କିଛି ବର୍ଷ ପୂର୍ବରୁ ଗୋଟିଏ ଏକର ଜମିରେ କିଏ ଅଧିକ ଆଖୁ ଫସଲ ଅମଳ କରିପାରିବ ତା’କୁ ନେଇ ମହାରାଷ୍ଟ୍ରର ହାଟକାନଙ୍ଗଲେ ତାଲୁକାର ଖୋଚି ଗ୍ରାମରେ ଥିବା ଚାଷୀମାନେ ପରସ୍ପରର ସହ ପ୍ରତିଯୋଗିତା କରୁଥିଲେ। ଗାଁ ଲୋକମାନେ କୁହନ୍ତି ଯେ ଏହି ପରମ୍ପରା ପ୍ରାୟ ଛଅ ଦଶନ୍ଧି ଧରି ଚାଲି ଆସୁଥିଲା। ଏହା ଏକ ପ୍ରକାରର ସୁସ୍ଥ ପ୍ରତିଯୋଗିତା ଥିଲା। ଏଥିରେ ସମ୍ପୃକ୍ତ ରହୁଥିବା ପ୍ରତ୍ୟେକ ଚାଷୀଙ୍କୁ ବେଶ ଭଲ ଅମଳ ମିଳୁଥିଲା। କିଛି ଚାଷୀ ଗୋଟିଏ ଏକର ଜମିରୁ ୮୦,୦୦୦-୧୦୦,୦୦୦ କିଲୋଗ୍ରାମ ଫସଲ ଅମଳ କରୁଥିଲେ, ଯାହାକି ସ୍ୱାଭାବିକ ଅମଳଠାରୁ ପ୍ରାୟ ଦେଢ଼ ଗୁଣ ଅଧିକ ଥିଲା।
ହେଲେ ୨୦୧୯ ଅଗଷ୍ଟ ମାସରେ ଆସିଥିବା ବନ୍ୟା ଏହି ପରମ୍ପରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲା। ଏହି ବର୍ଷ ପ୍ରାୟ ୧୦ ଦିନ ଧରି ଗାଁର ଅଧିକାଂଶ ଭାଗ ବନ୍ୟା ଜଳରେ ବୁଡ଼ି ରହିଥିଲା, ଫଳରେ ଗାଁ ଲୋକଙ୍କ ଆଖୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଦୁଇ ବର୍ଷ ପରେ, ଜୁଲାଇ ୨୦୨୧ରେ, ଆସିଥିବା ପ୍ରବଳ ବର୍ଷା ଏବଂ ବନ୍ୟା ପୁଣିଥରେ ଖୋଚି ଗ୍ରାମର ଆଖୁ ଓ ସୋୟାବିନ ଫସଲକୁ ବ୍ୟାପକ ଭାବେ ନଷ୍ଟ କରି ଦେଇଥିଲା।
‘‘ଏବେ, ଚାଷୀମାନେ ଆଉ ପରସ୍ପର ସହ ପ୍ରତିଯୋଗିତା କରୁନାହାନ୍ତି, ବରଂ ସେମାନଙ୍କ ଆଖୁ ଫସଲର ଅତିକମ୍ରେ ଅଧା ଭାଗ ସୁରକ୍ଷିତ ରହୁ ବୋଲି ପ୍ରାର୍ଥନା କରୁଛନ୍ତି’’, ଖୋଚି ଗ୍ରାମର ଭାଗ ଚାଷୀ ଗୀତା ପାଟିଲ (୪୨) କୁହନ୍ତି। ଆଖୁ ଅମଳ ବଢ଼ାଇବା ଲାଗି ସବୁ ଜ୍ଞାନକୌଶଳ ଜାଣିଛନ୍ତି ବୋଲି ଗୀତା ଏକଦା ବିଶ୍ୱାସ କରୁଥିଲେ, କିନ୍ତୁ ଗତ ଦୁଇଟି ବନ୍ୟାରେ ସେ ୮ ଲକ୍ଷ କିଲୋଗ୍ରାମରୁ ଅଧିକ ଆଖୁ ଫସଲ ହରାଇଛନ୍ତି। ‘‘କିଛି ଭୁଲ ହୋଇଯାଇଛି,’’ ସେ କୁହନ୍ତି। ଜଳବାୟୁ ପରିବର୍ତ୍ତନକୁ ସେ ଦାୟୀ କରି ପାରିନଥିଲେ।
‘‘ବୃଷ୍ଟିପାତର ସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି (୨୦୧୯ ବନ୍ୟା ପରଠାରୁ),’’ ସେ କୁହନ୍ତି। ୨୦୧୯ ପର୍ଯ୍ୟନ୍ତ ତାଙ୍କର ଏକ ବ୍ୟବସ୍ଥିତ କାର୍ଯ୍ୟଧାରା ରହିଥିଲା। ପାଖାପାଖି ଅକ୍ଟୋବର-ନଭେମ୍ବର ମାସ ବେଳକୁ, ଆଖୁ ଅମଳ ପରେ, ସେ ଜମିରେ ବିଭିନ୍ନ ପ୍ରକାର ଫସଲ ଯଥା – ସୋୟାବିନ, ଭୁଇମୁଗ (ଚିନାବାଦାମ), ବିଭିନ୍ନ ପ୍ରକାରର ଧାନ, ଶାଲୁ (ହାଇବ୍ରିଡ ଯଅ) କିମ୍ବା ବାଜରା (ପର୍ଲ ମିଲେଟ୍) ଚାଷ କରୁଥିଲେ। ଏହା ଜମିର ପୋଷକ ତତ୍ତ୍ୱକୁ ବଜାୟ ରଖୁଥିଲା। ସେତେବେଳେ ତାଙ୍କ ଜୀବନ ଓ ଜୀବିକାରେ ଏକ ନିର୍ଦ୍ଧାରିତ, ପରିଚିତ ଓ ବ୍ୟବସ୍ଥିତ ଧାରା ରହିଥିଲା। ଯାହା ଏବେ ଆଉ ନାହିଁ।
‘‘ଚଳିତ ବର୍ଷ (୨୦୨୨), ମୌସୁମୀ ଗୋଟିଏ ମାସ ବିଳମ୍ବିତ ହୋଇଥିଲା। କିନ୍ତୁ ବର୍ଷା ଯେତେବେଳେ ଆରମ୍ଭ ହେଲା, ଗୋଟିଏ ମାସ ମଧ୍ୟରେ ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଥିଲା।’’ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଥିଲା ଏବଂ ଅଗଷ୍ଟ ମାସ ସାରା ପ୍ରବଳ ବର୍ଷା ଲାଗି ରହିଥିଲା; ଆଖୁ ଚାଷ ଆରମ୍ଭ କରିଥିବା ଚାଷୀମାନେ ବିପୁଳ କ୍ଷତି ସହିଥିଲେ କାରଣ ଜମିରେ ଅତ୍ୟଧିକ ପାଣି ଜମି ରହିବା କାରଣରୁ ଫସଲ ବଢ଼ିପାରିଲା ନାହିଁ ଓ ନଷ୍ଟ ହୋଇଗଲା। ଏପରିକି ବନ୍ୟା ଜଳସ୍ତର ଆହୁରି ବଢ଼ିବା କାରଣରୁ ଲୋକମାନଙ୍କୁ ନିଜ ଘର ଛାଡ଼ି ଚାଲିଯିବାକୁ ପଞ୍ଚାୟତ ପକ୍ଷରୁ ପରାମର୍ଶ ଦିଆଗଲା।
ସୌଭାଗ୍ୟବଶତଃ, ଗୀତା ଗୋଟିଏ ଏକର ଜମିରେ ଯେଉଁ ଧାନ ଚାଷ କରିଥିଲେ ତାହା ବନ୍ୟା ଦାଉରୁ ବର୍ତ୍ତି ଯାଇଥିଲା ଏବଂ ଆସନ୍ତା ଅକ୍ଟୋବରରେ ସେ ଏଥିରୁ କିଛି ଫସଲ ଅମଳ ଓ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଅକ୍ଟୋବରରେ ଅପ୍ରତ୍ୟାଶିତ ବର୍ଷା (ଏହି ଅଞ୍ଚଳର ଲୋକମାନେ ଏହାକୁ ‘ଧାଗଫୁଟି’ କିମ୍ବା ବାଦଲଫଟା ବର୍ଷା ବୋଲି କୁହନ୍ତି) ହେଲା। ଏଥିରେ କେବଳ କୋହ୍ଲାପୁର ଜିଲ୍ଲାର ୭୮ଟି ଗ୍ରାମରେ ପ୍ରାୟ ଏକ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଥିବା ଟାଇମ୍ସ ଅଫ୍ ଇଣ୍ଡିଆ ରେ ପ୍ରକାଶିତ ରିପୋର୍ଟ ରେ କୁହାଯାଇଥିଲା।
‘‘ଆମେ ପ୍ରାୟ ଅଧା ଧାନ ହରେଇଲୁ,’’ ଗୀତା କୁହନ୍ତି। ସେ ଆହୁରି କୁହନ୍ତି ଯେ, ପ୍ରବଳ ବର୍ଷା ମାଡ଼ ଖାଇଥିବା ଆଖୁ ଏ ବର୍ଷ କମ୍ ଅମଳ ହେବ। ତାଙ୍କର କଷ୍ଟ ଏତିକିରେ ସରିଲା ନାହିଁ। ‘‘ଭାଗ ଚାଷୀ ଭାବେ, ଆମକୁ ଜମି ମାଲିକଙ୍କୁ ୮୦ ପ୍ରତିଶତ ଫସଲ ଦେବାକୁ ପଡ଼ିଥାଏ,’’ ସେ କୁହନ୍ତି।
ଚାରି ଏକର ଚାଷ ଜମିରେ ଗୀତା ଓ ତାଙ୍କ ପରିବାର ଆଖୁ ଚାଷ କରିଥାନ୍ତି। ସାଧାରଣ ଦିନଗୁଡ଼ିକରେ, ଅତିକମ୍ରେ ୩୨୦ ଟନ୍ ଆଖୁ ଅମଳ ହୋଇଥାଏ। ଏଥିମଧ୍ୟରୁ ସେମାନେ ମାତ୍ର ୬୪ ଟନ୍ ଫସଲ ରଖିପାରିଥାନ୍ତି, ଅବଶିଷ୍ଟ ଫସଲ ଜମି ମାଲିକଙ୍କ ପାଖକୁ ଯାଇଥାଏ; ୬୪ ଟନ୍ର ଅର୍ଥ ହେଉଛି ପରିବାରର ଚାରି ଜଣ ସଦସ୍ୟ ୧୫ ମାସ ଧରି କଠିନ ପରିଶ୍ରମ କରିବା ପରେ ୧୭୯,୦୦୦ ଟଙ୍କା ରୋଜଗାର କରିଥାନ୍ତି। ଅନ୍ୟପଟେ କେବଳ ଉତ୍ପାଦନ ଖର୍ଚ୍ଚ ବହନ କରୁଥିବା ଜମି ମାଲିକ ମୋଟା ଅଙ୍କର ୭୧୬,୮୦୦ ଟଙ୍କା ରୋଜଗାର କରିଥାନ୍ତି।
୨୦୧୯ ଏବଂ ୨୦୨୧ରେ, ଯେତେବେଳେ ସେମାନେ ବନ୍ୟାରେ ସବୁ ଆଖୁ ହରାଇଲେ, ଗୀତାଙ୍କ ପରିବାର ଗୋଟିଏ ଟଙ୍କା ସୁଦ୍ଧା ରୋଜଗାର କରିପାରିଲା ନାହିଁ। ଆଖୁ ଚାଷ କରିବା ସତ୍ତ୍ୱେ ସେମାନଙ୍କୁ ନିଜ ଶ୍ରମର ମୂଲ୍ୟ ସୁଦ୍ଧା ମିଳିଲା ନାହିଁ।
ଅଗଷ୍ଟ ୨୦୧୯ ବନ୍ୟାରେ ସେମାନଙ୍କ ଆଖୁ ଫସଲ ନଷ୍ଟ ହେବା ସହିତ ଘର ମଧ୍ୟ ଆଂଶିକ ଭାବେ ଭାଙ୍ଗି ଯାଇଥିଲା, ଯାହା ପରିବାର ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ଥିଲା। ଗୀତାଙ୍କ ସ୍ୱାମୀ ତାନାଜୀ କୁହନ୍ତି, ‘‘ଘର ମରାମତି କରିବା ଲାଗି ପ୍ରାୟ ୨୫,୦୦୦ ଟଙ୍କା ଲାଗିଲା। ସରକାର କ୍ଷତିପୂରଣ ଆକାରରେ ମାତ୍ର ୬,୦୦୦ ଟଙ୍କା ଦେଇଥିଲେ।’’ ବନ୍ୟା ପରେ ତାନାଜୀ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଜଣାପଡ଼ିଥିଲା।
୨୦୨୧ ବନ୍ୟାରେ ସେମାନଙ୍କ ଘର ପୁଣିଥରେ ଭାଙ୍ଗି ଯାଇଥିଲା, ଫଳରେ ସେମାନେ ଆଠ ଦିନ ପାଇଁ ଅନ୍ୟ ଗାଁରେ ରହିବାକୁ ବାଧ୍ୟ ହୋଇଥିଲେ। ଏଥର, ପରିବାର ଲୋକମାନେ ସେମାନଙ୍କ ଘର ମରାମତି ଖର୍ଚ୍ଚ ଉଠାଇପାରିଲେ ନାହିଁ। ‘‘ଆଜି ବି ଯଦି ଆପଣ ଘର କାନ୍ଥକୁ ଛୁଇଁବେ, ତାହା ଓଦା ଲାଗିବ,’’ ଗୀତା କୁହନ୍ତି।
ସେମାନେ ପୁଣିଥରେ ମାନସିକ ଆଘାତର ସମ୍ମୁଖିନ ହୋଇଛନ୍ତି। ‘‘ବର୍ଷା ହେଲେ ଏବଂ ଛାତ ଦେଇ ପାଣି ଗଳିଲେ, ପ୍ରତି ବୁନ୍ଦା ମୋତେ ବନ୍ୟା ସମ୍ପର୍କରେ ମନେ ପକାଇ ଦେଇଥାଏ,’’ ସେ କୁହନ୍ତି। ‘‘ଅକ୍ଟୋବର (୨୦୨୨) ଦ୍ୱିତୀୟ ସପ୍ତାହରେ ଯେତେବେଳେ ପ୍ରବଳ ବର୍ଷା ହେଲା, ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମୁଁ ଭଲ ଭାବେ ଶୋଇ ପାରିଲି ନାହିଁ।’’
୨୦୨୧ ବନ୍ୟାରେ ପରିବାର ଲୋକମାନେ ୧ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ଦୁଇଟି ମେହସାନା ମଈଁଷି ହରାଇଥିଲେ। ‘‘ଏହା ଆମ ଠାରୁ କ୍ଷୀର ବିକ୍ରି ବାବଦ ଦୈନିକ ରୋଜଗାର ଛଡ଼େଇ ନେଲା,’’ ସେ କୁହନ୍ତି। ଗୋଟିଏ ନୂଆ ମଈଁଷି କିଣିବାକୁ ପରିବାର ଲୋକଙ୍କୁ ୮୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ‘‘ଯେତେବେଳେ ଚାଷରେ ଯଥେଷ୍ଟ କାମ ମିଳେ ନାହିଁ (ବନ୍ୟା ଓ ଅପହଞ୍ଚ କ୍ଷେତ) ଗୃହପାଳିତ ପଶୁଙ୍କ କ୍ଷୀର ରୋଜଗାରର ଏକମାତ୍ର ଉତ୍ସ ହୋଇଥାଏ,’’ ସେମାନେ କାହିଁକି କଷ୍ଟରେ ଥାଇ ସୁଦ୍ଧା ମଈଁଷି କିଣିଲେ ତାହାର କାରଣ ଦର୍ଶାଇ ଗୀତା କୁହନ୍ତି। କୃଷି ଶ୍ରମିକ ଭାବେ କାମ କରି ମଧ୍ୟ ସେ ଦୁଇ ଆଡ଼ୁ ରୋଜଗାର କରିଥାନ୍ତି, କିନ୍ତୁ ସେଠାରେ କାମ ଆଉ ବେଶୀ ମିଳୁ ନାହିଁ।
ଗୀତା ଓ ତାନାଜୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଘରୋଇ ସାହୁକାରଙ୍କ ସମେତ ଭିନ୍ନ ଭିନ୍ନ ସ୍ଥାନରୁ ପାଖାପାଖି ଦୁଇ ଲକ୍ଷ ଟଙ୍କା ଋଣ ଆଣିଛନ୍ତି। ସେମାନଙ୍କ ଫସଲ ଆଉ ଏକ ବନ୍ୟାରେ ବୁଡ଼ିଯିବାର ଆଶଙ୍କା ଦେଖା ଦେଇଥିବାରୁ ସେମାନେ ଠିକ୍ ସମୟରେ ଋଣ ସୁଝିବାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଫଳରେ ସେମାନଙ୍କ ସୁଧ ବୋଝ ବଢ଼ି ବଢ଼ି ଚାଲିବ।
ଅନିୟମିତ ବୃଷ୍ଟିପାତ, ଫସଲ ହାନି ଓ ରୋଜଗାର ହରାଇବା ଜନିତ ନିଶ୍ଚିତ କ୍ଷୟକ୍ଷତିର କୁପ୍ରଭାବ ଗୀତାଙ୍କର ସ୍ୱାସ୍ଥ୍ୟ ଉପରେ ପଡ଼ୁଛି।
‘‘ଜୁଲାଇ ୨୦୨୧ ବନ୍ୟା ପରେ, ମୋର ମାଂସପେଶୀ ଦୁର୍ବଳ ହେବା ଭଳି ଅନୁଭୂତ ହେଲା, ଗଣ୍ଠି ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟହେବା ଭଳି ସମସ୍ୟା ଆରମ୍ଭ ହୋଇଥିଲା,’’ ସେ କୁହନ୍ତି। ଚାରି ମାସ ପର୍ଯ୍ୟନ୍ତ ସେ ଏସବୁ ଲକ୍ଷଣକୁ ଅଣଦେଖା କରିଥିଲି, ଭାବିଥିଲି, ସମୟ ବିତିବା ସହିତ ସବୁକିଛି ଠିକ୍ ହୋଇଯିବ।
‘‘ଶେଷରେ ଦିନେ, ଅସହ୍ୟ ହେବାରୁ ମୁଁ ଜଣେ ଡାକ୍ତରଙ୍କୁ ଦେଖାଇଲି,’’ ସେ କୁହନ୍ତି। ଗୀତା ଗମ୍ଭୀର ଥାଇରଏଡ (ହାଇପରଥାଇରଡିଜିମ୍)ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା; ଡାକ୍ତର କହିଲେ, ମାନସିକ ଚାପ କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି। ବର୍ଷେ ହେଲାଣି, ଗୀତା ଔଷଧ ବାବଦରେ ମାସିକ ୧,୫୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆହୁରି ୧୫ ମାସ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ ବୋଲି ଆଶା କରାଯାଉଛି।
କୋହ୍ଲାପୁରର ବନ୍ୟା ପ୍ରଭାବିତ ଚିଖାଲି ଗ୍ରାମର ଗୋଷ୍ଠୀ ସ୍ୱାସ୍ଥ୍ୟସେବା ଅଧିକାରୀ ଡାକ୍ତର ମାଧୁରୀ ପନାହଲକର କୁହନ୍ତି, ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକ ବନ୍ୟାଜନିତ ଦୁଃଖ ଏବଂ ଆର୍ଥିକ ଓ ଭାବଗତ ଚାପର ସମ୍ମୁଖିନ ହେବା ଲାଗି ସେମାନଙ୍କର ଅକ୍ଷମତା ବିଷୟରେ ଆଲୋଚନା କରୁଛନ୍ତି। କରୱିର ତାଲୁକା ରେ ଥିବା ଏହି ଗ୍ରାମ ବନ୍ୟା ଜଳରେ ବୁଡ଼ିଯାଇଥିବା ପ୍ରଥମ ଗ୍ରାମଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା।
କେରଳରେ ୨୦୧୯ ବନ୍ୟାର ଚାରି ମାସ ପରେ ରାଜ୍ୟର ପାଞ୍ଚଟି ବନ୍ୟା ପ୍ରଭାବିତ ଜିଲ୍ଲାର ୩୭୪ ଜଣ ପରିବାର ମୁଖ୍ୟଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଗୋଟିଏ ବନ୍ୟାର ସମ୍ମୁଖିନ ହୋଇଥିବା ଲୋକମାନଙ୍କ ତୁଳନାରେ ଦୁଇଟି ବନ୍ୟାର ମୁକାବିଲା କରିଥିବା ଲୋକମାନେ ଅଧିକ ଅସହାୟ (ଦୁଇଥର ସମାନ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବା ପରେ ନକାରାତ୍ମକ ପରିସ୍ଥିତିକୁ ମୁକାବିଲା କରିବା ଲାଗି କୁଣ୍ଠାବୋଧ କରିବା) ଅନୁଭବ କରୁଛନ୍ତି।
‘‘ନକାରାତ୍ମକ ମାନସିକ ପ୍ରଭାବକୁ ନିରାକରଣ କରିବା ଲାଗି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବା ପୀଡ଼ିତମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ,’’ ଏହି ଅଧ୍ୟୟନ ରେ କୁହାଯାଇଥିଲା।
କୋହ୍ଲାପୁରର ବିଭିନ୍ନ ଗ୍ରାମ ଏବଂ ଏପରିକି ଗ୍ରାମୀଣ ଭାରତରେ ରହୁଥିବା ୮୩୩ ନିୟୁତ ଲୋକ (୨୦୧୧ ଜନଗଣନା)ଙ୍କ ପାଇଁ ଉପଯୁକ୍ତ ମାନସିକ ସ୍ୱାସ୍ଥ୍ୟସେବା ପାଇବା ଦୁରୂହ ବ୍ୟାପାର। ‘‘ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଲୋକମାନଙ୍କୁ ଆମେ ଜିଲ୍ଲା ଡାକ୍ତରଖାନାକୁ ସୁପାରିସ କରିଥାଉ। ତେବେ, ସମସ୍ତଙ୍କ ପାଇଁ ଏତେ ଦୂର ପର୍ଯ୍ୟନ୍ତ ଯାତ୍ରାର ଖର୍ଚ୍ଚ ଉଠାଇବା ସମ୍ଭବ ନୁହେଁ,’’ ଡାକ୍ତର ପନାହଲକର କୁହନ୍ତି।
ଗ୍ରାମୀଣ ଭାରତର ମାତ୍ର ୭୬୪ଟି ଜିଲ୍ଲା ଡାକ୍ତରଖାନା ଏବଂ ୧,୨୨୪ଟି ଉପ-ଜିଲ୍ଲା ଡାକ୍ତରଖାନା (ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ, ୨୦୨୦-୨୧)ରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଚିକିତ୍ସକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିୟୋଜିତ ରହିଛନ୍ତି। ‘‘ଉପ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ନହେଲେ ମଧ୍ୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିକମ୍ରେ ମାନସିକ ସ୍ୱାସ୍ଥ୍ୟ ସେବା ପେସାଦାରଙ୍କ ଆବଶ୍ୟକତା ରହିଛି,’’ ଡାକ୍ତର ପନାହଲକର କୁହନ୍ତି। ୨୦୧୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ରେ କୁହାଯାଇଛି ଯେ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଜଣେରୁ କମ୍ (୦.୦୭ ପ୍ରତିଶତ) ମାନସିକ ରୋଗ ଚିକିତ୍ସକ ରହିଛନ୍ତି।
*****
ଶିବବାଇ କାମ୍ବଲେ (୬୨) ନିଜର ମଜାଳିଆ ସ୍ୱଭାବ ପାଇଁ ଅର୍ଜ୍ଜୁନୱାଡ଼ ଗ୍ରାମରେ ଲୋକପ୍ରିୟ। ‘‘ଗାଁର ସେ ଏକ ମାତ୍ର କୃଷି ଶ୍ରମିକ ଯିଏକି, ଯି ହସତ ଖେଲତ କାମ କର୍ତେ (ନିଜ ମୁହଁରେ ହସ ରଖି କାମ କରିଥାନ୍ତି),’’ ଶୁଭାଙ୍ଗୀ କାମ୍ବଲେ କୁହନ୍ତି। ଶୁଭାଙ୍ଗୀ କୋହ୍ଲାପୁରରେ ଥିବା ଏହି ଗାଁର ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା)।
ତଥାପି, ୨୦୧୯ ବନ୍ୟାର ତିନି ମାସ ମଧ୍ୟରେ, ଶିବବାଇ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ‘‘ଗାଁରେ ସମସ୍ତେ ଚକିତ ହେଲେ, ବିଶେଷ କରି କେବେ ବି ମାନସିକ ଚାପରେ ରହୁନଥିବା ଲୋକଟି କେମିତି ଏ ରୋଗରେ ପଡ଼ିଲେ,’’ ଶୁଭାଙ୍ଗୀ କୁହନ୍ତି। ସବୁବେଳେ ଖୁସି ରହୁଥିବା ମହିଳା ଜଣଙ୍କ କାହିଁକି ରକ୍ତଚାପର ଶିକାର ହେଲେ ତା’ର କାରଣ ଖୋଜିବାକୁ ଲାଗିପଡ଼ିଲେ ଶୁଭାଙ୍ଗୀ। ୨୦୨୦ ମସିହା ପ୍ରାରମ୍ଭରେ ସେ ଏ ସମ୍ପର୍କରେ ଶିବବାଇଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
‘‘ପ୍ରଥମେ, ସେ ନିଜ ସମସ୍ୟା ବିଷୟରେ କହିଲେ ନାହିଁ; ସେ ସବୁବେଳେ ହସୁଥିଲେ,’’ ଶୁଭାଙ୍ଗୀ ସେଦିନ କଥା ମନେ ପକାଇ କୁହନ୍ତି। ତେବେ, ଶିବବାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା, ତାଙ୍କର ମୁଣ୍ଡ ବୁଲାଇବା ସହିତ ମଝିରେ ମଝିରେ ଜ୍ୱର ହେଲା। ତାଙ୍କ ପାଇଁ ସବୁକିଛି ଠିକ୍ ନଥିବା ଜଣାପଡ଼ିଲା। କିଛି ମାସ ଧରି ତାଙ୍କ ସହିତ ଆଲୋଚନା କରିବା ପରେ ଆଶା କର୍ମୀ ଜଣଙ୍କ ଜାଣିପାରିଲେ ଯେ ବାରମ୍ବାର ବନ୍ୟା ପରିସ୍ଥିତି କାରଣରୁ ଶିବବାଇଙ୍କର ମାନସିକ ସ୍ଥିତି ଏଭଳି ହୋଇଛି।
୨୦୧୯ ବନ୍ୟାରେ ଶିବବାଇଙ୍କର କଚ୍ଚା ଘର ନଷ୍ଟ ହୋଇଯାଇଥିଲା। ଏହା ଏକ ଅର୍ଦ୍ଧ-ସ୍ଥାୟୀ ଘର ଥିଲା ଯାହାକି ଇଟା ଏବଂ ଶୁଖିଲା ଆଖୁ ପତ୍ର, ଯଅ (ସୋରଘୁମ) ଛଣକୁଟାରେ ତିଆରି ହୋଇଥିଲା। ଏହାପରେ ତାଙ୍କ ପରିବାର ପାଖାପାଖି ୧,୦୦,୦୦୦ ଟଙ୍କା ଖର୍ଚ୍ଚ କରି ଏକ ଟିଣ କୁଟୀର ନିର୍ମାଣ କରିଥିଲେ ଏବଂ ଆଉ ଏକ ବନ୍ୟାରେ ତାହା ସୁରକ୍ଷିତ ରହିବ ବୋଲି ସେମାନଙ୍କର ଆଶା ରହିଥିଲା।
କାର୍ଯ୍ୟ ଦିବସ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବା କାରଣରୁ ପରିବାରର ରୋଜଗାର ଧୀରେ ଧୀରେ କମିଗଲା, ଫଳରେ ସେମାନଙ୍କ ପାଇଁ ଚଳିବା କଷ୍ଟକର ହୋଇପଡ଼ିଲା। ୨୦୨୨ ମସିହା ସେପ୍ଟେମ୍ବର ମଧ୍ୟ ଭାଗଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିବା ଓ ଅପହଞ୍ଚ ହୋଇପଡ଼ିବା ଯୋଗୁଁ ଶିବବାଇ କୌଣସି କାମ ପାଇଲେ ନାହିଁ; ତା’ଛଡ଼ା ନିଜର ଫସଲ ନଷ୍ଟ ହୋଇଯାଇଥିବା କାରଣରୁ, ଚାଷୀମାନେ ଶ୍ରମିକଙ୍କୁ କାମ କରାଇବା ଖର୍ଚ୍ଚ ଉଠାଇ ପାରିଲେ ନାହିଁ।
‘‘ଶେଷରେ ଦୀପାବଳି ପୂର୍ବରୁ (ଅକ୍ଟୋବର ଶେଷ ସପ୍ତାହରେ) ମୁଁ ତିନି ଦିନ କାମ କରିଥିଲି, କିନ୍ତୁ ପୁଣିଥରେ ବର୍ଷା ହେଲା ଏବଂ ସେ କାମ ମଧ୍ୟ ନଷ୍ଟ ହୋଇଗଲା,’’ ସେ କୁହନ୍ତି।
ରୋଜଗାର କମିଯିବା ଯୋଗୁଁ, ଶିବବାଇ ନିଜର ଚିକିତ୍ସା ମଧ୍ୟ କରାଇପାରୁନାହାନ୍ତି। ‘‘ଅନେକ ସମୟରେ, ମୋତେ ଔଷଧ ଛାଡ଼ିବାକୁ ପଡ଼ିଥିଲା, କାରଣ ମୋ ପାଖରେ ଯଥେଷ୍ଟ ଟଙ୍କା ନଥିଲା,’’ ସେ କୁହନ୍ତି।
ଅର୍ଜୁନୱାଡ ଗ୍ରାମର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ଡାକ୍ତର ଆଞ୍ଜେଲିନା ବାକର କୁହନ୍ତି, ଗତ ତିନି ବର୍ଷ ଧରି, ରକ୍ତଚାପ ଓ ମଧୁମେହ ଭଳି ଅଣ-ସଂକ୍ରାମକ ରୋଗ (ଏନସିଡି)ରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେବଳ ୨୦୨୨ରେ, ସେ କୁହନ୍ତି ଯେ, ଅର୍ଜୁନୱାଡ଼ ଗ୍ରାମର ୫,୬୪୧ ଜଣ ଲୋକ (୨୦୧୧ ଜନଗଣନା) ଙ୍କ ମଧ୍ୟରୁ ୨୨୫ରୁ ଅଧିକ ଲୋକ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି।
‘‘ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ ହେବ, କିନ୍ତୁ ଅଧିକାଂଶ ଲୋକ ପରୀକ୍ଷା କରାଇବାକୁ ଆସୁନାହାନ୍ତି,’’ ସେ କୁହନ୍ତି। ବାରମ୍ବାର ବନ୍ୟା, ରୋଜଗାର କମିଯିବା, ପୋଷଣ ଅଭାବ ଯୋଗୁଁ ମାନସିକ ଚାପ ସୃଷ୍ଟି ହେଉଛି ଏବଂ ଏହା ହିଁ ଏନସିଡି ବୃଦ୍ଧି ପାଇବାର କାରଣ ବୋଲି ସେ କୁହନ୍ତି। (ଆହୁରି ପଢ଼ନ୍ତୁ : କୋହ୍ଲାପୁରରେ ଆଶା କର୍ମୀଙ୍କ ଦୁଃଖ କାହାଣୀ )
‘‘ଅଧିକାଂଶ ବନ୍ୟା ପ୍ରପୀଡ଼ିତ ବୟସ୍କ ଗ୍ରାମବାସୀଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଇଛି; ଏପରି ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି,’’ ଡାକ୍ତର ବାକର କୁହନ୍ତି। ନିଦ୍ରାହୀନତା ଭଳି ମାମଲା ମଧ୍ୟ ବଢ଼ୁଥିବା ସେ କୁହନ୍ତି।
ଅର୍ଜୁନୱାଡ଼ ଗ୍ରାମର ବାସିନ୍ଦା ଚୈତନ୍ୟ କାମ୍ବଲେ ଜଣେ ସାମ୍ବାଦିକ ଓ ପିଏଚଡି ଗବେଷକ। ତାଙ୍କ ମାତାପିତା ମଧ୍ୟ ଭାଗ ଚାଷୀ ଓ କୃଷି ଶ୍ରମିକ ଭାବେ କାମ କରିଥାନ୍ତି। ସେ କୁହନ୍ତି, ‘‘ଭୁଲ ନୀତି ନିର୍ଦ୍ଧାରଣ କାରଣରୁ କୃଷି ଶ୍ରମିକ ଓ ଭାଗଚାଷୀମାନଙ୍କୁ ବନ୍ୟାର ସବୁଠୁ ଭାରୀ ବୋଝ ସହିବାକୁ ପଡ଼ୁଛି। ଜଣେ ଭାଗଚାଷୀଙ୍କୁ ୭୫-୮୦ ପ୍ରତିଶତ ଫସଲ ଜମି ମାଲିକଙ୍କୁ ଦେବାକୁ ପଡ଼ିଥାଏ। ଆଉ ଯେତେବେଳେ ବନ୍ୟାରେ ସବୁକିଛି ନଷ୍ଟ ହୋଇଯାଏ, ଜମି ମାଲିକ ହିଁ କ୍ଷତିପୂରଣ ପାଇଥାନ୍ତି।’’
ଅର୍ଜୁନୱାଡ଼ ଗ୍ରାମର ପ୍ରାୟତଃ ସବୁ ଚାଷୀ ବନ୍ୟାରେ ସେମାନଙ୍କ ଫସଲ ହରାଇଥିଲେ। ‘‘ଆଉ ଥରେ ଭଲ ଫସଲ ଅମଳ ନହେବା ପର୍ଯ୍ୟନ୍ତ (ବନ୍ୟାରେ) ଫସଲହାନିର ଦୁଃଖ ଯିବ ନାହିଁ। କିନ୍ତୁ ବନ୍ୟା ବାରମ୍ବାର ଆମ ଫସଲ ନଷ୍ଟ କରିଚାଲିଛି,’’ ଚୈତନ୍ୟ କୁହନ୍ତି। ‘‘ଋଣ ବୋଝ ବଢ଼ି ଚାଲିଥିବାରୁ ମାନସିକ ଚାପ ବହୁଗୁଣିତ ହୋଇଚାଲିଛି।’’
ମହାରାଷ୍ଟ୍ର ସରକାରଙ୍କ କୃଷି ବିଭାଗର ତଥ୍ୟ ଅନୁଯାୟୀ, ପ୍ରାକୃତିକ ଦୁର୍ବିପାକ କାରଣରୁ ଜୁଲାଇରୁ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୨୪.୬୮ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଥିଲା, ଅନ୍ୟପଟେ କେବଳ ଅକ୍ଟୋବର ମାସରେ ୨୨ଟି ଜିଲ୍ଲାର ୭.୫ ଲକ୍ଷ ହେକ୍ଟର ଜମି ନଷ୍ଟ ହୋଇଯାଇଥିଲା। ଅକ୍ଟୋବର ୨୮, ୨୦୨୨ ସୁଦ୍ଧା ରାଜ୍ୟରେ ୧,୨୮୮ ମିଲିମିଟର ବର୍ଷା ହୋଇଥିଲା – ଯାହାକି ହାରାହାରୀ ବୃଷ୍ଟିପାତର ୧୨୦.୫ ପ୍ରତିଶତ ଥିଲା। ଆହୁରି ଜୁନରୁ ଅକ୍ଟୋବର ମଧ୍ୟରେ ୧୦୬୮ ମିଲିମିଟର ବର୍ଷା ହୋଇଥିଲା। (ଆହୁରି ପଢ଼ନ୍ତୁ : ବର୍ଷା ହେଲେ ଦୁଃଖ ମାଡ଼ି ଆସେ )
ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ମିଳିତ ଜାତିସଂଘ ଆନ୍ତଃସରକାରୀ ପାନେଲରେ ଯୋଗଦାନ ଦେଇଥିବା ବମ୍ବେସ୍ଥିତ ଭାରତୀୟ ପ୍ରଦ୍ୟୋଗିକୀ ସଂସ୍ଥାନର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରାଧ୍ୟାପକ ଶୁବିମାଲ ଘୋଷ କୁହନ୍ତି, ‘‘ଆମେ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବାରମ୍ବାର ଚର୍ଚ୍ଚା କରୁଛୁ, କିନ୍ତୁ ଆମେ ଏହି ଜଳବାୟୁ ଆକଳନକୁ ଉଚିତ୍ ନିର୍ଣ୍ଣୟ-ପ୍ରକ୍ରିୟାରେ ଉପଯୋଗ କରିବାରେ ସକ୍ଷମ ହୋଇପାରୁନାହୁଁ।’’
ଭାରତୀୟ ପାଣିପାଗ ବିଭାଗ ସଠିକ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ନିଜର କ୍ଷମତାରେ ଉଲ୍ଲେଖନୀୟ ସୁଧାର ଆଣିପାରିଛି। ଏ ସମ୍ପର୍କରେ ସେ କୁହନ୍ତି, ‘‘କିନ୍ତୁ ଚାଷୀମାନେ ଏହାକୁ ଉପଯୋଗ କରୁନାହାନ୍ତି କାରଣ ସେମାନେ ଏହାକୁ ନିଷ୍ପତ୍ତି ପ୍ରକ୍ରିୟାରେ ରୂପାନ୍ତରିତ କରିବାରେ ସକ୍ଷମ ହେଉନାହାନ୍ତି (ଏହା ଫସଲକୁ ବଞ୍ଚାଇପାରିବ)।’’
ଚାଷୀଙ୍କ ସମସ୍ୟାକୁ ଭଲ ଭାବେ ବୁଝିବା ଏବଂ ଜଳବାୟୁ ଅନିଶ୍ଚିତତାକୁ ସଠିକ ଢଙ୍ଗରେ ମୁକାବିଲା କରିବା ଲାଗି ପ୍ରଫେସର ଘୋଷ ଏକ ସହଭାଗୀ ମଡେଲ ସପକ୍ଷରେ ପରାମର୍ଶ ଦେଇଥାନ୍ତି। ‘‘କେବଳ ଏକ (ବନ୍ୟା) ମାନଚିତ୍ର ତିଆରି କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ,’’ ସେ କୁହନ୍ତି।
‘‘ଆମ ଦେଶ ପାଇଁ, ଗ୍ରହଣୀୟତା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖୁଛୁ ଏବଂ ଆମ ଜନସଂଖ୍ୟାର ଅଧିକାଂଶ ଲୋକଙ୍କର ଗ୍ରହଣୀୟତା କ୍ଷମତା ନାହିଁ,’’ ସେ କୁହନ୍ତି। ଆମକୁ ଆମ ଗ୍ରହଣୀୟତାକୁ ସୁଦୃଢ଼ କରିବାକୁ ପଡ଼ିବ।’’
*****
୪୫ ବର୍ଷ ବୟସ୍କା ଭାରତୀ କାମ୍ବଲେଙ୍କ ଓଜନ ପ୍ରାୟ ଅଧା କମିଯିବା ପରେ, ଏହା ଏକ ସମସ୍ୟାର ସଙ୍କେତ ବୋଲି ସେ ହୃଦୟଙ୍ଗମ କରିଥିଲେ। ଡାକ୍ତରଙ୍କୁ ପରାମର୍ଶ କରିବା ଲାଗି ଅର୍ଜୁନୱାଡ଼ ଗ୍ରାମର ଏହି କୃଷି ଶ୍ରମିକଙ୍କୁ ପରାମର୍ଶ ଦେଇଥିଲେ ଆଶା କର୍ମୀ ଶୁଭାଙ୍ଗୀ। ୨୦୨୦ ମାର୍ଚ୍ଚରେ ସେ ଗମ୍ଭୀର ଥାଇରଏଡ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।
ଗୀତା ଓ ଶିବବାଇଙ୍କ ଭଳି ଭାରତୀ ମଧ୍ୟ ବନ୍ୟା କାରଣରୁ ବୃଦ୍ଧି ପାଇଥିବା ମାନସିକ ଚାପର ଲକ୍ଷଣକୁ ପ୍ରଥମେ ଅଣଦେଖା କରିଥିଲେ। ‘‘୨୦୧୯ ଓ ୨୦୨୧ ବନ୍ୟାରେ ଆମେ ସବୁକିଛି ହରାଇଥିଲୁ। ମୁଁ ଯେତେବେଳେ ଫେରିଲି (ନିକଟସ୍ଥ ଏକ ଗାଁରେ ଥିବା ବନ୍ୟା ସହାୟତା ଶିବିରରୁ), ମୁଁ ଶସ୍ୟର ଗୋଟିଏ ଦାନା ସୁଦ୍ଧା ପାଇଲି ନାହିଁ। ବନ୍ୟା ସବୁକିଛି ଧୋଇ ନେଇଥିଲା,’’ ସେ କୁହନ୍ତି।
୨୦୧୯ ବନ୍ୟା ପରେ, ସେ ନିଜ ଘର ପୁନଃନିର୍ମାଣ କରିବା ଲାଗି ଘରୋଇ ସାହୁକାର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଦୁଇଟି ସିଫ୍ଟରେ କାମ କରି ସେ ଋଣ ପରିଶୋଧ ପାଇଁ ଯୋଜନା କରିଥିଲେ, ଯାହାଫଳରେ ତାଙ୍କୁ ଚକ୍ରବୃଦ୍ଧି ସୁଧର ବୋଝ ସହିବାକୁ ପଡ଼ିବ ନାହିଁ। ତେବେ, ଶିରୋଲ ତାଲୁକାର ବିଭିନ୍ନ ଗ୍ରାମରେ ୨୦୨୨ ମାର୍ଚ୍ଚ-ଏପ୍ରିଲରେ ଦେଖା ଦେଇଥିବା ଗ୍ରୀଷ୍ମପ୍ରବାହ ତାଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା।
‘‘ଟାଣ ଖରାରୁ ରକ୍ଷା ପାଇବା ପାଇଁ ମୋ ପାଖରେ କେବଳ ଏକ କପଡ଼ା ତଉଲିଆ ଥିଲା,’’ ସେ କୁହନ୍ତି। ଏଥିରୁ ତାଙ୍କୁ ପ୍ରାୟତଃ କୌଣସି ସୁରକ୍ଷା ମିଳୁନଥିଲା ଏବଂ ଖୁବଶୀଘ୍ର ତାଙ୍କର ମୁଣ୍ଡ ଘୂରାଇବା ଆରମ୍ଭ ହେଲା। ବିଶ୍ରାମ କରିବା ତାଙ୍କ ପକ୍ଷେ ସମ୍ଭବ ନଥିବାରୁ ସେ ଅସ୍ଥାୟୀ ଆରାମ ପାଇବା ଲାଗି ପେନକିଲର ବଟିକା ଉପରେ ନିର୍ଭର କରିଥିଲେ ଯାହାଫଳରେ ସେ ଚାଷ ଜମିରେ କାମ ଜାରି ରଖିପାରିବେ।
ସେ ଆଶାବାଦୀ ଥିଲେ ଯେ, ମୌସୁମୀ ଆସିଲେ, ଅଧିକ ଫସଲ ଅମଳ କାରଣରୁ ତାଙ୍କୁ ଯଥେଷ୍ଟ କାମ ମିଳିଯିବ। ‘‘ତେବେ ତିନି ମାସରେ (ଜୁଲାଇ ୨୦୨୨ରୁ ଆରମ୍ଭ) ମୋତେ ୩୦ ଦିନ ସୁଦ୍ଧା କାମ ମିଳିପାରିଲା ନାହିଁ,’’ ସେ କୁହନ୍ତି।
ଅନିୟମିତ ବର୍ଷା ସେମାନଙ୍କର ଫସଲ ନଷ୍ଟ କରି ଦେଉଥିବାରୁ, କୋହ୍ଲାପୁରର ବନ୍ୟା ପ୍ରଭାବିତ ଗ୍ରାମର ଅଧିକାଂଶ ଚାଷୀ ଖର୍ଚ୍ଚକାଟ ଭଳି ଯୋଜନା ହାତକୁ ନେଇଛନ୍ତି। ‘‘କୃଷି ଶ୍ରମିକଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଲୋକମାନେ ତୃଣନାଶକ ବ୍ୟବହାର କରିବା ଆରମ୍ଭ କରିଛନ୍ତି,’’ ଚୈତନ୍ୟ କୁହନ୍ତି। ‘‘ଶ୍ରମିକଙ୍କୁ ନିଯୁକ୍ତି ଦେଲେ ୧,୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ତୃଣନାଶକ ପାଇଁ ୫୦୦ରୁ କମ୍ ଟଙ୍କା ଖର୍ଚ୍ଚ ହୋଇଥାଏ।’’
ଏହାର ଅନେକ ପ୍ରଳୟଙ୍କରୀ ପରିଣାମ ଦେଖିବାକୁ ମିଳୁଛି। ବ୍ୟକ୍ତିଗତ ସ୍ତରରେ, ପୂର୍ବରୁ ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଥିବା ଭାରତୀଙ୍କ ଭଳି ଲୋକଙ୍କ ପାଇଁ କାମ ହରାଇବା ଭଳି ସ୍ଥିତି ସୃଷ୍ଟି କରିଛି। ଅତିରିକ୍ତ ମାନସିକ ଚାପର ସମ୍ମୁଖିନ ହେବା କାରଣରୁ ତାଙ୍କ ଗମ୍ଭୀର ଥାଇରଏଡ ରୋଗ ଆହୁରି ଗୁରୁତର ହୋଇପଡ଼ିଛି।
ମୃତ୍ତିକା ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଶିରୋଲର କୃଷି ଅଧିକାରୀ ସ୍ୱପ୍ନିତା ପାଡାଲକର କୁହନ୍ତି, ୨୦୨୧ରେ ଏହି ତାଲୁକା ର ୯,୪୦୨ ହେକ୍ଟର (୨୩,୨୩୨ ଏକର) ଜମି ଲବଣାକ୍ତ ହୋଇଯାଇଥିଲା। ରାସାୟନିକ ସାର ଓ କୀଟନାଶକର ଅନିୟନ୍ତ୍ରିତ ଉପଯୋଗ, ଅନୁଚିତ ଜଳସେଚନ ପଦ୍ଧତି ଏବଂ ଜମିରେ ଗୋଟିଏ ପ୍ରକାର ଫସଲ ଚାଷ କରିବା ଏହାର ପ୍ରମୁଖ କାରଣ ବୋଲି ସେ କୁହନ୍ତି।
୨୦୧୯ ବନ୍ୟା ପରଠାରୁ, କୋହ୍ଲାପୁରର ଶିରୋଲ ଏବଂ ହାଟକାନଙ୍ଗଲେ ତାଲୁକା ରେ ରାସାୟନିକ ସାର ବ୍ୟବହାର ବ୍ୟାପକ ଭାବେ ବୃଦ୍ଧି ପାଇଛି। ‘‘ବନ୍ୟା ପୂର୍ବରୁ ଶୀଘ୍ର ଶୀଘ୍ର ଫସଲ ଅମଳ ଲାଗି ଚାଷୀମାନେ ଏହାର ଉପଯୋଗ କରୁଛନ୍ତି,’’ ଚୈତନ୍ୟ କୁହନ୍ତି।
ଡାକ୍ତର ବାକର କୁହନ୍ତି, ଗତ କିଛି ବର୍ଷ ମଧ୍ୟରେ ଅର୍ଜୁନୱାଡ଼ ଗ୍ରାମର ମାଟିରେ ଆର୍ସେନିକ ପରିମାଣ ବୃଦ୍ଧି ପାଉଛି। ‘‘ଏହାର ପ୍ରାଥମିକ କାରଣ ହେଉଛି ରାସାୟନିକ ସାର ଏବଂ ବିଷାକ୍ତ କୀଟନାଶକର ବର୍ଦ୍ଧିତ ଉପଯୋଗ,’’ ସେ କୁହନ୍ତି।
ମାଟି ବିଷାକ୍ତ ହୋଇଗଲେ, ଲୋକମାନେ କିପରି ପଛରେ ପଡ଼ିବେ? ‘‘(ମୃତ୍ତିକା ବିଷାକ୍ତତା) କାରଣରୁ, କେବଳ ଅର୍ଜୁନୱାଡ଼ ଗ୍ରାମରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ରୋଗୀଙ୍କୁ ଛାଡ଼ି ୧୭ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି,’’ ସେ କୁହନ୍ତି। ଏମାନଙ୍କ ମଧ୍ୟରେ ସ୍ତନ କର୍କଟ, ଲେକିମିଆ, ଗ୍ରୀବା କର୍କଟ ଏବଂ ପାକସ୍ଥଳୀ କର୍କଟ ଆକ୍ରାନ୍ତ ରହିଛନ୍ତି। ‘‘ଜଟିଳ ବ୍ୟାଧି ବୃଦ୍ଧି ପାଉଥିବା ବେଳେ ଲକ୍ଷଣ ଦେଖା ଦେଇଥିବା ସତ୍ତ୍ୱେ ଅଧିକାଂଶ ଲୋକ ଡାକ୍ତରଙ୍କୁ ସୁଦ୍ଧା ଦେଖାଉନାହାନ୍ତି,’’ ସେ ଆହୁରି କୁହନ୍ତି।
୨୦୧୯ ପରଠାରୁ, ୪୦ ବର୍ଷରୁ ଅଧିକ ବୟସ୍କ ଖୋଚି ନିବାସୀ କୃଷି ଶ୍ରମିକ ସୁନୀତା ପାଟିଲ ମାଂସପେଶୀ ଓ ଆଣ୍ଠୁ ଯନ୍ତ୍ରଣା, ଦୁର୍ବଳତା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି। ‘‘କେଉଁ କାରଣରୁ ଏମିତି ହେଉଛି,’’ ମୁଁ ଜାଣି ପାରୁନାହିଁ। କିନ୍ତୁ ବର୍ଷା କାରଣରୁ ତାଙ୍କର ମାନସିକ ଚାପ ବୃଦ୍ଧି ପାଉଥିବା ନେଇ ସେ ନିଶ୍ଚିନ୍ତ। ‘‘ପ୍ରବଳ ବର୍ଷା ହେବା ପରେ, ମୁଁ ଠିକରେ ଶୋଇପାରେ ନାହିଁ,’’ ସେ କୁହନ୍ତି। ଆଉ ଏକ ବନ୍ୟାର ଭୟ ତାଙ୍କୁ ନିଦ୍ରାହୀନ ଓ ଆଶଙ୍କାଗ୍ରସ୍ତ କରି ଦେଇଥାଏ।
ଅଧିକ ଚିକିତ୍ସା ଖର୍ଚ୍ଚକୁ ଡରି, ସୁନୀତା ଓ ତାଙ୍କ ଭଳି ଅନ୍ୟ ବନ୍ୟା ପ୍ରପୀଡ଼ିତ ମହିଳା କୃଷି ଶ୍ରମିକମାନେ ଫୁଲା ନିରୋଧୀ ଯନ୍ତ୍ରଣା ନିବାରକ ଔଷଧ ଉପରେ ନିର୍ଭର କରୁଛନ୍ତି। ‘‘ଆମେ କ’ଣ କରିପାରିବୁ? ଡାକ୍ତରଙ୍କୁ ଦେଖାଇବାର ଖର୍ଚ୍ଚ ଆମେ ତୁଲାଇ ପାରିବୁ ନାହିଁ, ତେଣୁ ଆମେ କମ୍ ଖର୍ଚ୍ଚ, ପାଖାପାଖି ୧୦ ଟଙ୍କାରେ ମିଳୁଥିବା ପେନକିଲର ବଟିକା ଉପରେ ନିର୍ଭର କରୁଛୁ,’’ ସେ କୁହନ୍ତି।
ପେନକିଲର ଔଷଧ ଅସ୍ଥାୟୀ ଭାବେ ସେମାନଙ୍କର ଯନ୍ତ୍ରଣା ପ୍ରଶମିତ କରୁଥିଲେ ମଧ୍ୟ ଗୀତା, ଶିବବାଇ, ଭାରତୀ, ସୁନୀତା ଓ ସେମାନଙ୍କ ଭଳି ହଜାର ହଜାର ଅନ୍ୟ ଲୋକମାନେ ଅନିଶ୍ଚିତତା ଓ ଭୟର ଚିରସ୍ଥାୟୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି।
‘‘ଆମେ ଏଯାଏ ବୁଡ଼ି ନାହୁଁ, କିନ୍ତୁ ସବୁଦିନ ବନ୍ୟାର ଭୟ ଆମକୁ ବୁଡ଼ାଇ ଦେଉଛି,’’ ଗୀତା କୁହନ୍ତି।
ରିପୋର୍ଟରଙ୍କୁ ଏକ ନିରପେକ୍ଷ ସାମ୍ବାଦିକତା ଅନୁଦାନ ଜରିଆରେ ଇଣ୍ଟରନ୍ୟୁଜର ଆର୍ଥ ଜର୍ଣ୍ଣାଲିଜମ ନେଟୱର୍କ ଦ୍ୱାରା ସମର୍ଥିତ ଏକ ଶୃଙ୍ଖଳାର ଅଂଶବିଶେଷ ଭାବେ ଏହି ଷ୍ଟୋରୀ ପ୍ରସ୍ତୁତ କରାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍