ପ୍ରତ୍ୟେକ ସନ୍ଧ୍ୟାରେ, ପାଖାପାଖି ୫ଟାରେ କାମରୁ ଫେରିବା ପରେ ଡାକ୍ତର ଶବନମ ୟାସ୍ମୀନ ସିଧାସଳଖ ନିଜର ଫିକାବାଦାମୀ ରଙ୍ଗ ଘରର ଛାତ ଉପରକୁ ଚାଲିଯାଇଥାନ୍ତି। ସେଠାରେ ସେ ସ୍ନାନ କରିଥାନ୍ତି, କଲମ ଓ ଡାଏରୀ ସହିତ ନିଜର କାର୍ଯ୍ୟସ୍ଥଳକୁ ନେଇଥିବା ସବୁ ଜିନିଷକୁ ଜୀବାଣୁମୁକ୍ତ କରିଥାନ୍ତି, ନିଜର ପୋଷାକ ଧୋଇଥାନ୍ତି (ଏ ସବୁ ପାଇଁ ଛାତକୁ ବ୍ୟବସ୍ଥିତ କରାଯାଇଛି), ଏବଂ ଏହାପରେ ନିଜ ପରିବାର ସହିତ ରହିବା ଲାଗି ତଳକୁ ଆସିଥାନ୍ତି। ଏହି ଦିନଚର୍ଯ୍ୟା ସେ ଗତ ଏକ ବର୍ଷ ଧରି ସମ୍ପୂର୍ଣ୍ଣ ସତର୍କତାର ସହିତ ପାଳନ କରି ଆସୁଛନ୍ତି।
“ମୁଁ ମହାମାରୀ (ଲକଡାଉନ) ସମୟରେ ସମ୍ପୂର୍ଣ୍ଣ ଭାବେ କାମ କରିଥିଲି, ସେତେବେଳେ ସବୁକିଛି ବନ୍ଦ ଥିଲା, ଏପରିକି ଘରୋଇ ଡାକ୍ତରଖାନା ମଧ୍ୟ। ପରୀକ୍ଷାରେ ମୁଁ କେବେ ବି ପଜିଟିଭ୍ ଚିହ୍ନଟ ହୋଇନାହିଁ, ଅନ୍ୟପଟେ ମୋର କିଛି ସହଯୋଗୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଆମେ ଡାକ୍ତରଖାନାରେ ଦୁଇ ଜଣ କୋଭିଡ-୧୯ ପଜିଟିଭ ଗର୍ଭବତୀଙ୍କୁ ସଫଳତାପୂର୍ବକ ପ୍ରସବ କରାଇପାରିଥିଲୁ”, ୪୫ ବର୍ଷୀୟା ଡାକ୍ତର ୟାସ୍ମୀନ କହିଥାନ୍ତି, ଯିଏକି ଉତ୍ତର-ପୂର୍ବ ବିହାରର କିଷନଗଞ୍ଜ ସହରରେ ନିଜ ଘରଠାରୁ ପାଖାପାଖି ଏକ କିଲୋମିଟର ଦୂର, ସଦର ଡାକ୍ତରଖାନାରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ସର୍ଜନ ଭାବେ କାମ କରୁଛନ୍ତି।
ଶବନମଙ୍କର ସବୁକିଛି ବାଜିରେ ଲାଗିଛି। ସେ କରୋନା ଭୂତାଣୁର ବାହକ ହେବାର ବିପଦ ମୁଣ୍ଡାଇ ପାରନ୍ତି। ତାଙ୍କର ମା’ ଓ ପିଲାମାନେ-୧୮ ଓ ୧୨ ବର୍ଷର ଦୁଇ ପୁଅ ଘରେ ଅଛନ୍ତି। ଏବଂ ତାଙ୍କ ପତି ୫୩ ବର୍ଷୀୟ ଇରତଜା ହସନ କିଡନୀ ରୋଗରୁ ଭଲ ହେଉଛନ୍ତି ଏବଂ ତାଙ୍କୁ ଦୁଇଗୁଣା ସତର୍କ ରହିବାର ଆବଶ୍ୟକତା ରହିଛି। “ମୁଁ ମୋର ମା’, ଅଜରା ସୁଲତାନାଙ୍କ କାରଣରୁ (ଗତ ଗୋଟିଏ ବର୍ଷ ଧରି) କାମ କରିପାରୁଛି, ନହେଲେ ସବୁକିଛି ମୁଁ ହିଁ କରୁଥିଲି-ଡାକ୍ତର, ଗୃହିଣୀ, ଶିକ୍ଷୟିତ୍ରୀ, ଟ୍ୟୁଟର”, ୟାସ୍ମୀନ କୁହନ୍ତି।
୨୦୦୭ରେ ମୁଁ ନିଜର ଡାକ୍ତରୀ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରଠାରୁ ଜୀବନ ଏପରି ଚାଲୁଛି। “ମୁଁ ଏମବିବିଏସର ଶେଷ ବର୍ଷରେ ଗର୍ଭବତୀ ଥିଲି। ବାହାଘର ପରେ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ମୁଁ କେବେ ବି ନିଜ ପରିବାର ସହିତ ରହିନଥିଲି। ମୋ ପତି ଜଣେ ଓକିଲ ଥିଲେ ଓ ସେ ପାଟନାରେ ଓକିଲାତି କରୁଥିଲେ। ମୋତେ ଯେଉଁଠିକୁ ପଠାଯାଉଥିଲା ମୁଁ ସେଠାରେ ଚିକିତ୍ସା କରୁଥିଲି”, ୟାସ୍ମିନ କୁହନ୍ତି।
ସଦର ଡାକ୍ତରଖାନାରେ ନିଯୁକ୍ତି ପାଇବା ପୂର୍ବରୁ ଡାକ୍ତର ଶବନମ୨୦୧୧ରେ ଠାକୁରଗଞ୍ଜ ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ନିୟୋଜିତ ଥିଲେ, ଯାହା ତାଙ୍କ ଘର ଠାରୁ ପାଖାପାଖି ୪୫ କିମି ଦୂର। ସେ ୨୦୦୩ରେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସରୁ ଏମବିବିଏସ ଡିଗ୍ରୀ ଏବଂ ୨୦୦୭ରେ ପାଟନା ମେଡ଼ିକାଲ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିବା ପରେ କିଛି ବର୍ଷ ପର୍ଯ୍ୟନ୍ତ ଡାକ୍ତର ଭାବେ ଘରୋଇ ଚିକିତ୍ସା ଜାରି ରଖିଥିଲେ। ଏହାପରେ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ। ଠାକୁରଗଞ୍ଜ ପିଏଚସି ପର୍ଯ୍ୟନ୍ତ ପହଞ୍ଚିବା ଲାଗି ତାଙ୍କୁ ନିଜର ସାନ ନବଜାତ ଶିଶୁକୁ ମା’ଙ୍କ ପାଖରେ ଛାଡ଼ିବାକୁ ପଡ଼ୁଥିଲା ଓ ଲୋକାଲ ବସ୍ରେ ଯିବାଆସିବା କରିବାକୁ ପଡ଼ିଥିଲା। ଏହା କଠିନ ଓ କଠୋର ଥିଲା, ସେଥିପାଇଁ ନଅ ମାସ ପରେ ସେ ନିଜ ମା’ ଓ ପିଲାମାନଙ୍କ ସହିତ ଠାକୁରଗଞ୍ଜ ସ୍ଥାନାନ୍ତରିତ ହୋଇଗଲେ। ତାଙ୍କ ପତି ଇରତଜା ପାଟନାରେ ହିଁ ରହୁଥିଲେ ଏବଂ ପ୍ରତ୍ୟେକ ମାସ ସେମାନଙ୍କ ପାଖକୁ ଯାଉଥିଲେ।
![Dr. Shabnam Yasmin and women waiting to see her at Sadar Hospital: 'I worked throughout the pandemic [lockdown], when everything was shut...'](/media/images/2a-IMG_20201022_111942-AB.max-1400x1120.jpg)
![Dr. Shabnam Yasmin and women waiting to see her at Sadar Hospital: 'I worked throughout the pandemic [lockdown], when everything was shut...'](/media/images/2b-IMG_20201022_112255-AB.max-1400x1120.jpg)
ଡାକ୍ତର ଶବନମ ୟାସ୍ମୀନ ଓ ସଦର ଡାକ୍ତରଖାନାରେ ତାଙ୍କୁ ଦେଖାଇବା ଲାଗି ଆସି ଅପେକ୍ଷା କରିଥିବା ମହିଳାମାନେ : “ମୁଁ ମହାମାରୀ (ଲକଡାଉନ)ରେ ସମ୍ପୂର୍ଣ୍ଣ ଭାବେ କାମ କରିଥିଲି, ଯେତେବେଳେ ସବୁକିଛି ବନ୍ଦ ଥିଲା...”
ମୋ ପତି ମୋତେ ସହଯୋଗ କରୁଥିଲେ, କିନ୍ତୁ ଦିନରେ ଦୁଇଥର ଯାତ୍ରା କରିବା ଭୟାନକ ଥିଲା ଏବଂ ସେହି ଜୀବନ କଠିନ ଥିଲା। ସବୁଠୁ ଖରାପ କଥା ଥିଲା ମୁଁ କିଛି ବି କାମ କଷ୍ଟରେ କରୁଥିଲି। ମୁଁ ଜଣେ ସର୍ଜନ। କିନ୍ତୁ ମୁଁ ଅପରେସନ କରିପାରୁନଥିଲି। ଉପକରଣ ମାମଲାରେ ସେଠାରେ (ପିଏଚସିରେ) କିଛି ନଥିଲା, ବ୍ଲଡ ବ୍ୟାଙ୍କ, କିମ୍ବା ନିଶ୍ଚେତକ ନଥିଲେ। ପ୍ରସବରେ ଜଟିଳତା ଦେଖାଦେଲେ, ମୁଁ ରେଫର କରିବା ବ୍ୟତୀତ କିଛି ବି କରିପାରୁନଥିଲି। ମୁଁ ସିଜେରିୟନ ମଧ୍ୟ କରିପାରୁନଥିଲି। କୌଣସି ହସ୍ତକ୍ଷେପ ନୁହେଁ, (କେବଳ ସେମାନଙ୍କୁ ଏହା କହିବାର ଥିଲା) ଏକ ବସ ଧରି (ନିକଟସ୍ଥ ଡାକ୍ତରଖାନାକୁ) ଚାଲିଯାଅ”, ୟାସ୍ମୀନ ସେ ସମୟକୁ ସ୍ମରଣ କରି କହିଥାନ୍ତି।
କିଶନଗଞ୍ଜ ଜିଲ୍ଲାର ସଦର ଡାକ୍ତରଖାନାରେ ସେମାନଙ୍କ ପରାମର୍ଶ କକ୍ଷ ବାହାରେ ପାଖାପାଖି ୩୦ ଜଣ ମହିଳା ସେମାନଙ୍କୁ ଦେଖା କରିବା ଲାଗି ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ମହିଳା ଡାକ୍ତରଙ୍କ ସହିତ ଆଲୋଚନା କରିବା ଏବଂ ପରୀକ୍ଷା କରାଇବା ପାଇଁ ଚାହୁଁଛନ୍ତି। ଡାକ୍ତରଖାନାରେ ଦୁଇ ଜଣ ଡାକ୍ତର ଅଛନ୍ତି-ଡାକ୍ତର ଶବନମ ୟାସ୍ମୀନ ଏବଂ ଡାକ୍ତର ପୁନମ (ଯିଏକି କେବଳ ନିଜ ପ୍ରଥମ ନାମ ଉପଯୋଗ କରିଥାନ୍ତି), ଦୁହେଁ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗର ଡାକ୍ତର। ଦୁଇ ଡାକ୍ତରଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରତିଦିନ ୪୦-୪୫ ରୋଗୀଙ୍କ ଚିକିତ୍ସା କରିଥାନ୍ତି, ତଥାପି କିଛି ମହିଳା ଅପେକ୍ଷା କରିଥିବା ଅଞ୍ଚଳରେ ସୀମା ଅତିରିକ୍ତ ଭିଡ଼ ଯୋଗୁଁ ଡାକ୍ତରଙ୍କୁ ଦେଖାଇ ନପାରି ଘରକୁ ଫେରିଯାଇଥାନ୍ତି।
ଦୁଇ ଡାକ୍ତର ସପ୍ତାହକୁ ମାତ୍ର ୪୮ ଘଣ୍ଟା କାମ କରିବା କଥା, କିନ୍ତୁ ଅଧିକାଂଶ ସମୟରେ ଏହା କେବଳ ଏକ ସଂଖ୍ୟା ହୋଇ ରହିଯାଇଥାଏ। “ସର୍ଜନଙ୍କ ସଂଖ୍ୟା କମ୍ ଅଛି, ସେଥିପାଇଁ ଯେଉଁଦିନ ଆମେ ଅସ୍ତ୍ରୋପଚାର କରିଥାଉ, ଆମେ ଗଣନା ଭୁଲି ଯାଇଥାଉ। ଯୌନ ଉତ୍ପୀଡ଼ନ କିମ୍ବା ବଳାତ୍କାର ସମ୍ବନ୍ଧୀୟ ମାମଲା ଥିଲେ ମୋତେ ଅଦାଲତ ଯିବାକୁ ପଡ଼ିଥାଏ। ସାରା ଦିନ ସେଥିରେ ବିତିଯାଏ। ଫାଇଲ କରିବା ଲାଗି ପୁରୁଣା ରିପୋର୍ଟ ରହିଛି ଏବଂ ସର୍ଜନ ଭାବେ ଆମକୁ ସବୁବେଳେ ଡକରା ପଡ଼ିଥାଏ”, ୟାସ୍ମୀନ କୁହନ୍ତି। କିଷନଗଞ୍ଜ ଜିଲ୍ଲାର ସାତଟି ପିଏଚସି, ଏକ ରେଫରାଲ ସେଣ୍ଟର ଓ ସଦର ଡାକ୍ତରଖାନାର ଯେଉଁ ଡାକ୍ତରଙ୍କ ସହିତ ମୁଁ କଥା ହେଲି, ସେମାନଙ୍କ ଅନୁମାନ ଅନୁଯାୟୀ, ସମ୍ପୂର୍ଣ୍ଣ ଜିଲ୍ଲାରେ ପାଖାପାଖି ୬-୭ ଜଣ ମହିଳା ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ଅଧା (ୟାସ୍ମୀନଙ୍କୁ ଛାଡ଼ି) ଚୁକ୍ତି ଭିତ୍ତିରେ କାମ କରୁଛନ୍ତି।
ସେମାନଙ୍କ ରୋଗୀ- ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କିଶନଗଞ୍ଜର ହୋଇଥାନ୍ତି, କିଛି ପଡ଼ୋଶୀ ଅରରିୟା ଜିଲ୍ଲାରୁ ଏବଂ ଆଉ କିଛି ପଶ୍ଚିମବଙ୍ଗରୁ ମଧ୍ୟ- ମୁଖ୍ୟତଃ ନିୟମିତ ଗର୍ଭାବସ୍ଥା-ସମ୍ବନ୍ଧୀୟ ଯାଞ୍ଚ ଓ ପ୍ରସବ-ପୂର୍ବ ଚିକିତ୍ସା ପାଇଁ, ପେଟ ଯନ୍ତ୍ରଣା, ପେଲଭିକ ସଂକ୍ରମଣ, ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା ଓ ବନ୍ଧ୍ୟାଦୋଷ ଅଭିଯୋଗ ନେଇ ଆସିଥାନ୍ତି। “ମହିଳାମାନେ, ଯେକୌଣସି କାରଣରୁ ଏଠାକୁ ଆସିଥାନ୍ତୁ ନା କାହିଁକି, ସେମାନଙ୍କ ଠାରେ ଆନିମିଆ ଥିବାର ମୁଁ ଜାଣିପାରିଥାଏ। ଆଇରନ ବଟିକା (ପିଏଚସି ଓ ଡାକ୍ତରଖାନାରେ) ମାଗଣାରେ ଉପଲବ୍ଧ, ତଥାପି ନିଜ ସ୍ୱାସ୍ଥ୍ୟକୁ ନେଇ ସେମାନଙ୍କ ମଧ୍ୟରେ ସଚେତନତା ଓ ଯତ୍ନର ଅଭାବ ରହିଛି”, ୟାସ୍ମୀନ କହିଥାନ୍ତି।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନଏଫଏଚଏସ-୪, ୨୦୧୫-୧୬ ) ଦ୍ୱାରା ପ୍ରସ୍ତୁତ ତଥ୍ୟ ଡାକ୍ତର ୟାସ୍ମୀନଙ୍କ ଅବଲୋକନକୁ ସମର୍ଥନ କରିଥାଏ: କିଷନଗଞ୍ଜ ଜିଲ୍ଲାରେ ୧୫-୪୯ ବର୍ଷର ଆୟୁ ବର୍ଗର ୬୭.୬ ପ୍ରତିଶତ ମହିଳା ଆନିମିଆରେ ପୀଡ଼ିତ। ୧୫-୪୯ ବର୍ଷର ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଏହି ହାର ଅପେକ୍ଷାକୃତ କମ୍, ଅର୍ଥାତ୍ ୬୨ ପ୍ରତିଶତ। ଆହୁରି ମାତ୍ର ୧୫.୪ ପ୍ରତିଶତ ମହିଳା ଗର୍ଭବତୀ ହେବା ସମୟରେ ୧୦୦ ଦିନ କିମ୍ବା ତା’ଠାରୁ ଅଧିକ ଦିନ ପାଇଁ ଆଇରନ ଫୋଲିକ ଏସିଡ ସେବନ କରିପାରିଛନ୍ତି।


କିଷନଗଞ୍ଜ ଜିଲ୍ଲାରେ ମାତ୍ର ୩୩ . ୬ ପ୍ରତିଶତ ଶିଶୁଙ୍କ ଜନ୍ମ ସଂସ୍ଥାଗତ ମାଧ୍ୟମରେ ହୋଇଥାଏ। ବେଲୱା ପିଏଚସି (ଡାହାଣ)ରେ ନିୟୋଜିତ ଡାକ୍ତର ଆସିୟାନ ନୁରୀ (ବାମ) କୁହନ୍ତି, ଏହାର ଏକ ବଡ଼ କାରଣ ହେଉଛି ଅଧିକାଂଶ ପୁରୁଷ କାମ କରିବା ଲାଗି ସହରରେ ରହିଥାନ୍ତି।
“ମହିଳାମାନଙ୍କର ସ୍ୱାସ୍ଥ୍ୟ ପ୍ରତି କୌଣସି ପ୍ରାଥମିକତା ଦିଆଯାଏ ନାହିଁ। ସେମାନେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତି ନାହିଁ, ବାହାଘର ଶୀଘ୍ର ହୋଇଯାଇଥାଏ ଏବଂ ପ୍ରଥମ ଶିଶୁକୁ ଗୋଟିଏ ବର୍ଷର ହେବା ପୂର୍ବରୁ ସେମାନେ ପୁଣିଥରେ ଗର୍ଭବତୀ ହୋଇଯାଆନ୍ତି। ଦ୍ୱିତୀୟ ଶିଶୁ ଜନ୍ମ ନେବା ପରେ, ମା’ ଏତେ ଦୁର୍ବଳ ହୋଇଯାଏ ଯେ ତା’ ପକ୍ଷେ ଠିକରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼େ”, ସଦର ଡାକ୍ତରଖାନାଠାରୁ ପାଖାପାଖି ୧୦ କିମି ଦୂର, ସେହି ବ୍ଲକର ବେଲୱା ପିଏଚସିରେ ନିୟୋଜିତ ୩୮ ବର୍ଷୀୟା ଡାକ୍ତର ଆସିୟାନ ନୁରୀ କହିଥାନ୍ତି। ଆହୁରି ବେଳେ ବେଳେ, ମା’ ଯେତେବେଳେ ଦ୍ୱିତୀୟ ଶିଶୁକୁ ଜନ୍ମ ଦେବା ଲାଗି ଡାକ୍ତରଖାନାକୁ ଆସିଥାଏ, ତାଙ୍କୁ ବଞ୍ଚାଇବା ଲାଗି ବହୁତ ଡେରି ହୋଇଯାଇଥାଏ।
“ପୂର୍ବରୁ ମହିଳା ଡାକ୍ତରମାନଙ୍କର ଅଭାବ ରହିଛି। ଯଦି ଆମେ ରୋଗୀଙ୍କୁ ଦେଖିନପାରିଲୁ, କିମ୍ବା କୌଣସି ରୋଗୀଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ହଙ୍ଗାମା ହୋଇଯାଇଥାଏ”, ୟାସ୍ମୀନ କୁହନ୍ତି। ଏଥିସହିତ ସେ ମଧ୍ୟ କୁହନ୍ତି ଯେ କେବଳ ପରିବାରର ସଦସ୍ୟମାନେ ଏପରି କରିନଥାନ୍ତି, ବରଂ “ନକଲି ଡାକ୍ତର”ମାନଙ୍କର ସିଣ୍ଡିକେଟ ବା ସେହି କ୍ଷେତ୍ରରେ କାମ କରୁଥିବା ଅଯୋଗ୍ୟ ଚିକିତ୍ସକମାନେ ମଧ୍ୟ ସେମାନଙ୍କୁ ଧମକ ଦେଇଥାନ୍ତି। “ଆପଣ ତାଙ୍କୁ ଛୁଇଁଲେ ତ’ ଦେଖିଲେ କ’ଣ ହେଲା”, ଏକ ଶିଶୁର ଜନ୍ମ ସମୟରେ ତା’ ମା’ର ମୃତ୍ୟୁ ହେବାରୁ ସେହି ପରିବାରର ଜଣେ ସଦସ୍ୟ ୟାସ୍ମୀନଙ୍କୁ କହିଥିଲେ।
ଏନଏଫଏଚଏସ-୪ ଅନୁଯାୟୀ, କିଷନଗଞ୍ଜ ଜିଲ୍ଲାରେ ମାତ୍ର ୩୩.୬ ପ୍ରତିଶତ ଶିଶୁଙ୍କ ଜନ୍ମ ସରକାରୀ ଡାକ୍ତରଖାନାରେ ସଂସ୍ଥାଗତ ମାଧ୍ୟମରେ ହୋଇଥାଏ। ଡାକ୍ତର ନୁରୀ କୁହନ୍ତି, ଏହାର ଏକ ବଡ଼ କାରଣ ହେଉଛି ଅଧିକାଂଶ ପୁରୁଷ କାମ କରିବା ଲାଗି ସହରରେ ରୁହନ୍ତି। “ଏପରି କ୍ଷେତ୍ରରେ, ମହିଳାଙ୍କ ପାଇଁ ପ୍ରସବ ସମୟରେ ଯିବାଆସିବା କରିବା ସମ୍ଭବ ନୁହେଁ, ସେଥିପାଇଁ ଶିଶୁଙ୍କ ଜନ୍ମ ଘରେ ହିଁ ହୋଇଥାଏ।” ସେ ଓ ଏଠାକାର ଅନ୍ୟ ଡାକ୍ତରମାନଙ୍କ ଆକଳନ ଅନୁଯାୟୀ, କିଷନଗଞ୍ଜ ଜିଲ୍ଲାର ତିନୋଟି ବ୍ଲକ-ପୋଠିୟା, ଦିଘଲବାଙ୍କ ଓ ଟେଢ଼ାଗାଚ୍ଛ (ଏଗୁଡ଼ିକରେ ସବୁ ପିଏଚସି ଅଛି)ରେ ଅଧିକାଂଶ ପିଲାଙ୍କ ଜନ୍ମ ଘରେ ହୋଇଥାଏ। ଏହି ବ୍ଲକଗୁଡ଼ିକ ଠାରୁ ସଦର ଡାକ୍ତରଖାନା କିମ୍ବା ଘରୋଇ କ୍ଲିନିକ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ତୁରନ୍ତ ପରିବହନ ବ୍ୟବସ୍ଥାର ଅଭାବ ରହିଛି, ରାସ୍ତାରେ ଛୋଟ ନଦୀ ପଡ଼ୁଥିବା କାରଣରୁ ମହିଳା ଓ ସେମାନଙ୍କ ପରିବାର ଲାଗି ଡାକ୍ତରଖାନାରେ ପହଞ୍ଚିବା କଷ୍ଟକର ହୋଇଯାଇଥାଏ।
୨୦୨୦ରେ, ମହାମାରୀ କାରଣରୁ ଜାରି ଲକଡାଉନ ଏବଂ ଏହାପରେ, କିଷନଗଞ୍ଜ ଜିଲ୍ଲାରେ ସଂସ୍ଥାଗତ ପ୍ରସବ ସଂଖ୍ୟାରେ ଆହୁରି ହ୍ରାସ ଘଟିଥିଲା। ବାହନ ଯାତାୟାତ ଉପରେ ଅଙ୍କୁଶ ଓ ଡାକ୍ତରଖାନାରେ ଭୂତାଣୁ ସଂକ୍ରମଣ ଆଶଙ୍କା କାରଣରୁ ମହିଳାମାନେ ଡାକ୍ତରଖାନାଠାରୁ ଦୂରରେ ରହିଥିଲେ।

କିଷନଗଞ୍ଜ ପୋଠିୟା ବ୍ଲକର ଚତ୍ତରଗାଚ୍ଛ ରେଫରାଲ ସେଣ୍ଟରରେ ଡାକ୍ତର ମନ୍ତସା : ‘ ମୋ ଦିନର ଏକ ବଡ଼ ଭାଗ ମହିଳାମାନଙ୍କ ସହିତ ପରିବାର ନିୟୋଜନ ସମ୍ପର୍କରେ ଆଲୋଚନା କରିବାରେ ଚାଲିଯାଇଥାଏ ....’
‘ଯେତେବେଳେ ଆମେ ମା’ ଓ ବାପାମାନଙ୍କୁ ଗର୍ଭନିରୋଧକ ବିଷୟରେ ବୁଝାଇଥାଉ, ସେତେବେଳେ (ପରିବାରର) ବୟସ୍କ ମହିଳାମାନେ ଏହାକୁ ପସନ୍ଦ କରନ୍ତି ନାହିଁ। ମୋ ଉପରେ ଚିଲ୍ଲାଇଥାନ୍ତି, ଏବଂ ଯେତେବେଳେ ମୁଁ କଥାବାର୍ତ୍ତା କରିବାକୁ ଆରମ୍ଭ କରିଥାଏ, ସେତିକିବେଳେ ମା’ କିମ୍ବା ଦମ୍ପତିଙ୍କୁ ସେଠାରୁ ଚାଲିଯିବା ଲାଗି କୁହାଯାଇଥାଏ। ଏହା ଶୁଣି ଭଲ ଲାଗିନଥାଏ...’
“କିନ୍ତୁ ଏଥିରେ ଏବେ ସୁଧାର ଆସିଛି”, କିଷନଗଞ୍ଜ ଜିଲ୍ଲା ମୁଖ୍ୟାଳୟଠାରୁ ୩୮ କିଲୋମିଟର ଦୂର, ପୋଠିୟା ବ୍ଲକର ଚତ୍ତର ଗାଚ୍ଛ ରେଫରାଲ ସେଣ୍ଟର/ମାତୃ ଓ ଶିଶୁ କଲ୍ୟାଣ କେନ୍ଦ୍ରରେ ନିୟୋଜିତ ୩୬ ବର୍ଷୀୟା ଡାକ୍ତର ମନ୍ତସା କହିଥାନ୍ତି। ସେ ମଧ୍ୟ ସେହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ଡାକ୍ତର ୟାସ୍ମୀନ ନିଜ କ୍ୟାରିଅରର ଆରମ୍ଭରେ ସମ୍ମୁଖୀନ ହୋଇଥିଲେ-ନିଜ ପରିବାର ଠାରୁ ଦୂରରେ ରହିବା ଏବଂ କଠିନ ପରିସ୍ଥିତିରେ ଯାତ୍ରା କରିବା। ତାଙ୍କର ପତି ଭାଗଲପୁରରେ ରହିଥାନ୍ତି ଏବଂ ସେଠାରେ କାମ କରିଥାନ୍ତି, ଏବଂ ତାଙ୍କର ଏକମାତ୍ର ପୁଅ କଟିହାର ଜିଲ୍ଲାରେ ନିଜ ଅଜା-ଆଈଙ୍କ ସହିତ ରହୁଛି।
“ମୋ ଦିନର ଏକ ବଡ଼ ଭାଗ ମହିଳାମାନଙ୍କୁ ପରିବାର ନିୟୋଜନ, ଗର୍ଭନିରୋଧକ ଉପାୟ, ଦୁଇ ଶିଶୁଙ୍କ ମଧ୍ୟରେ ବ୍ୟବଧାନ, ଆହାର ବିଷୟରେ କହିବାରେ ବିତିଯାଇଥାଏ”, ଡାକ୍ତର ମନ୍ତସା (ଯିଏ କେବଳ ନିଜ ଉପନାମ ଉପଯୋଗ କରିଥାନ୍ତି) କହିଥାନ୍ତି। ଗର୍ଭନିରୋଧକ ବିଷୟରେ କଥାବାର୍ତ୍ତା ଆରମ୍ଭ କରିବା ଏକ କଠିନ କାମ-ଏନଏଫଏଚଏସ-୪ ଅନୁଯାୟୀ, କିଷନଗଞ୍ଜରେ ବର୍ତ୍ତମାନ ବିବାହିତା ମହିଳାମାନଙ୍କ ମଧ୍ୟରୁ ମାତ୍ର ୧୨.୨ପ୍ରତିଶତ ପରିବାର ନିୟୋଜନର କୌଣସି ଏକ ଉପାୟ କରିଥାନ୍ତି, ମାତ୍ର ୮.୬ ପ୍ରତିଶତ ମାମଲାରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଗର୍ଭନିରୋଧକ ଉପଯୋଗ କରିନଥିବା କୌଣସି ମହିଳାଙ୍କ ସହିତ ପରିବାର ନିୟୋଜନ ବିଷୟରେ ଆଲୋଚନା କରିଥିଲେ।
“ଆମେ ଯେତେବେଳେ ମା’ ଓ ବାପାଙ୍କୁ ଗର୍ଭନିରୋଧକ ବିଷୟରେ ବୁଝାଇଥାଉ, ସେତେବେଳେ (ପରିବାରର) ବୁଢ଼ୀ ମହିଳାମାନେ ଏହାକୁ ପସନ୍ଦ କରିନଥାନ୍ତି। ମୋ ଉପରେ ଚିଲ୍ଲାଇଥାନ୍ତି, ଏବଂ ମୁଁ ଯେତେବେଳେ କଥାବାର୍ତ୍ତା କରିବା ଆରମ୍ଭ କରିଥାଏ, ସେତିକିବେଳେ ମା’ କିମ୍ବା ଦମ୍ପତିଙ୍କୁ (କ୍ଲିନିକ ପର୍ଯ୍ୟନ୍ତ ସେମାନଙ୍କ ସହିତ ଆସୁଥିବା ବୟସ୍କା ମହିଳାମାନେ) ସେଠାରୁ ଚାଲିଯିବାକୁ କହିଥାନ୍ତି। ଏହା ଶୁଣି ଭଲ ଲାଗିନଥାଏ, କିନ୍ତୁ ଆମକୁ ଆମ କାମ କରିବାକୁ ପଡ଼ିଥାଏ”, ଡାକ୍ତର ମନ୍ତସା କହିଥାନ୍ତି, ଯିଏକି ଡାକ୍ତର ୟାସ୍ମୀନଙ୍କ ଭଳି ନିଜ ପରିବାରରେ ପ୍ରଥମ ଡାକ୍ତର।
“ମୋର ଦିବଙ୍ଗତ ପିତା, ସୟଦ କୁତୁବଦ୍ଦୀନ ଅହମ୍ମଦ, ମୁଜାଫରପୁରର ଏକ ସରକାରୀ ଡାକ୍ତରଖାନାରେ ପାରାମେଡ଼ିକାଲ କର୍ମଚାରୀ ଥିଲେ। ସେ କହୁଥିଲେ ଯେ ମହିଳା ଡାକ୍ତର ରହିବା ଉଚିତ, ତା’ହେଲେ ଯାଇ ମହିଳାମାନେ ଆସିବେ। ମୁଁ ହୋଇଗଲି”, ଡାକ୍ତର ୟାସ୍ମୀନ କହିଥାନ୍ତି, “ଏବଂ ଆମର ଏଠି ଆହୁରି ମହିଳା ଡାକ୍ତରଙ୍କର ଆବଶ୍ୟକତା ରହିଛି।”
ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଗ୍ରାମୀଣ ଭାରତର କିଶୋରୀ ତଥା ଅଳ୍ପ ବୟସ୍କା ମହିଳାମାନଙ୍କ ଉପରେ ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସମର୍ଥିତ ଏକ ପ୍ରୟାସର ଅଂଶବିଶେଷ , ଯାହାଫଳରେ ସାଧାରଣ ଲୋକମାନଙ୍କର ସ୍ୱର ଏବଂ ସେମାନଙ୍କର ଜୀବନ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ସମୁଦାୟର ସ୍ଥିତି ସମ୍ପର୍କରେ ଜାଣି ହେବ।
ଏହି ଲେଖା ପ୍ରକାଶିତ କରିବାକୁ ଚାହୁଁଛନ୍ତି କି? ଦୟାକରି zahra@ruralindiaonline.org କୁ ଲେଖନ୍ତୁ ଏବଂ ଏହାର ଏକ କପି namita@ruralindiaonline.org କୁ ପଠାନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍