ସମିରୁଦ୍ଦିନ ଶେଖ ଦିନରେ ଦୁଇ ଥର ଅହମ୍ମଦାବାଦର ପୁରୁଣା ସହରସ୍ଥିତ ଭିଡ଼ ଇଲାକାର ଗଳିରେ ନିଜର ସାଇକେଲ ଧରି ଏପଟସେପଟ ହୋଇଥାନ୍ତି। ତାଙ୍କ ଘର ଫତେବାଡ଼ି, ଜୁହାପୁରାରୁ ତାଜ ଏନଭଲପସ୍ ପର୍ଯ୍ୟନ୍ତ ୧୩ କିଲୋମିଟର ତାଙ୍କୁ ଯାତ୍ରା କରିବାକୁ ପଡ଼ିଥାଏ। ନିଜର ଏହି କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଲାଗି ତାଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗେ। “બાઇકહૈપરનહીંલેજાતા, ક્યોંકિપેટ્રોલનહીંપોસાતા [ମୁଁ ବାଇକ ନେଇପାରିବି ନାହିଁ କାରଣ ପେଟ୍ରୋଲ ଭରିବାକୁ ମୋ ପାଖରେ ଟଙ୍କା ନାହିଁ],”ନିଜ ସାଇକେଲ ରଖିବା ସମୟରେ ଏହି ୩୬ ବର୍ଷ ବୟସ୍କ ମୃଦୁଭାଷୀ ବ୍ୟକ୍ତିଜଣଙ୍କ କୁହନ୍ତି।
ପୁରୁଣା ସହରର ଖାଡ଼ିଆ ନାମକ ସ୍ଥାନରେ ଥିବା ଏକ ସପିଂ କମ୍ପ୍ଲେକ୍ସର ବେସମେଣ୍ଟରେ ୧୦ x୨୦ ଆକାର ବିଶିଷ୍ଟ ଏକ କୋଠରୀରେ ତାଙ୍କର କାର୍ଯ୍ୟ ଦିବସ ଆରମ୍ଭ ଓ ଶେଷ ହୋଇଥାଏ। ସେ ତାଙ୍କ ଭଳି ଆଉ ୧୦ ଜଣ ଲୋକଙ୍କ ସହିତ ଲଫାପା ତିଆରି କାମରେ ଲାଗି ପଡ଼ନ୍ତି। ବ୍ୟକ୍ତିଗତ ଭାବେ ଦିନକୁ ସେ ସର୍ବାଧିକ ୬,୦୦୦ରୁ ୭,୦୦୦ ଲଫାପା ତିଆରି କରନ୍ତି।
ଲଫାପା ତିଆରି କରିବା ଯେତିକି ସହଜ ଲାଗେ ପ୍ରକୃତରେ ସେତେ ସହଜ ନୁହେଁ । ସମିରୁଦ୍ଦିନ କୁହନ୍ତି, “ଏହି କଳା ଶିଖିବା ଲାଗି ଦେଢ଼ରୁ ଦୁଇ ବର୍ଷ ସମୟ ଲାଗିଥାଏ। ଯେପର୍ଯ୍ୟନ୍ତ ଉସ୍ତାଦ (ବରିଷ୍ଠ ଶିଳ୍ପକାର ଏବଂ ପ୍ରଶିକ୍ଷକ) ଆପଣଙ୍କ କାମର ଗୁଣବତ୍ତାକୁ ମଞ୍ଜୁରି ଦିଅନ୍ତି ନାହିଁ ଏବଂ ସେଥିରେ ନିଜର ମୋହର ଲଗାନ୍ତି ନାହିଁ ସେ ପର୍ଯ୍ୟନ୍ତ ଆପଣ ଜଣେ ସ୍ୱାଧୀନ କର୍ମଚାରୀ ଭାବେ ସ୍ୱତନ୍ତ୍ର ବେତନ ପାଇବାକୁ ହକଦାର ହୋଇପାରିବେ ନାହିଁ ।”
ଏଠାରେ ଗୁଣବତ୍ତାର ଅର୍ଥ ହେଉଛି ଗତି, ସଠିକତା, ନିପୁଣତା ଓ ଉପକରଣ ଜ୍ଞାନର ଏକ ମିଶ୍ରଣ। ପ୍ରତ୍ୟେକ କାର୍ଯ୍ୟଶାଳାରେ କଟିଂ ଓ ପ୍ୟାଚିଂ ପାଇଁ ଦୁଇଟି ମେସିନକୁ ଛାଡ଼ି ଦେଲେ ସବୁ କାମ ହାତରେ କରାଯାଇଥାଏ।
ମୁଖ୍ୟତଃ କାର୍ଯ୍ୟଶାଳାର ମାଲିକମାନେ ମେସିନ ପରିଚାଳନା କରିଥାନ୍ତି; ବଡ଼ ଆକାରର କାଗଜକୁ ଛୋଟ ଛୋଟ ନିର୍ଦ୍ଧାରିତ ଆକାରରେ କଟାଯାଏ ଏବଂ ଏକ ସ୍ୱତନ୍ତ୍ର ଡାଇ ବ୍ୟବହାର କରାଯାଇ ଭିନ୍ନ ଭିନ୍ନ ଆକାରରେ ଭଙ୍ଗା ଯାଇଥାଏ। ଶ୍ରମିକମାନେ କାଗଜ ଗଣିଥାନ୍ତି ଏବଂ ଗୋଟିଏ ଥରରେ ୧୦୦ଟି ଲଫାପା ମୋଡ଼ନ୍ତି, ଅଠା ଲଗାଇଥାନ୍ତି, ସିଲ ଓ ପ୍ୟାକିଂ କରିଥାନ୍ତି।


ଫଟୋ. ବାମ: ସମିରୁଦ୍ଦିନ ଶେଖ ସାଇକେଲରେ ପୁରୁଣା ସହର ଦେଇ ଖାଡ଼ିଆରେ ଥିବା ତାଜ ଏନଭଲପ୍ସକୁ ଯାଉଛନ୍ତି । ଡାହାଣ: ଶପିଂ କମ୍ପ୍ଲେକ୍ସର ବେସମେଣ୍ଟରେ ତାଜ ଏନଭଲପସର କାର୍ଯ୍ୟଶାଳାରେ ଚଟାଣରେ ବସି କାରୀଗରମାନେ କାମ କରୁଛନ୍ତି
ଏହି ପ୍ରକ୍ରିୟାକୁ ସାବଧାନତାପୂର୍ବକ କରିବାର ଆବଶ୍ୟକତା ରହିଛି। ଲଫାପାର ପ୍ରତ୍ୟେକ ଭାଙ୍ଗକୁ ବିଶେଷ ନାମ ଦିଆଯାଇଛି – ମାଥୁ (ଉପର ଭାଙ୍ଗ), ପେଣ୍ଡି (ନିମ୍ନ ଭାଙ୍ଗ), ଧାପା (କଡ଼ ଭାଙ୍ଗ ଯେଉଁଥିରେ ଅଠା ଲଗାଯାଏ), ଖୋଲା (କଡ଼ ଭାଙ୍ଗ ଯାହାକୁ ପୂର୍ବରୁ ଅଠାରେ ଲଗାଯାଇଥିବା ଭାଙ୍ଗ ସହିତ ଲଗାଯାଏ)। ଆହୁରି ସ୍ପଷ୍ଟ ଭାବେ ନାମକରଣ କରାଯାଇଥିବା ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ କଡ଼ାକଡ଼ି ପାଳନ କରାଯିବା ଉଚିତ୍। ଉପକରଣଗୁଡ଼ିକୁ ସାବଧାନତାପୂର୍ବକ ଓ ସଠିକ ଜ୍ଞାନ ହାସଲ କରିବା ପରେ ଉପଯୋଗ କରାଯିବା ଉଚିତ, ନଚେତ ଏଥିରୁ ଗମ୍ଭୀର ଆଘାତ ଲାଗିପାରେ ।
କଡ଼ ଭାଙ୍ଗଗୁଡ଼ିକୁ ଯେତେବେଳେ ମୋଡ଼ା ଯାଇଥାଏ, କାରୀଗରମାନେ ନିଜ ମୁଠିର ଉପଯୋଗ କରିଥାନ୍ତି ଓ ଏହାପରେ ପତ୍ଥର (ପଥର) ନାମକ ଉପକରଣକୁ ସ୍ପଷ୍ଟ ମୁନିଆ ଧାର ତିଆରି କରିବାକୁ ଉପଯୋଗ କରିଥାନ୍ତି । ଏହି ‘ଫୋଲ୍ଡିଂ ଷ୍ଟୋନ’କୁ ପୂର୍ବରୁ ପେଶିବା ପଥରରେ ତିଆରି କରାଯାଉଥିଲା କିନ୍ତୁ ଏବେ ଏହା ସ୍ଥାନରେ ଲୁହାର ଓଜନିଆ ସ୍ଲାବ ବ୍ୟବହାର କରାଯାଉଛି। ୫୧ ବର୍ଷୀୟ ଅବଦୁଲ ମୁତ୍ତାଲିବ ଅନସାରୀ କୁହନ୍ତି, “ଯେତେବେଳେ ମୁଁ ପ୍ରକ୍ରିୟା ଶିଖୁଥିଲି ପଥରରେ ମୋ ହାତ ଚାପି ହୋଇଯାଇଥିଲା। ମୋର ହାତରୁ ରକ୍ତ ଛିଟିକି ବାହାରି ଆସିଥିଲା ଏବଂ ପାଖରେ ଥିବା କାନ୍ଥରେ ପଡ଼ିଥିଲା। ଏହି ସମୟରେ ମୋତେ ଉସ୍ତାଦ କହିଥିଲେ ଯେ, ଯଦି ମୁଁ ଜଣେ କୁଶଳୀ କାରିଗର ହେବାକୁ ଚାହୁଁଛି, ତା’ହେଲେ ମୋତେ ଶାରୀରିକ ବଳ ଅପେକ୍ଷା ଜ୍ଞାନକୌଶଳ ଉପଯୋଗ କରିବାକୁ ହେବ।”
ସେହି ‘ପଥର’ ଓଜନ ପ୍ରାୟ ଗୋଟିଏ କିଲୋଗ୍ରାମ ହେବ। “ଏକ ସାଧାରଣ ଲଫାପା ପାଇଁ ଆପଣଙ୍କୁ ଏହା ଚାରିରୁ ପାଞ୍ଚ ଥର ବ୍ୟବହାର କରିବାକୁ ହେବ,’’ ଅବଦୁଲ ମୁତ୍ତାବିଲ ଅନସାରୀ କୁହନ୍ତି । ‘‘କାଗଜର ମୋଟେଇ ଉପରେ ନିର୍ଭର କରି ଆପଣଙ୍କର କୌଶଳ ପରିବର୍ତ୍ତନ ହେବା ଉଚିତ୍। ଆପଣ କେତେ ଉଚ୍ଚକୁ ପତ୍ଥର ଉଠାଇବେ, କେତେ ଜୋରରେ ମାଡ଼ କରିବେ ଏବଂ କେତେ ଥର ଆପଣ ମାଡ଼ କରିବେ, କେବଳ କାମ କରିବା ସମୟରେ ଆପଣ ଏସବୁ କଥା ଶିଖିପାରିବେ,’’ ୫୨ ବର୍ଷ ବୟସ୍କ ଅବଦୁଲ ଗଫର ଅନସାରୀ କହିଥାନ୍ତି । ‘‘ତିଆରି ସମୟରେ ଗୋଟିଏ ଲଫାପା ୧୬ରୁ ୧୭ ଥର ଆମ ହାତର ସ୍ପର୍ଶ ପାଇଥାଏ। ତେଣୁ ସବୁ ଦିନ ଆମ ହାତ କଟିବାର ଆଶଙ୍କା ଅଧିକ ଥାଏ। ଯଦି ଅଠା ଆପଣଙ୍କର କଟା ହାତରେ ବାଜିଗଲା, ତା’ହେଲେ ଖୁବଜୋରରେ ପୋଡ଼ିଥାଏ,’’ ସେ କୁହନ୍ତି ।
ଲଫାପା ତିଆରି କରୁଥିବା ୬୪ ବର୍ଷ ବୟସ୍କ ମୁସ୍ତାନସିର ଉଜ୍ଜୟିନୀ କୁହନ୍ତି ଯେ ସେ ନିଜ କଟା ହାତରେ ଗରମ କୋକମ ତେଲ ଲଗାଇଥାନ୍ତି। ଅନ୍ୟମାନେ ଆରାମ ପାଇବା ଲାଗି ଭେସଲିନ କିମ୍ବା ନଡ଼ିଆ ତେଲ ଉପଯୋଗ କରିଥାନ୍ତି । କାଗଜର ପ୍ରକାରଭେଦ ଉପରେ କାମର କଠିନତା ନିର୍ଭର କରିଥାଏ । ‘‘ବେଳେବେଳେ ଯେତେବେଳେ ଆମକୁ କଡ଼କମାଲ (୧୨୦ ଜିଏସଏମର ଆର୍ଟ ପେପର) କାଗଜ ମିଳେ, ଆମ ହାତକୁ ଯନ୍ତ୍ରଣା ହୁଏ। ତା’ପରେ ମୁଁ ଆରାମ ପାଇବା ଲାଗି ଲୁଣ ଗରମ ପାଣିରେ ସାତ-ଆଠ ମିନିଟ୍ ପର୍ଯ୍ୟନ୍ତ ହାତକୁ ବୁଡ଼େଇ ରଖିଥାଏ,’’ ସୋନଲ ଏନଭଲପ୍ସର ମହମ୍ମଦ ଆସିଫ କହିଥାନ୍ତି । ‘‘ଶୀତ ଦିନେ ମଧ୍ୟ ଆମ ହାତକୁ ଯନ୍ତ୍ରଣା ହୁଏ। ସେତେବେଳେ ମଧ୍ୟ ମୁଁ ଆରାମ ପାଇବାକୁ ଗରମ ପାଣି ବ୍ୟବହାର କରିଥାଏ,’’ ସମିରୁଦ୍ଦିନ ଶେଖ କୁହନ୍ତି ।


ବାମ : ସୋନାଲ ଏନଭଲପ୍ସଠାରେ ମହମ୍ମଦ ଆସିଫ ଶେଖ ଏକ ଭାଙ୍ଗ ତିଆରି କରିବା ଲାଗି ଢାପା ଉପରେ ‘ପଥର’କୁ ପିଟୁଛନ୍ତି । ଡାହାଣ: ମୁନ୍ତାସିର ଉଜ୍ଜୈନୀ ଫୁଲିଥିବା ନିଜ ହାତରେ ଗରମ କୋକମ ତେଲ ଲଗାଉଛନ୍ତି
ଏହି କାମରେ କାରିଗରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଟାଣରେ ବସି ରହିବାକୁ ପଡ଼ିଥାଏ। ‘‘ଆମେ ସକାଳ ସାଢ଼େ ୯ଟାରେ ତଳେ ବସି କାମ ଆରମ୍ଭ କରିଥାଉ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଗୋଟାଏ ବେଳେ ଉଠିବା ପର୍ଯ୍ୟନ୍ତ ସେମିତି ବସି ରହିଥାଉ। ସନ୍ଧ୍ୟାରେ ମୁଁ ଯେତେବେଳେ କାମରୁ ଉଠିଥାଏ ମୋ ପିଠି ଯନ୍ତ୍ରଣା ହୁଏ,’’ ସମିରୁଦ୍ଦିନ କୁହନ୍ତି । ସମାନ ସ୍ଥିତିରେ ବସି ରହି ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଥିବା କାରଣରୁ ତାଙ୍କ ଗୋଇଠିରେ ବିଣ୍ଡି ପଡ଼ିଗଲାଣି। ସେ କୁହନ୍ତି, ‘‘ସମସ୍ତଙ୍କର ଏମିତି ସମସ୍ୟା ହେବ । କାରଣ ସେମାନେ ସମସ୍ତେ ଚଟାଣରେ ଗୋଟିଏ ଗୋଡ଼କୁ ଭାଙ୍ଗି ବସୁଛନ୍ତି । ଯଦି ମୁଁ ମୋ ଗୋଡ଼କୁ ସୁରକ୍ଷିତ ରଖିବାକୁ ଚାହିଁବି ତା’ହେଲେ ମୋର ପିଠି ବିନ୍ଧିବ,’’ ସେ ଆହୁରି କହିଥାନ୍ତି ।
ଏହି କାମରୁ ଖୁବ କମ୍ ରୋଜଗାର ହେଉଛି, ତା’ଛଡ଼ା ଆଘାତ, ପୋଡ଼ାଜଳା, ଦେହହାତ ଦରଜ ଓ ବିନ୍ଧା ସମସ୍ୟା ଅଛି । ୩୩ ବର୍ଷ ବୟସ୍କ ମୋହସୀନ ଖାନ ପଠାନ ସବୁବେଳେ ଆଶଙ୍କା ମଧ୍ୟରେ ରହୁଛନ୍ତି । ସେ କୁହନ୍ତି, ‘‘ମୋର ପରିବାର କେବଳ ମୋ (ମୋ ରୋଜଗାର) ଉପରେ ନିର୍ଭର କରି ଚଳିଥାଏ। ଘର ଭଡ଼ା ୬,୦୦୦ ଟଙ୍କା। ମୁଁ ଚା’ ଓ ଜଳଖିଆ ବାବଦରେ ୫୦ଟଙ୍କା ଦିନକୁ ଖର୍ଚ୍ଚ କରିଥାଏ। ଆଉ ୬୦ ଟଙ୍କା ବସ୍ ଓ ଅଟୋ ଭଡ଼ାରେ ଯାଏ।’’ ତାଙ୍କର ଚାରି ବର୍ଷର ଝିଅ ନିକଟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଛି । ‘‘ସେଠି ବର୍ଷକୁ ୧୦,୦୦୦ ଟଙ୍କାର ଫି’ ଦେବାକୁ ହେବ,’’ ଲଫାପା ଭାଙ୍ଗିବା ସମୟରେ ସେ ଆଶଙ୍କା ବ୍ୟକ୍ତ କରି କହିଥାନ୍ତି ।
ସମିରୁଦ୍ଦିନ ଶେଖଙ୍କ ପରିବାରରେ ଛଅ ଜଣ ସଦସ୍ୟ – ତାଙ୍କ ପତ୍ନୀ, ତିନି ପିଲା ଓ ବୃଦ୍ଧ ପିତା ଅଛନ୍ତି । ସେ କୁହନ୍ତି, ‘‘ପିଲାମାନେ ବଡ଼ ହେଉଛନ୍ତି, ଆଉ ଏ ଲଫାପା ତିଆରି କାମରୁ ମୋତେ ଭଲ ପାରିଶ୍ରମିକ ମିଳୁନାହିଁ। ମୁଁ ଯେନତେନ ପ୍ରକାରେ ଘର ଚଳେଇ ନେଉଛି କିନ୍ତୁ ଟଙ୍କା ସଞ୍ଚୟ କରିପାରୁନାହିଁ ।’’ ସେ ଅନ୍ୟ କିଛି କାମ ପାଇଁ ଚିନ୍ତା କରୁଛନ୍ତି ଓ ଗୋଟିଏ ଅଟୋ ଲାଇସେନ୍ସ ପାଇବା ଚେଷ୍ଟାରେ ଅଛନ୍ତି । ଅଟୋ ରିକ୍ସା ଚଲେଇ ସେ ଭଲ ରୋଜଗାର କରିପାରିବେ ବୋଲି ଭାବୁଛନ୍ତି । ‘‘ଲଫାପା ତିଆରି କାମରେ ହେଉଥିବା ରୋଜଗାର ମଧ୍ୟ ଅନିଶ୍ଚିତ। ଯେଉଁଦିନ କିଛି କାମ ନଥାଏ, ଅପରାହ୍ଣ ଦୁଇଟା କିମ୍ବା ତିନିଟା ବେଳକୁ ଆମ କାମ ସରିଯାଏ। ଆପଣ ଦେଖନ୍ତୁ ଆମେ ସମସ୍ତେ ଶ୍ରମିକମାନେ କମିଶନରେ କାମ କରୁଛୁ । ଆମର କୌଣସି ନିର୍ଦ୍ଧାରିତ ବେତନ ନାହିଁ,’’ ସେ ଆହୁରି କହିଥାନ୍ତି ।


କାମ କରିବା ବେଳେ ଅଧିକାଂଶ ସମୟରେ ଶ୍ରମିକମାନେ ସମାନ ସ୍ଥିତିରେ ବସି ରହିଥାନ୍ତି । ଗୋଟିଏ ଗୋଡ଼ ତଳକୁ ମୋଡ଼ି ଲଗାତାର ବସି ରହିବା କାରଣରୁ ନିଜର ବାମ ଗୋଇଠିରେ ପଡ଼ିଯାଇଥିବା ବିଣ୍ଡିକୁ ଦେଖୁଛନ୍ତି ସମିରୁଦ୍ଦିନ ଶେଖ (ବାମ) । ମୁସ୍ତାନସିର ଉଜ୍ଜୟିନୀ (ଡାହାଣ) ଓ ଅନ୍ୟ ଦୁଇ ଜଣ ଚଟାଣରେ ବସି କାମ କରୁଛନ୍ତି
୧୯୮୮ ମସିହାରେ ଲଫାପା କାରିଗରମାନଙ୍କର ଏକ ସଂଘ ପ୍ରତିଷ୍ଠା ହୋଇଥିଲା। ଏହା ଖୁବ କମ୍ ସମୟ ପର୍ଯ୍ୟନ୍ତ ସକ୍ରିୟ ଥିଲା, କିଛି ଦିନ ପରେ ସ୍ଥାଣୁ ପାଲଟିଗଲା ଓ ଶେଷରେ ଭାଙ୍ଗିଗଲା। ସଂଘ ଠିକ୍ କେବେ ଭାଙ୍ଗିଲା ତାହା ଶ୍ରମିକମାନେ ଜାଣନ୍ତି ନାହିଁ । ସେମାନେ କୁହନ୍ତି ଯେ କିଛି ବର୍ଷ ପରେ ଏମାନଙ୍କ ମଧ୍ୟରୁ କେତେଜଣ ମାଲିକମାନଙ୍କ ସହିତ ମିଶି ନିଷ୍ପତ୍ତି ନେଲେ ଯେ ବାର୍ଷିକ ବେତନ ବୃଦ୍ଧି ସହିତ କାମକୁ ଦେଖି ଶ୍ରମିକମାନଙ୍କୁ ଦରଦାମ ବୃଦ୍ଧି ବାବଦରେ ୧୦ ପ୍ରତିଶତ, ବୋନସ ଏବଂ କିଛି ଛୁଟିର ବ୍ୟବସ୍ଥା କରାଯିବା ଉଚିତ୍ ।
ଅହମ୍ମଦାବାଦରେ ଏହି ଉଦ୍ୟୋଗରେ ମୁଖ୍ୟତଃ ପୁରୁଷମାନେ କାମ କରନ୍ତି – କେବଳ ଜଣେ ଲଫାଫା କାରିଗର ମହିଳା।
ସପ୍ତାହକୁ ଥରେ, ଏବଂ ଲଫାପାର ସଂଖ୍ୟା ସହିତ ସେଗୁଡ଼ିକର ଆକାର ଓ ମୋଟେଇକୁ ଆଧାର କରି ବେତନ ଦିଆଯାଏ । ସାଧାରଣ କାଗଜରେ ତିଆରି ହୋଇଥିବା ୧,୦୦୦ ଲଫାପା ପାଇଁ ୩୫୦ ଟଙ୍କାର ବେତନ ମିଳୁଥିବା ବେଳେ ଆର୍ଟ ପେପରରେ ତିଆରି ହୋଇଥିବା ସମାନ ସଂଖ୍ୟକ ଲଫାପା ନିମନ୍ତେ ୪୮୯ ଟଙ୍କାର ପାରିଶ୍ରମିକ ମିଳିଥାଏ। ଜଣେ କାରିଗର ଦିନକୁ ୨,୦୦୦ରୁ ୬,୦୦୦ ଲଫାପା ତିଆରି କରନ୍ତି ଏବଂ ଏହା ଲଫାପାର ପ୍ରକାର, କାରିଗରଙ୍କ ଗତିଶୀଳତା ଓ ସେହି ଋତୁର ଚାହିଦା ଉପରେ ନିର୍ଭର କରିଥାଏ।
୧୧ x ୫ ଇଞ୍ଚ ଆକାରର ଏବଂ ଓଜନ ୧୦୦ ଜିଏସଏମ (ପ୍ରତି ବର୍ଗ ମିଟର ଗ୍ରାମ୍)ର ଗୋଟିଏ ଅଫିସ ଲଫାପା ପାଞ୍ଚ ଟଙ୍କାରେ ବିକ୍ରି ହୋଇଥାଏ।
୧୦୦ ଜିଏସଏମ ଗୁଣବତ୍ତାର ୧,୦୦୦ ଲଫାପା ତିଆରି କରିବା ପାଇଁ ଜଣେ ଶ୍ରମିକଙ୍କୁ ୧୦୦ ଟଙ୍କାର ବେତନ ମିଳିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ତାଙ୍କୁ ବିକ୍ରି ମୂଲ୍ୟର ଏକ ପଞ୍ଚମାଂଶ ମିଳିଥାଏ।
ଶହେ ଟଙ୍କା ରୋଜଗାର କରିବାକୁ ଜଣେ କାରିଗରଙ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥାଏ।

ମେସିନରେ କାଗଜ କାଟିବା ପୂର୍ବରୁ ଆୟତାକାରର କାଗଜ ପଟ୍ଟିଗୁଡ଼ିକୁ ଡାଇ ଉପରେ ବ୍ୟବସ୍ଥିତ କରି ରଖୁଛନ୍ତି ତାଜ ଏନଭଲପ୍ସର ମାଲିକ ଏସ. କେ. ଶେଖ

ଓମ ଟ୍ରେଡର୍ସର ଜଣେ କାରିଗର ମକବୁଲ ଅହମ୍ମଦ ଜମାଲୁଦ୍ଦିନ ଶେଖ ବଡ଼ କାଗଜ ପଟ୍ଟିକୁ ଠିକ୍ ଆକୃତି ଓ ଆକାର ଦେବା ପାଇଁ ବ୍ୟବହୃତ ପଞ୍ଚିଂ ମେସିନ ଚଳାଉଛନ୍ତି । ଅଧିକାଂଶ କାର୍ଯ୍ୟଶାଳା ମାଲିକମାନେ ନିଜେ କଟିଂ ଓ ପଞ୍ଚିଂ ମେସିନ ବ୍ୟବହାର କରିଥାନ୍ତି

ପଞ୍ଚିଂ ମେସିନରେ ବିଭିନ୍ନ ଆକୃତି ଓ ଆକାରର ଧାତବ ଫ୍ରେମ (ଡାଇ) ବ୍ୟବହାର କରାଯାଇଥାଏ

ଓମ୍ ଟ୍ରେଡର୍ସର କାରିଗରମାନେ କାଗଜ ପଟ୍ଟିଗୁଡ଼ିକୁ ଗଣୁଛନ୍ତି ଏବଂ ୧୦୦ ଟି ଲେଖାଏଁ ମୋଡ଼ିବା ଲାଗି ସେଗୁଡ଼ିକୁ ଥାକ କରୁଛନ୍ତି

ବଡ଼ ଲଫାପା କାଗଜ ପଟ୍ଟିଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକୃତି ଦେବା ପାଇଁ ମୋଡ଼ିବା ସହିତ କାରିଗରମାନେ ସେମାନଙ୍କର କାର୍ଯ୍ୟାରମ୍ଭ କରିଥାନ୍ତି । ଲଫାପାର ପ୍ରତ୍ୟେକ ଭାଙ୍ଗକୁ ବିଶେଷ ନାମ ଦିଆଯାଇଛି – ମାଥୁ (ଉପର ଭାଙ୍ଗ), ପେଣ୍ଡି (ନିମ୍ନ ଭାଙ୍ଗ), ଧାପା (କଡ଼ ଭାଙ୍ଗ ଯେଉଁଥିରେ ଅଠା ଲଗାଯାଏ), ଖୋଲା (କଡ଼ ଭାଙ୍ଗ ଯାହାକୁ ପୂର୍ବରୁ ଅଠାରେ ଲଗାଯାଇଥିବା ଭାଙ୍ଗ ସହିତ ଲଗାଯାଏ)। ତାଜ ଏନଭଲପ୍ସ୍ର ଭିକାଭାଇ ରାୱଲ ଏକ୍ସରେ ରଖିବା ପାଇଁ ଆବଶ୍ୟକ ଏକ ବଡ଼ ଲଫାପାର ପେଣ୍ଡିକୁ ମୋଡ଼ୁଛନ୍ତି

ସମୀର ଏନଭଲପ୍ସ୍ ଠାରେ ଅବଦୁଲ ମାଜିଦ୍ ଅବଦୁଲ କରିମ୍ ଶେଖ (ବାମ) ଏବଂ ୟୁସୁଫ ଖାନ୍ ଛୋଟୁଖାନ ପଠାନ୍ ଧାରୁଆ କ୍ରିଜ୍ ତିଆରି କରିବା ପାଇଁ ମୋଡ଼ା ହୋଇଥିବା ଢାପା ଓ ପେଣ୍ଡି ଉପରେ ନିଜ ପାପୁଲିର କଡ଼କୁ ଉପଯୋଗ କରୁଛନ୍ତି

ଧ୍ରୁବ ଏନଭଲପ୍ସ୍ ଠାରେ ମହମ୍ମଦ ଇଲିଆସ ଶେଖ ଲଫାପାର ଗୋଟିଏ ଭାଙ୍ଗ କଡ଼ରେ ନିଜର ଫିଷ୍ଟ ଉପଯୋଗ କରୁଛନ୍ତି । ଏକାଥରକେ ସେ ୧୦୦ଟି ଲଫାପା ଉପରେ କାମ କରିଥାନ୍ତି ଏବଂ ନିଜ ପାପୁଲିର ଆଘାତକୁ ଅଣଦେଖା କରି ସେ ପ୍ରାୟ ୧୬ ଥର ଏହି କ୍ରିୟାକୁ ଆବୃତ୍ତି କରିଥାନ୍ତି

ତାଜ ଏନଭଲପ୍ସ୍ ଠାରେ ଅବଦୁଲ ଗଫର ଗୁଲାବଭାଇ ମନସୁରୀ ମାଲ ତୋଡ଼ବାନୋ ପତ୍ଥର (ମୋଡ଼ିବା ପାଇଁ ଏକ ପଥର)କୁ ଭାଙ୍ଗର ତଳ ଭାଗରେ ବ୍ୟବହାର କରୁଛନ୍ତି। ପ୍ରକୃତରେ ଏହି ‘ପଥର’ ହେଉଛି ଖଣ୍ଡେ ଲୁହା ଯାହାର ଓଜନ ପ୍ରାୟ ଦେଢ଼ କିଲୋଗ୍ରାମ ହେବ ଏବଂ ଏହା ତିଆରି ପ୍ରକ୍ରିୟାରେ ଏକ ଜରୁରି ଉପକରଣ ହୋଇଥାଏ

କାରୀଗରମାନେ ସିଲାସ ନାମକ କାଠ ଉପକରଣ ବ୍ୟବହାର କରି ଲଫାପାଗୁଡ଼ିକର ଥାକକୁ ଡାହାଣ ପଟୁ ଟାଣି ସ୍ଲାଇଡ୍ କରି ରଖିଥାନ୍ତି, ଫଳରେ ଏଥିରେ ଅଠା ଲଗେଇବା ସହଜ ହୋଇଥାଏ

ତାଜ ଏନଭଲପ୍ସ୍ ଠାରେ ଅବଦୁଲ ମୁତ୍ତାଲିବ ମହମ୍ମଦ ଇବ୍ରାହିମ ଅନସାରୀ ଏକ ପୁଟଲୋ ବ୍ୟବହାର କରି ଲଫାପା ଉପରେ ଲାଇ (ମଇଦା କିମ୍ବା ତେନ୍ତୁଳି ମଞ୍ଜିରେ ତିଆରି ହୋଇଥିବା ଅଠା) ଲଗାଉଛନ୍ତି । ପୁଟଲୋ ହେଉଛି ରେକ୍ସିନର ଏକ ଖଣ୍ଡ ଭିତରେ ବନ୍ଧା ହୋଇଥିବା କପଡ଼ାର ପତଳା ପଟ୍ଟିକୁ ଉପଯୋଗ କରାଯାଇ ତିଆରି ହୋଇଥିବା ବଣ୍ଡଲ ଭଳି ଉପକରଣ

ଲଫାପା କାଗଜର ଡାହାଣ ଭାଙ୍ଗ ବା ଢାପା ଉପରେ ଅଠା ଲଗାଉଛନ୍ତି ସମିରୁଦ୍ଦିନ ଶେଖ । ସେ ଏକାଥରକେ ୧୦୦ଟି ଲଫାପା ତିଆରି କରିଥାନ୍ତି

ତାଜ ଏନଭଲପ୍ସ୍ ଠାରେ ବାମ ଭାଙ୍ଗ ବା ଖୋଲା ଉପରେ ଅଠା ଲାଗିଥିବା ଡାହାଣ ଭାଙ୍ଗକୁ ଲଗାଇବା ପାଇଁ କାଗଜକୁ ମୋଡ଼ୁଛନ୍ତି ଭିକାଭାଇ ରାୱଲ

ଧ୍ରୁବ ଏନଭଲପ ଠାରେ ଅଠା ଲାଗିଥିବା ପେଣ୍ଡିକୁ ଲଗାଇ ଲଫାପାର ତଳ ଭାଗକୁ ସିଲ୍ କରୁଛନ୍ତି ମହମ୍ମଦ ଇଲିଆସ ଶେଖ

ଓମ୍ ଟ୍ରେଡର୍ସ ଠାରେ କାରିଗରମାନେ ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ବିଶ୍ରାମ ନେଇଛନ୍ତି । ଦିନରେ କେବଳ ଏହି ସମୟରେ ସେମାନଙ୍କର କାମ ବନ୍ଦ ରହିଥାଏ

ଅବଦୁଲ ମୁତ୍ତାଲିବ ମହମ୍ମଦ ଇବ୍ରାହିମ ଅନସାରୀ ଲାମିନେଟ୍ ହୋଇଥିବା ଏକ ବଡ଼ ଆକାରର କଭରକୁ ଦେଖାଉଛନ୍ତି ଯାହାକୁ ସେ ତାଜ୍ ଏନଭଲପ୍ସ ଠାରେ ତିଆରି କରି ଆସୁଛନ୍ତି

ଜଣେ ସାଧାରଣ କାରିଗର ୧୦୦ଟି ଲଫାପା ତିଆରି କରିବା ପାଇଁ ଛଅରୁ ସାତ ମିନିଟ୍ ସମୟ ନେଇଥାନ୍ତି । ସାରଦାବେନ ରାୱଲ (ବାମ) ଗତ ୩୪ ବର୍ଷ ଧରି ଲଫାପା ତିଆରି କରି ଆସୁଛନ୍ତି । ତାଙ୍କ ସ୍ୱାମୀ ମଙ୍ଗଲଦାସ ରାୱଲ (ଡାହାଣ)ଙ୍କ ସହିତ କାମ କରିବା ସମୟରେ ସେ ଏହାକୁ ତିଆରି କରିବା ଶିଖିଥିଲେ

ଗୋଟିଏ ଲଫାପା ତିଆରି କରିବା ସମୟରେ କାରିଗର ଏହାକୁ ହାତରେ ୧୬ ଥର ଧରିଥାନ୍ତି, ତେଣୁ ଆଙ୍ଗୁଠି କଟିଯିବାର ଆଶଙ୍କା ଅଧିକ ଥାଏ । କଲିମ ଶେଖ ତାଙ୍କର ଆଘାତପ୍ରାପ୍ତ ବୁଢ଼ା ଆଙ୍ଗୁଠିକୁ ଦେଖାଉଛନ୍ତି

ଯେତେବେଳେ ଆଘାତପ୍ରାପ୍ତ ଆଙ୍ଗୁଠିରେ ଲାଇ (ହାତ ତିଆରି ଅଠା) ଲାଗିଯାଏ ତାହା ପୋଡ଼ିବା ସହିତ ଖୁବ ଯନ୍ତ୍ରଣା ଦେଇଥାଏ। ଧ୍ରୁବ ଏନଭଲପ୍ସର କଲୀମ ଶେଖ୍ ନିକଟରେ ଆଘାତ ପାଇଥିବା ତାଙ୍କ ଆଙ୍ଗୁଠିକୁ ଦେଖାଉଛନ୍ତି

ତାଜ ଏନଭଲପ୍ସ୍ ଠାରେ ଖୋଲା ଭାଙ୍ଗ ଥିବା ଲଫାପାଗୁଡ଼ିକୁ ସେମାନଙ୍କର ଆକାର ଅନୁଯାୟୀ ଥାକ କରୁଛନ୍ତି ହନିଫ ଖାନ ବିସମିଲ୍ଲା ଖାନ୍ ପଠାନ୍

ମହମ୍ମଦ ହନିଫ ନୁରଗାନି ଉପର ଭାଙ୍ଗକୁ ମୋଡ଼ି ଲଫାପାର ମୁହଁକୁ ବନ୍ଦ କରୁଛନ୍ତି । ସେ ବର୍ତ୍ତମାନ ଲଫାପା କାରିଗର ଶ୍ରମିକ ସଂଘର ସଭାପତି ଅଛନ୍ତି

ପ୍ରସ୍ତୁତ ହୋଇ ସାରିଥିବା ୧୦୦ଟି ଲେଖାଏଁ ଲଫାପାକୁ ବିଡ଼ା ବାନ୍ଧି ପ୍ୟାକିଂ କରୁଛନ୍ତି ହନିଫ ପଠାନ୍

ଫଟୋ. ସାରଦାବେନ ରାୱଲ ଏକ ବାକ୍ସରେ ଲଫାପାଗୁଡ଼ିକୁ ରଖୁଛନ୍ତି । ତାଙ୍କୁ ଛାଡ଼ି ଦେଲେ ଅହମ୍ମବାଦରେ ଥିବା ୩୫ଟି ଲଫାପା କାର୍ଯ୍ୟଶାଳାରେ କେହି ଜଣେ ହେଲେ ମହିଳା କାମ କରୁନାହାନ୍ତି

ଫଟୋ. ଧ୍ରୁବ ଏନଭଲପସର ମାଲିକ ଜିତେନ୍ଦ୍ର ରାୱଲଙ୍କୁ ସେମାନଙ୍କ କାର୍ଯ୍ୟ ଉପରେ ଏକ ରିପୋର୍ଟ ଦେଉଛନ୍ତି ରାୱଲ ଦମ୍ପତି। ସେମାନଙ୍କୁ ଶନିବାର ଦିନ ସପ୍ତାହର ବେତନ ମିଳିବ

ଅହମ୍ମଦାବାଦରେ ଦୁଇଟି ଶ୍ରମିକ ସଂଗଠନ ଓ ନିର୍ମାତାମାନଙ୍କ ମଧ୍ୟରେ ଆଲୋଚନା ପରେ ଜାନୁଆରୀ ୧, ୨୦୨୨ ଠାରୁ ଡିସେମ୍ବର ୩୧, ୨୦୨୩ ମଧ୍ୟରେ କାରୀଗର ଶ୍ରମିକମାନଙ୍କ ମଜୁରି ବୃଦ୍ଧିକୁ ଦର୍ଶାଉଥିବା ଏକ ଦସ୍ତାବିଜର ଫଟୋ । ୨୦୨୨ରେ, ଲଫାପା ଦାମ୍ ୬ ପ୍ରତିଶତ ବୃଦ୍ଧି ପାଇଥିଲା
ଏହି ଷ୍ଟୋରୀ ପାଇଁ ଖବର ସଂଗ୍ରହରେ ସହାୟତା ନିମନ୍ତେ ହୋଜେଫା ଉଜ୍ଜୟିନୀଙ୍କୁ ଲେଖକ ଧନ୍ୟବାଦ ଜଣାଇଛନ୍ତି
ଅନୁବାଦ : ଓଡ଼ିଶାଲାଇଭ୍