ନିଜ ବ୍ୟାଗ୍ ଭିତରେ ବଳକା କାଗଜଗୁଡ଼ିକ ଭର୍ତ୍ତି କରିବା ସମୟରେ କାଳୁଦାସ କହିଥିଲେ, ‘‘ମୁଁ ଆଜି ସଂଗ୍ରହ କରିଥିବା ସମସ୍ତ ଜିନିଷ ବାଛି ଅଲଗା କରିଦେଇଛି । ସେମାନେ [ରଦ୍ଦି ଜିନିଷ ବ୍ୟବସାୟୀ] ଏସବୁ ଜିନିଷ ନେବେ, ଓଜନ କରିବେ ଏବଂ ମୋତେ ଅର୍ଥ ଦେବେ । ଏହା ପରେ ଯଦି ମୁଁ କିଛି ଗାଡ଼ି [ପରିବହନ] ଠିକ୍ ସମୟରେ ପାଇଯାଏ ତେବେ ଦୁଇଘଣ୍ଟା ମଧ୍ୟରେ ଘରେ ପହଞ୍ଚିଯିବି ।’’
ସେପ୍ଟେମ୍ବର ମାସର ଆରମ୍ଭରେ କେଇମାସ ପରେ ଦ୍ୱିତୀୟ ସପ୍ତାହନ୍ତ ନିମନ୍ତେ ୬୦ ବର୍ଷ ବୟସ୍କ ଶ୍ରୀ ଦାସ ଦକ୍ଷିଣଚବିଶ ପ୍ରଗଣା ଜିଲ୍ଲାରେ ପ୍ରାୟ ୨୮ କିଲୋମିଟର ଦୂରରେ ଥିବା ତାଙ୍କ ଗାଁ’ ହସନପୁରରୁ କୋଲକାତାକୁ ଯାଇଥିଲେ । ଏଥିପାଇଁ ସେ ଭଡ଼ା ଟୋଟୋ [ଅଟୋ ରିକ୍ସା] ଏବଂ ଗୋଟିଏ ବସ୍ ବ୍ୟବହାର କରିଥିଲେ, ଏକ ଢ଼ିଲା ଧଳା ବ୍ୟାଗ ତାଙ୍କ କାନ୍ଧରେ ଝୁଲୁଥିଲା ।
୨୫ ବର୍ଷ ହେବ ଶ୍ରୀ ଦାସ କୋଲକାତାର ଦକ୍ଷିଣ ଏବଂ ପୂର୍ବର ବିଭିନ୍ନ ଆଖପାଖ ଅଞ୍ଚଳରୁ ରଦ୍ଦି ଜିନିଷ ସଂଗ୍ରହ କରୁଛନ୍ତି । ଜଣେ କବାଡ଼ିବାଲା ହେବା ପୂର୍ବରୁ ସେ ଏକ ଚଳଚ୍ଚିତ୍ର ବିତରଣ କମ୍ପାନୀ ପାଇଁ କାର୍ଯ୍ୟ କରୁଥିଲେ। ସେ କୁହନ୍ତି, ‘‘ମୁଁ ନେପଚୁନ ପିକ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ପାଇଁ ଫିଲ୍ମ ରିଲ୍ ପରିବହନ କରୁଥିଲି। ଅର୍ଡରଗୁଡ଼ିକ [୩୫ ଏମ୍ଏମ୍ ରିଲଗୁଡ଼ିକ ପାଇଁ] ବମ୍ବେ, ଦିଲ୍ଲୀ ମାଡ୍ରାସରୁ ଆସୁଥିଲା । ବଡ଼ ବଡ଼ ଟ୍ରକରେ ଆସୁଥିବା ଏହି ରିଲ୍ଗୁଡ଼ିକୁ ମୁଁ ହାଓ୍ୱଡାକୁ ନେଉଥିଲି, ସେଗୁଡ଼ିକର ଓଜନ ମାପୁଥିଲି ଏବଂ ବିତରଣ ପାଇଁ ପଠାଉଥିଲି ।’’
ଯେତେବେଳେ କମ୍ପାନୀ ବନ୍ଦ ହୋଇଗଲା, ଶ୍ରୀ ଦାସ କର୍ମସଂସ୍ଥାନ ହରାଇଲେ । ସେହି ସମୟରେ ସେ ଦକ୍ଷିଣକୋଲକାତାର ବୋଷପୁକୁର ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ । ତାଙ୍କର ପଡ଼ୋଶୀ ତାଙ୍କୁ ଏହି ପୁନଃଚକ୍ରଣ ବ୍ୟବସାୟ ସହ ପରିଚିତ କରାଇଲେ। ସେ କୁହନ୍ତି, ‘‘ଯେତେବେଳେ ମୁଁ ମୋ ଚାକିରି ହରାଇଲି ସେତେବେଳେ ସେ ମୋତେ ତାଙ୍କ କାମରେ ଯୋଗ ଦେବାକୁ କହିଲେ। ସେ କହିଲେ, ମୁଁ ତୁମକୁ ଦୈନିକ ଟ. ୨୫ ଦେବି। ତୁମେ ସକାଳ ୮ଟାରେ ବାହାରିବ ଏବଂ ମଧ୍ୟାହ୍ନ ସୁଦ୍ଧା ଫେରିଆସିବ। ତୁମକୁ ଜିନିଷ ବୋହିବାକୁ ଏବଂ ମୋ ଆଖପାଖରେ ବୁଲିବାକୁ ହେବ। ଆମେ ଏକାଠି ଚା’ ପିଇବା। ମୁଁ ରାଜିହେଲି । ମୁଁ ତାଙ୍କଠୁ ଶିଖିଲି । ଯେମିତି ଜଣେ ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ଶିଖାନ୍ତି । ସେ ମୋର ଗୁରୁ ଥିଲେ। ’

କେଇ ଦଶକ ପୂର୍ବେ ଦାସ ତାଙ୍କ ଗୁରୁଙ୍କୁ ଲକ୍ଷ୍ୟ କରିଥିଲେ ଏବଂ ପ୍ରତ୍ୟେକ ଜିନିଷ-କାଗଜ, ପ୍ଲାଷ୍ଟିକ, କାଚ ବୋତଲ, ଲୁହା ଏବଂ ଅନ୍ୟାନ୍ୟ ଧାତୁର ମୂଲ୍ୟ କିପରି ହିସାବ କରିବାକୁ ହୁଏ ଶିଖିଥିଲେ
ଦାସ ତାଙ୍କ ଶିକ୍ଷକଙ୍କୁ ନିରୀକ୍ଷଣ କରିଥିଲେ ଏବଂ ପ୍ରତ୍ୟେକ ଜିନିଷ- କାଗଜ, ପ୍ଲାଷ୍ଟିକ, କାଚବୋତଲ, ଲୁହା ଏବଂ ଅନ୍ୟାନ୍ୟ ଧାତୁର ମୂଲ୍ୟ କିପରି ହିସାବ କରିବାକୁ ହୁଏ ଶିଖିଥିଲେ : ‘‘୧୫୦ ଗ୍ରାମ, ୨୦୦ ଗ୍ରାମ, ୨୫୦ ଗ୍ରାମ ଏବଂ ୫୦୦ ଗ୍ରାମର ମୂଲ୍ୟ କେତେ ହେବ ? ମୁଁ ମଧ୍ୟ ଜିନିଷଗୁଡ଼ିକ ମଧ୍ୟରେ ଫରକ ଜାଣିବା ଶିଖିଥିଲି’’। ସେ ମନେପକାଇ କୁହନ୍ତି, ଦୁଇଦଶକ ପୂର୍ବେ ଯେତେବେଳେ ସେ ଆରମ୍ଭ କରିଥିଲେ ସେତେବେଳେ ବଜାର ଭଲ ଥିଲା ।
୧୯୭୧ରେ ଦାସ ବାଂଲାଦେଶରୁ ଭାରତରେ ପହଞ୍ଚିଥିଲେ- ସେହି ସମୟରେ ଚାଲିଥିବା ହିଂସାରୁ ରକ୍ଷା ପାଇବା ପାଇଁ । ସେଠାରେ ତାଙ୍କ ପରିବାର ଜମି ଚାଷ କରୁଥିଲେ । ସେ କୁହନ୍ତି, ‘‘ ମୁଁ ଝାମେଲା [ଗଣ୍ଡଗୋଳ] ଏବଂ ମାଡ଼ପିଟ୍ ଯୋଗୁଁ ଚାଲି ଆସିଲି’’ । ତାଙ୍କ ଭାଇ ନରେନ୍ଦ୍ର (ସେବେଠାରୁ ମୃତ୍ୟୁ; ସେ ଏକ ସାଇକେଲ ରିକ୍ସା ଚଳାଉଥିଲେ) ସେ ସମୟରେ ଉତ୍ତର ଚବିଶ ପ୍ରଗଣାର, କାଞ୍ଚପଡ଼ା ସହରରେ ରହୁଥିଲେ । କାଳୁ ଦାସ ଆସିଲେ ଏବଂ କିଛିଦିନ ପାଇଁ ଜଣେ ରାଜମିସ୍ତ୍ରି ସହାୟକ ଭାବେ କାର୍ଯ୍ୟ କଲେ। ସେ କୁହନ୍ତି, ସମୟକ୍ରମେ ସେ ଭାରତ ସରକାରଙ୍କଠାରୁ ଗୋଟିଏ ଭୋଟର ପରିଚୟପତ୍ର ଏବଂ ଆଧାରକାର୍ଡ ଓ ଗୋଟିଏ ରାସନ କାର୍ଡ ସମେତ ସମସ୍ତ ଅନୁମୋଦନ ଲାଭ କଲେ ।
ଲକ୍ଡାଉନ୍ ପୂର୍ବରୁ ଦାସ ଅଦରକାରୀ ଜିନିଷ ଏବଂ ପୁନଃଚକ୍ରଣଯୋଗ୍ୟ ଜିନିଷ ସଂଗ୍ରହ ପାଇଁ ସପ୍ତାହକୁ ଚାରିଥର ସୋନାରପୁର ତାଲୁକାରେ ଥିବା ହସନପୁର ଗ୍ରାମରୁ କୋଲକାତାକୁ ଆସୁଥିଲେ । ସେ ବିଲ୍ଡିଂଗୁଡ଼ିକୁ ଯାଉଥିଲେ ଏବଂ ଦିନକୁ ତିନି ଚାରିଘଣ୍ଟା ପାଇଁ ବସ୍ତି କଲୋନୀଗୁଡ଼ିକରେ ବୁଲୁଥିଲେ ଏବଂ ମାସକୁ ପ୍ରାୟ ଟ. ୩୦୦୦ ରୋଜଗାର କରିପାରୁଥିଲେ ।
ଯେତେବେଳେ ମାର୍ଚ ମାସରେ ଲକ୍ଡାଉନ୍ ଆରମ୍ଭ ହେଲା ଏବଂ ବସ୍ ଓ ଲୋକାଲ ଟ୍ରେନ୍ଗୁଡ଼ିକ ଚଳାଚଳ ବନ୍ଦ କରିଦେଲା, ଦାସଙ୍କ କାମ ବନ୍ଦ ହୋଇଗଲା । ସେ କୁହନ୍ତି, ‘‘ମୁଁ କୋଲକାତାକୁ ଆସିବା ବିଷୟରେ [ଯେକୌଣସି ମତେ] ଚିନ୍ତା କରୁଥିଲି । କିନ୍ତୁ ଲୋକମାନେ ମୋତେ ସତର୍କ କରାଇଦେଲେ । ମୁଁ ଟିଭିରେ ମଧ୍ୟ ଦେଖିଲି ଯେ, ଯେଉଁମାନେ ଲକ୍ଡାଉନ୍ ଭାଙ୍ଗୁଛନ୍ତି, ପୋଲିସ ତାଙ୍କୁ ଗୋଡ଼ାଉଛନ୍ତି ଏବଂ ପିଟୁଛନ୍ତି’’ । ଏଥିସହିତ ମୋ ଘର ଆଖପାଖରେ କେତେଗୁଡ଼ିଏ କୋଭିଡ-୧୯ ମାମଲା, ‘‘ମୋ ଚିନ୍ତାଧାରା ବଦଳାଇଦେଲା । ମୁଁ ସ୍ଥିର କଲି ଯେ, ମୁଁ ଭୋକିଲା ରହିବି କିନ୍ତୁ ଘର ଛାଡ଼ିବିନି ।’’

ତାଙ୍କ ଗାଁରୁ ଯିବା ଆସିବା, ଏଥିସହିତ ରଦ୍ଦି ଜିନିଷ ବ୍ୟବସାୟୀଙ୍କ ପାଖକୁ ସାଇକେଲ ରିକ୍ସାର ସମୁଦାୟ ଖର୍ଚ୍ଚ ପ୍ରାୟ ଟ. ୧୫୦ ଏବଂ ସେଥିରୁ ପ୍ରାୟ କିଛି ଲାଭ ପାଆନ୍ତି ନାହିଁ- ‘ମାତ୍ର ୨-୪ଟଙ୍କା
ଦାସଙ୍କ ପତ୍ନୀ ମୀରା ଦକ୍ଷିଣ କୋଲକାତାର ଯାଦବପୁର ଅଞ୍ଚଳରେ ଜଣେ ପୂର୍ଣ୍ଣକାଳୀନ ଘରୋଇ ସହାୟିକା । ସେ ଗାଁ ଛାଡ଼ିବା ପୂର୍ବରୁ ତାଙ୍କର ୧୮,୧୬ ଏବଂ ୧୨ ବର୍ଷ ବୟସର ତିନି ନାତିଙ୍କୁ ସେମାନଙ୍କ ଜେଜେବାପାଙ୍କ ସହ ରହିବା ପାଇଁ କହିଥିଲେ । ଦାସ କୁହନ୍ତି, ‘‘ସେ ସେମାନଙ୍କୁ କହିଥିଲେ, ‘‘ତମ ଦାଦୁ ଜଣେ ବୟସ୍କ ଲୋକ । ସେ ଏକୁଟିଆ ରହୁଛନ୍ତି ।’’ ଲକ୍ଡାଉନ୍ ସମୟରେ ସେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ତାଙ୍କ ପତ୍ନୀଙ୍କ ଆୟ – ମାସିକ ଟ. ୭୦୦୦ରେ ଚଳିଥିଲେ ।
ସେ କୁହନ୍ତି, ‘‘ମୋ ପତ୍ନୀଙ୍କୁ ଲକ୍ଡାଉନରେ କାମ କରିବାକୁ ହୋଇଥିଲା ନହେଲେ ଆମେ କେମିତି ଟ. ୧,୦୦୦ ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଚଳାଇଥାନ୍ତୁ’’। ମୀରା ପ୍ରତିମାସରେ ଦୁଇରୁ ତିନିଦିନ ପାଇଁ ତାଙ୍କ ଗାଁକୁ ଆସନ୍ତି । ଦାସ କୁହନ୍ତି, ‘‘ସେ ତାଙ୍କ ନାତି-ନାତୁଣୀଙ୍କୁ ଦେଖିପାରନ୍ତି ନାହିଁ । ଯେତେବେଳେ ସେମାନଙ୍କୁ ଦେଖିବାକୁ ଚାହାଁନ୍ତି ଖୁବ୍ କାନ୍ଦନ୍ତି । ଯେତେବେଳେ ସେ ଘରକୁ ଆସନ୍ତି ସେମାନଙ୍କ ପାଇଁ ରୋଷେଇ କରିବାକୁ ଚାହାଁନ୍ତି ।’’ ସେମାନଙ୍କର ବଡ଼ ନାତି ଜଣେ ଇଲେକ୍ଟ୍ରିସିଆନ ଭାବରେ କାମ କରେ । କିନ୍ତୁ ଲକ୍ଡାଉନ୍ଠାରୁ କୌଣସି କାମ ପାଇଁ ନାହାଁନ୍ତି। ତାଙ୍କର ସବୁଠାରୁ ସାନ ନାତି ସ୍କୁଲରେ ପଢ଼ୁଛି । ମଝିଆ ନାତି ବେରୋଜଗାର ଅଛି।
କିନ୍ତୁ ମୀରା ମଧ୍ୟ ଖୁବ୍ଶ୍ରୀଘ୍ର ତାଙ୍କର କାମ ହରାଇବେ । ଦାସ କୁହନ୍ତି, ‘‘ସେମାନେ ତାକୁ ଆଉ ରଖିବେନି । ସେ ଏବେ ଘରକୁ ଆସିବାକୁ ଯାଉଛି । ସେମାନେ [ତାଙ୍କ ନିଯୁକ୍ତିଦାତାମାନେ] ଆଉ ତାଙ୍କ ଖର୍ଚ୍ଚ ବହନ କରିପାରିବେ ନାହିଁ ।’’
ଅଗଷ୍ଟମାସର ଶେଷ ସପ୍ତାହରେ ଦାସ ତାଙ୍କର ପୁନଃଚକ୍ରଣ କାମ ଆରମ୍ଭ କଲେ । କିନ୍ତୁ ବ୍ୟବସାୟ ଖୁବ୍ ଖରାପ ଅଛି । ସେ ଅଦରକାରୀ ମିକ୍ସର-ଗ୍ରାଇଣ୍ଡରର ବେସ୍ଟିକୁ ପ୍ୟାକିଂ କରିବା ସମୟରେ କହିଥିଲେ, ‘‘କରୋନା ସମୟରେ ଲୋକମାନେ ଅନେକ ଜିନିଷ [ପୁନଃଚକ୍ରଣ ପାଇଁ] ରଖୁନାହାଁନ୍ତି’’। ସେମାନେ ଜିନିଷଗୁଡ଼ିକ ଫିଙ୍ଗି ଦେଉଛନ୍ତି ।

କାଳୁ ଦାସ ଅଗଷ୍ଟମାସର ଶେଷରେ ତାଙ୍କ ପୁନଃଚକ୍ରଣ କାମ ଆରମ୍ଭ କଲେ, କିନ୍ତୁ ବ୍ୟବସାୟ ମାନ୍ଦା ରହିଛି : କରୋନା ସମୟରେ ଲୋକମାନେ ଅଧିକ ଜିନିଷ ରଖୁନାହାନ୍ତି
ଦାସ ଯାଉଥିବା ବିଭିନ୍ନ ଘରୁ ଖବରକାଗଜ ସମତେ ଅନ୍ୟାନ୍ୟ କାଗଜ କିଲୋପିଛା ଟ. ୮ରେ କିଣନ୍ତି ଏବଂ ଏହାକୁ ରଦ୍ଦି ଜିନିଷ ଦୋକାନରେ କିଲୋପିଛା ଟ.୯-୯.୫୦ରେ ବିକ୍ରି କରନ୍ତି । ମେଞ୍ଚାଏ ପ୍ଲାଷ୍ଟିକ୍ ବୋତଲ ସେ ୨-୪ ଟଙ୍କାରେ ବିକନ୍ତି । ସେ କୁହନ୍ତି, ‘‘ପ୍ଲାଷ୍ଟିକ୍ ବୋତଲର ଦାମ ଖସିଯାଇଛି । ରଦ୍ଦି ଜିନିଷ ବ୍ୟବସାୟୀଙ୍କ ପାଖକୁ ନେବା ପାଇଁ ମୋତେ ଗୋଟିଏ ରିକ୍ସା ଭଡ଼ା କରିବାକୁ ହୁଏ । ଏହି ବ୍ୟବସାୟରେ ଥିବା କିଛି ଲୋକଙ୍କର ଏକ ଶଗଡ଼ [ପୁନଃଚକ୍ରଣ ଜିନିଷଗୁଡ଼ିକ ବୋହିବା ପାଇଁ] ଅଛି । ସେମାନେ ବୋତଲଗୁଡ଼ିକ ପାଇଁ ଅଧିକ ଦେଇପାରିବେ। ’’
ଦାସ ସଂଗ୍ରହ କରୁଥିବା ସମସ୍ତ ଜିନିଷଗୁଡ଼ିକୁ ଏକ ବଡ଼ ଏବଂ ଗୋଲାକାର ବାଉଁଶ ଝୁଡ଼ିରେ ରଖନ୍ତି । ସେ ତାଙ୍କ ମୁଣ୍ଡରେ ପ୍ରାୟ ୨୦ କେଜି ଜିନିଷ ନେଇପାରିବେ । ଏହା ପରେ ସେ ନିକଟସ୍ଥ ରଥାଲାରେ ଥିବା ରଦ୍ଦିଜିନିଷ ବ୍ୟବସାୟୀଙ୍କ ଦୋକାନକୁ ଯିବା ପାଇଁ ଏକ ସାଇକେଲ ରିକ୍ସା ଭଡ଼ା କରନ୍ତି । ତାଙ୍କ ଗାଁରୁ ଯିବା ଆସିବା ଏବଂ ଏଥିସହିତ ସାଇକେଲ ରିକ୍ସାର ଭଡ଼ା ସମୁଦାୟ ଖର୍ଚ୍ଚ ପ୍ରାୟ ଟ. ୧୫୦/- ହୁଏ ଏବଂ ସେ ପ୍ରାୟତଃ କୌଣସି ଲାଭ ପାଆନ୍ତି ନାହିଁ । ସେ କୁହନ୍ତି, ‘‘ ମାତ୍ର ୨-୪ ଟଙ୍କା’’। ତାଙ୍କର କମ୍ ଆୟକୁ ଦର୍ଶାଇବା ପାଇଁ ଏକ ପ୍ରଚଳିତ ଭାଷା, ଯାହାକି ପ୍ରତ୍ୟେକ ଥର କବାଡ଼ି ଜିନିଷ ସଂଗ୍ରହ ଓ ବିକ୍ରି କରିବା ପାଇଁ କୋଲକାତାକୁ ଆସିବା ସମୟରେ ଟ. ୮୦ରୁ ଟ. ୨୦୦ ହୋଇଥାଏ (ତାଙ୍କର ଯିବା ଆସିବା ଖର୍ଚ୍ଚ କାଟ୍ କରିବା ପରେ) ।
‘‘ଯେତେବେଳେ ମୁଁ ଆରମ୍ଭ କଲି, ମୋ ପରିବାରର ସଦସ୍ୟମାନେ କାମ କରୁନଥିଲେ । ଏହି କାମ ଆମର ଖାଇବା ପାଇଁ ପଇସା ଦେଇଥିଲା ଏଠାରେ କୋଲକାତାରେ [ବୋଷପୁକୁର]ରେ ଚଳିବା ସହଜ ନଥିଲା। ମୋର ତିନୋଟି ସନ୍ତାନ- ଦୁଇ ପୁଅ ଏବଂ ଗୋଟିଏ ଝିଅ । ସେମାନେ ସ୍କୁଲ ଯାଉଥିଲେ । ଏହା ପରେ ମୋତେ ମୋ ଝିଅର ବାହାଘର କରିବାର ଥିଲା ।’’ କାଳୁ ଦାସ କୁହନ୍ତି, ତାଙ୍କ ବଡ଼ପୁଅ ତାରକ ଅନେକ ଦିନ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି; ତାଙ୍କ ଝିଅ ପୂର୍ଣ୍ଣିମା ପ୍ରାୟ ୩୦ ବର୍ଷ ବୟସର ଏବଂ ସାନପୁଅ ନରୁ ପ୍ରାୟ ୨୭ ବର୍ଷର । ସେ ସେମାନଙ୍କ କାମ ବିଷୟରେ କୁହନ୍ତି, ‘‘ଉଭୟେ କାହାକୁ ସାହାଯ୍ୟ କରୁଛନ୍ତି ’’।
ଦାସ କୁହନ୍ତି, ଏହି ଅବସ୍ଥା ମଧ୍ୟରେ ସେ ଅନ୍ୟ କୌଣସି କାମ ଚେଷ୍ଟା କରିବାକୁ ସୁଯୋଗ ପାଇନଥିଲେ । ‘‘ମୁଁ ଆଉ କ’ଣ କରିପାରିବି ? ଏବଂ ମୋତେ ଏହି ବୟସରେ କିଏ କାମ ଦେବ ?’’
ସପ୍ତାହ ଦିବସମାନଙ୍କରେ ବର୍ତ୍ତମାନ ସେ ସାଧାରଣତଃ ଘରେ ରୁହନ୍ତି, ବା ନିକଟରେ ଥିବା ନରୁ ର ଘରକୁ ଯାଆନ୍ତି । ତାଙ୍କର ପତଳା ଧଳା କପଡ଼ା ମାସ୍କକୁ ସଜାଡ଼ି ନେଇ ସେ କୁହନ୍ତି, ‘‘ମୁଁ କରୋନା ବିଷୟରେ ଚିନ୍ତା କରେନି । ଯଦି ଜଣେ କାମ କରିବ ସେ ବ୍ୟସ୍ତ ରହିବ । ଯଦି ମୁଁ କାମକୁ ଯିବା ବଦଳରେ ଘରେ ବସିବି ରୋଗର ଭୟ ମନକୁ ଧରିନେବ । ମୋର ସାହାସ ରହିବା ଉଚିତ୍ ।’’
ଅନୁବାଦ: ଓଡ଼ିଶାଲାଇଭ୍