଲେ।
ରାମ ଘାଟରେ ରହୁଥିବା ୪୨ ବର୍ଷୀୟ ଆନନ୍ଦ ସାହନି କିଶୋର ବୟସରେ ବିହାରର ମୋତିହାରି ଜିଲ୍ଲାରୁ ଦିଲ୍ଲୀ ଆସିଥିଲେ। “୨୦ ବର୍ଷରେ ମୋ ରୋଜଗାର ଅଧା ହୋଇ ଗଲାଣି। ଏବେ ମୁଁ ଦିନକୁ ୧୦୦ ରୁ ୨୦୦ ଟଙ୍କା ପାଉଛି। ପରିବାର ଚଳାଇବା ପାଇଁ ମୋତେ ଅନ୍ୟ କାମ ବି ଖୋଜିବାକୁ ପଡ଼ୁଛି – ମାଛ ଧରି ଆଉ ପେଟ ପୋଷି ହେବ ନାହିଁ,” ନିରାଶାର ସହ କହନ୍ତି ଆନନ୍ଦ।
କେଉଟ ଏବଂ ନାଉରିଆ ସମ୍ପ୍ରଦାୟର ପ୍ରାୟ ୩୦-୪୦ ପରିବାର, ଯମୁନା କୂଳରେ ଅପେକ୍ଷାକୃତ କମ୍ ପ୍ରଦୂଷିତ ସ୍ଥାନ, ରାମଘାଟରେ ରୁହନ୍ତି। ନିଜର ଖାଇବା ପାଇଁ ଅଳ୍ପ କିଛି ମାଛ ରଖି, ବାକି ସବୁ ସେମାନେ ନିକଟସ୍ଥ ସୋନିଆ ବିହାର, ଗୋପାଳପୁର, ହନୁମାନ ଚୌକରେ କିଲୋ ପ୍ରତି ୫୦-୨୦୦ ଟଙ୍କାରେ ବିକ୍ରି କରନ୍ତି। କିଲୋ ପିଛା ଦର ମାଛର ପ୍ରକାର ଉପରେ ନିର୍ଭର କରେ।
*****
ତିରୁବନନ୍ତପୁରମ୍ର ପରିବେଶ ସଂକ୍ରାନ୍ତୀୟ ବରିଷ୍ଠ ପରାମର୍ଶଦାତା ଡକ୍ଟର ରାଧା ଗୋପାଳନଙ୍କ ମତରେ ବର୍ଷାର ପରିମାଣ ଏବଂ ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଜଳବାୟୁ ସଂକଟ ଯମୁନାର ସମସ୍ୟାକୁ ଗୁରୁତର କରିଚାଲିଛି। ପାଣିର ପରିମାଣ ଏବଂ ଗୁଣବତ୍ତା ହ୍ରାସ ହେବା ସହ ଜଳବାୟୁରେ ଅନିଶ୍ଚିତତା, ଧରା ହେଉଥିବା ମାଛଙ୍କ ସଂଖ୍ୟା ହ୍ରାସ ହେବାର ମୁଖ କାରଣ।
“ଦୂଷିତ ପାଣି ଯୋଗୁଁ ମାଛ ମରି ଯାଉଛନ୍ତି,” କହନ୍ତି ୩୫ ବର୍ଷୀୟ ସୁନୀତା ଦେବୀ; ତାଙ୍କ ମତ୍ସ୍ୟଜୀବୀ ସ୍ୱାମୀ ନରେଶ ସାହନି ଦିନ ମଜୁରିଆ ଭାବରେ କାମ କରିବା ପାଇଁ ଦୂର ସ୍ଥାନକୁ ଯାଇଛନ୍ତି। “ଲୋକମାନେ ସବୁ ପ୍ରକାର ଅଳିଆ, ଆବର୍ଜନା, ବିଶେଷ କରି ପ୍ଲାଷ୍ଟିକ୍ ପାଣିରେ ପକାଉଛନ୍ତି।’’ ପୂଜା ସମୟରେ ଲୋକେ ପୁରି, ଜିଲାପି, ଲଡୁ ଭଳି ରନ୍ଧା ଖାଦ୍ୟ ମଧ୍ୟ ପାଣିରେ ପକାନ୍ତି। ଏହା ଦ୍ୱାରା ପାଣି ଅଧିକ ଅପରିଷ୍କାର ହୋଇଥାଏ।”
ଅକ୍ଟୋବର ୨୦୧୯ରେ ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ସମୟରେ ନଦୀରେ ମୂର୍ତ୍ତି ବିସର୍ଜନ ନିଷେଧ କରାଗଲା। ମୂର୍ତ୍ତି ବିସର୍ଜନ ଯୋଗୁଁ ନଦୀ ପାଣି ବହୁ ମାତ୍ରାରେ ଦୂଷିତ ହେଉଛି ବୋଲି ଏନ୍ଜିଟି ଏକ ରିପୋର୍ଟରେ ଦର୍ଶାଇବା ପରେ ଏହି ପଦକ୍ଷେପ ନିଆଯାଇଥିଲା।
ଷୋଡ଼ଶ ଏବଂ ସପ୍ତଦଶ ଶତାବ୍ଦୀରେ ମୋଗଲମାନେ ଦିଲ୍ଲୀରେ ଶାସନ କରୁଥିଲେ। ସେତେବେଳେ କୁହାଯାଉଥିଲା, ଗୋଟିଏ ସହର ପାଇଁ ମୁଖ୍ୟତଃ ତିନୋଟି ଜିନିଷ ଦରକାର: ‘ଦରିଆ, ବାଦଲ୍, ବାଦଶାହ (ନଦୀ, ମେଘ ଏବଂ ସମ୍ରାଟ)’। ସେମାନଙ୍କ ଜଳ ନିୟନ୍ତ୍ରଣ ବ୍ୟବସ୍ଥା ଥିଲା ଏକ କଳା। ବର୍ତ୍ତମାନ ସେସବୁ ଐତିହାସିକ କୀର୍ତ୍ତିରାଜି କ୍ଷୟ ହେବାକୁ ବସିଲାଣି। ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟିଶ୍ମାନେ ପାଣିକୁ ମାତ୍ର ଏକ ସମ୍ବଳ ଭାବରେ ବ୍ୟବହାର କଲେ। ଏପରିକି ଯମୁନାଠୁ ଦୂରରେ ନୂଆ ଦିଲ୍ଲୀ ନିର୍ମାଣ କଲେ। ସମୟ ଗଡ଼ିବା ସହ ଜନସଂଖ୍ୟା ବଢ଼ିଲା ଏବଂ ସହରୀକରଣ ହେଲା।
ନ୍ୟାରେଟିଭ୍ସ ଅଫ୍ ଏନ୍ଭର୍ନମେଣ୍ଟ ଅଫ୍ ଦିଲ୍ଲୀ (କଳା ଏବଂ ସାଂସ୍କୃତିକ ପରମ୍ପରା ପାଇଁ ଭାରତୀୟ ଜାତୀୟ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ), ବହିରେ ସେ ସମୟର ଲୋକମାନେ ମନେ ପକାନ୍ତି କିପରି ୧୯୪୦ ଏବଂ ୧୯୭୦ ମସିହା ଭିତରେ ଦିଲ୍ଲୀର ଓଖଲା ଅଞ୍ଚଳରେ ମାଛଧରା, ଡଙ୍ଗାରେ ବୁଲିବା, ପହଁରିବା ଏବଂ ପିକ୍ନିକ୍ କରିବା ଜୀବନର ଏକ ଅଙ୍ଗ ଥିଲା। ଏପରିକି ଓଖଲା ବ୍ୟାରେଜ୍ ନିକଟରେ ଗାଙ୍ଗେୟ ଡଲ୍ଫିନ୍ ଦେଖିବାକୁ ମିଳୁଥିଲା ଏବଂ ପାଣି କମ୍ ଥିବା ସମୟରେ କଇଁଛମାନେ ନଦୀପଠାରେ ଖରା ପୁଆଁଉଥିଲେ।
“ଯମୁନା ବିପଦଜନକ ଭାବରେ ଶୁଖିଗଲାଣି,” କହନ୍ତି ଆଗ୍ରାର ପରିବେଶବିତ୍ ବ୍ରିଜ୍ ଖଣ୍ଡେଲୱାଲ୍। ୨୦୧୭ରେ ଉତ୍ତରାଖଣ୍ଡ ହାଇକୋର୍ଟ ଗଙ୍ଗା ଏବଂ ଯମୁନା ନଦୀକୁ ଜୀବନ୍ତ ବୋଲି ଘୋଷଣା କଲା ପରେ, ସଙ୍ଗେ ସଙ୍ଗେ ଖଣ୍ଡେଲୱାଲ୍ ତାଙ୍କ ସହରର ସରକାରୀ ଅଧିକାରୀମାନଙ୍କ ବିରୋଧରେ ‘ହତ୍ୟା ପାଇଁ ଚେଷ୍ଟା’ କରାଯାଉଥିବା ମାମଲା ଦାଏର୍ କରିଥିଲେ। ତାଙ୍କର ଅଭିଯୋଗ ଥିଲା: ଅଧିକାରୀମାନେ ଯମୁନାକୁ ସ୍ଲୋ ପଏଜନ୍ ଦେଇ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
ଏଇ ଭିତରେ କେନ୍ଦ୍ର ସରକାର ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଯୋଜନା କରୁଛନ୍ତି, ଯେଉଁଥିରେ ଜଳପଥଗୁଡ଼ିକୁ ବନ୍ଦରଗୁଡ଼ିକ ସହ ସଂଯୋଗ କରାଯିବ। କିନ୍ତୁ “ବଡ଼ ବଡ଼ ମାଲବାହୀ ଜାହାଜ ଚାଲିଲେ ଏହା ଆଖପାଖ ନଦୀକୁ ଦୂଷିତ କରିବ,” ଚେତାବନୀ ଦେଇଛନ୍ତି ଏନ୍ପିଏସ୍ଏସ୍ଏଫ୍ଡବ୍ଲ୍ୟୁଆଇର ଚାଟାର୍ଜୀ।
*****
ହାଲଦାର ତାଙ୍କ ପରିବାରରେ ମାଛ ଧରିବା କାମ କରୁଥିବା ଶେଷ ପୀଢ଼ି। ସେ ପଶ୍ଚିମବଙ୍ଗର ମାଲଦାରୁ ଆସି ରାମଘାଟରେ ରହୁଛନ୍ତି। ମାସରେ ୧୫-୨୦ ଦିନ ସେ ରାମ ଘାଟରେ ରୁହନ୍ତି ଏବଂ ବାକି ଦିନ ନଏଡ଼ାରେ ତାଙ୍କ ଦୁଇ ପୁଅଙ୍କ ପାଖରେ ରୁହନ୍ତି। ୨୫ ଏବଂ ୨୭ ବର୍ଷ ବୟସ୍କ ଦୁଇ ପୁଅଙ୍କ ଭିତରୁ ଜଣେ ମୋବାଇଲ୍ ମରାମତି କରନ୍ତି ଏବଂ ଆଉ ଜଣେ ଏଗ୍ ରୋଲ୍ ଏବଂ ମୋମୋ ବିକ୍ରି କରନ୍ତି। “ପିଲାମାନେ କହୁଛନ୍ତି ମୋ କାମ କଲେ ଆଜିକାଲି ଚଳି ହେବନି। ମୋ ସାନ ଭାଇ ବି ଜଣେ ମାଛଧରାଳି। ଏଇଟା ଗୋଟେ ପରମ୍ପରା – ବର୍ଷା ହେଉ କି ଖରା- ଆମେ ଖାଲି ଏଇ କାମ ଜାଣିଛୁ। ପେଟ ପୋଷିବା ପାଇଁ ଆଉ କଣ କ’ରିହେବ ତା ମୁଁ ଜାଣିନି…।”
“ଏବେ ଯେହେତୁ ମାଛ ଧରିବାର ଉତ୍ସ ଶୁଖି ଯାଉଛି, ସେମାନେ କ’ଣ କରିବେ?” ପଚାରିଛନ୍ତି ଡକ୍ଟର ଗୋପାଳନ୍। “ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାଛ ସେମାନଙ୍କ ପାଇଁ ପୋଷଣର ମଧ୍ୟ ଏକ ଉତ୍ସ। ସେମାନଙ୍କୁ ପରିବେଶ ସଂସ୍ଥାନରେ ଆମକୁ ସ୍ଥାନ ଦେବା ସହ ଆର୍ଥିକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନେ ଅଲଗା ହୋଇ ପାରିବେ ନାହିଁ: ଆମେ ଆୟରେ ବିବିଧତା ଏବଂ ପରିବେଶ ସଂସ୍ଥାନରେ ବିବିଧତା ଦରକାର କରିଥାଉ।”
ବର୍ତ୍ତମାନ, ସରକାର ବିଶ୍ୱସ୍ତରରେ ଜଳବାୟୁ ସଂକଟ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠି ମାଛ ଚାଷ ଏବଂ ମାଛ ରପ୍ତାନୀ ପାଇଁ ନୀତି ନିର୍ଦ୍ଧାରଣ କରାଯାଉଛି, କହିଛନ୍ତି ରିସର୍ଚ୍ଚ କଲେକ୍ଟିଭ୍ର ଚକ୍ରବର୍ତ୍ତୀ।
୨୦୧୭-୧୮ରେ ଭାରତ ୪୮୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନୀ କରିଛି। ଅତ୍ୟଧିକ ଉତ୍ସାହିତ ହୋଇ ଚକ୍ରବର୍ତ୍ତୀ କହନ୍ତି, ଏହା ଏକ ଚାଷ କରାଯାଇ ଉତ୍ପାଦିତ ହୋଇଥିବା ଏକ ବିଦେଶୀ ମାଛ- ମେକ୍ସିକୋ ପାଣିରୁ ବାହାରୁ ଥିବା ପାସିଫିକ୍ ହ୍ୱାଇଟ୍ ଚିଙ୍ଗୁଡ଼ି। ଭାରତରେ ଏହି ଚାଷ କରାଯାଉଛି କାରଣ “ମେକ୍ସିକୋ ଚିଙ୍ଗୁଡ଼ିର ଚାହିଦା ଆମେରିକାରେ ବହୁତ ଅଧିକ।” ଆମ ରପ୍ତାନୀର ମାତ୍ର ୧୦ ପ୍ରତିଶତ ବ୍ଲାକ୍ ଟାଇଗର୍ ପ୍ରନ୍, ଯାହାକି ଭାରତରେ ବହୁ ମାତ୍ରାରେ ଧରା ଯାଉଛି। ଭାରତ ଏହାର ଜୈବ ବିବିଧତା ହରାଇବାକୁ ଯାଉଛି, ଏବଂ ଏହା ଜୀବନ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। “ସରକାରଙ୍କ ନୀତି ଯଦି ରପ୍ତାନୀ ପାଇଁ ଅନୁକୂଳ ହେବ, ଏହା ମହଙ୍ଗା ହୋଇପାରେ ଏବଂ ସ୍ଥାନୀୟ ଲୋକଙ୍କ ପୋଷଣର ଆବଶ୍ୟକତା ଏହା ଦ୍ୱାରା ପୂରଣ ହେବ ନାହିଁ।”
ଭବିଷ୍ୟତ ଅନ୍ଧାର ହେବାକୁ ଯାଉଥିଲେ ମଧ୍ୟ ହାଲଦାର୍ ତାଙ୍କ କଳା ପାଇଁ ଗର୍ବିତ। ଗୋଟିଏ ମାଛଧରା ଡଙ୍ଗାର ଦାମ୍ ୧୦, ୦୦୦ ଟଙ୍କା ଏବଂ ଜାଲ ୩ ହଜାରରୁ ୫ ହଜାର ଟଙ୍କା ଭିତରେ ଆସୁଛି। ସେମାନେ ଫୋମ୍, ମାଟି ଏବଂ ଦଉଡ଼ି ବ୍ୟବହାର କରି ତିଆରି କରୁଥିବା ଜାଲ ଆମକୁ ଦେଖାଇଲେ। ଗୋଟିଏ ଜାଲ ପକାଇ ସେ ଦିନକୁ ୫୦ ରୁ ୧୦୦ ଟଙ୍କାର ମାଛ ଧରି ପାରୁଛନ୍ତି।
୪୫ ବର୍ଷୀୟ ରାମ ପରବେଶ ଆଜିକାଲି ବାଉଁଶ ଏବଂ ସୂତାରେ ତିଆରି ଯନ୍ତା ଭଳି ଦେଖାଯାଉଥିବା ବଜା ବ୍ୟବହାର କରୁଛନ୍ତି, ଯେଉଁଥିରେ ସେ ୧-୨ କିଲୋ ମାଛ ଧରି ପାରୁଛନ୍ତି। “ଆମ ଗାଁରେ ଆମେ ବଜା ତିଆରି କରିବା ଶିଖିଥିଲୁ। ଉଭୟ ପାଖରେ ଅଟାର ଦାନା ରଖାଯାଏ ଏବଂ ବଜା କୁ ପାଣିରେ ବୁଡ଼ାଯାଏ। ମାତ୍ର କିଛି ଘଣ୍ଟା ମଧ୍ୟରେ ସେଥିରେ ଛୋଟ ଛୋଟ ମାଛ ପଡିଥାନ୍ତି,” କହନ୍ତି ପରବେଶ। ଏଠାରେ ଛୋଟ ମାଛ ବହୁତ ଲୋକ ଖାଉଛନ୍ତି, କହିଛନ୍ତି ବନ୍ଧ, ନଦୀ ଏବଂ ଲୋକଙ୍କ ପାଇଁ କାମ କରୁଥିବା ସାଉଥ ଏସିଆ ନେଟୱର୍କର ସ୍ଥାନୀୟ କାର୍ଯ୍ୟକର୍ତ୍ତା ଭୀମ ସିଂହ ରାୱତ । “ଚିଲୱା ଏବଂ ବାଛୁଆ ଏବେ କମ୍ ମିଳୁଛନ୍ତି, ବାମ ଏବଂ ମାଳି ଦେଖିବାକୁ ମିଳୁନି। ମାଗୁର ମିଳୁଛନ୍ତି, କିନ୍ତୁ ଦୂଷିତ ପାଣିରେ,” ରାୱତ କହନ୍ତି।
“ଆମେ ଯମୁନାର ରକ୍ଷକ’,” କହନ୍ତି ବିହାରର ବୈଶାଳୀ ଜିଲ୍ଲାରେ ନିଜ ପରିବାରକୁ ଛାଡ଼ି ଚାରି ଦଶନ୍ଧି ପୂବେ ଦିଲ୍ଲୀ ଆସିଥିବା ୭୫ ବର୍ଷ ବୟସ୍କ ଅରୁଣ ସାହନି। ୧୯୮୦-୯୦ ଦଶକରେ ସେ ରୋହି, ଚିଙ୍ଗୁଡ଼ି, ସଉଳ, ମାଳି ଭଳି ସବୁ ପ୍ରକାର ମିଶାଇ ଦିନକୁ ୫୦ କିଲୋ ମାଛ ଧରି ପାରୁଥିଲେ। ଏବେ ଦିନ ଭଲ ଥିଲେ ୧୦ କିମ୍ବା ୨୦ କିଲୋ ମାଛ ଧରି ହେଉଛି।
ସଂଯୋଗବଶତଃ, ଯମୁନା ଉପରେ ନିର୍ମିତ ସିଗ୍ନେଚର୍ ବ୍ରିଜ୍, ଯାହା କି ଉଚ୍ଚତାରେ କୁତବ୍ ମିନାରର ଦୁଇ ଗୁଣ, ରାମଘାଟରୁ ଦେଖା ଯାଉଛି। ଏହି ବ୍ରିଜ୍ ୧, ୫୧୮ କୋଟି ବ୍ୟୟରେ ନିର୍ମାଣ କରାଯାଇଛି। ୧୯୯୩ଠାରୁ ଯମୁନା ‘ସଫେଇ’ ପାଇଁ ୧, ୫୧୪ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ହେଲେ ଏଥିରେ କୌଣସି ସଫଳତା ମିଳି ପାରି ନାହିଁ।
ଏନ୍ଜିଟି ଚେତାବନୀ ଦେଇଛି, "..ଅଧିକାରୀମାନଙ୍କ ବିଫଳତା ନାଗରିକମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବିକାକୁ ପ୍ରଭାବିତ କରୁଛି ଏବଂ ନଦୀର ଅସ୍ତିତ୍ୱ ପ୍ରତି ବିପଦ ସାଜିଛି। ଗଙ୍ଗା ଉପରେ ମଧ୍ୟ ଏସବୁର ପ୍ରତିକୂଳ ପ୍ରଭାବ ପଡ଼ୁଛି।’’
“ସରକାରୀ ନୀତିରେ ସମସ୍ୟା ରହିଛି। ଯମୁନା ଆକସନ୍ ପ୍ଲାନ୍ (୧୯୯୩ରେ ସାମନାକୁ ଆସିଲା)ର ସମସ୍ୟା ହେଉଛି ଏହାକୁ କେବଳ ଟେକ୍ନୋଲୋଜି ଦୃଷ୍ଟିକୋଣରୁ ଦେଖାଗଲା। ହେଲେ ନଦୀକୁ ଏକ ପରିବେଶ ସଂସ୍ଥାନ କିମ୍ବା ସତ୍ତା ଭାବରେ ବିଚାର କରାଗଲା ନାହିଁ, ”କହନ୍ତି ଡକ୍ଟର ଗୋପାଳନ୍। “ନଦୀ ପ୍ରତି ଅବବାହିକାର ଦାୟିତ୍ୱ ରହିଛି। ଦିଲ୍ଲୀ ଯମୁନାର ଅବବାହିକା। ଅବବାହିକା ପରିଷ୍କାର ନ ହେଲେ ଆପଣ ନଦୀକୁ ସଫା କରିପାରିବେ ନାହିଁ।”
ମତ୍ସ୍ୟଜୀବୀମାନେ ଆମ କୋଇଲା ଖଣିର କାନାରି ଭଳି, ସାମୁଦ୍ରିକ ସଂରକ୍ଷଣାବିତ୍ ଦିବ୍ୟ କର୍ନଡ୍ ଦର୍ଶାଇଛନ୍ତି, “ଭାରୀ ଧାତୁ ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍କୁ ଖରାପ କରିଦେଉଛି ବୋଲି ଆମେ ଦେଖିପାରୁନୁ କେମିତି? ସବୁଠାରୁ ଅଧିକ ପ୍ରଦୂଷିତ ନଦୀର ନିକଟବର୍ତ୍ତୀ ସ୍ଥାନରୁ ଭୂତଳ ଜଳ ଉତ୍ତୋଳନ କରିବା ଦ୍ୱାରା ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ମତ୍ସ୍ୟଜୀବୀମାନଙ୍କ ଜୀବିକା ଲୋପ ପାଇବାକୁ ବସିଲାଣି ଏବଂ ସେମାନେ ହିଁ ନଦୀ, ପାଣି, ଏବଂ ଏହାର ଆଖପାଖ ସ୍ଥାନ ମଧ୍ୟରେ ଥିବା ସମ୍ପର୍କ ଏବଂ ପ୍ରଭାବକୁ ଭଲଭାବରେ ଜାଣିଥାନ୍ତି। ”
“ଏଇଟା ମୋର ଶେଷ ଥର,” ସୂର୍ଯ୍ୟାସ୍ତ ପରେ ଜାଲ ପକାଇବା ପାଇଁ ପ୍ରସ୍ତୁତ ହେଉଥିବା ହାଲଦାର୍ କହିଲେ। ରାତି ନଅଟା ଭିତରେ ଜାଲ ପକାଇ ସୂର୍ଯ୍ୟୋଦୟ ବେଳକୁ ସେ ଜାଲ ଉଠାଇବେ। “ଏମିତି କଲେ, ମଲା ମାଛ ବି ତାଜା ରହିବେ।”
ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।
ଆପଣ କଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି zahra@ruralindiaonline.orgକୁ ଲେଖନ୍ତୁ ଓ namita@ruralindiaonline.orgକୁ acc କରନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍