ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ , ଅଦୃଶ୍ୟ ମହିଳା , ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।

ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା

ମୁଣ୍ଡରେ ବଡ଼ ବୋଝ ନେଇ ସେ ପାହାଡ଼ ଉପରୁ ଓହ୍ଲାଇ ଆସୁଥିଲେ, ସେହି ବୋଝରେ ତାଙ୍କର ମୁହଁ ଲୁଚି ଯାଉଥିଲା । ଦେଖାଯାଉଥିବା କାମ, ଅଦୃଶ୍ୟ ମହିଳା । ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏହି ଭୂମିହୀନ ମହିଳାଙ୍କ ପାଇଁ ଏହା ଆଉ ଗୋଟିଏ ଦିନର ପରିଶ୍ରମ । ପାଣି, ଜାଳେଣି ଓ ପଶୁଙ୍କ ଖାଦ୍ୟ ସଂଗ୍ରହ କରିବା, ଏହା ହିଁ ସେହି ତିନିଟି କାମ ଯାହା ଜଣେ ମହିଳାଙ୍କର ଜୀବନର ଏକ ତୃତୀୟାଂଶ ସମୟ ନେଇଯାଏ । ଦେଶର ବିଭିନ୍ନ ଭାଗରେ ପାଣି ଓ ଜାଳେଣି ସଂଗ୍ରହ କରିବାକୁ ମହିଳାମାନେ ଦିନକୁ ସାତ ଘଣ୍ଟା ସମୟ ଦିଅନ୍ତି । ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ବି ସମୟ ନିଏ । ଗ୍ରାମୀଣ ଭାରତର ଲକ୍ଷ ଲକ୍ଷ ମହିଳା ଏହି ତିନିଟି ଜିନିଷ ସଂଗ୍ରହ କରିବାକୁ ପ୍ରତିଦିନ ବହୁ କିଲୋମିଟର ଚାଲନ୍ତି ।

ମୁଣ୍ଡ ଉପରେ ଥିବା ବୋଝ ଖୁବ୍‌ ଭାରୀ । ମାଲକାନଗିରିରେ ଆଦିବାସୀ(ମୂଳ ବାସିନ୍ଦା) ମହିଳା, ମୁଣ୍ଡରେ ପ୍ରାୟ 30 କିଲୋଗ୍ରାମର ଜାଳେଣି କାଠ ଲଦି ଗୋଟିଏ ଗଡ଼ାଣିଆ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ଏବଂ ତାଙ୍କୁ ଆହୁରି 3 କିଲୋମିଟର ଯିବାକୁ ଅଛି । ବହୁ ମହିଳା ଘରକୁ ପାଣି ଆଣିବା ପାଇଁ ସମାନ ବା ଅଧିକ ରାସ୍ତା ଚାଲନ୍ତି ।

ଭିଡିଓ ଦେଖନ୍ତୁ: ‘ସେ ମୁଣ୍ଡରେ ଯେତିକି ଭାର ବହନ କରିଛନ୍ତି ତାହା ତାଙ୍କ ଶରୀରର ଓଜନ ଠାରୁ ଅଧିକ’

ମଧ୍ୟପ୍ରଦେଶ ଝାବୁଆରେ କାଠ ଗଣ୍ଡି ଉପରେ ଛିଡ଼ା ହୋଇ କୌଣସି ନନ୍ଦ ନ ଥିବା କୂଅରୁ ପାଣି ବାହାର କରୁଛନ୍ତି । କାଦୁଅ ଓ ଧୂଳିକୁ ଦୂରରେ ରଖିବା ପାଇଁ କୂଅ ମୁହଁରେ କାଠ ଗଣ୍ଡି ସବୁ ପକାଯାଇଛି । ସେ ସବୁ ବନ୍ଧା ବି ଯାଇନାହିଁ । ଯଦି ସେ ନିଜର ଭାରସାମ୍ୟ ହରାନ୍ତି, ତେବେ କୋଡ଼ିଏ ଫୁଟ ଗଭୀର କୁଅରେ ପଡ଼ିବେ । ଯଦି ସେ କଡ଼କୁ ପଡ଼ିବେ, ତେବେ କାଠ ଗଡ଼ଗୁଡ଼ିକ ତାଙ୍କ ପାଦ ଉପରେ ପଡିଯାଇପାରେ ।

ଜଙ୍ଗଲ ନଷ୍ଟ ହୋଇଥିବା ବା ପାଣି ଅଭାବ ଥିବା ସ୍ଥାନଗୁଡ଼ିକରେ ସ୍ଥିତି ସବୁଠାରୁ ଖରାପ ହୋଇଯାଏ । ଦୂରତା ଅଧିକ ହୋଇଯାଏ । ତେଣୁ ମହିଳା ଏକା ଥରକେ ଅଧିକ ବୋଝ ଲଦି ନେବାକୁ ଚାହାନ୍ତି ।

ଭଲ ସମୟରେ ଏହା ସବୁଠାରୁ କଠିନ କାମ । କିନ୍ତୁ ଲକ୍ଷ ଲକ୍ଷ ଗାଁ ଲୋକ ଯେତେବେଳେ ସେମାନଙ୍କ ଗାଁ ଜମି ହରାଇ ଦିଅନ୍ତି, ସେତେବେଳେ ସମସ୍ୟା ଅଧିକ ଜଟିଳ ହୋଇଯାଏ । ସାରା ଦେଶରେ ଅଧିକାଂଶ ରାଜ୍ୟରେ ଗାଁର ସର୍ବସାଧାରଣ ଜମି ସବୁ ଧୀରେ ଧୀରେ ଘରୋଇ କରଣ ହୋଇଯାଉଛି । ଏହା ଗରିବମାନଙ୍କୁ, ଖାସ୍ କରି କୃଷି ଶ୍ରମିକମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରୁଛି । ବର୍ଷ ବର୍ଷ ଧରି ସେମାନେ ସେ ସବୁ ଜମିକୁ ଚାଷ କରିଆସୁଥିଲେ, ସେଥିରୁ ଉତ୍ପାଦିତ ଶସ୍ୟ ଖାଦ୍ୟ ଭାବେ ବ୍ୟବହାର କରୁଥିଲେ । ଜମି ହରାଇବା ଅର୍ଥ, ଅନ୍ୟ ସବୁ ସହ ପୋଖରୀ, ଯିବା ଆସିବା ରାସ୍ତା, ଚାରଣ ଭୂଇଁ, ଜାଳେଣି କାଠ, ପଶୁ ଖାଦ୍ୟ ଏବଂ ସମସ୍ତଙ୍କ ପାଇଁ ପାଣି ହରାଇବା । ଏହାର ଅର୍ଥ ଗଛ ଲତାପୂର୍ଣ୍ଣ ଗୋଟିଏ ଅଞ୍ଚଳ ହରାଇବା ଯେଉଁଠାରୁ ସେମାନେ ଖାଦ୍ୟ ପାଇଥାନ୍ତେ ।

PHOTO • P. Sainath
PHOTO • P. Sainath
PHOTO • P. Sainath

ସର୍ବ ସାଧାରଣ ଜମି ସବୁର ଘରୋଇକରଣ ଏବଂ ବାଣିଜ୍ୟକରଣ ଗରିବ ପୁରୁଷ ଓ ମହିଳାମାନଙ୍କୁ ସମାନ ଭାବରେ ପ୍ରଭାବିତ କରିଛି । କିନ୍ତୁ କେବଳ ମହିଳାମାନେ ହିଁ ଜମିରୁ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରନ୍ତି । ଦଳିତ ଏବଂ ଅନ୍ୟାନ୍ୟ ଅଧିକାର ନ ଥିବା ଭୂମି ହୀନ ଶ୍ରମିକ ଏହା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ । ହରିୟାଣା ଭଳି ରାଜ୍ୟରେ ଉଚ୍ଚ ଜାତିର ଲୋକେ  ନେତୃତ୍ଵ ନେଉଥିବା ପଞ୍ଚାୟତଗୁଡ଼ିକ କାରଖାନା, ହୋଟେଲ୍‌, ମଦଭାଟି, ବିଳାସପୂର୍ଣ୍ଣ ଫାର୍ମ ହାଉସ୍‌ ଏବଂ କଲୋନୀ ନିର୍ମାଣ କରିବାକୁ ସର୍ବ ସାଧାରଣ ଜମି ଲିଜ୍‌ରେ ଦେଇ ଦେଇଛନ୍ତି ।

ଅମଳ ପାଇଁ ବ୍ୟବହୃତ ବୃହତ୍‌ ଯନ୍ତ୍ରପାତି, ଟ୍ରାକ୍ଟର ଆଦିର ବ୍ୟବହାର ଫଳରେ ଜମି ମାଲିକମାନେ ଏବେ କମ୍ ଶ୍ରମିକ ଆବଶ୍ୟକ କରୁଛନ୍ତି । ତେଣୁ ସେମାନେ ଅନୁଭବ କରୁଛନ୍ତି ଯେ ସେମାନେ ଏବେ ଗାଁର ସେହି ସର୍ବସାଧାରଣ ଜମି ସବୁକୁ ବିକ୍ରି କରିଦେଇପାରିବେ ଯାହା ଗାଁରେ ଗରିବ ଶ୍ରମିକଙ୍କୁ ରଖିବା ଏବଂ ସେମାନଙ୍କ ଚଳିବା ପାଇଁ କାମରେ ଲାଗୁଥିଲା । ଅଧିକାଂଶ ସମୟରେ ଯେତେବେଳେ ଗରିବ ଲୋକମାନେ ସେ ସବୁ ଜମିକୁ ବିକ୍ରି କରିବାର ପ୍ରତିବାଦ କରନ୍ତି, ଜମି ମାଲିକମାନେ ତାଙ୍କୁ ଜାତି ଏବଂ ଅର୍ଥନୈତିକ ଅବରୋଧ କରିବା ଭଳି ଜବାବ୍ ଦିଅନ୍ତି । ସେହି ସବୁ ଜମି ହରାଇବା ଏବଂ ଅବରୋଧ କାରଣରୁ ଅଧିକାଂଶ ସ୍ଥାନରେ ମହିଳାମାନଙ୍କର ଶୌଚ ହେବା ପାଇଁ ସ୍ଥାନ ବି ନାହିଁ । ଏହା ଏବେ ଅଧିକାଂଶଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି ।

ଜାଳେଣି, ପଶୁ ଖାଦ୍ୟ ଏବଂ ପାଣି ସଂଗ୍ରହ କରିବାରେ ଲକ୍ଷ ଲକ୍ଷ ପରିବାର ସେମିତି ଚାଲୁଥାଆନ୍ତି । କିନ୍ତୁ ଚାକିରି କରୁଥିବା ଲୋକମାନେ ଏଥିପାଇଁ ବହୁ ମୂଲ୍ୟ ଦିଅନ୍ତି ।

PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍

P. Sainath
psainath@gmail.com

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE